Unknown

 

 

 

 

 

 

 

 

 

 

 

ସେପଟ ଦୁନିଆ

ବିକ୍ରମ ଦାସ

 

ମୋର ପଦେ

 

ଏ ବୈଜ୍ଞାନିକ ଯୁଗରେ ସ୍ଥାନ ଓ କାଳର ଦୂରତା ସଂକୁଚିତ ହୋଇଗଲାଣି । ବିଭିନ୍ନ ଦେଶର ରୀତି, ନୀତି, ସଭ୍ୟତା, ରୋଗବୈରାଗ୍ୟ ଓ ଚିକିତ୍ସା ପ୍ରଣାଳୀ ସବୁ ମିଶାମିଶି ହେବାକୁ ଆରମ୍ଭ କଲେଣି । ପୁରୁଣା ନୂଆ ଭିତରେ ପ୍ରଭେଦ ନିରୂପଣ କରିବା ସମୟ ସମୟରେ କଷ୍ଟକର ହେଲାଣି । ବହୁ ପୁରୁଣା କାଳର ଅଳଙ୍କାର ଓ ବେଶଭୂଷା, ଯଥା : ପୁରାତନ ଓଡ଼ିଆ କୃଷକ ସେନାର ମୁଣ୍ଡର କେଶଗୁଚ୍ଛ, ଅସିଆ କାଳର ମସିଆ ବୁଢ଼ୀର କାନ ନାକ ଫୋଡ଼ା ଏବେ ଆଧୁନିକତାର ନିଦର୍ଶନ ହେଲାଣି ।

 

ମୁଁ ମୋର ବିଦେଶ ଅନୁଭୂତିଗୁଡ଼ିକୁ ପୁରୁଣା ହେଲାଣି ବିଚାରି ସେଗୁଡ଼ିକ ବିସ୍ମୃତିର ଗର୍ଭକୁ ଠେଲି ଦେଇ ନିଶ୍ଚିନ୍ତ ଥିଲି । କଥାପ୍ରସଙ୍ଗରେ ମୋ ଠାରୁ ସେ ସବୁ ଅନୁଭୂତି ଓ ତା’ର ସମାଲୋଚନାମୂଳକ ମନ୍ତବ୍ୟ ଶୁଣିଲା ପରେ ମୋର ପରମପୂଜ୍ୟ, ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାଶ ଓ କବି ରାଧାମୋହନ ଗଡ଼ନାୟକ ସେ ସବୁର ନୂତନତ୍ୱ ଦର୍ଶାଇ ସେ ସମ୍ୱନ୍ଧରେ ଲେଖିବାପାଇଁ ମୋତେ ବାରବାର ଉତ୍ସାହିତ କଲେ । ସେମାନଙ୍କ ଆଶୀର୍ବାଦ ଓ ପ୍ରେରଣାକୁ ପାଥେୟ କରି ମୁଁ ଏ ଲେଖାଗୁଡ଼ିକ ପାଠକମାନଙ୍କ ସମକ୍ଷରେ ଉପସ୍ଥାପିତ କରିବାକୁ ସାହସ କରୁଛି-। ମତାମତ ପାଠକମାନଙ୍କ ହାତରେ ।

 

ଲେଖକ

Image

 

ସୂଚିପତ୍ର

 

୧.

ବିଦେଶ ଭାବନା

୨.

ବିଲାତଯାତ୍ରା

୩.

ଗୋରା ରାଇଜ

୪.

ବନ୍ଧୁତାର ଡୋରି

୫.

ମିଷ୍ଟର୍‍ ପୁଚ୍

୬.

ପ୍ରେମ ପ୍ରବାହ

୭.

ଜ୍ଞାନବିଜ୍ଞାନ

୮.

ବିଜ୍ଞାନୀ ସାଧୁ

୯.

ଆତିଥ୍ୟ

୧୦.

ଭେଦାଭେଦ

୧୧.

ନୂତନତାର ପଦଧ୍ୱନି

୧୨.

ଫେରନ୍ତାବାଟ (ଆଦିପର୍ବ)

୧୩.

ଫେରନ୍ତାବାଟ (ଶେଷପର୍ବ)

Image

 

ବିଦେଶ ଭାବନା

ବିଦେଶ ଯାତ୍ରାର ପୂର୍ବାଭାଷ

 

୧୯୪୫ ମସିହା ହୋଲି (ଦୋଳପୂର୍ଣ୍ଣିମୀର ପରଦିନ) । ଗୋପାଳ ଓ ଗୋପୀମାନଙ୍କର ରଙ୍ଗଖେଳର ସ୍ମାରକସ୍ୱରୂପ ଭାରତର ଅନେକ ସ୍ଥାନରେ ହୋଲିଖେଳ ଉତ୍ସବ ପାଳିତ ହୁଏ । ଓଡ଼ିଶାରେ ଆଗେ କେବଳ ଦୋଳପୂର୍ଣ୍ଣମୀ ଦିନ ମୁଣ୍ଡରେ ଫଗୁ ମରାଯାଉଥିଲା । ଏବେ ରଙ୍ଗ ପିଚକାରି ମରା ପ୍ରସାର ଲାଭ କଲାଣି । କଲିକତା ପରି ସହରରେ ପିଚକାରିର ରଙ୍ଗ ଖେଳ, ବଡ଼ ‘ଡ୍ରମ’ର ଆଲକାତରା ଓ ନଳାପାଣି ଖେଳରେ ମଧ୍ୟ ପରିଣତ ହୁଏ ।

 

ବଙ୍ଗବାସୀ କଲେଜର ଆମେ କେତୋଟି ଛାତ୍ର ଅଖିଳ ମିସ୍ତ୍ରି ଲେନ୍‍ରେ ଗୋଟିଏ ଛୋଟିଆ ଦୋତାଲା କୋଠାର ଛାତ୍ରାବାସରୁ ରାସ୍ତାକୁ ଚାହିଁଥାଉ । କେତେକ ଷଣ୍ଢାମାର୍କା ଲୋକ ଗୋଟିଏ ବଡ଼ ‘ଡ୍ରମ୍’ରେ ନଳାପାଣି, ଆଲକାତରା ଓ ଅନ୍ୟାନ୍ୟ ତରଳ ଆବର୍ଜନାମୟ ପଦାର୍ଥ ପୂରାଇ ରାସ୍ତାର ଗୋଟିଏ କଡ଼କୁ ରଖି ଟିକିଏ ଦୂରରେ ଖମ୍ୱ ପଛଆଡ଼େ ହୋଲି ଖେଳପାଇଁ ପ୍ରସ୍ତୁତ ହୋଇ ଉଙ୍କି ମାରୁଥାଆନ୍ତି । ସେଦିନ କେହି ଲୋକ ଅତି ଦରକାର ନ ପଡ଼ିଲେ ଘରୁ ବାହାରକୁ ବାହାରୁ ନ ଥାନ୍ତି ।

 

ଜଣେ କେହି ପଥିକ ଚାରିଆଡ଼କୁ ଚାହିଁ ଚାହିଁ ଅତି ସନ୍ତର୍ପଣରେ ଗଳିମୁଣ୍ଡ ଆଡ଼ରୁ ସେ ରାସ୍ତାକୁ ପ୍ରବେଶ କରିବାକ୍ଷଣି, ଲୁଚିଥିବା ଲୋକମାନେ ବିଜୁଳି ବେଗରେ ତା’ ନିକଟକୁ ଦଉଡ଼ିଯାଇ ତାକୁ ଧରିପକାନ୍ତି । ଦୁଇଜଣ ଦୁଇହାତ ଓ ଅନ୍ୟ ଦୁଇଜଣ ଦୁଇଗୋଡ଼ ଧରି ପାଣିବୁହା କଲାଭଳି ତାକୁ ଟେକିଆଣି ସେ ‘ଡ୍ରମ୍’ର ନର୍କକୁଣ୍ଡରେ ବୁଡ଼ାଇ ବୁଡ଼ାଇ ରାସ୍ତାରେ ଗଡ଼ାଇ ଦିଅନ୍ତି । ସେ ଲୋକଟି ପଡ଼ି ଉଠି ଚିତ୍କାର କରି ପ୍ରାଣ ଧରି ସେଠାରୁ ଦଉଡ଼ି ପଳାଇଲା ପରେ ସେମାନେ ଲୁଚିଯାଇ ଅନ୍ୟ ଶିକାରପାଇଁ ଅପେକ୍ଷା କରନ୍ତି । ଏ ବିଭୀଷିକାମୟ ରଙ୍ଗଖେଳ ଦେଖିଲେ ହୁଏତ ଗୋପାଳ ଓ ଗୋପୀ ସମସ୍ତଙ୍କ ହୃତ୍‍ପିଣ୍ଡର ସ୍ପନ୍ଦନ ବନ୍ଦ ହୋଇଯାଆନ୍ତା, କିନ୍ତୁ ସେତେବେଳେ ସେ ଖେଳାଳିମାନଙ୍କର ପୈଶାଚିକ ହାସ୍ୟରେ ଦାଣ୍ଡ ଫାଟି ପଡ଼ୁଥାଏ । ଏ କି ଆନନ୍ଦ ଉପଭୋଗ ! ପବିତ୍ର ପର୍ବ ନାମରେ ଏ ଲୋକଙ୍କର କି ଅମାନୁଷିକ ବ୍ୟବହାର ! ସେତେବେଳେ ମୁଁ ହାତରେ ଗୁଡ଼ିଏ କଣା ପଇସା ଧରି କଣା ଭିତରେ ସୂତାଟିଏ ଗଳାଇ ଝମ୍‍ଝମ୍ କରୁଛି ଓ ମଣିଷର ମଣିଷ ପ୍ରତି ବ୍ୟବହାର କଥା ବସି ଭାବୁଛି ।

 

ମୋର ଆଉ ଗୋଟିଏ ଘଟଣା ମନେ ପଡ଼ିଲା । ଦିନେ କଲିକତାର ଚୌରଙ୍ଗ ଛକରେ ଦଉଡ଼ିକରି ରାସ୍ତା ପାର ହେଲାବେଳକୁ ମୁଁ ମୋର ଅଜାଣତରେ ଜଣେ ଗୌରାଙ୍ଗ ରମଣୀଙ୍କ ଦେହରେ ବାଡ଼େଇ ହୋଇଗଲି । ମୁଁ ଭାବିଲି, ସେ ମୋତେ ବହୁତ ଗାଳିଦେବେ, କିନ୍ତୁ ଆଶ୍ଚର୍ଯ୍ୟର କଥା, ସେ ଝାଡ଼ିଝୁଡ଼ି ହୋଇ ଭଦ୍ରତା ଖାତିରରେ କହିଲେ ‘‘ସେ ମୋତେ ଚାହିଁ ନଥିଲେ, ବାଡ଼େଇ ହୋଇଯିବାରେ ତାଙ୍କର ଦୋଷ ହୋଇଛି ଓ ସେଥିପାଇଁ ସେ ଅତ୍ୟନ୍ତ ଦୁଃଖିତ ।’’ ମୁଁ ସେ କଥା ମନେପକାଇ ଜାତୀୟତା ଆନ୍ଦୋଳନ ଓ ଭାରତଛାଡ଼ ଆନ୍ଦୋଳନ ବେଳର କେତେକ ଘଟଣା ବିଷୟ ଚିନ୍ତା କଲି । ୧୯୩୯ରେ ମୁଁ କଟକ ଜେଲରେ ଥିବାବେଳେ କଟକ ଜେଲ ସୁପରିଟେଣ୍ଡେଣ୍ଟ, ସିଭିଲ ସର୍ଜନ ମେଜର ଓନିଲଙ୍କୁ ‘ଅଭଦ୍ର ଇଂରେଜ, ଶୀଘ୍ର ବାହାରିଯାଅ’ ବୋଲି ଧ୍ୱନି ସବୁ ଦେଇଥିଲୁ । ୧୯୪୨ ଆନ୍ଦୋଳନବେଳେ ମେଡ଼ିକାଲ ହାତରେ ପଶି ଶୋଭାଯାତ୍ରାରେ ଗଲାବେଳେ ସେତେବେଳର ଗୋରା ଆଇ.ଜି. ‘ପର୍କିନ ସାହେବ’ ଶୋଭାଯାତ୍ରୀ ପୁଅ ଓ ଝିଅଙ୍କୁ କୌଶଳରେ ଅଲଗା କରାଇ ଆମ (ପୁଅମାନଙ୍କ) ଉପରେ ଲାଠି ଚଳାଇଥିବାରୁ ଗୋରାମାନଙ୍କୁ ଅତ୍ୟାଚାର, ଗୁଣ୍ଡା, ବର୍ବର ପ୍ରଭୃତି ଭାଷା ପ୍ରୟୋଗ କରି ଭର୍ତ୍ସନା କରିଥିଲୁ । କିନ୍ତୁ ଏବେ ମନରେ ପ୍ରଶ୍ନ ଉଠିଲା, କିଏ ଭଦ୍ର, କିଏ ଗୁଣ୍ଡା ? ଗୋରା ସରକାର ଆମ୍ଭମାନଙ୍କୁ ଶାସନ କରିବାକୁ ବଳପ୍ରୟୋଗ କରନ୍ତି କିନ୍ତୁ ତାଙ୍କ ଜାତିର ମହିଳା ମଧ୍ୟ ରାସ୍ତାରେ ଭଦ୍ର ବ୍ୟବହାର ଦେଖାଏ । ଏ ଦେଶର ଭାଇ ବିନା କାରଣରେବି ଅନ୍ୟ ନିରୀହ ଭାଇ ଉପରେ ରାସ୍ତା ମଝିରେ ଖେଳବାହାନାରେ ଗୁଣ୍ଡାମି କରେ । ଆମର ଚାଲିଚଳନ ଆମକୁ ଜଣା, କିନ୍ତୁ ବିଦେଶୀ ନାଗରିକଙ୍କର ଚାଲିଚଳନ କିପରି ତାହା, ତ ଆମର ସମ୍ପୂର୍ଣ୍ଣ ଅଜଣା । ତେଣୁ ବିଦେଶୀ ଲୋକଙ୍କୁ ଭଲ ଭାବରେ ଜାଣିବାପାଇଁ ମନ ଭିତରେ କ୍ଷୀଣ ଇଚ୍ଛାର ଉଦ୍ରେକ ହେଲା ।

 

ପଇସାଖେଳରୁ ଆଶାର ଉଦ୍ରେକ

 

ମୁଁ ପଇସା ମୁଠାକୁ ଧରି ଏପରି ଭାବୁଥିଲାବେଳେ ପୂର୍ବବଙ୍ଗର (ଏବର ବଙ୍ଗଳାଦେଶ) ମୋର ଜଣେ ସହପାଠୀ ମୋ ପାଖକୁ ଆସି କହିଲେ ‘‘ଦାଦା, ଏଠି ବସି କ’ଣ କରୁଛ ? କ’ଣ ପଇସା ଜମଉଛ ?’’ ଅତର୍କିତ ଭାବରେ ମୋ ପାଟିରୁ ବାହାରିପଡ଼ିଲା, ‘‘ହଁ ପଇସା ଜମଉଛି, ବିଲାତ ଯିବି । ମୁଁ ଯାହା ଦେଖୁଛି, ଆମ ଦେଶ ଲୋକଙ୍କ ଆଚାର ବ୍ୟବହାରଠାରୁ ସେ ଦେଶ ଲୋକଙ୍କ ଆଚାର ବ୍ୟବହାର ହୁଏତ ଭଲ ହୋଇଥିବ । କଲିକତାରେ ରହି ପଢ଼ିବା ଅପେକ୍ଷା ସେ ଦେଶରେ ରହି ପଢ଼ିଲେ ହୁଏତ ଭଦ୍ରତା ଓ ମାନବିକତା ଶିଖି ହେବ ।

 

ସେଇଦିନଠାରୁ ବିଦେଶ ଯିବା ନିଶା ମୋ ମନକୁ ଟିକିଏ ଟିକିଏ ଘାରିଲା । ମୋ ଭଳି ଜଣେ ଜାତୀୟବାଦୀ-ସଂଗ୍ରାମୀ ବା କିପରି ବିଦେଶ ଯାଇପାରିବ ? ମୋର ବଡ଼ ଭାଇଙ୍କର ବି.ଏସ୍‍ସି. ପାସ୍ ପରେ ଜର୍ମାନ ପଢ଼ିବାକୁ ଯିବାର କଥା ଥିଲା । ସେ ‘‘ପାସ୍‍ପୋଟ୍’’ ମଧ୍ୟ ବହୁକଷ୍ଟରେ ଯୋଗାଡ଼ କରିଥିଲେ; କିନ୍ତୁ ଯେଉଁ କମ୍ପାନୀ ତାଙ୍କୁ ପଠାଇବାର କଥା, ଇଂରେଜ ସରକାରଙ୍କୁ ଡରିକରି ହେଉ ବା ଅନ୍ୟ କାରଣରୁ ହେଉ, ତାଙ୍କୁ ନ ପଠାଇ ତାଙ୍କଠାରୁ କମ୍ ମେଧାବୀ ଛାତ୍ରଙ୍କୁ ପଠାଇଲେ । ଭାଇ ଯାଇ ନ ପାରି ଓକିଲାତି ପଢ଼ି ଶେଷରେ ଜଣେ ଖ୍ୟାତନାମା ଓକିଲ ହେଲେ ।

 

ମୋ କଥା ତ ଆହୁରି ଗୁରୁତର । ସେ ସିଧାସଳଖ ବି.ଏସ୍‍ସି. ପାସ୍ କରିଥିଲେ । ମୁଁ ବର୍ଷେ ଆଇ.ଏସ୍‍ସି. ପଢ଼ିଲା ପରେ ୧୯୪୨ ଆନ୍ଦୋଳନରେ ଭାଗ ନେଲି । ରେଭେନ୍‍ସା କଲେଜ ଅଫିସ୍ ପୋଡ଼ି, ଛାତ୍ରାବାସର ସ୍ୱାଧୀନତା ଘୋଷଣା, ଶୋଭାଯାତ୍ରାରେ ଯୋଗଦାନ, ଫରଓ୍ୟାର୍ଡ଼ ବ୍ଲକ୍ ସହିତ ସମ୍ପର୍କ ପ୍ରଭୃତି ଯୋଗୁଁ ପୋଲିସ୍‍ ସଙ୍ଗେ ମୋର ଦୁଇବର୍ଷ ଲୁଚକାଳି ଖେଳ । ଶେଷରେ ଲୁଚାଇ କରି ବିଶ୍ୱବିଦ୍ୟାଳୟରୁ ମାଇଗ୍ରେସନ ସାର୍ଟିଫିକେଟ୍ ଧରି ଅନ୍ୟ ପ୍ରଦେଶରେ ପାଠ ପଢ଼ିବାପାଇଁ କଲିକତାରେ ଆଶ୍ରୟ ନେଲି । ଦୁଇବର୍ଷ କଟିବା ପରେ ଜାତୀୟପତାକା ଉଡ଼ୁଥିବା ବଙ୍ଗବାସୀ କଲେଜର ଜାତୀୟବାଦୀ ପ୍ରିନ୍‍ସିପାଲଙ୍କ ଦୟାରୁ ବହୁକଷ୍ଟରେ ସେଠାରେ ନାମ ଲେଖାଇ ପାଠ ପଢ଼ିବାର ସୁବିଧା ପାଇଥିଲି । ବିଦେଶୀ ଶାସକ ଥିବାଯାକ ବିଦେଶ ଯିବାପାଇଁ ନିର୍ବାଚିତ ହେବା ତ ଦୂରର କଥା, ପାଠ ପଢ଼ିସାରି ଚାକିରି ଖଣ୍ଡିଏ ପାଇବା ମଧ୍ୟ ଅସମ୍ଭବ । ତଥାପି ଆଇ.ଏସ୍‍ସି. ପରୀକ୍ଷା ଦେବାପରେ ମୁଁ ସରକାରୀ, ବେସରକାରୀ ବହୁ ଅନୁଷ୍ଠାନର ବିଜ୍ଞାପନ ଅନୁସାରେ ପାଠ ପଢ଼ିବାକୁ ବିଦେଶକୁ ଯିବାପାଇଁ ଦରଖାସ୍ତମାନ ପକାଇଲି । ପ୍ରଥମ ଶ୍ରେଣୀରେ ଆଇ.ଏସ୍‍ସି. ପାସ୍ କଲେ ମଧ୍ୟ ମୋ ଦରଖାସ୍ତ ଦେବାର କିଛି ଫଳ ହେଲା ନାହିଁ । ଶେଷରେ ସ୍ୱାଧୀନ ଜୀବିକା ଅର୍ଜନ ଉଦ୍ଦେଶ୍ୟରେ ନୂଆ ହୋଇ ଖୋଲା ହେଉଥିବା ଓଡ଼ିଶା ମେଡ଼ିକାଲ କଲେଜରେ ଭର୍ତ୍ତି ହେଲି ।

 

ମେଡ଼ିକାଲ ପାଠ ସେତେବେଳେ ଅର୍ଥସାପେକ୍ଷ । ଯୁଦ୍ଧ ସରି ଜାତୀୟବାଦୀଙ୍କ ସଙ୍ଗେ ଇଂରେଜମାନେ ସାଲିସ୍ କରି ଶାସନ ହସ୍ତାନ୍ତର କରିବାକୁ ବାହାରିଥିବାରୁ ମେଡ଼ିକାଲ ଛାତ୍ରାବାସ ବଛା କମିଟିର କମିଶନର ଓ୍ୟାଡ଼୍ ସାହେବ ସଭାପତି ଥାଇ ମଧ୍ୟ ମେଡ଼ିକାଲ କଲେଜରେ ସ୍ଥାନଟିଏ ସିନା ପାଇଗଲି, ପାଠ ପଢ଼ିବାକୁ ନିୟମିତ ଟଙ୍କା ପାଇବି କୁଆଡ଼ୁ ! ଘରେ ବହୁତ ବିଚାର ଆଲୋଚନା ପରେ ଘରର କେତେକ ଅସ୍ଥାବର ସମ୍ପତ୍ତି ବିକି ଟ ୮୦୦୦ ଯୋଗାଡ଼ କରାଯାଇ ମୋର ପାଠ ଶେଷପର୍ଯ୍ୟନ୍ତ ତାକୁ ଯତ୍ନରେ ରଖି ସେଥିରୁ ହିସାବ ଅନୁସାରେ ଖର୍ଚ୍ଚ କରିବାକୁ ଦିଆଗଲା ।

 

ସେତିକିବେଳେ ମୋର ଜଣେ ପୂର୍ବ ଜାତୀୟବାଦୀ ବନ୍ଧୁ ବ୍ୟାଙ୍କ୍ ଅଫ୍ କାଲ୍‍କାଟା ବୋଲି ଗୋଟିଏ ବ୍ୟାଙ୍କ୍‍ର ମ୍ୟାନେଜର । ମୋ ପାଖରେ ପହଞ୍ଚି, ସେ ଟଙ୍କାତକ ତାଙ୍କ ବ୍ୟାଙ୍କ୍‍ରେ ରଖିବାକୁ ଫୁସୁଲାଫୁସୁଲି କଲେ । ତାଙ୍କ ବ୍ୟାଙ୍କ୍‍ରେ ଫିକ୍ସ ଡିପୋଜିଟ୍ ରଖିଲେ ଟଙ୍କାତକ ନିଖୁଣ ରହି ମାସକୁ ୬୦ ଟଙ୍କା ସୁଧ ମିଳିବ, ସେ ସୁଧରେ ମୁଁ କୌଣସିମତେ ଚଳି ଯାଇ ପାରିଲେ ଡାକ୍ତରୀ ପାସ୍ ପରେ ସେ ଟଙ୍କାତକ ଧରି ଉଚ୍ଚଶିକ୍ଷା ପାଇଁ ବିଲାତ ଯାଇପାରିବି ବୋଲି ଆଶା ଦେଲେ । ମୁଁ ସେ ପ୍ରଲୋଭନରେ ପଡ଼ି ଟଙ୍କାତକ ଆଣି ତାଙ୍କ ବ୍ୟାଙ୍କ୍‍ରେ ରଖିଦେଲି । ସେତେବେଳେ ବ୍ୟାଙ୍କ୍‍ଗୁଡ଼ିକ ଉପରେ ସରକାରୀ କର୍ତ୍ତୃତ୍ୱ ନଥିଲା । ଛତୁ ଫୁଟିଲା ପରି ଅନେକ ବ୍ୟାଙ୍କ୍ ଗଢ଼ା ହୋଇଥିଲେ । ମୁଁ ଟଙ୍କା ରଖିବାର ମାସେ ନପୂରୁଣୁ ସେ ବ୍ୟାଙ୍କ୍ ଦେବାଳିଆ ହୋଇ ଲାଲବତୀ ଜାଳିଦେଲେ । ସେ ମ୍ୟାନେଜର ମଧ୍ୟ ଉଭାଇଗଲେ । ଏପର୍ଯ୍ୟନ୍ତ ତାଙ୍କ ସଙ୍ଗେ ମୋର ଦେଖା ହୋଇନାହିଁ । ମୋର ସବୁ ଟଙ୍କା ବୁଡ଼ିଗଲା ।

 

ଯାହାହେଉ, କଷ୍ଟେମଷ୍ଟେ ଡାକ୍ତରୀ କଲେଜ ପାଠପଢ଼ା ସାରିଲି । ବର୍ଷେକାଳ ହାଉସ୍ ସର୍ଜନ ରହି ଓ ବାହାର ଚିକିତ୍ସାରୁ ସାମୟିକ କିଛି ପଇସା ସଂଗ୍ରହ କରି କଟକ ବାଙ୍କାବଜାର ଗଳିରେ ଗୋଟିଏ କ୍ଲିନିକ୍ ଓ ଔଷଧ ଦୋକାନ ଖୋଲିଲି; କିନ୍ତୁ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବା ନିଶା ମୋତେ ଛାଡ଼ିଲା ନାହିଁ । ବିଜ୍ଞାପନ ଦେଖି ଦେଖି ବିଦେଶ ପାଠପଢ଼ା ପାଇଁ ଦରଖାସ୍ତ ପକାଇବାରେ ଲାଗିଲି । ଏହା ଭିତରେ ଭାରତ ସ୍ୱାଧୀନ ହୋଇ ଯାଇଥିଲା । ସରକାରଙ୍କ ଠାରୁ ଇଂରେଜ ବିରୋଧୀ ବୋଲି ଆଉ ବାଧା ପାଇବାର କାରଣ ନଥିଲା, ବରଂ ଜଣେ ସ୍ୱାଧୀନତାବାଦୀ ଭାବରେ ଦେଶୀ ସରକାରଙ୍କ ଠାରୁ ସାହାଯ୍ୟ ମିଳିପାରେ ବୋଲି ଆଶାନ୍ୱିତ ହୋଇପଡ଼ିଲି ।

 

ଶେଷରେ ଗୋଟିଏ ଦରଖାସ୍ତର ଉତ୍ତର ଆସିଲା । ଆମେରିକାରେ ଡାକ୍ତରୀ ବିଦ୍ୟାରେ ଉଚ୍ଚଶିକ୍ଷା (ରେସିଡ଼େନ୍‍ସି) ପାଇଁ ବଛାବଛି ପରୀକ୍ଷାଟିଏ ଦେବାକୁ ସୁଯୋଗ ମିଳିଲା । ଆମେ କେତେକ ଓଡ଼ିଆ ଡାକ୍ତର ଦିଲ୍ଲୀ ଯାଇ ପରୀକ୍ଷା ଦେଲୁ । ଓଡ଼ିଆ ଡାକ୍ତରଙ୍କ ଭିତରୁ ଯେଉଁ ତିନିଜଣ ବଛାହେଲେ ସେଥିରେ ମୋ ନାମ ଥିଲା ।

 

ସଂକୀର୍ଣ୍ଣ ରାଜନୀତିର ଶିକାର

 

ରେସିଡ଼େନ୍‍ସି ଟ୍ରେନିଙ୍ଗ୍ ସର୍ତ୍ତ ଅନୁସାରେ ଆମେରିକାରେ ପହଞ୍ଚିଲେ ସେଠାର ଅନୁଷ୍ଠାନ ଆମକୁ ମାସିକ ଭତ୍ତା ଦେବ । ଯିବା ଖର୍ଚ୍ଚ ଆମ ସରକାର ଦେବାର କଥା । ସରକାରଙ୍କ ନିକଟକୁ ପଢ଼ାଋଣ (ଯିବାଖର୍ଚ୍ଚ) ପାଇଁ ମୁଁ ଦରଖାସ୍ତ କଲି; ସ୍ୱାସ୍ଥ୍ୟ ମନ୍ତ୍ରୀବି ପ୍ରତିଶ୍ରୁତି ଦେଲେ । ସେତେବେଳେ ମୋର ପିତା ତତ୍‍କାଳୀଳ ସରକାରଙ୍କୁ ସମାଲୋଚନା କରି ସରକାରୀ ଦଳ ବିରୁଦ୍ଧରେ ନିର୍ବାଚନ ଲଢ଼ୁଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ରାଜନୈତିକ ପ୍ରତିଶୋଧ ପାଇଁ ମୋର ଦରଖାସ୍ତଟିକୁ ନାକଚ କରି ମୋ ନିକଟକୁ ସରକାରୀ ନିଷ୍ପତ୍ତିଟି ପଠାଇ ଦେଲେ । ସେଥିରେ ଲେଖାଥିଲା, ଏହି ଡାକ୍ତରଙ୍କ ପିତା ଅତ୍ୟଧିକ ଧନୀବ୍ୟକ୍ତି ହୋଇଥିବାରୁ ଏହାଙ୍କୁ କୌଣସି ସରକାରୀ ଋଣ ମଧ୍ୟ ଦିଆଯିବ ନାହିଁ । ତାଙ୍କ ନିର୍ବାଚନ ପାଇଁ ମୋର ପିତା ସେତେବେଳେ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କର ଜଣେ ଓକିଲ ବନ୍ଧୁଙ୍କଠାରୁ କଡ଼ା ସୁଧରେ ତିନି ହଜାର ଟଙ୍କା ଋଣ କରିଥିବା କଥା ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅବଶ୍ୟ ଅବଗତ ଥିଲେ ଓ ଆମେ ନାନା କାରଣରୁ ଅତ୍ୟଧିକ ଅର୍ଥାନଟନ ଭିତରେ ଗତି କରୁଥିବାର ଭଲ ଭାବରେ ଜାଣିଥିଲେ ।

 

ଯାହାହେଉ, ମୁଁ ରାଜନୀତି-ଦଳାଦଳିର ଶିକାର ହେଲି । ମୋତେ ସରକାରୀ କିମ୍ୱା ଘରୋଇ କୌଣସି ପ୍ରକାର ଆର୍ଥିକ ସାହାଯ୍ୟ ମିଳିଲା ନାହିଁ, ମୋର ଆମେରିକା ଯିବା ବନ୍ଦ ହୋଇଗଲା । ଅନ୍ୟ ଦୁଇଜଣ ଡାକ୍ତର ଉଦୟ ନାଥ ଦାଶ ଓ ଡାକ୍ତର ଆଦିତ୍ୟ ନାରାୟଣ ବର୍ମନ (ଗାନ୍ଧି) ସରକାରୀ ସାହାଯ୍ୟ ପାଇ ଉଡ଼ାଜାହାଜ ଯୋଗେ ଆମେରିକା ଯାତ୍ରା କଲେ ।

 

ପୁଣି ଯାତ୍ରାର ଯୋଗାଡ଼

 

ଏ ସବୁ ସତ୍ତ୍ୱେ ମୋ ମନ ଦବି ନ ଯାଇ, ମୁଁ ନାନାପ୍ରକାର ଉପାୟ ପାଞ୍ଚିବାରେ ଲାଗି ପଡ଼ିଲି । ପ୍ରଥମରେ, ମୁଁ ଆମେରିକାର ଯେଉଁ ଅନୁଷ୍ଠାନରେ ଟ୍ରେନିଙ୍ଗ୍‍ପାଇଁ ବଛା ହୋଇଥିଲି, ସେ ଅନୁଷ୍ଠାନକୁ ସମୟ ମାଗି ଚିଠି ଲେଖିଲି । ସେମାନେବି ମୋତେ ଦୁଇ ଚାରି ମାସ ସମୟ ଦେଲେ । ଓଡ଼ିଶାରୁ ନିରାଶ ହେବା ପରେ କଲିକତାର ମୋର ଚିହ୍ନା ଜଣେ ଶିଳ୍ପପତିଙ୍କ ଦ୍ୱାରସ୍ଥ ହୋଇ ପାଣି ଜାହାଜରେ ଯିବାର ବାଟଖର୍ଚ୍ଚ ପାଇଁ ଧାର ମିଳିବାର ପ୍ରତିଶ୍ରୁତି ପାଇଲି । ତଳ ଶ୍ରେଣୀ ବା ଟୁରିଷ୍ଟ୍ କ୍ଲାସ୍‍ର ଗୋଟିଏ ସିଟ୍‍ର ଟିକଟପାଇଁ ଜାହାଜ କମ୍ପାନୀର ଏଜେଣ୍ଟମାନଙ୍କୁ ଲେଖାଲେଖି କଲି ।

 

ପୁରୁଣା ଗରମ ପୋଷାକର ସନ୍ଧାନ ନେଲି । ମୋ ଭାଗ୍ୟକୁ ବିଲାତ ପ୍ରଭୃତି ଦେଶରେ ବହୁ ଦିନ ରହି ଫେରିଥିବା ଜଣେ ଭାରତୀୟ ବୃଦ୍ଧ ଶ୍ରମିକଙ୍କର ସନ୍ଧାନ ମିଳିଲା । ମୁଁ ତାଙ୍କ ନିକଟକୁ ଯାଇ ତାଙ୍କର ଅତି ପୁରୁଣା ଶୀତପୋଷାକ (ପେଣ୍ଟ, କୋଟ୍ ଓ ଓଭରକୋଟ୍‍) କିଣିବାକୁ ସ୍ଥିର କଲି । ଡାକ୍ତରୀ ପାସ୍‍ ପରେ କରିଥିବା ଅଳ୍ପ କେତେମାସର ନୂଆ ଦୋକାନଟିର ଜିନିଷଗୁଡ଼ିକ ବିକ୍ରିକରି ଦୁଇଶହ ପଚାଶ ଟଙ୍କା ଯୋଗାଡ଼ କରି ସେ ପୋଷାକତକ କିଣି ଆଣିଲି । ନୂଆ ଗରମ ପୋଷାକ କରିବାକୁ ମୋ ପାଖରେ କିଛି ସମ୍ୱଳ ନଥିଲା । ଯାହାଙ୍କର ପୋଷାକ କିଣିଲି, ସେ ବୃଦ୍ଧ ମୋଠାରୁ ବହୁତ ବେଶୀ ମୋଟା ହୋଇଥିବାରୁ ସେତକ ନେଇ ଗାଁ-ବୁଲା ଦରଜି ପାଖରେ ଜକାଜକି କରାଇ ସେଗୁଡ଼ିକ ମୁଁ କୌଣସିମତେ ପିନ୍ଧିପାରିବା ଅବସ୍ଥାକୁ ଅଣାଇଲି । ବିଦେଶ କାଇଦା ଓ ଭଦ୍ର ସମାଜ କଥା ଶୁଣିଚି । ସେ ଦେଶ ଲୋକେ ହୁଏତ ମୋତେ ଏପରି ପୋଷାକ ପିନ୍ଧିଥିବା ଦେଖିଲେ ଉପହାସ କରି ପାରନ୍ତି, କରନ୍ତୁ; ମୋର ତ ଶୀତ ସମ୍ଭାଳିବା କଥା ।

 

ମୁଁ ସପ୍ତମ ଶ୍ରେଣୀରେ ପଢ଼ିଲାବେଳେ ସେପ୍‍ଟେମ୍ୱର ମାସରେ ମୋର ପିତା ପଣ୍ଡିତ ନୀଳକଣ୍ଠଙ୍କ ସଙ୍ଗେ ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ ଡାକ୍ତରଙ୍କ ପରାମର୍ଶରେ ‘ସିମଲା’ ଯାଇଥିଲି । ସେଠାରେ ଭାରି ଶୀତ । ମୋର ଗରମ ପୋଷାକ କିଛି ନଥାଏ, ମୁଁ କମ୍ୱଳ ଘୋଡ଼ି ହୋଇ ବୁଲୁଥାଏ-। ପିତା ସେତେବେଳେ ଗୀତାର ଭାଷ୍ୟ ଲେଖୁଥିବାରୁ ଦିନରାତି ଖଟ ଉପରେ ଶୋଇ ଲେଖାଲେଖି କରୁଥାଆନ୍ତି । ତାଙ୍କୁ ବାହାରକୁ ଯିବାକୁ ବେଳ ନ ଥାଏ । ଶୀତ ପୋଷାକପାଇଁ ମୁଁ ବେଶିଥର କହି ତାଙ୍କୁ ବିରକ୍ତ କରିବାରୁ ସେ ତାଙ୍କର ଗୋଟିଏ ସୁଏଟର ମୋତେ ଦେଲେ । ମୁଁ ସେଇଟି ପିନ୍ଧିବାରେ ତା’ଭିତରେ ପ୍ରାୟ ଲୁଚିଗଲି । ମୁଁ ସେଥିରେ ଅସନ୍ତୋଷ ପ୍ରକାଶ କରିବାରୁ ସେ କହିଲେ, ‘‘ତୋର ଶୀତ ସମ୍ଭାଳିବା ପାଇଁ ପୋଷାକ ଦରକାର, ନା, ତୋତେ ତୋର ପୋଷାକ କିପରି ମାନୁଚି, ସେ କଥା ଅନ୍ୟମାନେ ଦେଖିବାପାଇଁ ଦରକାର ?’’ –ମହାତ୍ମାଗାନ୍ଧି ତ କମଳ ଘୋଡ଼ିହୋଇ ଗୋଲଟେବୁଲ ବୈଠକରେ ଯୋଗଦେବାକୁ ବିଲାତ ଯାଇଥିଲେ । ତାଙ୍କୁ ଲାଜ ଲାଗିଲା ନାହିଁ, ତୋତେ କାହିଁକି ଲାଜ ଲାଗୁଛି ? ତାଙ୍କୁ କ’ଣ କେହି ଚିହ୍ନିଲେ ନାହିଁ, ତୋତେ ସମସ୍ତେ ଚିହ୍ନିବେ !’’

 

ଇଂରେଜ ସରକାରଙ୍କ ଦରବାର ପାଇଁ ବ୍ୟବହୃତ ନିମନ୍ତ୍ରଣ ଉପରେ ଲାଗିଥିବା ତାଙ୍କର ୧୯୨୮ ମସିହାର ଫଟୋଟିଏ ଦେଖିଥିଲି । ସେଥିରେ ସେ କୌଣସି ପୋଷାକ ପିନ୍ଧି ନଥିଲେ । ସେ କେନ୍ଦ୍ର ଲାଟସଭାର ମେମ୍ୱର ଓ କଂଗ୍ରେସ ଦଳ (ସେତେବେଳର ବିରୋଧୀଦଳ)ର ସମ୍ପାଦକ ଥିଲାବେଳେ ଦରବାରକୁ ତାଙ୍କୁ ଡାକରା ଆସିଥିଲା । ସେଥିରେ ଲେଖାଥିଲା–ଅଫିସରମାନେ ଇଂରେଜ ସରକାରୀ ପୋଷାକ ପିନ୍ଧି ଆସିବେ ଓ ଅନ୍ୟମାନେ ମର୍ଣ୍ଣିଂ ଡ୍ରେସ୍ ବା ସକାଳ ପୋଷାକ ପିନ୍ଧି ଆସିବେ । ଯେଉଁ ପୋଷାକ ପିନ୍ଧି ଆସିବା କଥା, ସେଇ ପୋଷାକ ପିନ୍ଧି ଫଟୋ ନେବେ ଓ ଚିହ୍ନଟପାଇଁ ସେ ଫଟୋଟି ନିମନ୍ତ୍ରଣ କାର୍ଡ଼ରେ ଲଗାହେବ । ସେ କାର୍ଡ଼ ଦେଖାଇଲେ ଦରବାରକୁ ଅନୁମତି ମିଳିବ । ସେତେବେଳେ ବିପ୍ଳବୀମାନେ ସଭା ସମିତି ଓ ଅଫିସ୍‍ରେ ପଶି ଗୋରା ଅଫିସରମାନଙ୍କୁ ହତ୍ୟା କରିବାର ସମ୍ଭାବନା ଥିବାରୁ ସରକାର ଏପରି କଟକଣା ଜାରି କରିଥିଲେ ।

 

ଇଂରେଜମାନଙ୍କ ସକାଳ ପୋଷାକ ସ୍ୱତନ୍ତ୍ର; କିନ୍ତୁ ପଣ୍ଡିତ ନୀଳକଣ୍ଠ ଆମ ସକାଳ ପୋଷାକ, ଗୋଟିଏ କୋଚଟ ଗାମୁଛା ପିନ୍ଧି, କଛାମାରି, ହାତରେ ପାଣି ଢାଳଟିଏ ଧରି ଫୁଙ୍ଗୁଳା ଦେହରେ ସରକାରୀ ଫଟୋବାଲା ଆଗରେ ଠିଆହୋଇ ଫଟୋଟି ଉଠାଇଥିଲେ । କଂଗ୍ରେସବାଲା ଭାବରେ ସେମାନେ ଦରବାର ବର୍ଜନ କରିଥିବାରୁ ଫଟୋ ଦେଲେକି ନଦେଲେ କିଛି ଯାଆ ଆସ ନଥିଲା । କିନ୍ତୁ ମୋତେ ତ ସେଇ ଗୋରାମାନଙ୍କ ସଙ୍ଗେ ଚଳାଚଳ କରିବାକୁ ପଡ଼ିବ, ପୁଣି ଶୀତ ସମ୍ଭାଳିବାକୁ ପଡ଼ିବ । ସେ ଯାହାହେଉ, ମୋ ସ୍ୱେଟର, ପିତାଙ୍କ ଫଟୋ ଓ ଗାନ୍ଧିଙ୍କ କମଳ ପ୍ରଭୃତିର ସ୍ମୃତି ମୋତେ କିଞ୍ଚିତ୍ ସାହସ ଦେଲା । ଜାହାଜ ଟିକଟ ଯୋଗାଡ଼ପାଇଁ ମୁଁ କଲିକତାରେ ଅପେକ୍ଷା କଲାବେଳେ କମ୍ୱଳ ଖଣ୍ଡିଏ ମଧ୍ୟ କିଣି ପକାଇଲି । ବାଟଖର୍ଚ୍ଚ ପାଇଁ ଧାର ଦେବାକୁ ପ୍ରତିଶ୍ରୁତି ଦେଇଥିବା ଶିଳ୍ପପତିଙ୍କ ଦୁଆରେ ବସି ବସି ଠିକ୍ ଜାହାଜ ଛାଡ଼ିବାର ଦୁଇଦିନ ପୂର୍ବରୁ ମୋତେ ସେ ଟଙ୍କା ମିଳିଲା । ମୁଁ ଦିଲ୍ଲୀର ‘ଟ୍ରାଭଲ ଏଜେନ୍‍ସି’ଙ୍କୁ ଫୋନ୍‍ରେ ଜଣାଇଲି । ତାଙ୍କ କଲିକତା ଅଫିସ୍‍ରେ ଟଙ୍କା ଜମାଦେବାର ଟେଲିଗ୍ରାମ୍‍ରେ ଜଣାଇ, ସଙ୍ଗେ ସଙ୍ଗେ ବମ୍ୱେ ଯାଇ ଜାହାଜ ଧରିବାକୁ ସେ ଅଫିସ୍ ମୋତେ ନିର୍ଦ୍ଦେଶ ଦେଲେ ଓ ବମ୍ୱେରେ ତାଙ୍କ ପ୍ରତିନିଧି ଉଡ଼ାଜାହାଜ ଘାଟିରେ ମୋତେ ଭେଟି ମୋ ଟିକଟ ଧରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଲେ ।

 

ମୁଁ କଲିକତାରୁ ଉଡ଼ାଜାହାଜରେ ବମ୍ୱେ ଯାତ୍ରା କଲି । ଉଡ଼ାଜାହାଜରେ ଆଗରୁ କେବେ ବସି ନଥିଲି । ଉଡ଼ାଜାହାଜଟି ଛୋଟ, ଅଳ୍ପ ଉଚ୍ଚରେ ଯାଉଥାଏ । ମୁଁ ନିମ୍ନ ଦେଶର ପଶା କିଆରି ଓ ଖେଳଘର ପରି ଦିଶୁଥିବା ଦୃଶ୍ୟସବୁ ଦେଖି ଦେଖି ରାତିରେ ବମ୍ୱେରେ ପହଞ୍ଚିଲି । ଟ୍ରାଭଲ ଏଜେନ୍‍ସିର ପ୍ରତିନିଧି ମୋତେ ବିଲାତ ପର୍ଯ୍ୟନ୍ତ ଟିକଟଟିଏ ଧରାଇଦେଇ ଲଣ୍ଡନର ଗୋଟିଏ ଟ୍ରାଭଲ ଏଜେନ୍‍ସିର ଠିକଣା ଦେଲେ ଓ ସେଠାରୁ ଆମେରିକା ଯାଉଥିବା ଜାହାଜପାଇଁ ଟିକଟ ମିଳିବ ବୋଲି କହି ମୋ ଠାରୁ ବିଦାୟ ନେଲେ । ରାତିଅଧରେ ବମ୍ୱେ ସହରରେ ହଠାତ୍ ମାତ୍ର ରାତିକପାଇଁ ରହିବାକୁ କୌଣସି ହୋଟେଲରେ ମୋତେ ସ୍ଥାନ ମିଳିଲା ନାହିଁ । କଟକରୁ ଜଣେ ବନ୍ଧୁଙ୍କଠାରୁ ମୁଁ ଗୋଟିଏ ଠିକଣା ସଂଗ୍ରହ କରିଥିଲି । ମୁଁ ସେଇ ଠିକଣାରେ ପହଞ୍ଚି ସେଠାରେ ରାତ୍ରିଯାପନ କଲି । ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ସେଇ ସ୍ଥାନର କେତେକ ଯୁବକଙ୍କ ଗହଣରେ ବମ୍ୱେ ପୋତାଶ୍ରୟ ନିକଟକୁ ଯାତ୍ରା କଲି । ସେମାନଙ୍କ ସାହାଯ୍ୟରେ ମୋର ପାସ୍‍ପୋଟ୍ ପ୍ରଭୃତି ଯାଞ୍ଚ କରାଇ ଜାହାଜରେ ଚଢ଼ିବାକୁ ପ୍ରସ୍ତୁତ ହେଲି ।

Image

 

Unknown

ବିଲାତ ଯାତ୍ରା

ବିଦେଶୀ ଆଦବକାଇଦା

 

ଜାହାଜଟି ପି-ଆଣ୍ଡ-ଓ ନାମକ ଗୋଟିଏ ବ୍ରିଟିଶ କମ୍ପାନୀର ଯାତ୍ରୀବାହୀ ଜାହାଜ । ତା’ର ନାମ ‘କାର୍ଥେଜ’ । ଦ୍ୱିତୀୟ ମହାସମର ସମୟରେ ତାହା ଗୋଟିଏ ଯୁଦ୍ଧଜାହାଜ ଭାବରେ ମଧ୍ୟ ବ୍ୟବହାର ହୋଇଥିଲା । ସେ ଜାହାଜଟି ଅଷ୍ଟ୍ରେଲିଆରୁ ବାହାରି ବମ୍ୱେ ବାଟ ଦେଇ ବିଲାତ ଅଭିମୁଖେ ଯାତ୍ରା କରୁଥାଏ ।

 

ଯାତ୍ରୀମାନେ ପୋତାଶ୍ରୟରୁ କାଠସିଡ଼ି ବାଟେ ଜାହାଜର ଡେକ୍ ଉପରକୁ ଉଠିଲେ । ଯାତ୍ରୀମାନଙ୍କୁ ପାଛୋଟି ଆସିଥିବା ନିଜ ଲୋକେ ରୁମାଲ ହଲାଇଲେ ଓ ଫୁଲ ସବୁ ଫିଙ୍ଗିଲେ । ମୋର ସେଇ ସଙ୍ଗୀମାନେ ମଧ୍ୟ ମୁଁ ଜାହାଜକୁ ଯିବାକ୍ଷଣି ରୁମାଲ ହଲାଇ ମୋତେ ବିଦାୟ ଦେଲେ-। ମୁଁ ମୋ ସାଙ୍ଗରେ ଖଣ୍ଡିଏ ପୁରୁଣା ବଡ଼ ଟ୍ରଙ୍କ୍‍ରେ ମୋର ସମସ୍ତ ଜିନିଷପତ୍ର ଆଣିଥିଲି-। ସେଇଟି ଆଗରୁ ଜାହାଜକୁ ପଠା ହୋଇଥିଲା । ମୋତେ ଓ ମୋର ଟ୍ରଙ୍କ୍‍କୁ ଧରି ଜାହାଜ ବନ୍ଦର ଛାଡ଼ିଲା-। ଶ୍ରୀ ଜଗନ୍ନାଥ, ରଥଯାତ୍ରାବେଳେ ଟଳି ଟଳି ରଥକୁ ଆସିଲା ଭଳି, ଆମ ଜାହାଜଟି ଢଳିଢଳି ପାଣି କାଟି କାଟି ସମୁଦ୍ର ଭିତରକୁ ଚାଲିଲା । ଆମେ କିଛି ସମୟ ଡେକ୍ ଉପରେ ଠିଆହୋଇ ଦୂରେଇ ଯାଉଥିବା ବମ୍ୱେ ସହରକୁ ଲକ୍ଷ୍ୟ କଲୁ ।

 

ବମ୍ୱେ ସହର ସଙ୍ଗେ ସଙ୍ଗେ ଜନ୍ମଭୂମି ଭାରତ ଅଦୃଶ୍ୟ ହେବାର ଭାବନା ମନରେ ଜାଗରୁକ ହୋଇ ମନଟା କିପରି କିପରି ଲାଗିଲା । ଆଖି ଛଳଛଳ ହୋଇଗଲା । ମୁଁ ଡେକ୍‍ରୁ ବାହାରି ମୋ ରୁମ୍ ବା କ୍ୟାବିନ୍‍ରେ ପ୍ରବେଶ କଲି । ଫାଷ୍ଟକ୍ଲାସ୍ ରେଳଡ଼ବାର ଉପର ତଳ ସିଟ୍ ପରି ସେ କ୍ୟାବିନ୍‍ରେ ଚାରିଗୋଟି ସିଟ୍ । ଆମେ ଚାରିଜଣ ସେ କୋଠରୀରେ ରହିଲୁ । ଆମ ଭିତରୁ ଦୁଇଜଣ ଯାତ୍ରୀ ହଂକଂରୁ ଆସିଥିବା ଚାଇନା ଲୋକ । ଅନ୍ୟ ଜଣକ ଗୁଜୁରାଟୀ ଛାତ୍ର । ତାଙ୍କ ନାମ ମଣୀଭାଇ ପଟେଲ । ସେ ଫାର୍ମାସି ବିଦ୍ୟା ପଢ଼ିବାକୁ ବିଲାତ ଯାଉଥାଆନ୍ତି ।

 

ସେମାନଙ୍କ ସଙ୍ଗେ ଆଳାପ ହେଲା । ଚୀନା ଦୁଇଜଣ ବ୍ରିଟିଶ ଅଧୀନସ୍ଥ ହଂକଂ ସହର ବାସିନ୍ଦା ହୋଇଥିବାରୁ ଚାଇନା କମ୍ୟୁନିଷ୍ଟଙ୍କ ବିରୁଦ୍ଧରେ ବହୁତ ବିଷୋଦ୍‍ଗାରଣ କଲେ । ଲାଲ ଚାଇନାର ନୃଶଂସତା ଓ ବର୍ବରତା ବିଷୟରେ ନାନା କଥା ଗପିଲେ । ପଟେଲ ବିଚରା ସାଧାସିଧା ସରଳିଆ ପିଲା । ସେ ବିଲାତରେ ପହଞ୍ଚିଲେ ସେଠାରେ କିପରି ସାହେବ ପରି ଚଳି ପାରିବେ ସେଥିପାଇଁ ବଡ଼ ବ୍ୟସ୍ତ । ତାଙ୍କର ଆମ କଥାବାର୍ତ୍ତାରେ ମନ ନଥାଏ । ସେ ତାଙ୍କ ସଙ୍ଗେ (ବ୍ରିଟିଶ ଏଟିକେଟ୍) ‘ବିଲାତି ଆଦବକାଇଦା’ ବୋଲି ଖଣ୍ଡିଏ ବହି ଆଣିଥିଲେ । ସେ ସେ ବହିଟିକୁ ଧରି ଘୋଷିବାରେ ଲାଗିଥାଆନ୍ତି ।

 

ବିଲାତ ଗୋଟିଏ ସଭ୍ୟ, ରକ୍ଷଣଶୀଳ ଦେଶ । ସେଠାରେ ଲୋକଙ୍କର ଚାଲିଚଳନ ଆମଠାରୁ କାହିଁକି, ବହୁ ଦେଶଠାରୁ ସମ୍ପୂର୍ଣ୍ଣ ପୃଥକ୍ । କେଉଁ ସମୟରେ ଓ କେଉଁ ଘଟଣାରେ କିପରି ପୋଷାକ ପିନ୍ଧିବ, ଚାଲିଲାବେଳେ, ଖାଇବାବେଳେ କିପରି ବ୍ୟବହାର ଦେଖାଇବ, କାହାକୁ କିପରି ସମ୍ୱୋଧନ କରିବ ଓ କାହାକୁ କେଉଁଠାରେ କିପରି ଠାଣିରେ କଥାବାର୍ତ୍ତା କରିବ, ସେ ସବୁ ମଧ୍ୟ ପୁସ୍ତକରେ ଲିପିବଦ୍ଧ ହୋଇଥାଏ । ସେ ସବୁ ଶିଖିବାର ଅତ୍ୟଧିକ ଆଗ୍ରହ ଥିବା ଯୋଗୁଁ ପଟେଲ ଆମ ସଙ୍ଗେ ଖୁସିଗପରେ ମନ ନ ଦେଇ, କାହାସଙ୍ଗେ କଥାବାର୍ତ୍ତା ନ କରି ତାଙ୍କର ସେପରି ବହିଖଣ୍ଡିକ ଧରି ମନେମନେ ବିଲାତ ସାହେବ ହେଉଥାଆନ୍ତି । ଜାହାଜ ଭିତରେ ତାଙ୍କ ଶିକ୍ଷାର ପରୀକ୍ଷାପାଇଁ ସାହେବ ଠାଣିରେ ଚଳିବାକୁ ଅଭ୍ୟାସ କରୁଥାଆନ୍ତି ।

 

ଜାହାଜ ଅନୁଭୂତି

 

ପରଦିନ ସକାଳେ ମୁଁ ଜାହାଜ ଉପର ଡେକ୍‍କୁ ବୁଲିବାକୁ ଗଲି । ଡେକ୍ ଉପରେ ଗୋଟିଏ ସୁନ୍ଦର ସନ୍ତରଣ ପୋଖରୀ । ସକାଳର କଅଁଳିଆ ସୂର୍ଯ୍ୟକିରଣ ବଡ଼ ଆରାମଦାୟକ । ସୂର୍ଯ୍ୟକିରଣର ନାନା ରଙ୍ଗ, ସନ୍ତରଣ କୁଣ୍ଡର ଜଳ ଉପରେ ଭାଙ୍ଗିଯାଇ ଜଳକୁ ନାନା ରତ୍ନଖଚିତ ମୁକୁଟ ପରି ଝଲମଲ କରୁଥାଏ । ସେଥିରେ କେତେକ ସାହେବ ସାହେବାଣୀ ଆଦିବାସୀଙ୍କ ପରି ଅର୍ଦ୍ଧନଗ୍ନ ପୋଷାକ ପିନ୍ଧି ଜଳକ୍ରୀଡ଼ା କରୁଥାଆନ୍ତି । କେହି କେହି କ୍ୟାମେରା ଧରି କୌଣସି ସୁନ୍ଦର ଦୃଶ୍ୟ ଦେଖିଲେ ଫଟୋ ଉଠାଇବେ ବୋଲି ଏପଟ ସେପଟ ହେଉଥାଆନ୍ତି । କେତେକ ବୃଦ୍ଧ ଡେକ୍ ଚଉକି ଉପରେ ଖରାପିଠିଆ ହୋଇ ବସି ବହି ବା ଖବରକାଗଜ ଖଣ୍ଡିଏ ଲେଖାଏଁ ଧରି ପଢ଼ୁଥାଆନ୍ତି । ଛୋଟପିଲାମାନେ ଏପଟ ସେପଟ ଦଉଡ଼ୁ ଥାଆନ୍ତି ଓ ତାଙ୍କ ପଛେ ପଛେ ମା’ମାନେ ବୁଲୁଥାଆନ୍ତି ।

 

ସେଠାରେ ଗପ କରିବା ବା କଥାବାର୍ତ୍ତା ଜମେଇବା ଭଳି କେହି ଲୋକ ଦିଶୁ ନ ଥାନ୍ତି । ମୁଁ ଏକୁଟିଆଟି ଡେକ୍‍ର ବାଡ଼କୁ ଧରି ସମୁଦ୍ର ପାଣିକୁ ଚାହିଁ ରହିଲି । ମଝିରେ ମଝିରେ ‘ଷ୍ଟାରଫିସ୍’ଗୁଡ଼ିଏ ପାଣି ଉପରକୁ ଆସି ପୁଣି ଲୁଚି ଯାଉଥାଆନ୍ତି । ସମୁଦ୍ରର ଅତଳସ୍ପର୍ଶୀ ଜଳ ଗାଢ଼ ନୀଳ ବା କଳା ଦିଶୁଥାଏ । ସମୁଦ୍ରର ଗଭୀରତା ବିଷୟ ଚିନ୍ତାକରି ମନରେ କେତେ କି ଭାବ ଜାଗ୍ରତ ହେଲା । ଭାବିଲି, ଏହି ବିରାଟ ଜଳରାଶି ତଳେ କେତେକଅଣ ଦୃଷ୍ଟି ଅଗୋଚରରେ ଲୁଚି ରହିଚି !

 

ଦିନେ ଏ ସମୁଦ୍ର ତଳ ସବୁ ହୁଏତ ସ୍ଥଳଭାଗର ଅଂଶବିଶେଷ ଥିଲା । ତା’ ବକ୍ଷରେ କେତେ ମାନବ ସଭ୍ୟତା ଗଢ଼ି ଉଠିଥିଲା, ତା’ର ଇତିହାସ ହୁଏତ ଏଇ ପାଣିତଳେ ଲୁଚିଯାଇଛି । ଏହି ଜଳରାଶି ମଧ୍ୟ ମାନବର କେତେ ପ୍ରକାର ଖେଳ ଦେଖିଚି, କେତେ ବାଣିଜ୍ୟବାହୀ ପୋତ ଝଡ଼ତୋଫାନରେ, ଜଳଦସ୍ୟୁ ଆକ୍ରମଣରେ ଭାଙ୍ଗିରୁଜି କେତେ ଲୋକଙ୍କର କେତେ ଆଶା ଧୂଳିସାତ୍‍ କରିଛି । କେତେ ଧନରତ୍ନ ଏହା ବକ୍ଷରେ ଲୁକ୍କାୟିତ ହୋଇ ରହିଛି । କେଡ଼େ କେଡ଼େ ହିଂସ୍ର ଜଳଜନ୍ତୁ ଏହା ଭିତରେ ସନ୍ତରଣ କରୁଛନ୍ତି । କେତେ ମଣିଷ ସେ ଜୀବଜନ୍ତୁଙ୍କର ଆହାର ହୋଇଛନ୍ତି । ସେ ଲୋକମାନଙ୍କର ଆଶାଭରସା ଓ ମନର ଭାବ ସବୁ ଏହି ଜଳ ଭିତରେ ମିଳାଇ ଯାଇଛି ।

 

ଏହିପରି ଭାବୁ ଭାବୁ ମୁଁ ଜଳରାଶିକୁ ପ୍ରଶ୍ନ କରି ମନେମନେ ଗୁଣୁଗୁଣୁ ହୋଇ ଗୀତଟିଏ ଗାଉଛି–

 

ହେ ବିରାଟ ଜଳ କହ ମୋତେ,

କେତେ କୁ’ ଯୁଗର ପାସୋରା କାହାଣୀ ଅଛି ତୋ ଭିତରେ ଲୁଚି ସତେ !

ମନେଥିବ ଜଳ କହ ମୋତେ,

ବାଲିରୁ ବ୍ରାଜିଲ ଓଡ଼ିଆ ବୋଇତ କିପରି ଛପିଲା କେଉଁ ମତେ ?

ହେ ଗଭୀର ଜଳ କହ ମୋତେ,

ମନ-ସମୁଦ୍ରର ସେ ଅଜଣା ଢେଉ ମନେମନେ ଉଠି ମଲା କେତେ ?

କହ ଜଳ ଏବେ କହ ମୋତେ,

ସମବେଦନାରେ ଶୁଣିଯିବି ମୁହିଁ ତୋର ଅନ୍ତରର କଥା ଯେତେ

ହେ ବିରାଟ ଜଳ କହ ମୋତେ ।

 

ଏତିକିବେଳେ ପଛରୁ କିଏ ଆସି ମୋ କାନ୍ଧ ଉପରେ ହାତ ମାରିଲା । ମୁଁ ଚମକି ପଡ଼ି ପଛକୁ ଚାହିଁ ଦେଖିଲି, ପଟେଲ ମୁରୁକି ମୁରୁକି ହସି ମୋ ପଛରେ ଠିଆ ହୋଇଛନ୍ତି । ସେ ମୋତେ କହିଲେ, ‘‘ହେ ଗୋପନ କବି ! ଏଠି ଏକୁଟିଆ ଠିଆହୋଇ କ’ଣ ଗୀତ ଭଣୁଛନ୍ତି ? ଆସନ୍ତୁ, ବୈଠକଖାନା ଆଡ଼େ ଯିବା ।’’

 

ଜାହାଜ ବୈଠକଖାନା

 

ବୈଠକଖାନାଟି ଜାହାଜ ଯାତ୍ରୀଙ୍କର ମିଳନସ୍ଥଳ । ଜାହାଜ ଭିତରର ଗୁମ୍ଫି ଗୁମ୍ଫି ଅନ୍ଧାରୁଆ ଘରେ ଅଣନିଃଶ୍ୱାସିଆ ଲାଗେ, ତେଣୁ କେବଳ ନିଦ ଲାଗିଲେ ବା ଶୋଇବା ବେଳ ହେଲେ ଯିଏ ଯେଝା କ୍ୟାବିନ୍‍କୁ ଯାଆନ୍ତି, ତା’ ନହେଲେ ବାହାରେ ବୁଲନ୍ତି ବା ବୈଠକଖାନାକୁ ଯାଆନ୍ତି ।

 

ବୈଠକଖାନାରେ ଯାତ୍ରୀମାନେ ବସିବାପାଇଁ ଗୁଡ଼ିଏ ସୋଫାସେଟ୍ ଓ ଆରାମ ଚଉକି ପଡ଼ିଥାଏ । ଦଳଦଳ ହୋଇ ସେଠାରେ ବସି ଖୁସିଗପ କରନ୍ତି । ତାସ ପ୍ରଭୃତି ଖେଳନ୍ତି, ଖବରକାଗଜ ବା ବହି ପଢ଼ନ୍ତି ।

 

ଭଲ ପାଗ ଥିଲାବେଳେ ସେଠାରେ ଖାଲି ବସି ନ ରହି ଡେକ୍ ଉପରେ ବୁଲାବୁଲି କରନ୍ତି, କିନ୍ତୁ ପାଗ ଟିକିଏ ଖରାପ ହେଲେ ବୈଠକଖାନାରେ ଭିଡ଼ ଜମେ ।

 

ବୈଠକଖାନାଟି ଗୋଟିଏ ଖୁବ୍ ବଡ଼ଘର, ତେଣୁ ତାହା କେବଳ ବସିବାପାଇଁ ବ୍ୟବହାର କରାଯାଏ ନାହିଁ । ତା’ର ଅଂଶବିଶେଷ ସବୁ ଜାହାଜର ଖବର ଯୋଗାଣ ଅଫିସ୍, ଦୋକାନ ବଜାର ପ୍ରଭୃତି କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହୁଏ ।

 

ଯୋଗାଯୋଗ ଅଫିସ୍‍ରେ ଜାହାଜ କର୍ମଚାରୀ ମୁଦ୍ରା ବିନିମୟ କରିଦିଅନ୍ତି । ସବୁ ଦେଶର ମୁଦ୍ରା ସେଠାରେ ବଦଳା ବଦଳି କରାଯାଇପାରେ । ଯେଉଁ ଦେଶର ବନ୍ଦରରେ ଜାହାଜ ରହେ, ସେଠାରେ ଜିନିଷପତ୍ର କିଣିବାକୁ ଯାତ୍ରୀମାନେ ସେ ଦେଶର ମୁଦ୍ରା ବଦଳାଇ ନିଅନ୍ତି ।

 

ଯାତ୍ରୀମାନେ ଅନ୍ୟ ଯାତ୍ରୀ ଓ ଯାତ୍ରା ସମ୍ୱନ୍ଧରେ ସେଠାରୁ ଖବର ନିଅନ୍ତି । ଚିଠିପତ୍ର, ଟେଲିଗ୍ରାମ୍‍ ପ୍ରଭୃତି ଦେଣନେଣ ପାଇଁ ମଧ୍ୟ ସେଠାରେ ବ୍ୟବସ୍ଥା ଥାଏ ।

 

ଆଉ ଗୋଟିଏ କଣରେ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ, ସିଗ୍ରେଟ, ସାବୁନ, ହେଆର କ୍ରିମ୍, ଟୁଥ୍‍ପେଷ୍ଟ, ଟୁଥ୍ ବ୍ରସ୍, ପାଉଡ଼ର, ଅତର, ଦରକାରୀ ଔଷଧପତ୍ର, ତାସବିଡ଼ା, ମିଠେଇ ପ୍ରଭୃତି ସଙ୍ଗେ ଲଘୁ ଓ ଗୁରୁ ପାନୀୟ ଦ୍ରବ୍ୟ ମଧ୍ୟ ମିଳେ ।

 

ପଟେଲ୍ ଓ ମୁଁ ସେଠାରେ ବସୁ ବସୁ ଆମପାଖକୁ ଲାଗି ଆଉ କେତେକ ଭାରତୀୟ ଯାତ୍ରୀ ମଧ୍ୟ ଆସି ବସିଲେ ।

 

ମକବୁଲ୍‍ମାସୀ ନାମକ ବିଳାସପୁରର ଜଣେ ଦେଶୀ ଖ୍ରୀଷ୍ଟିଆନ ପାଦ୍ରୀ ଆମ ସଙ୍ଗେ ଅଳାପ ଜମାଇଲେ । ମଧ୍ୟପ୍ରଦେଶର ଆଦିବାସୀଙ୍କ ଭିତରେ ଖ୍ରୀଷ୍ଟଧର୍ମପ୍ରଚାରର ସୁବିଧା କରିବାପାଇଁ ଟଙ୍କାପଇସା ଯୋଗାଡ଼ କରିବାକୁ ସେ ଆମେରିକା ଯାଉ ଥାଆନ୍ତି । ସେ ଆଗରୁ ମଧ୍ୟ ବହୁଥର ଆମେରିକା ଗସ୍ତ କରି ଆଦିବାସୀ ଖ୍ରୀଷ୍ଟିଆନଙ୍କ ପାଇଁ ଡାକ୍ତରଖାନା, ଚର୍ଚ୍ଚ, ସ୍କୁଲ୍‍ ପ୍ରଭୃତି ବସାଇବାକୁ ପ୍ରଚୁର ଅର୍ଥ ସଂଗ୍ରହ କରି ଆଣୁଥିଲେ ।

 

ସେ ଦେଖିବାକୁ କୃଷ୍ଣବର୍ଣ୍ଣ, ଦୀର୍ଘକାୟ ଓ ପୃଥୁଳ ବପୁବନ୍ତ ପୁରୁଷ । ବୟସ ପ୍ରାୟ ଷାଠିଏ ପାଖାପାଖି, ସେ ଜଙ୍ଗଲରେ ଧର୍ମପ୍ରଚାର କରିବା ସଙ୍ଗେ ସଙ୍ଗେ ଜୀବଜନ୍ତୁ ଶିକାର ମଧ୍ୟ କରନ୍ତି । ଆମେରିକାର ଧର୍ମ ଅନୁଷ୍ଠାନମାନଙ୍କର କର୍ତ୍ତାମାନଙ୍କୁ ଭେଟିଦେଇ ଖୁସି କରିବାକୁ ବହୁତଗୁଡ଼ିଏ ଜୀବଜନ୍ତୁଙ୍କ ଚମଡ଼ା ସଙ୍ଗେ ଘେନି ଯାଉଥିବାର ଆମେ ଜାଣିଥିଲୁ ।

 

କଥାପ୍ରସଙ୍ଗରେ କେଉଁ ବନ୍ୟଜନ୍ତୁର ମାଂସ କିପରି ଲାଗେ କହି, କୋଟରା ମାଂସର ସ୍ୱାଦ ବର୍ଣ୍ଣନା କଲାବେଳକୁ ତାଙ୍କ ପାଟିରୁ ଯେପରି ଲାଳଗଡ଼ି ପଡ଼ୁଥାଏ । ସେ କହୁ କହୁ କୋଟରା ମାଂସ ଠିକ୍ କଅଁଳ ବାଛୁରି ମାଂସ ପରି ଲାଗେ ବୋଲି କହିବାରୁ ଆମେ ନାକ ଟେକିଲୁ ।

 

ଆମର ନାକ ଟେକା ଦେଖି ସେ ଅଟ୍ଟହାସ କରି କହିଲେ ତୁମେ କ’ଣ ନାକ ଟେକୁଛ, ସେ ଦେଶକୁ ଗଲେ ତ ବାଧ୍ୟହୋଇ ଗୋମାଂସ ଖାଇବ । ମୁଁ କହିଲି, ‘‘ବାଧ୍ୟ କାହିଁକି ହେବୁ ସେ ଦେଶରେ ତ ଖାଦ୍ୟର ପ୍ରାଚୁର୍ଯ୍ୟତା ରହିଛି, ସେଠାରେ ତ ପାଉଁରୁଟି, ଭାତ, ଦୁଧ, ଫଳ ପରିବା ସବୁ ମିଳେ । ଯାହାର ଯାହା ଦରକାର ସେ ତା’ ଖାଇପାରିବ ।

 

ମୋ କଥା ଶୁଣି ସେ କହିଲେ, ‘‘ଗୋମାଂସକୁ ତୁମେ କିପରି ଏଡ଼ାଇ ପାରିବ ? ତୁମେ ତ ସବୁ କଞ୍ଚା ପରିବା ଖାଇବ ନାହିଁ । ଯେକୌଣସି ଜିନିଷ ରାନ୍ଧିବାକୁ ହେଲେ ସେଠାରେତ ତେଲ, ଘିଅ ମିଳେ ନାହିଁ । ତୁମକୁ ‘ଲାର୍ଡ଼’ ବ୍ୟବହାର କରିବାକୁ ପଡ଼ିବ, ସେ ଲାର୍ଡ଼ ଗୋରୁ ଚର୍ବିରେ ତିଆରି-

 

ତୁମେ ବାଟରେ ଘାଟରେ ଯେ କୌଣସି ହୋଟେଲରେ ଖାଇଲେ, ସେ ସବୁସ୍ଥାନରେ ଖାଦ୍ୟସବୁ ଲାର୍ଡ଼ରେ ତିଆରି ହୋଇଥିବ ।’’

 

ଆମ କଥାବାର୍ତ୍ତା ଚାଲିବା ଭିତରେ ଆମ ପାଖରେ ଜଣେ ଅର୍ଦ୍ଧଶିକ୍ଷିତ ଶିଖ ଯୁବକ ବସି ଯାଇଥାଆନ୍ତି । ସେ ପାଦ୍ରୀଙ୍କ କଥାରେ ବାଧା ଦେଇ କହିଲେ ‘‘ଲାର୍ଡ଼ରେ ଗୋରୁଚର୍ବି ଥାଏ ବୋଲି ଆପଣଙ୍କୁ କିଏ କହିଲା ? ଥାଉ ବା ନଥାଉ ଲାର୍ଡ଼ ବା କାହିଁକି ବ୍ୟବହାର କରିବ ? ଲହୁଣୀ ତ ଯାହାକୁ ଯେତେ । ହୋଟେଲରେବି ତ ଖାଲି ସିଝା ଖାଦ୍ୟ ମିଳେ, ଜଣେ ସେଥିରେବି ଲହୁଣୀ ମିଶାଇ ଖାଇ ପାରିବ ।’’

 

ଶିଖ ଯୁବକଙ୍କ କଥାରେ ଆଶ୍ୱସ୍ତି ଅନୁଭବ କରି ମୁଁ ବିଚାରିଲି ‘ମାସୀ’ ଖ୍ରୀଷ୍ଟିଆନପାଦ୍ରୀ ହୋଇଥିବାରୁ ଆଦିବାସୀମାନେ ଗୋରୁମାଂସ ଖାଇବା ବାହାନାରେ ସେମାନଙ୍କୁ ଖ୍ରୀଷ୍ଟିଆନ କରୁଛନ୍ତି । ଆମେ ଗୋମାଂସ ଭୋଜୀ ହେବାର ଆମର ବିଶ୍ୱାସ ହୋଇଗଲେ ବୋଧହୁଏ ଆମକୁ ଧର୍ମାନ୍ତରୀକରଣ କରାଇପାରିବେ ବୋଲି ଭାବି ସେ ଏପରି କହୁଛନ୍ତି ।

 

ଶିଖ ଯୁବକ ବଡ଼ ଗପୁଡ଼ି ଲୋକ, ସେ ସେତିକିରେ ଥମି ନ ଯାଇ ପୁଣି କହିଲେ ‘‘ଆମର ବିଲାତରେ ଲୁଗା ସଫେଇ ଦୋକାନ ଅଛି । ମୁଁ ବରାବର ଭାରତରୁ ବିଲାତ ଯିବାଆସିବା କରେ । ସେ ଦେଶମାନଙ୍କରେ ଗୋମାଂସ ଖାଇବାକୁ କେହି ବାଧ୍ୟ କରନ୍ତି ନାହିଁ କି ଖାଇବାର ମଧ୍ୟ ପ୍ରୟୋଜନ ନାହିଁ ।

 

ବିଲାତ ଓ ଆମେରିକାରେ ଯଥେଷ୍ଟ ଉତ୍କୃଷ୍ଟ ଘୁଷୁରିମାଂସ ମିଳେ । ତୁମେମାନେ ସେଠାରେ ଖୁସିରେ ଉପାଦେୟ ଘୁଷୁରିମାଂସ ଖାଇପାରିବ ।’’

 

ଏ ସବୁ ଶୁଣି ନିରାମିଷାଶୀ ପଟେଲଙ୍କ ଅନ୍ତନାଡ଼ି ସବୁ ଓଲଟପାଲଟ ହୋଇ ତାଙ୍କୁ ବାନ୍ତି ଦେଖାଇବା ଆରମ୍ଭ ହେଲା । ସେଠାରୁ ଉଠି ପଳାଇବା ପାଇଁ ସେ ମୋ ଜଙ୍ଘକୁ ଚିମୁଟି ଚିମୁଟି ଦରଜ କରିଦେଲେ । ମାସୀ ଓ ଶିଖ ଯୁବକଙ୍କ ସୁସ୍ୱାଦୁ କଥୋପକଥନରେ ମୁଁ ଆଉ ନିଜକୁ ଆପ୍ୟାୟିତ ନ କରି ପଟେଲଙ୍କ ସଙ୍ଗେ ସେଠାରୁ ଉଠି ଚାଲିଗଲି ।

 

ବୈଠକଖାନାରେ ଏପଟ ସେପଟ ହେଲାବେଳେ ଆମର ଲାଜରାସ ଦମ୍ପତ୍ତିଙ୍କ ସଙ୍ଗେ ସାକ୍ଷାତ୍ ହେଲା । ସେ ମୋତେ ଦେଖୁଦେଖୁ, ଆପଣ କଟକର ଲୋକ ଜାଣି ଆପଣଙ୍କ ନାମ ଜାହାଜ ଯାତ୍ରୀ ତାଲିକାରୁ ଦେଖି ଆପଣଙ୍କୁ ଖୋଜୁଥିଲି ବୋଲି ଖଣ୍ଡିଆ ଖଣ୍ଡିଆ ତେଲୁଗୁମିଶା ଓଡ଼ିଆରେ ସମ୍ଭାଷଣ ଜଣାଇଲେ ଓ ତାଙ୍କ ସ୍ତ୍ରୀଙ୍କୁ ଚିହ୍ନାଇଦେଲେ ।

 

ତାଙ୍କ ନାମ ଆଇଜାକ୍ ଲାଜରାସ ଓ ସେ ଜଣେ ଭାରତୀୟ ପାଦ୍ରୀ ବୋଲି ନିଜର ପରିଚୟ ଦେଲେ । ବିଚରା ସତୁରି ଅଶୀବର୍ଷର ଶୀର୍ଣ୍ଣକାୟ ଶ୍ୟାମଳ ବର୍ଣ୍ଣର ତେଲଙ୍ଗା ବୃଦ୍ଧ । ତାଙ୍କର ସହଧର୍ମିଣୀ କିନ୍ତୁ ବିଲାତରେ ଜନ୍ମ, ଗୌରାଙ୍ଗ ରମଣୀ । ତାଙ୍କର ଗୋରା ଲୁତୁପୁତୁ ଚେହେରା । ବୟସ ସତୁରି ଆରପଟେ । ସେ ଦୁହିଁଙ୍କ ଅଭ୍ୟର୍ଥନା ଓ ଭଦ୍ର ବ୍ୟବହାରରେ ଆମେ ଖୁସିହୋଇ ଅଧିକା ଆଳାପପାଇଁ ସମସ୍ତେ ଯାଇ ଗୋଟିଏ ସୋଫାରେ ଏକାଠି ବସିଲୁ ।

 

ତାଙ୍କର ଏକମାତ୍ର କନ୍ୟା ବିଲାତରେ ରହି ଡାକ୍ତରୀ ପଢ଼ି ପାସ୍ କରିବା ପରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଥିବାରୁ, ତା’ର ବିବାହ ଉତ୍ସବରେ ଯୋଗଦାନ କରିବାକୁ ଲାଜରାସ ଦମ୍ପତ୍ତି ବିଲାତ ଯାଇଥିଲେ ।

 

ଲାଜରାସ ବାପ୍‍ଟିଷ୍ଟ ମିସନାରୀଭାବେ କଟକର ମିସନ୍ ପ୍ରେସ୍‍ରେ ଅନେକ ଦିନ ଧରି ମ୍ୟାନେଜର ଥିଲେ । ଓଡ଼ିଶାରେ ବିଶେଷତଃ କଟକର ବହୁତ ଲୋକଙ୍କୁ ଚିହ୍ନନ୍ତି । ମୋର କେତେକ ଆତ୍ମୀୟଲୋକଙ୍କ ସହିତ ମଧ୍ୟ ତାଙ୍କର ପରିଚୟ ଓ ବନ୍ଧୁତା ଥିଲା ।

 

ମୋର ପୂରା ପରିଚୟ ପାଇଲା ପରେ ସେ ଇଂରେଜଭାଷାକୁ ପୂରାପୂରି ଛାଡ଼ି ମୋ ସଙ୍ଗେ ତାଙ୍କ ଦକ୍ଷିଣୀ ଓଡ଼ିଆ ଭାଷାରେ କଥାବାର୍ତ୍ତା ଚଳାଇଲେ ।

 

ତାଙ୍କ ଓଡ଼ିଆ କଥା ଯେତେ ବଙ୍କାଟଙ୍କା ହେଲେ ମଧ୍ୟ ଓଡ଼ିଶାରୁ ଏତେ ଦୂରରେ ସେଥିରୁ ଦୁଇପଦ ଶୁଣି ଅମୃତ ପାଇଲାପରି ଲାଗିଲା ।

 

ତାଙ୍କର ସ୍ନେହଶୀଳ କଥାବାର୍ତ୍ତାରେ ମୁଁ ଅଭିଭୂତ ହେଲି । ମୋତେ ଲାଗିଲା, ମୁଁ ଯେପରି ହଠାତ୍ ମୋର ଜଣେ ସ୍ନେହୀ ଅଭିଭାବକଙ୍କୁ ସେଠାରେ ପାଇଲି । ସେଇଦିନଠାରୁ ଭଲ ପାଗଥିଲେ ପ୍ରାୟ ପ୍ରତ୍ୟେକ ଦିନ ମୋର କିଛି ସମୟ ତାଙ୍କ ସାନ୍ନିଧ୍ୟରେ ଦେଶ ବିଦେଶ ବିଷୟରେ କଥାବାର୍ତ୍ତା ହେବାରେ କଟେ ।

 

ଲାଜରାସଙ୍କ ସହଧର୍ମିଣୀ ମଧ୍ୟ ଅତି ସାଧାସିଧା ଲୋକ । ସେ ଭାରତରେ ବହୁକାଳ ରହି ପୂରା ଭାରତୀୟ ପାଲଟି ଯାଇଥାଆନ୍ତି । ସେ ଆମ ଆଡ଼ ବୁଢ଼ୀଙ୍କପରି ଆମ ସଙ୍ଗେ ଦୁଃଖସୁଖ କଥାବାର୍ତ୍ତା ଆରମ୍ଭ କରିଦେଲେ । ସେ ଆମ ଜମିବାଡ଼ି, ଘର, ବାପ, ମା, ପିଲାପିଲି ପ୍ରଭୃତିଙ୍କ କଥା ପଚାରି ବସିଲେ ।

 

ମୋତେ ଡାକ୍ତର ବୋଲି ଜାଣି ତାଙ୍କର ବାର୍ଦ୍ଧକ୍ୟଜନିତ ରୋଗମାନଙ୍କ ବିଷୟରେ ମଧ୍ୟ ପରାମର୍ଶ ନ କରି ଛାଡ଼ିଲେ ନାହିଁ ।

 

‘କାଇଦା’ର ହଟହଟା

 

ମଧ୍ୟାହ୍ନ ଭୋଜନ ବେଳ ହେବାରୁ ପଟେଲ ଆମକୁ ଅପେକ୍ଷା କରିବାକୁ କହି କ୍ୟାବିନ୍‍କୁ ଗଲେ । ସେଠାରେ ବେଶପୋଷାକ ବଦଳାଇ, ମଧ୍ୟାହ୍ନ ଭୋଜନ ବେଶ୍ ପରିପାଟୀରେ ସଜ୍ଜିତ ହୋଇ ଆମ ପାଖରେ ଆସି ପହଞ୍ଚିଲେ । ତାଙ୍କର ମଧ୍ୟାହ୍ନ ଭୋଜିପାଇଁ ପ୍ରସ୍ତୁତି ଦେଖି, ବିଲାତର ଚା’ଭୋଜି ଆଦବକାଇଦା ବା ଏଟିକେଟ୍ ସମ୍ପର୍କରେ ଗୋଟିଏ କଥା ମନେ ପଡ଼ି ମୋତେ ହସ ଲାଗିଲା ।

 

ଇଂଲଣ୍ଡର ରାଣୀ ପ୍ରଥମ ଏଲିଜାବେଥଙ୍କ ସମୟରେ ବିଲାତର ଇଷ୍ଟ ଇଣ୍ଡିଆ କମ୍ପାନୀ ପୂର୍ବ-ଭୂଖଣ୍ଡର ଭାରତ, ଚୀନ ପ୍ରଭୃତି ଦେଶ ସଙ୍ଗେ ବ୍ୟବସାୟ କରୁଥିଲେ । ସେ ଦେଶମାନଙ୍କରୁ ମସଲା, ଚା’ ପ୍ରଭୃତି ବିଲାତକୁ ଯାଉଥିଲା । ପୂର୍ବଦେଶର ରୀତିରେ ଗରମ ଗରମ ଚା’ ପକ୍‍ରେ ଧରି ପିଆଯାଉଥିଲା । ପ୍ଲେଟ୍‍ରେ ଚା’ ଚହଲି ପଡ଼େ, ତେଣୁ ତାକୁ ଅଇଁଠା ଓ ମଇଳା ମନେକରି କେହି ପ୍ଲେଟ୍‍ରେ ଚା’ ପିଉ ନଥିଲେ । ପ୍ଲେଟ୍‍ରେ ଚା’ ପିଇବା ଅଭଦ୍ରତା ବୋଲି ମନେ କରାଯାଉଥିଲା ।

 

ଫ୍ରାନ୍‍ସ ପ୍ରଭୃତି ଅନ୍ୟାନ୍ୟ ୟୁରୋପୀୟ ଦେଶମାନଙ୍କରେ ଚା’ ପିଇବା ପ୍ରସାର ଲାଭ କରି ନଥିଲା । ଦିନେ ରାଣୀ ଏଲିଜାବେଥଙ୍କ ରାଜସଭାରେ ଫ୍ରାନ୍‍ସର ଜଣେ ଉଚ୍ଚ ରାଜବଂଶୀୟଙ୍କୁ ଭୋଜିରେ ଅଭ୍ୟର୍ଥନା କରାଯାଉଥିଲା । ସେ ଭୋଜିରେ ରାଣୀଙ୍କ ପାର୍ଶ୍ୱରେ ବହୁ ସମ୍ଭ୍ରାନ୍ତ ମହିଳା ମଧ୍ୟ ଯୋଗ ଦେଇଥିଲେ ।

 

ଫରାସୀ ରାଜପୁରୁଷଙ୍କୁ ସୁନ୍ଦର କପ୍ ପ୍ଲେଟ୍‍ ଗରମ ଚା’ ବଢ଼ାଇ ଦେବାରେ ସେ ଗରମ ଚା’କୁ ପ୍ଲେଟ୍‍ଟିରେ ଢାଳି ଥଣ୍ଡାକରି ପିଇବାକୁ ଆରମ୍ଭ କଲେ । ଏ ଅଭଦ୍ରତା ଓ ବେକାଇଦା କାର୍ଯ୍ୟ ଦେଖିବାକ୍ଷଣି ସେଠାରେ ଥିବା ମହିଳାମାନେ ତାହା ସହ୍ୟ ନ କରି ପାରି ହଠାତ୍ ମୂର୍ଚ୍ଛିତ ହୋଇ ପଡ଼ିଲେ । ରାଣୀ ସେ କଥା ଦେଖି ସେ ଉଚ୍ଚବଂଶୀୟ ଫରାସୀ ରାଜ-ଅତିଥିଙ୍କୁ ଅପମାନ ହେବାଦ୍ୱାରା ସେ ଦୁଇ ବନ୍ଧୁ ଦେଶର ସମ୍ପର୍କ ତିକ୍ତ ହୋଇଯିବାର ସମ୍ଭାବନା ହୃଦୟଙ୍ଗମ କରି ସଙ୍ଗେ ସଙ୍ଗେ ନିଜ କପ୍‍ରୁ ପ୍ଲେଟ୍‍କୁ ଚା’ ଢାଳି ପିଇବାକୁ ଆରମ୍ଭ କରିଦେଲେ । ରାଣୀ ସେପରି ଚା’ ପାନ କରିବାରୁ, ସେଇଟା ‘ନୂଆ କାଇଦା’ ବୋଲି ଧରି ନେଇ ଭୋଜିସଭାର ମହିଳାମାନେ ସଙ୍ଗେ ସଙ୍ଗେ ପ୍ରକୃତିସ୍ଥ ହୋଇ ସ୍ୱାଭାବିକ ଅବସ୍ଥାକୁ ଫେରିଆସି ପ୍ଲେଟ୍‍ରେ ଢାଳି ଚା’ ପିଇ ଫରାସୀ ରାଜପୁରୁଷଙ୍କୁ ଅପମାନରୁ ରକ୍ଷା କଲେ । ସେଇଦିନଠାରୁ ସେପରି ପ୍ଲେଟ୍‍ରେ ଢାଳି ଚା’ ପିଇବାର ନାମ ହେଲା ‘‘ରାଣୀଙ୍କ ରୀତିରେ ଚା’ ପିଇବା’’ (କୁଇନ୍‍ସ ଉଏ ଅଫ୍ ଡ୍ରିଂକିଂ ଟି) ।

 

ପଟେଲ, ମୁଁ ଓ ବଙ୍ଗବାସୀ ଡାକ୍ତର ଘୋଷ ଭୋଜନାଗାରକୁ ଯାଇ ଗୋଟିଏ ଟେବୁଲ୍‍ରେ ଏକାଠି ବସିଲୁ । ଟେବୁଲ୍‍ଗୁଡ଼ିକର ସାଜସଜ୍ଜା ଅତି ସୁନ୍ଦର । ସବୁ ଟେବୁଲ୍‍ରେ ଚକଚକ ଧଳାକନାର ଟେବୁଲ୍ କ୍ଲଥ୍ ପଡ଼ିଛି । ଟେବୁଲ୍ ଉପରେ ପ୍ଲେଟ୍, ଚାମଚ, କଣ୍ଟା ଚାମଚ, ଛୁରି ଓ ଗିଲାସରେ ଭାଙ୍ଗପଡ଼ି ମୁହଁ ପୋଛିବାପାଇଁ ସଫା ଧଳା ରୁମାଲ ସବୁ ରହିଛି । ଟେବୁଲ୍ ମଝିରେ ସୁନ୍ଦର ସୁନ୍ଦର ଫୁଲରେ ସଜ୍ଜିତ ଫୁଲଦାନି ସବୁ ରଖାଯାଇଛି । କ’ଣ କ’ଣ ଖାଦ୍ୟ ଦିଆଯିବ, ତା’ର ଗୋଟିଏ ତାଲିକା ଥିବା ସୁନ୍ଦର କାର୍ଡ଼ ଖଣ୍ଡିଏ ଲେଖାଏଁ ମଧ୍ୟ ପ୍ରତ୍ୟେକ ଚଉକି ସାମନାରେ ଟେବୁଲ୍ ଉପରେ ଦିଆହୋଇଛି । ସେ ଖାଦ୍ୟ ସବୁରୁ ଯିଏ ଯାହା ଖାଇବ ତା’ଉପରେ ପେନ୍‍ସିଲ୍‍ରେ ଚିହ୍ନ ଦେଲେ ସେଇ ସବୁ ଖାଦ୍ୟ ବଢ଼ାଯାଏ ।

 

ମୁଁ ଟମାଟୋ ସୁପ୍, ମାଛ, କୁକୁଡ଼ା ମାଂସ ପ୍ରଭୃତିରେ ଚିହ୍ନ ଦେଲି । ପଟେଲ ତ ପିଆଜ ରସୁଣବି ଖାଆନ୍ତି ନାହିଁ; ସେ ସବୁ ପଢ଼ି ପଢ଼ି କେବଳ ଶସ୍ୟତିଆରି ‘ଯାଉ’ ଉପରେ ଗାର ମାରିଲେ-। ଘୋଷ କିନ୍ତୁ କିଛି ବାଛବିଚାର ନ କରି ଗୋରୁଲାଙ୍ଗୁଡ଼ ସୁପ୍ ଉପରେ ମଧ୍ୟ ଗାର ମାରିଦେଲେ ।

 

ଆମ ଚଉକି ପଛରେ ପଗଡ଼ି ବାନ୍ଧି ‘ବୟ’ଟିଏ ମାନ ଠିଆ ହୋଇଥାଆନ୍ତି । ଖାଦ୍ୟ ସଙ୍ଗରେ ଚଟକ ଭାବରେ ଖାଇବାକୁ ପ୍ଲେଟ୍‍ରେ ଖଣ୍ଡିଏ ଲେଖାଏଁ ପାଉଁରୁଟି ଖଣ୍ଡ, ଲହୁଣୀ ଓ ଜେଲି ଥୋଇଦେଇ କାର୍ଡ଼ଟି ମାନ ନେଇ କାର୍ଡ଼ ଅନୁସାରେ ଗୋଟିକ ପରେ ଗୋଟିଏ ଖାଦ୍ୟ ଯୋଗାଇ ଆମ ପଛରେ ଠିଆ ହୋଇ ଆମ ଖାଇବାକୁ ଲକ୍ଷ୍ୟ କରୁଥାଆନ୍ତି । ଗୋଟିଏ ଖାଦ୍ୟ ସରିଗଲେ ଅନ୍ୟଟି ଆଣି ଦେଇ ଯାଉଥାଆନ୍ତି ।

 

ମୋର ବାମପଟରେ ଘୋଷ ବସିଥିଲେ । ସେ ଗୋରୁଲାଙ୍ଗୁଡ଼ ସୁପ୍ ଖାଇବାରେ ଦେଖି ମୋତେ ବାନ୍ତି ଲାଗିଲା । ମୁଁ ଆଉ ସେପଟକୁ ନ ଚାହିଁ ଡାହାଣ ପଟ ପଟେଲଙ୍କ ଆଡ଼କୁ ଚାହିଁଲି । ବିଚରା ପଟେଲଙ୍କ ସାମନା ପ୍ଲେଟ୍ ଖାଲି । ସେ ପାଖ ପ୍ଲେଟ୍‍ରୁ ଚଟକ ପାଉଁରୁଟିଟି ଆଣି ଟିକିଏ ଟିକିଏ ଚୋବାଉ ଥାଆନ୍ତି । ଶେଷରେ ତାଙ୍କୁ ‘ଯାଉ’ ଦିଆଗଲା । ସେ ବିଲାତି କାଇଦାରେ ମୁଣ୍ଡ ନୁଆଁଇ ଚାମଚ ଧରି ଚାମଚେ ଯାଉ ଧରି ପାଟିକି ନେଲେ । ‘ଯାଉ’ ତୋଟିରେ ଲାଗି ହଠାତ୍ କାଶ ଉଠିଲା । ସେ ବିକଳରେ ଚାମଚଟା ପ୍ଲେଟ୍ ଉପରେ ରଖିଦେଇ ପାଣି ଗ୍ଲାସ୍‍ଟିଏ ପାଇଁ ହାତ ବଢ଼ାଇଲା ବେଳକୁ ପଛରେ ଠିଆ ହୋଇଥିବା ‘ବୟ’ଟି ସେ ପ୍ଲେଟ୍‍ଟି ଉଠାଇ ନେଇ ଚାଲିଗଲା । ପଟେଲ ‘ଏଟିକେଟ୍’ ବହି ଘୋଷିଥିଲେ ମଧ୍ୟ କାଶର ବିକଳ ଅବସ୍ଥା ଯୋଗୁଁ ଖିଆ ନ ସରିବା ପୂର୍ବରୁ ଚାମଚଟି ଯେଉଁ ସ୍ଥାନରେ ଯେପରି ରଖାଯାଏ ସେପରି ରଖି ନ ପାରି ଭୁଲ୍‍ରେ ଖିଆ ସରିଲେ ଚାମଚ ଯେପରି ରଖାଯାଏ ସେପରି ରଖି ଦେଇଥିଲେ । ଆମେ ଦୁହେଁ ଦୁହିଁଙ୍କ ମୁହଁକୁ ଚୁହାଁଚୁହିଁ ହେଲୁ । ପଟେଲଙ୍କ ସେ ଦୁରବସ୍ଥା ଦେଖି ମୁଁ ହସିବି କି କାନ୍ଦିବି ବୁଝି ପାରିଲି ନାହିଁ । ତାଙ୍କ ଖିଆ ସରିଗଲା, ସେ ବସି ରହିଲେ । ମୁଁ ତ ମଧ୍ୟାହ୍ନ ଭୋଜି ପୋଷାକ ପିନ୍ଧି ନଥିଲି, ତେଣୁ ମୁଁ ଏଟିକେଟ୍ ରକ୍ଷା କରୁଥିଲି କି ନାହିଁ ସେଥିପ୍ରତି ‘ବୟ’ଟି ବେଶୀ ଦୃଷ୍ଟି ନ ଦେଇ ମୋତେ ଠିକ୍ ସମୟରେ ଖାଦ୍ୟ ସବୁ ଯୋଗାଉଥିବାରୁ ମୁଁ ଭୂରିଭୋଜନ କରି ଉଠିଲି । ପଛରେ ଆମେ କିଛି ଫଳ ଯୋଗାଡ଼ କରିବାରୁ ସେତକ ଖାଇ ପଟେଲ ତାଙ୍କ କ୍ଷୁଧା ନିବାରଣ କଲେ ।

 

ମଧ୍ୟଭୂଖଣ୍ଡର ପୋତାଶ୍ରୟ ବା ବନ୍ଦର

 

ଜାହାଜରୁ ଦୂରରେ ସମୁଦ୍ର ବଗ (ଗଲ) ଉଡ଼ିବାର ଦେଖିଲେ କୌଣସି ବନ୍ଦର ନିକଟ ହେଲା ବୋଲି ଜଣାପଡ଼େ । ବନ୍ଦର ଓ ଜନବସତି ଦେଖିବାପାଇଁ ମନରେ ଆଗ୍ରହ ଆସେ । ବନ୍ଦରରେ ଜାହାଜ ଲାଗିଲେ ଅନେକ ଯାତ୍ରୀ ଜାହାଜରୁ ଓହ୍ଲାଇ ଯାଇ ମାଟିରେ ପାଦ ପକାଇ ଟିକିଏ ବୁଲି ଆସନ୍ତି ।

 

ଆମ ଜାହାଜଟି ଆରବ ଭୂଖଣ୍ଡର ଏଡ଼େନ ବନ୍ଦରରେ ପହଞ୍ଚିଲା । ବନ୍ଦର ବୁଲିଯିବାକୁ ସମସ୍ତେ ସଜବାଜ ହେଲେ । ଗୁଜୁରାଟର ଲୋକମାନେ ଆଫ୍ରିକା ଓ ମଧ୍ୟପ୍ରାଚ୍ୟର ଅନେକ ସ୍ଥାନରେ ବସବାସ କରି ବ୍ୟବସାୟ କରନ୍ତି । ପଟେଲ ଗୁଜୁରାଟୀ ବଂଶର ଲୋକ । ତାଙ୍କର ବହୁ ଚିହ୍ନା ଓ ବନ୍ଧୁବାନ୍ଧବ ଲୋକ ଏଡ଼େନ୍‍ରେ ଥାଆନ୍ତି । ସେମାନଙ୍କ ଭିତରୁ କେତେକ ଲୋକ ଗାଡ଼ି ଧରି ପଟେଲଙ୍କୁ ନେବାକୁ ଆସିଥିଲେ । ସେମାନେ ପଟେଲଙ୍କୁ ଓ ମୋତେ ତାଙ୍କ ଘରକୁ ନେଇ ରୁଟି, ମିଠା ପ୍ରଭୃତିରେ ଭୂରିଭୋଜନ କରାଇଲେ ।

 

ଏଡ଼େନ୍ ପେଟ୍ରୋଲ୍‍ର ଦେଶ । ମରୁଭୂମି ପରି ସ୍ଥାନ ହେଲେ ମଧ୍ୟ ସେ ସହରଟି ତେଲ ଓ ଅନ୍ୟ ବ୍ୟବସାୟର କେନ୍ଦ୍ରସ୍ଥଳୀ ହୋଇଥିବାରୁ ବଡ଼ ଲୋକାରଣ୍ୟ । ବଡ଼ବଡ଼ ପେଟ୍ରୋଲ୍ ନେଉଥିବା ପାଇପ୍, ତୈଳ ବିଶୋଧନାଗାର ସବୁ ବୁଲି ବୁଲି ଦେଖିଲୁ । ସହରର ରାସ୍ତାଗୁଡ଼ିକ ଅତି ପ୍ରଶସ୍ତ ଓ ପରିଷ୍କାର । ଆମେ ସହର ପରିକ୍ରମା କରିସାରି ଜାହାଜକୁ ଫେରିଲୁ ।

 

ଜାହାଜ ଲୋହିତସାଗରରେ ପଶିଲା । କିଛିଦିନ ପରେ ସୁଏଜ କେନାଲ ଭିତରେ ଚାଲିଲା । ସେ କେନାଲ ବେଶୀ ଓସାରିଆ ନୁହେଁ, ଦୁଇପଟର ସ୍ଥଳଭାଗ ଦିଶୁଥାଏ । କେନାଲ ଅତିକ୍ରମ ପାଇଁ ସଙ୍କେତ ପାଇଲେ ଗୋଟିଏ ମାତ୍ର ବଡ଼ ଜାହାଜ ତାହା ଅତିକ୍ରମ କରେ । ସୁଏଜ କେନାଲ ପାରିହେବା ପରେ ଆମେ ଭୂମଧ୍ୟସାଗରରେ ପଶିଲୁ । ଆଫ୍ରିକା କୂଳେ କୂଳେ ଜାହାଜ ଚାଲୁଥିବାରୁ ମଝିରେ ମଝିରେ ସ୍ଥଳଭୂମି, ସମୁଦ୍ର ବଗ, ନାନାପ୍ରକାର ମାଛ, ଛୋଟ ବଡ଼ ଜାହାଜ ସବୁ ଦେଖି ଦେଖି ସମୟ କଟିଲା ।

 

ଜାହାଜ ଭିତରେ ମଧ୍ୟ ନାନା ଉତ୍ସବ ଓ ଖେଳ ଚାଲିଥାଏ । ପ୍ରତିଦିନ ନୂଆ ନୂଆ ଲୋକଙ୍କ ସଙ୍ଗେ ପରିଚୟ ହେଉଥାଏ । ଜାହାଜ ରେଡ଼ିଓରୁ ସମ୍ୱାଦ ଓ ଘଣ୍ଟାକଣ୍ଟାକୁ ପଛେଇ ଦେବାପାଇଁ ନିର୍ଦ୍ଦେଶ ମିଳୁଥାଏ । ସୂର୍ଯ୍ୟ ପ୍ରଥମେ ପୂର୍ବରେ ଉଦୟ ହୋଇ ପଛରେ ପଶ୍ଚିମରେ ପହଞ୍ଚନ୍ତି । ପୂର୍ବରୁ ପଶ୍ଚିମକୁ ଯିବାକୁ ସୂର୍ଯ୍ୟଙ୍କୁ ବାରଘଣ୍ଟା ଲାଗେ । ଆମର ଭାରତରେ ରବିବାର ସକାଳ ହେଲା ବେଳକୁ ବିଲାତ ପ୍ରଭୃତି ପଶ୍ଚିମ ଦେଶରେ ଶନିବାର ରାତି ହୋଇଥାଏ । ତେଣୁ ଜାହାଜଟି ଗୋଟିଏ ଦ୍ରାଘିମାର ଦୂରତା ଡେଇଁଗଲେ ଆମ ସମୟ ଅଧଘଣ୍ଟା ପଛାଇଯାଏ ।

 

ସୁଏଜ କେନାଲ ପାରିହୋଇ ପୋର୍ଟସେଡ଼ ବନ୍ଦରରେ ପହଞ୍ଚିଲୁ । ଜାହାଜ ରହିବା ସଙ୍ଗେ ସଙ୍ଗେ ତା’ର ଚାରିପଟେ ଛୋଟ ଛୋଟ ଡଙ୍ଗାମାନଙ୍କରେ ନାନା ପଣ୍ୟଦ୍ରବ୍ୟ ବୋଝାଇ କରି ବେପାରୀମାନେ ଜାହାଜଟିକୁ ବେଢ଼ିଗଲେ । ମୂଲଚାଲ ଜୋରରେ ଚାଲିଲା । ବେପାରୀମାନେ ବଡ଼ପାଟିରେ ଜିନିଷର ଦାମ ସବୁ ବହୁ ଦେଶର ମୁଦ୍ରା ମାଧ୍ୟମରେ ଘୋଷଣା କରୁଥାନ୍ତି–ଯଥା : ପାଞ୍ଚ ସାତ ଟଙ୍କା ଜିନିଷଟିଏ ହାତରେ ଧରି ବିଭିନ୍ନ ମୁଦ୍ରାରେ, ଯଥା : ସାତ ଟଙ୍କା ଏକ ଡଲାର, ପାଞ୍ଚ ସିଲିଙ୍ଗ ଓ ସେଇ ମୂଲ୍ୟର, ଏନ ଫ୍ରାଙ୍କ ପ୍ରଭୃତି ଦର ଡାକୁଥାଆନ୍ତି । ଜାହାଜର ଡେକ୍ ପାଣିର ବହୁତ ଉପରେ ଥାଏ । ତେଣୁ ଜାହାଜ ଡେକ୍‍ରେ ଥିବା ଲୋକର କୌଣସି ଜିନିଷ ମନୋନୀତ ହୋଇ ଦର ଛିଡ଼ିଲେ ତଳ ଡଙ୍ଗାରୁ ବେପାରୀଟି ଦଉଡ଼ିଟିଏ ଡେକ୍ ଉପରକୁ ପିଙ୍ଗିଦିଏ । ଡେକ୍ ଉପରବାଲା ଦଉଡ଼ିଟି ଧରିନେଲେ ବେପାରୀ ଦଉଡ଼ିଟିର ଆରମୁଣ୍ଡରେ ଟୋକେଇଟିଏ ବାନ୍ଧି ସେଥିରେ ଜିନିଷଟି ରଖିଦିଏ । ଉପର ଗ୍ରାହକ ଦଉଡ଼ି ଭିଡ଼ି ଟୋକେଇଟି ଉପରକୁ ନେଇ ସେଥିରୁ ଜିନିଷ ନେଇ ସେଇ ଟୋକେଇରେ ଦାମ୍ ଟଙ୍କା ଦେଇ ତାକୁ ପୁଣି ତଳକୁ ପଠାଇ ଦିଏ ।

 

ଏ ମୂଲେଇ-ଠକେଇ କଥା ଆମେ ପିଲାଦିନୁ ଅଙ୍ଗେ ଲିଭେଇ ଥାଇଁ । କିନ୍ତୁ ପୂର୍ବ-ଭୂଖଣ୍ଡରେ ଚଳି ନ ଥିବା ଗୋରା ଲୋକମାନେ ଏପରି ମୂଲଚାଲ ସହିତ ପରିଚିତ ନୁହନ୍ତି । ବିଲାତ, ଆମେରିକା, ଅଷ୍ଟ୍ରେଲିଆ ପ୍ରଭୃତି ଦେଶରେ ମୂଲଚାଲ ପ୍ରଥା ନାହିଁ । ଜିନିଷମାନଙ୍କର ଦାମ ଆଗରୁ ଠିକ୍ କରାଯାଇଥାଏ । ଲୋକେ କିଣିଲାବେଳେ କିଛି କମ୍ ବେଶୀ ହୋଇପାରେ ନାହିଁ । ସେ ଲୋକଙ୍କର ଠକେଇ ଅନୁଭୂତି ନ ଥାଏ ।

 

ମୂଲଚାଲରେ ସମ୍ପୂର୍ଣ୍ଣ ଅନଭ୍ୟସ୍ତ ଗୋଟିଏ ଗୌରାଙ୍ଗ ଦମ୍ପତି ଜାହାଜର ଡେକ୍ ଉପରେ ଠିଆ ହୋଇ ବିକ୍ରି ଖର୍ଦ୍ଦି ଦେଖୁଥିଲେ । ଭଦ୍ରମହିଳା ଜଣକ ତଳଡଙ୍ଗାରେ ଥିବା ଗୋଟିଏ ଜିନିଷ ପସନ୍ଦ କରି ଅଙ୍ଗୁଳି ନିର୍ଦ୍ଦେଶ କଲେ । ବେପାରୀଟି ସେ ପଦାର୍ଥର ଦାମ୍ ଏକ ପାଉଣ୍ଡ ବା ୨୦ ସିଲିଂ ବୋଲି କହିଲା । ସେମାନେ କିଛିକ୍ଷଣ ନୀରବ ରହିବାରୁ ତା’ର ଦାମ ପାଞ୍ଚ ସିଲିଂ କମାଇ ପନ୍ଦର ସିଲିଂ ବୋଲି ଡାକିଲା । ‘ବଡ଼ ଶସ୍ତାରେ ଦେଇ ଦେଉଛି, ନିଅ ନିଅ’ ବୋଲି ପାଟି କଲା । ତଥାପି ପୁରୁଷଟି ଚୁପ୍ ହୋଇ ରହିବାରୁ ତା’ ମୁହଁକୁ ଚାହିଁ ସ୍ତ୍ରୀ ମଧ୍ୟ ଚୁପ୍ ରହିଲେ । ବେପାରୀ ତା’ର ଡାକ ବାର ସିଲିଂକୁ ଆଣିଲା । ୨୦ ସିଲିଂରୁ ୧୨ ସିଲିଂକୁ ଆସିବାରେ ଭଦ୍ରମହିଳା ଆଉ ସ୍ଥିର ହୋଇ ରହି ନ ପାରି ଚଞ୍ଚଳ ହୋଇ ଉଠିଲେ । ସ୍ୱାମୀଙ୍କୁ କହିଲେ, କ’ଣ କାଠଟା ପରି ଠିଆ ହୋଇ ରହିଛ ! ଏଡ଼େ ଶସ୍ତା ଜିନିଷ ଛାଡ଼ି ଦେଉଛ ? ଦେଖ, ମୁଁ ଆହୁରି କମାଇକରି କିଣିବି । ତୁମ ହାତରେ ଖଡ଼ା ସିଝିବ ନାହିଁ । ସେ ମୋତେ ଦେଖି କେବଳ ଏତେ ଦାମୀ ଜିନିଷଟାକୁ ଏତେ ଶସ୍ତାରେ ଉପହାର ପରି ଦେବାକୁ ବସିଛି । କ’ଣ କିଣିବା କି ନାହିଁ ?’’ ଏପରି ପ୍ରଶ୍ନ କରିବାରେ ‘ହଉ କିଣ’ କହି ଭଦ୍ରଲୋକ ମୁଣ୍ଡ ହଲାଇଲେ । ସଙ୍ଗେ ସଙ୍ଗେ ଭଦ୍ରମହିଳା ‘‘ଦଶ ସିଲିଂ ହେଲେ ନେବି’’ ବୋଲି କହିବାରୁ, ବେପାରୀଟି ବଡ଼ ଅନିଚ୍ଛାସତ୍ତ୍ୱେ, କ୍ଷତିରେ ଦେଲାପରି ମୁହଁକରି, ‘‘ହଉ, ନିଅ’’ ବୋଲି କହି ଜିନିଷଟି ପଠାଇଲା ।

 

ସେ ଜିନିଷଟିକୁ ନିଜେ ମୂଲେଇ ବଡ଼ ଶସ୍ତାରେ କିଣି ପାରିଲେ ବୋଲି ମନେମନେ ଗର୍ବ କରି ଅତି ଖୁସିରେ ନିଜ କ୍ୟାବିନ୍‍କୁ ଗଲେ । ସେ କ୍ୟାବିନ୍‍ର ଆଉଜଣେ ଭଦ୍ରଲୋକ ଠିକ୍ ସେଇପରି ଗୋଟିଏ ଜିନିଷ ଜାହାଜ ଆରପଟେ ଥିବା ଆଉ ଗୋଟିଏ ଡଙ୍ଗାକୁ ଆଠ ସିଲିଂରେ କିଣି ସେଠାରେ ଆସି ପହଞ୍ଚିଲେ । ଜିନିଷଟି ଦେଖି ତା’ର ଦାମ ଶୁଣିବା ସଙ୍ଗେ ସଙ୍ଗେ ଭଦ୍ରମହିଳାଙ୍କ ଆତ୍ମଗ୍ଳାନିରେ ମୁଖ ବିବର୍ଣ୍ଣ ହୋଇଗଲା । ସେ କାନ୍ଦି ପକାଇଲେ ଓ ତାଙ୍କର ଅପମାନ ପାଇଁ ସ୍ୱାମୀଙ୍କୁ ସମ୍ପୂର୍ଣ୍ଣରୂପେ ଦାୟୀ ବୋଲି ଧରିନେଇ ସେ କାହିଁକି ସେ ଜିନିଷ କିଣିବାକୁ ହଁ କରି ତାଙ୍କୁ ଠକାଇରେ ପକାଇଲେ ବୋଲି କହି, ସ୍ୱାମୀଙ୍କୁ ଗାଳିଗୁଲଜ ଦେବାକୁ ଆରମ୍ଭ କଲେ । ସ୍ୱାମୀଙ୍କର ଅପଦାର୍ଥତା ଓ ଅଯୋଗ୍ୟତା କ୍ୟାବିନ୍‍ବାସୀଙ୍କ ଆଗରେ ପ୍ରମାଣ କରାଇଲେ । ଭଦ୍ରଲୋକ ଆଉ କ’ଣ କହିବେ, ଗୁଁଗାଁ ହୋଇ ସବୁ ଶୁଣି ନୀରବ ରହିଲେ । ଦୁହିଁଙ୍କ ଭିତରେ କିଛି ସମୟ ପର୍ଯ୍ୟନ୍ତ ମୁହଁ ଫୁଲାଫୁଲି ଚାଲିଲା ।

 

‘ପୋର୍ଟସେଡ଼୍’ ସହରଟିର ରାସ୍ତା ପରିଷ୍କାର ଓ ସୁନ୍ଦର । ବଡ଼ବଡ଼ କୋଠା । ହୃଷ୍ଟପୁଷ୍ଟ ଆରବ ମିଶରୀୟମାନେ ଚାରିଆଡ଼େ ବୁଲୁଥାଆନ୍ତି । ଭିକାରି ଗୋଟିଏ ହେଲେ ବଜାର ଦାଣ୍ଡରେ ଦିଶୁ ନ ଥାନ୍ତି । ଦୋକାନୀମାନେ ଇଂରେଜୀ ଭାଷା ଜାଣିଥିବାରୁ ଜିନିଷ କିଣିବା ଓ ରାସ୍ତା ପଚାରି ବୁଝିବାରେ ବିଶେଷ ଅସୁବିଧା ହେଉ ନ ଥାଏ । ମୂଲଚାଲର କରାମତି କଥା ଆଗରୁ କହିଛି । ଯେ କୌଣସି ଜିନିଷ କିଣିବାକୁ ଗଲେ ଠକି ଯିବାର ବହୁତ ସମ୍ଭାବନା । ଧାର ଆଣିଥିବା ଟଙ୍କାରୁ ଟିକଟ ଖର୍ଚ୍ଚ ଯାଇ ଅଳ୍ପ କିଛି ଟଙ୍କା ମୋ ପାଖରେ ଥାଏ । ଖାଇବା ତ ଜାହାଜରୁ ମିଳେ, କେବଳ ଜାହାଜ ବଦଳାଇବା ବେଳର ଖର୍ଚ୍ଚ ଚଳିଗଲେ ହେଲା–ଏପରି ବିଚାରି ମୁଁ ସେଠାରୁ ହଳେ ଜୋତା, ମୋଜା ଓ ଖଣ୍ଡିଏ ସାର୍ଟ୍, ଗୋଟିଏ ଟାଇ କିଣିଲି ।

 

ବମ୍ୱେ ଛାଡ଼ିବାର ପ୍ରାୟ ଚଉଦ ଦିନ ପରେ ଦିନ ନଅଟାରେ ଜାହାଜ ଆଫ୍ରିକାର ଆଲଜିଅରସ ବନ୍ଦରରେ ପହଞ୍ଚିଲା । ଏହା ପାହାଡ଼ିଆ ସ୍ଥାନ ହୋଇଥିବାରୁ ବଜାରଗୁଡ଼ିକ ଉଚ୍ଚନୀଚ ହୋଇ ଧାଡ଼ି ଧାଡ଼ି କରି ସଜ୍ଜା ହେଲା ପରି ଦିଶୁଥାଏ । ସହରର ରାସ୍ତାସବୁ ପ୍ରଶସ୍ତ, କୋଠାସବୁ ଉଚ୍ଚ ଓ ରାସ୍ତାରେ ବସ୍, ଟ୍ରାମ୍ ସବୁ ଚାଲିଥାଏ । ଏଠି ଫରାସୀ ସଭ୍ୟତାର ଛାପ ବେଶୀ । ଦୋକାନଗୁଡ଼ିକ ବଡ଼ବଡ଼ । ସବୁ ଜିନିଷ ଏଡ଼େନ୍ ତୁଳନାରେ ମହର୍ଗ କିନ୍ତୁ ମଦ ଓ ଅତର ଶସ୍ତା ।

 

ଅନେକ ଦୋକାନରେ ଫରାସୀ ଝିଅ ସବୁ କାରବାର କରୁଥାଆନ୍ତି । ସେମାନେ ସୁନ୍ଦର ହେଲେ ମଧ୍ୟ ତାଙ୍କ ବେଶପୋଷାକରୁ ଶ୍ରୀହୀନ ଗରିବପରି ଜଣା ପଡ଼ୁଥାଆନ୍ତି । ବଜାରରେ ବହୁତ ଖାଇବା ଦୋକାନ ଓ ପୋଷାକପତ୍ରର ଦୋକାନ । ଦାଣ୍ଡରେ ଘାଟରେ ଛୋଟ ଛୋଟପିଲାମାନେ ବୁଲି ବୁଲି ଆଲଜେରିଅସର ଦର୍ଶନୀୟ ସ୍ଥାନର ଫଟୋ ବିକିବା ବାହାନାରେ ତା’ ସଙ୍ଗେ ଲୁଚାଇ ଅଶ୍ଳୀଳ ଯୌନ ଚିତ୍ରସବୁ ବିକ୍ରି କରୁଥାଆନ୍ତି । ବେଶ୍ୟାବୃତ୍ତି କରୁଥିବା ମହିଳାମାନଙ୍କର ଏଜେଣ୍ଟରୂପେ କାର୍ଯ୍ୟ କରନ୍ତି । ଫରାସୀ ଲୋକମାନେ ବଡ଼ ମଉଜି ଓ ଭଦ୍ର କିନ୍ତୁ ସ୍ଥାନୀୟ ଆରବ ଓ ମିଶରୀୟମାନେ ବଡ଼ କ୍ରୂର । ସେମାନଙ୍କ ଭିତରୁ ଅଧିକାଂଶ ଠକାଠକି ଓ କଳାବଜାର କରନ୍ତି ।

 

ଯେତେ ଯେତେ ପଶ୍ଚିମକୁ ଜାହାଜ ଚାଲିଲା, ସେତିକି ସେତିକି ଥଣ୍ଡା କାହୁଁ ମାଡ଼ି ଆସିଲା । ଆମେ ସ୍ପେନ୍ ରାଜ୍ୟର ନିକଟବର୍ତ୍ତୀ ହେବାରୁ ସ୍ପେନ୍‍ର ବରଫାବୃତ ପାହାଡ଼ ସବୁ ଦୃଷ୍ଟିଗୋଚର ହେଲା । ପରେ ପରେ ଜାହାଜଟି ଜିବ୍ରାଲେଟର କେନାଲରେ ପଶିଲା । ଏହା ନଅମାଇଲ ଲମ୍ୱର ଏକ ଅଣଓସାରିଆ ଜଳଭାଗଭାବେ ଆଫ୍ରିକାକୁ ୟୁରୋପଠାରୁ ପୃଥକ୍ କରି ରଖିଛି ।

 

ଜାହାଜଯାତ୍ରାର ବ୍ୟାଧି

 

ଜାହାଜ ଟଳମଳ ହୋଇ ଚାଲୁଥିବାରୁ ଅନେକ ଯାତ୍ରୀଙ୍କର ମୂଳରୁ ମୁଣ୍ଡ ବୁଲାଇବା ଓ ବାନ୍ତି କରିବା ପ୍ରଭୃତି ଆରମ୍ଭ ହୋଇଯାଏ କିନ୍ତୁ ଜାହାଜହଲା ଅଭ୍ୟାସରେ ପଡ଼ିଗଲେ ଆଉ କିଛି ହୁଏ ନାହିଁ । ଆମ ଜାହାଜରେ ସମସ୍ତେ ପ୍ରାୟ ସୁସ୍ଥ ଥିଲେ ।

 

ଭୂମଧ୍ୟସାଗର ଛାଡ଼ି ଯେତେବେଳେ ଆମେ ବିଷ୍କେ ଉପସାଗରରେ ପହଞ୍ଚିଲୁ, ଆମକୁ ଭୂମଧ୍ୟସାଗରୀୟ ସ୍ୱର୍ଗ ଛାଡ଼ି ଘନ ଅନ୍ଧକାରମୟ ପାତାଳପୁରୀରେ ପଶିଲା ପରି ଲାଗିଲା । ଥଣ୍ଡାର ପରିମାଣ ବଢ଼ିଲା, ଅନ୍ଧାର ଘୋଟି ଆସିଲା, ଝଡ଼ତୋଫାନ କାହିଁ ମାଡ଼ିଆସି ଜାହାଜଟି ଫୁଟବଲ ପରି ପାଣି ଉପରେ ଡେଇଁଲା । ସମୁଦ୍ର ଭୀଷଣ ଆକାର ଧାରଣ କରି ପାହାଡ଼ ଉଚ୍ଚର ଢେଉ ସବୁ ଆସି ଜାହାଜ ଦେହରେ ପିଟିଦେଲା ।

 

ଆମେ ଆଉ ନିଜ ନିଜ କ୍ୟାବିନ୍‍ରୁ ବାହାରି ପାରିଲୁ ନାହିଁ । କତରା କାମୁଡ଼ି ପଡ଼ି ରହିଲା ପରି ଯେଝା ଶେଯରେ ଯିଏ ପଡ଼ି ରହିଲେ, ଆମ କ୍ୟାବିନ୍ ଡେକ୍ ତଳେ ଓ ଠିକ୍ ପାଣି ଉପରକୁ ଥିବାରୁ ଆମେ ତା’ର ଏକମାତ୍ର ଝରକା ଭଲକରି ବନ୍ଦ କରିଦେଲୁ । ବହିପତ୍ର ସବୁ ଦୁଲଦାଲ ହୋଇ ଉପର ଥାକରୁ ତଳେ ପଡ଼ୁଥାଏ, ଘରର ବାକ୍‍ସ ପତ୍ର ସବୁ ଏଆଡ଼େ ସେଆଡ଼େ ଦଉଡ଼ା ମାରୁଥାଆନ୍ତି, ମୁଁ ମୋର ଉପର ବର୍ଥ ଖଟରେ ଖଟବାଡ଼କୁ ଜାବୁଡ଼ି ଧରି ଶୋଇଥାଏ । ମୋତେ ସବୁବେଳେ ତଳକୁ ଗଡ଼ି ପଡ଼ିଲା ପରି ଲାଗୁଥାଏ । ଖାଇବାପାଇଁ କିଛି ଫଳ, ବିସ୍କୁଟ୍, କେକ୍ ଓ ଔଷଧ କ୍ୟାବିନ୍ ବଏ ଆଣି ଦେଇଯାଉଥାଏ ।

 

ପରଦିନବି ଜାହାଜ ହଲୁଥାଏ, ମୁଁ ସାହସ କରି କାନ୍ଥବାଡ଼ ଧରି ଧରି ଖାଇବାବେଳେ ଭୋଜନାଗାରକୁ ଯିବାକୁ ବାହାରିଲି । ଚଉକି, ଟେବୁଲ୍, ପ୍ଲେଟ୍, ଗ୍ଲାସ୍ ପ୍ରଭୃତିଙ୍କ ଯୁଦ୍ଧକାଳୀନ ଅବସ୍ଥା । ଅଧିକାଂଶ ଲୋକ ‘ସି ସିକନେସ’ ବା ସମୁଦ୍ର ବ୍ୟାଧିରେ ଆକ୍ରାନ୍ତ । ଯେଉଁଆଡ଼େ ଯିବ ଅ’ ଅ’ ଶବ୍ଦ ଶୁଭୁଛି । ଚାରିଆଡ଼େ ଲୋକେ ବାନ୍ତି କରିବାରେ ଲାଗିଛନ୍ତି । ସମସ୍ତେ ଯେଝା ଯେଝା କୋଠରୀର ଖଟିଆଗୁଡ଼ିକ ଉପରେ ପଡ଼ି ରହିଛନ୍ତି । ମୁଁ ଏସବୁ ଦେଖି କାହାକୁ ସାଥୀ ନ ପାଇ ମୁଁ ମୋ କୋଠରୀକୁ ଫେରିଆସିଲି ।

 

ଦୁଇଦିନ ପରେ ଝଡ଼ ବନ୍ଦ ହେଲା ଆକାଶ ଟିକିଏ ସଫା ଦେଖାଗଲା, ସୂର୍ଯ୍ୟକିରଣ ଲୁଚି ଲୁଚି ଜାହାଜ ଉପରେ ଉଙ୍କି ମାରିଲା । ବ୍ରିଟିଶ ଦ୍ୱୀପପୁଞ୍ଜର ବ୍ରିଘଟନ ବନ୍ଦରରେ କିଛି ସମୟ ରହଣି ପରେ ଜାହାଜଟି କୂଳେ କୂଳେ ଲଣ୍ଡନ ଅଭିମୁଖେ ଯାତ୍ରା କଲା ।

 

ଡେକ୍ ଉପରେ ପୁଣି ସମସ୍ତଙ୍କ ସଙ୍ଗେ ଦେଖାହେଲା । ଝଡ଼ ବେଳର କେତେଲୋକ କେତେ ଦୁଃଖ କାହାଣୀ ବର୍ଣ୍ଣନା କଲେ । ସମସ୍ତଙ୍କ ଏକମାତ୍ର ଚିନ୍ତା, କିପରି ଜାହାଜରୁ ଓହ୍ଲାଇ ଶୀଘ୍ର ଯାଇ ଲଣ୍ଡନରେ ପହଞ୍ଚି ନିଃଶ୍ୱାସ ମାରିବେ । କିଏ ପିଲାକୁ ଡାକ୍ତର ପାଖକୁ ନେଇ ଦେଖାଇବ, କିଏ ଶୀଘ୍ର ଯାଇ ଚାକିରି ବା ବ୍ୟବସାୟ କଥା ବୁଝିବ ବା ମୋ’ପରି ଜାହାଜ ବଦଳାଇ ପୁଣି ଅନ୍ୟ ସ୍ଥାନକୁ ଯିବାପାଇଁ କିଛିଦିନ ହେଲେ ଲଣ୍ଡନରେ ବିଶ୍ରାମ କରିବ ।

 

କିଛି ସମୟ ପରେ ଲାଜରାସ ସାହେବଙ୍କ ସଙ୍ଗେ ଦେଖା ହେଲା । ମୁଁ ମନେମନେ ତାଙ୍କୁ ଖୋଜୁଥିଲି । ବିଲାତ ବିଷୟରେ ପଚାରିବାର ଅନେକ କଥା ଥିଲା । ରହିବା ସ୍ଥାନ, ରାସ୍ତାଘାଟ, ଦରଦାମ ପ୍ରଭୃତି କିଛି ପଚାରି ପାରି ନଥିଲି । ହୋଟେଲ ଖର୍ଚ୍ଚସାପେକ୍ଷ ବୋଲି ଶୁଣିଥିବାରୁ ଜାହାଜରୁ ଭାରତୀୟ ହାଇକମିଶନର ଅଫିସ୍‍କୁ ମୋପାଇଁ କୌଣସି ସ୍ଥାନରେ ପଇସାଦିଆ ଅତିଥି ହେବାପାଇଁ ଯୋଗାଡ଼ କରିବାକୁ ଲେଖିଥିଲି । ଭାରତୀୟ ଛାତ୍ରମାନେ ସାଧାରଣତଃ ବୁଢ଼ାବୁଢ଼ୀଙ୍କ ଘରେ ଅଳ୍ପ ପଇସା ଦେଇ ଅତିଥି ହୋଇ ରହନ୍ତି । ସେମାନେ ବେଶିଦିନ ରହିଥିବାରୁ ସେପରି ସ୍ଥାନ ଖୋଜି ବାହାର କରିବା ବା ସେଠାରେ ରହିବା କିଛି ଅସୁବିଧା ହୁଏ ନାହିଁ । ମୋ ଭଳିଆ ପାଞ୍ଚ ସାତ ଦିନିଆ ଅତିଥିପାଇଁ ହଠାତ୍ ଯାଉ ଯାଉ ସେପରି ସ୍ଥାନଟିଏ କେଉଁଠୁଁ ମିଳିବ, କିଏ ଅବା ଯୋଗାଡ଼ କରିଦେବ ? ଭାରତୀୟ ସରକାରୀ ଅଫିସ୍ ଆଗରୁ ଖବର ପାଇଲେ ଠିକ୍ କରିଦିଏ ବୋଲି ମୁଁ ଶୁଣିଥିଲି, କିନ୍ତୁ ସରକାରୀ ଲୋକଙ୍କ ଉପରେ ମୋର ବିଶ୍ୱାସ ନଥିଲା । ଲାଜରାସ ସାହେବ ମୋତେ ସେ ବିଷୟରେ କିଛି ସାହାଯ୍ୟ କରି ପାରନ୍ତି ବୋଲି ଭାବିଥିଲି ।

 

ଲାଜରାସ ମୋତେ ଦେଖିବାକ୍ଷଣି ଝଡ଼ ବେଳର ତାଙ୍କ ଦୟନୀୟ ଅବସ୍ଥା ବର୍ଣ୍ଣନା କଲେ-। ବୁଢ଼ୀକୁ ଉପର ଥାକରେ ଶୁଆଇ ନିଜେ ତଳସିଟ୍‍ରେ ଶୋଇଥିଲେ । ଝଡ଼ବେଳେ ଜାହାଜ ହଲିବାରୁ ବୁଢ଼ୀ ତଳକୁ ଖସି ପଡ଼ି ହାତଟିଏ ଭାଙ୍ଗିଗଲା । ସେଇ ବତାସରେ ଦରାଣ୍ଡି ହୋଇ ବୁଢ଼ା ଖବର ଦେଇ ଜାହାଜ ଡାକ୍ତରକୁ ଡକାଇଲେ । ବୁଢ଼ୀଙ୍କ ହାତ ପ୍ଲାଷ୍ଟର୍ ହେଲା । ଲାଜରାସ ତାଙ୍କ ଓଡ଼ିଆରେ ମୋତେ କହିଲେ ‘‘କି ଗ୍ରାହାଚାର ଡାକ୍ତରବାବୁ, ବୋଟ ହଲିଲା, ବୋଇତାଳୁପରି ବୁଡ଼୍ଢ଼ୀ ତଳକୁ ଗଡ଼୍ଡ଼ି ପଢ଼୍ଡ଼ିଲା, ହାତ ଭାଙ୍ଗିଗୋଲା, ‘‘ମୁଁ ସମବେଦନା ଜଣାଇ ବୁଢ଼ୀକୁ ଦେଖି ଫେରିଲି, ତାଙ୍କୁ ମୋ କଥା କିଛି ପଚାରି ପାରିଲି ନାହିଁ ।

Image

 

ଗୋରା ରାଇଜ

ପୂର୍ବତନ ରାଜଭୂମି

 

ଭାରତର ଇଂରେଜ ଶାସନ ଅମଳରେ ବିଲାତ ଥିଲା ଆମ ରାଜଭୂମି । ଆମକୁ ଅସଭ୍ୟ କହି, ଗୋରାମାନେ ଆମ ଲୋକଙ୍କୁ ତାଙ୍କ ଶାସନ ଚଳିବାପାଇଁ ଏକପ୍ରକାର ଗୋଲାମ ସଭ୍ୟତାର ତାଲିମ କରୁଥିଲେ । ଉଚ୍ଚଶିକ୍ଷା ପାଇଁ ସମସ୍ତେ ଭାରତରୁ ବିଲାତ ଆଡ଼କୁ ଚାହୁଁଥିଲେ । ଲଣ୍ଡନର ଥେମସ ନଦୀରେ ଥରେ ମୁହଁ ଧୋଇ ଫେରିଲେ ଭାରତୀୟଙ୍କ ରାଜମର୍ଯ୍ୟାଦା ବଢ଼ି ଯାଉଥିଲା, ବିଲାତରୁ ବି.ଏ. ପାସ୍‍ କରି ଆସିଲେ ଭାରତରୁ ଏମ୍.ଏ. ପାସ୍‍ କରିଥିବା ଲୋକଙ୍କ ଉପରେ ବଡ଼ବଡ଼ ଚାକିରିମାନ ମିଳୁଥିଲା ।

 

ବିଲାତ ଫେରନ୍ତାମାନେ ନିଜକୁ ବହୁତ ଉଚ୍ଚ ମନେ କରୁଥିଲେ । ବିଲାତି ଠାଣିରେ ଚଳୁଥିଲେ । ନିଜ ଲୋକେ ଓ ଦେଶୀ ଭାଇମାନେ ତାଙ୍କୁ ଛୋଟ ଦିଶୁଥିଲେ । ସେମାନେ ସୁରାପାନ ଓ ବିଦେଶୀ ନାଚ ଶିଖି ଆସିଥିବାରୁ ଦେଶୀ ଲୋକଙ୍କ ସଙ୍ଗେ ନ ମିଶି ସାହେବଙ୍କ ଭଳି କ୍ଲବ୍ ଗଢ଼ି ସାହେବୀ ରୀତିରେ କାଳଯାପନ କରିବାକୁ ଶ୍ରେୟସ୍କର ମନେ କରୁଥିଲେ । ସେମାନେ ସାହେବମାନଙ୍କୁ ଅନୁସରଣ କରି ଇଂରେଜ ସରକାରଙ୍କ ବିଶ୍ୱସ୍ତ ଭୃତ୍ୟ ଓ ହାତବାରିସିରେ ପରିଣତ ହୋଇ ଯାଉଥିଲେ । ଅବଶ୍ୟ ଗାନ୍ଧୀ, ନେହେରୁ, ସୁଭାଷଙ୍କ ପରି ଜାତୀୟବାଦୀମାନେ ସେଠାରୁ ଜାତୀୟବାଦ ଓ ଗଣତନ୍ତ୍ର ପରମ୍ପରାର ଝଲକ ଗ୍ରହଣ କରି ଫେରି ଆସିଥିଲେ ।

 

ସକାଳ ସାଢ଼େ ଆଠଟାବେଳେ ଆମ ଜାହାଜ ଲଣ୍ଡନର ପୋତାଶ୍ରୟ ଟିଲବରୀ ବନ୍ଦରରେ ଲାଗିଲା । ଆମେ ଆମର ପାସ୍‍ପୋଟ୍‍ ଓ ଜିନିଷପତ୍ର ଯାଞ୍ଚ କରାଇବାପରେ ଜାହାଜରୁ ଓହ୍ଲାଇ ରାଜଭୂମିରେ ଗୋଡ଼ ଦେଲୁ । ସେଠାରୁ ନିକଟସ୍ଥ ରେଲ ଷ୍ଟେସନ୍‍କୁ ଯାଇ ଗାଡ଼ି ଧରିଲୁ । ଘଣ୍ଟାକ ପରେ ଲଣ୍ଡନର ପାନତ୍ରିଆସ ଷ୍ଟେସନ୍‍ରେ ଓହ୍ଲାଇଲୁ । ମୁଁ କୁଆଡ଼େ ଯିବି, ଏକଥା ବିଚାରି ଏପଟକୁ ସେପଟକୁ ଚାହୁଁଛି ଜଣେ ଶାଢ଼ିପିନ୍ଧା ଉତ୍ତରଭାରତୀୟ ମହିଳା ଆସି ଆମକୁ ସମ୍ୱର୍ଦ୍ଧନା ଜଣାଇଲେ । ଆମର ଚିଠି ପାଇ ଭାରତ ହାଇକମିଶନର ଅଫିସ୍ ଇଣ୍ଡିଆ ହାଉସ୍‍ରୁ ଆମ ରହଣିର ବ୍ୟବସ୍ଥା କରିବାପାଇଁ ସେ ଆସିଥିଲେ । ଏଗାର ଡାଇନାହାମ ରୋଡ଼୍‍ରେ ଜଣଙ୍କ ଘରେ ପଇସାଦିଆ ଅତିଥି ହୋଇ ରହିବାପାଇଁ ବ୍ୟବସ୍ଥା ହୋଇଛି କହି ମୋତେ ଓ ଡାକ୍ତର ଘୋଷଙ୍କୁ ଗୋଟିଏ ଟାକ୍‍ସିରେ ବସାଇ ଦେଇ ସେ ଆମଠାରୁ ବିଦାୟ ନେଲେ ।

 

ଆମେ ସେ ସ୍ଥାନରେ ପହଞ୍ଚିବା ସଙ୍ଗେ ସଙ୍ଗେ ଆମକୁ ମିସେସ୍ କପୂର ପାଛୋଟି ନେଲେ । ଭଦ୍ରମହିଳା ନିଜେ ଇଂରେଜ ହୋଇଥିଲେ ମଧ୍ୟ ପଞ୍ଜାବର କପୂର ବୋଲି ଜଣେ ଭାରତୀୟଙ୍କୁ ବିବାହ କରିଥିଲେ । ତାଙ୍କର ୧୮, ୨୦ ବର୍ଷର ଏକମାତ୍ର କନ୍ୟା କପୂର ଭାରତୀୟ ହାଇକମିଶନର ଅଫିସ୍‍ରେ କାମ କରନ୍ତି ।

 

ଭଦ୍ରମହିଳା ଆମପାଇଁ ଠିକ୍ କରିଥିବା କୋଠରୀ ଦୁଇଟି ଦେଖାଇ ଦେଲେ । ମୋ ଅନୁରୋଧରେ ଫୋନ୍ କରି ମୋର ଆମେରିକା ଯିବା ବ୍ୟବସ୍ଥା ବୁଝି, ସେଠାର ଜାହାଜ କମ୍ପାନୀ ଏଜେଣ୍ଟ ‘ଲେପ ଟ୍ରାଭଲ’ଙ୍କ ଠାରୁ ଟିକଟ ସଂଗ୍ରହ କରି ଠିକ୍ ସାତଦିନ ପରେ ମୋତେ ବିଲାତର ସାଉଥ ହାମ୍ପଟନ ବନ୍ଦରରୁ ‘କୁଇନ୍‍ସ ମେରୀ’ ଜାହାଜ ଧରି ଆମେରିକା ଯାତ୍ରା କରିବାକୁ ହେବ ବୋଲି ଜଣାଇ ଦେଲେ ।

 

ଚିଙ୍ଗୁଡ଼ି ମୋହ

 

ଘୋଷ ଓ ମୁଁ ଚା’ ପାନ ପରେ ଲଣ୍ଡନ ଦେଖିବାକୁ ବୁଲି ବାହାରିଲୁ । ଘୋଷ କଲିକତି ଲୋକ, ସେ କେବେ ଲଣ୍ଡନ ଦେଖି ନଥିଲେ ମଧ୍ୟ ଲଣ୍ଡନର ଜଣେ ପୁରୁଣା ବାସିନ୍ଦା ପରି କଥାବାର୍ତ୍ତା ଆରମ୍ଭ କରିଦେଲେ । ସେ ମୋ ଠାରୁ ବୟସରେ ଖୁବ୍ ବଡ଼, ତେଣୁ ମୁଁ ତାଙ୍କ କଥା ମାନି ଯନ୍ତ୍ରଚାଳିତ ପରି ତାଙ୍କ ପଛେ ପଛେ ଚାଲିଲି । ଘୋଷ ଆଜି ହଠାତ୍ କହିଲେ, ମହାଶୟ, ଅନେକ ଦିନ ହେଲା ଚିଙ୍ଗୁଡ଼ି ମାଛ ଖିଆ ହୋଇନାହିଁ, ଯେ କୌଣସିମତେ ଚିଙ୍ଗୁଡ଼ି ଖାଇବାକୁ ହେବ । ଆମ ଓଡ଼ିଆଙ୍କ ପାନଖିଆ ପରି ବଙ୍ଗାଳୀ ଘୋଷଙ୍କର ଚିଙ୍ଗୁଡ଼ିଖିଆ ବୋଧହୁଏ ଗୋଟିଏ ଅଭ୍ୟାସ । ପାନଖିଆ ଲୋକ ବିଲାତ ଆମେରିକା ଯାଇ ମଧ୍ୟ ପାନ ଓ ଗୁଣ୍ଡି ଖୋଜନ୍ତି । ୟା ହାତରେ, ତା’ ହାତରେ ପାନ, ଗୁଆ, ଗୁଣ୍ଡି ଅନେକ ସମୟରେ ଭାରତରୁ ସେମାନଙ୍କ ପାଖକୁ ପଠାଯାଏ ।

 

ଘୋଷଙ୍କ ଚିଙ୍ଗୁଡ଼ି ଖାଇବାପାଇଁ ଜିଦ୍ ଦେଖି ମୁଁ ତାଙ୍କୁ କହିଲି–ବିଲାତ ଆସିଛ, ବିଲାତି ଖାଦ୍ୟ ଖାଇବାକୁ ଅଭ୍ୟାସ କର, ବିଲାତି ଲୋକଙ୍କ ପରି ଚଳ, ଏ ଚିଙ୍ଗୁଡ଼ି ଝୁଙ୍କୁ କ’ଣ ? ସେ ମୋ କଥାରେ କାନ ନ ଦେଇ, ଚିଙ୍ଗୁଡ଼ି ମିଳିବା ହୋଟେଲର ସନ୍ଧାନ ନେଇ ନେଇ ଆଗେ ଆଗେ ଚାଲିଲେ । ମୁଁ ଦୋକାନ ବଜାରକୁ ଚାହୁଁଥାଏ । ସାଇନ୍‍ବୋର୍ଡ଼ ସବୁ ପଢ଼ୁଥାଏ । ‘‘ଉତ୍କୃଷ୍ଟ ଘୋଡ଼ାମାଂସ ଏଠାରେ ମିଳେ’ ବୋଲି ଗୋଟିଏ ଦୋକାନ ଆଗରେ ଲେଖା ଯାଇଥିବାର ଦେଖିଲି-। ସେ ସାଇନ୍‍ବୋର୍ଡ଼ ଦେଖି ମନେହେଲା, ଗୋରୁ ଲାଙ୍ଗୁଡ଼ ସୁପ୍ ଖାଇଲାବାଲା ଘୋଷବାବୁ ଯେ ଘୋଡ଼ାମାଂସରେ ମନ ନ ବଳାଇ ଚିଙ୍ଗୁଡ଼ି ଖୋଜୁଛନ୍ତି, ସେତିକି ମୋର ଭାଗ୍ୟ-। ତେଣୁ ମୁଁ ଚିଙ୍ଗୁଡ଼ିପାଇଁ ପୂର୍ଣ୍ଣପ୍ରାଣରେ ତାଙ୍କୁ ସମର୍ଥନ ଜଣାଇବାକୁ ବାଧ୍ୟ ହେଲି ।

 

ବହୁତ ପଚରାପଚରି ପରେ ପିକାଡ଼େଲି ସର୍କସ ନାମକ ସ୍ଥାନରେ ପ୍ରଧାନ ରାସ୍ତା ପଛପଟେ ଭାରାସ୍ୱାମୀ ନାମକ ଗୋଟିଏ ମାନ୍ଦ୍ରାଜୀ ହୋଟେଲରେ ପହଞ୍ଚିଲୁ । ସେଠାରେ ପ୍ରାୟ ପନ୍ଦର ଟଙ୍କା ଦେଇ ଦୁଇ ତିନିଟି ଲେଖାଏଁ ସିଝା ଚିଙ୍ଗୁଡ଼ି ଖାଇ ଫେରିଲୁ । ବାଟରେ ଛୋଟ ଛୋଟ ଜିନିଷ କିଣିବାପାଇଁ ରେଜା ନାହିଁ କହି ଘୋଷ ମୋ ଠାରୁ କିଛି ଟଙ୍କା ଧାର ନେଲେ ।

 

ଦଣ୍ଡବୈଠକ ମହାରାଜ

 

ବସାକୁ ଫେରିବା ମିଷ୍ଟର୍‍ କପୂରଙ୍କୁ ଭେଟିଲୁ । ସେ ବଡ଼ ତୁନିତାନି ଲୋକ । ଅଳ୍ପ କେତେକ ପଦ କଥାବାର୍ତ୍ତା ପରେ ରାତିରେ ବେଶୀ ଥଣ୍ଡା ପଡ଼ିବ କହି ଆମ ରୁମ୍‍ରେ ଥିବା ଗ୍ୟାସ୍ ପଏଣ୍ଟଟି ଦେଖାଇ, ତାହାର ବ୍ୟବହାର ବିଷୟ ଆମରୁ ବୁଝାଇ ଦେଲେ । ରାତିରେ ବେଶୀ ଶୀତ ହେଲେ ଗ୍ୟାସ୍ ପଏଣ୍ଟ ନିକଟରେ ଥିବା ଗୋଟିଏ କଣାରେ ମୁଦ୍ରା ଗଳାଇଲେ ଲଣ୍ଡନ କର୍‍ପୋରେସନରୁ ଗରମ ଗ୍ୟାସ୍ ଆସି କିଛି ସମୟପାଇଁ ଘରଟିକୁ ଗରମ ରଖିବ କହି ସେ ଚାଲିଗଲେ ।

 

ଖଟରେ ଗଦି ଉପରେ ଧଳା ଚାଦରଟିଏ, ତା’ ଉପରେ ଚାରି ପାଞ୍ଚଟା କମଳ ତକିଆ ପର୍ଯ୍ୟନ୍ତ ରଖା ହୋଇ ତା’ ଉପରେ ଆଉ ଗୋଟିଏ ଧଳା ଚାଦର ତକିଆ ପର୍ଯ୍ୟନ୍ତ ଦିଆଯାଇ ଖଟ ଚାରିପଟେ ଖୋସା ଯାଇଥାଏ । ଖଟ ମୁଣ୍ଡରେ ତକିଆଟି ଥୁଆ ହେବାପରେ କମଳ ଅଛି ବୋଲି ଜଣା ପଡ଼ୁ ନ ଥାଏ, ତେଣୁ ନ ଜାଣିବା ନୂଆଲୋକ ସେ ଖଟ ଉପରେ ଶୋଇ ପଡ଼ିଲେ କମ୍ୱଳ ଥିବା କଥା ଜାଣିବା କଷ୍ଟ । ଜାଣିବା ଲୋକ ତକିଆଟି ଉଠାଇ କମ୍ୱଳ ତଳେ ପଶି ପଛରେ ତକିଆଟି ମୁଣ୍ଡରେ ଦେଇ ଶୁଏ । ମୁହଁ ଗରମ ରଖିବାକୁ କମ୍ପଟକି ସାଲ ମୁଣ୍ଡ ଚାରିପଟେ ଗୁଡ଼ାଇବାକୁ ହୁଏ ।

 

କମ୍ୱଳ ବ୍ୟବହାର କରି ନ ଜାଣି ଜଣେ ଓଡ଼ିଆ ଛାତ୍ର ବିଲାତରେ ତାଙ୍କ ପ୍ରଥମ ରାତ୍ରିଯାପନରେ ହଟହଟା ହୋଇଥିବା କଥା ମୁଁ ଆଗରୁ ଶୁଣିଥିଲି । ସେ ଭଦ୍ରଲୋକ କମ୍ୱଳ ଥିବା କଥା ନ ଜାଣି ପାରି ପ୍ରଥମେ ଖଟରେ ଲମ୍ୱ ହୋଇ ଶୋଇ ପଡ଼ିଲେ । ଶୀତ ହେବାରୁ ଉଠିଆସି ଗରମ ପୋଷାକ ସବୁ ପିନ୍ଧି ପକାଇଲେ । ଆହୁରି ବେଶୀ ଶୀତ ହେବାରୁ ଜୋତା ମୋଜା ପ୍ରଭୃତି ପିନ୍ଧି ଶୋଇଲେ । ସେଥିରେ ମଧ୍ୟ ଶୀତ ନ ଯିବାରୁ ବସଉଠ ହେଲେ । ତା’ପରେ ରାତିଯାକ ଦଣ୍ଡବୈଠକ କରି ଶୀତ ସମ୍ଭାଳିଲେ । ଆଗରୁ ବିଲାତରେ ଥିବା ତାଙ୍କର କେତେକ ବନ୍ଧୁ ସକାଳେ ତାଙ୍କୁ ସଙ୍ଖୋଳି ଆସିବାରୁ ସେମାନଙ୍କୁ ସେ ସବୁ ବର୍ଣ୍ଣନା କରି ଘରବୁଢ଼ୀ (ଲାଣ୍ଡ୍ ଲେଡ଼ି) ଘୋଡ଼ିହେବା କମ୍ୱଳ ନ ଦେଇ ତାଙ୍କୁ ହଟହଟା କଲା ବୋଲି ବୁଢ଼ୀଟିର ଚଉଦ ପୁରୁଷ ଶ୍ରାଦ୍ଧ କଲେ । ବୁଢ଼ୀଟି ପାଖରେ ରହି ସବୁ ଶୁଣୁଥିଲା । ତାଙ୍କର ଇଂରେଜୀ ମିଶା ଓଡ଼ିଆରୁ ସେ ବିଷୟ କିଛି ଅନୁମାନ କରିନେଇ ଓ ଖଟର କମ୍ୱଳ ସବୁ ରାତିରେ ବ୍ୟବହାର ହୋଇ ନ ଥିବା ଜାଣିପାରି, ସେ କମ୍ୱଳସବୁ କିପରି ବ୍ୟବହାର କରି ଶୋଇବାକୁ ହୁଏ ସେ କଥା ଆଗନ୍ତୁକଙ୍କୁ ବୁଝାଇଦେଲା ଓ ଆଗରୁ ସେ କଥା ବୁଝାଇ ଦେଇ ନ ଥିବାପାଇଁ ଭଦ୍ର ଭାବରେ କ୍ଷମା ପ୍ରାର୍ଥନା ମାଗିଲା । ଏ କଥା କିନ୍ତୁ ସେଠାର ଭାରତୀୟମାନଙ୍କ ଭିତରେ ପ୍ରଚାର ହୋଇଯିବା ପରେ ଅନ୍ୟମାନଙ୍କ ନିକଟରେ ସେ ଏକ ହାସ୍ୟପାତ୍ର ହୋଇ ରହିଲେ । ବିଲାତରେ ଥିବା ପର୍ଯ୍ୟନ୍ତ ତାଙ୍କ ନାମ ହେଲା ‘ଦଣ୍ଡବୈଠକ ମହାରାଜ’ ।

 

ତ୍ରିରଙ୍ଗ କେତନ

 

ମୁଁ ଘୁସୁରିମାଂସ, ଗୋମାଂସ ପ୍ରଭୃତି ଖାଏ ନାହିଁ ବୋଲି ଆଗରୁ ମିସେସ୍ କପୂରଙ୍କୁ ଜଣାଇ ଦେଇଥିଲି । ପଇସାଦିଆ ଅତିଥି ଭାବରେ ସକାଳ ଜଳଖିଆ ଓ ଚା’ ମିଳେ । ସୁବିଧା ଥିଲେ, ରାତି ଖାଇବା ବରାଦ ମୁତାବକ ମିଳେ । ମଧ୍ୟାହ୍ନ ଭୋଜନଟା ବାହାରେ କୌଣସି ହୋଟେଲରେ କରିବାକୁ ହୁଏ । ସକାଳୁ କପୂରଙ୍କ ଝିଅ ମୋ ଦୁଆର ଖଟ ଖଟ କଲା । ଦୁଆର ଖୋଲିବା ପରେ ମୋର ସକାଳ ଭୋଜନ ଥୋଇଦେଇ ଗଲା । ସେଥିରେ ପାଉଁରୁଟ, ଲହୁଣୀ, ସିଝାଅଣ୍ଡା, କ୍ଷୀର, ଚା’ ସରଞ୍ଜାମ ପ୍ରଭୃତି ଥିଲା । ତା’ ସଙ୍ଗେ ରିବନ ପରି ପାତଳା ତିନିରଙ୍ଗର ଗାର ପଡ଼ିଥିବା ଲମ୍ୱା ଲମ୍ୱା ଭଜା ରହିଥିଲା, ତାହା ତ୍ରିରଙ୍ଗ ପତାକା ଭଳି ଦିଶୁଥିବାରୁ ମୁଁ ଭାରତୀୟ ବୋଲି ସେ ଆମକୁ ସମ୍ମାନ ଦେଖାଇ ଥାଳି ସଜାଇ ଏପରି କିଛି ଜିନିଷ ଦେଇଛି ଭାବି ମୁଁ ସେଥିରୁ ଟିକିଏ ପାଟିକୁ ନେଇ ଚାଖିଲି । ସେ ପଦାର୍ଥ ଲୁଣିଆ ଲୁଣିଆ ଶୁଖୁଆ ପରି ଲାଗିବାରୁ ମୁଁ ଥୁଥୁ କରୁଛି, ସେତିକିବେଳେ ବୁଢ଼ୀ ଦଉଡ଼ି ଦଉଡ଼ି ଆସି, ଧଇଁସଇଁ ହୋଇ ଘରେ ପଶି ମୋତେ କହିଲେ–ତାକୁ ଖାଆନ୍ତୁ ନାହିଁ, ଭୁଲ୍ ହୋଇଗଲା । ତାକୁ ଡାକ୍ତର ଘୋଷଙ୍କପାଇଁ ଦେଇଥିଲି, ଭୁଲ୍‍ରେ ଝିଅ ଥାଳି ବଦଳାଇ ଦେଇଛି, ସେଗୁଡ଼ିକ ଘୁଷୁରିମାଂସର ‘ବେକନ’ ।

 

ଅନ୍ୟ ଦେଶର ଚାଲିଚଳନ ଖାଦ୍ୟପେୟ ବିଷୟ ନ ଜାଣିଥିବା ଲୋକ ଏପରି ଅସୁବିଧାରେ ପଡ଼ିବା ସ୍ୱାଭାବିକ । ଏହାର କେତେ କାଳ ପରେ ଆମେରିକାର ଗୋଟିଏ ଦୋକାନରେ ସାଗୁ ପାମ୍ପଡ଼ ପରି ପଦାର୍ଥ ଦେଖି ମୁଁ ଆଗ୍ରହରେ ପାମ୍ପଡ଼ କିଣିକାକୁ ସେ ଦୋକାନରେ ପଶିଲି । ସେ କି ପଦାର୍ଥ ବୋଲି ପଚାରିବାରେ ଦୋକାନୀ କହିଲା, ଅତି ଉତ୍କୃଷ୍ଟ ଖାଦ୍ୟ । ନିଅନ୍ତୁ, ଏ ଡେସିକେଟେଡ଼ ବା ମେସିନଶୁଖା ଘୁଷୁରି ଚର୍ବି । ସେ କଥା ଶୁଣି ମୋ ପାମ୍ପଡ଼ ଖାଇବା ସେତିକିରେ ଇତିଶ୍ରୀ ହେଲା ।

 

ନଈକେ ବାଙ୍କ୍, ଦେଶକେ ଫାଙ୍କ । ଭିନ୍ନ ଭିନ୍ନ ଦେଶର ଖାଦ୍ୟ ରୁଚି ଭିନ୍ନ ପ୍ରକାର । କୋରିଆ ଦେଶରେ କୁକୁର ଲାଙ୍ଗୁଡ଼ ସୁପ୍‍ର ଆଦର ବେଶୀ । ସେଠାରେ ଭାରତ ଦୂତାବାସର ଜଣେ ଭାରତୀୟ କୁକୁରଟିଏ ଧରି ବୁଲି ଯାଇଥିଲେ । ହଠାତ୍ ପଛରୁ କୁକୁରଟା କେଁ କେଁ ହୋଇ ଚିତ୍କାର କଲା । ସେ ପଛକୁ ଚାହିଁ ଦେଖିଲେ, ତାଙ୍କ କୁକୁରର ଲାଙ୍ଗୁଡ଼ଟି ଚାଲିଯାଇଛି ଓ ସେଠାରୁ ରକ୍ତ ବୋହୁଛି । ସେଠି ବସନ୍ତ ଉତ୍ସବ ସମୟରେ କୁକୁର ପେଟରେ ସିଜା ଖେଚୁଡ଼ି ଓ କୁକୁର ଲାଙ୍ଗୁଡ଼ ସୁପ୍‍ରେ ଭୋଜି ହୁଏ ।

 

ଆରବ ଦେଶରେ ଓଟମାଂସ ଗୋଟିଏ ପ୍ରଧାନ ଖାଦ୍ୟ । ରିଚାର୍ଡ଼ ନିକ୍‍ସନ ଆମେରିକାର ଉପରାଷ୍ଟ୍ରପତି ଭାବରେ ଆରବ ଦେଶକୁ ପରିଦର୍ଶନରେ ଯାଇଥିବାବେଳେ ତାଙ୍କୁ ସମ୍ମାନ ଦେଖାଇବାକୁ ଯେଉଁ ରାଜକୀୟ ଭୋଜିସଭା ହୋଇଥିଲା, ସେଥିପାଇଁ ଗୋଟିଏ ଓଟ ମାରି ତା’ର ପେଟ ପରିଷ୍କାର କରି, ତା’ ଭିତରେ ବାଛୁରୀ, ବାଛୁରୀ ପେଟରେ ଛେଳି, ଛେଳି ପେଟରେ କୁକୁଡ଼ା ଓ କୁକୁଡ଼ା ପେଟରେ ବତକଡ଼ିମ୍ୱ ରଖି, ଓଟର ପେଟ ସିଲାଇକରି ବଡ଼ ଖୁଣ୍ଟଉପରୁ ଓହଳାଇ ତଳୁ ନିଆଁ ଜାଳି ସିଝାଇ ଦିଆଯାଇଥିଲା । ସେଇ ଓଟକୁ ଭୋଜିସଭାରେ ଏକ ବଡ଼ ଟେବୁଲ ଉପରେ ରଖାଗଲା । ତା’ର ପେଟକୁ କାଟି କାଟି ଭିତରୁ ସିଝି ଯାଇଥିବା ଅଣ୍ଡାଟି ନିକ୍‍ସନଙ୍କୁ ଦିଆଗଲା ଓ ସମସ୍ତେ ଅନ୍ୟ ମାଂସସବୁ କାଟି କାଟି ଖାଇଲେ ।

 

ବୁଦ୍ଧ, ଜୈନ ପ୍ରଭୃତି ଅହିଂସା ଧର୍ମପ୍ରଚାର କରିଥିଲେ କିନ୍ତୁ ବର୍ମା, ଚୀନ, ତିବ୍ବତ, ଜାପାନ ପ୍ରଭୃତି ଦେଶରେ ବୌଦ୍ଧ ଧର୍ମାବଲମ୍ୱୀମାନେ କୌଣସି ଜୀବ ନ ଖାଇ ଛାଡ଼ନ୍ତି ନାହିଁ । ମୋର ଜଣେ ବିହାରୀ ଡାକ୍ତରବନ୍ଧୁ ଅନ୍ୟ ଜଣେ ବର୍ମ୍ମାର ଡାକ୍ତରଙ୍କ ସଙ୍ଗେ ବିଲାତରେ ସହପାଠୀ ଥିଲେ । ବର୍ମ୍ମାର ବନ୍ଧୁ ଦିନେ ତାଙ୍କୁ ବର୍ମ୍ମୀ ଖାଦ୍ୟ ଖାଇବାକୁ ନିମନ୍ତ୍ରଣ କଲେ । ଖାଇବସିବା ପରେ ଗୋଟିଏ କପ୍‍ରେ କିଛି ଖାଦ୍ୟ ଓ ଚାମୁଚାରୂପେ ବ୍ୟବହାର କରିବାକୁ ଦୁଇଖଣ୍ଡି କାଠି ଦିଆଗଲା । ବର୍ମୀଜ୍ ବନ୍ଧୁ ଓ ଟେବୁଲରେ ବସିଥିବା ତାଙ୍କର ଅନ୍ୟ ଲୋକେ କପ୍‍ଟି ମୁହଁପାଖକୁ ନେଇ କାଠି ବା ‘ଚପ୍‍ଷ୍ଟିକ’ରେ ତର ତର କରି ଖାଦ୍ୟକୁ ଡିଆଁଇ ଡିଆଁଇ ଖାଇବା ଆରମ୍ଭ କରିଦେଲେ । ବିହାରୀ ଡାକ୍ତର ସେଥିରୁ ଟିକିଏ ଉପରକୁ ନେଇ ଦେଖିଲେ ସେଗୁଡ଼ିକ କାଇ ପିମ୍ପୁଡ଼ି । ତା’ପରେ ଭାତ ଆସିଲା । ଭାତର ଚାରିପଟେ ଅସରପାଗୁଡ଼ିଏ ସିଝା ହୋଇ ସୁନ୍ଦର ଭାବରେ ଖଞ୍ଜା ହୋଇଥିଲା । ଅନ୍ୟ ଥାଳିଆରେ ସବୁ ସାପ ଭଜା, ଏଣ୍ଡୁଅ ଝୋଳ, ଝିଟିପିଟି ଆଚାର ବଢ଼ାଯାଇଥିଲା । ଶେଷରେ ଏକ ବିରାଟ ସିଝା ବ୍ରାହ୍ମଣୀ ବେଙ୍ଗ ସମସ୍ତଙ୍କ ପତ୍ରରେ ଦିଆଗଲା । ସେସବୁ ଦେଖି ପେଟ ଭଲ ନାହିଁ, ଝାଡ଼ା ଲାଗୁଛି କହି ବିହାରୀ ଡାକ୍ତର ସେଠାରୁ ପ୍ରାଣ ଘେନି ପଳାଇ ଆସିଥିଲେ ।

 

ମୁଁ ଯିବାବେଳକୁ ଖାଦ୍ୟ ଅଭାବ ଯୋଗୁଁ ବିଲାତରେ ପଡ଼ିପ୍ରଥା ଚାଲୁଥାଏ । କପୂରଙ୍କ ଘରେ ଆମେ ଦୁଇଜଣ ଅଧିକା ଲୋକ ହେବାରୁ ଖାଦ୍ୟ ଅଭାବ ହେବ ଜାଣି, କଣ୍ଟ୍ରୋଲ ଦୋକାନରେ ଆମ ‘‘ପାସ୍‍ପୋଟ୍‍’’ ଦେଖାଇ ଅଧିକା ଖାଦ୍ୟ ପରମିଟ୍ ଆଣିବାପାଇଁ ମିସେସ୍ କପୂର ଆମକୁ ଅନୁରୋଧ କଲେ । ଆମେ ଦୁହେଁ ଯାଇ, ପରମିଟ୍ ଆଣି ତାଙ୍କୁ ଦେଇକରି ଆମେ ଯେଝା କାର୍ଯ୍ୟରେ ବାହାରିଲୁ ।

 

ଭଦ୍ରାମି

 

କୁହୁଡ଼ି ଓ ଝିପିଝିପି ବର୍ଷା । ଆକାଶ ଅନ୍ଧାରୁଆ; କିନ୍ତୁ ବିଜୁଳିବତୀ ଯୋଗୁଁ ଲଣ୍ଡନ ସହର ସବୁବେଳେ ଆଲୋକିତ । ସହରଟି ଅତି ସଫାସୁତୁରା । କଲିକତା ପରି ଅଳିଆ ମଇଳା ଗଦା ଦେଖାଯାଏ ନାହିଁ । ସହର ତଳେ ରେଳ ଚାଲେ । ତଳ ଷ୍ଟେସନ୍‍ମାନଙ୍କୁ ଯିବାକୁ ଇଲେକ୍‍ଟ୍ରିକ୍ ପାହାଚ ବା ଏସ୍‍କେଲେଟର ମାନ ରହିଛି । ପ୍ରଥମ ପାହାଚରେ ଠିଆ ହୋଇଗଲେ ଲୋକ ଆପେଆପେ ଶେଷ ମୁଣ୍ଡରେ ପହଞ୍ଚିଯାଏ । ଦୋକାନ ବଜାର, ଅଫିସ୍ ସବୁଠାରେ ଇଲେକ୍‍ଟ୍ରିକ୍ ଯନ୍ତ୍ରମାନ ରହିଛି । ଆମ ଦେଶ ପରି ଦିନକେ ଦଶଥର ଇଲେକ୍‍ଟ୍ରିକ୍ ଫେଲ୍‍ ମାରୁଥିଲେ ଲଣ୍ଡନ ଅବସ୍ଥା କ’ଣ ହୁଅନ୍ତା କହିହେବ ନାହିଁ । ସହରଯାକ ସବୁଆଡ଼େ ଏତେ ନିର୍ଦ୍ଦେଶନାମା ମରାଯାଇଛି ଯେ ରାସ୍ତା ଭୁଲି ଯିବାର କୌଣସି ଆଶଙ୍କା ନାହିଁ ।

 

ରାସ୍ତାର ଲୋକମାନେ ନୀରବରେ ଚାଲି ଥାଆନ୍ତି । ବସ୍ ବା ଟ୍ରେନ୍‍ରେ ପାଖରେ ବସିଲେ ମଧ୍ୟ କେହି କଥାବାର୍ତ୍ତା ହୁଅନ୍ତି ନାହିଁ । ସମସ୍ତେ ମୁହଁ ପାଖରେ ବହି ବା ସମ୍ୱାଦପତ୍ରଟିଏ ଧରି ପଢ଼ୁଥାନ୍ତି । କୌଣସି କଥା ପଚାରିଲେ ମୁହଁ ପାଖରୁ କାଗଜଟି ତଳକୁ ଚାଲିଆସେ ଓ ସେ ଭଦ୍ର ଭାବରେ ତୁମ କଥାର ଉତ୍ତର ଦିଅନ୍ତି । ଉତ୍ତର ନ ଜାଣିଥିଲେ ତାଙ୍କର ପଢ଼ାସମୟ ନଷ୍ଟକରି ଅନ୍ୟକୁ ପଚାରି ଉତ୍ତରଟି ଜଣାଇ ଦିଅନ୍ତି । ଉତ୍ତର ଦେଇସାରିବାପରେ ବହି ବା କାଗଜ ପୁଣି ତାଙ୍କ ମୁହଁ ପାଖକୁ ଚାଲିଯାଏ । ସେ ପୁଣି ନୀରବରେ ବସିରହନ୍ତି । ଆମ ଦେଶପରି ରାସ୍ତାରେ ଘାଟରେ ପାଟି ଗୋଳ, ବାଟବନ୍ଦ କରି ଠିଆ ହୋଇ ଗପିବା ପ୍ରଭୃତି ଅଭ୍ୟାସ ସେମାନଙ୍କର ନାହିଁ ।

 

ଗୋଟିଏ ବସ୍ ଷ୍ଟାଣ୍ଡରେ ସେହିପରି ବହିଧରି ନୀରବରେ ଗୁଡ଼ିଏ ଲୋକ ବସ୍‍ମାନଙ୍କୁ ଅପେକ୍ଷା କରି ଠିଆ ହୋଇଥିଲେ । ମୁଁ ଜଣେ ଭଦ୍ରଲୋକଙ୍କୁ ମୋ ‘ଟ୍ରାଭଲ ଅଫିସ୍‍କୁ ଯିବାର ବସ୍ ନମ୍ୱର ପଚାରିଲି । ସେ ମୋତେ ଗୋଟିଏ ବସ୍ ନମ୍ୱର ବତାଇଦେଇ ପୁଣି ତାଙ୍କ ବହି ପଢ଼ିବାକୁ ଲାଗିଲେ । ସେ ବସ୍‍ଟି ପହଞ୍ଚିବା ସଙ୍ଗେ ସଙ୍ଗେ ମୁଁ ସେ ବସ୍‍ରେ ଉଠିଲି । ସେ ବସ୍‍ଟି କେତେବାଟ ଯିବାପରେ ମୋ ଗନ୍ତବ୍ୟ ସ୍ଥଳ ଆଉ କେତୋଟି ବସ୍‍ରହଣି ପରେ ପଡ଼ିବ ବୋଲି ବସ୍ କଣ୍ଡକ୍ଟର୍‍ଙ୍କୁ ପଚାରିବାରେ ସେ ଆଶ୍ଚର୍ଯ୍ୟ ହେଲାପରି କହିଲେ, ‘‘ମହାଶୟ, ଆପଣ ଭୁଲ୍ ବସ୍‍ରେ ଆସିଛନ୍ତି । ଏ ରାସ୍ତାରେ ସେ ଅଫିସ୍ ପଡ଼ିବ ନାହିଁ । ମୁଁ ବିବ୍ରତ ହୋଇ ପର ବସ୍‍ରହଣିଠାରେ ଓହ୍ଲାଇ ପଡ଼ିଲି । ଚାରିପଟକୁ ଚାହିଁଲାବେଳକୁ ଆମ ବସ୍ ପଛେ ପଛେ ଆସୁଥିବା ଗୋଟିଏ ଟାକ୍‍ସି ସେଠାରେ ରହିଲା । ମୋତେ ବସ୍ ନମ୍ୱର ବତାଇଥିବା ଭଦ୍ରଲୋକ ସେଥିରୁ ଓହ୍ଲାଇ ପଡ଼ିଲେ । ସେ ମୋ ପାଖକୁ ଆସି ମୋତେ କ୍ଷମା ମାଗି କହିଲେ, ‘ମହାଶୟ, ମୋର ଭୁଲ୍ ହୋଇଗଲା । ମୁଁ ଆପଣଙ୍କୁ ଭୁଲ୍ ବସ୍ ନମ୍ୱରଟିଏ ବତାଇ ଦେଇଥିଲି । ଆପଣଙ୍କ ବସ୍ ଛାଡ଼ିବା ସଙ୍ଗେ ସଙ୍ଗେ ଠିକ୍ ନମ୍ୱରଟି ମୋର ହେତୁ ହେଲା । ଏହା କହିବାପରେ ମୋତେ ଠିକ୍ ବସ୍ ନମ୍ୱର ଓ ସମ୍ପୂର୍ଣ୍ଣ ଠିକଣାଟି ବତାଇ ଦେଇ ଆଉ ଗୋଟିଏ ବସ୍ ଧରି ସେ ଫେରିଗଲେ ।

 

ମୁଁ ଅବାକ୍ ହୋଇ ଚାହିଁ ରହିଲି । କି ଭଦ୍ରତା ! ଭୁଲ୍ ନମ୍ୱର କହିଥିବାରୁ ମୋର କାଳେ ଅସୁବିଧା ହେବ ବୋଲି ମନେକରି, ହାତରୁ ଟାକ୍‍ସି ପଇସା ଦେଇ ପ୍ରାୟଶ୍ଚିତ୍ତ କରି ଚାଲିଗଲେ । ଆମ ଦେଶର ଲୋକେ ଏପରି ଭଦ୍ରତାରେ କେବେ ଏମାନଙ୍କ ସମକକ୍ଷ ହେବେ କେଜାଣି ? ଆମଆଡ଼େ ବାଟ ପଚାରିଲେ କହିବା ତ ଦୂରର କଥା; ଯଦି କହିବେ ଠିକ୍ ଅପେକ୍ଷା ଭୁଲ୍‍ଟା କହିବାର ବେଶୀ ସମ୍ଭାବନା । ପୁରୀରେ ଦୋକାନ ବଜାର ଲୋକଙ୍କୁ ଦେଉଳକୁ ବାଟ ପଚାରିଲେ ସେମାନଙ୍କ ଭିତରୁ କେହି କେହି ସମୁଦ୍ର ବାଟ ଦେଖାଇ ଦେଇ ପଛରେ କୁରୁକୁରୁ ହୋଇ ହସି ମଜା ଦେଖନ୍ତି, ଓ ପଛରେ ସେ ଲୋକକୁ ‘ବେହିପୋ ମଫସଲିଆ ତାଳୁ’ କହି ଟାପରା କରନ୍ତି ।

 

ମୁଁ ମୋ କାମ ସାରି ଦିନଯାକ ବୁଲି ବୁଲି ଦର୍ଶନୀୟ ସ୍ଥାନ ସବୁ ଦେଖିଲି । ବର୍ମ୍ମିଙ୍ଗହାମ୍ ରାଜପ୍ରାସାଦ ପାଖ ଦେଇ ବୁଲିଆସିଲି । ରାଜାଙ୍କର କୌଣସି କ୍ଷମତା ନଥିଲେ ମଧ୍ୟ, ଗୋଟାଏ ଦେଖାଣିଆ ରଜା ରଖି ବିଲାତର ଲୋକେ ମିଛରେ ଗୁଡ଼ାଏ ପଇସା ଖରଚ କରୁଛନ୍ତି । ରାଜବଂଶୀୟ ଲୋକମାନେବି ଆମ ଦେଶ ବାବାଜି ମହନ୍ତଙ୍କ ପରି ଖାଇପିଇ ମଉଜରେ ଅଛନ୍ତି । ଲଣ୍ଡନ ବ୍ରିଜ୍, ଟ୍ରାଫଲଗାର ସାୟର, ପାର୍ଲିଆମେଣ୍ଟ୍ ପ୍ରଭୃତି ଦେଖି ବସାକୁ ଫେରିଲି ।

 

ଅସୌଜନ୍ୟତା

 

ବାଟରେ ମୁଁ ମୋ ଖାଇବା ଶେଷ କରିଥିଲି । ଡ୍ରଇଂରୁମ୍‍ରେ ବସି ଘୋଷ ଓ କପୂରଙ୍କ ସଙ୍ଗେ ଆଳାପ କଲି । କିଛି ସମୟ ଆଳାପ ପରେ ବୁଢ଼ା ବୁଢ଼ୀ ଆମମାନଙ୍କ ତତ୍ତ୍ୱ ନେବାପାଇଁ ନିର୍ଦ୍ଦେଶ ଦେଇ ତାଙ୍କ ଯୁବତୀ ଝିଅଟିକୁ ଆମ ପାଖରେ ଛାଡ଼ିଦେଇ ସାନ୍ଧ୍ୟଭ୍ରମଣରେ ବାହାରିଗଲେ-। ବାପା’ ମା ଏପରି କରିବା ମୋତେ ଆଶ୍ଚର୍ଯ୍ୟ ଲାଗିଲା ।

 

ଘୋଷ ମନେମନେ ବଡ଼ ଆଧୁନିକ ବୋଲି ନିଜକୁ ବିଚାରୁ ଥାଆନ୍ତି । ତାଙ୍କୁ ଯେପରି ସୁବର୍ଣ୍ଣ ସୁଯୋଗ ମିଳିଗଲା । ସେ ଝିଅଟିର ପାଖକୁ ଲାଗିଆସି, ତା’ ସଙ୍ଗେ ଥଟାତାମସା ଆରମ୍ଭ କରିଦେଲେ । ସେ ଝିଅଟି ତ ଆମ ଗାଁ ଗଣ୍ଡାର ଝିଅ ନୁହେଁ । ଲଣ୍ଡନରେ ଜନ୍ମ, ଲଣ୍ଡନରେ ବଢ଼ିଛି ଓ ସେଇଠି ଚାକିରି ମଧ୍ୟ କରୁଛି ସବୁବେଳେ ନାନାପ୍ରକାର ଲୋକଙ୍କ ସଙ୍ଗେ ମିଶିବା ତା’ର ଅଭ୍ୟାସରେ ପଡ଼ିଯାଇଛି । ଘୋଷ ସେ ଝିଅଟିର ବୟସ ପଚାରିଲେ ଓ ନିଜ ବୟସ କମାଇ କରି କହିଲେ । ଝିଅଟିର ଓଜନ, କାର୍ଯ୍ୟ ସବୁ କଥା ପଚାରି ସାରି ଥଟା ବାହାନାରେ ଅଶ୍ଳୀଳ କଥା ମଧ୍ୟ ଆରମ୍ଭ କରିଦେଲେ । ଘୋଷ ନିଜେ ଶ୍ୟାମଳ ବର୍ଣ୍ଣ, ମୋଟାସୋଟା, ମୁହଁଟା ଚକୁଳି ପରି, କିନ୍ତୁ ସେ ଝିଅଟି ଅତି ସୁନ୍ଦର, ବଳିଦେଲା ପରି ଚେହେରା, ଭଦ୍ର ଚାହାଣି ଓ ନମ୍ର କଥାବାର୍ତ୍ତା । ଘୋଷ କଥା କହୁ କହୁ ନଜାଣିଲା ପରି ତା’ ଦେହରେ ହାତ ମରାମରି କଲେ ଓ ଏକା ସଙ୍ଗେ ସିନେମା ଯିବାକୁ ଡାକିବାରୁ ଝିଅଟି ମନା କରି ଟିକିଏ ଦୂରେଇ ବସିବାକୁ ଚେଷ୍ଟା କଲା । ସେ ଗୋଡ଼ରେ ଅଣ୍ଟାପର୍ଯ୍ୟନ୍ତ ନାଇଲନ ମୋଜା ଲଗାଇ ଫ୍ରକ୍‍ଟିଏ ପିନ୍ଧି ବସିଥାଏ । ଘୋଷ ତା’ର ଗୋଡ଼କୁ ଦେଖାଇ ଏ ମୋଜା କେତେବାଟ ଯାଏଁ ଯାଇଛି ବୋଲି ପଚାରିବାରେ ଝିଅଟି ମନର ରାଗକୁ ଚାପିରଖି ‘‘ପିକାଡ଼େଲି ସର୍କସ’’ ବଜାର ପର୍ଯ୍ୟନ୍ତ ଯାଇଛି ବୋଲି କହି ଗୋଟିଏ ବାହାନା ଦେଖାଇ ସେଠାରୁ ଉଠି ଚାଲିଗଲା ।

 

ଆମ ଦେଶର ଶିକ୍ଷିତା କି ଚଣ୍ଡୀ ପ୍ରକୃତିର ଝିଅ ହୋଇଥିଲେ ଘୋଷକୁ ସେହିଠାରେ ଅପମାନ ବା ଚାପୁଡ଼ାଟାଏ ଦେଇଥାଆନ୍ତା । ସେ କିନ୍ତୁ ଏତେ ଭଦ୍ର ଯେ ଭଦ୍ରତା ଖାତିରରେ ବେଶୀ କିଛି ନ କହି ସେଠାରୁ ଉଠି ଚାଲିଗଲା । ଆମ ଦେଶର ଅତ୍ୟାଧୁନିକ ସହରୀ ଲୋକମାନେ ବିଦେଶୀଙ୍କ ଅବାଧ ମିଳାମିଶା ବିଷୟ ସିନେମାରେ ଦେଖି ବା ଶୁଣି ଶୁଣି, ସେ ଦେଶମାନଙ୍କରେ ପ୍ରେମ ବଡ଼ ଶସ୍ତା ବୋଲି ଧରି ନେଇ ଥାଆନ୍ତି । କଲିକତାର ଘୋଷ, ବହୁତ ସାହେବ ସାହେବାଣୀ ଦେଖିଛନ୍ତି, ନାଚ ଗୀତରେ ମିଶିଛନ୍ତି, ତେଣୁ ତାଙ୍କର ଏପରି ଧାରଣା ହେବା କିଛି ଅସ୍ୱାଭାବିକ ନୁହେଁ । ଝିଅଟି ଚାଲିଗଲାପରେବି ସେ ନିଜ ଦୋଷ ବୁଝି ପାରୁ ନ ଥାନ୍ତି । ଗୁଣୁଗୁଣୁ ହୋଇ କହୁଥାନ୍ତି, ଚିଡ଼ିଆ ଟିକିଏ ଏପଟ ସେପଟ ହେଉଛି, ନୂଆ ନୂଆ ଧରା ଦେଉ ନାହିଁ, ଯିବ କୁଆଡ଼େ ? ମନକୁ ଆସି ଧରାଦେବ ।

 

ପରଦିନ ସକାଳେ ପୂର୍ବପରି ଝିଅଟି ଖାଇବା ଜିନିଷ ଧରି ନ ଆସି ବୁଢ଼ୀ ନିଜେ ଆସିଲା-। ଝିଅଠାରୁ ପୂର୍ବଦିନର ଘଟଣାଟି ସେ ଶୁଣିଥିଲେ । ସେ ମୋ ପାଖରେ ବସି ମୋତେ କହିଲେ ‘‘ଆପଣ ତ ଥିଲେ, ମୁଁ ଆପଣଙ୍କୁ କ’ଣ ଅଧିକା କହିବି । ମୋତେ ବଡ଼ ଦୁଃଖ ଲାଗୁଛି-। ମୋର ଭାରତୀୟଙ୍କ ଉପରେ ଖୁବ୍ ଭଲ ଧାରଣା ଥିବାରୁ ମୁଁ ସେମାନଙ୍କୁ ଘରେ ରଖିବାକୁ ଭଲପାଏ-। ଆପଣ ଜାଣନ୍ତି, ମୋର ସ୍ୱାମୀ ମଧ୍ୟ ଜଣେ ଭାରତୀୟ । ଆମର ବିବାହିତ ଜୀବନ ମଧ୍ୟ ଅତି ସୁଖମୟ । ଆମେ ଅତିଥିମାନଙ୍କୁ ନିଜଲୋକ ପରି ବ୍ୟବହାର କରୁ । ସେହିଯୋଗୁଁ ଝିଅକୁ ଆପଣମାନଙ୍କ ପାଖରେ ଛାଡ଼ିଦେଇ ଆମେ ବାହାରକୁ ଯାଇଥିଲୁ । ତାକୁ ଭଦ୍ର ବ୍ୟବହାର ମିଳିବ ବୋଲି ଆମେ ନିଶ୍ଚିନ୍ତ ଥିଲୁ କିନ୍ତୁ ଡାକ୍ତର ଘୋଷଙ୍କର ଏପରି ଅସଭ୍ୟ ଓ ଅସଂଯତ ବ୍ୟବହାର ପାଇଁ ଆମେ ଅତ୍ୟନ୍ତ ଦୁଃଖିତ ।’’ ମୁଁ କିଛି ନ କହି ତୁନି ରହିଲି ।

 

ବୁଢ଼ୀ ମୋ କୋଠରୀରୁ ଚାଲିଯିବାର ଅଳ୍ପ ସମୟ ପରେ ଘୋଷଙ୍କ ଘରୁ ବୁଢ଼ୀ ଓ ଘୋଷଙ୍କର ଉଚ୍ଚବାଚ କଥାବାର୍ତ୍ତାର ଶବ୍ଦ ଶୁଣିବାକୁ ପାଇଲି । ବୁଢ଼ୀ ତାଙ୍କ ଘରୁ ବାହାରିଯିବା ପାଇଁ ଘୋଷଙ୍କୁ କହୁଥିଲେ । ମୋ ନିତ୍ୟକର୍ମ ସାରି ମୋ କୋଠରୀର ବାହାରକୁ ବାହାରିଲାବେଳକୁ ଡାକ୍ତର ଘୋଷ ମୋତେ କିଛି ନ କହି ତାଙ୍କ ଜିନିଷପତ୍ର ଧରି ସେଠାରୁ ଅନ୍ୟତ୍ର କେଉଁ ସ୍ଥାନକୁ ଚାଲି ଯାଇଥିଲେ । ତାଙ୍କ ସଙ୍ଗରେ ପୂର୍ବରୁ ସେ ମୋ ଠାରୁ ଧାର ନେଇଥିବା ଟଙ୍କାତକ ମଧ୍ୟ ଚାଲିଗଲା । ସେହିଦିନ ଠାରୁ ମୁଁ ଆଉ ତାଙ୍କୁ ଦେଖିନାହିଁ ।

 

ପାଶ୍ଚାତ୍ୟ ଦେଶମାନଙ୍କରେ କାୟିକ ପରିଶ୍ରମର ମୂଲ୍ୟ ଅତ୍ୟଧିକ ହୋଇଥିବାରୁ ଘରୋଇ ଚାକର ଏକାବେଳକେ ଦୁଷ୍ପ୍ରାପ୍ୟ । ଲୋକମାନେ ନିଜ ହାତରେ ନିଜ କାମ କରିବାକୁ ବାଧ୍ୟ ହୁଅନ୍ତି । ବୁଢ଼ୀ ନିଜେ ଘର ଓଳାଇବା, ଶେଯ କରିବା, ବାସନ ମାଜିବା, ଘର ସଫା କରିବା, ରୋଷେଇ କରିବାଠାରୁ ପାଇଖାନା ସଫା ପର୍ଯ୍ୟନ୍ତ ସବୁ କାମ ନିଜ ହାତରେ କରନ୍ତି ଓ ଠିକ୍ ସମୟରେ ସେ ସବୁ ସାରି ନିଜ କାମକୁ, ଖେଳିବାକୁ, ନାଚିବାକୁ ଯାଆନ୍ତି । ଲୋକମାନେ ବହୁତ ରୋଜଗାର କରନ୍ତି କିନ୍ତୁ ଖରଚ ମଧ୍ୟ ବହୁତ କରନ୍ତି; ବଳାଇ କରି ବେଶୀ କିଛି ରଖନ୍ତି ନାହିଁ । ଅନେକ ଲୋକ ଚିରା ଜାମା ଯୋଡ଼ାଯୋଡ଼ି ଓ ସିଲାଇ କରି ପିନ୍ଧି କାମ ଚଳାଇ ନିଅନ୍ତି କିନ୍ତୁ ସବୁବେଳେ ଇସ୍ତ୍ରୀଦିଆ ସଫା ଲୁଗାପଟା ବ୍ୟବହାର କରନ୍ତି । କୌଣସି ଛୋଟ କାୟିକ କାମ ନିଜ ହାତରେ କରିବାଦ୍ୱାରା ମାନହାନି ହେଲା ବୋଲି ମନେ କରନ୍ତି ନାହିଁ । ଆମ ଦେଶରେ ଆଗରୁ ଥିବ ସାହେବମାନଙ୍କଠାରୁ ସେମାନଙ୍କ ଚଳଣି ଓ ବ୍ୟବହାର ସମ୍ପୂର୍ଣ୍ଣ ପୃଥକ୍ ।

 

ଆମେରିକା ପଥେ

 

ଲଣ୍ଡନ ଛାଡ଼ି ଆମେରିକା ଯାତ୍ରାପାଇଁ ମୁଁ କପୂରଙ୍କ ଠାରୁ ବିଦାୟ ନେଇ ସାଉଥ ହାମ୍ପଟନ ଚାଲିଲି । ସେଠାରେ ଆଉ ଚାରିଜଣ ଭାରତୀୟ ଛାତ୍ରଛାତ୍ରୀଙ୍କ ସଙ୍ଗେ ଦେଖାହେଲା । ସମସ୍ତେ ଗୋଟିଏ ଟାକ୍‍ସି କରି ସହରଟି ବୁଲି ଦେଖିଲୁ । ଦ୍ୱିତୀୟ ମହାସମରବେଳେ ସେଠାରେ ବୋମା ପଡ଼ିଥିବାର ସନ୍ତକ ଭଙ୍ଗାରୁଜା ଘରଗୁଡ଼ିକ ଦୃଷ୍ଟିଗୋଚର ହେଲା । ସବୁ ବନ୍ଦର ପରି ସେ ବନ୍ଦରରେ ପିଇବା, ନାଚିବା ଓ ସିନେମା ଦେଖିବା ପ୍ରଭୃତି ଆମୋଦରେ ଲୋକମାନେ ବ୍ୟସ୍ତ ଥାଆନ୍ତି । ନାଚଗୃହ, ବାର୍‍ଗେଟ୍, ସିଭିକ ଲାଇନ ପ୍ରଭୃତି ବୁଲି ବୁଲି ଦେଖିଲୁ । ସିନେମାଘର ସାମନାରେ ଶହ ଶହ ଲୋକ ଧାଡ଼ି ବାନ୍ଧି ଟିକଟକୁ ଅପେକ୍ଷା କରି ଠିଆ ହୋଇଥାଆନ୍ତି, ତେଣୁ ଆମର ସିନେମା ଦେଖି ସମୟ କଟାଇବାର ପ୍ରସ୍ତାବ ଥିଲେ ମଧ୍ୟ ଆମେ ହୋଟେଲକୁ ଫେରିଲୁ ।

 

କୁଇନ୍ ମେରୀ ଜାହାଜଟି ପୃଥିବୀର ସର୍ବବୃହତ୍ ଯାତ୍ରୀବାହୀ ଜାହାଜମାନଙ୍କ ଭିତରେ ଅନ୍ୟତମ । ଗୋଟିଏ କ୍ୟାବିନ୍‍ରେ ଅନ୍ୟଜଣେ ଭାରତୀୟ ଶ୍ରୀ ଯୋଷୀ ଓ ମୁଁ ଏକତ୍ର ରହିଲୁ । ଜାହାଜଟି ଗୋଟିଏ ଛୋଟ ସହର ବା ବଡ଼ ଗାଁ ପରି । ଜାହାଜରେ ଯାତ୍ରୀମାନଙ୍କ ଚିତ୍ତବିନୋଦନ ପାଇଁ ଗୋଟିଏ ବଡ଼ ସିନେମାଘର । ସେଥିରେ ସବୁଦିନ ତିନିଥର ଭଲ ଭଲ ସିନେମା ଦେଖାଯାଏ-। ଗୋଟିଏ ଛାପାଖାନା ଥାଏ, ସେଥିରୁ ‘‘ସାଗର ସମ୍ୱାଦ’’ ନାମକ ଗୋଟିଏ ଦୈନିକ ସମ୍ୱାଦପତ୍ର ଛପା ହୋଇ ଯାତ୍ରୀମାନଙ୍କୁ ବଣ୍ଟାଯାଏ ।

 

ବିଲାତ ଆମେରିକା ଭିତରେ ଏ ଜାହାଜଟି ଚଳାଚଳ କରୁଥିବାରୁ ଏଥିରେ ଇଂରେଜ ଆଦବକାଇଦାର ବାଧ୍ୟବାଧକତା ନଥିଲା । ଆମେରିକା ଯାତ୍ରୀମାନଙ୍କ ଚାଲିଚଳନ ଠାରୁ ସମ୍ପୂର୍ଣ୍ଣ ପୃଥକ୍ । କିଏ କି ପ୍ରକାର ପୋଷାକ କେତେବେଳେ ପିନ୍ଧିଲା, କିଏ କି ହାତରେ ଚାମଚରେ କିପରି ଖାଇଲା, କିଏ କିପରି ବସିଲା, କିପରି ସମ୍ୱୋଧନ କଲା ସେକଥା କେହି ଲକ୍ଷ୍ୟ କରୁ ନଥିଲେ । ସେମାନେ ଗମ୍ଭୀର ପ୍ରକୃତିର ନୁହନ୍ତି । ସବୁବେଳେ ସମସ୍ତଙ୍କର ହସହସ ମୁହଁ । ତୁମେ କିଛି ନ ପଚାରିଲେ ମଧ୍ୟ ସେମାନେ ଉପରେ ପଡ଼ି କଥାବାର୍ତ୍ତା ଆରମ୍ଭ କରି ଦିଅନ୍ତି ।

 

ଜାହାଜରେ ବଡ଼ବଡ଼ ସନ୍ତରଣ ପୋଖରୀ ଓ ନାନାପ୍ରକାର କ୍ରୀଡ଼ାଗୃହ ରହିଥାଏ । ଲୋକମାନେ ବହୁପ୍ରକାର ଖେଳ କୌତୁକରେ ବ୍ୟସ୍ତ ଥାଆନ୍ତି । ମୁଁ ଥରେ ଡେକ୍ ଉପରକୁ ଗଲା ବେଳକୁ, ବହୁତଗୁଡ଼ିଏ ଲୋକ ଏକାଠି ଜମାହୋଇ ଉପରକୁ ମୁଣ୍ଡ ଟେକିଛନ୍ତି । ମଝିରେ ରାକ୍ଷସପରି ଡେଙ୍ଗା ଲୋକଟିଏ ତଳକୁ ମୁଣ୍ଡ କରି ଲୋକମାନଙ୍କୁ ଜଳଜଳ କରି ଦେଖୁଛି । ସେ ରାକ୍ଷସଟିର ଉଚ୍ଚତା ୧୦ଫୁଟ୍, ମୁହଁଟା ପ୍ରାୟ ଫୁଟେ ଲମ୍ୱା, ଆଖିଗୁଡ଼ାକ ବଡ଼ବଡ଼, ହାତ ଗୋଡ଼ ସବୁ ଓଟ ଗୋଡ଼ ପରି ଲମ୍ୱା ଲମ୍ୱା ହୋଇ ତଳକୁ ଲମ୍ୱିଛି । ସେ ଗୋଟିଏ ୧୨, ୧୪ ବର୍ଷର ବାଳକ, ‘‘ହାଇପର ଫିଟ୍ୟୁଟାରିଜିମ’’ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତା’ର ଶରୀର ବର୍ଦ୍ଧନ ପ୍ରକ୍ରିୟା ଅତ୍ୟଧିକ ହୋଇଯାଇଥାଏ । ଡେକ୍ ପାଖରେ ତା’ପାଇଁ ସ୍ୱତନ୍ତ୍ର ଉଚ୍ଚା ଘର ଓ ଲମ୍ୱା ଖଟିଆର ବ୍ୟବସ୍ଥା ହୋଇଥାଏ । ସେ ପିଟିଉଟାରୀ ଅନ୍ତଃସ୍ରାବୀ ଗ୍ରନ୍ଥିର ଶଲ୍ୟ ଚିକିତ୍ସାପାଇଁ ଆମେରିକା ନିଆଯାଉଥାଏ । ମୁଁ ସେ ରୋଗ ବିଷୟ ପଢ଼ିଥିଲେ ମଧ୍ୟ ଆଗରୁ ସେପରି ରୋଗୀ ଦେଖିବାର ସୁଯୋଗ ପାଇ ନଥିଲି ।

 

ଏ ଜାହାଜଟିର ଗତି ଖୁବ୍‍ କ୍ଷିପ୍ର ଥିବାରୁ ସାଧାରଣ ଜାହାଜର ଦଶଦିନ ବାଟ ଆଟଲାଣ୍ଟିକ୍ ମହାସାଗରକୁ ମାତ୍ର ପାଞ୍ଚ ଦିନରେ ଆମେ ଅତିକ୍ରମ କରି ଆମେରିକାର ‘‘ନିଉୟର୍କ’’ ବନ୍ଦରରେ ପହଞ୍ଚିଲୁ ।

 

ନିଉୟର୍କ ହଟହଟା

 

ସକାଳ ସାଢ଼େ ଆଠଟାବେଳେ ଜାହାଜରୁ ଓହ୍ଲାଇ ମୁଁ ବନ୍ଦରର ବାହାରକୁ ଆସିଲି । ଆଗରୁ ମୋର ଦୁଇଜଣ ଓଡ଼ିଆ ବନ୍ଧୁଙ୍କୁ ମୋ ପହଞ୍ଚିବା ସମୟ ଜଣାଇଥିଲି । ସେମାନେ ଆଗରୁ ଆସି ନିଉୟର୍କରେ କାମ କରୁଥିଲେ । ସେମାନେ ମୋର ଚିଠି ନ ପାଇବା ଯୋଗୁଁ ହେଉ ବା କାର୍ଯ୍ୟବ୍ୟସ୍ତତା ଯୋଗୁଁ ହେଉ, କେହି ବନ୍ଦରକୁ ଆସି ପାରି ନଥିଲେ ।

 

ଯାହାହେଉ ଭାଗ୍ୟକୁ ଶର୍ମା ନାମକ ଜଣେ ଭାରତୀୟ ଛାତ୍ରଙ୍କ ସଙ୍ଗେ ଦେଖାହେଲା । ସେ ମୋର ସଙ୍ଗୀ କାମ କରୁଥିବା ଡାକ୍ତରଖାନାର ଠିକଣା ଓ ବାଟ ବତାଇ ଦେଲା ଓ ଗୋଟିଏ ଟାକ୍‍ସି ଡାକି ସେଥିରେ ମୋତେ ବସାଇ ଦେଇ ବିଦାୟ ନେଲେ । ମୁଁ ଟାକ୍‍ସିରେ ଯାଇ ମାଉଣ୍ଟସିନାଇ ହସ୍‍ପିଟାଲ ସାମନାରେ ଓହ୍ଲାଇ ପଡ଼ିଲି ।

 

ମୁଁ ଚାରିପଟକୁ ଚାହିଁଲି, କୁଲି ଶ୍ରେଣୀୟ ଲୋକ କେହି ଦିଶିଲେ ନାହିଁ । ଏ ଦେଶରେ କାୟିକ ପରିଶ୍ରମର ମୂଲ୍ୟ ବହୁତ ବେଶି । ଏ ଗୋଟିଏ ବ୍ୟବସାୟୀ ଦେଶ । ଡ୍ରାଇଭର, କୁଲି, ହୋଟେଲ କର୍ମଚାରୀ ସମସ୍ତେ ସବୁ କାର୍ଯ୍ୟରେ ମୂଲ୍ୟକୁ ଛାଡ଼ି ବକ୍ସିସ୍ ବା ଟିପ୍ ଦାବି କରନ୍ତି । ଅନେକ ସମୟରେ ମୂଲ୍ୟଠାରୁ ବକ୍ସିସ୍ ବଳିଯାଏ ।

 

ମୋର ବଡ଼ ଟିଣ ଟ୍ରଙ୍କ୍‍ଟିରେ ମୁଁ ମୋର ଦେଶରୁ ଆଣିଥିବା ଓ ବାଟରୁ କିଣିଥିବା ସମସ୍ତ ଜିନିଷ ବୋଝେଇ କରିଥିବାରୁ ସେଇଟି ଭାରୀ ଓଜନ ହୋଇଥାଏ । ଏକଲା ଟେକି ତାକୁ ଗାଡ଼ିରୁ ବାହାର କରିବା ମୋ ପକ୍ଷରେ କଷ୍ଟ । ଟାକ୍‍ସି ଡ୍ରାଇଭର ମୋ ସାହାଯ୍ୟରେ ସେଇଟି ଥୋଇବା ଓ କାଢ଼ିବାପାଇଁ ମୋ ଭଡ଼ା ଓ ଜିନିଷ ଭଡ଼ା ବାଦ୍ ସାତ ଟଙ୍କା ଅଧିକା ବକ୍ସିସ୍ ନେଇ ଟ୍ରଙ୍କ୍‍ଟିକୁ ହସ୍‍ପିଟାଲ ସାମନା ଫୁଟ୍‍ପାଥ୍‍ରେ ରଖିଦେଇ ହୁଇସିଲ୍‍ ମାରି ଗାଡ଼ିଟି ନେଇ ଚାଲିଗଲା ।

 

ଟ୍ରଙ୍କ୍‍ଟି ସାଥିରେ ଧରି ବନ୍ଧୁଙ୍କ ଅନ୍ୱେଷଣରେ ବାହାରିବା ଅସମ୍ଭବ, ତେଣୁ ଟ୍ରଙ୍କ୍‍ଟିକୁ ଏକାକୀ ଦୟନୀୟ ଅବସ୍ଥାରେ ମୋର ଯଥାସର୍ବସ୍ୱ ସହିତ ସେଇଠାରେ ଛାଡ଼ିଦେଇ ମୁଁ ହସ୍‍ପିଟାଲରେ ପଶିଲି । କିଛି ସମୟ ପରେ ବନ୍ଧୁଙ୍କୁ ନେଇ ଫେରିଲି । ଆମେ ଦୁହେଁ ଟ୍ରଙ୍କ୍‍ଟିକୁ ଭିଡ଼ାଭିଡ଼ି କରି କୌଣସିମତେ ହସ୍‍ପିଟାଲର ‘‘ଏଲିଭେଟର’’ ବା ଉପର ତଳକୁ ନିଆଅଣା କରୁଥିବା ବିଦ୍ୟୁତଚାଳିତ ଛୋଟଘର ଭିତରେ ରଖି ସୁଇଚ ଟିପିବାପରେ ବନ୍ଧୁଙ୍କ ନଅତାଲା ଉପରମହଲା ବାରଣ୍ଡାକୁ ନେଲୁ । ସେଠାରୁ ଘୋଷାରି ଘୋଷାରି ତାଙ୍କ ଘର ଭିତରକୁ ନେଇ ସ୍ୱସ୍ତିରେ ନିଃଶ୍ୱାସ ମାରିଲୁ ।

 

ନିଉୟର୍କ ସହରରୁ ମୋର ଗନ୍ତବ୍ୟ ସ୍ଥଳୀ ଟେନେସୀ ପ୍ରଦେଶର ଚାଟାନୁଗା ସହର ବହୁତ ଦୂର । ମୋର ପଇସା ପ୍ରାୟ ସରି ଆସିଥାଏ । ମୁଁ ଜାହାଜରୁ ମୋର ସେଠାର ହସ୍‍ପିଟାଲ୍ କର୍ମକର୍ତ୍ତାଙ୍କ ପାଖକୁ ମୋପାଇଁ ଆଗତୁରା କିଛି ଟଙ୍କା ପଠାଇବାକୁ ଲେଖିଥିଲି । ମୋର ନିଉୟର୍କ ବନ୍ଧୁଙ୍କ ଠିକଣାରେ ସେ ଦେଇଥିବା ଉତ୍ତରଟି ପାଇଲି । ସେ ପତ୍ରରେ ଥିଲା, ମୁଁ ପୁଲମାନ ଟ୍ରେନ୍‍ରେ ଯାଇ ସେଠାରେ ପହଞ୍ଚିଲେ ସେଠାରେ ସେ ଆଗତୁରା ଖର୍ଚ୍ଚ କିଛି ଦେବେ । ମୁଁ ଜାଣିଲି, କାମରେ ଯୋଗ ନ ଦେବା ପର୍ଯ୍ୟନ୍ତ ଆଗତୁରା କିଛି ମିଳିବ ନାହିଁ ।

 

ମୁଁ ବନ୍ଧୁଙ୍କ ସଙ୍ଗେ ନିଉୟର୍କ ସହର ବଜାର ବୁଲି ଦେଖିଲାବେଳେ ମୋର ଗାଡ଼ିଖର୍ଚ୍ଚ ପଇସାତକ ଅଲଗା ରଖି ମୋପାଇଁ ଦୁଇଟି ଶସ୍ତା ଆମେରିକାନ ପ୍ୟାଣ୍ଟ ଓ ଗୋଟିଏ କୋଟ୍‍ କିଣି ପକାଇଲି । ସେଠି ପ୍ୟାଣ୍ଟର ତଳ ସିଲାଇ ହୋଇ ନଥାଏ । ତେଣୁ ତାକୁ ମୋ ଦେହକୁ ଫିଟ୍ କରି ସିଲାଇ କରିଦେବା ପାଇଁ ଗୋଟିଏ ଦରଜି ଦୋକାନକୁ ଗଲି । ସେ ଟିକିଏ ବାଗେଇ କରି ଫିଟ୍ କରିଦେବା ପାଇଁ ଯାହା ସିଲେଇ ମଜୁରୀ ଦାବି କଲା, ତାହା ଗୋଟିଏ ପ୍ୟାଣ୍ଟର ଦାମ୍ ଠାରୁ ଅଧିକା-

 

ମାର୍କିନ ଛାପ

 

ସନ୍ଧ୍ୟାରେ ଦୁଇଜଣଯାକ ଓଡ଼ିଆ ବନ୍ଧୁଙ୍କୁ ଧରି ରେଡ଼ିଓ ସିଟି ସିନେମାହଲକୁ ଗଲୁ । ବିରାଟ ପ୍ରେକ୍ଷାଳୟ, ଏକାବେଳକେ ୧୫୦୦ ଲୋକ ସିନେମା ଦେଖିପାରିବାର ବ୍ୟବସ୍ଥା ହୋଇଛି-। ସୁନ୍ଦର ଆରାମଦାୟକ ଚଉକି ପଡ଼ିଛି । ନିରବଚ୍ଛିନ୍ନ ଭାବରେ ଦିନରାତି ସବୁବେଳେ ବିଭିନ୍ନ ପ୍ରକାର ଖେଳ ଚାଲିଛି । ରିଭଲ୍‍ଭିଂ ବା ବୁଲିଯାଇ ପାରୁଥିବା ଷ୍ଟେଜ ହୋଇଥିବାରୁ, ସିନେମା, ଥିଏଟର, ନାଚ, ଜିମ୍ନାଷ୍ଟିକ୍ ବା କୁସ୍ତିକସରତ ପ୍ରଭୃତି ଖେଳ ଗୋଟାକ ପରେ ଗୋଟାଏ ଚାଲିଛି-। ପେଣ୍ଡାଲ୍‍ଟି ବୁଲି ଯାଉଛି । ଗଛପତ୍ର, ଝରଣା ଓ ଅନ୍ୟାନ୍ୟ ପ୍ରାକୃତିକ ଦୃଶ୍ୟ ଏକ ପରେ ଅନ୍ୟଟି ଦର୍ଶକଙ୍କ ଆଗକୁ ଚାଲି ଆସୁଛି । ଜଣେ ଥରେ ଟିକଟ କରି ସେ ହଲରେ ପ୍ରବେଶ କଲେ ଯେତେ ସମୟ ଇଚ୍ଛା ସେତେ ସମୟ ରହି ଯେତେଥର ଇଚ୍ଛା ଯେତେଥର ଖେଳମାନ ଦେଖିପାରିବ-। ପ୍ରେକ୍ଷାଳୟ ଭିତର ପ୍ରଧାନ ହଲକୁ ଲାଗି ଶୌଚାଗାର ଓ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ ଅଛି-

 

ବନ୍ଧୁ ଦୁହିଁଙ୍କ ସଙ୍ଗେ ବହୁତ ଦୁଃଖସୁଖ କଥାବାର୍ତ୍ତା ହେବାପରେ ଜଣେ ମୋତେ କହିଲେ, ଏଠାର ଲୋକମାନେ ବହୁତ ଉପରଠାଉରିଆ ଭଦ୍ରତା ଦେଖାନ୍ତି, ଲୋକମାନଙ୍କ କଥାରେ କୌଣସି ଆନ୍ତରିକତା ନାହିଁ । ତେଣୁ ସେମାନଙ୍କୁ ସେହିପରି ବ୍ୟବହାର ଦେଖାଇ ଏ ଦେଶରେ ଚଳିବାକୁ ହେବ । ତୁମକୁ ଏଠାରେ ବଡ଼ ଏକୁଟିଆ ଲାଗିବ । ତୁମର ନିଜର ଗାଡ଼ି ନାହିଁ, ତେଣୁ ଏକୁଟିଆ ଜୀବନରୁ ଉଦ୍ଧାର ପାଇବାକୁ ହେଲେ ତୁମକୁ ଗାଡ଼ିଥିବା ଅବିବାହିତା ବା ଛାଡ଼ପତ୍ରଦିଆ ଝିଅ ସବୁ ଯୋଗାଡ଼ କରି ତାଙ୍କ ସଙ୍ଗେ ବନ୍ଧୁତ୍ୱ କରିବାକୁ ପଡ଼ିବ । ଡେଟିଂ ବା ଝିଅଙ୍କ ସଙ୍ଗେ ସମୟକରି ସନ୍ଧ୍ୟାଯାପନ କରିବା ଏଠି ବଡ଼ ସାଧାରଣ କଥା ।

 

ଅନ୍ୟ ବନ୍ଧୁଟି ହସି ହସି କହିଲା, ତୁ ବିଚରା ଏ ଖଦଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଦାଦାଟିକୁ ଫସକାଇବାକୁ ବସିଛୁ ନା କ’ଣ ? ଏଠି ସେପରି ମହିଳା ବନ୍ଧୁ ଖୋଜିବା ଦରକାର କ’ଣ, ସେମାନେ ତ କୌଣସିମତେ ବିଭାହେବା ପାଇଁ ପୁରୁଷ ବନ୍ଧୁ ଖୋଜି ବୁଲନ୍ତି, ସେଇଥିପାଇଁତ ଡେଟିଂର ବ୍ୟବସ୍ଥା ଚଳେ । ଯେ କୌଣସି ‘‘ମହିଳାନିବାସ’’କୁ ଫୋନ୍ କରିଦେଲେ ‘‘ବ୍ଲାଇଣ୍ଡ ଡେଟ୍’’ ବା ଅଚିହ୍ନା ବନ୍ଧୁବି ମିଳିଯିବେ । ମହିଳା ବନ୍ଧୁରୁ ଯଦି କେହି ବେକରେ ଲଟକି ଯାଆନ୍ତି, ତାହାହେଲେ ଗାଁରେ ବିଚରା ‘ବଉଦି’ଟିର ଅବସ୍ଥା କ’ଣ ହେବ !’’

 

ସେ ମୋ ଆଡ଼କୁ ଚାହିଁ କହିଲା, ‘‘ତୁମେ ଯେପରି ଲୋକ ଏ ଲେଭେଡ଼ା ପ୍ରେମ ତୁମଦେଇ ହେବ ନାହିଁ । ତୁମକୁ ଏସବୁ ପୋଷାଇବ ନାହିଁ । ତୁମେ ଗଲା ସଙ୍ଗେ ସଙ୍ଗେ ଯଦି ‘ବଉଦି’ର ଫଟୋ ଦେଖାଇ ତୁମେ ବିବାହିତ ବୋଲି ପ୍ରଚାର କରିଦେବ, ତେବେ ଏ ‘ଛାରପୋକ’ ମାନେ ତୁମ ସାଙ୍ଗରେ ଲାଗିବେନି । ତୁମଭଳି ଲୋକଙ୍କୁ ଫାମିଲି ଫ୍ରେଣ୍ଡ୍ ବା ଘରୁଆ ସାଙ୍ଗ ଅଭାବ ରହିବେ ନାହିଁ । ତୁମେବି ସଭା ସମିତିବାଲା । ଏ ଦେଶରେ ତୁମର ଛୁଟି ସମୟରେ ବିଭିନ୍ନ ଅନୁଷ୍ଠାନର ଲୋକମାନେବି ଆସି ତୁମକୁ ଭିଡ଼ାଭିଡ଼ି କରିବେ, ନହେଲେ ହସ୍‍ପିଟାଲ କାମ ସରିଲେ ତୁମେ ଲେଖାଲେଖି ଓ କବିତା ରଚନାରେବି ସମୟ କଟାଇ ପାରିବ ।’’

 

ପରଦିନ ମୋର ଯାତ୍ରାର ଶେଷ ଅଧ୍ୟାୟ ଆରମ୍ଭ କଲି । ସେ ଦୁଇ ଓଡ଼ିଆ ବନ୍ଧୁଙ୍କ ଭିତରୁ ଜଣେ ମୋତେ ପେନସିଲଭାନିଆ ଷ୍ଟେସନ୍‍ରେ ଗାଡ଼ିରେ ବସାଇ ବିଦାୟ ନେଲେ । ନିଉୟର୍କର ନଭଶ୍ଚୁମ୍ୱୀ ଅଟ୍ଟାଳିକା ଓ ଅଣନିଃଶ୍ୱାସିଆ ମଣିଷର ପ୍ରଖର ସ୍ରୋତକୁ ପଛରେ ପକାଇ ଆମେରିକା ଯୁକ୍ତରାଷ୍ଟ୍ରର ଉତ୍ତର ଅଞ୍ଚଳରୁ ଦକ୍ଷିଣ ଅଞ୍ଚଳକୁ ଗାଡ଼ି ଚାଲିଲା ।

 

ବିଦେଶୀ ଧାରଣା

 

ମନେର କେତେକଅଣ ଭାବନା ଆସି ଓଲଟପାଲଟ ହେଲା । ଦୁଇବନ୍ଧୁଙ୍କ ଥଟା ପରିହାସ ଭିତରେ ଥିବା ଲୁକ୍କାୟିତ ଉପଦେଶବି ମୋ ମନରେ ଗାର ପକାଇଥିଲା, ଆମୋଦ ପ୍ରମୋଦରେ ବା ଶସ୍ତା ଆମେରିକା ଝିଅଙ୍କ ସଙ୍ଗେ ସମୟ ନ କଟାଇ ନିଜର ବିଦ୍ୟା ଅର୍ଜନ ସଙ୍ଗେ ସଙ୍ଗେ ଆମେରିକାକୁ ପ୍ରକୃତରୂପେ ଚିହ୍ନିବାକୁ ଓ ସାଧାରଣ ଆମେରିକାବାସୀଙ୍କୁ ଓତପ୍ରୋତ ଭାବରେ ଜାଣିବାକୁ ମୋ ମନରେ ପ୍ରବଳ ଆକାଂକ୍ଷା ଜାତ ହେଲା । ଗୋଟିଏ ଦେଶର ଲୋକଙ୍କ ପ୍ରକୃତ ଅବସ୍ଥା ବା ସଂସ୍କୃତି ସହିତ ସମ୍ପୂର୍ଣ୍ଣ ପରିଚିତ ହେବା ବଡ଼ କଷ୍ଟକର ବ୍ୟାପର । କେବଳ କେତୋଟି ସହରର କୋଠା, ଦୋକାନ ବଜାର ଓ ସମବ୍ୟବସାୟୀଙ୍କ ସହିତ ପରିଚିତ ହୋଇ ବା ଆମୋଦ ପ୍ରମୋଦରେ ଭାଗ ନେଇ କେହି ସେ ଦେଶର ପ୍ରକୃତ ଚିତ୍ର ଆଙ୍କି ପାରିବ ନାହିଁ ।

 

ଯେ କୌଣସି ଦେଶର ଲୋକ ଉପରେ ତା’ର ଜନ୍ମସ୍ଥାନ, ଘର, ଦୋକାନ ବଜାର, ସ୍କୁଲ୍‍, ଲୋକାଚାର ଓ ଜାତିର ଇତିହାସ ପ୍ରକୃତିର ପ୍ରଭାବ ପଡ଼ିଥାଏ । ସେ ଦେଶର ପାଣି ପବନରେ ସେ ବଢ଼ିଥାଏ । ଗୋଟିଏ ଦେଶର କୌଣସି ବ୍ୟକ୍ତିର ଚାଲିଚଳନ, ଆଚାର ବ୍ୟବହାର ଅନ୍ୟ ଦେଶର ଲୋକଙ୍କ ଆଖିରେ ଅଦ୍ଭୁତ ଦେଖାଯାଇପାରେ କିନ୍ତୁ ସେ ଦେଶର ଲୋକ ଯେଉଁ ଆବହାୱାରେ ବଢ଼ିଚି ଓ ତାକୁ ଯେଉଁ ପରିସ୍ଥିତି ଗଢ଼ିଚି ସେ କଥା ହୃଦୟଙ୍ଗମ ନକରି ସେ ଲୋକକୁ ଉପରଠାଉରିଆ ଭାବରେ ଦୂରରୁ ଦେଖି ତା’ର ପ୍ରକୃତରୂପ ଜାଣିପାରିବା ଅସମ୍ଭବ । ସେ ଲୋକଙ୍କ ସଙ୍ଗେ ଭଲ ଭାବରେ ମିଶି ତାଙ୍କର ଭାବଧାରା ସହିତ ପରିଚିତ ହେଲେ ସେ ଦେଶକୁ ଜାଣିହେବ ।

 

ଦେଶ ସମ୍ୱନ୍ଧରେ ଉପରଠାଉରିଆ ଧାରଣା ବିଷୟରେ ଘଟିଥିବା କେତୋଟି ଘଟଣା ଏଠାରେ ବର୍ଣ୍ଣନା କଲେ ଅପ୍ରାସଙ୍ଗିକ ହେବ ନାହିଁ ।

 

ମୁଁ ଥରେ ମୋର ଆଖି ପରୀକ୍ଷା କରି ଚଶମା ବଦଳାଇବା ପାଇଁ ଆମେରିକାର ଗୋଟିଏ ସହରର ଆଖି ଡାକ୍ତରଙ୍କ କ୍ଲିନିକ୍‍କୁ ଯାଇଥିଲି । ମୁଁ ସେଠାରେ ପହଞ୍ଚିବାପୂର୍ବରୁ କେତୋଟି ଆମେରିକାନ ଲୋକ ସେ ଅପେକ୍ଷାଗୃହରେ ବସି କଥାବାର୍ତ୍ତା ହେଉଥିଲେ । ସେଥିରୁ ଜଣେ ଭାରତ ବିଷୟରେ ଅନର୍ଗଳ ବକ୍ତୃତା ଦେଉଥିଲେ । ଭାରତର ସନ୍ନ୍ୟାସୀ, ସାପୁଆକେଳା, ଦଉଡ଼ି ଉପରେ ଉଠି ଆକାଶରେ ଉଭାଇ ଯାଉଥିବା ରୋପଟ୍ରିକ୍ ପ୍ରଭୃତି ବିଷୟରେ ବହୁକଥା କହୁଥିଲେ । ମୁଁ ନୀରବରେ ବସି ସେ ସବୁ ଶୁଣୁଥାଏ ।

 

ମୁଁ ଆଗରୁ ସେ ଡାକ୍ତରଙ୍କୁ ନିଜ ପରିଚୟ ଦେଇ ସମୟ ଧାର୍ଯ୍ୟ କରି ସେଠାକୁ ଯାଇଥାଏ । ହଠାତ୍ ସେଠାକୁ ସେ ଡାକ୍ତର ପଶିଆସି ମୋ ସଙ୍ଗେ କରମର୍ଦ୍ଦନ କଲେ ଓ ମୁଁ ଜଣେ ଭାରତୀୟ ଡାକ୍ତର ବୋଲି ଅନ୍ୟମାନଙ୍କୁ ଚିହ୍ନାଇ ଦେଲେ । ବକ୍ତୃତା କରୁଥିବା ଭଦ୍ରଲୋକଙ୍କୁ ଚାହିଁ କହିଲେ, ‘ଆପଣ ତ ଜଣେ ଭାରତଫେରନ୍ତା, ଭାରତ ବିଷୟରେ ବହୁ ତଥ୍ୟ ଜାଣିଛନ୍ତି । ମୋର ଆଉଟିକିଏ କାମ ବାକି ଅଛି । ମୁଁ ସେ କାମ ସାରି ଫେରିବା ପର୍ଯ୍ୟନ୍ତ ଆପଣମାନଙ୍କୁ ଅପେକ୍ଷା କରିବାକୁ ହେବ, ତେଣୁ ଆପଣ ଏ ଭାରତୀୟ ଡାକ୍ତରଙ୍କ ସଙ୍ଗେ ମଧୁର ଆଳାପ କରନ୍ତୁ । ମୁଁ ଆସୁଛି, ଏହା କହି ସେ ତାଙ୍କ ପରୀକ୍ଷାଗାରକୁ ଫେରିଗଲେ ।

 

ଆମେରିକାର ସହରଗୁଡ଼ିକ ଅତି ପରିଷ୍କାର ପରିଚ୍ଛନ୍ନ । ବିଜ୍ଞାନ ଓ ଯାନ୍ତ୍ରିକ ଯୁଗର ପ୍ରଭାବରେ ଅଳିଆଗଦା, ନର୍ଦ୍ଦମା ଓ ମଶାମାଛିମାନଙ୍କର ପ୍ରାଦୁର୍ଭାବ ପ୍ରାୟ ନାହିଁ କହିଲେ ଚଳେ । ଭଦ୍ରଲୋକ ଗଦ୍‍ଗଦ ହୋଇ ମୋ ସଙ୍ଗେ ଆଳାପ ଆରମ୍ଭ କରିଲାବେଳକୁ କେଉଁଠୁଁ ଗୋଟାଏ ମାଛି ସେହିସ୍ଥାନକୁ ପଶିଆସିଲା । ମାଛିଟିକୁ ଦେଖି ବକ୍ତା ଅଧୀର ହୋଇ କହିଲେ, ଦେଶ ବର୍ମ୍ମାର ରେଙ୍ଗୁନ ସହର ପରି ଏ ଦେଶରେ ମଧ୍ୟ ମାଛି ଅଛନ୍ତି, କିନ୍ତୁ ଭାରତ ଟ୍ରପିକାଲ ଦେଶ ହେଲେ ମଧ୍ୟ ସେ ଦେଶ ଏଡ଼େ ସଫାସୁତୁରା ଯେ ସେଠାରେ ଗୋଟିଏ ହେଲେ ମାଛି ମୁଁ ଦେଖିନାହିଁ । ତାଙ୍କର ସେକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି । ହଠାତ୍ ମୋ ପାଟିରୁ ବାହାରି ପଡ଼ିଲା-ମହାଶୟ, ଆପଣ କେବେ ଭାରତ ଯାଇଥିଲେ ଓ କେଉଁ କେଉଁ ସ୍ଥାନ ବୁଲି ଦେଖିଥିଲେ ? ସେତେବେଳକୁ ସେ ଲୋକ ଉପରେ ମୁଁ ମନେମନେ ଚିଡ଼ି ଉଠିଲିଣି ଓ ମୋ ଆଗରେ ସେ ଭାରତକୁ ବିଦ୍ରୂପ କରୁଛନ୍ତି ବୋଲି ଧରିନେଲିଣି ।

 

ସେ ମୋର ପ୍ରଶ୍ନର ଉତ୍ତରରେ କହିଲେ ‘‘ମୁଁ ଦ୍ୱିତୀୟ ମହାସମରବେଳେ ସୈନ୍ୟବାହିନୀରେ ଯୋଗଦେଇ ଜଣେ ଯୁଦ୍ଧ ସାମ୍ୱାଦିକ ଭାବରେ ବର୍ମ୍ମାର ରେଙ୍ଗୁନକୁ ପଠାଯାଇଥିଲି । କିଛିଦିନ ପରେ ରେଙ୍ଗୁନରୁ ଆମେରିକା ଫେରିବା ବାଟରେ ଉଡ଼ାଜାହାଜରେ ଯାଇ ସନ୍ଧ୍ୟାରେ କଲିକତାରେ ପହଞ୍ଚି ସେଠାରେ ଗ୍ରେଟଇଷ୍ଟର୍ଣ୍ଣ ହୋଟେଲରେ ବିଶ୍ରାମ ନେଲି । ରାତ୍ରି ଶେଷରେ କଲିକତାରୁ ବମ୍ୱେ ଯାତ୍ରା କରି କିଛି ସମୟପାଇଁ ବମ୍ୱେର ‘ତାଜ ମହଲ’ ହୋଟେଲରେ ରହିବା ପରେ ଆମେରିକା ଚାଲି ଆସିଲି । ବେଶୀ ସମୟ ନଥିଲେ ମଧ୍ୟ ମୋତେ ଭାରତ ବଡ଼ ଭଲ ଲାଗିଥିଲା ।’’

 

ଯୁଦ୍ଧ ସମୟରେ କଲିକତା ବମ୍ୱେରେ ଆଲୁଅ କଟକଣା ଯୋଗୁଁ ଚାରିଆଡ଼ ପ୍ରାୟ ଅନ୍ଧାର-। ସେ ଜଣେ ସୈନିକ । ତେଣୁ ପିଆପିଇ ମଧ୍ୟ ଯଥେଷ୍ଟ କରିଥିବେ, ତେଣୁ ସେତେବେଳେ ସେ ହୋସ୍‍ରେ ଥିବେ କି ନାହିଁ କହିବା କଷ୍ଟ, ତେଣୁ ତାଙ୍କର ଏପରି ଉକ୍ତିରେ ମୋର ଆଶ୍ଚର୍ଯ୍ୟ ହେବାର ଆଉ କିଛି ନଥିଲା ।

 

ସେ ଭାରତକୁ ଯେପରି ଦେଖିଲେ ଦେଶ ଦେଶ ଭିତରେ ସେପରି ଦେଖାବି ଏବେ ଚାଲିଛି । କମ୍ୟୁନିଷ୍ଟ, କୃଷକ, ଶ୍ରମିକ ପ୍ରଭୃତିମାନଙ୍କ ପ୍ରତିନିଧିମାନେ ବିଦେଶ ଯାଇ ସେମାନଙ୍କୁ ଯେତିକି ଦେଖା ଯାଉଛି ସେତିକି ଦେଖି ସେ ଦେଶ ବିଷୟରେ ଧାରଣା ନେଇ ଫେରୁଛନ୍ତି ।

 

ବଡ଼ବଡ଼ ରାଷ୍ଟ୍ରନେତାମାନେ ଅଫିସର ଓ ସାମ୍ୱାଦିକଙ୍କ ଗହଣରେ ବିଭିନ୍ନ ଦେଶର ପରିଦର୍ଶନରେ ଯାଉଛନ୍ତି । ସେମାନଙ୍କୁ ସେ ଦେଶମାନଙ୍କରେ ଆଗରୁ ଯୋଗାଡ଼ କରି ଯେପରି ସମ୍ୱର୍ଦ୍ଧନା ଦିଆଯାଏ ଓ ଯେପରି ନେଇ ଯାହା ସବୁ ଦେଖାଇ ଅଭ୍ୟର୍ଥନା କରାଯାଏ, ସେଥିରେ ସେମାନେ ଯେଉଁସବୁ ଧାରଣ ଧରି ଘରକୁ ଫେରନ୍ତି ତାହାବି ଠିକ୍ ପୂର୍ବୋକ୍ତା ବକ୍ତାଙ୍କ ଧାରଣା ଭଳି-

 

ଦୃଷ୍ଟାନ୍ତସ୍ୱରୂପ, ଅଳ୍ପ କେତେକାଳ ତଳେ ଆମେରିକା ରାଷ୍ଟ୍ରପତି ଜିମିକାର୍ଟରଙ୍କ ଭାରତ ପରିଦର୍ଶନ କଥା ଖବରକାଗଜରୁ ପଢ଼ିବା ଅନେକଙ୍କର ମନେଥିବ । କାର୍ଟର ତାଙ୍କ ସ୍ୱତନ୍ତ୍ର ବିମାନରୁ ଓହ୍ଲାଇବାପରେ ତାଙ୍କୁ ଏରୋଡ଼୍ରମରୁ ସୁଶୋଭିତ ଦିଲ୍ଲୀ ସହରର ସବୁଠାରୁ ପରିଷ୍କାର ଭି.ଆଇ.ପି. ରାସ୍ତାର ନାନା ସୁସଜ୍ଜିତ ତୋରଣ ତଳେ ହଜାର ହଜାର ଲୋକଙ୍କ ଅଭ୍ୟର୍ଥନା ସହିତ ସୌନ୍ଦର୍ଯ୍ୟପୂର୍ଣ୍ଣ ରାଷ୍ଟ୍ରପତି ଭବନକୁ ନିଆଯାଇଥିଲା । ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡ଼େନ୍‍ରେ ଭୋଜି ଦେଇ, ଆଗ୍ରାର ତାଜମହଲ, ପଞ୍ଜାବର ସମୃଦ୍ଧ ଗ୍ରାମ ଦୌଲତପୁର ଦେଖାଇ ତୃପ୍ତ କରାଯାଇଥିଲା । ସେ ଆମେରିକା ଫେରିଯିବା ପୂର୍ବରୁ ଭାରତ ଉନ୍ନତି ପଥରେ ଖୁବ୍ ଅଗ୍ରସର କରିଛି ବୋଲି, ଭାରତ ପାର୍ଲିଆମେଣ୍ଟ୍‍ରେ ବକ୍ତୃତା ଦେଇ ଓ ସାମ୍ୱାଦିକମାନଙ୍କୁ ଜଣାଇ ୱାସିଂଟନ ଫେରି ଯାଇଥିଲେ ।

 

ସେତେବେଳେ ବିନା ନାମରେ ଏ ଲେଖକଙ୍କର ଯେଉଁ କବିତାଟି ଓଡ଼ିଶାର ନାମଧନ୍ୟ ବ୍ୟଙ୍ଗ ପତ୍ରିକା ନିଆଁଖୁଣ୍ଟାରେ ପ୍ରକାଶିତ ହୋଇଥିଲା ତା’ର କେତେ ପଦ ନିମ୍ନରେ ଦିଆଗଲା :

 

ଦେଖିଲ ‘କାର୍ଟର’ ଦିଲ୍ଲୀ ସହରକୁ ତୋରଣ ତଳେ

ଅଭ୍ୟର୍ଥନା ଘେନି ଶତ ଶତ ଯହିଁ ମଶାଲ ଜଳେ

ଫୁଲମାନ ଦେଲେ ହାତଧରି ନେଲେ ଶାସକ ଦଳ

ଦେଖିଲ ତ ‘ଆଗ୍ରା’ ଦେଖିଲ ସମୃଦ୍ଧ ‘ଦୌଲତପୁର’

ନ ଦେଖିଲ ତୁମେ ଗ୍ରାମ୍ୟ ଭାରତରେ ରହିଛି ଯହିଁ

କତରା କାଖେଇ ଶୀର୍ଣ୍ଣ ଯଉବନୀ ଦୋକାନେ ଚାହିଁ

କର, ଦର, ଭାରେ ଯାଉଛି ମଣିଷ ମାଟିରେ ମିଶି

‘ଟାଉଟର’ ଯହିଁ ଆଗେଇ ଚାଲିଛି ଗାଁରେ ପଶି ।

 

ମୁଁ ମୋର କାର୍ଯ୍ୟସ୍ଥଳୀରେ ପହଞ୍ଚିବା ପରେ ମୁଁ ଯେପରି ସେ ଦେଶକୁ ପ୍ରକୃତ ଭାବରେ ଦେଖିପାରିବି, ସେଥିପାଇଁ ମନେମନେ ସତର୍କ ରହିଲି ।

Image

 

Unknown

ବନ୍ଧୁତାର ଡୋରି

ଚାଟାନୁଗା ସହର

 

ନିଉୟର୍କ ସହର ଛାଡ଼ିବାର ପ୍ରାୟ ଚବିଶିଘଣ୍ଟା ପରେ ମୋର ଟ୍ରେନ୍‍ ଚାଟାନୁଗା ଷ୍ଟେସନ୍‍ରେ ପହଞ୍ଚିଲା । ମୋ ପୂର୍ବରୁ ସେଠାରେ ଉଚ୍ଚଶିକ୍ଷା କରୁଥିବା ଭାରତର ପାତିଆଲାବାସୀ ଡାକ୍ତର ସାଗରଦତ୍ତ ସିକଣ୍ଡ ମୁଁ ଯୋଗ ଦେବାକୁ ଯାଉଥିବା ପାଥୋଲଜି ବିଭାଗର ଦୁଇଜଣ ଆମେରିକୀୟ ଡାକ୍ତରଙ୍କୁ ଧରି ଷ୍ଟେସନ୍‍କୁ ଆସିଥିଲେ । ସେମାନେ ମୋତେ ପାଛୋଟି ନେଲେ ।

 

ହସ୍‍ପିଟାଲରେ ଆସି ପହଞ୍ଚିବା ସଙ୍ଗେ ସଙ୍ଗେ ହସ୍‍ପିଟାଲର ଡାଇରେକ୍ଟର୍ ଡାକ୍ତର ବ୍ରାଣ୍ଟନ ଓ ମୋ ବିଭାଗର ମୁଖ୍ୟ ଡାକ୍ତର ଆଡ଼ାମସ୍ ପ୍ରଭୃତି ‘ଚାଟାନୁଗାକୁ ସ୍ୱାଗତ କରୁଛୁ’ ବୋଲି ମୋତେ ସମ୍ୱର୍ଦ୍ଧନା ଜଣାଇଲେ । ସାମ୍ୱାଦିକମାନେ ଆମର ଫଟୋ ନେଇ ଆଉ ଜଣେ ଭାରତୀୟ ଡାକ୍ତର ଏରଲାଙ୍ଗର ହସ୍‍ପିଟାଲରେ ଯୋଗ ଦେଲେ ବୋଲି ‘ଚାଟାନୁଗା ଟାଇମ୍‍ସ’ ପତ୍ରିକାରେ ଛପାଇ ଦେଲେ ।

 

କୁବେରପୁରୀ ଆମେରିକାର ଟେନେସି ନଦୀକୂଳରେ ଋତୁରାଜ ବସନ୍ତଙ୍କ ରାଜଧାନୀ ପରି ଶୋଭା ପାଉଛି ଚାଟାନୁଗା ସହର । ଏ ସ୍ଥାନର ନାମଟି ଦେଇଥିଲେ ସେଠାର ପୂର୍ବତନ ଅଧିବାସୀ ଲୋହିତ ଭାରତୀୟମାନେ । ସେଠାରେ ସେମାନେ ତାଙ୍କର ସମସ୍ତ ଅସ୍ତିତ୍ୱ ହରାଇଲେଣି-। କାଁଭାଁ ଜଣେ ଅଧେ ଲୋହିତ ଭାରତୀୟ ଦେଖିବାକୁ ମିଳନ୍ତି । କିନ୍ତୁ ସେମାନଙ୍କଦ୍ୱାରା ଦିଆହୋଇଥିବା ନାମଗୁଡ଼ିକ ଏବେବି ପ୍ରଚଳିତ ଅଛି ।

 

ସେଠାରେ ପ୍ରବଳ ଶୀତ ଓ ଉତ୍ତପ୍ତ ଗ୍ରୀଷ୍ମର ପ୍ରଭାବ ନାହିଁ । ସେ ସହରର ଗୋଟିଏ ପଟେ ଗଢ଼ା ହୋଇଛି ଆଧୁନିକ ବିଜ୍ଞାନକୌଶଳର ଜୀବନ୍ତ ମୂର୍ତ୍ତି ଚିକାମୁଗା ଡ୍ୟାମ୍ ଏହି ଡ୍ୟାମ୍‍ଟି ଟେନେସି ନଦୀର ଜଳକୁ ଧରି ରଖି ଟେନେସି ଓ ଅନ୍ୟାନ୍ୟ କେତେକ ଦାକ୍ଷିଣାତ୍ୟ ପ୍ରଦେଶଙ୍କୁ ଚିର-ଶସ୍ୟଶ୍ୟାମଳା କରିପାରିଛି । ନଦୀଟିକୁ ନୌଯାତ୍ରା ଓ ନୌବାଣିଜ୍ୟର କୋଳାହଳରେ ମୁଖରିତ କରିଛି ଓ ବିଜୁଳି ଉତ୍ପାଦନଦ୍ୱାରା ଚାରିପଟେ ଗୁଡ଼ିଏ ଶିଳ୍ପକେନ୍ଦ୍ର ଗଢ଼ି ଉଠି ସେ ଦେଶକୁ ସମୃଦ୍ଧ କରିଛି । ସେହିଠାରୁ ତାଲିମ ନେଇ ସେଇ ଛାଞ୍ଚରେ ଭାରତୀୟ ଇଞ୍ଜିନିୟର୍‍ମାନେ ଗଢ଼ିଛନ୍ତି ଓଡ଼ିଶାର ହୀରାକୁଦ ଓ ବଙ୍ଗଳାର ଦାମୋଦର ଡ୍ୟାମ୍ ପ୍ରଭୃତି ।

 

ସହରର ଅନ୍ୟପଟେ ଦର୍ଶକମନୋହାରୀ ବିଖ୍ୟାତ ପ୍ରମୋଦ ଉଦ୍ୟାନ ଲୁକଆଉଟ ପର୍ବତ । ସେଠାରେ ‘କୋକାକୋଲା’ ଶିଳ୍ପପତିଙ୍କ ପରି ବହୁ ଶିଳ୍ପପତିଙ୍କ ଆମୋଦପ୍ରାସାଦ ସବୁ ବିଦ୍ୟମାନ । ଆମୋଦପ୍ରମୋଦ ପାଇଁ ସେଠାରେ ବିଭିନ୍ନ ହୋଟେଲ, ଆକାଶ ରେଳପଥ, ଆମୋଦ ଗୃହ ଓ ପୁଷ୍ପ ଉଦ୍ୟାନ ସବୁ ରହିଛି ।

 

ସହରଟିର ପରିବେଶ ମୋତେ ବଡ଼ ଭଲ ଲାଗିଲା । ଯୁକ୍ତରାଷ୍ଟ୍ରର ଦାକ୍ଷିଣାତ୍ୟ ଅଞ୍ଚଳ ଆତିଥେୟତା ପାଇଁ ପ୍ରସିଦ୍ଧ । ସେଠାର ଲୋକମାନେ ବିଦେଶୀମାନଙ୍କୁ ତାଙ୍କ ଦେଶର ଓ ନିଜର ଅତିଥି ଭାବରେ ଦେଖନ୍ତି ଓ ଖୁବ୍ ଭଲ ବ୍ୟବହାର କରନ୍ତି ।

 

ମୋର ହସ୍‍ପିଟାଲଟି ଏରଲାଙ୍ଗର ନାମକ ଜଣେ ବ୍ୟାରେନ ବା ଜମିଦାରଙ୍କ ଦାନରେ ଆରମ୍ଭ ହୋଇଥିବାରୁ ତାଙ୍କ ନାମ ଅନୁସାରେ ବ୍ୟାରେନେସ ଏରଲାଙ୍ଗର ହସ୍‍ପିଟାଲ ବୋଲି ନାମିତ ହୋଇଥିଲା । ଏବେ ତାହା ଏକ ବିରାଟ ଅନୁଷ୍ଠାନରେ ପରିଣତ ହୋଇଛି ଓ ନାନା ଦେଶର ଡାକ୍ତରମାନେ ସେଠି ଡାକ୍ତରୀ ବିଦ୍ୟାର ଉଚ୍ଚଶିକ୍ଷାରେ ତାଲିମ ପାଉଛନ୍ତି । ସ୍ନାତକୋତ୍ତର ଡାକ୍ତରମାନେ ରହିବା ଛାତ୍ରାବାସର ନାମ ‘ଲୁପ୍‍ଟେନ୍’ ହଲ୍ । ମୋତେ ସେଠାରେ ଗୋଟିଏ କୋଠରୀ ମିଳିଲା । ଡାକ୍ତର ସିକଣ୍ଡ ଓ ମୁଁ ଧରାଧରି କରି ମୋ ଟ୍ରଙ୍କ୍‍ଟି ନେଇ ସେ କୋଠରୀରେ ରଖିଲୁ ।

 

ବନ୍ଧୁ ପ୍ରାପ୍ତି

 

ମୁଁ ଡାକ୍ତର ସିକଣ୍ଡଙ୍କ ସଙ୍ଗେ ଯାଇ ହସ୍‍ପିଟାଲ ଓ ପାଥୋଲଜି ବିଭାଗ ବୁଲି ଦେଖିଲି । ସେ ସମସ୍ତଙ୍କ ସଙ୍ଗେ ମୋର ପରିଚୟ କରାଇ ଦେଲେ । ମୁଁ ମୋର କୋଠରୀକୁ ଆସି ମୋର ଜିନିଷପତ୍ର ସଜାସଜି କରୁଛି, ହଠାତ୍ ମୋ ଫୋନ୍‍ଟି କ୍ରିଂ କ୍ରିଂ ହୋଇ ବାଜି ଉଠିଲା । ଡାକ୍ତର ସିକଣ୍ଡ ବା ମୋ ବିଭାଗର କେହି ଡାକୁଥିବେ ଭାବି ମୁଁ ଫୋନ୍‍ଟି ଉଠାଇ କାନରେ ଦେଲି ।

 

କୌଣସି ଅଜଣା ଲୋକର ସ୍ୱର ଶୁଣି, ସେ କିଏ ଓ କାହିଁକି ମୋତେ ଫୋନ୍ କରୁଛନ୍ତି ବୋଲି ପଚାରିଲି । ସେ ଭଦ୍ରଲୋକ ଜଣେ ଇଞ୍ଜିନିୟର୍, ତାଙ୍କ ନାମ ଜେମ୍‍ସ ୱାଗନର ବୋଲି ସେ ନିଜର ପରିଚୟ ଦେଲେ । ତାଙ୍କ ଗୃହରେ ସାନ୍ଧ୍ୟଭୋଜନ ପାଇଁ ସେ ମୋତେ ନିମନ୍ତ୍ରଣ କଲେ ।

 

ମୁଁ ସେଠାରେ ଏକାବେଳକେ ନୂଆ । ସେ ଭଦ୍ରଲୋକଙ୍କ ସଙ୍ଗେ ମୋର ଦେଖା ହୋଇନାହିଁ କି ପୂର୍ବରୁ କୌଣସି ସୂତ୍ରରେ ଚିହ୍ନାପରିଚୟ ନାହିଁ । ସେ ମୋତେ କିପରି ଚିହ୍ନିଲେ ଓ କାହିଁକି ନିମନ୍ତ୍ରଣ କରୁଛନ୍ତି, ଏ ସବୁ ଭାବି ମୁଁ ଟିକିଏ ଥତମତ ହେଲି । ସେ ପୁଣି କହିଲେ ‘‘ଆମେ ଭାରତର ବନ୍ଧୁ । ଯେଉଁ ଭାରତୀୟମାନେ ଏ ସ୍ଥାନକୁ ଆସନ୍ତି, ସେମାନଙ୍କ ସଙ୍ଗେ ଆମେ ବନ୍ଧୁତା କରୁ ।’’

 

ମୁଁ କହିଲି, ‘‘ମୁଁ ତ ଏଠାରେ ନୂଆ ଲୋକ ଏଠାରେ ରାସ୍ତାଘାଟ ସହିତ ଆଦୌ ପରିଚିତ ନୁହେଁ । ଏଠାଲୋକଙ୍କ ଭାଷାବି ମୁଁ ଭଲ ଭାବରେ ବୁଝିପାରୁ ନାହିଁ । ଆପଣ ମୋତେ ଆପଣଙ୍କ ଘରର ଠିକଣା ଦେଲେବି ମୁଁ ବାଟ ଚିହ୍ନି ଆପଣଙ୍କ ଘରେ ଠିକ୍ ସମୟରେ ପହଞ୍ଚି ପାରିବି କି ନାହିଁ ମୋର ସନ୍ଦେହ ହେଉଛି । ତା’ପରେ ଆପଣ ତ ମୋତେ କେବେ ଦେଖି ନାହାନ୍ତି, ତେଣୁ ମୋତେ ଦେଖିଲେ ବା ଆପଣ ଚିହ୍ନିବେ କିପରି ? ସେ ହସି ହସି କହିଲେ ଜଣେ ଭାରତୀୟ ବନ୍ଧୁଙ୍କୁ ଚିହ୍ନିବାକୁ ମୋତେ ବିଶେଷ କଷ୍ଟ ହେବ ନାହିଁ । ମୋତେ ଏ ସ୍ଥାନର ବାଟଘାଟ ସବୁ ଜଣା । ମୁଁ ମୋର ଗାଡ଼ି ନେଇ ସନ୍ଧ୍ୟା ଛଅଟାରେ ଆପଣଙ୍କ ହଷ୍ଟେଲ୍‍କୁ ଯାଇ ଆପଣଙ୍କୁ ମୋ ସଙ୍ଗରେ ଘେନି ଆସିବି ।’’

 

ଅଳ୍ପ ସମୟ ପରେ ସିକଣ୍ଡ ମୋ ରୁମ୍‍କୁ ଆସିଲେ । ତାଙ୍କ ସଙ୍ଗେ ସେ ସବୁ ବିଷୟରେ କଥାବାର୍ତ୍ତା ହେଲି । ସେ କହିଲେ, ତାଙ୍କୁ ମଧ୍ୟ ସେ ସାନ୍ଧ୍ୟଭୋଜିକୁ ନିମନ୍ତ୍ରଣ ଅଛି । ମୋର ତ ବିଶେଷ କିଛି ପୋଷାକପତ୍ର ନ ଥାଏ । ମୁଁ ଦୋଦୋପାଞ୍ଚ ହୋଇ କହିଲି ‘‘ବିଲାତ ଆମେରିକାରେ ଭଦ୍ରସମାଜର ଭୋଜିରେ ଡିନର ଡ୍ରେସ୍ ଦରକାର ବୋଲି ମୁଁ ଶୁଣିଛି । ମୋର ତ ସେ ପୋଷାକ ନାହିଁ, ଡିନର ଟାଇ ଖଣ୍ଡିଏ ମଧ୍ୟ ନାହିଁ, ମୁଁ କିପରି ଯିବି । ସେମାନେ ହୁଏତ ମୋର ପୋଷାକ ଦେଖି ଅଟ୍ଟହାସ୍ୟ କରିବେ ।’’ ମୋ କଥା ଶୁଣି ସେ କହିଲେ ‘‘ଏଇଟା ‘ବିଲାତ’ ନୁହେଁ ଏଠାରେ କୌଣସି ସମାଜରେ ଆଦବକାଇଦା କିଛି ଧରା ଯାଏଁ ନାହିଁ । ଯିଏ ଯେ କୌଣସି ପୋଷାକରେ ଭୋଜିମାନଙ୍କରେ ଯୋଗ ଦେଇପାରେ । ଏପରିକି ଖାଇବାବେଳେ କଣ୍ଟାଚାମଚ, ଛୁରି ପ୍ରଭୃତି ନ ଧରି ହାତ ଲଗାଇ ମଧ୍ୟ ଖାଇପାରେ । ସେଠାର ଲୋକେ ଦୁଇହାତରେ କୁକୁଡ଼ା ଗୋଡ଼ ଧରି ଖାଆନ୍ତି । ତୁମର ଏ ସବୁପାଇଁ ଚିନ୍ତା କରିବା ଦରକାର ନାହିଁ ।’’ ଏହା କହି ସେ ନିଜ କାମରେ ଚାଲିଗଲେ ।

 

ଠିକ୍ ସନ୍ଧ୍ୟା ଛ’ଟାବେଳେ ଇଞ୍ଜିନିୟର୍ ଜେମସ୍ ସାହେବ, ଡାକ୍ତର ସିକଣ୍ଡ ଓ ଡାକ୍ତର ଆଣ୍ଡିଙ୍କୁ ସଙ୍ଗରେ ଧରି ମୋ ପାଖରେ ପହଞ୍ଚିଲେ । ବାଟରେ କଥାବାର୍ତ୍ତାରୁ ବୁଝିଲି, ସେ ଟେନିସିଭାଲି ପ୍ରୋଜେକ୍ଟର୍ ଚିକାମୁଗା ଡ୍ୟାମ୍‍ରେ କାମ କରନ୍ତି । ଚିକାମୁଗା ଡ୍ୟାମ୍ ନିକଟରେ ଟ୍ରେନିଙ୍ଗ୍ ନେବାକୁ ଆଗରୁ ଅନେକ ଭାରତୀୟ ଇଞ୍ଜିନିୟର୍ ଆସିଥିଲେ । ସେମାନଙ୍କ ସଙ୍ଗେ କାମ କରିବା ସମୟରେ ସେମାନଙ୍କ ସଙ୍ଗେ ବନ୍ଧୁତାଦ୍ୱାରା ଭାରତର ଲୋକ ଓ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ମମତା ଜନ୍ମିଛି ।

 

ତାଙ୍କ ଦୁଆରେ ମଟର ଲାଗିଲା । ଦୁଆର ଖୋଲିଲାରୁ ଜଣେ ଶାଢ଼ିପରିହିତା ଗୌରାଙ୍ଗ ରମଣୀ ଆମକୁ ପାଛୋଟି ନେବାକୁ ଆସିଲେ । ସେ ଆମ ଉଦ୍ଦେଶ୍ୟରେ ଆମପରି ହାତଯୋଡ଼ି ‘ନମସ୍ତେ’ ବୋଲି କହିଲେ । ମୁଁ ହିନ୍ଦୀରେ ଆଉ ପଦେଅଧେ କହିବାକୁ ଉଦ୍ୟତ ହେବାରୁ ହାତ ହଲାଇ (ନୋ ମୋର ହିନ୍ଦୀ) ଅଧିକା ହିନ୍ଦୀ ଭାଷା ଜଣାନାହିଁ ବୋଲି ଜଣାଇ ହସିଲେ ଓ ତାଙ୍କୁ ଏଭଲିନ୍ ବୋଲି ସମ୍ୱୋଧନ କରିବାକୁ ଆମକୁ ଅନୁରୋଧ କଲେ ।

 

ପ୍ରୌଢ଼ ଓ୍ୟାଗନର ଦମ୍ପତିଙ୍କ ପିଲାପିଲି ନ ଥାନ୍ତି । ଘରେ ଗୋଟିଏ ବିରାଡ଼ି ଥାଏ । ତା’ର ନାମ ଟାଇଗର୍ । ତାକୁ ଠିକ୍ ପୁଅପରି ଆଦର କରନ୍ତି । ତାକୁ ଅନ୍ୟମାନେ ଗେଲ ନ କଲେ ସେ ଖରାପ ଭାବନ୍ତି । ଏଭଲିନ୍, ଟାଇଗର୍, ଟାଇଗର ବୋଲି ଡାକିବାରେ ବିରାଡ଼ିଟି ଡ୍ରଇଂରୁମ୍ ଚଉକିରୁ ଝାଡ଼ିଝୁଡ଼ି ହୋଇ ଉଠି ଆମ ପାଖକୁ ଆସିଲା । ଡାକ୍ତର ସିକଣ୍ଡ ଆଗରୁ ‘ଗେଲ’ କଥା ଜାଣିଥିଲେ । ସେ ସଙ୍ଗେ ସଙ୍ଗେ ବିରାଡ଼ିଟିକୁ ଟେକି ନେଇ ଗେଲ କଲେ । ଗେଲହେବା ଅଭ୍ୟାସ ଥିବାରୁ ଟାଇଗର୍ ସେଥିରେ ଆପତ୍ତି କଲାନାହିଁ । ମୁଁ ମଧ୍ୟ ହାତକୁ ନେଇ ସେହିପରି ଗେଲ କରିବାକୁ ବାଧ୍ୟ ହେଲି ।

 

ଡ୍ରଇଂରୁମ୍ ଓ ଡାଇନିଙ୍ଗ୍ ରୁମ୍ ଗୋଟିଏ ଘର, ମଝିରେ ପରଦାଟିଏ ମାତ୍ର ପଡ଼ିଥାଏ । ଡାଇନିଙ୍ଗ୍ ରୁମ୍‍ର ଅନ୍ୟ ପାଖରେ ଇଲେକ୍‍ଟ୍ରିକ୍ ଚୁଲି ଓ ବାସନମଜା କଳ । ଡ୍ରଇଂରୁମ୍‍ରେ ବସି ମୁଁ, ସିକଣ୍ଡ ଓ ଜେମସ୍ କଥାବାର୍ତ୍ତା ଆରମ୍ଭ କରିଦେଲୁ । ଏଭଲିନ୍ ରନ୍ଧାବଢ଼ା କରୁଥାଆନ୍ତି ଓ ସେଠାରୁ ମଝିରେ ମଝିରେ ଆମ କଥାବାର୍ତ୍ତାରେ ଯୋଗ ଦେଉଥାଆନ୍ତି ।

 

ରୋଷେଇ ସରିଲା । ଜେମସ୍ (ଡାକ ନାମ ଜୀମ୍) ଫଟୋ ସ୍ଲାଇଡ଼ ସବୁ ଆଣି କାନ୍ଥରେ ପ୍ରୋଜେକ୍ଟ୍ କରି ଆମକୁ ଦେଖାଇଲେ । ସେଥିରେ ବହୁତ ଭାରତୀୟଙ୍କର ଫଟୋ ଥିଲା । ଓଡ଼ିଶାର ଜଣେ ବିଖ୍ୟାତ ଇଞ୍ଜିନିୟର୍ ପ୍ରଶାନ୍ତବାବୁଙ୍କ ଫଟୋ ମଧ୍ୟ ଦେଖିଲୁ । ସେ ପୂର୍ବତନ ପ୍ରଶାସକ ରାୟ ବାହାଦୁର ସାମୁଏଲ ଦାସଙ୍କ ପୁଅ ଓ ଡାକ୍ତର ସୁକୁମାର ଦାସଙ୍କ ବଡ଼ଭାଇ । ସେ ହୀରାକୁଦ ଡ୍ୟାମ୍ ତିଆରିବେଳେ ସେଥିରେ କାମ କରୁଥିଲେ ଓ ସେଇ ସମ୍ପର୍କରେ ଚାଟାନୁଗା ଯାଇଥିଲେ ।

 

ଫଟୋ ଦେଖାପରେ ଆମେ ସମସ୍ତେ ଖାଇବାକୁ ବସିଲୁ । ପୁରି, ତରକାରୀ, ଚିଙ୍ଗୁଡ଼ି ଆମ୍ୱିଳ ସବୁ ବଢ଼ାହେଲା । ବିଦେଶୀ ସିଝାସିଝି ଖାଦ୍ୟ ଖାଇ ଖାଇ ପାଟି ଖରାପ ଲାଗୁଥିଲା । ସେ ସବୁ ଦେଖି ପାଟିରୁ ନାଳ ଗଡ଼ିଲା । ଖାଇବାକୁ ମଧ୍ୟ ସୁସ୍ୱାଦୁ ଓ ରୁଚିକର ବୋଧହେଲା ।

 

ଆପଣ କେବେ ଭାରତ ଯାଇଥିଲେ ଓ ଏପରି ଭଲ ଭାରତୀୟ ରନ୍ଧା କେଉଁଠାରୁ ଶିଖିଲେ ବୋଲି ମୁଁ ପଚାରିବାରେ ଏଭଲିନ୍ କହିଲେ ‘‘ଆମକୁ ଭାରତ ଯିବାର ସୁଯୋଗ କେବେ ଘଟି ନାହିଁ ଓ ଏ ଜୀବନରେ ଘଟିବ କି ନାହିଁ ଆମେ ଜାଣି ନାହୁଁ । ଭାରତୀୟ ବନ୍ଧୁମାନେ ଏ ଶାଢ଼ିଟି ଦେଇଛନ୍ତି ଓ ପିନ୍ଧା ଶିଖାଇଛନ୍ତି ଓ ଏ ସବୁ ରନ୍ଧାବଢ଼ା ମଧ୍ୟ ବତାଇଛନ୍ତି । ୱାସିଂଟନର ଭାରତ-ଏମ୍ୱାସିରୁ ଆମେ ମସଲାମସଲି ମଗାଇ ଏପରି ମଝିରେ ମଝିରେ ରାନ୍ଧି ଖାଉ । ଆପଣ କ’ଣ କ’ଣ ଭଲ ରନ୍ଧା ଜାଣନ୍ତି ମୋତେ ଶିଖାଇ ଦିଅନ୍ତୁ ।’’

 

ମୁଁ ବଡ଼ ଅଡ଼ୁଆରେ ପଡ଼ିଲି । ରନ୍ଧାରନ୍ଧିର ଶ୍ରୀ ଅକ୍ଷର ମୋପାଇଁ ବରୁଣେଇ ପର୍ବତ । ମୋ ବୋଉ ମୋତେ କହେ ‘‘ନନା ଭାଇନା ପ୍ରଭୃତି ଭଲ ରନ୍ଧା ଜାଣନ୍ତି, ତୁଟା ଅଥରପାଟାଏ ତୋ ହାତରେ କିଛି ହେବ ନାହିଁ ।’’ ମୁଁ ତାକୁ ଉତ୍ତର ଦିଏ ରନ୍ଧାଟା ଏପରି ଗୋଟାଏ କି ଅଦ୍ଭୁତ ବିଦ୍ୟା ଯେ ମୋ ହାତରେ ହୁଅନ୍ତା ନାହିଁ ? ମୁଁ ଜଣେ ବିଜ୍ଞାନର ଛାତ୍ର, ଏତେ ଏକ୍‍ସପେରିମେଣ୍ଟ ଓ କେମିକାଲ ଟେଷ୍ଟ୍ କରିପାରୁଛି । ପରିସ୍ରାକୁ ପରୀକ୍ଷା କରି ସେଥିରୁ ଚିନି ବାହାର କରି ପାରୁଛି, ଏ ରନ୍ଧାରନ୍ଧି କି ସାମାନ୍ୟ କଥା । ମୁଁ ଜାଣି ଜାଣି ସେଥିରେ ପଶେ ନାହିଁ । ନନା ଭାଇନା ଓ ତୁ ସମସ୍ତେ ତ ନିଜ ରନ୍ଧାକୁ ସବୁଠାରୁ ଭଲ ବୋଲି କହୁଚ । ମୁଁ ନିଜେ ରାନ୍ଧିଲେ ତୁମମାନଙ୍କ ରନ୍ଧା ଚାଖିକରି କେଉଁଟା ଭଲ ବା ମନ୍ଦ ବୋଲି ଆଉ କିଏ ଠିକ୍ କରିବାକୁ ରହିବ ଓ ତୁମ ବିବାଦର ମୀମାଂସା କରିବ ? ତେଣୁ ମୁଁ କେବଳ ସେ ସବୁ ଚାଖି ମତ ଦେବାପାଇଁ ରନ୍ଧାବଢ଼ାରୁ ନିଜକୁ ଅଲଗା ରଖିଛି । ରାନ୍ଧିବି କାହିଁକି ? ମୋ କଥା ଶୁଣି, ବୋଉ, ‘‘ତୁ ଭୋପାଟାଏ’’ କହି ଠୋଠୋ ହସିଉଠେ ।

 

ଏଭଲିନ୍‍ଙ୍କୁ କି ଉତ୍ତର ଦେବି ଭାବୁ ଭାବୁ ସିକଣ୍ଡଙ୍କ ଉପରେ ମୋ ଆଖି ପଡ଼ିଲା । ମୁଁ କହିଲି ‘‘ସିକଣ୍ଡ ତ ବହୁତ ଭଲ ରନ୍ଧା ଜାଣିଥିବେ, ମୁଁ କ’ଣ ରନ୍ଧାରେ ତାଙ୍କୁ ଟପି ପାରିବି, ସେ ଆପଣଙ୍କୁ ଶିଖାଇ ଦେବେ ।’’ ସିକଣ୍ଡ ତ ପଞ୍ଜାବୀ ଲୋକ । ଓଡ଼ିଆ ବଙ୍ଗଳା ରନ୍ଧା ଚିଙ୍ଗୁଡ଼ି ଆମ୍ୱିଳ, ଝୋଳ ଝାଳର ଧାର ଧାରନ୍ତି ନାହିଁ । ତାଙ୍କୁ କହି ଆଗରୁ ଏଭଲିନ୍ ଫେଲ୍‍ ମାରିଥିଲେ । ତେଣୁ ମୋ କଥା ଶୁଣି ମୋ ଅପାରଗତା କଥା ବୁଝି ପାରି ସିକଣ୍ଡଙ୍କୁ ଚାହିଁ ମୁଡ଼ୁକି ହସା ଦେଲେ । ମୋତେ କହିଲେ ‘‘ହେଉ ଏପରି ଖାଦ୍ୟ ଖାଇବାକୁ ଯେତେବେଳେ ଇଚ୍ଛା ହେବ ମୋତେ ଜଣାଇଲେ ଛୁଟି ଦିନରେ ଆମେ ମିଶିକରି ଭୋଜିକରି ଖାଇବା ।’’

 

ସେ ଦେଶର ନିମନ୍ତ୍ରଣ କଥା ଅଲଗା କିନ୍ତୁ ମିଶିକରି ଭୋଜି ଖାଇବା, ସିନେମା ଦେଖିଯିବା ପ୍ରଭୃତିର ଅର୍ଥ ନିଜ ଭାଗ ପଇସା ଦେଇ ସେ ସବୁ କାର୍ଯ୍ୟ କରିବା । ମିଶିକରି ସିନେମା ଗଲେ ଆମ ଦେଶ ପରି ଯିଏ ଡାକେ ସେ ସମସ୍ତଙ୍କ ପଇସା ଦିଏ ନାହିଁ ବା ଥରେ ଅନ୍ୟ ବନ୍ଧୁମାନେ ତାକୁ ସେପରି ନ ଡାକିଲେ ତାକୁ ମନ ଶୁଖାଇବାକୁ ପଡ଼େନାହିଁ । ଯିଏ ଯେଝାର ଟିକଟ ଓ ଅନ୍ୟାନ୍ୟ ଖର୍ଚ୍ଚର ଭାଗ ପଇସା ଦେଇ ଦିଅନ୍ତି । ଏଭଲିନ୍‍ଙ୍କୁ ମିଶିକରି ଖାଇବା ପ୍ରସ୍ତାବରେ ମୋର ସୁବିଧା ହେଲା, ତାଙ୍କୁ ଭୋଜିର ବରାଦ ଦେବାରେ ମୋର ଆଉ ସଂକୋଚ ରହିଲା ନାହିଁ । ପରେ ମୋର ଯେତେବେଳେ ଇଚ୍ଛା ହୁଏ, ଏଭେଲିନ୍‍ଙ୍କୁ ଫୋନ୍ କରେ, ସେ ଭାରତୀୟ ଖାଦ୍ୟ ତିଆରି କରନ୍ତି । ମୁଁ ନିଃସଙ୍କୋଚରେ ମୋ ଭାଗ ପଇସାତକ ଦେଇ ଆହାର କରେ ।

 

ସ୍ୱତଃପ୍ରବୃତ୍ତ ସେବିକା

 

ମୁଁ ଭାରତରୁ ଆମେରିକା ଯିବାର ଠିକ୍ ପୂର୍ବରୁ ଗୋଟିଏ ବିଧାନସଭା ନିର୍ବାଚନରେ ଜଣେ ପ୍ରଧାନକର୍ମୀ ଭାବରେ କାର୍ଯ୍ୟ କରୁଥିଲି । ଏଠିସେଠି, ଯାହା ମିଳିଲା ତାହା ଖାଇ ଗାଁ ଗାଁ ବୁଳି ନିର୍ବାଚନ ପ୍ରଚାରରେ ଲାଗିଥିଲି । ସେପରି କରିବାଦ୍ୱାରା ମୋ ଶରୀର ବହୁତ ପ୍ରକାର ରୋଗ ଜୀବାଣୁଗୁଡ଼ିଏ ସଂଗ୍ରହ କରିପାରିଥିଲି । ମୁଁ ଆମେରିକାରେ ଆସି ପହଞ୍ଚିବା ପର୍ଯ୍ୟନ୍ତ ସେମାନେ ଶରୀର ଭିତରେ ବଢ଼ୁଥିଲେ ଓ ସେମାନଙ୍କ କରାମତି ଦେଖାଇ ନଥିଲେ ।

 

ଚାଟାନୁଗାରେ ରହିବାର ଅଳ୍ପଦିନ ପରେ ମୋର ପେଟ ଫାମ୍ପି ମୋ ଦେହରେ ୧୦୪, ୧୦୫ ଜର ଲାଗି ରହିଲା । ମୁଁ ବାଉଳି ଚାଉଳି ହୋଇ ବିଛଣାରେ ପଡ଼ି ରହିଲି । ମୋର ଅର୍ଦ୍ଧଚେତନ ଅବସ୍ଥାରେ ମୋର ବନ୍ଧୁ ସିକଣ୍ଡ, ଅନ୍ୟମାନଙ୍କ ସାହାଯ୍ୟରେ ମୋତେ ନେଇ ରୋଗୀ ଭାବରେ ଡାକ୍ତରଖାନାର ଗୋଟିଏ କ୍ୟାବିନ୍ ବା କୋଠରୀରେ ରଖାଇ ଦେଲେ ।

 

ସେଠାର ସବୁଠାରୁ ବଡ଼ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ୟାଟନ ଓ ତାଙ୍କ ସହକର୍ମୀମାନେ ମୋର ଚିକିତ୍ସାର ଭାର ନେଲେ । ମୁଁ ନାନା ରୋଗରେ ଏକାବେଳକେ ଆକ୍ରାନ୍ତ ହୋଇଥିବାରୁ ଓ ଆମ ଦେଶ ରୋଗମାନଙ୍କ ସହିତ ସେମାନେ ପରିଚିତ ନଥିବାରୁ ମୋର ରୋଗ ଠିକ୍ କରି ପାରିଲେ ନାହିଁ । ମେଲେରିଆ ରୋଗରେ ବେଳେବେଳେ ଫୁସ୍‍ଫୁସ୍ ମଧ୍ୟ ଜଡ଼ିତ ହୁଏ । ସେମାନେ ସେପରି ରୋଗୀ ଦେଖି ନଥିବାରୁ ମୋର ସମସ୍ତ ପରୀକ୍ଷା କରି ଏକ୍ସରେରେ ଛାତିର ଫୁସ୍‍ଫୁସ୍ ନିକଟରେ ଚିହ୍ନଟିଏ ଦେଖି ଫୁସ୍‍ଫୁସ୍ ରୋଗ ବୋଲି ବିଚାରି ଥରକୁଥର ଏକ୍ସରେ କରି ଚିହ୍ନ ଏଠିସେଠି ବଢ଼ୁଚି କମୁଚି କହି ବ୍ୟସ୍ତ ହେଉଥାଆନ୍ତି ।

 

ମୋର ଆମେରିକାନ୍ ସହକର୍ମୀ ଡାକ୍ତରମାନେ ବରାବର ମୋତେ ଦେଖିବାକୁ ଆସୁଥାଆନ୍ତି । ଆମେରିକାର ଦକ୍ଷିଣ ଅଞ୍ଚଳରେ ଲୋକେ ଇଂରେଜୀ ଭାଷାକୁ ମୋଡ଼ିମୋଡ଼ି ଏପରି ଲମ୍ୱାଇ କରି ଅଧା ଢୋକି କଥା କହନ୍ତି ଯେ ସେ ଭାଷାକୁ ନ ଜାଣିଥିବା ଲୋକ ବୁଝିବା କଷ୍ଟକର । ମୁଁ ସେମାନଙ୍କ କଥାରୁ ପ୍ରାୟ କିଛି ବୁଝି ପାରି ନ ଥାଏ । ସେମାନେବି ମୋ କଥା ଭଲ କରି ବୁଝି ପାରୁନଥାନ୍ତି ।

 

ସେଠାର ଚିକିତ୍ସାପଦ୍ଧତି ମଧ୍ୟ ଆମ ଦେଶର ଚିକିତ୍ସାପଦ୍ଧିଠାରୁ ଭିନ୍ନ । ଆମର ଏଠାରେ ଜର ରୋଗୀକୁ ଦୁଧ, ବାଲି, ସାଗୁ ପ୍ରଭୃତି ଦିଆଯାଏ କିନ୍ତୁ ସେଠାରେ ସବୁ ରୋଗୀକୁ ସାଧାରଣ ସିଝା ଖାଦ୍ୟ ସମାନ ଭାବରେ ଦିଆଯାଏ । ମୋତେ ଖାଦ୍ୟ ଦେଉଥିବା ନର୍ସକୁ ସାଧାରଣ ଖାଦ୍ୟ କାହିଁକି ଦେଉଛ ବୋଲି ପଚାରିବାରେ ସେ ମୋତେ କହିଲା, ତୁମକୁ ସିନା ଜର, ତୁମ ପେଟକୁ ତ ଜର ହୋଇନାହିଁ, ଖାଦ୍ୟ ବଦଳାଇବା କ’ଣ ଦରକାର ? ତୁମକୁ ଏ ଖାଦ୍ୟରୁ ଯାହା ଇଚ୍ଛା ହେଉଛି ଖାଅ, ଯାହା ଖାଇବାକୁ ଇଚ୍ଛା ନ ହେଉଛି ସେଗୁଡ଼ିକ ପିଙ୍ଗା ହେବାପାଇଁ ଛାଡ଼ିଯାଅ ।

 

ମୁଁ ଏକୁଟିଆଟି ଖଟିଆ ଉପରେ ଆଖିବୁଜି ପଡ଼ି ରହିଥାଏ । ସେଠାରେ ଜଣେ ବୃଦ୍ଧା ଭଦ୍ରମହିଳା ମୋ ମୁଣ୍ଡ ପାଖରେ ବସି ବେଳେବେଳେ ମୋ ମୁଣ୍ଡ ଆଉଁଶନ୍ତି । ମୁଁ ତାଙ୍କ ଆଡ଼କୁ ଆଖି ମେଲାକରି ଚାହିଁଲେ ମୋତେ ଗେଲ କଲାଭଳି କ’ଣ ଗୁଡ଼ିଏ ଗୁଡ଼ୁରୁ ଗୁଡ଼ୁରୁ କରି ଅବୋଧ୍ୟ ଭାଷାରେ କହୁଥାଆନ୍ତି । ମୁଁ ପ୍ରଥମ ପ୍ରଥମରୁ ତାଙ୍କ କଥାରୁ କିଛି ବୁଝିପାରୁ ନଥିଲି । ସେ ସବୁଦିନ ସେଇକଥା ବାରବାର କରି ରହି ରହି କହିବାରୁ ମୁଁ କିଛି କିଛି ବୁଝି ପାରିଲି । ସେ କହୁଥାନ୍ତି ‘ମୋ ବାପା’ ‘ମୋ ଧନ’ ତୋରି ସାଙ୍ଗର ମୋ ପୁଅ କୋରିଆ ଯୁଦ୍ଧକୁ ଯାଇଥିଲା, ସେ ଫେରିଲାବେଳେ ତାକୁ ଏପରି ଜର ଧରିଲା ଯେ ସେ ବେହୋସ ହୋଇ ଆମେରିକାର ସାଣ୍ଟିଆଗୋ ହସ୍‍ପିଟାଲରେ ପଡ଼ି ଚିକିତ୍ସା ହେଉଥିଲା । ସେ ଭଲ ହୋଇଗଲା । ତୁ ଭଲ ହୋଇଯିବୁ । ଘରକୁ ତୋ ବାପା ମା’ଙ୍କ ପାଖକୁ ଫେରିଯିବୁ ।’’

 

ବୁଢ଼ୀଟି ହସ୍‍ପିଟାଲର ‘ଅବୈତନିକ ସେବିକା’ ପୋଷାକ ଓ ଛାପ ପିନ୍ଧି ଥାଆନ୍ତି । ସେ ଦେଶର କାର୍ଯ୍ୟରୁ ଅବ୍ୟାହତି ନେବାପରେ ବା ପଇସାଥିବା ବୁଢ଼ୀମାନେ ଘରେ ଅକାମୀ ହୋଇ ନ ବସି’ ଅବୈତନିକ ସାହାଯ୍ୟକାରୀ ସେବିକା ସଂସ୍ଥାରେ ଯୋଗଦେଇ ନିରାଶ୍ରୟ ବା ଏକୁଟିଆ ପଡ଼ିଥିବା ରୋଗୀଙ୍କର ସେବା କରନ୍ତି ଓ ସେମାନଙ୍କୁ ସାନ୍ତ୍ୱନା ଦିଅନ୍ତି । ସେ ଦେଶରେ ପିଲାପିଲି ବଡ଼ ହୋଇଗଲେ ବାପା ମା’ଙ୍କ ଠାରୁ ଅଲଗା ହୋଇ ବାହାସାହା ହୋଇ ରହନ୍ତି । ବୁଢ଼ୀମାନଙ୍କୁ ଶାଶୁଗିରି କରିବା ସୁବିଧା ମିଳେ ନାହିଁ କି ସେମାନଙ୍କ ପାଖରେ ଖେଳିବାକୁ ବା ଅଳି କରିବାକୁ ନାତି ନାତୁଣୀ ମଧ୍ୟ କେହି ନ ଥାନ୍ତି । ସାଇପଡ଼ିଶାରେ ହାକିମି ଦେଖାଇବାକୁ ବା କଳିକଜିଆ କରି ସମୟ କଟାଇବାର ସୁବିଧା ମଧ୍ୟ ନ ଥାଏ । କଟକଟ ହେବାପାଇଁ ଘରେ ଚାକରବାକର ମଧ୍ୟ ନ ଥାନ୍ତି । ତେଣୁ ଏପରି ସେବାକାର୍ଯ୍ୟ ବା ଧର୍ମକାର୍ଯ୍ୟରେ ସେମାନେ ଯୋଗଦେଇ ସମୟ କଟାନ୍ତି ।

 

ସ୍ୱଚିକିତ୍ସା

 

ମୋ ଦେହ ଟିକିଏ ଭଲ ଲାଗିବାରୁ ମୋର ଜ୍ୱର, ମିଶ୍ରିତ-ମେଲେରିଆ ଯୋଗୁଁ ହେଉଛି ବୋଲି ମୁଁ ଜାଣିପାରି ଜଣେ ଡାକ୍ତର ବନ୍ଧୁଙ୍କଠାରୁ ମେଲେରିଆ ଔଷଧର ସନ୍ଧାନ ନେବାକୁ କୁଇନାଇନ୍ ମିକ୍‍ସରେ କଥା ପଚାରିଲି । ସେ କହିଲେ, ‘‘ବହୁ ବର୍ଷ ହେଲା ଏ ଦେଶରେ ମେଲେରିଆ ଦେଖା ନାହିଁ । ମେଲେରିଆ ଔଷଧ କାହୁଁ ମିଳିବ ଓ ତୁମର ବା କ’ଣ ହେବ ?’’

 

ମେଲେରିଆ, ହୁକଓ୍ୟାର୍ମ, ରାଉଣ୍ଡଓ୍ୟାର୍ମ, ଫାଇଲେରିଆ ପ୍ରଭୃତିକୁ ସେ ଦେଶରେ ଅସଭ୍ୟ ଅନୁନ୍ନତ ଦେଶର ରୋଗ ବୋଲି ଧରାଯାଏ । ମୋତେ ସେ ସବୁ ରୋଗ ହୋଇଛି ଶୁଣିଲେ ସେସବୁ ରୋଗ ମୋଦ୍ୱାରା ସେ ଦେଶରେ ବ୍ୟାପିପାରେ ବୋଲି ଧରି ନେଇ ପାରନ୍ତି । ବଡ଼ ଡାକ୍ତର ଜାଣିଲେ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରି ରୋଗବ୍ୟାପିବା ସମ୍ଭାବନା ଏଡ଼ାଇବା ପାଇଁ ମୋତେ ସଙ୍ଗେ ସଙ୍ଗେ ଆମ ଦେଶକୁ ଫେରାଇ ନେବାକୁ ଆମ ସରକାରୀ ଏମ୍ୱାସିକୁ ସୁପାରିସ୍‍ କରିପାରନ୍ତି । ଏ ସବୁ ଭାବି ମୁଁ ସେ ଡାକ୍ତରଙ୍କୁ ଆଉ କିଛି ନ ପଚାରି ନୀରବ ରହିବାକୁ ଉଚିତ ମନେ କଲି ।

 

ମୁଁ ବୁଢ଼ୀଙ୍କଠାରୁ ତାଙ୍କ ପୁଅପରି ସୈନ୍ୟମାନଙ୍କୁ ଏପରି ରୋଗ ହୁଏ ବୋଲି ଶୁଣିଥିଲି । ବିଦେଶରୁ ଆସୁଥିବା ଏପରି ସୈନ୍ୟଙ୍କ ଚିକିତ୍ସା ଓ ସେପରି ରୋଗମାନଙ୍କର ନିରାକରଣ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ନିଶ୍ଚୟ ଔଷଧ ରହିଥିବ ବୋଲି ଭାବି ଡାକ୍ତର ସିକଣ୍ଡଙ୍କୁ ନିକଟସ୍ଥ ମିଲିଟାରୀ ହେଲ୍‍ଥ ସେଣ୍ଟର ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ମେଲେରିଆ ପ୍ରଭୃତିପାଇଁ ଔଷଧ ଆଣିବାକୁ ଅନୁରୋଧ କଲି । ସେ ଲୁଚାଇ କରି କିଛି ମେଲେରିଆ ଔଷଧ ‘ଆଟାଲାନ’ ଆଣି ମୋତେ ଦେଲେ । ମୁଁ ସେତକ ଖାଇ ମୋର ମେଲେରିଆ ଭଲ ହେଲା ପରେ, ନିଜର ରକ୍ତ ମଳ ପ୍ରଭୃତି ନିଜେ ପରୀକ୍ଷା କରି ହୁକଓ୍ୟାର୍ମ, ରାଉଣ୍ଡଓ୍ୟାର୍ମ ପ୍ରଭୃତିର ସନ୍ଧାନ ପାଇ ସେସବୁପାଇଁ ମଧ୍ୟ ଗୁପ୍ତରେ ଔଷଧ ବ୍ୟବହାର କରି ସମ୍ପୂର୍ଣ୍ଣ ରୋଗମୁକ୍ତ ହେଲି ।

 

ମୋ ରୋଗ ଭଲ ହେବା ପରେ (ବୁଢ଼ୀ) ମିସେସ୍ ପଲ୍ ମୋତେ ତାଙ୍କ ଘରକୁ ନେଇ ତାଙ୍କ ବାଡ଼ିରୁ ତୋଳି ଅଙ୍ଗୁର ଖାଇବାକୁ ଦେଲେ ଓ ମୁଁ ଆମେରିକାରେ ଥିବା ପର୍ଯ୍ୟନ୍ତ ମୋପାଇଁ କିଛି ନା କିଛି ଉପହାର ପଠାଉଥିଲେ । ସେପରି ଜଣେ ନିଃସ୍ୱାର୍ଥ, ସ୍ନେହୀ ଓ ପରୋପକାରୀ ମହିଳାଙ୍କ ଋଣ ଏ ଜୀବନରେ ସୁଝିବା ସମ୍ଭବ ନୁହେଁ ।

 

ଦୂରତାର ଆକର୍ଷଣ

 

ହସ୍‍ପିଟାଲରେ କାମ କଲାବେଳେ ବହୁଦେଶର ଓ ବହୁପ୍ରକାର ଲୋକଙ୍କର ସମ୍ପର୍କରେ ଆସିବାକୁ ହୁଏ । ସେଠାରେ ଅଧିକାଂଶଙ୍କଠାରୁ ଭଦ୍ର ଓ ନମ୍ର ବ୍ୟବହାର ମିଳେ, କିନ୍ତୁ ଜଣଜଣଙ୍କର ବ୍ୟବହାର ଏତେ ଭଲ ହୁଏ ଯେ ଆପେଆପେ ତାଙ୍କ ସଙ୍ଗେ ଆତ୍ମୀୟତା ବଢ଼ିଯାଏ । ସେଠାରେ ଥିବା ବିଦେଶୀମାନେ ୟୁରୋପୀୟ, ଏସୀୟ ବା ଦକ୍ଷିଣ ଆମେରିକାର ହୁଅନ୍ତୁ, ସମସ୍ତେ ଗୋଟିଏ ଗୋଷ୍ଠୀ ବା ବିଦେଶୀ ଗୋଷ୍ଠୀର ବୋଲି ନିଜକୁ ମନେ କରି ନିଜ ନିଜ ପ୍ରତି ଆକୃଷ୍ଟ ହୁଅନ୍ତି ।

 

ଆମ ହସ୍‍ପିଟାଲରେ ଭେଷଜ ବିଭାଗରେ ଉଚ୍ଚଶିକ୍ଷା କରୁଥିବା ତୁର୍କୀଦେଶର ଡାକ୍ତର ନେଜଦେତ୍ ଓରହନଙ୍କ ସଙ୍ଗେ ମୋର ବନ୍ଧୁତ୍ୱ ଅତି ଗାଢ଼ତର ହୋଇପଡ଼ିଲା । ମୁଁ ହିନ୍ଦୁ, ସେ ମୁସଲମାନ, କିନ୍ତୁ ଆମେ ଦୁହେଁ ଦୁହିଁକୁ ଛାଡ଼ି ରହିପାରୁ ନାହିଁ । ଏପରି କି ବର୍ଷକ ପରେ ମୁଁ ସେଠାରୁ ୩୦୦/୪୦୦ ମାଇଲ ଦୂର ଅନ୍ୟ ଗୋଟିଏ ସହରକୁ ଚାଲିଯିବା ପରେ ସେ ଛୁଟି ମିଳିଲାକ୍ଷଣି ମୋତେ ଦେଖିବାକୁ ଚାଲି ଆସନ୍ତି । ଆମର ବନ୍ଧୁତା ଦେଖି କେହି କେହି ଆମେରିକାନ୍ ବନ୍ଧୁ ମୋତେ କହନ୍ତି, ତୁମ ଦେଶରେ ହିନ୍ଦୁ ମୁସଲମାନଙ୍କ କଳିଯୋଗୁଁ ଭାରତ ଦୁଇଭାଗ ହେଲା, ତୁମେ ଦୁହେଁ ଏପରି ଆପଣାର ହୋଇ ଚଳୁଛ କିପରି ?

 

ଜର୍ମାନ ଯୋଦ୍ଧା

 

ଜର୍ମାନୀର ପୂର୍ବତନ ନାଜି ଯୋଦ୍ଧା ହାନ୍‍ସ ବିଉଟନର ମଧ୍ୟ ମୋର ପରମବନ୍ଧୁ ହୋଇଉଠିଲେ । ସେ ବଡ଼ ଖାମ୍‍ଖିଆଲିଆ ଲୋକ । ଦୁନିଆରେ କାହାକୁ ଖାତିର କରନ୍ତି ନାହିଁ । ସବୁବେଳେ ବେପରବାୟ ଭାବ । ଦିନେ ସେ ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ଧରି ମୋ ସଙ୍ଗରେ ଲୁକ୍ଆଉଟ ପର୍ବତକୁ ବୁଲି ବାହାରିଲେ । ସେଠି ଆମୋଦ ଭବନରେ ବହୁ ପ୍ରକାର ବାଜିଦିଆ ବା ଜୁଆଖେଳ ହୁଏ । ସେଥିରେ ହାନ୍‍ସ ପୂରା ମଜିଯାଇ ବହୁତ ପଇସା ଉଡ଼ାଇଦେଲେ । ତାଙ୍କର ବର୍ଷକର ଗୋଟିଏ ପୁଅ । ତାଙ୍କ ସ୍ତ୍ରୀ ଚାକିରି କରନ୍ତି ନାହିଁ । ହାନ୍‍ସ ଆମ ସଙ୍ଗେ ଉଚ୍ଚଶିକ୍ଷା ପାଇଁ ଅତି ଅଳ୍ପ ଟଙ୍କା ମାସିକ ବୃତ୍ତି ପାଇ ସେଥିରେ ସଂସାର ଚଳାନ୍ତି ।

 

ହାନ୍‍ସ ଜୁଆଖେଳରେ ଟଙ୍କା ହରାଇବା ଦେଖି ତାଙ୍କ ସ୍ତ୍ରୀ ସେଠାରୁ ଚାଲିଆସିବାକୁ ତାଙ୍କୁ ଅନୁରୋଧ କଲେ କିନ୍ତୁ ସେ କିଛି ନ ଶୁଣି ସେ ଖେଳରେ ଲାଗି ରହିଲେ । ତାଙ୍କ ସ୍ତ୍ରୀ କାନ୍ଦ କାନ୍ଦ ହୋଇ ତାଙ୍କର ପୁଅଟିକୁ ଦେଖାଇ ମୋତେ କହିଲେ ‘‘ମୋର ସ୍ୱାମୀ କିଛି ବୁଝୁନାହାନ୍ତି ଏପରି ପଇସା ସବୁ ଉଡ଼ାଇ ଦେଉଛନ୍ତି । ଆମେ ବଞ୍ଚିବୁ କିପରି ? ସେ ପିଲାଟି ବଞ୍ଚିବ କିପରି ?

 

ହାନ୍‍ସ ଆମ ଛାତ୍ରାବାସରେ ମଧ୍ୟ ଜିଦିମାରି ‘ପୁଲ’ ଖେଳ, ପୋକର ଓ ଚେସ୍ ଖେଳ ପ୍ରଭୃତି ଖେଳନ୍ତି । କାମବେଳେ ମଧ୍ୟ ଟିକିଏ ସମୟ ମିଳିଲେ ସେ ସବୁ ଖେଳରେ ଲାଗି ଯାଆନ୍ତି । ତାଙ୍କ ଚେସ୍ ଗୋଟିଗୁଡ଼ିକ ଖବାଡ଼ବା କାଠରେ ତିଆରି, ଅନ୍ୟ ସୁନ୍ଦର ସୁନ୍ଦର ଚେସ୍ ଗୋଟିଗୁଡ଼ିକୁ ଫିଙ୍ଗିଦେଇ ସେ ତାଙ୍କର ସେଇ ଗୋଟିରେ ଖେଳିବାକୁ ଜିଦ୍ ଧରନ୍ତି ।

 

ଲୋକମାନଙ୍କୁ ଠୋଠା କରି ଜବାବ ଦିଅନ୍ତି । ସେଠାରେ ଝିଅମାନଙ୍କୁ ସମସ୍ତେ ଭଦ୍ରତା ଖାତିରରେ ଟେକାଟେକି କରି କଅଁଳେଇ କଥାବାର୍ତ୍ତା କରନ୍ତି । କେହି ଝିଅ ନୂଆ ବାଳ ସଜାଇଥିଲେ କି ନୂଆ ଜାମା ପିନ୍ଧିଥିଲେ, ବଢ଼ିଆ ବାଳ କଟା ହୋଇଛି, କି ଜାମାଟି ତାକୁ ବଢ଼ିଆ ମାନୁଛି ବୋଲି କହିଲେ ଝିଅଟି ପୁଲକିତ ହୋଇ ତା’ର ରକ୍ତାଭ ଓଠ ଫାଙ୍କରୁ ଅଳ୍ପ ଟିକିଏ ସ୍ମିତହାସ ଫୁଟାଇ ‘ଧନ୍ୟବାଦ’ ବୋଲି କହେ । ସମୟ ସମୟରେ କୌଣସି ଝିଅ ସେପରି ହସି ଧନ୍ୟବାଦ ଦେଲାବେଳବୁ ହାନ୍‍ସ ସେଠାରେ ଥିଲେ ତା’ ପ୍ରତି କିଛି ନା କିଛି କଟୁ ମନ୍ତବ୍ୟ ପ୍ରକାଶ କରି, ‘ଫୁଲେଇ ହଉଛି’ ବୋଲି କହନ୍ତି । ସେ ମନ୍ତବ୍ୟରେ ଝିଅଟି ମନ ଶୁଖାଇ ତମତମ ହୋଇ ସେଠାରୁ ଚାଲିଯାଏ ।

 

ଥରେ ଆମର ଡାକ୍ତରଙ୍କ ଭିତରୁ ଜଣେ ସ୍ଥାନୀୟ ଡାକ୍ତରଙ୍କ ବିବାହ ପରେ ସେ ନବଦମ୍ପତି ଆମ୍ଭମାନଙ୍କୁ ତାଙ୍କ ଘରକୁ ଖାଇବାକୁ ନିମନ୍ତ୍ରଣ କରିଥିଲେ । ଆମ ସଙ୍ଗରେ ହାନ୍‍ସ ମଧ୍ୟ ଯାଇଥିଲେ । ନୂଆଦମ୍ପତିଙ୍କ ପାଇଁ ଦୁଇଟା ଅଲଗାଅଲଗା ଖଟ ପଡ଼ିଥିବାର ଦେଖି ସେ ବଡ଼ପାଟିରେ ମନ୍ତବ୍ୟ ଦେଲେ ‘‘ଧନ୍ୟ ଏ ହାସ୍ୟାସ୍ପଦ ଆମେରିକା ଜାତି । ଖଟ ତ ଅଲଗାଅଲଗା, ଏ ଦେଶରେ ପିଲା ଜନ୍ମ ହୁଅନ୍ତି କିପରି ?’’ ଏହାଶୁଣି ସେ ନବଦମ୍ପତିଙ୍କ ମୁହଁ ଶୁଖିଯିବା ସ୍ୱାଭାବିକ । ଅତିଥିମାନେବି ସମସ୍ତେ ଗମ୍ଭୀର ହୋଇଗଲେ । ସେତିକିରେ ଆମର ସେ ସାନ୍ଧ୍ୟଭୋଜିର ହସଖୁସି ଉପରେ ଯବନିକା ପଡ଼ିଗଲା । ଆମେ ଅଳ୍ପ କିଛି କିଛି ଖାଇ ନୀରବରେ ଘରକୁ ଫେରିଲୁ ।

 

ହାନ୍‍ସଙ୍କୁ ତାଙ୍କ ପଛରେ ସମସ୍ତେ ରୁକ୍ଷନାଜି ବୋଲି କହନ୍ତି । ପ୍ରକୃତରେ ସେ ହିଟ୍‍ଲରଙ୍କ ନାଜି ସେନାବାହିନୀରେ କ୍ୟାପ୍‍ଟେନ ଥିଲେ । ସେ ଡାକ୍ତରୀ ପାଠ ଠିକ୍ ସାରିବା ଅବସ୍ଥାରେ ନାଜି ସେନାରେ ଯୋଗ ଦେବାକୁ ବାଧ୍ୟ ହୋଇଥିଲେ ।

 

ହିଟ୍‍ଲରଙ୍କ ଆଦେଶରେ ନାଜି ସେନା ଶୀତଦିନେ ରୁଷିଆ ଆକ୍ରମଣ କରି ମସ୍କୋ ପର୍ଯ୍ୟନ୍ତ ମାଡ଼ି ଯାଇଥିଲେ । କିନ୍ତୁ ସେଇଠାରେ ଦୁର୍ଦ୍ଧର୍ଷ ନେପୋଲିଅନଙ୍କ ସେନାବାହିନୀ ପରି ପ୍ରବଳ ଶୀତ ଯୋଗୁଁ ପରାଜୟ ସ୍ୱୀକାର କଲେ । ହାନ୍‍ସ ସେଇଠାରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ । ସେ ଯୁଦ୍ଧବନ୍ଦୀ ହୋଇ ଫରାସୀ ସେନାଙ୍କ ହାତରେ ପଡ଼ିଲେ ଓ ପରେ ଆମେରିକା ସୈନ୍ୟଙ୍କ ହାତକୁ ଆସି ଯୁଦ୍ଧ ଶେଷ ପରେ ମୁକ୍ତି ଲାଭ କରିଥିଲେ ।

 

ଯୁଦ୍ଧ ସମୟରେ ଫରାସୀଙ୍କ ଯୁଦ୍ଧବନ୍ଦୀ ଭାବରେ ତାଙ୍କୁ ଦୈନିକ ଗୋଟିଏ ମାତ୍ର ପାଉଁରୁଟି ଖାଇବାକୁ ମିଳୁଥିଲା । ସବୁବେଳେ କ୍ଷୁଧାରେ ଛଟପଟ ହୋଇ ତାଙ୍କ ଶରୀର ଶୀର୍ଣ୍ଣ ହୋଇଯାଇଥିଲା । କିଛି ପଢ଼ାପଢ଼ିରେ ସମୟ କଟାଇ ମନ ଭୁଲାଇବା ପାଇଁ ଖଣ୍ଡିଏ ହେଲେ ବହି ବା ଖବରକାଗଜ ତାଙ୍କୁ ଦିଆ ହେଉ ନଥିଲା । ଖେଳାଖେଳି କରିବାପାଇଁ ତାସ ବିଡ଼ାଏବି ପାଖରେ ନଥିଲା । ତାଙ୍କର ଜଣେ ସାଥୀ ବନ୍ଦୀ ଖଣ୍ଡେ ଖଣ୍ଡିଆ ବ୍ଲେଡ଼୍ କେଉଁଠୁଁ ପାଇ ପାଖରେ ଲୁଚାଇ ରଖିଥିଲେ ଓ କାଠ ଟିକିଏ ପାଇଲେ ଚଞ୍ଛାଚଞ୍ଛି କରି ଛୋଟ ଛୋଟ ମୂର୍ତ୍ତି ତିଆରି କରି ସମୟ କଟାଉଥିଲେ । ଖାଦ୍ୟହୀନ ଦୁର୍ବଳ ଶରୀର ଯୋଗୁଁ ବେଶି ସମୟବି ସେ କାର୍ଯ୍ୟ ସେ କରିପାରୁ ନଥିଲେ ।

 

ଚେସ୍ ଖେଳିବା ଆଶାରେ କାଠ କାଟି ଚେସ୍ ଗୋଟିଗୁଡ଼ିକ ତିଆରି କରିବାପାଇଁ ହାନ୍‍ସ ତାଙ୍କୁ ଅନୁରୋଧ କରିବାରେ ସେ କହିଲେ ‘‘ମୋ ଦେହରେ ବଳ ନାହିଁ, ମୁଁ ଆରମ୍ଭ କଲେବି ଗୋଟିତକ ସମ୍ପୂର୍ଣ୍ଣ କରିବା ପୂର୍ବରୁ ହୁଏତ ମୋ ପ୍ରାଣବାୟୁ ଉଡ଼ିଯାଇଥିବ’’ । ହାନ୍‍ସ ଉତ୍ତର ଦେଲେ ମୁଁ ତ କିଛି ପରିଶ୍ରମ କରୁନାହିଁ, କିଛିଦିନ ନଖାଇଲେବି ମୁଁ ବଞ୍ଚି ରହି ପାରିବି, ତୁମେ ମୋ ରୁଟିଟିବି ଖାଅ ଓ ଗୋଟି ତିଆରି କରିବାକୁ ଚେଷ୍ଟା କର ।’’ ଏହା କହି ହାନ୍‍ସ ସାତଦିନ ସମ୍ପୂର୍ଣ୍ଣ ଉପାସ ରହି ପ୍ରତିଦିନ ମିଳୁଥିବା ସାତଟିଯାକ ରୁଟି ବନ୍ଧୁଙ୍କୁ ଖାଇବାକୁ ଦେଇ ସେ ଗୋଟିଗୁଡ଼ିକ ତିଆରି କରାଇପାରିଥିଲେ । ପରେ କ୍ଷୁଧା, ଯନ୍ତ୍ରଣା ଓ ବନ୍ଦୀତ୍ୱର ଦୁଃଖ ଭୁଲିବାପାଇଁ ତଳେ ଗାର କାଟି ଚେସ୍ ଖେଳି ବନ୍ଦୀ ଜୀବନର ସମୟ ଅତିବାହିତ କରୁଥିଲେ । ସେ ଗୋଟିଗୁଡ଼ିକ ଯେତେ ଅସୁନ୍ଦର ହେଲେ ମଧ୍ୟ ତାଙ୍କପାଇଁ ସେଗୁଡ଼ିକ ଅତି ମୂଲ୍ୟବାନ ହୋଇଥିବାରୁ ମୁକ୍ତିଲାଭ କଲା ପରେ ମଧ୍ୟ ସେ ଅନ୍ୟ ଗୋଟିରେ ନ ଖେଳି ସେଇଥିରେ ଖେଳନ୍ତି ।

 

ଯୁଦ୍ଧବନ୍ଦୀ ଜୀବନରୁ ଆମେରିକାରେ ମୁକ୍ତିଲାଭ କଲାପରେ ଆଉ ଜର୍ମାନ ନ ଫେରି ଆମେରିକା ବାସିନ୍ଦା ହେଲେ । ଆମେରିକାରେ ଗୋଟିଏ ‘ରୁଟି ଓ କେକ୍’ କାରଖାନାର ଜଣେ ପୂର୍ବତନ ଜର୍ମାନବାସୀ କନ୍ୟାଙ୍କ ପାଣିଗ୍ରହଣ କଲେ ଓ ନିଶ୍ଚେତକ ବିଦ୍ୟାରେ ସ୍ନାତକୋତ୍ତର ବିଦ୍ୟା ଅଧ୍ୟୟନ ପାଇଁ ସ୍ୱଳ୍ପ ଟଙ୍କା ଷ୍ଟାଇପେଣ୍ଡ ବା ଭତ୍ତା ପାଇ ଆମ ସଙ୍ଗେ ପଢ଼ୁଥିଲେ ।

 

ମୋର ତାଙ୍କ ସହିତ ଚିହ୍ନାପରିଚୟ ହେବାପରେ ସେ ଜଣେ ଭାରତପ୍ରେମୀ ବୋଲି ପରିଚୟ ଦେଇଥିଲେ । ସେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ ଭକ୍ତି ଓ ସମ୍ମାନ କରନ୍ତି । ଭାରତର ବିଦ୍ରୋହୀ ଜେନେରାଲ ସୁଭାଷଚନ୍ଦ୍ର ବୋଷଙ୍କୁ ହିଟ୍‍ଲରଙ୍କ ସଙ୍ଗେ ନାଜି ସୈନ୍ୟବାହିନୀ ପରିଦର୍ଶନ କଲାବେଳେ ହିଟ୍‍ଲରଙ୍କ ସଙ୍ଗେ ଦେଖିଛନ୍ତି ଓ ନାଜି ରୀତିରେ ହାତ ସିଧାକରି ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ବୋଲି ସେ ମୋତେ କହିଥିଲେ । ହିଟ୍‍ଲର ସୁଭାଷଙ୍କୁ ଜଣେ ପ୍ରିୟବନ୍ଧୁ ଭାବରେ ବହୁ ଉଚ୍ଚ ଆସନ ଦେଉଥିଲେ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ ।

 

ହାନ୍‍ସ ଗଣତାନ୍ତ୍ରିକ ଆମେରିକାର ଅଧିବାସୀତ୍ୱ ଗ୍ରହଣ କରିଥିଲେ ମଧ୍ୟ ନିଜର ନିଜତ୍ୱ ଭୁଲି ନଥିଲେ । ସେ ତାଙ୍କ ପାଖରେ ହିଟ୍‍ଲରଙ୍କ ଫଟୋ ଲୁଚାଇ ରଖି ତାଙ୍କୁ ସମ୍ମାନ ଦେଖାଉଥିଲେ-। ସେ କହନ୍ତି, ଯୁଦ୍ଧରେ ହାରଜିତ ବଡ଼ ମାମୁଲି କଥା । ହିଟ୍‍ଲରଙ୍କ ଜର୍ମାନୀ ହାରିଯାଇଛି, ଜର୍ମାନ ଜାତିର ନିର୍ମାତା ଜାତିପ୍ରାଣ ବୀର ହିଟ୍‍ଲରଙ୍କୁ ଜର୍ମାନ ଲୋକେ କେବେ ଭୁଲି ପାରିବେ ନାହିଁ-। ବନ୍ଧୁତାର ନିଦର୍ଶନସ୍ୱରୂପ ହିଟ୍‍ଲରଙ୍କର ଗୋଟିଏ ଫଟୋ ସେ ମୋତେ ଉପହାର ଦେଇଥିଲେ ଓ ସୁଭାଷଙ୍କ ଫରୱାର୍ଡ଼ ବ୍ଲକ୍‍ର ଜଣେ ପୂର୍ବତନ କର୍ମୀ ହିସାବରେ ମୋତେ ସେ ତାଙ୍କର ଜଣେ ଅତି ଆପଣାର ଲୋକ ବୋଲି ବିଚାରୁଥିଲେ ।

 

ଜର୍ମାନ ଯୁବତୀ

 

ଇଙ୍ଗାବୋର୍ଡ଼ ଜନ୍‍ସନ୍ ନାମକ ଜଣେ ଜର୍ମାନ ମହିଳା ଡାକ୍ତର ମୋ ସଙ୍ଗେ ଆଲବାମା ରାଜ୍ୟର ବର୍ମିଙ୍ଗହାମ ହସ୍‍ପିଟାଲରେ ଏକାଠି କାମ କରୁଥିଲେ । ତାଙ୍କ ପ୍ରକୃତି ହାନ୍‍ସଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା । ସେ କାହା ସଙ୍ଗେ ବେଶୀ ମିଳାମିଶା କରନ୍ତି ନାହିଁ । ସେ ବଡ଼ ଗମ୍ଭୀର ପ୍ରକୃତିର ମହିଳା । ତାଙ୍କ ମୁଖମଣ୍ଡଳରୁ ଦୁଃଖ, ଦୁର୍ଦ୍ଦିନ ଓ ଯୁଦ୍ଧକାଳୀନ ନିର୍ଯାତନାର ରେଖାସବୁ ଲିଭି ନ ଥାଏ-। ଦେହରେ ତେଜ ନ ଥାଏ । ତାଙ୍କ ବୟସକୁ ଚାହିଁ ସେ ବହୁତ ବେଶୀ ବୟସ୍କା ପରି ଦେଖା ଯାଉଥାଆନ୍ତି । ସେ ହାନ୍‍ସ ପରି ହାଲୁକା ହସ ହସି ପାରନ୍ତି ନାହିଁ କି ହୁଣ୍ଡାପରି କାମସବୁ କରିପାରନ୍ତି ନାହିଁ ।

 

ଥରେ ହାନ୍‍ସଙ୍କ କଥା ଉଠିବାରେ ସେ କହିଲେ ‘‘ଓଃ ! ସେ ପାଗଳଟା କଥା କହୁଛ ? ଆମେ କେତେକ ପୂର୍ବତନ ଜର୍ମାନବାସୀ ଏଠାରେ ଦିନେ ଗୋଟିଏ ‘ଲେକ୍’କୁ ସ୍ନାନ କରିବାକୁ ଯାଇଥିଲୁ । ସମସ୍ତେ ସ୍ନାନକରିବା ପାଇଁ ଲୁଗାପଟା ବଦଳାଇ ଗାଧୋଇବାକୁ ବାହାରିଲେ କିନ୍ତୁ ହାନ୍‍ସ ତା’ର ଯେଉଁ ଚମଡ଼ା ପୋଷାକ ପିନ୍ଧି ବୁଲୁଥିଲା ସେଇ ପେଷାକରେ ପାଣିକୁ ଡେଇଁପଡ଼ି ପହଁରିଲା । ଏବେବି ନାଜିସୈନ୍ୟ ପରି ସେ ଖାମ୍‍ଖିଆଲି ବେପରୁଆ ରହିଯାଇଛି । ତା’ର ସ୍ତ୍ରୀ ବଡ଼ ଭଦ୍ର ଓ ଭଲ । କିନ୍ତୁ ହାନ୍‍ସ ସ୍ତ୍ରୀ କି ପିଲାର କାହାର ଯତ୍ନ ନେଉ ନାହିଁ । ଚାକିରି ବାକିରି କରି ଘର କରି ରହିବାକୁ ମନଦେଉନାହିଁ ।’’

 

ଦିନେ ଆମର ଗୋଟିଏ ନିମନ୍ତ୍ରଣ ଖାଇବାକୁ ଯିବାର ଥିଲା । ଜଣେ ଭଦ୍ରଲୋକ ମୋତେ ଓ ଇଙ୍ଗାବୋର୍ଡ଼ଙ୍କୁ ତାଙ୍କ ଗାଡ଼ିରେ ନେଇ ସେଠାକୁ ଯିବାର କଥା ଥିଲା । ଠିକ୍ ସମୟରେ ମୁଁ ମୋ କୋଠରୀରୁ ତଳକୁ ଓହ୍ଲାଇ ଆସି ଅପେକ୍ଷାଗାରରେ ବସିରହିଲି । ଇଙ୍ଗାବୋର୍ଡ଼ ନ ଆସି ଡେରି କରିବାରୁ ତାଙ୍କ ନିକଟକୁ ୨, ୩ ଥର ଫୋନ୍ କଲି । ଇଙ୍ଗାବୋର୍ଡ଼ ଆସିଲେ, କିନ୍ତୁ ସେତେବେଳ ପର୍ଯ୍ୟନ୍ତ ଆମକୁ ନେବାପାଇଁ କଥା ଥିବା ଭଦ୍ରଲୋକ ଆସି ପହଞ୍ଚି ପାରି ନଥିଲେ । ତାଙ୍କୁ ନ ଦେଖି ଇଙ୍ଗାବୋର୍ଡ଼ ମୋ ଉପରେ ଗୋଟାକୁ ସାତଟା ହୋଇ କହିଲେ, ‘‘ତୁମେ ପୁରୁଷଗୁଡ଼ାକ ସ୍ତ୍ରୀଲୋକଙ୍କ ସୁବିଧା ଅସୁବିଧା ବୁଝିପାରିବନି, ବୃଥାରେ ଶାନ୍ତି ନଷ୍ଟ କରି ବସାଇ ଉଠାଇ ଦେବନି । ମୋତେ ଆଉ ଟିକିଏ ସମୟ ମିଳିଥିଲେ ମୁଁ ମୋର କେଶ ପ୍ରସାଧନ ଓ ପାଉଡ଼ର ବୋଳା କାର୍ଯ୍ୟ ସମାପନ କରି ଆସି ପାରିଥାନ୍ତି’’ ।

 

ଆଉଥରେ କାମ ସରିଯାଇଥିବାରୁ ଆମେ ଆମ ବିଭାଗର ଚାରି ଛଅ ଜଣ ଡାକ୍ତର ଏକାଠି ବସି ଏଣୁତେଣୁ ଗପ କରୁଛୁ । ଜଣେ କହିଲା ‘‘ବର୍ତ୍ତମାନ ଯଦି ଆମ ଭିତରୁ କାହାକୁ ହଠାତ୍ ଲକ୍ଷେ ଡଲାରର ଲଟ୍ରି ମିଳିଯାଆନ୍ତା, ତାହାହେଲେ ସେ ଟଙ୍କା ନେଇ ସେ କ’ଣ କରନ୍ତା ?’’ ଡାକ୍ତର ଡାଉଲିଗ କହିଲେ, ମୋତେ ମିଳିଲେ ମୁଁ ସଙ୍ଗେ ସଙ୍ଗେ ବିଭାହୋଇ ପଡ଼ନ୍ତି । ମୋର ନିଜର ଗୋଟିଏ ଘର ନ ଥିବାରୁ ମୁଁ ବିଭା ହୋଇ ପାରୁନାହିଁ । ଏଠି ଘରର ଦାମ୍ ବହୁତ ବେଶୀ । ମୁଁ ଘରଟିଏ କିଣିବାକୁ ସମ୍ୱଳ ସଂଗ୍ରହ କରି ପାରୁନାହିଁ ଓ ମୋର ସଙ୍ଗିନୀ ଘରଟିଏ ନହେଲେ ମୋତେ ବିବାହ କରିବେ ନାହିଁ ଓ ଘର ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହୁଛନ୍ତି ।’’

 

ଡାକ୍ତର ବ୍ରକ୍ କହିଲେ, ମୁଁ ଗୋଟିଏ ଦାମିକା ମୋଟର ଗାଡ଼ି କିଣି ପକାନ୍ତି । ତୃତୀୟ ବ୍ୟକ୍ତି ଜଣେ ଗବେଷଣାପ୍ରିୟ ଛାତ୍ର । ସେ କହିଲେ, ଟଙ୍କା ପାଇଲେ ମୁଁ ଗୋଟିଏ ସ୍ୱତନ୍ତ୍ର ଗବେଷଣାଗାର କରି ସେଥିପାଇଁ ନୂଆ ଯନ୍ତ୍ରପାତି ଓ ପୁସ୍ତକ କିଣି ମୋ ଗବେଷଣାରେ ଲାଗିପଡ଼ନ୍ତି-

 

ଏପରି ଜଣ ଜଣ କରି କହି ସାରିବାପରେ ଇଙ୍ଗାବୋର୍ଡ଼ କହିଲେ ମୁଁ ଖଣ୍ଡିଏ ହୀରା କିଣନ୍ତି । ‘‘ଢିଙ୍କି ସ୍ୱର୍ଗକୁ ଗଲେ ଧାନକୁଟେ’’ । ସ୍ତ୍ରୀଲୋକ ଯେତେ ପଣ୍ଡିତା ବା ଆଧୁନିକା ହେଲେ ମଧ୍ୟ ଅଳଙ୍କାର ମୋହ ଛାଡ଼ିବା କଷ୍ଟ । ତାଙ୍କର ସ୍ତ୍ରୀସୁଲଭ ଅଳଙ୍କାରପ୍ରୀତି ଦେଖି ଅନ୍ୟମାନେ ହସି ପକାଇଲେ । ଅନ୍ୟ ଜଣେ ତାଙ୍କୁ କହିଲେ ‘‘ଓହୋ, ସେଇଥିପାଇଁ ସବୁଦିନ ସନ୍ଧ୍ୟାରେ ତୁମେ ଗହଣା ଦୋକାନ ସବୁ ବନ୍ଦ ଥିଲାବେଳେ ସେ ପାଖରେ ବୁଲି ଦୋକାନ କାଚବାଟେ (ଉଇଣ୍ଡୋ ସଫିଙ୍ଗ) ଦୋକାନକୁ ଚାହିଁ ମନେମନେ ହୀରା କିଣୁଥାଅ । ତୁମେ ସେଠାରେ କାହିଁକି ବୁଲୁଥାଅ ମୁଁ ବୁଝିପାରୁ ନଥିଲି କିନ୍ତୁ ଏବେ ବୁଝିଲି । ପୁଣିଥରେ ହସବୃଷ୍ଟି ହେଲା । ଇଙ୍ଗାବୋର୍ଡ଼ କିନ୍ତୁ ଗମ୍ଭୀର ହୋଇ ବସିରହିଲେ ।

 

ଦ୍ୱିତୀୟ ମହାସମରବେଳେ ଇଙ୍ଗାବୋର୍ଡ଼ ଜର୍ମାନୀର ବର୍ଲିନ ସହରରେ ଡାକ୍ତରୀ ପଢ଼ୁଥିଲେ । ତାଙ୍କର ବାପା ଭାଇସବୁ ବାଧ୍ୟବାଧକତାରେ ସୈନ୍ୟବାହିନୀରେ ଯୋଗଦେଇ ପ୍ରାଣ ହରାଇଥିଲେ । ମା, ଭଉଣୀ ପ୍ରଭୃତି ଗାଁରେ ବୋମାମାଡ଼ରେ ମଲେ । ଆଉ ଯିଏ ବନ୍ଧୁବାନ୍ଧବ ଥିଲେ କିଏ କୁଆଡ଼େ ଗଲେ । ଶେଷରେ ମିତ୍ର ସେନାମାନେ ବର୍ଲିନ ଅଧିକାର କଲାପରେ ସେ ଗୋଟିଏ ସୈନ୍ୟଛାଉଣୀକୁ ଅଣାଯାଇ ସେଠାରେ ସେବାକାର୍ଯ୍ୟ କରିବାକୁ ବାଧ୍ୟ ହେଲେ ।

 

ଯୁଦ୍ଧପରର କ୍ଷତବିକ୍ଷତ ଓ ଖଣ୍ଡବିଖଣ୍ଡ ଜର୍ମାନୀ ରାଜ୍ୟରେ ଆଉ ଭବିଷ୍ୟତ ନ ଦେଖି ସେ ଜଣେ ସାଧାରଣ ଆମେରିକାନ ସୈନ୍ୟ ଜନ୍‍ସନ୍‍ଙ୍କୁ ବିବାହ କରି ତାଙ୍କ ସହଧର୍ମିଣୀ ଭାବରେ ଆମେରିକା ଚାଲି ଆସିଥିଲେ ।

 

ଜର୍ମାନ ବୋଲି ଜାଣିଲେ କାଳେ ଆମେରିକାନମାନେ ତାଙ୍କୁ ଘୃଣା କରିବେ କି ହଇରାଣ କରିବେ ଓ ସେ ନାନା ଅସୁବିଧାର ସମ୍ମୁଖୀନ ହେବେ, ଏହି ଡରରେ ସେ ବଡ଼ ସନ୍ତର୍ପଣରେ କାହାସଙ୍ଗେ ବିଶେଷ କଥାବାର୍ତ୍ତା ବା ମିଶାମିଶି ନ କରି ଏକାକିନୀ ସମୟ କଟାଉଥିଲେ । ଜନ୍‍ସନ୍ ସୈନ୍ୟବାହିନୀରେ କାର୍ଯ୍ୟ କରୁଥିଲେ । ସେ ଜଣେ ସାଧାରଣ ସୈନ୍ୟ ଭାବରେ ମଦ୍ୟପି ଓ ରୁକ୍ଷ ପ୍ରକୃତିର ଥିଲେ । ସେ ଇଙ୍ଗାବୋର୍ଡ଼ଙ୍କ ମର୍ଯ୍ୟାଦା ବୁଝି ପାରୁ ନଥିଲେ ଓ ଆମେରିକା ଫେରିବା ପରେ ସ୍ତ୍ରୀଙ୍କ ପ୍ରତି ସେତେ ଭଲ ବ୍ୟବହାର କରୁ ନଥିଲେ ।

 

ଥରେ ଇଙ୍ଗାବୋର୍ଡ଼ଙ୍କର ବିଶେଷ ଦରକାର ପଡ଼ିବାରୁ ସେ ଗୋଟିଏ ଡାକ୍ତର ଦୋକାନକୁ ଯାଇ ଗୋଟିଏ ଔଷଧ ମାଗିଲେ । ବିନା ପ୍ରେସ୍‍କ୍ରିପସନ ବା ଡାକ୍ତରୀ ନିର୍ଦ୍ଦେଶରେ ଔଷଧ ମାଗିବାରୁ ଦୋକାନୀଟି ଥତମତ ହୋଇ ତାଙ୍କୁ ଚାହିଁଲେ । କିଛି ସମୟ ପରେ ତାଙ୍କୁ ପଚାରିଲେ ନିର୍ଦ୍ଦେଶ ନ ଦେଖାଇ ଆପଣ ଔଷଧ ମାଗୁଛନ୍ତି, ଆପଣ କ’ଣ ନିଜେ ଜଣେ ଡାକ୍ତର ? ସେଥିରେ ସେ ବାଧ୍ୟ ହୋଇ ହଁ ଭରିଲେ ।

 

ଦୋକାନୀଟି ଜଣେ ଶିକ୍ଷିତ ଫାର୍ମାସିଷ୍ଟ ଭଦ୍ରଲୋକ । ସେ ତାଙ୍କ କଥା ପଚାରି ସବୁ ବୁଝିଲେ । ଗୋଟିଏ ଡାକ୍ତର, ଡାକ୍ତରୀ କରି ନ ପାରି ଏପରି ଡରିଡ଼ରି ଚଳୁଛନ୍ତି ଶୁଣି ତାଙ୍କର ଦୟା ହେଲା । ତାଙ୍କର ବର୍ମିଙ୍ଗହାମ ମେଡ଼ିକାଲ କଲେଜର କେତେକ ବଡ଼ ଡାକ୍ତରଙ୍କ ସହିତ ଭଲ ସମ୍ପର୍କ ଥିଲା ।

 

ମିସେସ୍ ଇଙ୍ଗାବୋର୍ଡ଼ ଜନ୍‍ସନ୍ ସେ ଡାକ୍ତରୀ ଦୋକାନୀଙ୍କ ସାହାଯ୍ୟରେ ହସ୍‍ପିଟାଲ କର୍ମକର୍ତ୍ତା ଓ ବିଭାଗୀୟ ଅଧ୍ୟାପକଙ୍କ ସଙ୍ଗେ ପରିଚିତ ହୋଇ ହାଉସ୍-ସର୍ଜନ ଟ୍ରେନିଙ୍ଗ୍ ପାଇବାର ସୁବିଧା ପାଇଲେ ଓ ସେ ଟ୍ରେନିଙ୍ଗ୍ ସରିବାପରେ ଆମ ସଙ୍ଗେ ସ୍ନାତକୋତ୍ତର ଶିକ୍ଷାପାଇଁ ଯୋଗ ଦେଇଥିଲେ ।

 

ପରେ ସେ ଯୋଗ୍ୟତା ଲାଭ କରି ଏବେ ମାନସିକ ରୋଗ ବିଶେଷଜ୍ଞ ଭାବରେ ବର୍ମିଙ୍ଗହାମର ଆଉ ଗୋଟିଏ ହସ୍‍ପିଟାଲରେ କାମ କରୁଛନ୍ତି । ଏହା ଭିତରେ ତାଙ୍କ ସ୍ୱାମୀ ଜନ୍‍ସନ୍‍ଙ୍କୁ ଛାଡ଼ପତ୍ର ଦେଇ ଡାକ୍ତର ମୋରିସ ନାମକ ଜଣେ ମାନସିକ ବିଶେଷଜ୍ଞଙ୍କୁ ବିବାହ କରି ଖୁସିରେ ଜୀବନଯାପନ କରୁଛନ୍ତି । ସେ ହୀରା କିଣିଲେଣି କି ନାହିଁ ମୋତେ ଜଣାଇ ନାହାନ୍ତି ।

 

ବନ୍ଧୁତାର ମାପକାଠି :–ନିଜ ସଙ୍ଗେ କାମ କରୁଥିବା ଆମ ବିଭାଗର ଡାକ୍ତରଙ୍କ ଛଡ଼ା ଅନ୍ୟାନ୍ୟ ବିଭାଗର କେତେକ ଡାକ୍ତରଙ୍କ ସଙ୍ଗେ ମଧ୍ୟ ମୋର ବନ୍ଧୁତା ହୋଇଥିଲା । ମୁଁ ଚାଟାନୁଗା ଛାଡ଼ି ବର୍ମିଙ୍ଗହାମ ଆସିବା ପରେ ଶଲ୍ୟ ବିଭାଗରେ କାମ କରୁଥିବା ଜଣେ ଭାରତୀୟ ସଙ୍ଗୀଙ୍କ ସଙ୍ଗେ ଗୋଟିଏ କୋଠରୀରେ ଏକତ୍ର ରହିବାର ସୁବିଧା ମିଳିଲା । ସେ ହାଲୁକା ପ୍ରକୃତିର ଲୋକ ଥିବାରୁ ସେଠାର ଝିଅମାନଙ୍କ ସଙ୍ଗେ ବେଶୀ ମିଶାମିଶି କରିବାକୁ ଭଲ ପାଉଥିଲେ । ସେଥିଯୋଗୁଁ ତାଙ୍କ ଖର୍ଚ୍ଚ ବଢ଼ିବାରୁ ସେ ସମୟ ସମୟରେ ଆର୍ଥିକ ଅଭାବର ସମ୍ମୁଖୀନ ହେଉଥିଲେ ।

 

ଦିନେ ମୋ ଭାରତୀୟ ବନ୍ଧୁଙ୍କର କିଛି ଟଙ୍କା ଅତି ଦରକାର ପଡ଼ିଲା । ମୁଁ ମୋର ଭତ୍ତା ଟଙ୍କାରୁ ବିଶ୍ୱବିଦ୍ୟାଳୟ ଦରମା ଦେଇ ଅଧିକା ପାଠ ପଢ଼ୁଥିବାରୁ ମୋ ପାଖରେ ଟଙ୍କା ନ ଥିବାର ଜାଣି, ମୁଁ ମୋର ଆଉ ଜଣେ ସ୍ଥାନୀୟ ଡାକ୍ତରବନ୍ଧୁ ଫର୍ଗୁସନଙ୍କ ଠାରୁ ଧାର ଆଣି ତାଙ୍କୁ ଦେବାକୁ ସେ ମୋତେ ଅନୁରୋଧ କଲେ ।

 

ଡାକ୍ତର ଫର୍ଗୁସନଙ୍କ ସଙ୍ଗେ ମୋର ଘନିଷ୍ଠ ବନ୍ଧୁତା ଥିବାର ସେ ଜାଣିଥିଲେ । ଫର୍ଗୁସନ ମୋର ବନ୍ଧୁଙ୍କ ସଙ୍ଗେ ଏକା ବିଭାଗରେ କାମ କରୁଥିବାରୁ ତାଙ୍କଠାରୁ ନିଜେ ଯାଇ ଧାର ଆଣିବାକୁ ମୁଁ ତାଙ୍କୁ କହିଲି । ତାଙ୍କୁ ଫର୍ଗୁସନ ଦେବେ ନାହିଁ ବୋଲି ଜାଣି ମୋର ବନ୍ଧୁ ମୋତେ ‘‘ସୁନା ଭାଇଟା ମୋର, ବଡ଼ ସାଙ୍ଗଟା ମୋର’’ ବୋଲି କଅଁଳେଇ ଟେକାଟେକି କରି କହି ତାଙ୍କପାଇଁ ମୋ ନାମରେ ମୁଁ ଧାର କରି ଟଙ୍କା ଆଣିବାକୁ ପ୍ରବର୍ତ୍ତାଇଲେ ।

 

ମୁଁ ବାଧ୍ୟ ହୋଇ ଫର୍ଗୁସ୍‍ଙ୍କ ପାଖକୁ ଯାଇ, ମୋର ନିଜର ଦରକାର ଅଛି, ମୋତେ ସେ କିଛି ଟଙ୍କା ଧାର ଦେଇ ପାରିବେ କି ବୋଲି ପଚାରିବାରେ, ଫର୍ଗୁନସ୍‍ଙ୍କ ମୁହଁ ହଠାତ୍ ଲାଲ ପଡ଼ିଗଲା । ସେ ବହୁତ ସମୟ ମୋର ମୁଣ୍ଡଠାରୁ ଗୋଡ଼ଯାଏଁ ନିରେଖି କରି ଚାହିଁବାକୁ ଲାଗିଲେ । ମୁଁ ସେଥିରେ ଅବାକ ହେଲି । କିଛି ସମୟ ଏପରି ଚାହିଁବା ପରେ ସେ କହିଲେ, ‘‘ତୁମେ ମୋ ସଙ୍ଗେ ବନ୍ଧୁତା ଭାଙ୍ଗି ଦେବାକୁ ଚାହଁ ଏକଥା ମୁଁ ବିଶ୍ୱାସ କରିପାରୁ ନାହିଁ । ସତ କୁହ, ତୁମର ଟଙ୍କା ଦରକାର ଅଛି ନା ଆଉ କାହାର ଦରକାର ଅଛି, ଯେ, ସେ ତୁମକୁ ଧାରପାଇଁ ମୋ ପାଖକୁ ପଠାଇଛି ।’’ ମୁଁ ସତକଥା ଫିଟାଇ କହିଲି ।

 

ମୋଠାରୁ ସବୁ ଶୁଣି ସେ କହିଲେ ‘‘ତୁମେ ମୋ ଭାବ ଦେଖି ଆଶ୍ଚର୍ଯ୍ୟ ହୋଇଥିବ । ମୁଁ ହଠାତ୍ ଅପ୍ରତିଭ ହୋଇଯିବାର କାରଣ ଅଛି । ଏ ଦେଶରେ କେହି ନିଜର ବନ୍ଧୁଙ୍କୁ ଧାର ମାଗନ୍ତି ନାହିଁ । ବନ୍ଧୁତା କାଟିବାର ଦୁଇଟି କାରଣରୁ ଧାର ମଗାଯାଏ । ପ୍ରଥମ କାରଣ–ଧାର ବୋଲି କହି ଦାନ ମାଗିବା । ତୁମେ ତ ନିଶ୍ଚୟ ଦାନ ମାଗୁ ନ ଥିବ । ଦ୍ୱିତୀୟ କାରଣ–ବନ୍ଧୁତାକୁ ବିଶେଷତ୍ୱ ନ ଦେଇ ସୁଝିବାର ପ୍ରତିଶ୍ରୁତି ଦେଇ ଇଚ୍ଛା ଅନୁସାରେ ସୁବିଧା ହେଲେ ଶୁଝିବା ଓ ବନ୍ଧୁ ଫେରି ପାଇବାର ଆଶାକରି ଧାର ଦେଇ ଠିକ୍ ସମୟରେ ନ ପାଇଲେ ବନ୍ଧୁତାରେ ଆଞ୍ଚ ଆସିବା । ଏହି କାରଣରୁ ଅନେକ ସ୍ଥାନରେ ମନୋମାଳିନ୍ୟ ହୋଇ ବନ୍ଧୁତା ଭାଙ୍ଗିଯାଏ । ଧାର ନେବା ଅଭ୍ୟାସରେ ପଡ଼ିଗଲେ ସବୁବେଳେ ଧାର ମାଗିବାକୁ ଇଚ୍ଛା ହୁଏ । ଅନେକ ସମୟରେ ନାନା କାରଣରୁ ଠିକ୍ ସମୟରେ ଧାର ଫେରାଇ ନ ପାରିଲେ ବନ୍ଧୁ ବନ୍ଧୁକୁ ଲୁଚେ, ବାଟରେ ଘାଟରେ କାଳେ ମାଗି ଦେବ ବୋଲି ସନ୍ଦେହ ହୁଏ । ଦୁହେଁ ଦୁହିଁକୁ ସନ୍ଦେହ କରନ୍ତି । ଶେଷରେ ବନ୍ଧୁତା ଭାଙ୍ଗିଯାଏ । ଅଭାବ ହେଲେ ଲୋକ ଉପାସ ରହିଯାଇପାରେ କିମ୍ୱା ନିଜର ଆସବାବ ପତ୍ର, କୋଟ୍, ଘଣ୍ଟା, କଲମ ପ୍ରଭୃତି ବନ୍ଧା ଦେଇ ଦୋକାନରୁ ଟଙ୍କା ଉଠାଇ ଆଣିପାରେ, ଏଥିପାଇଁ ଏଠାରେ ବହୁତ ‘ଧାର’ ବା ‘ଲୋନ୍‍ସ’ ଦୋକାନ ରହିଛି । ସେଠାରେ ଠିକ୍ ସମୟରେ ଟଙ୍କା ଫେରାଇ ଜିନିଷ ନ ଆଣି ପାରିଲେ ବନ୍ଧା ବୁଡ଼ିଯାଇ ପାରେ କିନ୍ତୁ କାହା ସଙ୍ଗେ କିଛି ମନୋମାଳିନ୍ୟ ହେବାର ସମ୍ଭାବନା ନାହିଁ । ତୁମର ଦେଶୀ ବନ୍ଧୁଙ୍କର ସାମୟିକ ମହିଳାବନ୍ଧୁ ଛଡ଼ା ଅନ୍ୟ ବନ୍ଧୁ କେହି ନାହାନ୍ତି; ତେଣୁ ହୁଏତ ଈର୍ଷାରେ ସେ ଆମର ବନ୍ଧୁତା ଭାଙ୍ଗିବାପାଇଁ ଏପରି ଉପାୟ ପାଞ୍ଚିଥିଲେ ।’’

 

ଡାକ୍ତର ଫର୍ଗୁସନ୍‍ଙ୍କ କଥାର ଗୁରୁତ୍ୱ ଥାଉ ବା ନ ଥାଉ, ମୁଁ ତାଙ୍କ ସଙ୍ଗେ ଆଉ ଯୁକ୍ତିତର୍କ ନ କରି ଖାଲିହାତରେ ଦେଶୀବନ୍ଧୁଙ୍କ ନିକଟକୁ ଫେରିଲି । ଫର୍ଗୁସନ୍ କହିବା କଥା ମୋ ବନ୍ଧୁ ଶୁଣିସାରି ସେ ଲୋକଟା ଗୋଟାଏ ମହାକଞ୍ଜୁସ୍ ଲୋକ ବୋଲି ମୋ ଆଗରେ ତାଙ୍କୁ ଭର୍ତ୍ସନା କଲେ ଓ ସେପରି ଲୋକ ସଙ୍ଗେ କୌଣସି ସମ୍ପର୍କ ରଖିବା ଅନୁଚିତ ବୋଲି ମୋତେ ଉପଦେଶ ଦେଲେ ।

 

ମୋର ଦେଶୀସଙ୍ଗୀଟି ସେଠାର ପୁରୁଷ ଓ ଗୃହସ୍ଥମାନଙ୍କ ସଙ୍ଗେ ମିଶିବାକୁ ବା ସନ୍ଧ୍ୟାବେଳେ ସଭା ସମିତିରେ ଯୋଗ ଦେବାକୁ ସମୟ ପାଆନ୍ତି ନାହିଁ । ଟିକିଏ ବେଳ ମିଳିଲେ ହସ୍‍ପିଟାଲର ଏମୁଣ୍ଡ ସେମୁଣ୍ଡ ବୁଲି ନୂଆ ନୂଆ ଝିଅ ସାଥୀଙ୍କର ସନ୍ଧାନ ନିଅନ୍ତି । ସେଠାର ଝିଅମାନଙ୍କ ସଙ୍ଗେ ସାନ୍ଧ୍ୟଭ୍ରମଣରେ ଯାଇ ଆନନ୍ଦରେ ସମୟ କଟାଇବାକୁ ବେଶୀ ପସନ୍ଦ କରନ୍ତି । ତାଙ୍କର ସେହି ଗୁଣ ଯୋଗୁଁ ତାଙ୍କ ସହକର୍ମୀ ଓ ହସ୍‍ପିଟାଲ ଅଫିସର ଲୋକମାନେ ସେତେ ଭଲ ଆଖିରେ ଦେଖୁ ନଥିଲେ ।

 

ଏ ସମ୍ୱନ୍ଧରେ ଦିନେ ଗୋଟିଏ ଘଟଣା ଘଟିଥିଲା । ଆମ ହସ୍‍ପିଟାଲ ଅଫିସ୍‍ଟି ସବା ତଳ ମହଲାରେ ଥାଏ । ଚିଠିପତ୍ର ଆଣିବାକୁ, ଟଙ୍କାପଇସା ଚେକ୍ ପ୍ରଭୃତି ଭଙ୍ଗାଇବାକୁ, ବା ଅନ୍ୟାନ୍ୟ ହସ୍‍ପିଟାଲ କାମରେ ବେଳେବେଳେ ଆମକୁ ସେଠାକୁ ଯିବାକୁ ପଡ଼େ । ତେଣୁ ସେ ଅଫିସ୍‍ଟିର ପ୍ରାୟ ସମସ୍ତଙ୍କ ସଙ୍ଗେ ଆମର ଚିହ୍ନାପରିଚୟ ଓ ବନ୍ଧୁତା ଥାଏ ।

 

ମୁଁ ହସ୍‍ପିଟାଲ ଷୋହଳ ମହଲାର ଗୋଟିଏ କୋଠରୀରେ ରହୁଥିଲି । ଦିନେ ମୁଁ ଏକୁଟିଆ ବସିଛି, ହଠାତ୍ ମୋ ଫୋନ୍‍ଟି ବାଜି ଉଠିଲା । ହସ୍‍ପିଟାଲ୍ ଅଫିସ୍‍ରେ ଟଙ୍କାପଇସା କାରବାର କରୁଥିବା ଜଣେ ଉଚ୍ଚପଦସ୍ଥ କର୍ମଚାରୀ ମୋତେ ଫୋନ୍‍ରେ କହିଲେ, ‘‘ବର୍ତ୍ତମାନ ଟଙ୍କାପଇସା ଦିଆନିଆ ହେବାର ସମୟ ହୋଇଗଲାଣି । ତୁମର ଦେଶୀ ସଙ୍ଗୀ ଏଠାରେ ଠିଆ ହୋଇଛନ୍ତି ଓ ତୁମର ଜରୁରୀ ଦରକାର ବୋଲି ଚେକ୍‍ଟିଏ ଭଙ୍ଗାଇ ଦେବାକୁ କହୁଛନ୍ତି । ତୁମର ଅତି ଦରକାର ଥିଲେ ମୁଁ ପୁଣି ହିସାବ ପତ୍ର ଖାତା ଖୋଲି ସେ ଚେକ୍‍ଟି ଭଙ୍ଗାଇ ଦେବି, କିନ୍ତୁ ତାଙ୍କର ନିଜର ଦରକାର ଥାଇ ତୁମ ନାମ ବ୍ୟବହାର କରୁଥିଲେ ମୁଁ ତାଙ୍କୁ ଅନୁଗ୍ରହ କରି ପାରିବି ନାହିଁ ।’’

 

ସେ ପୁଣି କହିଲେ, ‘‘ତୁମ ଏ ବନ୍ଧୁଙ୍କର ଚାଲିଚଲନ ଆମେ ପସନ୍ଦ କରୁନାହୁଁ । ତାଙ୍କ ଯୋଗୁଁ ଏ ଅଫିସ୍‍ରେ ବହୁତ ବିଭ୍ରାଟ ଘଟୁଛି । ଅଫିସ୍ କାର୍ଯ୍ୟ ସମୟରେ ମଧ୍ୟ ଅନେକ ସମୟରେ ସେ ଏହି ଅଫିସ୍‍ରେ ପଶି ନାନା ବାହାନା ଦେଖାଇ ଆମର ଏଠି କାମ କରୁଥିବା ଝିଅମାନଙ୍କ ସଙ୍ଗେ ହେଁହେଁ ଫେଁଫେଁ ହୋଇ ଅଫିସ୍ କାର୍ଯ୍ୟରେ ବାଧା ଦେଉଛନ୍ତି ।’’

 

ମୁଁ ତାଙ୍କଠାରୁ ସବୁ କଥା ଶୁଣି ସାରିବା ପରେ ମୋ ସଙ୍ଗୀକୁ ପଦାରେ ନ ପକାଇବା ପାଇଁ ‘‘ସେ ନୋଟ୍ ମୋର ଓ ସେଇଟି ଭଙ୍ଗାଇ ନେବାପାଇଁ ମୋର ବନ୍ଧୁଙ୍କୁ ଅନୁରୋଧ କରି ପଠାଇଛି’’ ବୋଲି କହିବାରେ ସେ ନୋଟ୍‍ଟି ଭଙ୍ଗାଇ ଦେଇଥିଲେ ।

 

ସେଠାର ସ୍ତ୍ରୀ ପୁରୁଷ ଅବାଧ ମିଳାମିଶା ଆମ ଆଖିକୁ ଅଲଗା ପ୍ରକାର ଦିଶିଲେ ମଧ୍ୟ, ସେଠାରେ ସାଧୁତା ଓ ଚରିତ୍ରବତ୍ତାକୁ ଲୋକେ କିପରି ପସନ୍ଦ କରନ୍ତି ଏ ଘଟଣା ତାହାର ଗୋଟିଏ ଜ୍ୱଳନ୍ତ ଉଦାହରଣ । ଝିଅ ପୁଅଙ୍କର ଅବାଧ ମିଳାମିଶାର ପ୍ରକୃତ ଲକ୍ଷ୍ୟ ହେଲା ବିବାହ ବନ୍ଧନରେ ଆବଦ୍ଧ ହେବାପାଇଁ, ତେଣୁ ଗୋଟିଏ ପୁଅ ଗୋଟାକ ପରେ ଗୋଟାଏ, ବହୁ ଝିଅଙ୍କ ସଙ୍ଗେ ସାନ୍ଧ୍ୟଭ୍ରମଣରେ ଯିବା ଲୋକଙ୍କୁ ହୁଏତ ଭଲ ଦିଶେ ନାହିଁ ।

 

ଅବାଧ ମିଳାମିଶା ପରି ଅଧିକାଂଶ ଲୋକ ‘ମଦ’କୁ ମଧ୍ୟ ପାନୀୟରୂପେ ବ୍ୟବହାର କରନ୍ତି । ଟିକିଏ ‘ମଦ’ ଖାଇବା ଶୀତପ୍ରଧାନ ଦେଶରେ ମାମୁଲି କଥା । ସ୍ୱେଚ୍ଛାଚାରୀ ଲମ୍ପଟ ପ୍ରକୃତି ପରି, ମଦ ଖାଇ ମାତାଲ ହେବାକୁ ମଧ୍ୟ ସେମାନେ ପସନ୍ଦ କରନ୍ତି ନାହିଁ କି ସେପରି ଲୋକଙ୍କ ସଙ୍ଗେ ବନ୍ଧୁତା କରିବାକୁ ଇଚ୍ଛା କରନ୍ତି ନାହିଁ । ଚରିତ୍ରବାନ୍, ନିଶା ଛୁଉଁ ନଥିବା ଲୋକଙ୍କର ସବୁ ଦେଶରେ ସବୁ ଯୁଗରେ ଆଦର ଅଛି ।

 

ଆମ ଦେଶରେ ତଥାକଥିତ ସଭ୍ୟମାନଙ୍କର ଧାରଣା, ମଦ ଖାଉଥିବା ଲୋକଙ୍କ ପାଖରେ ବସି ମଦ ନ ପିଇଲେ ସେମାନେ ନିଜକୁ ଅପମାନିତ ମନେ କରନ୍ତି । କିନ୍ତୁ ମୋ ନିଜ ଅନୁଭୂତିରୁ ସେ ଦେଶରେ ସେପରି କେହି ନିଜକୁ ଅପମାନିତ ମନେ କରିବା ମୁଁ ଜାଣେ ନାହିଁ ।

Image

 

ମିଷ୍ଟର୍ ପୁଚ୍

ଭୌତିକ ଦୃଶ୍ୟ

 

ଜନଶୂନ୍ୟ ରାସ୍ତା ଉପରେ ଏକୁଟିଆ ଠିଆ ହୋଇ ଅନ୍ୟ କେଉଁଆଡ଼କୁ ଦୃଷ୍ଟିପାତ ନ କରି ଅଦ୍ଭୁତ ଲୋକଟାଏ ଏକଲୟରେ ଭୂତପରି ପୁଳାଏ ସୂତା ଧରି ଜାଲଟିଏ ବୁଣି ଚାଲିଛି ।

 

ଦେହ ଖୁବ୍ ହୃଷ୍ଟପୁଷ୍ଟ । ଷଣ୍ଢାମାର୍କା ମଣିଷ । ମାଉଁସଗୁଡ଼ାକରେ ଗାଲ ଓ ଗଣ୍ଡଦେଶ ଫୁଲି ଉଠି ମୁହଁଟାକୁ ଘୋଡ଼ାଇ ପକାଇଲାଣି । ଥନ୍ତଲ ପେଟଟା ଆଗକୁ କୁଦା ମାରୁଛି । ବୟସ ଚାଳିଶ ଡେଇଁଲାଣି । ନାଲି ତକତକ ଚେହେରା । ଚନ୍ଦାମୁଣ୍ଡ ତଳେ ଖରାଦିନ ଘାସ ପଡ଼ିଆରେ ଶୁଖିଲା ଘାସ ପଡ଼ି ରହିଥିଲା ପରି ଛୋଟ ଛୋଟ କଅଁରା କଅଁରା ବାଳ କେତୁଟା ଅଯତ୍ନପାଳିତ ଭାବରେ ଆଲୁରା ବାଲୁରା ହୋଇ ଏପଟ ସେପଟ ପଡ଼ି ରହିଛନ୍ତି । ଅର୍ଦ୍ଧନିମୀଳିତ ଆଖି ଦୁଇଟା ମଝିରେ ମଝିରେ ସହର ରାସ୍ତା ଛକର ପୋଲିସ୍ ନାଲି ଆଲୁଅ ପରି ଜକଜକ ଜଳି ଉଠୁଛି । ପାଟି ଚାରିପଟେ ସମୁଦ୍ର ଢେଉର ଫେଣ ପରି ଧଳା ଧଳା ଫେଣ ସବୁ ଲାଗି ରହିଛି । ବେଳେବେଳେ ପାଟିରୁ ଥୁଥୁ ଶବ୍ଦ ସହିତ ଛେପ ପୁଳାଏ ଲେଖାଏଁ ତଳ ରାସ୍ତାକୁ ଡେଇଁ ପଡ଼ୁଛନ୍ତି ।

 

କୁବେରପୁରୀ ଆମେରିକାର ବିଖ୍ୟାତ ଟେନେସି ନଈକୂଳ ସୌନ୍ଦର୍ଯ୍ୟମୟୀ ଚାଟାନୁଗା ସହରରେ ଏଭଳି ଦୃଶ୍ୟ ଦେଖି ମୋ ପରି ଜଣେ ଡାକ୍ତରୀ ଛାତ୍ର ଆଶ୍ଚର୍ଯ୍ୟ ହୋଇଯିବା ସ୍ୱାଭାବିକ । ଭାରତରେ ଯେ କୌଣସି ସ୍ଥାନରେ ଜାଲବୁଣା ଦୃଶ୍ୟ ଦେଖିବା ଅତି ସହଜ । ଏପରି ଖଣ୍ଡିଆ କଳା କୋଚଟ ପେଣ୍ଟ ଜାମା ବା ଖଣ୍ଡିଆ କନା ପିନ୍ଧିବା ଲୋକ ମଧ୍ୟ ଯଥେଷ୍ଟ ଦେଖାଯାଆନ୍ତି କିନ୍ତୁ ସେମାନେ ସମସ୍ତେ ଅଭାବଗ୍ରସ୍ତ ଓ ଦରିଦ୍ର । ଆମେରିକାର ଗରିବ ଓ ଧନୀ ଭିତରେ ତଫାତ୍ ହେଲା, ଗରିବ ନିଜ ମଟର ଗାଡ଼ିଟି ନିଜେ ଚଳାଏ । ଧନୀଲୋକର ଗାଡ଼ି ଚଳାଇବା ପାଇଁ ଡ୍ରାଇଭରଟିଏ ଥାଏ । ସେଠାରେ କେହି ଉପାସ ରହେ ନାହିଁ । ରୋଜଗାର ପନ୍ଥାର କୌଣସି ଅଭାବ ନାହିଁ । କୁଲି ଭଳି ଯେ କୌଣସି କାୟିକ କାମ କଲେ ମଧ୍ୟ ଘଣ୍ଟାକୁ ପାଞ୍ଚ ସାତ ଡଲାର ବା ପଚାଶ, ଷାଠିଏ ଟଙ୍କା ମିଳେ ।

 

କାୟିକ ପରିଶ୍ରମର ମୂଲ୍ୟ ପୃଥିବୀରେ ଯେଉଁଠି ସବୁଠୁ ବେଶୀ, ସମୟ ଯେଉଁଠି ସୁନାର ମୂଲ୍ୟରେ ତୁଳାଯାଏ, ସେଇ ଦେଶରେ ଏପରି ଅଳସୁଆ, ଅସଂସ୍କୃତ, କଳା କୋତରା ଶୀର୍ଣ୍ଣବସ୍ତ୍ରଧାରୀ ଲୋକଟାଏ ସୂତା ଗୁନ୍ଥି ଜାଲ ବୁଣୁଛି ଓ ଛେପ ପକାଇ ଚାରିଆଡ଼ ଅପରିଷ୍କାର କରୁଛି । ଲୋକଟାର ଚେହେରାରୁ ଭୋକିଲା ଗରିବ ବୋଲି ସନ୍ଦେହ କରିବାର କାରଣ ମଧ୍ୟ କିଛି ନାହିଁ । ତାକୁ ଦେଖି ମୋ ମନରେ ସ୍ୱତଃ ପ୍ରଶ୍ନ ଉଠିଲା–ଏ ସଭ୍ୟ ଜଗତରେ ଏ ଅସଭ୍ୟ ଜାନୁଆରଟା କିଏ ?

 

ଚାଟାନୁଗା ସହରଟି ଅତି ପରିଷ୍କାର ପରିଚ୍ଛନ୍ନ । ଚାରିଆଡ଼େ ସୁନ୍ଦର ସୁନ୍ଦର ଫୁଲଗଛ । ବଜାରଗୁଡ଼ିକରେ ସୁନ୍ଦର ସୁନ୍ଦର ଆଧୁନିକ ଉଚ୍ଚ ଉଚ୍ଚ ଅଟ୍ଟାଳିକାରେ ଦୋକାନଗୁଡ଼ିକର ସାଜସଜ୍ଜା ଅତି ଚମତ୍କାର ଓ ସେଗୁଡ଼ିକ ନାନା ବିଳାସ ସାମଗ୍ରୀରେ ଭରପୂର । ବଜାର ବାହାରେ, ଜନବସତିଗୁଡ଼ିକ ଛଡ଼ା ଛଡ଼ା ବଙ୍ଗଳା ଭଳି ବାସଗୃହରେ ପରିପୂର୍ଣ୍ଣ । ସେ ଘର ଚାରିପଟେ ରମଣୀୟ ଉଦ୍ୟାନ ଓ ଘର ବାରଣ୍ଡାରେ ଅବସର ସମୟରେ ବସିବାପାଇଁ ଦୋଳାୟମାନ ଦୋଳି ।

 

ଗୌରାଙ୍ଗମାନଙ୍କ ବସତିଠାରୁ କିଛି ଦୂରରେ ନିଗ୍ରୋମାନଙ୍କ ବସତି । ଏ ସହରରେ ନିଗ୍ରୋ ସାହି ପଛପଟ ରାସ୍ତା ନଈକୂଳ ଆଡ଼କୁ ଲମ୍ୱିଛି । ନଈକୂଳର ପ୍ରଧାନ ରାଜପଥ ଓ ନଈକୂଳ ମଝିରେ ପ୍ରାୟ ଜନବସତି ନାହିଁ । ନଈକୂଳଟା ଜଙ୍ଗଲିଆ । ନିମ୍ନଭୂମି ହୋଇଥିବାରୁ ବଡ଼ବଡ଼ ଘାସଗଛ ଓ ବୁଦିବୁଦିକିଆ ବଣୁଆ ଗଛରେ ପୂର୍ଣ୍ଣ । ଦିନେ ଜଣେ ବନ୍ଧୁଙ୍କ ସଙ୍ଗେ ସେ ରାସ୍ତାରେ ତାଙ୍କ ମଟରଗାଡ଼ିରେ ବୁଲି ଗଲାବେଳେ ସେ ସ୍ଥାନର ସରୁ ବାଉଁଶ ଭଳି ବାଘନଳ ଘାସ ଗଛ ଉପରେ ମୋର ଦୃଷ୍ଟି ପଡ଼ିଥିଲା ।

 

ଜିଭଚିରା ସନ୍ଧାନ

 

ମୋର ସେତେବେଳେ ସେ ସହରର ବଜାରମାନଙ୍କର ଅତ୍ୟାଧୁନିକ ବିଳାସ ସାମଗ୍ରୀ ଅପେକ୍ଷା ନଈକୂଳର ବୁଦିବୁଦିକିଆ ଜଙ୍ଗଲର ବାଘନଳ ଗଛର କେତେ ପଗ ବେଶୀ ଦରକାର ଥିଲା ।

 

ଆଗରୁ କହିଛି, ଜାହାଜରେ ଆସିଲାବେଳେ ମୋ ପ୍ଲାଷ୍ଟିକ ଜିଭଚିରା ଖଣ୍ଡିକ ଦୁଇଗଡ଼ ହୋଇ ଯାଇଥିଲା । ଆମେ ସକାଳୁ ଅନ୍ତତଃ ଦୁଇ ତିନି ମିନିଟ୍ ଜିଭଚିରାରେ ଜିଭ ନ ଚାଞ୍ଛିଲେ ଆମ ମନ ତୃପ୍ତ ହୁଏ ନାହିଁ । କିନ୍ତୁ ୟୁରୋପ ଆମେରିକାର ଲୋକମାନେ କେହି ଜିଭଚିରା ବ୍ୟବହାର କରନ୍ତି ନାହିଁ । ଦାନ୍ତ ଘଷିସାରି ଟୁଥ୍ ବ୍ରସକୁ ଜିଭରେ ଟିକିଏ ମାରି ଦିଅନ୍ତି, ସେ ଦେଶରେ ରାତିରେ ଦାନ୍ତ ଘଷନ୍ତି, ସକାଳୁ କେବଳ ମୁହଁ ଧୋଇ ଦେଇ ଖିଆପିଆ କରନ୍ତି । ତେଣୁ ଅଧିକାଂଶଙ୍କର ଦାନ୍ତ ଖରାପ ହୁଏ, ପାଟିରୁ ଦୁର୍ଗନ୍ଧ ବାହାରେ । ଦୁର୍ଗନ୍ଧରୁ ମୁକ୍ତି ପାଇବାପାଇଁ ସେମାନେ ଚୁଇଙ୍ଗ୍ ଗମ୍ ବା ବାସଯୁକ୍ତ ମିଠାଇ ପାଟିରେ ଜାକନ୍ତି । ମାସକେ ଦୁଇ ଚାରିଥର ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇ ଦାନ୍ତ ସଫା କରାଇ ଆସନ୍ତି ।

 

ହିନ୍ଦୁ ବା ଭାରତୀୟଙ୍କ ଶୌଚ ବିଧିର ଆଚାର ସେମାନେ ଜାଣନ୍ତି ନାହିଁ । ଏପରିକି ଦିନ ଦିନ ଧରି ଗାଧୁଆପାଧୁଆ ନ କରି ଶରୀରର ଚମଉକୁଣି ଦାଉରୁ ରକ୍ଷା ପାଇବାକୁ ନାନାପ୍ରକାର ପାଉଡ଼ର, ଅତର ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରନ୍ତି ।

 

ବିଲାତ କି ଆମେରିକାରେ ଜିଭଛେଲା କିଣିବାକୁ ନ ପାଇ ନିରାଶ ହୋଇଥିବାବେଳେ ନଈକୂଳର ବାଘନଳ ଗଛ ମୋ ମନରେ ଆଶାର ସଂଚାର କରିଥିଲା । ସେ ନଳକୁ ଚାଞ୍ଛି ସେଥିରୁ ଜିଭଚିରା ଭଳି ଲମ୍ୱା ଲମ୍ୱା ପାତିଆ ବାହାର କରିହେବ ବୋଲି ଆଶାନ୍ୱିତ ହୋଇଥିଲି ।

 

ରାସ୍ତାଘାଟ ଠିକ୍ କରିବା ପରେ ସେଦିନ ମୁଁ ଏକୁଟିଆ ଚାଲି ଚାଲି ସେଇ ବାଘନଳ ଗଛ ଉଦ୍ଦେଶ୍ୟରେ ବାହାରିଥିଲି । ମୋ ବସାଠାରୁ ତାହା ମଧ୍ୟ ବେଶୀ ଦୂର ନଥିଲା ।

 

ନଈକୂଳ ରାଜପଥଟି ବେଶ୍ ଚଉଡ଼ା ଓ ସୁନ୍ଦର, କିନ୍ତୁ ନିଛାଟିଆ । ସେ ରାସ୍ତାରେ ମଟରଗାଡ଼ିଗୁଡ଼ିକ ଦ୍ରୁତଗତିରେ ଚାଲି ଯାଉଥାଏ । କିନ୍ତୁ ମୋ ଛଡ଼ା ସେ ରାସ୍ତାରେ ଆଉ ଗୋଟିଏ ମଣିଷ କି ପଶୁ ଚାଲୁଥିବାର ଦିଶୁ ନ ଥାନ୍ତି ।

 

ମୁଁ ଏକାକୀ ଚାଲିବାବେଳେ ମଝିରେ ମଝିରେ ଗୋଟିଏ ଗୋଟିଏ ଗାଡ଼ି ମୋ ନିକଟରେ ଠିଆ ହୋଇଯାଏ ଓ ସେ ଚାଳକ ମୋତେ ଚାଲୁଥିବା ଦେଖି ପଚାରେ–‘‘ଆପଣଙ୍କ ଗାଡ଼ି କ’ଣ ଖରାପ ହୋଇଗଲା କି ? ମୁଁ ଆପଣଙ୍କୁ କିଛି ସାହାଯ୍ୟ କରିପାରେ କି ? ଆପଣ ମୋ ସଙ୍ଗେ ଆସନ୍ତୁ, ଯେଉଁଠି କହିବେ ଆଗରେ ପହଞ୍ଚାଇ ଦେବି ।’’ ସେମାନଙ୍କର ଏତେ ଭଦ୍ର ବ୍ୟବହାର ଓ ସାହାଯ୍ୟ କରିବାର ମନୋଭାବ ମତେ ଅସ୍ତବ୍ୟସ୍ତ କରି ପକାଇଲା । ସେମାନଙ୍କୁ କେତେକଅଣ ଉତ୍ତର ଦେବି ଭାବି ଭାବି ମୁଁ ବ୍ୟସ୍ତ ହୋଇ ପଡ଼ିଲି ।

 

ଏବେ ଅବଶ୍ୟ ହିପ୍‍ପ ଓ ଡକାୟତମାନେ ଗାଡ଼ି ସବୁ ଅଟକାଇ ଗାଡ଼ି ଚାଳକମାନଙ୍କୁ ହଇରାଣ କରିବାଦ୍ୱାରା ସେତେବେଳର ଅବସ୍ଥା ଅନେକଟା ବଦଳିଗଲାଣି । ଏକୁଟିଆ ଲୋକ ଦେଖି ଆଉ ଚାଳକମାନେ ନିଜ ଗାଡ଼ି ଅଟକାଉ ନାହାନ୍ତି ।

 

ମୁଁ ଏହିପରି ଚାଲୁ ଚାଲୁ ପୂର୍ବୋକ୍ତ ଲୋକଟା ହଠାତ୍ ମୋ ଆଖିରେ ପଡ଼ିଥିଲା । ମୁଁ ସାହସ କରି ତା’ ପାଖକୁ ଗଲି । ତା’ ମୁହଁରୁ ବାହାରୁଥିବା ଉତ୍କଟ ମଦ ଗନ୍ଧରେ ତା’ ପାଖରେ ଠିଆ ହୋଇ ହେଉ ନ ଥାଏ । ଚାରିପଟେ ଛେପ ଖଙ୍କାର ପଡ଼ିଥିବାରୁ ସେଠାରେ ଠିଆ ହେବାର ମଧ୍ୟ ବିଶେଷ ସୁବିଧା ନ ଥାଏ । ମୁଁ ଭରସି କରି ନଈକୂଳର ବାଘନଳ ବଣକୁ କେଉଁ ବାଟେ ବାଟ ବୋଲି ଦୁଇ ଚାରି ଥର ପଚାରିବା ପରେ ସେ ମୁଣ୍ଡ ଟେକି ମୋତେ ଟିକିଏ ଚାହିଁଲା ଓ ଅସ୍ପଷ୍ଟ ସ୍ୱର ଓ ଅବୁଝା ଭାଷାରେ ପଦେ ଦୁଇପଦ କ’ଣ କହିଦେଇ ମୁହଁ ପୋତି ପୁଣି ତା’ ଜାଲବୁଣାରେ ଲାଗିପଡ଼ିଲା ।

 

ମୁଁ ତା’ର ଗାଡ଼ୁରୁ ମାଡ଼ୁରୁ କଥାରୁ କିଛି ବୁଝି ପାରିଲି ନାହିଁ । ମୁଁ ତା’ର ଜାଲବୁଣାକୁ ମଧ୍ୟ ଲକ୍ଷ୍ୟ କରି ଦେଖିଲି, ସେ ବୁଣା ମଧ୍ୟ ତା’ର କଥା ପରି ଅସ୍ପଷ୍ଟ । ଜାଲଟି ବୁଣା ହେଉଛି କି ଖୋଲା ହେଉଛି ଜାଣିବା କଷ୍ଟ । ଗୋଦଡ଼ା କୋଡ଼େ ଯେତେ ମାଡ଼େ ସେତେ ନୀତିରେ ସେ ବୁଣି ଚାଲିଛି । ମୁଁ ସେହି ଦୁର୍ଗନ୍ଧ ପରିସ୍ଥିତିରେ ସେଠାରେ ବେଶୀ ସମୟ ରହିବା ଫଳପ୍ରଦ ମନେ ନ କରି ଆଗେଇ ଚାଲିଲି ।

 

ରସିକିଆ ବୃଦ୍ଧ

 

ଅଳ୍ପ ଦୂରରେ ରାସ୍ତା ଆରପଟକୁ ନଈକୂଳ ଆଡ଼େ ଗୋଟିଏ ଏକୁଟିଆ ଘର ଦିଶିଲା । ସେ ଘର ସାମନାରେ ଜଣେ ବୃଦ୍ଧ ଭଦ୍ରବ୍ୟକ୍ତି ଠିଆ ହୋଇଥିଲେ । ମୁଁ ତାଙ୍କ ପାଖରେ ପହଞ୍ଚିବାକ୍ଷଣି ସେ ମୁରୁକି ହସି ହସ୍ତମର୍ଦ୍ଦନ ପାଇଁ ମୋ ଆଡ଼କୁ ତାଙ୍କ ଡାହାଣ ହାତଟି ବଢ଼ାଇ ଦେଇ, ତାଙ୍କ ନାମ ଜର୍ଜ ମୁନି ବୋଲି କହିଲେ । ମୁଁ ସଙ୍ଗେ ସଙ୍ଗେ ହାତ ବଢ଼ାଇ କରମର୍ଦ୍ଦନ କରି ମୋର ନାମ କହିଲି ଓ ମୁଁ ଏ ଦେଶକୁ ନୂଆ ଆସିଥିବା ଜଣେ ଭାରତୀୟ ଡାକ୍ତର ବୋଲି ପରିଚୟ ଦେଲି ।

 

ସେ ମୋ କଥା ଶୁଣି ସାରି ମୋ ଘର କେଉଁଠାରେ ବୋଲି ପୁଣି ପଚାରିବାରୁ ମୁଁ ମୋ ଘର ଭାରତରେ ବୋଲି ଉତ୍ତର ଦେଲି । ତାହା କେତେ ଦୂର ବୋଲି ସେ ପଚାରିବାରେ, ବହୁତ ଦୂର ଓ ସୂର୍ଯ୍ୟଙ୍କର ସାତେ ଦଶ ଘଣ୍ଟାର ବାଟ ବୋଲି କହିଲି । ସେ ମୁଣ୍ଡ ହଲାଇ ସବୁ ବୁଝିଗଲା ପରି ଭାବ ଦେଖାଇ କହିଲେ, ‘‘ହଁ ବହୁତ ଦୂର ନିଶ୍ଚୟ, ‘କିଉବା’ ଦେଶ ପାଖରେ ହୋଇଥିବ । କିଉବା ଦ୍ୱୀପ ଉତ୍ତର ଓ ଦକ୍ଷିଣ ଆମେରିକାର ମଝିରେ ଥିବା ସମୁଦ୍ର ଭିତରେ । ତାଙ୍କ କଥା ଶୁଣି ମୁଁ ତାଙ୍କର ଜ୍ଞାନର ପରିସର ଅନୁମାନ କରି ନେଇ ନୀରବ ରହିଲି ।

 

ସେ ତାଙ୍କର ସିଗାରେଟ ପୁଡ଼ାଟି କାଢ଼ି ସେଥିରୁ ଖଣ୍ଡିଏ ମୋ ଆଡ଼କୁ ବଢ଼ାଇଲେ । ମୁଁ ସିଗାରେଟ ଖାଏ ନାହିଁ କହି ସେ ଖଣ୍ଡିକ ଗ୍ରହଣ ନ କରିବାକୁ, ମୁଁ ତାଙ୍କ ସଙ୍ଗେ ତାଙ୍କ ଘରକୁ ଯାଇ ଟିକିଏ ସୁରାପାନ କରିବାପାଇଁ ନିମନ୍ତ୍ରଣ କଲେ । ମୁଁ ମଦ ଛୁଏଁ ନାହିଁ କହିବାରୁ ସେ ଟିକିଏ ବିବ୍ରତ ହୋଇ ପଡ଼ି କହିଲେ ‘‘ତୁମେ ଏତେ ଦୂରରୁ ଆସିଛ, ତୁମେ ଆମର ଅତିଥି, ତୁମେ ଏ ସବୁ ଗ୍ରହଣ ନ କଲେ ମୁଁ କିପରି ଭାବରେ ଅତିଥି ସତ୍କାର କରି ପାରିବି ? ତାହାହେଲେ ତୁମେ ସନ୍ଧ୍ୟାରେ ଆସ-। ଏଇ ଦୋକାନରେ ମୋର ଗୋଟିଏ ଆମୋଦ କକ୍ଷ ରହିଛି । ଏ ସ୍ଥାନକୁ ଲୋକେ ‘ହଙ୍କିଟଙ୍କ’ ବୋଲି କହନ୍ତି । ସନ୍ଧ୍ୟାରେ ଏଠାରେ ନାଚିବାପାଇଁ ବହୁତ ସୁନ୍ଦର ସୁନ୍ଦର ଝିଅ ମଧ୍ୟ ଆସନ୍ତି-। ମୁଁ ତୁମକୁ ତାଙ୍କ ସଙ୍ଗେ ଚିହ୍ନାପରିଚୟ କରାଇ ଦେବି । ତୁମେ ସେମାନଙ୍କ ସଙ୍ଗେ ନାଚିବ-

 

ଆମ ଦେଶର ପୁରାତନ ରକ୍ଷଣଶୀଳ ହିନ୍ଦୁ ସମାଜରେ ପୁଅ ଝିଅ ଏକାଠି ନାଚିବାର ପ୍ରଥା ନାହିଁ ଓ ମୋତେ କୌଣସି ପ୍ରକାର ନାଚ ଆସେ ନାହିଁ ଶୁଣି ମୁହଁକୁ ଟିକିଏ ଆମ୍ୱିଳେଇ ଦେଲେ । ମୋର ମନେ ହେଲା, ସେ ଯେପରି ଭାବୁଛନ୍ତି ‘‘ଅରସିକେସୁ ରସସ୍ୟ ନିବେଦନଂ ମାଲିହ ମାଲିହ ମାଲିହ ।’’

 

ଏସବୁପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ମୁଁ କହିବାରେ ସେ ଆଶ୍ଚର୍ଯ୍ୟ ହେଲା ଭଳି କହିଲେ, ‘‘ହଇଓ’’ ତୁମେ କିଭଳି ଲୋକହୋ ? ସିଗାରେଟ ନାହିଁ, ମଦ ନାହିଁ, ନାଚ ନାହିଁ । ଜୀବନରେ ତୁମର ଟିକିଏ ହେଲେ ରସ ନାହିଁ । ତୁମେ ବଞ୍ଚିଛ କିପରି ! ତୁମେ ବଞ୍ଚି ରହିବାର ଉଦ୍ଦେଶ୍ୟ କ’ଣ ?’’ ସେଥିରେ ବାଧ୍ୟ ହୋଇ ମୋତେ ତାଙ୍କୁ ହିନ୍ଦୁ ଦର୍ଶନ ଓ ବୌଦ୍ଧ ଦର୍ଶନ ଉପରେ ଛୋଟକାଟିଆ ବକ୍ତୃତାଟିଏ ଦବାକୁ ପଡ଼ିଲା ।

 

ଜର୍ଜ ମୁନି ମୋତେ ନଈକୂଳ ବଣଆଡ଼କୁ ବାଟ ଦେଖାଇ ଦେଲେ । ଆଗରେ କେତେଗୁଡ଼ିଏ ବୁଲା କୁକୁର ବୁଲୁଥିବାର ଦେଖାଗଲେ । ତା’ପରେ ନଈକୂଳ ପାଣି ଉପରେ ଗୋଟିଏ ଭାସମାନ କ୍ୟାବିନ୍ ବା ଘର ଦେଖାଗଲା । କେତେବେଳେ ପୂର୍ବରୁ ଦେଖା ହୋଇଥିବା ଜାଲବୁଣା କେଉଟଟା ଆସି ସେ ଡଙ୍ଗାଘରର ବାରଣ୍ଡାରେ ଠିଆ ହୋଇ ଚାରିପଟକୁ ଥୁଥୁ କରି ଛେପ ପକାଇବାରେ ଲାଗିଛି । ଆଉ କେଉଁ ଆଡ଼କୁ ତା’ର ଲୟ ନାହିଁ ।

 

ମୁଁ ସେଠାରୁ ଆଡ଼େଇ ହୋଇ ନଳବଣ ଭିତରେ ପଶିଲି ଓ ମନଇଚ୍ଛା ପୁଳାଏ ବାଘନଳ ଖାଡ଼ି ଧରି ବସାକୁ ଫେରି ଜିଭଚିରା ତିଆରି କଲି । ଫେରିବା ବାଟରେ ବୃଦ୍ଧ ମୁନି ମୋତେ ଭେଟି ପୁଣି ଆସିବାକୁ ନିମନ୍ତ୍ରଣ କଲେ ଓ ସେ ଦୋକାନରେ ଆସି ପହଞ୍ଚିଥିବା ଅନ୍ୟାନ୍ୟ, ଲୋକଙ୍କୁ ମୋତେ ଚିହ୍ନାଇ ଦେଇ ମୋର ନିଶା ପ୍ରଭୃତି ପ୍ରତି ନିର୍ଲିପ୍ତତା ଓ ଜିଭଚିରାପ୍ରୀତି ବିଷୟରେ ବକ୍ତୃତା ଆରମ୍ଭ କରିଦେଲେ । ସେଇଦିନଠାରୁ ମୋତେ ସେ ଜିଭଚିରା ଡାକ୍ତର ବୋଲି ଥଟା କରନ୍ତି ଓ ଅନ୍ୟମାନଙ୍କୁ ସେଇ ନାମରେ ଚିହ୍ନାଇ ଦିଅନ୍ତି ।

 

ହସ୍‍ପିଟାଲର ସ୍ନାତକୋତ୍ତର ଛାତ୍ରାବାସରେ ଆମେ ୪୦, ୫୦ ଡାକ୍ତର ଥାଉ । ପାଞ୍ଚଟା ବେଳକୁ କାମ ସରିଲେ ଯେ ଯୁଆଡ଼େ ମଉଜ କରିବାକୁ ଯାଆନ୍ତି । ଅବିବାହିତମାନଙ୍କର ଝିଅ ଡେଟ୍ ସବୁ ଓ ବିବାହିତମାନଙ୍କର ସ୍ତ୍ରୀ ପିଲାମାନେ ଆସି ସେମାନଙ୍କୁ ଘେନି ଯାଆନ୍ତି । ମୁଁ ଛାତ୍ରାବାସରେ ପ୍ରାୟ ଏକୁଟିଆ ପଡ଼ିଯାଏ । ଏଥର ଏକୁଟିଆ ବସି ନ ରହି ନଈକୂଳ ଆଡ଼େ ବୁଲିଯାଇ ବୃଦ୍ଧ ମୁନିଙ୍କ ସଙ୍ଗେ ଆଳାପ ଜମାଇବାକୁ ମନ ବଳିଲା । ସେ ମଧ୍ୟ ମୋତେ ଭଲ ବ୍ୟବହାର ଦେଖାଇ ଆଦର କଲେ । ସେ ରିଉମାଟିଜିମ ଓ ହୃଦ୍‍ରୋଗ ଭୋଗ କରୁଥିବାରୁ ମୁଁ ତାଙ୍କ ଚିକିତ୍ସାର ଭାର ନେଇ ବନ୍ଧୁତା ବଢ଼ାଇଲି ।

 

ଅନ୍ୟ କାମ ନ ଜୁଟିଲେ ମୁଁ ପ୍ରାୟ ସବୁଦିନ ସେଇଆଡ଼କୁ ଯାଏଁ । ମୁଁ ମୋର କୌତୂହଳ ମେଣ୍ଟାଇବା ପାଇଁ ଦିନେ ପ୍ରଥମେ ଭେଟିଥିବା ଜାଲବୁଣା ଲୋକର ପରିଚୟ ପାଇବାକୁ ବୃଦ୍ଧଙ୍କୁ ପ୍ରଶ୍ନ କଲି । ମୁଁ ତା’ର ପରିଚୟ ପାଇଲି । ସେ ବୃଦ୍ଧଙ୍କର ପୁତ୍ର, ତା’ର ନାମ ଜର୍ଜ ମୁନି ଜୁନିଅର ଓ ଡାକ ନାମ ପୁଚ୍ ।

 

ସେ ପୁଚ୍‍କୁ ଡାକି ମୋ ସଙ୍ଗେ ପରିଚୟ କରାଇ ଦେଲେ । ସେଦିନ ପୁଚ୍ ଟିକିଏ ପ୍ରକୃତିସ୍ଥ ଥିଲା ପରି ଜଣା ପଡ଼ୁଥିଲା । ସେ ହସି ହସି ମୋ ହାତ ସଙ୍ଗେ ହାତ ମିଳାଇଲା, ହେ ଡାକ୍ତର କହି ମୋର ହତାକୁ ଜୋରରେ ହଲାଇ ଦେଲା । ବୃଦ୍ଧ ମଧ୍ୟ ହସି କରି କହିଲେ, ଇଏ ମାଛ ଧରେ । ବହୁତ ଟଙ୍କା ରୋଜଗାର କରେ କିନ୍ତୁ ପାଣିରୁ ଟଙ୍କା ଗୋଟାଇ ଆଣି ସେ ଟଙ୍କାକୁ ପାଣି କରି ପୁଣି ପିଇଦିଏ ।

 

ନୌକାବିହାର

 

ମୋ ସଙ୍ଗେ ପଦେଅଧେ କଥାବାର୍ତ୍ତା ପରେ ପୁଚ୍ ମୋର ହାତ ଟାଣି ଟାଣି ତା’ ଡଙ୍ଗାଘର ଆଡ଼କୁ ନେଇଗଲା । ତା’ ଘରେ ଆଉ କେହି ନାହିଁ । ଜିନିଷପତ୍ର ସବୁ ଏଣେତେଣେ ଛିନ୍‍ଛତର ହୋଇ ପଡ଼ିଛି । ପରିବେଶ ବଡ଼ ଅପରିଚ୍ଛନ୍ନ, ଚାରିଆଡ଼େ ମଇଳା କୋତରା । ଖାଲି ବିଅର୍‍ ମଦର ଟିଣପିମ୍ପାଗୁଡ଼ାକ ଏପଟେ ସେପଟେ ଗଡ଼ୁଛି । ଆସବାବ ପତ୍ର ଟେବୁଲ ଚଉକି ସବୁ ଭଙ୍ଗା ଦଦରା । ଘରର କାନ୍ଥ ସବୁରୁ ରଙ୍ଗ ଛାଡ଼ି ବେଢ଼ଙ୍ଗ ଦିଶୁଛି । ଘର ବାହାରେ ନଈକୂଳେ ଗୋଟିଏ ପୁରୁଣା ଦରଭଙ୍ଗା ଫୋର୍ଡ଼ ମୋଟର ଗାଡ଼ି ଠିଆ ହୋଇଛି । ତା’ର ପଛ ସିଟ୍ ନାହିଁ । ଆଗ ସିଟ୍‍ରେ ପୁଳାପୁଳା କନା ଓ ଲୁହା ସ୍ପ୍ରିଂ ଉପରକୁ ଉଙ୍କି ମାରୁଛନ୍ତି । ଘରକୁ ଲାଗି କୂଳରେ ବନ୍ଧା ହୋଇଛି । ଗୋଟିଏ ଛୋଟିଆ ଇଞ୍ଜିନ୍ ଲାଗିଥିବା ଜଲି ବୋଟ୍ ବା ଆଧୁନିକ ଡଙ୍ଗା । ସେଥିରୁ ମାଛ ଗନ୍ଧ ବାହାରୁଛି । ଘର ସାମନାରେ ମାଛ କିଣିବାପାଇଁ ଜଣେ ମହିଳା ତାଙ୍କ ପିଲାଙ୍କୁ ଧରି ମାଛ କିଣିବାକୁ ଅପେକ୍ଷା କରୁଥିଲେ । ମୁଁ ପୁଚ୍ ସହିତ ସେ ଡଙ୍ଗାଘର ଦୁଆରେ ଫଟୋଟିଏ ନେଲି ।

 

ତା’ କ୍ୟାବିନ୍ ଘରର ପଛ କୋଠରୀରେ ପଶି ପୁଚ୍ ଗୋଟିଏ ଚିଙ୍ଗୁଡ଼ି ଖାଡ଼ି, କିଛି ବନିଶି କଣ୍ଟା ଓ ଗୁଡ଼ିଏ ବିଅର୍‍ ଟିଣ ଧରି ବାହାରି ଆସିଲା । ତା’ପରେ ମୋର ହାତ ଭିଡ଼ି ଭିଡ଼ି ନେଇ ଇଞ୍ଜିନ୍‍ର ବିପରୀତ ଦିଗରେ ବସିବାକୁ ମତେ ନିର୍ଦ୍ଦେଶ ଦେଇ ନିଜେ ଇଞ୍ଜିନ୍ ପାଖରେ ବସି ଇଞ୍ଜିନ୍ ଷ୍ଟାର୍ଟ୍ କରି ଡଙ୍ଗାଟି ଚଳାଇବାକୁ ଆରମ୍ଭ କରିଦେଲା ।

 

ନଈଟା ଖୁବ୍‍ ଚଉଡ଼ା ଓ ଗଭୀର । ନଦୀର ଜଳରାଶିକୁ ଭାଗ ଭାଗ କରି ମଝିରେ ମଝିରେ ଗୋଟାଏ ଦୁଇଟା ଯାତ୍ରୀବାହୀ ବଡ଼ବଡ଼ ଲଞ୍ଚ୍ ଡଙ୍ଗା ଦ୍ରୁତଗତିରେ ଚାଲି ଯାଉଥାଏ । ଅସ୍ତଗାମୀ ସୂର୍ଯ୍ୟର ନାଲି କିରଣରେ ନଈର ପାଣି ଝଲମଲ କରି ଉଠୁଥାଏ । ନଦୀର ଦୁଇପଟର ଶ୍ୟାମ ବୃକ୍ଷଲତାମାନଙ୍କରୁ କୀଟ ପତଙ୍ଗଙ୍କର ବିଭିନ୍ନ ରାଗିଣୀ ଭାସି ଆସୁଥାଏ ।

 

ଏଇ ସ୍ଥାନଟି ଟେନେସି ନଦୀର ବିଖ୍ୟାତ ଚିକାମୁଗା ଡ୍ୟାମ୍‍ର ତଳ ପଟର ନଈ । ଚିକାମୁଗା ଡ୍ୟାମ୍ ତିଆରିବେଳେ ନଦୀରୁ ଶଯ୍ୟାକୁ ସମତଳ କରାଯାଇଛି । କେଉଁଠି ନଦୀ ଓ ପାଣି ଭଣ୍ଡାର କେତେ ଗଭୀର ତାହା ମାପ କରାଯାଇ ସେ ସବୁ ବିଭିନ୍ନ ସ୍ଥାନରେ ଲେଖାଯାଇଛି । ଏହା ଫଳରେ ନଈରେ ବଡ଼ବଡ଼ ଲଞ୍ଚ୍ ଚାଲିପାରୁଛି ଓ ନଈରୁ ଖଣ୍ଡେ ଖଣ୍ଡେ ପ୍ରତିବର୍ଷ ମାଛ ଧରିବାପାଇଁ ପଟ୍ଟା ଦିଆଯାଇ ପାରୁଛି ।

 

ଆମେରିକା ଜାତି, ବ୍ୟବସାୟୀ ଜାତି । ସେମାନେ ଯେଉଁ ଯୋଜନା କରନ୍ତି ଭବିଷ୍ୟତ ଲାଭର ଚିନ୍ତାକରି ପଇସେ ଖର୍ଚ୍ଚ ହେଲେ ସେଥିରୁ କିପରି ଦୁଇ ପଇସା ମିଳିବ ତାହା ବିଚାର କରି ତା’ର ବ୍ୟବସ୍ଥା ଆଗରୁ କରିଥାଆନ୍ତି । ଡ୍ୟାମ୍ କରିବାପାଇଁ ଆମ ଇଞ୍ଜିନିୟର୍‍ମାନେ ସେଠାରୁ ତାଲିମ ପାଇ ସେଇ ଡ୍ୟାମ୍‍ର ଅନୁକରଣରେ ଆମ ହୀରାକୁଦ ଡ୍ୟାମ୍ ତିଆରି କରିଛନ୍ତି, କିନ୍ତୁ ତରତରରେ କାମ ସମ୍ପୂର୍ଣ୍ଣ କରିବାକୁ ଯାଇ ଜମିସବୁ ସମତଳ ନ କରି ଡ୍ୟାମ୍‍ଟି ସମ୍ପୂର୍ଣ୍ଣ କରିବାଦ୍ୱାରା ତା’ ଭିତରେ ବଡ଼ବଡ଼ ଗଛ, ପୁରୁଣା ଦେଉଳ ସବୁ ବୁଡ଼ି ରହିଛନ୍ତି । ଆମ ଡ୍ୟାମ୍ ଓ ନଈରୁ ମାଛ ଧରିବା ଯେପରି କଷ୍ଟ, ନୌକା ଚଳାଇବା ମଧ୍ୟ ସେହିପରି ବିପଦସଙ୍କୁଳ । ଗଛ, ଦେଉଳ ଓ ମୁଣ୍ଡଆ ପ୍ରଭୃତି ନିକଟରେ ମାଟି ଜମି ଡ୍ୟାମ୍ ଓ ନଈ ଶୀଘ୍ର ପୋତିହୋଇଯିବାର ମଧ୍ୟ ଆଶଙ୍କା ରହିଛି ।

 

ପୁଚ୍ ସେଇ ନଈରୁ ଗୋଟିଏ ମାଇଲ ପଟ୍ଟା ନେଇ ମାଛ ଧରେ । ସେ ସକାଳୁ ଜାଲ ଓ ବଜା ସାହାଯ୍ୟରେ ନଈକୂଳରୁ ଛୋଟ ଛୋଟ ଚିଙ୍ଗୁଡ଼ି ଧରି ଖାଡ଼ିରେ ପୂରାଇଥାଏ । ବଡ଼ବଡ଼ ଫମ୍ପା ବୋଲତସବୁ ମୁହଁ ବନ୍ଦ କରି ଗୋଟିଏ ବଡ଼ ସୂତାର ଏମୁଣ୍ଡେ ସେମୁଣ୍ଡେ ଦୁଇଟି ଓ ମଝିରେ ମଝିରେ ଗୋଟିଏ ଲେଖାଏ ବୋତଲ ବାନ୍ଧିଦିଏ । ନଈକୂଳରେ ସେ ସୂତାର ଗୋଟିଏ ପଟ ପଥର ବା କାଠ ଖମ୍ୱରେ ବାନ୍ଧି ଅନ୍ୟ ମୁଣ୍ଡଟି ନଈ ଭିତରକୁ ଛାଡ଼ି ଦିଏ । ଏପରି କିଛି କିଛି ଛଡ଼ା ବହୁତ ସୂତା ପାଣିରେ ଭାସୁଥାଏ । ସୂତା ଦେହଯାକ ଟିକିଏ ଟିକିଏ ଛଡ଼ାରେ ଚିଙ୍ଗୁଡ଼ିଗୁନ୍ଥା ବନିଶିକଣ୍ଟା ସବୁ ଓହଳାଇଥାଏ ।

 

ସେ ଡଙ୍ଗାରେ ଯାଇ ଗୋଟିଏ ମୁଣ୍ଡରୁ ଆରମ୍ଭ କରି ସୂତା ଟେକିବାରେ ତାହା ଦେହରେ ଥୋପ ଗିଳି ଓହଳିଥିବା ବଡ଼ବଡ଼ ମାଛସବୁ ଦେଖାଗଲା । ସେ ମାଛକୁ କଣ୍ଟାରୁ କାଢ଼ି ନେଇ ପୁଣି ଚିଙ୍ଗୁଡ଼ିଟିଏ ଲେଖାଏଁ ଗୁନ୍ଥିଦେଲା । ଯେଉଁଠି କଣ୍ଟା ଛିଣ୍ଡାଇ ମାଛ ଚାଲିଯାଇଥିଲା, ସେଠାରେ ପୁଣି ଖଣ୍ଡିଏ ଖଣ୍ଡିଏ ଛୋଟ ଛୋଟ ସୂତାରେ କଣ୍ଟା ବାନ୍ଧି ଚିଙ୍ଗୁଡ଼ି ଗୁନ୍ଥି ଝୁଲାଇ ଦେଲା । ଏହିପରି ଅଳ୍ପ ସମୟ ଭିତରେ ସେ ବହୁତ ମାଛ ସଂଗ୍ରହ କରି ଚିଙ୍ଗୁଡ଼ି ଗୁନ୍ଥି ଫେରିଲା ।

 

ମୁଁ ପ୍ରାୟ ଘଣ୍ଟାକ ଭିତରେ ନଦୀର ସୌନ୍ଦର୍ଯ୍ୟ ଉପଭୋଗ ଓ ନୌକାବିହାର ସାରି ତା’ ସଙ୍ଗେ ତା’ର ଭାସମାନ ଘରକୁ ଆସିଲୁ । କେତେକ ଗ୍ରାହକ ମାଛ ନେବାପାଇଁ ସେଠାରେ ଅପେକ୍ଷା କରିଥିଲେ । ସେମାନଙ୍କୁ ମାଛ ବିକି ସାରିବାପରେ ପୁଚ୍ ତା’ର ଧତଡ଼ା ମଟରଗାଡ଼ି ପଛରେ ଅନ୍ୟ ମାଛତକ ଲଦି ମାଛ ବିକିବା ଓ ବିଅର୍‍ କିଣିବାପାଇଁ ବଜାରକୁ ଚାଲିଲା । ମୁଁ ବୃଦ୍ଧ ମୁନିଙ୍କ ସଙ୍ଗେ ଆଳାପ କରି ସମୟ ହେବାରୁ ବସାକୁ ଫେରିଲି ।

 

ଏହିପରି ଅନେକ ଦିନ ମୋର ନୌକାବିହାର ଚାଲିଲା । ସେ ଦେଶର ତଟକାମାଛ ବଜାରରେ ମିଳିବା ସ୍ୱପ୍ନ । ମାଛସବୁ କଟାକଟି ସଫାସଫି ହୋଇ ପ୍ଲାଷ୍ଟିକ ବ୍ୟାଗ୍‍ରେ ଶୀତଳ ଭଣ୍ଡାରରେ ଥାଏ । ସେ ସବୁ ଲୋକେ କିଣି ନେଇ ନିଜ ଥଣ୍ଡାକଳ ବା ରିଫ୍ରିଜରେଟରେ ରଖି ସୁବିଧା ଦେଖି ସିଝାସିଝି କରି ଖାଆନ୍ତି । ମୋର ନୌକାବିହାର ଯୋଗୁଁ ଦିନେ ଦିନେ ମୁଁ ଖଣ୍ଡେ ଅଧେ ମାଛ ଆଣି ବୃଦ୍ଧ ମୁନିଙ୍କ ଘରେ ଲହୁଣୀରେ ଭାଜି ଖାଇବାର ସୁବିଧା ମଧ୍ୟ ପାଇଲି ।

 

ଦୁହେଁ ଏକା ଡଙ୍ଗାରେ ଯାଉ । ଦୁହିଁଙ୍କ ଭିତରେ କଥାବାର୍ତ୍ତା ଖୁବ୍‍ କମ୍ । ସେ ଡଙ୍ଗା ଚଳାଇବା ଓ ମାଛ ସଂଗ୍ରହରେ ଲାଗିଥାଏ । ସୁବିଧା ମିଳିଲେ ବିଅର୍‍ ଡିବା କଣାକରି ମୁହଁରେ ଲଗାଇ ପିଏ । ସେ ଯାହାବି କିଛି କହେ ସେଥିରୁ ଶତକଡ଼ା ଅନେଶତ ବୁଝି ହୁଏ ନାହିଁ । ମୋ ଭାରତୀୟ ଇଂରାଜୀବି ସହଜରେ ବୁଝି ପାରେ ନାହିଁ । ତା’ ମୁହଁର ବିଅର୍‍ ଗନ୍ଧ ଯୋଗୁଁ ମୁଁ ତା’ ପାଖରେ ନ ବସି ସବୁବେଳେ ଡଙ୍ଗାର ଆରମୁଣ୍ଡେ ବସିଥାଏ । ଏକୁଟିଆ ବସି ପ୍ରକୃତିର ଦୃଶ୍ୟ ଦେଖେ, ପାଠ ଓ ଅନ୍ୟାନ୍ୟ ବିଷୟ ଚିନ୍ତା କରେ କିମ୍ୱା ତାକୁ ଲକ୍ଷ୍ୟ କରି ଗୁଣୁଗୁଣୁ ହୋଇ ଏପରି କବିତା ସବୁ ରଚନା କରି ଗାଏ ।

 

ହେ ନବ ‘ବରଣ’-ତୁମେ ଜଳ-ଫଳ ଧରି

ଘେନିଯାଅ ବିପଣିରେ ବାଷ୍ପଯାନେ ଭରି

ବଦଳାଇ ତାକୁ ପୁଣି ‘ସୋମରସ’ ଜଳେ

ଢାଳିଦିଅ ନିର୍ବିକାରେ ତୁମରି ଉଦରେ ।

ଲୋହିତ ବଉଦ ଭରା ଗଗନର ସମ

ବଦନ ମଣ୍ଡଳେ, ତବ ରକ୍ତାଭଲୋଚନ ।

ବାଷ୍ପାୟିତ ତବ ମନେ କି ଭାବନା ଜାଗେ

ସେ ଜୀବନ ତରୀ ବାହ କେଉଁ ଅନୁରାଗେ ।

 

ବନ୍ଧୁ ଉତ୍ପାତ

 

ପଢ଼ାପଢ଼ି ଓ ଗବେଷଣା କାର୍ଯ୍ୟରେ ବ୍ୟସ୍ତଥାଇ ଓ ଅନ୍ୟ ବନ୍ଧୁମାନଙ୍କ ଘରକୁ ଯିବାଆସବା କରିବାଦ୍ୱାରା ନଈକୂଳ ଆଡ଼େ ଯିବାକୁ ମୋତେ ସମୟ ମିଳି ନଥିଲା । କ୍ରମାଗତ ଗୁଡ଼ିଏ ଦିନ ମୁଁ ସେଆଡ଼େ ଯାଇ ପାରି ନଥିଲି । ଦିନେ ମୁଁ ମୋ କୋଠରୀରେ ବସି ପଢ଼ୁଛି, ମତେ ଜଣେ ଡାକ୍ତର ସଙ୍ଗୀ ଥଟାକଲା ଭଳି ଆସି କହିଲେ ‘‘ତୁମର ଜଣେ ପ୍ରିୟ ଓ ଦୁର୍ଲଭ ବନ୍ଧୁ ଆସି ତୁମକୁ ଖୋଜୁଛନ୍ତି । ଏ ରାଜ୍ୟରେ ଆଗରୁ ଫୋନ୍‍ରେ ସମୟ ଠିକ୍ ନ କରି ହଠାତ୍ ଆସି କିଏ ଏପରି ଡାକୁଛି, ଏଇକଥା ମୁଁ ଭାବୁଥିଲାବେଳେ ଡାକ୍ତର ଜଣକ ଠୋଠୋ ହସି ମତେ କହିଲେ, ଡ୍ରଇଂରୁମ୍‍କୁ ଯାଅ ଦେଖିବ, ସେ ଯେଉଁ ଉତ୍ପାତ ଆରମ୍ଭ କରିଛନ୍ତି, ସେଥିରେ ଏଠାରେ ଡାକ୍ତରମାନେ ତୁମର ଏପରି ବନ୍ଧୁ ପ୍ରାପ୍ତିପାଇଁ ତୁମକୁ ଅଭିନନ୍ଦନ ଜଣାଇବେ । ହଇଓ, ଏ ଦେଶରେ ତୁମକୁ ଆଉ ବନ୍ଧୁ ମିଳିଲେ ନାହିଁ, ଏଥିରୁ ଗୋଟାଏ କୁତ୍ସିତ ଘୋଡ଼ା-ମଦୁଆ ଅସଂସ୍କୃତ କେଉଟକୁ ତୁମେ ବନ୍ଧୁରୂପେ ବାଛିଲ’ !

 

ମୁଁ ଡ୍ରଇଂରୁମ୍‍ରେ ପହଞ୍ଚି ଦେଖିଲି, ପୁଚ୍ ନାଚକୁଦ କରି ସେ ଘରର ଜିନିଷପତ୍ର ସବୁ ଅସ୍ତବ୍ୟସ୍ତ କରିସାରିଲାଣି । ତା’ର ବେଶ ଓ କାର୍ଯ୍ୟ ଦେଖି ମୋର ସଙ୍ଗୀ ଡାକ୍ତରମାନେ ଅଥୟ ହୋଇ ପଡ଼ିଲେଣି ।

 

ମୋତେ ଦେଖିଲାକ୍ଷଣି ‘ହେ ଜିଭଚିରା ଡାକ୍ତର’ କହି ମୋତେ କୁଣ୍ଡାଇ ପକାଇଲା । ଏତେଦିନ ହେଲା କାହିଁକି ଦେଖା ନାହିଁ ବୋଲି ପ୍ରଶ୍ନ କଲା ଓ ମୋର ହାତ ଭିଡ଼ି ଭିଡ଼ି ବାହାରକୁ ନେଇଗଲା । ସଙ୍ଗୀମାନଙ୍କ ଆଗରେ ତା’ର ଏପରି ବ୍ୟବହାରରେ ମୁଁ ଅପ୍ରତିଭ ହୋଇଗଲି । ମୁଁ ବହୁକଷ୍ଟରେ ନିଜକୁ ସମ୍ଭାଳି ନେଇ ଭାବିଲି, ଏପରି ଲୋକ ସଙ୍ଗେ ମିଶିଲେ ତ ଏହିଭଳି ବ୍ୟବହାର ମିଳିବା ସ୍ୱାଭାବିକ । ସେ ତା’ର ରୁଚି ଅନୁସାରେ ସମ୍ଭାଷଣ ଜଣାଉଛି । ଏଥିରେ ତା’ର ବା ଦୋଷ କ’ଣ ? ମୁଁ ତ ତାକୁ ପ୍ରଶ୍ରୟ ଦେଇଛି । ସ୍ଥାନ କାଳପାତ୍ର ବିଚାର କରିବା ତା’ ଠାରୁ ଆଶା କରିବା ଉଚିତ ନୁହେଁ । ମୁଁ ତେବେ ଏପରି ଲୋକଟା ସଙ୍ଗେ ମିଶୁଚି କାହିଁକି ? ଏହାସଙ୍ଗେ ମୋର ମିଶିବା ଉଚିତ କି ନୁହେଁ ? ଏହି ସମୟରେ ମୋର ଜଣେ ଅଧ୍ୟାପକ ବୈଜ୍ଞାନିକଙ୍କ କଥା ମନରେ ଉଠିଲା ।

 

ସେଇ ମହାମାନ୍ୟ ଅଧ୍ୟାପକ ଦିନେ ମୋ ଇଚ୍ଛା ବିରୁଦ୍ଧରେ ଶୀତକାଳରେ ମୋତେ ଭିଡ଼ି ଭିଡ଼ି ତାଙ୍କ ସଙ୍ଗେ ଗୋଟିଏ ପର୍ବତ ଚଢ଼ାଇଥିଲେ । ପର୍ବତ ଶିଖର ଉପରକୁ ମୋଟର ରାସ୍ତା ଥାଏ । ତାଙ୍କର ମୋଟର ଗାଡ଼ି ମଧ୍ୟ ପାଖରେ ଥାଏ, କିନ୍ତୁ ଚଲାବାଟରେ ପର୍ବତ ଉଠିବାପାଇଁ ସେ ମୋ ହାତ ଟାଣିଟାଣି ଆଗକୁ ଚାଲିଥିଲେ । ମୋତେ ଶୀତ ଲାଗୁଥାଏ, ସର୍ଦି ମଧ୍ୟ ଧରିଥାଏ । ମୁଁ ଟିକିଏ ପଛେଇବାରୁ ସେ କହିଲେ, ମୋ ବୟସ ପଚାଶ ଉପରେ । ତୁମେ ଜଣେ ପିଲାଲୋକ ପୁଣି ମୁଁ ତୁମ ଦେଶରେ ପାହାଡ଼ ଚଢ଼ି ହିମାଳୟ ଅତିକ୍ରମ କରି ତିବ୍ବତ ଯାଇଛି । ତୁମେ ମୋ ଦେଶର ସାମାନ୍ୟ ମୁଣ୍ଡିଆଟା ଚଢ଼ିପାରିବ ନାହିଁ ?

 

ଅଧ୍ୟାପକ ଓ କେଉଟ ପୁଚ୍ । ଅଧ୍ୟାପକ ଜଣେ ବଡ଼ମଣିଷ, ପୁଚ୍ ଗୋଟିଏ ନଗଣ୍ୟ ମଣିଷ । ଅଧ୍ୟାପକ ଯେତେବେଳେ ମୋ ହାତ ଧରି ମୁଣ୍ଡିଆ ଉଠିବାପାଇଁ ଆଗକୁ ଆଗକୁ ଚାଲିଥିଲେ, ମୁଁ ତାଙ୍କ ହାତରୁ ମୋ ହାତଟି ଛଡ଼ାଇ ଆଣିପାରି ନଥିଲି । ମନ୍ତ୍ରମୁଗ୍ଧ ପରି ତାଙ୍କ ପଛେ ପଛେ ଚାଲିଥିଲି । ଏବେ ପୁଚ୍‍ର ହାତରୁ ହାତଟା ଛଡ଼ାଇ ନେବି କିପରି ? ମୋ ଭଳି ଜଣେ ଅନିସନ୍ଧିତ୍ସୁ ଛାତ୍ରପାଇଁ ଦୁହେଁ ସମାନ । ସମସ୍ତଙ୍କ ଚାଲିଚଳନ ସହିତ ପରିଚିତ ହେଲେ ମୁଁ ଦେଶକୁ ଚିହ୍ନି ପାରିବି ।

 

ପୁଚ୍ କିଛି କଥାବାର୍ତ୍ତା ନକରି ମୋ ହାତ ଭିଡ଼ି ଭିଡ଼ି ନେଇ ମୋତେ ତା’ର ଗାଡ଼ିରେ ବସାଇଲା । ଆମେ ତା’ ଘର ନିକଟରେ ପହଞ୍ଚିଲୁ । ତା’ ଭାସମାନ କ୍ୟାବିନ୍ ଦୁଆରେ ଠିଆ ହୋଇଥିବା ଜଣେ ଅପରିଚିତ ବ୍ୟକ୍ତିଙ୍କୁ ସେ ତା’ର ପ୍ରିୟ ବନ୍ଧୁ ଚାର୍ଲି ବୋଲି ଚିହ୍ନାଇ ଦେଲା । ଓ ତାଙ୍କୁ ଡାକି ଆମ ଗାଡ଼ିରେ ବସାଇଲା ଆଗ ସିଟ୍‍ରେ, ମୁଁ ସେ ଦୁହିଁଙ୍କ ମଝିରେ ବସିଲି । ପାଖରୁ ମଦର ଉତ୍କଟ ବାସ୍ନା ଓ ପଛରୁ ମାଛ ରହୁଥିବା ସ୍ଥାନର ବିକଟ ଗନ୍ଧ ମିଶି ମୋତେ ବଡ଼ ଛଟପଟ ଲାଗିଲା । ଯାହାହେଉ, ଶେଷରେ ଚାର୍ଲି ଦୁଆରେ ଗାଡ଼ି ଅଟକିବାରେ ଆମେ ଖପ୍‍ଖାପ୍ ଓହ୍ଲାଇ ପଡ଼ିଲୁ । ଆଶ୍ୱସ୍ତ ଲାଗିଲା ।

 

ଚାର୍ଲିର ସ୍ତ୍ରୀ ‘ହେ ପୁଚ୍’ ବୋଲି ସମ୍ଭାଷଣ କରି ପୁଚ୍ ହାତ ଧରି ଘର ଭିତରକୁ ନେଇଗଲା । ଚାଲ ଜଣେ ସାଧାରଣ ଶ୍ରମିକ । ପୋଷାକପତ୍ର ସାଧାରଣ ଶ୍ରମିକର ପୋଷାକ ଭଳି । କଥାବାର୍ତ୍ତାରେ ଭଦ୍ର । ତା’ର ସ୍ତ୍ରୀ ମଧ୍ୟ ସୁନ୍ଦରୀ ଓ ଭଦ୍ର । ଦୁଇ ତିନିଟା ପିଲା ମଧ୍ୟ ସାଧାରଣ ସଫା ପୋଷାକରେ ପାଖଆଖରେ ବୁଲୁଥାଆନ୍ତି । ଆମକୁ ଦେଖିଲେ ମଧ୍ୟ ଆମ ନିକଟକୁ ନଆସି ତାଙ୍କ ଖେଳରେ ମାତିଥାନ୍ତି । ଘରର ଆସବାବ ପ୍ରଭୃତି ସାଧାରଣ ଧରଣର, କିନ୍ତୁ ସାଜସଜ୍ଜା ଆଧୁନିକ ।

 

ଆମେ ଚାର୍ଲିଘରେ କିଛି ସମୟ କଟାଇ ଚା’ ପାନ ପରେ ଫେରିଲୁ । ଫେରିଲାବେଳକୁ ଚାର୍ଲିର ସ୍ତ୍ରୀ ଆମ ସଙ୍ଗେ ଆସିଲା । ବେଶି ଜାଗା ନ ଥିବାରୁ ସେ ଆସି ଚାର୍ଲିର ଗୋଡ଼ ଉପରେ ବସି ପଡ଼ିଲା । ଚାର୍ଲି ପୁଚ୍‍ଠାରୁ ୪, ୫ ବର୍ଷ ସାନ ହେବ । ଗାଡ଼ି ଚାଲିବା ସଙ୍ଗେ ସଙ୍ଗେ ପୁଚ୍ ଓ ଚାର୍ଲି ନାନା ଅଶ୍ଳୀଳ କଥା ଗପ କରିବା ଆରମ୍ଭ କରିଦେଲେ । ଚାର୍ଲି ସ୍ତ୍ରୀ ସେ ସବୁ ଶୁଣି ମୋ ଆଡ଼କୁ ଚାହିଁ କହିଲେ ‘‘ଆପଣ ସେମାନଙ୍କ କଥାକୁ କର୍ଣ୍ଣପାତ କରନ୍ତୁ ନାହିଁ । ସେମାନେ ସ୍ତ୍ରୀଲୋକଙ୍କୁ ନୀଚ ଆଖିରେ ଦେଖନ୍ତି । ସେମାନଙ୍କର ସ୍ତ୍ରୀମାନଙ୍କ ସମ୍ୱନ୍ଧରେ ଅଶ୍ଳୀଳ କଥାବାର୍ତ୍ତା ଛଡ଼ା ସେମାନଙ୍କୁ ଯେପରି ଅନ୍ୟ ଭଦ୍ର କଥାବାର୍ତ୍ତା କିଛି କରି ଆସେନାହିଁ ।’’

 

ଆମେ ପୁଚ୍ ଘରେ ପହଞ୍ଚିବା ପରେ । ଚାର୍ଲିର ମଟର ସେଠି ଥୁଆ ହୋଇଥିଲା । ସେଥିରେ ସେ ଓ ତା’ ସ୍ତ୍ରୀ ବଜାରକୁ ଚାଲିଗଲେ । ପୁଚ୍ ନଈକୁ ତା’ର ଡଙ୍ଗା ଧରି ଚାଲିଗଲା । ମୁଁ ତା’ ଡଙ୍ଗାରେ ନ ଯାଇ ବୃଦ୍ଧ ମୁନିଙ୍କ ଘରକୁ ଆସି ତାଙ୍କ ସଙ୍ଗେ କଥାବାର୍ତ୍ତା କଲି । ଚାର୍ଲି କଥା ପଡ଼ିଲା । ବୃଦ୍ଧଙ୍କ କଥାରେ ମୁଁ ଅବାକ ହେଲି । ଚାର୍ଲି ପୁଚ୍‍ର ଜୋଇଁ ଓ ତା’ ସ୍ତ୍ରୀ ପୁଚ୍‍ର ନିଜ ଝିଅ ବୋଲି ଜାଣିଲି ।

 

ପୁଚ୍‍ର ଜୀବନ ରହସ୍ୟ

 

ପୁଚ୍ ଓ ଚାର୍ଲି କାହିଁକି ମୋତେ ଏ ପରିଚୟ ନ ଦେଇ ସାଙ୍ଗ ବୋଲି କୁହାକୁହି ହେଲେ ସେ କଥା ମୁଁ ବୁଝି ପାରିଲି ନାହିଁ । ତା’ପରେ ଝିଅ ଓ ନାତି ନାତୁଣୀଙ୍କର ପୁଚ୍ ପ୍ରତି ଏ କି ଅଦ୍ଭୁତ ବ୍ୟବହାର ! ଝିଅ ବାପକୁ ନାଁ ଧରି ଡାକୁଛି, ନାତି ନାତୁଣୀମାନେ ଅଜା ପାଖକୁ ଦଉଡ଼ି ନ ଆସି, ଉପରେ ଚଢ଼ି ନ ଯାଇ କିପରି ଆଡ଼େଇ ହୋଇ ବୁଲୁଛନ୍ତି ଓ ପୁଚ୍ ସେମାନଙ୍କୁ ଗେଲ ନ କରି କିପରି ରହି ପାରୁଛି ? ବାପ ବା ଝିଅ ଆଗରେ ଅଶ୍ଳୀଳ କଥାବାର୍ତ୍ତା କିପରି ଭାବରେ କରି ପାରୁଛି ! ଏ ସବୁ କିପରି ମୋ ମନରେ ଆଲୋଡ଼ନ ସୃଷ୍ଟି କଲା । ବୃଦ୍ଧ ମୋର ଭାବ ଦେଖି କହିଲେ ‘‘ଏହାର ଅସଲ ରହସ୍ୟ ହେଉଛି, ପୁଚ୍ କାହାର ନୁହେଁ କି ପୁଚ୍‍କୁ କେହି ନିଜର ବୋଲି ଭାବନ୍ତି ନାହିଁ । ସେ ତିନିଥର ବିଭା ହୋଇଛି କିନ୍ତୁ ଘରସଂସାର କରି ପାରି ନାହିଁ । କେହି ବେଶୀ ଦିନ ତା’ ସାଙ୍ଗରେ ଚଳି ପାରି ନାହାନ୍ତି । ତା’ର ଏକମାତ୍ର ସାଥୀ ବିଅର୍‍ ମଦ ।’’

 

ପୁଚ୍ କାହିଁକି ଏପରି ଗୋଟିଏ ଅସଂସାରୀ ଜୀବରେ ପରିଣତ ହେଲା, ରୋଜଗାର ତ ଖୁବ୍ ଭଲ, ଲୋକଟାବି ଖୁବ୍‍ ସାଧାସିଧା, ସେ ତ ସ୍ୱଚ୍ଛଳ ଭାବରେ ପିଲାପିଲି ଧରି ଚଳି ପାରିଥାନ୍ତା-! କିନ୍ତୁ ସେ ଏପରି ହେବାର କାରଣ କ’ଣ ? ସେ ବୋଧେ ଆଗରୁ ଏପରି ନଥିଲା-। ତା’ ଜୀବନରେ ନିଶ୍ଚୟ କିଛି ଗୋଟାଏ ବଡ଼ ଧକ୍କା ବାଜି ତାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ।

 

ବୃଦ୍ଧ ପୁଣି କହିଲେ ‘‘ପୁଚ୍ ବଡ଼ ପରିଶ୍ରମୀ, ଶାନ୍ତଶିଷ୍ଟ ଓ ଭଲ ପିଲାଟିଏ ଥିଲା । ସେ ଭଦ୍ର ଓ ଅଳ୍ପଭାଷୀ ଥିଲା । ଦ୍ୱିତୀୟ ମହାସମର ପୂର୍ବରୁ ସେ ମେକାନିକ ଚାକିରି ଖଣ୍ଡିଏ କରି ପିଲାପିଲି ଧରି ସୁଖରେ ଥିଲା । ଏ ଝିଅଟି ତା’ର ପ୍ରଥମ ସନ୍ତାନ । ପୁଚ୍ କେବେ ଘର ଛାଡ଼ି ଅନ୍ୟ କେଉଁଆଡ଼େ ଯାଇ ନଥିଲା । ଯୁଦ୍ଧର ଜବରଦସ୍ତି ଡାକରାରେ ସେ ବାଧ୍ୟ ହୋଇ ସୈନ୍ୟବାହିନୀରେ ଯୋଗ ଦେଲା ।

 

ବିଦେଶରେ ଯାଇ ତାକୁ ଯୁଦ୍ଧ କରିବାକୁ ପଡ଼ିଲା । ତା’ର ଖାଲି ଘର ଓ ଝିଅ ମନେ ପଡ଼ିଲା । ସେ ବ୍ୟାକୁଳ ହୋଇ ବହୁତ ଚିଠି ଲେଖେ କିନ୍ତୁ ଫେରିବାକୁ ତା’ର ଉପାୟ ନଥିଲା । ଯୁଦ୍ଧ ସମୟରେ କେତେଦିନ ପରେ ତା’ଠାରୁ ଆଉ ଚିଠି ପତ୍ର ମିଳିଲା ନାହିଁ । ସେ ନିଖୋଜ ହୋଇ ଯାଇଥିବାର ସମ୍ୱାଦ ଆସି ମିଳିଲା । ତା’ର ସ୍ତ୍ରୀ ସେ ସମ୍ୱାଦ ପାଇ ତାକୁ ଆଉ ଅପେକ୍ଷା ନ କରି ଏକତରଫା ଛାଡ଼ପତ୍ର ଦେଇ ଅନ୍ୟତ୍ର ବିଭା ହୋଇଗଲା ।

 

ପୁଚ୍ ଯୁଦ୍ଧବନ୍ଦୀ ଭାବରେ ଅନେକ ଦିନ ରହିବା ପରେ ଖଲାସ ହୋଇ ବହୁ ଆଶା ଧରି ଘରକୁ ଫେରିଲା । ତା’ ସ୍ତ୍ରୀ ଓ ପିଲା ତାକୁ ଅପେକ୍ଷା ନ କରି ଛାଡ଼ି ଯାଇଥିବା କଥା ଶୁଣି ତା’ର ମନ ପୂରା ଭାଙ୍ଗିଗଲା । ତା’ପରେ ତା’ର ଦୁନିଆ ପ୍ରତି ଅବିଶ୍ୱାସ ଆସିଲା । ତା’ର ଲଗାମଛଡ଼ା ଜୀବନର ଆରମ୍ଭ ହେଲା । ସେ ବିଅର୍‍ ମଦକୁ ତା’ର ସାଙ୍ଗ କଲା । ବାପା, ମା’ ଓ ଅନ୍ୟାନ୍ୟ ବନ୍ଧୁଙ୍କ ପ୍ରରୋଚନାରେ ସେ ଆଉଥରେ ଦୁଇଥର ବିବାହ ଓ ଛାଡ଼ପତ୍ରର ଆଶ୍ରା ନେଲା । ଶେଷ ଛାଡ଼ପତ୍ର ପରେ ସେ ସମ୍ପୂର୍ଣ୍ଣ ଏକାକୀ ଓ ଏବେ ତା’ର ଏକମାତ୍ର ବନ୍ଧୁ ବିଅର୍‍ । ସେ ଦେଶରେ ଲୋକେ ଜୀବନଦର୍ଶନର ଧାର ଧାରନ୍ତି ନାହିଁ । ବସ୍ତୁବାଦୀ ଦୁନିଆ । ତେଣୁ ଏପରି ଘଟିବା ସେଠି କିଛି ଅସମ୍ଭବ ନୁହେଁ ।

 

ମାନବିକତା

 

ବିଭିନ୍ନ ଦେଶର ଧର୍ମ ଓ ସମାଜ ବିଷୟରେ ଆଲୋଚନା ହେବାପାଇଁ ସେଠାର ଅନୁଷ୍ଠାନମାନେ ସଭା ସମିତିର ଆୟୋଜନ କରନ୍ତି । ସେଇ ଦେଶର କୌଣସି ବ୍ୟକ୍ତି ସେ ସହରରେ ଥିଲେ ସେ ସଭାରେ ଯୋଗ ଦେବାପାଇଁ ନିମନ୍ତ୍ରଣ ପାଆନ୍ତି । ଚାଟାନୁଗାର ୟୁନିଟାରିଆନ ଚର୍ଚ୍ଚରେ ‘‘ହିନ୍ଦୁ ଧର୍ମର ଆଧ୍ୟାତ୍ମିକତା ଓ ମହାତ୍ମା ଗାନ୍ଧୀ’ଙ୍କ ସମ୍ୱନ୍ଧରେ ବକ୍ତୃତା ଦେବାପାଇଁ ଗୋଟିଏ ସଭାର ଆୟୋଜନ ହୋଇଥାଏ । ଗାନ୍ଧୀପନ୍ଥୀ ଡକ୍ଟର ହୁଇଏର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥାନ୍ତି । ମୁଁ ମଧ୍ୟ ନିମନ୍ତ୍ରିତ ହୋଇ ଯାଇଥାଏ ।

 

ଡକ୍ଟର ହୁଇଏର ହିନ୍ଦୁ ଧର୍ମର ତତ୍ତ୍ୱ ବୁଝାଇବାକୁ ଯାଇ କାମନାରେ ବିନାଶରେ ଦୁଃଖର ବିନାଶ, ଓ ହିନ୍ଦୁଦର୍ଶନର ମୂଳଭିତ୍ତି ତ୍ୟାଗ, ସତ୍ୟ, ଅହିଂସା ବିଷୟରେ ଗୋଟିଏ ସାରଗର୍ଭକ ଭାଷଣ ଦେଲେ । ଗାନ୍ଧୀ ସେଇ ଦର୍ଶନକୁ କିପରି ତାଙ୍କ ଜୀବନରେ କାର୍ଯ୍ୟକାରୀ କରିଥିଲେ, ସେ ବିଷୟ ବୁଝାଇବାକୁ ଯାଇ ମହାତ୍ମା ଗାନ୍ଧୀଙ୍କର ହରିଜନ ଆନ୍ଦୋଳନ, ନିଶା ନିବାରଣ ଆନ୍ଦୋଳନଠାରୁ ଅସହଯୋଗ ଆନ୍ଦୋଳନ ପର୍ଯ୍ୟନ୍ତ ସବୁ କିପରି ମାନବିକତାର ନିଦର୍ଶନ, ସେ ସବୁ ଆଲୋଚନା କରିଥିଲେ । ଆତ୍ମଶୁଦ୍ଧି ଓ ସ୍ୱାର୍ଥତ୍ୟାଗ ପୃଥିବୀରେ ଶାନ୍ତି ଆଣି ପାରିବ ବୋଲି ଶେଷରେ ସେ ତାଙ୍କ ଦୃଢ଼ ମତ ପ୍ରକାଶ କଲେ ।

 

ସଭା ସରିଲା, ମୁଁ ବାହାରକୁ ବାହାରି ଆସିଲା ବେଳକୁ ହଠାତ୍ ପୁଚ୍ ଆସି ମୋ ହାତ ଧରି କହିଲା, ‘‘ଡାକ୍ତର, ମୁଁ ଅନେକ ବେଳୁ ଆସି ଏଠାରେ ତୁମକୁ ଅପେକ୍ଷା କରିଛି । ତୁମକୁ ତୁମ ବସାରେ ଖୋଜି ନ ପାଇବାରୁ ଏଠାକୁ ଆସିଛ ବୋଲି ଖବର ପାଇ ତୁମକୁ ନେବାକୁ ଆସିଥିଲି । ସଭା ଚାଲିଥିବାରୁ ପଛରେ ବସି ସବୁ ଶୁଣିଲି । ସେ ବୁଢ଼ାଟା କିଏ ? ମହାତ୍ମା ଗାନ୍ଧୀ କିଏ ? କାମନାରେ ବିନାଶ କିପରି ହୁଏ ।’’

 

ମୁଁ ତାକୁ କହିଲି, ‘‘ସେ ସବୁ ବିଷୟ ତୁ ବୁଝିବା କଷ୍ଟ । ସମୟ ହେଲେ ତୋତେ ପରେ ବୁଝାଇବି । ଏବେ କହ, ତୋର କି ଜରୁରୀ ଦରକାର, ତୁ କାହିଁକି ମୋତେ ଖୋଜି ଖୋଜି ଆସି ଏଠାରେ ପହଞ୍ଚିଲୁ ?

 

ସେ କହିଲା, ‘‘ମୁଁ ତୁମର ସାହାଯ୍ୟପାଇଁ ଆସିଛି । ମୋର ଜଣେ ବନ୍ଧୁ ବଡ଼ ବେମାର ପଡ଼ିଛି । ଡାକ୍ତରଖାନା ଯିବାକୁ ସେ ମଙ୍ଗୁ ନାହିଁ କି ବଡ଼ ଡାକ୍ତର ଡକାଇବାକୁ ତା’ର ଯଥେଷ୍ଟ ପଇସା ନାହିଁ । ତୁମର ଫିସ୍ କେତେ ? ସେ ଅଳ୍ପ ଫିସ୍ ଦେଇ ପାରିବ । ତୁମେ ତାକୁ ଦେଖିବାକୁ ମୋ ସଙ୍ଗେ ଯିବ ନାହିଁ ? ମୁଁ କହିଲି, ‘‘ରୋଗୀ ଦେଖିବା ମୋର ପ୍ରଧାନ କାମ । ମୁଁ ଜଣେ ଭତ୍ତା ପାଇ ପଢ଼ୁଥିବା ଛାତ୍ର; ତେଣୁ ଫିସ୍ ନେବା ମୋ ପକ୍ଷରେ ନିୟମବିରୁଦ୍ଧ । ଫିସ୍‍ପାଇଁ ବ୍ୟସ୍ତ ହେବା ଦରକାର ନାହିଁ । ଚାଲ, ତୋର ବନ୍ଧୁକୁ ଦେଖିବା ।’’

 

ସଭାସ୍ଥଳରୁ ବିଦାୟ ଘେନି ପୁଚ୍‍ର ଅପୂର୍ବ ଗାଡ଼ିରେ ବସି ମୁଁ ରୋଗୀ ଦେଖିବାକୁ ବାହାରି ପଡ଼ିଲି । ବନ୍ଧୁଙ୍କ ଘରେ ପହଞ୍ଚି ଦେଖିଲି, ରୋଗୀ ଅତି ଶୀର୍ଣ୍ଣ ଓ ସେ ଅନେକ ଦିନ ହେଲା ଶଯ୍ୟାଗତ । ସେ ପୂର୍ବରୁ କେତେଥର ଡାକ୍ତରଖାନାରେ ଥିଲା, କିନ୍ତୁ ତା’ର ଆଣ୍ଠୁଗଣ୍ଠି ବାତରୁ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ନ ହୋଇ ଥରକୁଥର ରୋଗ ଲୋଉଟୁଥିବାରୁ ଓ ଆର୍ଥିକ ଦୃଷ୍ଟିରୁ ସେ ଡାକ୍ତରଖାନାକୁ ନ ଯାଇ ଘରେ ପଡ଼ି ରହିଛି ।

 

ପରିବାର ଭିତରେ ତା’ର ଦୁଇଟି ମାତ୍ର କନ୍ୟା ଓ ସ୍ତ୍ରୀ । ବଡ଼ ଝିଅଟି ଦୂରରେ ରହି ନିଜ ରୋଜଗାରରେ କେଉଁଠି ପାଠ ପଢ଼ୁଚି । ସାନଟି ଘରେ ରହି ପାଖ ଇସ୍କୁଲ୍‍ରେ ପାଠ ପଢ଼େ । ତା’ର ସ୍ତ୍ରୀ ଅତ୍ୟନ୍ତ ପରିଶ୍ରମୀ । ସେ ଘର ଚଳାଏ । ଦିନରେ କେଉଁଠି ଚାକିରି କରେ, ଘର କାମ କରେ, ସ୍ୱାମୀସେବା କରେ, ସମୟ ମିଳିଲେ ଘରେ ଲୋକଙ୍କୁ ଖିଅର କତୁରୀ କରି କିଛି ପଇସା ରୋଜଗାର କରେ ।

 

ସେ ଦେଶରେ ସେଲୁନ୍‍ରେ ବାଳ କାଟିଲେ ବହୁତ ପଇସା ପଡ଼େ । ତେଣୁ ଅବସ୍ଥା ସ୍ୱଚ୍ଛଳ ନଥିଲେ ଲୋକମାନେ ଘରେ ସେଲୁନ୍ ଚଉକି ଓ କତୁରୀ ପ୍ରଭୃତି ରଖିଥିବା ଏପରି ଘରୋଇ ଲୋକଙ୍କଦ୍ୱାରା ଅଳ୍ପ ପଇସାରେ ଖିଅର, କତୁରୀ ହୁଅନ୍ତି ।

 

ସେ ସ୍ତ୍ରୀଲୋକଟି ଏପରି ନାନା ଉପାୟ କରି କୌଣସିମତେ ତା’ ସଂସାର ଚଳାଉଥିଲା-। କିନ୍ତୁ ଏବେ କେତେଦିନ ହେଲା କ୍ରମାଗତ ଜ୍ୱର ହୋଇ ତା’ର ମୁହଁ, ହାତ, ଗୋଡ଼ ଫୁଲିଲାଣି-। ସେ ତା’ର ରୋଗ ସତ୍ତ୍ୱେ ମଧ୍ୟ ଘରକାମ ଓ ସ୍ୱାମୀସେବା କରିବାକୁ ବାଧ୍ୟ ହୋଇ ନିଜପାଇଁ ଡାକ୍ତର ପାଖକୁ ଯାଇପାରୁ ନାହିଁ ।

 

ସ୍ତ୍ରୀଲୋକଟିକୁ ଶୀଘ୍ର ଔଷଧ ଦେଇ ଭଲ କରିବାକୁ ପୁଚ୍ ମୋତେ ବାରବାର କରି ଅନୁରୋଧ କଲା । ମୁଁ ରୋଗୀ ଓ ରୋଗିଣୀଙ୍କୁ ଭଲ ଭାବରେ ପରୀକ୍ଷାକରି ବସାକୁ ଫେରିଲି । ହସ୍‍ପିଟାଲରୁ ଓ ଅନ୍ୟ ଡାକ୍ତର ବନ୍ଧୁଙ୍କଠାରୁ ଔଷଧ ସଂଗ୍ରହ କରି ସେମାନଙ୍କ ପାଇଁ ପଠାଇଲି । ସୁବିଧା ଦେଖି ପୁଚ୍ ସଙ୍ଗେ ଯାଇ ଆଉ କେତେଥର ସେମାନଙ୍କୁ ପରୀକ୍ଷା କରି ଔଷଧ ବ୍ୟବସ୍ଥା କଲି-

 

ସେମାନଙ୍କ ସଙ୍ଗେ ଘନିଷ୍ଠତା ବଢ଼ିବା ପରେ ମୁଁ ବୁଝିଲି ଯେ ସେ ରୋଗିଣୀଟି ପୁଚ୍‍ର ଦ୍ୱିତୀୟ ସ୍ତ୍ରୀ ଥିଲା । ପୁଚ୍‍ର ଆଚରଣରେ ବ୍ୟତିବ୍ୟସ୍ତ ହୋଇ ଓ ତା’ର ପ୍ରକୃତି ସଙ୍ଗେ ନିଜକୁ ଖାପ ନ ଖୁଆଇ ପାରି ଘଟଣାଚକ୍ରରେ ପଡ଼ି ଶେଷରେ ତାକୁ ଛାଡ଼ପତ୍ର ଦେବାକୁ ବାଧ୍ୟ ହୋଇଥିଲା । ଛାଡ଼ପତ୍ରର କେତେଦିନ ପରେ ଉପରୋକ୍ତ ବ୍ୟକ୍ତିକୁ ବିବାହ କରି ସୁଖରେ ଚଳୁଥିଲା ।

 

ପୁଚ୍‍ର ଜୀବନସତ୍ୟ ଉଦ୍‍ଘାଟିତ ହେଲାପରେ ଏପରି ଗୋଟିଏ ସତ୍ ସ୍ୱଭାବର ପରିଶ୍ରମୀ ସ୍ତ୍ରୀ ସଙ୍ଗେ ମଧ୍ୟ ସେ ଚଳି ପାରିଲା ନାହିଁ ଭାବି ମୋ ମନରେ ଦୁଃଖ ଆସିଲା । ଜୀବନର ପ୍ରଥମ ଧକ୍କାରୁ ହୁଏତ ପୁଚ୍ ତା’ ମାନସିକ ଅବସ୍ଥାର ଭାରସାମ୍ୟ ହରାଇ ନିଜକୁ ସମସ୍ତଙ୍କ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରିଛି । କିନ୍ତୁ ସେ ତା’ର କୋମଳ ସ୍ୱଭାବ ଓ ମାନବିକତା ହରାଇ ନାହିଁ-। ସେ ହୃଦୟବାନ, ଛାଡ଼ପତ୍ର ଦେଇ ଅଲଗା ହୋଇଥିବା ସ୍ତ୍ରୀର ଦୁଃଖରେ ମଧ୍ୟ ସେ ବିଚଳିତ ହୋଇ ତା’ର ସେବା ଓ ଆରୋଗ୍ୟ ଲାଭପାଇଁ ଉତ୍କଣ୍ଠିତ ହୋଇପାରୁଛି । ତା’ର ଚରିତ୍ରର ଏ ମହତ୍‍ଗୁଣ ମୋ ମନକୁ ସାନ୍ତ୍ୱନା ଦେଲା । ତଥାପି ମୁଁ ତା’ର ଘନିଷ୍ଠ ବନ୍ଧୁତା ଏଡ଼ିବାପାଇଁ ଦୂରେଇ ରହିବାକୁ ଚେଷ୍ଟା କଲି ।

 

ପରିବର୍ତ୍ତନ

 

ମୁଁ ଯେତେ ଯେତେ ଦୂରେଇ ରହିବାକୁ ଚେଷ୍ଟା କଲି, ସେ ସେତେ ସେତେ ମୋ ନିକଟକୁ ଟାଣି ହୋଇ ଆସିଲା । ମୁଁ ଦୂର୍ ଦୂର୍, ମାର୍, ମାର୍ କରିବାରେ ଦିନେ ସେ କାନ୍ଦ କାନ୍ଦ ହୋଇ କହିଲା, ‘‘ଡାକ୍ତର, ତୁମେବି କ’ଣ ଅନ୍ୟମାନଙ୍କ ପରି ମୋତେ ଘୃଣା କର ?’’ ମୋର ପାଟିରୁ ବାହାରି ପଡ଼ିଲା, ‘‘ତୋର ଘୃଣା ଜୀବନପାଇଁ ତୋର ମଦ ଅଭ୍ୟାସହିଁ ଦାୟୀ । ଗୋଟାଏ ମାତାଲ ସଙ୍ଗେ କିଏ ଭଲ ସମ୍ପର୍କ ରଖିପାରିବ’’ ?’’ ତୁ ମଦ ଛାଡ଼ିଦେ, ପ୍ରକୃତିସ୍ଥ ହୁଅ, ତୋତେ କିଏ କାହିଁକି ଘୃଣା କରିବ ?’’

 

ସେ ବାଷ୍ପାକୁଳ କଣ୍ଠରେ କହିଲା, ‘‘ମୁଁ କାହିଁକି ମଦ ଛାଡ଼ିବି, କିପରି ବା ଛାଡ଼ିବି ? ମୁଁ ଛାଡ଼ିବାକୁ ଚାହିଁଲେ, ମଦ କ’ଣ ମୋତେ ଛାଡ଼ିବ ?’’ ସେ କାହିଁକି ମଦ ଛାଡ଼ିବ, ସେ ବିଷୟରେ ହିନ୍ଦୁ ଜୀବନଦର୍ଶନ ମୁଁ ତାକୁ ବୁଝାଇଲି । ଗାନ୍ଧୀଙ୍କ କଥା କହିଲି, ‘ମଦ’ର ଅପକାରିତା ଓ ଶରୀର ଉପରେ ତା’ର ପ୍ରଭାବ ଓ ତା’ର ଭବିଷ୍ୟତ ବିଷୟରେ ମଧ୍ୟ ଆଲୋଚନା କଲି ।

 

ସବୁ ଶୁଣି ସେ କହିଲା, ମୁଁ କ’ଣ ଗାନ୍ଧୀ ହୋଇଛି ଯେ ଯାହା ଠିକ୍ ତାହା କରି ପାରିବି ଡାକ୍ତର ? ତୁମେ କ’ଣ ମତେ ମଦ ଛଡ଼ାଇ ପାରିବ ? ମୁଁ କ’ଣ ସତରେ ଭଲ ହୋଇ ପାରିବି ?’’ ମୁଁ ତାକୁ ବୁଝାବୁଝି କରି କହିଲି, ‘‘ଯେ କୌଣସି ବଦଭ୍ୟାସ ଛାଡ଼ିବାପାଇଁ ମନର ବଳ ଦରକାର । ତୁ ଜଣେ ଆମେରିକାର ନାଗରିକ । ଯେଉଁ ଆମେରିକା ଏତେ ବଡ଼ବଡ଼ କାମ କରିପାରୁଛି, ମାନସିକ ଜ୍ଞାନ ବଳରେ ବଳୀୟାନ ହୋଇ ଚନ୍ଦ୍ରଲୋକକୁ ମଣିଷ ପଠାଇ ପାରୁଛି, ତୁ ସେଇ ଆମେରିକାର ଅଧିବାସୀ ହୋଇ ମଦ ଛାଡ଼ିବା ଭଳି ସାମାନ୍ୟ କାମଟାଏ କରିପାରିବୁ ନାହିଁ ? ତୁ ତୋର ମନକୁ ଟାଣକରି ଧଡ଼୍‍କରି ମଦ ଛାଡ଼ିଦେ । ପ୍ରଥମେ ପ୍ରଥମେ ଅସୁବିଧା ଲାଗିବ, କିନ୍ତୁ ପରେ ସବୁ ଠିକ୍ ହୋଇଯିବ, ତୁ ନୂଆ ଜୀବନ ପାଇବୁ ।’’

 

ଏହାପରେ ବଡ଼ଦିନ ଛୁଟି ଆସିଲା । ମୁଁ ଆମେରିକାର ଅନ୍ୟାନ୍ୟ ସ୍ଥାନ ଦେଖିବାକୁ ଓ ଦୂରରେ ରହୁଥିବା ବନ୍ଧୁମାନଙ୍କୁ ଭେଟିବାକୁ ଚିକାଗୋ ସହର ଅଭିମୁଖେ ଯାତ୍ରା କଲି । ଭ୍ରମଣରେ ୧୦, ୧୫ ଦିନ କଟାଇ ଫେରି ଆସିଲି । ଫେରିବା ପରେ ବାକିଥିବା କାମଗୁଡ଼ିକ ସାରିବାରେ ଲାଗି ପଡ଼ିଲି । କାମ ଭିତରେ ବୁଡ଼ିରହି ବେଶୀ ସମୟ ବାହାରକୁ ଯାଇ ବୁଲାବୁଲି କରିବାପାଇଁ ମୋର ବେଳ ନଥିଲା ।

 

ଭେଷଜ ବିଭାଗର ଜଣେ ଡାକ୍ତର ବନ୍ଧୁ ଦିନେ ମୋତେ କହିଲେ ‘‘ମସ୍ତିଷ୍କ ବିକୃତ ବିଭାଗରେ ଗୋଟିଏ ରୋଗୀ ବରାବର କେତେ ଦିନ ହେଲା ତୁମକୁ ଭାରି ଖୋଜୁଛି । ତମ ନାଁ ବିଳିବିଳୋଉଛି ଓ ମଝିରେ ମଝିରେ ଜିଭଚିରା ଡାକ୍ତର, ଜିଭଚିରା ଡାକ୍ତର ବୋଲି ଚିତ୍କାର କରୁଛି ।’’

 

ମୁଁ ତାଙ୍କ କଥାଶୁଣି ସେ ରୋଗୀଟି କିଏ ସେକଥା ବୁଝିବାକୁ ମୋତେ ଅସୁବିଧା ହେଲା ନାହିଁ । ମୁଁ ବିଚାରିଲି, ସେ ପାଗଳ ହେଲା କିପରି ? ଯଦି ପାଗଳ ନ ହୋଇଛି ମସ୍ତିଷ୍କ ବିକୃତ ବିଭାଗରେ ରୋଗୀ ହୋଇ ରହିଲା କାହିଁକି ? ଏପରି ନାନା କଥା ଭାବି ଭାବି ମୁଁ ସେ ରୋଗୀଟିକୁ ଦେଖିବାକୁ ଗଲି ।

 

ଗୋଟିଏ ଲୁହାବାଡ଼ ଘେରା ଖଟ ଭିତରେ ଶୋଇ ପୁଚ୍ ଏପଟ ସେପଟ ହେଉଛି, ସେ ପ୍ରାୟ ଅଧା ଶୁଖି ଯାଇଛି । ଆଖି ଦୁଇଟି ଗାତ ଭିତରେ ପଶିଯାଇଛି । ସେଠାର ଡାକ୍ତର ଓ ନର୍ସଙ୍କ ଠାରୁ ବୁଝିଲି, ହଠାତ୍ ମଦ ନିଶା ଛାଡ଼ିଦେବାଦ୍ୱାରା ତା’ର ସାମୟିକ ମସ୍ତିଷ୍କବିକୃତି ହୋଇଥିଲା । ସେ ରୋଗକୁ ‘ଡେଲିରିଅମ ଟ୍ରିମାନ୍‍ସ’ ବୋଲି କହନ୍ତି । ଏବେ ତା’ର ଅବସ୍ଥା ଭଲ ଆଡ଼କୁ ଆସୁଛି ଓ ଶୀଘ୍ର ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଯିବ ।

 

ପୁଚ୍‍ର ଆଖି ମୋ ଉପରେ ପଡ଼ିବାକ୍ଷଣି, ସେ ମୋତେ ଚିହ୍ନିପାରି ଉଠିବସିଲା । ମୋତେ ହାତ ଠାରି ଡାକିଲା । ତା’ ନିକଟକୁ ଯିବାକୁ ନର୍ସ ମୋତେ ମନା କରିବା ସତ୍ତ୍ୱେ ମୁଁ ଭରସି କରି ତା’ ପାଖକୁ ଗଲି । ସେ ମୋ ହାତକୁ ଚାପି ଧରିଲା । ଆଉ କିଛି କହିପାରିଲା ନାହିଁ । ତା’ ମୁହଁ ଉତ୍‍ଫୁଲ୍ଲ ଦିଶିଲା । ତା’ର ଚକ୍ଷୁରୁ ଦୁଇଧାର ଆନନ୍ଦାଶ୍ରୁ ବୋହିପଡ଼ିଲା । ସେ ଯେପରି ଗଡ଼ ଜୟକରି ପାରିଛି, ସେଇ ଭାବ ତା’ର ମୁହଁରୁ ପ୍ରକାଶିତ ହେଲା । ମୁଁ ହସି ହସି ତାକୁ କହିଲି, ‘‘ତୋର ମନର ଜୟ ହୋଇଛି, ତୁ ଏଥର ଭଲ ମଣିଷ ହୋଇଗଲୁ ।’’

Image

 

Unknown

ପ୍ରେମ ପ୍ରବାହ

ଅଲୋଡ଼ା ଚୁମ୍ୱନ

 

ଡିସେମ୍ୱର ୨୪ ତାରିଖ ଖ୍ରୀଷ୍ଟମାସ ପର୍ବର ପୂର୍ବଦିନ । ଆମେରିକାର ଅଧିକାଂଶ ଅଧିବାସୀ ଖ୍ରୀଷ୍ଟିଆନ ହୋଇଥିବାରୁ ଏ ଗୋଟିଏ ପ୍ରଧାନ ପର୍ବ । ବଡ଼ ଜାକଜମକରେ ଲୋକେ ଏ ପର୍ବଟି ପାଳନ୍ତି । ଦୋକାନ ବଜାର ସବୁର ସାଜସଜ୍ଜା ଅତି ସୁନ୍ଦର । ସବୁ ଜିନିଷ ସୁଲଭ ମୂଲ୍ୟରେ ମିଳେ । ସମସ୍ତେ ସମସ୍ତଙ୍କୁ ଖ୍ରୀଷ୍ଟମାସ କାର୍ଡ଼ ଓ ଭେଟି ଦେବାରେ ବ୍ୟସ୍ତ । ପିଲାମାନେ ‘ଖ୍ରୀଷ୍ଟମାସ ଟ୍ରି’ ସଜାଇ ସେଥିରେ ସାଣ୍ଟାକ୍ଳଜ ଉପହାର ସବୁ ରଖିଦେଇ ଯିବ ବୋଲି ଅପେକ୍ଷା କରିଥାଆନ୍ତି । ସ୍ତ୍ରୀ ପୁରୁଷ ସମସ୍ତେ ଆନନ୍ଦରେ ବିଭୋର ।

 

ସେଦିନ ଛୁଟି ଥିଲେ ମଧ୍ୟ ହଠାତ୍ ଦରକାର ଅଛି ବୋଲି ଫୋନ୍ ପାଇବାରୁ ମୁଁ ମୋ ବସାରୁ ଆସି ହସ୍‍ପିଟାଲର ଆଶୁ ଚିକିତ୍ସା ପରୀକ୍ଷାଗାରରେ ପ୍ରବେଶ କଲି । ଜଣେ ମହିଳା ଲାବୋରେଟାରୀ କର୍ମୀ ଟୁଲଟିରେ ବସି କାମ କରୁଥିଲେ । ମୋତେ ଟିକିଏ ଆଡ଼େଇଯାଇ କବାଟ ପାଖରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଯାଇ ଛିଡ଼ା ହୋଇ ଟିକିଏ ଅପେକ୍ଷା କରିବାକୁ ଅନୁରୋଧ କଲେ । ମୁଁ କିଛି ନ ବିଚାରି ସେଇ ସ୍ଥାନରେ ଯାଇ ଠିଆ ହୋଇ ମୋର ଉପରିସ୍ଥ ଶିକ୍ଷକଙ୍କ ପାଇଁ ଅପେକ୍ଷା କଲି ।

 

ମୁଁ ଠିଆହେବା ସଙ୍ଗେ ସଙ୍ଗେ କିଲି କିଲି ଶବ୍ଦରେ ହାସ୍ୟରୋଳ କରି ପଙ୍ଗପାଳ ଭଳି କେଉଁଆଡ଼ୁ କେତେ ଝିଅ ମୋ ଆଡ଼କୁ ମାଡ଼ି ଆସିଲେ । ଜଣକ ପରେ ଜଣେ ମୋତେ ଆକ୍ରମଣ କରି ମୋ ଗାଲ, ନାକ, କାନ, କପାଳ ପ୍ରଭୃତି ମୁଖମଣ୍ଡଳର ସମସ୍ତ ସ୍ଥାନରେ ଚୁମ୍ୱନର ବର୍ଷା ସୃଷ୍ଟି କଲେ । ସାମନା ଦର୍ପଣରେ ମୁଁ ଦେଖିଲି, ମୋର ମୁହଁରେ ଲିପ୍‍ଷ୍ଟିକ୍ ବୋଳାହୋଇ ତାହା ପାତିମାଙ୍କଡ଼ର ମୁହଁଭଳି ଲାଲ ହୋଇଗଲାଣି । ମୁଁ ଅସ୍ତବ୍ୟସ୍ତ ହୋଇଗଲି । ସେଠାର ଝିଅମାନଙ୍କର ସେ ଅଦ୍ଭୁତ ଅଣ୍ଡିରାଚଣ୍ଡୀ ଆଚରଣର ଥଳକୁଳ କିଛି ଠିକ୍ କରି ପାରୁ ନଥାଏ । ମୋର ଶିକ୍ଷକ ଆସି ପହଞ୍ଚିଗଲେ ମୋତେ କ’ଣ ବିଚାରିବେ ଭାବି ମୋତେ ବଡ଼ ଲାଜ ଲାଗୁଥାଏ । ମୁଁ ସେଠାରୁ କିପରି ପ୍ରାଣ ଘେନି ପଳାଇବି ବୋଲି ଭାବୁଥାଏ, କିନ୍ତୁ ସେମାନେ ମୋତେ ଛାଡ଼ିବାକୁ ନାରାଜ ।

 

ମୋର ଏ ଅବସ୍ଥା ଦେଖି, କିଛି ସମୟ ପରେ ଜଣେ ବୟସ୍କ ମହିଳା ଡାକ୍ତର ମୋତେ ସେଠାରୁ ଭିଡ଼ିନେଇ ଅନ୍ୟସ୍ଥାନରେ ଠିଆ କରିଦେଲେ । ସ୍ଥାନ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଠକ୍ କରି ଚୁମ୍ୱନ ପର୍ବ ବନ୍ଦ ହୋଇଗଲା ଓ ଝିଅମାନେ ମୋତେ ଶୁଭିବା ଭଳି ‘ସନ୍ଥ୍‍ଜନ୍ ଆଜି ପାଇଛି’ କହି ହସି ହସି ଯେ ଯୁଆଡ଼େ ପଳାଇଗଲେ । ମୋତେ ଏପରି ହୀନସ୍ତା କରିବାର ମୂଳରେ କିଛି ଷଡ଼ଯନ୍ତ୍ର ଥିବ ବୋଲି ମୁଁ ଭାବିଲି ।

 

ମୋତେ ଭିଡ଼ି ନେଇଥିବା ଭଦ୍ରମହିଳା, ମୁଁ ଯେଉଁ ସ୍ଥାନରେ ଆଗରୁ ଠିଆ ହୋଇଥିଲି ସେ ସ୍ଥାନର ଉପରେ ଓହଳିଥିବା କେତେଗୁଡ଼ିଏ ପତ୍ରଆଡ଼କୁ ହାତଠାରି ଦେଖାଇ ଦେଲେ । ସେ ପତ୍ରର ନାମ ‘ମିସଲଟୋ’ । ଖ୍ରୀଷ୍ଟମାସ ଇଭ୍ ବା ପୂର୍ବଦିନ ସେ ପତ୍ରକୁ ଉପରୁ ଲଟକା ଯାଏଁ । ତା’ ତଳେ ପୁରୁଷଟିଏ ଠିଆ ହୋଇଗଲେ ସ୍ତ୍ରୀମାନେ ତାକୁ ଚୁମ୍ୱନ ଦେବାର ପ୍ରଥା ଅଛି । ସ୍ତ୍ରୀ ଜଣେ ଠିଆ ହୋଇଥିଲେ ପୁରୁଷମାନେବି ନିଃସଙ୍କୋଚରେ ଯାଇ ତାକୁ ଚୁମା ଦିଅନ୍ତି । ଏ ଗୋଟିଏ ଖ୍ରୀଷ୍ଟମାସ ଖେଳ । ଏ ପ୍ରଥା ସେ ଦେଶରେ ବହୁକାଳୁ ଚଳିଆସୁଛି । ତେଣୁ ସେଦିନ ଯାହାକୁ ଚୁମ୍ୱନ ଦେବାକୁ ଇଚ୍ଛା ହୁଏ, ତା’ ଅଜଣାରେ ତା’ ବାଟରେ ଉପରୁ ସେ ପତ୍ର ଟାଙ୍ଗି ଦିଆ ଯାଇଥାଏ ।

 

ଆମ ଦେଶରେ ମେଡ଼ିକାଲ୍ କଲେଜରେ ଝିଅ, ପୁଅ ଏକାଠି ପଢ଼ିଲେ ମଧ୍ୟ ସେମାନେ ଆତ୍ମସଂଯମ ଓ ସଂକୋଚରେ ଚଳନ୍ତି । ମୁଁ ଏମ୍.ବି.ବିଏସ୍ ପଢ଼ିଲାବେଳେ ଆମ ସଙ୍ଗେ ପଢ଼ୁଥିବା ଛଅଟିଯାକ ଝିଅଙ୍କୁ ଆମେ ନିଜର ଭଉଣୀ ପରି ବ୍ୟବହାର କରୁଥିଲୁ ।

 

ଆମ ଦେଶର ଜଣେ ବିବାହିତ ଛାତ୍ର ଝିଅ, ପୁଅ ସମସ୍ତଙ୍କ ସଙ୍ଗେ ଯେପରି ଚଳିବାର କଥା ମୁଁ ସେପରି ଚଳୁଥିଲି । ମୁଁ ମୋର ଶିକ୍ଷକମାନଙ୍କୁ ସମ୍ମାନ ଦେଖାଇ ମୋ କାମତକ ମୁଁ ନୀରବରେ କରି ଯାଉଥିଲି ଓ ଝିଅଙ୍କ ସଙ୍ଗେ ମିଳିମିଶି ହସଖୁସିରେ ସମୟ ନଷ୍ଟ କଲେ ଶିକ୍ଷକମାନେ ଖରାପ ଭାବିପାରନ୍ତି ଓ ମୋ ଶିକ୍ଷାରେ ବାଧା ପଡ଼ିପାରେ ବୋଲି ଭାବି ମୁଁ ଝିଅମାନଙ୍କ ସଙ୍ଗେ ଅବାଧ ମିଳାମିଶା କରୁ ନଥିଲି । ସେଠାର ଝିଅମାନେ ମୋ ବ୍ୟବହାରକୁ ପସନ୍ଦ କରୁ ନଥିଲେ । ସେମାନେ ମୋତେ କେଉଁ ଜଙ୍ଗଲୀ ଦେଶରୁ ଗୋଟାଏ ଅସାମାଜିକ ବାବାଜିଟାଏ ଆସିଛି ବୋଲି ଥଟା କରୁଥିଲେ ଓ ମୋ ପଛରେ ମୋତେ ସେଣ୍ଟଜନ୍ ବା ବାବାଜି ଜନ୍ ଆଖ୍ୟା ଦେଇଥିଲେ ।

 

ଉପରବେଳା ଆମ ‘ଡିପାଟ୍‍ମେଣ୍ଟ’ ତରଫରୁ ଗୋଟିଏ ପାର୍ଟି ବା ବନ୍ଧୁମିଳନର ଆୟୋଜନ ହୋଇଥିଲା । ଆମର ପ୍ରଧାନ ଶିକ୍ଷକ ଡାକ୍ତର ଆଡ଼ମସ୍ ସାହେବ ଏରୁଣ୍ଡିବନ୍ଧ ଉପରେ ସେଥିରୁ ମେଞ୍ଚାଏ ପତ୍ର ବାନ୍ଧି ଦେଇ କବାଟକଣରେ ଲୁଚି ଠିଆହୋଇଥିଲେ ଓ ଯେ କୌଣସି ମହିଳା ସେ ଘରକୁ ପ୍ରବେଶ କଲାବେଳକୁ ତାକୁ ଧରିନେଇ ଚୁମା ଦେଉଥିଲେ । ସାର୍ବଜନନୀ ପ୍ରେମପ୍ରଚାର ପାଇଁ ଖ୍ରୀଷ୍ଟିଆନ ଧର୍ମର ଏ ପବିତ୍ର ପର୍ବଟି ସେଠାରେ ଏହିପରି ଭାବରେ ପାଳିତ ହେଉଥିଲା ।

 

ସେ ଦେଶରେ ଚୁମା ଦେବାଟା ଗୋଟାଏ ମାମୁଲି କଥା । ଆମ ଦେଶପରି ଗୋଟିଏ ବିପଜ୍ଜନକ ଯୌନ ସଙ୍କେତ ନୁହେଁ । ବସ୍‍ଷ୍ଟାଣ୍ଡ୍‍ରେ ବଜାର ହାଟରେ ସବୁଠି ବୁଢ଼ାବୁଢ଼ୀମାନେବି ଚୁମା ଦିଆନିଆ ହୁଅନ୍ତି । ଅଜଣା ଯୁବକ ଯୁବତୀବି ପ୍ରଥମ ସାକ୍ଷାତରେ ପରସ୍ପରକୁ ଚୁମା ଦିଅନ୍ତି । ସେପରି ଚୁମ୍ୱନକୁ ଆମ ଦେଶର ପିଲାଗେଲ ବୋଲି ଧରା ଯାଇପାରେ ।

 

ନୂଆ ଦୁନିଆ

 

ସେଠାର ଯକ୍ଷ୍ମା ହସ୍‍ପିଟାଲର ଫୁସ୍‍ଫୁସ୍ ସର୍ଜନ ଚୀନବାସୀ ଡାକ୍ତର ସେକ୍ ସେଦିନ ଆମ ଉତ୍ସବରେ ଯୋଗ ଦେବାପାଇଁ ଆସିଥିଲେ । ସେ ମୋ ନିକଟରେ ଆସି ବସିଲେ । ଉତ୍ସବ ବା ପାର୍ଟି ସରିବା ପରେ ଦୁହେଁ ସେ ଦେଶର ଚାଲିଚଳନ ବିଷୟରେ କଥାବାର୍ତ୍ତା ହେଲୁ । ସେ କହିଲେ, ଆମେରିକାବାସୀଙ୍କର ଆମ ଭାରତ, ଚୀନ ପ୍ରଭୃତି ପୁରାତନ ଦେଶବାସୀଙ୍କ ସମାଜ ଭଳି ରକ୍ଷଣଶୀଳ ସମାଜ ଗଢ଼ି ଉଠିନାହିଁ । ଏ ଦେଶରେ ପରିବାର ସମ୍ପର୍କ ମଧ୍ୟ ଅତି କୋହଳ । ଏମାନଙ୍କୁ ସଭ୍ୟ ଜଗତର ସୁଶୃଙ୍ଖଳ ମାନବ ନ କହି ଆଦିମଯୁଗର ନଗ୍ନମାନବ ବୋଲି ଧରାଯାଇପାରେ । ମିଳାମିଶା କରିବାରେ ଏଠାରେ ବୟସ ତାରତମ୍ୟର ପାର୍ଥକ୍ୟ କିଛି ନାହିଁ । କୌଣସି ଭଦ୍ରଲୋକ ଆସି ଘରେ ପହଞ୍ଚିଲେ ସେ ଘରର ଛୋଟପିଲାଟିଏ ବାପର ନାମଧରି ବାପକୁ ଡାକିବ ଓ ଆଗନ୍ତୁକର ବାପକୁ ଜଣାଇ ଦେବ । ମଉସା ପିଉସା ପ୍ରଭୃତି ଶବ୍ଦର ବ୍ୟବହାର ଏଠି ନାହିଁ । ନାମଧରି ଅମୁକ ଆସିଛି ବୋଲି ।

 

ପରାଧୀନ ଭାରତରେ ଥରେ ଗୋଟିଏ ଆନ୍ତର୍ଜାତିକ ବିଚାରପତି ସମ୍ମିଳନୀ ହେଉଥିଲା-। ଜଣେ ଇଂରେଜ ବିଚାରପତି ଆଗରୁ ଆସି ସଭାଗୃହର ସାମନା ବାରଣ୍ଡାରେ ବୁଲୁଥିଲେ-। ଟିକିଏ ଦୂରରୁ ଜଣେ ଆମେରିକାନ ଜଜ୍ ଓ ତାଙ୍କ ପୁଅ, ଦୁହେଁ ଦୁହିଁଙ୍କ କାନ୍ଧରେ ହାତ ପକାଇ ଥଟା ପରିହାସ ହୋଇ ହୋଇ ସେ ସଭାସ୍ଥଳକୁ ଆସୁଥିଲେ । ସେ ବାପପୁଅଙ୍କୁ ଉଦ୍ଦେଶ୍ୟ କରି ଇଂରେଜ ଜଜ୍, ପାଖରେ ଥିବା ଲୋକଙ୍କୁ କହିଲେ, ‘‘ଏ ଦୁଇଟି ଜନ୍ତୁଙ୍କୁ ଦେଖୁଛ ! ଏମାନେ ଆଧୁନିକ ଆମେରିକା ଜଙ୍ଗଲରୁ ଆସିଛନ୍ତି । ଆମେରିକା ଏପରି ଗୋଟିଏ ସ୍ଥାନ, ଯେଉଁଠି ମଣିଷ ଜଙ୍ଗଲର ବର୍ବରତାକୁ ହଠାତ୍ ସଭ୍ୟତାର ଚରମ ସୋପାନକୁ ଖପ୍ କରି ଡେଇଁ ପଡ଼ିଛି । ମଝିରେ ଥିବା ସଂସ୍କୃତିର ସବୁ ସୋପାନ ବା ପାବଚ୍ଛଗୁଡ଼ିକ ଛାଡ଼ି ଯାଇଛି । ଇଂରେଜଙ୍କ ପରି ପରମ୍ପରାର ଆଦବକାଇଦାକୁ ହାତମୁଠାରେ ଜାବୁଡ଼ି ଧରି ରଖିଥିବା ଇଂରେଜଙ୍କ ମତରେ ଆମେରିକାବାସୀ ଅସଂସ୍କୃତ ।

 

ଆମେରିକାର ଲୋକମାନେ ଇଂରେଜ ଜାତିକୁ ଗୋଟିଏ ଅବୁଝାମଣା ରକ୍ଷଣଶୀଳ ଜାତି ବୋଲି ଭାବନ୍ତି । ଇଂରେଜଙ୍କର ରାଜାରାଣୀ ପ୍ରଥାକୁ ସମାଲୋଚନା କରି କହନ୍ତି, ଇଂରେଜମାନେ ଆମେରିକାରୁ ଟଙ୍କା ନେଇ ନିଜର ଗୁଜରାଣ ମେଣ୍ଟାଉଛନ୍ତି । କିନ୍ତୁ ମିଛରେ ଗୋଟାଏ ଦେଖାଣିଆ ଗୋବରଗଣେଶ ରାଜ ଅନୁଷ୍ଠାନ ପାଇଁ ରାଜକୋଷରୁ ଅପର୍ଯ୍ୟାପ୍ତ ଅର୍ଥ ବୃଥା ବ୍ୟୟ କରି ତାକୁ ସଖୀ କଣ୍ଢେଇ ପରି କୁଣ୍ଢାଇ ଧରି ରଖିଛନ୍ତି ।

 

ସେ ଯାହାହେଉ, ଆମେରିକାରେ ରକ୍ଷଣଶୀଳତା ବୋଲି କିଛି ନାହିଁ । ଯେକୌଣସି ୟୁରୋପୀୟ ବା ଏସିଆନ ଜାତିକୁ ସେମାନେ ଘୃଣାଚକ୍ଷୁରେ ଦେଖି ପାରନ୍ତି ନାହିଁ । ସେମାନଙ୍କ ସଙ୍ଗେ ଅବାଧରେ ମିଶନ୍ତି ଓ ସେମାନଙ୍କ ସଙ୍ଗେ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି । ସେମାନଙ୍କ ମତରେ ଆର୍ଯ୍ୟ, ମଙ୍ଗୋଲ ସବୁ ଜାତି ଚାରିଆଡ଼ୁ ଆସି ମିଶାମିଶି ହୋଇ ନୂତନ ଆମେରିକା ଜାତି ତିଆରି କରିଛନ୍ତି । କାହା ରକ୍ତରେ କେଉଁ ଜାତିର କେତେ ରକ୍ତ ପ୍ରବାହିତ ହେଉଛି ଜାଣିବା କଷ୍ଟ । ତେଣୁ ସେମାନେ କିପରି କେଉଁ ଜାତିକୁ ନିଜଠାରୁ ଅଲଗା ଦେଖି ପାରିବେ !

 

ଟିକିଏ ବଡ଼ ହୋଇଗଲେ, ଆମେରିକାନ୍ ପିଲାମାନେ ବାପ, ମା’ଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇ ନିଜର ଜୀବନ ଗଢ଼ନ୍ତି । ନିଜେ ରୋଜଗାର କରି ପାଠ ପଢ଼ନ୍ତି ଓ ନିଜର ଗୁଜୁରାଣ ମେଣ୍ଟାନ୍ତି । ନିଜେ ନିଜର ଜୀବନ ସାଥୀ ଖୋଜି ବିବାହ ହୁଅନ୍ତି । ବାପ, ମା’ ଉଚ୍ଚଶିକ୍ଷା ଓ ବିବାହ ପ୍ରଭୃତିରେ କୌଣସି ସାହାଯ୍ୟ କରନ୍ତି ନାହିଁ । ଝିଅ ଓ ପୁଅମାନଙ୍କୁ ଅବାଧ ମିଳାମିଶା ସୂତ୍ରରେ ଜୀବନ ସାଥୀ ବାଛିବାକୁ ହୁଏ ।

 

ଡେଟିଂ ବା ଡକାଡ଼କି ପ୍ରଥା ସେ ଦେଶରେ ପ୍ରଚଳିତ । ଯୁବକମାନେ ଯୁବତୀମାନଙ୍କୁ ସମୟ ଦେଇ ଡାକନ୍ତି ଓ ଦୁହେଁ ସେଇ ସମୟରେ ଏକାଠି ବୁଲି ବାହାରନ୍ତି । ପାର୍କ୍‍ରେ ବୁଲିବା, ସିନେମା ଦେଖିବା, ନାଚିବା, ହୋଟେଲରେ ଖାଇବା ପ୍ରଭୃତିରେ ସମୟ କଟାନ୍ତି । ସନ୍ଧ୍ୟାଟି ପ୍ରାୟ ଏପରି କଟାଇବା ପରେ ଯୁବକଟି ଯୁବତୀକୁ ତା’ ଘରେ ଛାଡ଼ି ଦେଇଯାଏ । ସେଠାରେ ଝିଅର ସାଙ୍ଗ ବୋଲି କହିଲେ ପୁଅ ସଙ୍ଗୀକୁ ବୁଝାଏ ଓ ପୁଅର ସଙ୍ଗୀ ବୋଇଲେ ଗୋଟିଏ ଝିଅ ସାଙ୍ଗକୁ ବୁଝାଏ । ଏ ସାଙ୍ଗପ୍ରଥା ଅତି ପିଲାଦିନୁ, ସ୍କୁଲ୍‍ରେ ପଢ଼ିବା ଅବସ୍ଥାରୁ ଆରମ୍ଭ ହୁଏ । ସନ୍ଧ୍ୟାରେ ଝିଅକୁ କୌଣସି ପୁଅ ବୁଲିଯିବାକୁ ଡାକିଆସିଲେ ବାପ, ମା’ ନିଃସଙ୍କୋଚରେ ‘ଭଲଭାବରେ ସମୟ କଟାଅ’ କହି ଘରୁ ବିଦାୟ ଦିଅନ୍ତି । ଏପରି ବୁଲିବାର ସମସ୍ତ ଖର୍ଚ୍ଚ ପୁଅକୁ ଦେବାକୁ ପଡ଼େ । ଏପରି ବହୁ ଲୋକଙ୍କ ସଙ୍ଗେ ମିଳାମିଶା କଲାପରେ ଜଣକର ଅନ୍ୟ ଜଣକ ସଙ୍ଗେ ମନ ମିଶିଲେ ଓ ବହୁବାର ସେ ଦୁହେଁ ବରାବର ଏକତ୍ର ହେବାପରେ ପୁଅ ଝିଅଟିକୁ ବିବାହ ପ୍ରସ୍ତାବ ଦିଏ । ସେମାନଙ୍କ ଭିତରେ କଥା ବା ଏନ୍‍ଗେଜ୍‍ମେଣ୍ଟ୍ ହୋଇ ମୁଦି ବଦଳାବଦଳି ହୁଏ । ଏପରି ବାଗ୍‍ଦତ୍ତା ଯୋଡ଼ିକୁ ‘ଫାୟାନସି କୁହାଯାଏ । ଏପରି କିଛିକାଳ କଥା ରହିବା ପରେ ଦୁହିଁଙ୍କ ଭିତରେ ବିବାହ ହୁଏ ।

 

ପ୍ରେମଫଲ୍‍ଗୁ

 

ପୁଅମାନେ ଯେ କେବଳ ଝିଅମାନଙ୍କୁ ଡାକନ୍ତି ଓ ତାଙ୍କ ପଛରେ ଗୋଡ଼ାନ୍ତି, ସେ କଥା ନୁହେଁ । ବେଳେବେଳେ ଝିଅମାନେବି ବିବାହପାଇଁ ବିକଳ ହୋଇ ପୁଅମାନଙ୍କ ପିଛା ଧରନ୍ତି ।

 

ଦିନେ ଡାକ୍ତର ସିକଣ୍ଡଙ୍କ ଘରେ ବସି ଆଳାପ କରୁଛି, ତାଙ୍କର ଫୋନ୍ ଘନଘନ ବାଜି ଉଠିଲା । ସେ ଆଦୌ ଫୋନ୍ ଉଠାଉ ନ ଥାନ୍ତି । କେତେଗୁଡ଼ିଏ ବଡ଼ ଅପରେସନ୍‍ ପରେ କ୍ଳାନ୍ତ ହୋଇ ତାଙ୍କୁ ନିଦ ଲାଗୁଥାଏ, ସେ ବିଶ୍ରାମ ନେଉଥାନ୍ତି । ଶୋଇ ପଡ଼ିବାକୁ ସେ ଇଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଛାଡ଼ି ମୁଁ ମୋ ରୁମ୍‍କୁ ଚାଲି ଆସିଲି । ଅଳ୍ପସମୟ ପରେ ସିକଣ୍ଡ ବେଶବାସ ହୋଇ ମୋ ରୁମ୍‍ରେ ପ୍ରବେଶ କରିବାର ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗିଲା । ସେ ମୋତେ ତାଙ୍କ ରୁମ୍‍ର ଚାବିଟି ବଢ଼ାଇ ଦେଇ କହିଲେ, ‘‘ଶୁଣିଥିଲ ତ ଫୋନ୍ କେତେଥର ବାଜିଲା, ଏବେ ଶୁଣ ହଷ୍ଟେଲ୍‍ ସାମନାରେ କିପରି ଘନଘନ ଗାଡ଼ି ହର୍ଣ୍ଣ ବାଜୁଛି । ବର୍ତ୍ତମାନ ମୁଁ ବଡ଼ ଅସୁବିଧାରେ ପଡ଼ିଛି, ସାପ ଚୁଚୁନ୍ଦ୍ରା ନ୍ୟାୟରେ ମୁଁ ତାକୁ ପୂରା ନାହିଁ କରି ପାରୁନାହିଁ କି ସେ ମୋତେ ଛାଡ଼ୁନାହିଁ । ସେ ଝିଅଟି ମୋତେ ଟିକିଏ ଶାନ୍ତିରେ ଶୁଆଇ ବସାଇ ଦେଉନାହିଁ ।’’ ସେ ମୋଠାରୁ ବିଦାୟ ନେଇ ଘର ବାହାରକୁ ଯିବା ସଙ୍ଗେ ସଙ୍ଗେ ଗୋଟିଏ ବାଳାର ଦରଦଭରା କଣ୍ଠ ଶୁଣିବାକୁ ପାଇଲି । ତା’ ସଙ୍ଗରେ ବୁଲି ବୁଲି ସିକଣ୍ଡ ବହୁତ ରାତିକୁ ଫେରି ମୋ ରୁମ୍‍ ଚାବିଟି ନେଇ ତାଙ୍କ ରୁମ୍‍କୁ ଗଲେ ।

 

ସହରର ନାନା ସ୍ଥାନରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ରହିବାଘର ବା ବୋଡ଼ିଂ ଥାଏ । ସେଗୁଡ଼ିକୁ ଡରମେଟୋରୀ କୁହାଯାଏ । ପାଠ ପଢ଼ୁଥିବା ଓ ବିଭିନ୍ନ ଅଫିସ୍‍ମାନଙ୍କରେ କାମ କରୁଥିବା ଝିଅମାନେ ସେଠାରେ ଏକାଠି ରହନ୍ତି । ସେମାନଙ୍କ ତତ୍ତ୍ୱାବଧାନ ପାଇଁ ବୁଢ଼ୀସବୁ ସୁପରିନ୍‍ଟେଣ୍ଡେଣ୍ଟ ବା ମ୍ୟାନେଜର ଭାବରେ ଥାଆନ୍ତି । ପୁଅମାନଙ୍କର ସେଠାର କୌଣସି ଝିଅ ସଙ୍ଗେ ସିଧାସଳଖ ଚିହ୍ନା ନଥିଲେ ସେମାନେ ମ୍ୟାନେଜରଙ୍କ ଜରିଆରେ ସେମାନଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି ।

 

ବେଳେବେଳେ ଅନ୍ୟସ୍ଥାନରୁ ସେ ସହରକୁ ବୁଲି ଆସିଥିବା ଯୁବକ ଦଳ ସେମାନଙ୍କ ସଂଖ୍ୟା କହି ମ୍ୟାନେଜର ବୁଢ଼ୀକୁ ଫୋନ୍ କଲେ ସେ ସେଇ ସଂଖ୍ୟାର ଝିଅକୁ ଖବର ଦିଅନ୍ତି । ଯେଉଁ ଝିଅମାନେ ଅନ୍ୟ କୌଣସି ଯୁବକଠାରୁ ଡାକରା ନପାଇ ସେ ଦିନ ବୋଡିଂରେ ଥାଆନ୍ତି ସେମାନେ ଆଗଭର ହୋଇ ସେ ଯୁବକମାନଙ୍କ ସଙ୍ଗେ ସାନ୍ଧ୍ୟଗମନ ପାଇଁ ଡେଟିଂ ବା ବରାଦି ଡାକରାରେ ବାହାରି ପଡ଼ନ୍ତି । ପୁଅ ଝିଅ କେହି ସନ୍ଧ୍ୟାରେ ଘରେ ବା ବୋଡିଂରେ ବସି ରହିବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ସୁବିଧା ପାଇବାକ୍ଷଣି ଯୋଡ଼ି ଯୋଡ଼ି ହୋଇ ବା ଦଳଦଳ ହୋଇ ଆମୋଦ କରିବାକୁ ଡେଟ୍‍ରେ ଯାଆନ୍ତି ।

 

ଦିନେ ହସ୍‍ପିଟାଲ କାମସାରି ମୁଁ ମୋ ରୁମ୍‍ରେ ବିଶ୍ରାମ ନେଉଛି, ଆମ ହଷ୍ଟେଲ୍‍ର ଡାକ୍ତର ଗ୍ରୀନ୍ ନାମକ ସ୍ନାତକୋତ୍ତର ଛାତ୍ର ମୋତେ ଉଠାଇ, ବାହାରେ ମୋତେ ସବୁ ଅପେକ୍ଷା କରୁଛନ୍ତି ବୋଲି ବାହାରର ପଡ଼ିଆକୁ ଯିବାକୁ ଅନୁରୋଧ କଲେ । କିଏ ମୋତେ ଅପେକ୍ଷା କରୁଛି ମୁଁ ଭାବି ପାରିଲି ନାହିଁ । ତଥାପି ଆଖି ମଳି ମଳି ମୁହଁ ହାତ ଧୋଇ ଗରମ ଜାମାଟିଏ ପିନ୍ଧି ବାହାରକୁ ଗଲି, ପଛରେ ଆସ ବୋଲି କହି ଗ୍ରୀନ୍ ଆଗରୁ ଚାଳି ଯାଇଥିଲେ ।

 

ଦୁଆରମୁହଁରେ ଦୁଇଟି ଝିଅ ଅପେକ୍ଷା କରୁଥିଲେ, ସେମାନେ ଆଗେଇ ଆସି ମୋତେ ପାଛୋଟି ନେଲେ ଓ ଝିଅମାନଙ୍କର ସାନ୍ଧ୍ୟ ଉତ୍ସବକୁ ମୋତେ ନିମନ୍ତ୍ରଣ କରୁଛନ୍ତି ବୋଲି କହିଲେ । ପାଖ ମହିଳା ହଷ୍ଟେଲ୍‍ର ଦଶବାରଜଣ ଯୁବତୀ, ଡାକ୍ତର ଗ୍ରୀନ୍‍ଙ୍କୁ ଘେରି ରହିଛନ୍ତି । ଗୋଟିଏ ଧୁନି ଜଳୁଛି, ପାଖରେ କେତେ ଖାଦ୍ୟ ପଦାର୍ଥ ଥୁଆ ହୋଇଛି । ଅଟା ମେଞ୍ଚାପରି ଦିଶୁଥିବା ‘ମାର୍ଶାଲମୋ’ ନାମକ ପଦାର୍ଥକୁ ଲୁହା କାଠି ଅଗରେ ଫୋଡ଼ି ନିଆଁରେ ସେକି ଜଣ ଜଣ କରି ଖାଉଛନ୍ତି । ସେଥିରୁ ମୋତେ ଦୁଇ ଚାରିଟା ମିଳିଲା ।

 

ଝିଅମାନେ ମିଶି ମଉଜ କରୁଥିଲେ, ପୁଅ କେହି ନ ଥିବାରୁ ବୋଧହୁଏ ସେମାନଙ୍କୁ ଭଲ ଲାଗିଲା ନାହିଁ । ଖୋଜାଖୋଜି କରି ଶେଷରେ ଆମ ଦୁଇ ଜଣଙ୍କୁ ସଂଗ୍ରହ କରି ପାରିଥିଲେ । ଗୋଟିଏ ରେଡ଼ିଓରୁ ନାଚ ଗାନର ସଙ୍ଗୀତ ସବୁ ଭାସି ଆସୁଥାଏ । ଡାକ୍ତର ଗ୍ରୀନ୍ ମଝିରେ ବସି ରେଡ଼ିଓ ଗୀତକୁ ତାଳ ଦେଇ ରସ ସୃଷ୍ଟିପାଇଁ ନାନା ଅଶ୍ଳୀଳ ଗପ ସବୁର ଆଲୋଚନା କରୁଥାନ୍ତି । ଝିଅମାନେ ଆଗ୍ରହରେ ସେ ସବୁ ଶୁଣି ହସରେ ଫାଟି ପଡ଼ୁଥାନ୍ତି । ମଝିରେ ମଝିରେ ଅଶ୍ଳୀଳ ଥଟା ପରିହାସ ମଧ୍ୟ ଚାଲିଥାଏ ।

 

ଏ ପ୍ରକାର ମଉଜରେ ପୂରାପ୍ରାଣରେ ଯୋଗ ଦେବା ମୋ ପକ୍ଷରେ ସମ୍ଭବପର ନଥିଲା-। ସେମାନେ ମୋତେ ସେପରି ଗପ ସବୁ କହିବାକୁ ବହୁତ ଉସୁକାଇଲେ ଓ ମୋତେ ଥଟା କରିବାକୁ ଚେଷ୍ଟା କରି ମୋର ଗମ୍ଭୀର ମୁହଁ ଦେଖି କିଛିକ୍ଷଣ ଚୁପ୍ ରହିଲେ ।

 

ତା’ ଭିତରୁ ଗୋଟିଏ ଅତି ଆଗବୋଲା ଝିଅ ହଠାତ୍ ହସି ହସି ମୋତେ ପଚାରିଲା ଆପଣ ‘‘ସିଫିଲିସ୍, ଗନେରିଆ କ’ଣ ଜାଣିଛନ୍ତି, ଆପଣଙ୍କର ବୋଧେ ସେଥିପାଇଁ ବହୁତ ଡର ‘‘ଏହା କହି ସେ ହସି ଉଠିଲା ଓ ସଙ୍ଗେ ସଙ୍ଗେ ସେ ହସର ତରଙ୍ଗ ଚାରିଆଡ଼େ ଲହର ଖେଳାଇ ଦେଲା ।

 

ଏପରି ଘଣ୍ଟାଏ ଦୁଇଘଣ୍ଟା ଗୀତ ଗପ ଓ ହସ ବୃଷ୍ଟି ଚାଲିବା ପରେ ସମସ୍ତେ ଚାଲିଯିବାକୁ ଉଠ୍ ଉଠ୍ ହେଲେ । ଗ୍ରୀନ୍ ମୋତେ ପଚାରିଲେ ‘‘ଆମେରିକା ଜୀବନ କିପରି ଲାଗୁଛି ?’’ ମୁଁ ଭଦ୍ରତା ଖାତିରିରେ ଉତ୍ତର ଦେଲି ‘‘ମୋଟାମୋଟି ଭଲ ଲାଗୁଛି, ନିମନ୍ତ୍ରଣ ପାଇଁ ଅଶେଷ ଧନ୍ୟବାଦ-।’’ ମୋର ଉତ୍ତର ଦେବାର ଶୈଳୀରେ ଉତ୍ସାହର ଅଭାବ ଦେଖି ସେ ମୋ ମୁହଁକୁ ଚାହିଁଲେ ଓ ମନେମନେ ଭାବିଥିବେ ଏ କୋକିଶିଆଳଟା ପାଇଁ ଅଙ୍ଗୁର କୋଳିଟା ଖଟା ।

 

ସେଠାର ଲୋକେ ଅତି ଭଦ୍ର । କାହା ମନରେ କଷ୍ଟ ଦେଲା ଭଳି ଠୋଠା କର କଥା କହନ୍ତି ନାହିଁ । ଝିଅମାନେ ମଧ୍ୟ ତାଙ୍କ କାମ କରୁଥିଲାବେଳେ ବଡ଼ ଭଦ୍ର ଓ ନରମ ବ୍ୟବହାର ଦେଖାନ୍ତି । ଡେଟିଂ ବା ମେଳରେ ଥିଲେ ଆମୋଦ ପ୍ରମୋଦ ସମୟରେ ଟିକିଏ ଉଚ୍ଛୃଙ୍ଖଳ ଭାବ ଦେଖାଇ ପାରନ୍ତି କିନ୍ତୁ ସବୁବେଳେ ସେପରି ଭାବ ଦେଖାନ୍ତି ନାହିଁ । ଜଣକ ସଙ୍ଗେ ଆଜି ଡେଟ୍‍ରେ ଗଲେ ତା’ର ନିଜ ଲୋକ ପରି ବ୍ୟବହାର କରିବେ କିନ୍ତୁ କାଲି ଅନ୍ୟ କାହା ସଙ୍ଗେ ଯାଉଥିବାବେଳେ ପୂର୍ବଲୋକକୁ ନ ଜାଣିଥିବା ଭଳି ବା କେଭେ ଦେଖି ନ ଥିବା ଭଳି ବ୍ୟବହାର ଦେଖାଇବେ । ତେଣୁ କୌଣସି ନାଚ ପାର୍ଟି ବା ଭୋଜିକୁ ଗଲେ ଯିଏ ଯାହା ସଙ୍ଗେ ଯାଇଥାଏ ସେ ସେତେବେଳେ ପୂରା ତା’ର ନିଜର ଭଳି ବ୍ୟବହାର କରେ । ତା’ ସଙ୍ଗେ ଅନ୍ୟଜଣେ ମିଳାମିଶା କରିବାଟା ଅଶୋଭନୀୟ ବୋଲି ମନେ କରାଯାଏ । ଅନ୍ୟ କେହି ଝିଅଟି ସଙ୍ଗେ ନାଚିବାକୁ ଇଚ୍ଛା କଲେ ତା’ ସଙ୍ଗେ ଯାଇଥିବା ପୁଅଟିର ଅନୁମତି ନେବାକୁ ପଡ଼େ ।

 

ବିଭିନ୍ନ ଉତ୍ସବଦିନମାନଙ୍କରେ ଅନୁଷ୍ଠାନ ତରଫରୁ ମଧ୍ୟ ଏପରି ପାର୍ଟି ବା ଉତ୍ସବର ଆୟୋଜନ ହୁଏ । ଆମର ହସ୍‍ପିଟାଲ ତରଫରୁ ଚେସ୍ ପରି ଗୋଟିଏ ଉତ୍ସବର ଆୟୋଜନ ହୋଇଥିଲା । ସେଥିରେ ଭୋଜି ଓ ପାନୀୟର ମଧ୍ୟ ବ୍ୟବସ୍ଥା ଥିଲା । ହସ୍‍ପିଟାଲ ସୁପରିଟେଣ୍ଡଣ୍ଟ ତାଙ୍କ ନିମନ୍ତ୍ରଣ ପତ୍ରରେ ଲେଖିଥିଲେ–‘‘ସେ ଉତ୍ସବରେ ଯୋଗଦେବାକୁ ତୁମେ ତୁମ ସ୍ତ୍ରୀଙ୍କ ସଙ୍ଗେ, ତୁମ ବାଗ୍‍ଦତ୍ତାଙ୍କ ସଙ୍ଗେ, ମଧୁରହୃଦୟା ବାନ୍ଧବୀଙ୍କ ସଙ୍ଗେ କିମ୍ୱା କେହି ନ ମିଳିଲେ ‘ବ୍ଲାଇଣ୍ଡ ଡେଟ୍’ ବା ଅନ୍ଧାଧୁନିଆ ବାନ୍ଧବୀଙ୍କ ସଙ୍ଗେ ଆସିବ । କିନ୍ତୁ ଏକୁଟିଆ ‘ଷ୍ଟାଗ୍’ ବା ଅଣ୍ଡିରା ହରିଣ ପରି ଆସିବ ନାହିଁ । ସେପରି ଏକୁଟିଆ ଗଲେ ବିଭ୍ରାଟ ସୃଷ୍ଟିର ଆଶଙ୍କା ଥାଏ, କାରଣ ସମୟ ସମୟରେ ପାନୀୟର ମାତ୍ରା ବେଶୀ ହୋଇଗଲେ ଏକୁଟିଆ ଯାଇଥିବା ଲୋକମାନେ ସାଧାରଣ–ଭଦ୍ରତାର ଜ୍ଞାନ ହରାଇ ଅନ୍ୟମାନେ ସାଙ୍ଗରେ ନେଇଥିବା ଝିଅମାନଙ୍କୁ ଭିଡ଼ାଭିଡ଼ି କରି ନାଚିବା ଓ ପ୍ରେମ କରିବା ଆରମ୍ଭ କରିଦେଇ ଅପ୍ରୀତିକର ପରିସ୍ଥିଚି ସବୁ ସୃଷ୍ଟି କରନ୍ତି । ସେପରି ପରିସ୍ଥିତିକୁ ଏଡ଼ାଇବା ପାଇଁ ଆଗରୁ ସାବଧାନ କରାଇ ସୁପରିଟେଣ୍ଡେଣ୍ଟ ନୋଟିସ୍‍ ଦେଇଥିଲେ । ମୁଁ ଅଡ଼ୁଆରେ ପଡ଼ି ସେପରି ସ୍ଥାନକୁ ନ ଯିବା ଶ୍ରେୟସ୍କର ମଣି ଅନ୍ୟ କାର୍ଯ୍ୟରେ ଲାଗିଲି ।

 

ଆଗରୁ କହିଛି, ଚାଟାନୁଗା ହସରଟା ବେଶୀ ଥଣ୍ଡାସ୍ଥାନ ନୁହେଁ । ବର୍ଷେ ବର୍ଷେ ଅଳ୍ପ ଅଳ୍ପ ତୁଷାରପାତ ହୁଏ । ସନ୍ଧ୍ୟାବେଳକୁ କୁଣ୍ଡା ଝାଡ଼ିଲା ପରି ତୁଷାର ବୃଷ୍ଟି ହୁଏ । ସକାଳକୁ ଗଛପତ୍ର, କୋଠାର ଛାତ ଓ ବାହାରେ ଥୁଆ ହୋଇଥିବା ମଟରଗାଡ଼ିର ଛାତ ଉପରେ ତୁଳାଭିଣାର ତୁଳା ଉଡ଼ି ପଡ଼ିଥିଲା ଭଳି କଅଁଳିଆ ବରଫର ଶେଯଟିଏ ପଡ଼ିଯାଇଥିଲା ପରି ଦେଖାଯାଏ ।

 

ସେହି ଶୀତଦିନ ସନ୍ଧ୍ୟାରେ ଆମେ ହସ୍‍ପିଟାଲ ରେଷ୍ଟୁରାଣ୍ଟ୍‍ରୁ ଖିଆପିଆ ସାରି ହସ୍‍ପିଟାଲ ସାମନା ରାସ୍ତାର ଆରପଟେ ଥିବା ଆମ ହଷ୍ଟେଲ୍‍କୁ ଆସିଲାବେଳକୁ ତୁଷାରପାତ ଆରମ୍ଭ ହୋଇ ଯାଇଥିଲା । ସମସ୍ତେ ହଷ୍ଟେଲ୍‍ ଆଗର ପଡ଼ିଆରୁ ତୁଷାର ବା ଟିକି ଟିକି ବରଫ ଗୁଣ୍ଡ ସବୁ ଗୋଟାଇ ହାତମୁଠାରେ ଚାପି ଗୋଲ ଗୋଲ ବଲ୍‍ ତିଆରି କରି ସ୍ନୋ ବଲ୍’ ଫୋପଡ଼ା ଫୋପଡ଼ି ଖେଳ ଆରମ୍ଭ କରିଦେଲୁ ।

 

ବିବାହ ବ୍ୟାକୁଳତା

 

ଅଳ୍ପଦିନ ପରେ ଆଉ ଦୁଇଚାରିଜଣ ଭାରତୀୟ ଡାକ୍ତର ଆସି ଆମ ସଙ୍ଗେ ଯୋଗ ଦେଇଥିଲେ । ସେମାନଙ୍କ ଭିତରେ ଇକ୍ୟୁବାଲ ସିଂହ ବୋଲି ଜଣେ ଶିଖ ଡାକ୍ତର ଥିଲେ । ଆସିବା ବାଟରେ ସେ ଦାଢ଼ି ଓ ମୁଣ୍ଡର କେଶ କାଟିଦେଇ ନିଜକୁ ସିଂହ ବୋଲି ପରିଚୟ ନ ଦେଇ ତାଙ୍କୁ କେବଳ ଇକ୍ୟୁବାଲ ବୋଲି ଡାକିବାକୁ କହୁଥିଲେ । ସେ ଅବିବାହିତ ବୋଲି କହି ସେଠାର ଝିଅମାନଙ୍କ ସଙ୍ଗେ ଜୋରରେ ମିଳାମିଶା କରିବା ଆରମ୍ଭ କରିଦେଇଥିଲେ । ଆମେ ସ୍ନୋ ବଲ୍ ଖେଳିଲାବେଳେ ସେ ଆମ ସଙ୍ଗେ ଯୋଗ ନ ଦେଇ ଯେଉଁଠି ଗାଡ଼ି ସବୁ ଥୁଆ ହୋଇଥାଏ ସେଇ ଆଡ଼କୁ ଗତି କରି ଗୋଟିଏ ଗାଡ଼ିର ଦୁଆର ଖୋଲି ସେଥିରେ ଯାଇ ବସିପଡ଼ିଲେ ।

 

ଆମେ ଖେଳସାରି ଫେରିଲା ବେଳକୁ ସେ ଗାଡ଼ି ଉପରେ ମୋ ଆଖି ପଡ଼ିଲା । ସେଠି ଇକ୍ୟୁବାଲକୁ ପାଖରେ ବସିଥିବା ଝିଅଟି ମୋ ଆଡ଼କୁ ଚାହିଁ ଟା ଟା କରି ହାତ ହଲାଇ ହସିଲା । ଝିଅଟିର ‘ନାଁ’ ମିସ୍ ଗ୍ରେ । ଝିଅଟି ଡେଙ୍ଗା ଓ ବଳି ଦେଲାପରି ଚେହେରା, ଦେଖିବାକୁ ଅତି ସୁନ୍ଦର । ମୁଁ ତାକୁ ଆଗରୁ ମୋର ସୁଇଜରଲାଣ୍ଡବାସୀ ଡାକ୍ତର ଏରିକଆଣ୍ଡ୍ରୀଙ୍କ ସଙ୍ଗେ ବହୁସ୍ଥାନରେ ବହୁବାର ଭେଟିଥିଲି । ସେ ଏରିକ୍‍ଙ୍କର ‘ଷ୍ଟେଡ଼ି ଡେଟ୍’ ବା ଥୟ ବନ୍ଧୁର ଫାୟାନ୍‍ସି ବା ବାଗ୍‍ଦତ୍ତାର ସ୍ଥାନକୁ ଉଠିଥିଲେ ବୋଲି ମୋର ଧାରଣା ଥିଲା । ତାଙ୍କ ହାତରେ ଏରିକ୍ ଦେଇଥିବା ଏନ୍‍ଗେଜ୍‍ମେଣ୍ଟ୍ ବା ନିର୍ବନ୍ଧ ମୁଦିଟିଏ ଥିବାପରି ମୋର ମନେ ହୋଇଥିଲା ।

 

ଏରିକ୍ ଆମ ହଷ୍ଟେଲ୍‍ରେ ରହି ବର୍ଷେ ଦୁଇବର୍ଷ ପଢ଼ିଲାପରେ ନିଉୟର୍କରେ ପଢ଼ିବାପାଇଁ ଅଳ୍ପଦିନ ତଳେ ଚାଲିଯାଇ ଥିଲେ । ‘ଗ୍ରେ’ର ସଙ୍ଗେ ତାଙ୍କର ବାଗ୍‍ଦାନ ଭାଙ୍ଗିଥିଲା କି ନାହିଁ ମୁଁ ଜାଣେ ନାହିଁ, କିନ୍ତୁ ଦିନକୁଦିନ ଇକ୍ୟୁବାଲଙ୍କ ସଙ୍ଗେ ତା’ର ବନ୍ଧୁତା ବଢ଼ିବାର ଦେଖାଗଲା । ସାମୟିକ ଦେଖାଚାହାଁ ଯିବାଆସିବା ବା କାଜୁଆଲ୍ ଡେଟିଂ କ୍ରମେ ଥୟ ବା ଷ୍ଟେଡ଼ିଡ଼େଟିଂ ଆଡ଼କୁ ଗତିକଲା । ଗ୍ରେ, ଇକ୍ୟୁବାଲଙ୍କୁ ସାଙ୍ଗରେ ଧରି ନିର୍ଭୟରେ ଚାରିଆଡ଼େ ବୁଲିଲେ । ଥରେ ଜଣେ ବନ୍ଧୁଙ୍କ ଘରେ ଗୋଟିଏ ଭୋଜିରେ ମଧ୍ୟ ସେ ଦୁଇଜଣଙ୍କ ସଙ୍ଗେ ଦେଖାହେଲା । ଗ୍ରେ ଖୁବ୍ ଖୁସି ଓ ପ୍ରଫୁଲ୍ଲ ଦିଶୁଥିଲା । ଅନ୍ୟମାନଙ୍କଠାରୁ ଶୁଣିଲି ସେ ଶୀଘ୍ର ବିବାହ କରିବାପାଇଁ ବଡ଼ ବ୍ୟାକୁଳ ହୋଇ ସଙ୍ଗୀ ବଦଳାଇ ଥିଲେ ।

 

ପ୍ରୀତିସଙ୍ଗଟ

 

କେତେକଦିନ ପରେ ମିସ୍ ଗ୍ରେ ମୋ ବସା ସାମନାକୁ ଆସି ମୋତେ ଡକାଇ ପଠାଇଲା-। ସେ ବଡ଼ ଅସ୍ତବ୍ୟସ୍ତ ଦିଶୁଥିଲା, ବାଳଗୁଡ଼ାକ ଫୁର୍ ଫୁର୍ ଉଡ଼ୁଥିଲା । ସେ ମୋତେ ଦେଖିଲାକ୍ଷଣି କଇଁ କଇଁ ହୋଇ କାନ୍ଦି ଉଠିଲା । କାନ୍ଦକୁ ସମ୍ଭାଳି ନେଇ ମୋତେ ପଚାରିଲା, ‘‘ତୁମେ ତୁମର ବନ୍ଧୁ ଇକ୍ୟୁବାଲଙ୍କ ସଙ୍ଗେ ଏହାଭିତରେ କିଛି କଥାବାର୍ତ୍ତା ହୋଇଛ କି ? ସେ ମୋ ବିଷୟରେ ତୁମକୁ କିଛି କହୁଥିଲେ କି ? ଏସବୁ ପ୍ରଶ୍ନର ଅର୍ଥ କ’ଣ ବୋଲି ମୁଁ କହିବାରେ ସେ ପୁଣି କହିଲା, ଇକ୍ୟୁବାଲଙ୍କୁ ମୁଁ ଅତି ଭଦ୍ରଲୋକ ଓ ସ୍ନେହୀ ବୋଲି ଭାବେ । ତାଙ୍କ ସଙ୍ଗେ ମୋର ପ୍ରେମ ବହୁତ ବାଟ ଆଗେଇ ଯାଇଛି ଓ ସେ ମୋତେ ଶୀଘ୍ର ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ-। ମୁଁ ତାଙ୍କୁ ନେଇ ଆମ ଘରେ ମୋର ପିତାମାତାଙ୍କ ସହିତ ପରିଚୟ ମଧ୍ୟ କରାଇ ଦେଇଥିଲି-। ଏବେ କେତେଦିନ ହେଲା ସେ ନାନା ବାହାନା ଦେଖାଇ ମୋତେ ଆଉ ଧରାଛୁଆଁ ଦେଉନାହାନ୍ତି-। ମୁଁ ଶୁଣିଲି, ଏହା ଭିତରେ ସେ ଆଉ ଗୋଟିଏ ଝିଅକୁ ସାଙ୍ଗ କରି ତା’ ସଙ୍ଗେ ବୁଲାବୁଲି କଲେଣି-। ମୋର କ’ଣ ଦୋଷ ହେଲା, ଓ ସେ ମୋତେ କାହିଁକି ଏପରି ଖାପଛଡ଼ା ବ୍ୟବହାର କରୁଛନ୍ତି ମୁଁ ସେସବୁ କିଛି ବୁଝିପାରୁନାହିଁ ।

 

ସେ ଆହୁରି କହିଲା ‘‘ମୋର ଭାଗ୍ୟ ଖରାପ; ତୁମେ କାହିଁକି ବିବାହ କରିସାରି ଏ ଦେଶକୁ ଆସିଲ ? ତୁମ ମୁଣ୍ଡର କୃଷ୍ଣକେଶ, ଆଖିର ଭ୍ରୂଲତା, ଦେହର ଧୂସର ଚମଡ଼ା ଅତି ଲୋଭନୀୟ, ମୁଁ ତୁମକୁ ବିବାହ କରିବା ଅସମ୍ଭବ ଜାଣି ତୁମ ଦେଶର ତୁମପରି ଚେହେରାର ଇକ୍ୟୁବାଲଙ୍କୁ ବାଚିବାକୁ ବାଧ୍ୟ ହୋଇଥିଲି । ତୁମ ଭଳି ଲୋକ ଏପରି ଧୋକା ଦେବେ ବୋଲି ମୁଁ କେବେ ଚିନ୍ତା ସୁଦ୍ଧା କରି ନଥିଲି ।’’

 

ମୁଁ ମନେମନେ ନନା ବୋଉଙ୍କୁ ଧନ୍ୟବାଦ ଦେଲି । ମୁଁ ବିଚାରିଲି ମୁଁ ବାହାହୋଇ ନ ଆସିଥିଲେ ଇଏ ମୋ ପିଛାଧରି ମୋର ପ୍ରାଣ ଖାଇଥାଆନ୍ତା । ଏଥିରୁ ଗୋଟେ ଚଣ୍ଡାଳୁଣୀ ଯୋଡ଼ିର ହାତ ଧରିଥିଲେ ମୋ ଜୀବନଘଣ୍ଟାରେ ଏକାବେଳକେ ବାର ବାଜି ଯାଇଥାଆନ୍ତା । ପୁଣି ଏଇଟାକୁ ଧରି ଗାଁକୁ ଯାଇଥିଲେ ମୋ ଅବସ୍ଥା କ’ଣ ହୋଇଥାଆନ୍ତା ! ଏମାନଙ୍କର ପ୍ରେମ ବିବାହଟା ହଷ୍ଟେଲ୍‍ର ରୁମ୍‍ମେଟ୍ ବାଛିବାପରି ଆଜି ଚିଲା ଆଖି ପସନ୍ଦ ତ କାଲି କଳା ଆଖି ପସନ୍ଦ । ଧନ୍ୟ ଏମାନେ ! ମୁଁ ମନରଭାବ ମନରେ ଚାପି ରଖି ତାକୁ କହିଲି ‘‘ତୁମେ ଏପରି ଠାଆକୁ ଠାଆ ହେଉଛ କାହିଁକି ? ଗଡ଼ିବା ବାଲିଗରଡ଼ାରେ କ’ଣ ଶିଉଳି ଲାଗିପାରେ ? ତୁମର ଯଦି ବିବାହ କରିବାକୁ ଏତେ ଇଚ୍ଛା ତେବେ ମନ ସ୍ଥିରକରି ଧୈର୍ଯ୍ୟ ଧରୁନାହଁ କାହିଁକି ? ଏରିକ୍ ସଙ୍ଗେ ତ ତୁମ ବନ୍ଧୁତା ଏତେଦୂର ଆଗେଇ ଥିଲା । ତା’ ପରି ବା ଭଲ ପ୍ରକୃତିର ପିଲାଟାଏ କ’ଣ ସହଜରେ ମିଳେ ? ସେ ଅଧିକା ପାଠ ପଢ଼ିବ ବୋଲି ନିଉୟର୍କ ଗଲା । ବିବାହରେ ହୁଏତ ଆଉ ଟିକିଏ ଡେରି ହୋଇ ଥାଆନ୍ତା । ଜଣା ପୋଖରୀ ଅଜଣା ପୋଖରୀ ଠାରୁ ଭଲ । ତୁମେ ଟିକିଏ ଧୈର୍ଯ୍ୟ ନ ଧରି ଏତେ ଦିନର ଜଣା ପୋଖରୀକୁ ଛାଡ଼ି ଅଜଣା ପୋଖରୀରେ ବୁଡ଼ ପକାଇବାକୁ ବାହାରିଲ କାହିଁକି ? ଯଦି ତୁମ ଭିତରେ ବିଶେଷ ମନୋମାଳିନ୍ୟ ହୋଇ ତୁମର ବନ୍ଧୁତା ଭାଙ୍ଗି ଯାଇ ନ ଥାଏ, ତେବେ ତୁମେ ଶୀଘ୍ର ପୁରୁଣା ବନ୍ଧୁତାକୁ ସଜାଡ଼ି ନେବାର ବ୍ୟବସ୍ଥା କର ।

 

ମୋ ଠାରୁ ନୀତିବାକ୍ୟ ଶୁଣିବା ପରେ ‘ଗ୍ରେ’ ନିଉୟର୍କ ଚାଲିଗଲା । ସେଠାରୁ ତା’ର ଏରିକ୍ ସଙ୍ଗେ ବିବାହର ନିମନ୍ତ୍ରଣ ପତ୍ର ପାଇଲି । ଅଳ୍ପ କେତେ ମାସପରେ ଗ୍ରେ ଗୋଟିଏ ସନ୍ତାନ ଲାଭ କରିଥିବାର ସମ୍ୱାଦ ମଧ୍ୟ ଶୁଣିଲି । ମୁଁ ନିଉୟର୍କ ବାଟେ ଦେଶକୁ ଫେରିଲାବେଳେ ଗ୍ରେ ଓ ଏରିକ୍ ମୋତେ ଷ୍ଟେସନ୍‍ରେ ଆସି ଦେଖାକଲେ । ଗ୍ରେ ମୋତେ କୃତଜ୍ଞତା ଜଣାଇଲା ଓ ତାଙ୍କର ସନ୍ତାନକୁ ଦେଖାଇବାକୁ ସେମାନେ ମୋତେ ତାଙ୍କ ଘରକୁ ଡାକିନେଇ ଭୂରିଭୋଜନରେ ଆପ୍ୟାୟିତ କଲେ ।

 

ବିବାହ ନିଶା

 

ଇଏତ ହେଲା ଯୁବକ ଯୁବତୀଙ୍କ ଦଶା, ପ୍ରୌଢ଼ ଓ ବୃଦ୍ଧଙ୍କ ବିବାହ ନିଶା ମଧ୍ୟ କମ୍ ନୁହେଁ-। ସେମାନେ ଏକୁଟିଆ ଜୀବନରୁ ରକ୍ଷା ପାଇବାକୁ ଯେତେଥର ଯୋଡ଼ି ଭାଙ୍ଗିଲେ ମଧ୍ୟ ପୁଣି ଯୋଡ଼ି ହେବାକୁ ଚେଷ୍ଟା କରନ୍ତି ।

 

ଆମ ହସ୍‍ପିଟାଲ ଫୋନ୍ ଏକସ୍‍ଚେଞ୍ଜ୍‍ରେ ଗୋଟିଏ ଦରବୁଢ଼ୀ କାମ କରୁଥାଏ । ଆମକୁ କର୍ତ୍ତୃପକ୍ଷ କି ବନ୍ଧୁ ଖୋଜିଲେ ପ୍ରଥମେ ସେମାନେ ହସ୍‍ପିଟାଲର ଫୋନ୍‍ବାଲାଙ୍କୁ ଜଣାନ୍ତି । ଆମର ପ୍ରତ୍ୟେକର ଗୋଟିଏ ନମ୍ୱର ଥାଏ । ଫୋନ୍‍ବାଲା ସେ ନମ୍ୱର ଟିପଲେ ହସ୍‍ପିଟାଲର ନାନା ସ୍ଥାନରେ ଖଞ୍ଜା ଯାଇଥିବା କାଚରପରଦା ଉପରେ ସେ ନମ୍ୱରଟି ଜକ୍‍ ହୋଇ ଦିଶେ । ଡକାଡ଼କିଦ୍ୱାର ଶବ୍ଦକରି ରୋଗୀମାନଙ୍କର ଶାନ୍ତିଭଙ୍ଗ ନ କରିବାକୁ ଏ ବ୍ୟବସ୍ଥା ଥାଏ । ଡକା ହେଉଥିବା ଲୋକ ସେ ନମ୍ୱରଟି ଦେଖି ନ ପାରିଲେ ଫୋନ୍‍ବାଲା ବାଧ୍ୟ ହୋଇ ସେଇସବୁ ସ୍ଥାନରେ ଖଞ୍ଜା ହୋଇଥିବା ଲାଉଡ଼୍‍ସ୍ପିକର୍ ବା ଡାକବାଜି ଯନ୍ତ୍ରରୁ ନାମ ଘୋଷଣା କରନ୍ତି । ନମ୍ୱର ଦେଖିବା ନାଁ ଶୁଣିବା ସଙ୍ଗେ ସଙ୍ଗେ ଆମେ ନିକଟରରେ ଥିବା ଯେକୌଣସି ଫୋନ୍‍ରୁ ଫୋନ୍‍ବାଲାଙ୍କ ସଙ୍ଗେ ଯୋଗାଯୋଗ ପ୍ରତିଷ୍ଠା କରୁ । ଫୋନ୍‍ବାଲା ଆମକୁ ଖୋଜୁଥିବା ବ୍ୟକ୍ତିର ଫୋନ୍ ସଙ୍ଗେ ଆମ ଫୋନ୍ ଲଗାଇ ଦିଏ । ଏଭଳି ଫୋନ୍‍ବାଲାଙ୍କ ସଙ୍ଗେ ସବୁବେଳେ ସମ୍ପର୍କ ରହିବାର ମୋର ସେ ଅଧା ବୁଢ଼ୀଟି ସଙ୍ଗେ ଖୁବ୍ ଚିହ୍ନାପରିଚୟ ହୋଇ ଯାଇଥାଏ । ମୁଁ ତାକୁ ସ୍ନେହରେ ‘ମମି’ ବୋଲି ଡାକେ ।

 

ଦିନେ ସେହି ମୋଟି ‘ମମି’ ମୋତେ ଡକାଇ ପଠାଇଲା । ମୁଁ ତା’ ପାଖରେ ପହଞ୍ଚିବାରୁ ‘‘ଆଜି ଗୋଟାଏ ସୁସମ୍ୱାଦ ତୁମକୁ ଜଣାଇବି ବୋଲି ଅପେକ୍ଷା କରି ବସିଛି’’ କହି ହସି ହସି ଗଡ଼ିଗଲା । ସେ କହିଲା ‘‘ମୁଁ ବାହା ହେଉଛି, ମୋର ବାହାଘର ପଅର ଦିନ ‘ଚର୍ଚ୍ଚ ଅଫ୍ ଗଡ଼ସ୍’ ଗିର୍ଜାରେ ଅନୁଷ୍ଠିତ ହେବ । ଆଶାକରେ ତୁମେ ନିଶ୍ଚୟ ଯାଇ ଏ ମଙ୍ଗଳ କାର୍ଯ୍ୟରେ ଯୋଗଦେବ ।’’ ମୁଁ ନିଶ୍ଚୟ ଯିବି ବୋଲି ଉତ୍ତର ଦେଲି ।

 

ପରଦିନ ଗୋଟିଏ ଛପା ନିମନ୍ତ୍ରଣ ପତ୍ର ମଧ୍ୟ ମୋ ପାଖରେ ଆସି ପହଞ୍ଚିଲା । ସେ ଦେଶର ବାହାଘର ଦିନ ଆମ ଦେଶ ପରି ଭୋଜିଭାତର କିଛି ବ୍ୟବସ୍ଥା ନ ଥାଏ । ଚର୍ଚ୍ଚରେ ନେଇ ଗୋଟିଏ ଉପହାର ଦେବାର କଥା । ଦରବୁଢ଼ୀର ବାହାଘରରେ କି ଉପହାର ଦେବି ଠିକ୍ କରି ନ ପାରି ଗାଲେଇ କରି ରହିଗଲି ।

 

ଦୁଇ ଚାରି ଦିନ ପରେ ‘ମମି’ ପୁଣି ମୋତେ ଡକାଇଲା । ମୁଁ କି, କି ମିଛ ବାହାନାର ଆଶ୍ରୟ ନେଇ ମୋର ଏତେ ବଡ଼ ଦୋଷପାଇଁ କ୍ଷମା ମାଗିବି, ସେ କଥା ଭାବି ଭାବି ମୁଁ ତା’ର ନିକଟକୁ ଚାଲିଲି । ମହାପୁରୁଷମାନେ ମିଛ ନ କହିବାକୁ ଯେତେ ଉପଦେଶ ଦେଇଥିଲେ ମଧ୍ୟ ଏପରି ସ୍ଥଳରେ ଅପ୍ରିୟ ସତ୍ୟ କହିବା କଠିନ ବ୍ୟାପାର । ତେଣୁ ଏହିପରି ସମସ୍ୟାର ସମାଧାନ ପାଇଁ ସବୁ ସମାଜରେ ମିଥ୍ୟାର ମଧ୍ୟ ପ୍ରୟୋଜନୀୟତା ରହିଛି ।

 

ମୋତେ ଦେଖିବାକ୍ଷଣି, ମୁଁ କିଛି କହିବା ପୂର୍ବରୁ ‘‘ତୁ ମୋର ବିବାହ ଉତ୍ସବରେ ଯୋଗ ନ ଦେଇ ମୋତେ ନିରାଶ କଲୁ’’ କହି ପାଖରେ ଠିଆ ହୋଇଥିବା ଜଣେ ଅଧା ବୟସିଆ ଭଦ୍ରବ୍ୟକ୍ତିଙ୍କୁ ଦେଖାଇ ତା’ର ନବ ବିବାହିତ ପତି ବୋଲି ପରିଚୟ କରାଇ ଦେଲା ।

 

ଅନ୍ୟ ଦିଗରୁ ଗୋଟିଏ ବାର ଚଉଦବର୍ଷର ବାଳକ ଆମ ଆଡ଼କୁ ଆସିବାରେ ନବଦମ୍ପତ୍ତି ତାକୁ ଉଦ୍ଦେଶ୍ୟକରି ‘‘ଆମ ପୁଅ ଚାର୍ଲିକୁ ଭେଟନ୍ତୁ’’ ବୋଲି କହିଲେ । ମୁଁ ସେଥିରେ ଅବାକ ହୋଇ ‘ମମି’ ଆଡ଼କୁ ଚାହିଁ ତୁମରି ପୁଅ ତ ବୋଲି ପ୍ରଶ୍ନ କରିବାରେ ସେ ହସି ହସି କହିଲା ‘‘ମୁଁ ତୁମ ପ୍ରଶ୍ନଟି ବୁଝି ପାରୁଛି ସେ କେବଳ ମୋର ପୁଅ ନୁହେଁ ଆମ ଦୁହିଁଙ୍କର ପୁଅ ।’’

 

ବିଭାଘର ଦୁଇ ଚାରି ଦିନ ନ ଯାଉଣୁ ପୁଅର ବୟସ କିପରି ବାର ଚଉଦ ହେବ ? ଏ କଥା ଭାବି ମୁଁ ମନେମନେ ଗୋଲକଧନ୍ଦାରେ ପଡ଼ିଲି । ବୁଢ଼ୀ ମୋତେ ଚାହିଁ କହିଲା ‘‘ତୁମେ ବିଦେଶୀଲୋକ, ଏଠାର ଚାଲିଚଳନ ସହିତ ପରିଚିତ ନୁହ । ତୁମ ଦେଶରେ ପରା ଛାଡ଼ପତ୍ରର ବେଶୀ ପ୍ରଚଳନ ନାହିଁ । ଆମର ଏଠି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଅଳ୍ପ ଟିକିଏ ମନୋମାଳିନ୍ୟ ହେଲେ ଦୁହେଁ ଦୁହିଁକୁ ଛାଡ଼ପତ୍ର ଦେଇ ଦିଅନ୍ତି । ତେଣୁ ଏ ଦେଶରେ ଏହା କିଛି ଆଶ୍ଚର୍ଯ୍ୟ ଘଟଣା ନୁହେଁ । ଏ ପିଲାଟି ଆମ ଦ୍ୱିତୀୟଥର ବିବାହବେଳେ ଜନ୍ମ ହୋଇଥିଲା । ଏଥରକୁ ମିଶାଇ ଆମେ ଦୁହେଁ ତିନି ଥର ବାହା ହେଲୁଣି ।

 

ମୁଁ ମନେମନେ ବିଚାରିଲି ଧନ୍ୟ ଏମାନେ । ଏ ଦୁହିଁଙ୍କର ଏପରି ବିଭାଘର ଓ ଛାଡ଼ପତ୍ର ଭିତରେ ପ୍ରତ୍ୟେକର ଅନ୍ୟ ଅନ୍ୟ ସ୍ଥାନରେବି ଆଉ ଆଉ ବିଭାଘର ଓ ଛାଡ଼ପତ୍ର ସବୁ ହୋଇ ଯାଇଥିବ । ଏ ବିବାହର ବନ୍ଧନଟା ଧର୍ମ ଦଉଡ଼ିରେ ନ ହୋଇ ବୁଢ଼ିଆଣୀ ସୂତାରେ ହୋଇଥାଏ । ମୁଁ ବାପ, ପୁଅ ଓ ମା’ଙ୍କ ସହିତ କରମର୍ଦ୍ଦନ କରି ସେଠାରୁ ବିଦାୟ ନେଲି ।

 

ଆଈ ବାହାଘର

 

ଆଗରୁ କୁହାଯାଇଛି ପିଲାମାନେ ବଡ଼ ହୋଇଗଲେ ଘରୁ ବାହାରି ଯାଇ ଅନ୍ୟତ୍ର ରହନ୍ତି-। ବୁଢ଼ାବୁଢ଼ୀ ଘରେ ଏକା ପଡ଼ି ରହନ୍ତି । ବୁଢ଼ା ମରିଗଲେ କି ଚାଲିଗଲେ ବିଚରା ବୁଢ଼ୀଟି ପୁଅ ବୋହୂଙ୍କ ପାଖକୁ ଯିବା ଅପେକ୍ଷା ଝିଅ ଜୋଇଁଙ୍କ ପାଖରେ ଯାଇ ରହିବାକୁ ପସନ୍ଦ କରେ-। ମୋର ଜଣେ ସହପାଠୀ ବନ୍ଧୁଙ୍କର ଅଜାଙ୍କର କାଳ ହେବାରୁ ଆଈଟି ଆସି ତା’ର ବାପାଙ୍କ ପାଖରେ ରହୁଥିଲା । ମୋର ବନ୍ଧୁ ତାଙ୍କ ବାପା, ମା’ଙ୍କୁ ଦେଖିବାକୁ ଗଲାବେଳେ ଛୁଟି ସମୟରେ ଥରେ ଥରେ ମୋତେ ସାଙ୍ଗରେ ନେଇ ଯାଆନ୍ତି । ଆଈର ବୟସ ସତୁରିରୁ ବେଶୀ, ଅତି ସ୍ନେହୀ ଲୋକ-। ମୋତେବି ବହୁତ ଆଦର କରେ । ଘରର ସାମନାରେ ଥିବା ଗୋଟିଏ ଦୋଳି ଚୌକିରେ ଅଧିକାଂଶ ସମୟ ବସିଥାଏ ।

 

ଆଉଥରେ ସେଠାକୁ ଯାଇ ଆଈର ଦୋଳି ଚଉକିଟି ଖାଲି ପଡ଼ିଥିବାର ଦେଖି ଆଈ କୁଆଡ଼େ ଗଲା ବୋଲି ପଚାରିବାରେ, ବନ୍ଧୁଟି ହସିକରି କହିଲା ‘‘ଆଈଟି ପୁଣି ହଠାତ୍ ପ୍ରେମିକଟିଏ ପାଇ ବାହାହୋଇ ଚାଲିଗଲା’’, ଆଈକୁ ନୂଆବୋହୂ ଭାବରେ ଦେଖିବାକୁ ମୋର ମନ ବଳିବାରୁ ଆମେ ଆଈର ନୂଆ ଘରର ଠିକଣା ସଂଗ୍ରହ କରି ତାକୁ ଦେଖିବାକୁ ଗଲୁ ।

 

ଆଈ ତା’ର ଅତି-ବୃଦ୍ଧ ସ୍ୱାମୀଟିକୁ ଡାକି ମୋତେ ଚିହ୍ନାଇ ଦେଲା । ବୃଦ୍ଧଙ୍କ ବୟସ ଅଶୀରୁ ବେଶୀ । ସେମାନେ ସେଇ ଛୋଟ ଘରଟି ନେଇ ଦୁହେଁ ଦୁହିଁକୁ ରୋଷେଇବାସରେ ସାହାଯ୍ୟ କରି ଚଳୁଥାଆନ୍ତି । କଥାପ୍ରସଙ୍ଗରେ ଆଈ କହିଲା, ‘‘ବାପା, ଦୁନିଆର ହାଲ୍ ଦେଖୁଛ, ମୁଁ ଆଉ କେତେଦିନ ଗଳଗ୍ରହ ହୋଇ ଝିଅ ଜୋଇଁଙ୍କ ପାଖରେ ପଡ଼ି ରହନ୍ତି । ମୁଁ ରହିବାଦ୍ୱାରା ସୋମନଙ୍କର ଚଳାଚଳର ସ୍ୱାଧୀନତାରେ ମଧ୍ୟ ବାଧା ପଡ଼ୁଥିଲା । ମୁଁ ସାଥୀ ଖୋଜୁ ଖୋଜୁ ଏହି ‘ଓଲ୍ଡ଼ବଏ’ ବୃଦ୍ଧ-ବାଳକଙ୍କ ସହିତ ମୋର ସୁଯୋଗକୁ ସାକ୍ଷାତ ହେଲା । ସେ ମଧ୍ୟ ସେହିପରି ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ତେଣୁ ଦୁହେଁ ବାହା ହୋଇପଡ଼ି ଏକାଠି ଜୀବନଯାପନ କରିବାକୁ ସ୍ଥିର କଲୁ । ଭଗବାନଙ୍କ ଦୟାରୁ ଆମ ଦୁହିଁଙ୍କର ମନ ବେଶ୍ ମିଳୁଛି । ଆମେ ଖୁବ୍ ଭଲଅଛୁ ।’’ ମୁଁ ମନେମନେ ଭାବିଲି, ଭଗବାନ ଏ ନବଦମ୍ପତ୍ତିଙ୍କୁ ଆଉ ଦୁଇ ଚାରିମାସ ଆୟୁଷ ଦିଅନ୍ତୁ ।

 

ବିବାହ ପରମ୍ପରା

 

ପ୍ରଥମେ, ପ୍ରଥମେ ଯେଉଁ ଭାରତୀୟମାନେ ଆମେରିକା ଯାଉଥିଲେ, ସେମାନେ ସେ ପ୍ରେମପ୍ରବାହରେ ଭାସିଯାଇ ସେଇଠି ବିବାହ କରି ପକାଉଥିଲେ । ଅନେକ ସେଠାରେ ରହି ଯାଉଥିଲେ । ଯେଉଁମାନେ ବିଦେଶୀସଙ୍ଗିନୀ ଘେନି ଦେଶକୁ ଲେଉଟୁ ଥିଲେ ସେମାନେ ବଡ଼ ହଇରାଣ ହେଉଥିଲେ । ସେମାନଙ୍କ ସ୍ତ୍ରୀମାନେ ଏକା ହେଉ ବା ସ୍ୱାମୀକୁ ଧରି ହେଉ ପୁଣି ନିଜ ଦେଶକୁ ଫେରି ଯାଉଥିଲେ । ମୋର ବନ୍ଧୁ ‘ଗାନ୍ଧୀ ବର୍ମନ’ ସେହିଠାରେ ଜଣେ ବାଳିକାକୁ ବିବାହକରି ସେ ଦେଶର ବାସିନ୍ଦାହୋଇ ମହାସୁଖରେ କାଳଯାପନ କରୁଅଛନ୍ତି । ସେ ତାଙ୍କ ସହଧର୍ମିଣୀ ଓ ପିଲାଙ୍କୁ ଧରି କେତେଥର ଏ ଦେଶକୁ ଯିବାଆସିବା କଲେଣି । ତାଙ୍କ ବିବାହବେଳେ ସେ ମୋତେ କହିଥିଲେ ‘‘ରୋମ୍‍କୁ ଆସିଲେ ରୋମାନ୍ ପରି ଚଳିବା ଉଚିତ, ବା ଯେ ଦେଶ ଯାଇ ସେ ଫଳ ଖାଇ । ଆମେରିକାରେ ରହି ଦେଶରୁ ଗୋଟାଏ ସିଂଘାଣି ନାକି ନାକକାନ୍ଦୁଣୀ ଓଡ଼ିଆ ଝିଅ ଆଣି ଏଠାରେ ହନ୍ତସନ୍ତ ହେବା ଉଚିତ ନୁହେଁ ଭାବି, ସେ ଯାଉ ଯାଉ ସେଠାରେ ଗୋଟିଏ ବାଳିକାକୁ ବାଛି ବିବାହ କରି ପକାଇଥିଲେ ।’’

 

ଆଉ କେତେକ ବନ୍ଧୁ ସେଠାରେ ବିବାହକରି ସେଠାର ଆବହାୱା ସହିତ ଖାପ ଖୁଆଇ ନ ପାରି କେତେଥର ଛାଡ଼ପତ୍ରର ସମ୍ମୁଖୀନ ହେଲେଣି ।

 

ଆମର ପ୍ରକୃତି, ଆମର ପାରିପାର୍ଶ୍ୱିକ ପରମ୍ପରା ଓ ଅଭ୍ୟାସ ଉପରେ ଗଢ଼ି ଉଠିଛି । ସେ ଅନୁସାରେ ସ୍ୱାମୀ ଓ ସ୍ତ୍ରୀ ଧର୍ମକୁ ସାକ୍ଷୀ ରଖି ପରସ୍ପର ନିଜସଙ୍ଗେ ନିଜକୁ ଖାପଖୁଆଇ ଚଳାଇବା ପାଇଁ କଥାଦେଇ ବିବାହ କରିଛନ୍ତି । ସମସ୍ତ ସୁବିଧା ଅସୁବିଧା ସତ୍ତ୍ୱେ ସ୍ୱାମୀ ସ୍ତ୍ରୀ ଅଲଗାହେବା ଅଧିକାଂଶ ଦମ୍ପତ୍ତି ସ୍ୱପ୍ନରେ ସୁଧା ବିଚାରନ୍ତି ନାହିଁ ।

 

ସ୍ତ୍ରୀ ସାବିତ୍ରୀ ଅମାବାସ୍ୟା ଉପବାସ କରି ସ୍ୱାମୀକୁ ଯମଠାରୁ ଛଡ଼ାଇ ଆଣିପାରିବା ପରମ୍ପରାରେ ନିଜକୁ ଉଦ୍‍ବୃଦ୍ଧ କରେ । ବାଳିକାଟିଏ ମଧ୍ୟ ପିଲାଦିନୁ ବୁଢ଼ୀ ହେବାପର୍ଯ୍ୟନ୍ତ ତା’ର ପୂର୍ବଜନ୍ମର ସ୍ୱାମୀକୁ ପାଇ ତାକୁ ଜନ୍ମ ଜନ୍ମ ଧରି କିପରି ପାଉଥିବ ସେଥିପାଇଁ ନିର୍ଜଳ ବାଲିତୃତୀୟା ଉପବାସ ପ୍ରତିବର୍ଷ ପାଳନ କରେ ।

 

ସ୍ୱାମୀ ବାହାର ସଂସାରର ଜଞ୍ଜାଳରେ ଅଣନିଃଶ୍ୱାସୀ ହୋଇ କ୍ଷୁବ୍ଧ ଭାବରେ ଘରକୁ ଫେରି ନିଜର ମୁଣ୍ଡର ଭାରକୁ ହାଲୁକା କରିବାପାଇଁ ପାଟିତୁଣ୍ଡ କଲେ, ସ୍ତ୍ରୀ ସେସବୁ ଧୀର ଚିତ୍ତରେ ସମ୍ଭାଳିନେଇ ସ୍ୱାମୀର ସେବାକରି ତାକୁ ସାନ୍ତ୍ୱନା ଦିଏ ।

 

ସ୍ୱାମୀ ମଧ୍ୟ ସ୍ତ୍ରୀକୁ ଛାଡ଼ି ରହି ପାରିବାର ସ୍ୱପ୍ନସୁଧା ନ ଦେଖି, ସ୍ତ୍ରୀ ଯେତେ ଅବୁଝାମଣା, ବା ଜିଦ୍‍ଖୋର ହେଲେବି ତା’ ସଙ୍ଗେ ନିଜକୁ ଖାପଖୁଆଇ ଚଳେ । କୁଟୁମ୍ୱ ପୋଷିବା ଓ ସହଧର୍ମିଣୀଙ୍କ ଆଶା ପୂରଣ ଓ ମାନଭଞ୍ଜନ ତା’ ଜୀବନର ପ୍ରଧାନ କାର୍ଯ୍ୟ ହୁଏ ।

 

ସ୍ତ୍ରୀ ଠାରୁ ଆତ୍ମତ୍ୟାଗ ଓ ସେବା ଆଶା କରିବା ସେ ଦେଶରେ ଅସମ୍ଭବ, ତେଣୁ ଆଜିକାଲିକାର ଭାରତୀୟ ଯୁବକମାନେ ଦେଶକୁ ଆସି ବାପ ମା’ ବାଛିଥିବା କନ୍ୟାକୁ ବିବାହକରି ସାଙ୍ଗରେ ନେଇ ଆମେରିକାରେ ବସବାସ କରି ରହୁଛନ୍ତି । ଏ ଦେଶରୁ ଯାଇଥିବା ସ୍ତ୍ରୀମାନେବି କାନ୍ଦକୁନ୍ଦ, ନ କରି ସେଠାରେ ସୁଖରେ ଜୀବନଯାପନ କରୁଛନ୍ତି ।

 

ବରଖୋଜା

 

ୟୁରୋପରେ ରାଜିରୁଜା ବିଭାଘର ପ୍ରଥା ଥିଲେ ମଧ୍ୟ ସେ ପ୍ରଥା ଆମେରିକା ଦେଶପରି ଏତେ ଲଗାମଛଡ଼ା ନୁହେଁ । ବାପ, ମା’ମାନେ ଯୁବକ ଯୁବତୀଙ୍କୁ ମିଳାମିଶା କରିବାକୁ ପ୍ରଶ୍ରୟ ଦିଅନ୍ତି କିନ୍ତୁ ପିଲାମାନଙ୍କ କାର୍ଯ୍ୟକଳାପ ଉପରେ ସବୁବେଳେ ସେମାନଙ୍କ ସତର୍କ ଦୃଷ୍ଟିଥାଏ । ବାପ ମା’ ବିବାହ ଦାୟିତ୍ୱ ପିଲାଙ୍କ ଉପରେ ପୂରାପୂରି ଛାଡ଼ିଦେଇ ନିଶ୍ଚିନ୍ତ ରହନ୍ତି ନାହିଁ । ବଛାବଛିପରେ ପିଲାମାନେ ବାପା ମା’ଙ୍କର ସମ୍ମତି ନେଇ ବିବାହ ହୁଅନ୍ତି ।

 

ଖ୍ରୀଷ୍ଟିଆନ ଧର୍ମର କ୍ୟାଥଲିକ୍‍ମାନଙ୍କ ଭିତରେ ଛାଡ଼ପତ୍ର ପ୍ରଥା ମନାଥିବାରୁ ସବୁ ଦେଶର, ଏପରି କି ଆମେରିକାର କ୍ୟାଥଲିକ୍‍ମାନେ ମଧ୍ୟ ତାଙ୍କ ପିଲାଙ୍କ ବିବାହ ବିଷୟରେ ସତର୍କ ଥାଆନ୍ତି ଓ ପିଲାମାନଙ୍କ ମିଳାମିଶା ବିଷୟରେ ଆଖି ରଖି ଥାଆନ୍ତି ।

 

ଲେଉଟାଣିବେଳେ ହଲାଣ୍ଡର ରଟରଡ଼୍ୟାମ୍‍ଠାରେ ନରଉଏରୁ ଆସୁଥିବା ଗୋଟିଏ ଜାହାଜଧରି ଦେଶକୁ ଫେରିଲି । ସେଥିରେ ନରଉଏ ଦେଶର ଦୁଇଟି ବାଳିକା ପର୍ତ୍ତୁଗାଲ ଅଭିମୁଖେ ଯାତ୍ରା କରୁଥିଲେ । ସେ ‘ବରଖାଜା’ ଉଦ୍ଦେଶ୍ୟରେ ଯାତ୍ରା କରୁଥିଲେ । ଦୁଇଜଣଯାକଙ୍କର ବୟସ ୨୦, ୨୧ ଭିତରେ ।

 

ସେମାନଙ୍କ ମଧ୍ୟରୁ ଜଣେ ଗତବର୍ଷ ଗୋଟିଏ ପର୍ତ୍ତୁଗାଲବାସୀ ଯୁବକଙ୍କୁ ବିଲାତରେ ଭେଟିଥିଲେ । ସେ ଯୁବକ ଜଣଙ୍କ ତାଙ୍କ ସଙ୍ଗେ ନରଉଏ ଯାଇ ସେ ଯୁବତୀଙ୍କ ଘରେ ପ୍ରାୟ ଦେଢ଼ମାସ କଟାଇଥିଲେ । ସେହି ଯୁବକଙ୍କୁ ଭେଟିବାପାଇଁ ଯୁବତୀଟି ପର୍ତ୍ତୁଗାଲ ଯାଉଥିଲେ ।

 

ସେ ସବୁ ଦେଶରେ ଯୁବକ ଯୁବତୀମାନେ ଅନ୍ୟମାନଙ୍କ ସମକ୍ଷରେ ମିଶାମିଶି କରନ୍ତି । ବିବାହ ପୂର୍ବରୁ ସେମାନଙ୍କୁ ନିରୋଳାରେ ଅବାଧ ମିଳାମିଶାର ସୁଯୋଗ ଦିଆଯାଏ ନାହିଁ । ସେ ଯୁବତୀଙ୍କ ପିତାମାତା ତାଙ୍କର ଉପରୋକ୍ତ ଯୁବକ ସଙ୍ଗେ ଏକୁଟିଆ ଅବାଧ ମିଳାମିଶାରେ ବାଧା ଦେବାପାଇଁ ଅନ୍ୟ ଯୁବତୀଟିକୁ ତାଙ୍କ ସଙ୍ଗେ ପଠାଇ ଥାଆନ୍ତି ।

 

ଅନ୍ୟ ଯୁବତୀଙ୍କର ମଧ୍ୟ ଜଣେ ପର୍ତ୍ତୁଗାଲବାସୀଙ୍କୁ ବିବାହ କରିବାର ସମ୍ୱନ୍ଧ ଆସିଥିଲା କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଯୁବକ ଅନ୍ୟ ଗୋଟିଏ କନ୍ୟା ବାଛି ବିବାହ କରିପକାଇଥିବା ଖବର ସେ ଠିକ୍ ଯାତ୍ରା ପୂର୍ବରୁ ପାଇ ମର୍ମାହତ ହୋଇଥିଲେ । ଯାତ୍ରାର ସମସ୍ତ ଯୋଗାଡ଼ ସରିଥିବାରୁ ସେ ସେଠାରେ ଅନ୍ୟ ଯୁବକର ସନ୍ଧାନ ଆଶାରେ ତାଙ୍କ ସଙ୍ଗିନୀଙ୍କ ସଙ୍ଗେ ବାହାରି ଆସିଲେ ।

 

ପର୍ତ୍ତୁଗାଲ ଗୋଟିଏ ପୁରୁଣାକାଳିଆ ରକ୍ଷଣଶୀଳ ଦେଶ । ସେଠାରେ ସ୍ତ୍ରୀମାନଙ୍କର ସ୍ୱାଧୀନତା କି ଭୋଟ କ୍ଷମତା ଏପର୍ଯ୍ୟନ୍ତ ଜାରି ହୋଇନାହିଁ । ଭେଟିବାକୁ ଯାଉଥିବା ଯୁବକଙ୍କର ପିତାମାତାଙ୍କ ମତାମତ ଉପରେ ବିବାହ ନିର୍ଭର କରୁଥିବାରୁ ସେମାନେ ସେ ଯୁବତୀଙ୍କୁ କିପରି ଚକ୍ଷୁରେ ଦେଖିବେ, କି ବ୍ୟବହାର କରିବେ, ତାଙ୍କର ଚାଲିଚଳନ ପସନ୍ଦ କରିବେ କି ନାହିଁ ସେ ସବୁ ଭାବି ସେ ବଡ଼ ଚିନ୍ତିତ ଥିଲା ପରି ଜଣାଯାଉଥିଲେ ।

 

ବାସ୍ତବିକ କୋମଳମତି ବାଳିକାମାନଙ୍କ ପକ୍ଷରେ ଏପରି ବର ଗୋଟାଇବା କାର୍ଯ୍ୟ ବଡ଼ କଷ୍ଟକର ବ୍ୟାପାର । କେବଳ ବିବାହଟିଏ କରିବାପାଇଁ ସ୍ତ୍ରୀ ସ୍ୱାଧୀନତା ପ୍ରଚଳିତ ଥିବା ଗୋଟିଏ ଦେଶର ବାଳିକା ସମସ୍ତ ପ୍ରକାର ସ୍ତ୍ରୀ ସ୍ୱାଧୀନତାକୁ ବଳି ଦେବାପାଇଁ ପ୍ରସ୍ତୁତ ହେବା କମ୍ ଆଶ୍ଚର୍ଯ୍ୟର କଥା ନୁହେଁ । ସ୍ପେନ, ପର୍ତ୍ତୁଗାଲ, ଇଟାଲି ପରି କ୍ୟାଥଲିକ୍‍ଧର୍ମ ପ୍ରଚଳିତ ଦେଶମାନଙ୍କରେ ଛାଡ଼ପତ୍ର ପ୍ରଥା ନାହିଁ ତେଣୁ ସ୍ତ୍ରୀ ଭେଟ, ଛାଡ଼ପତ୍ର ପ୍ରଭୃତି ସମସ୍ତ ସୁବିଧା ଛାଡ଼ିବାକୁ ସେ ନିଜକୁ ପ୍ରସ୍ତୁତ କରୁଥିଲେ ।

 

ବାପମାଙ୍କ କଟକଣା ଓ ଏସବୁ କାରଣରୁ ସେସବୁ ଦେଶର ଅନେକ ଝିଅ ବିବାହ ନକରି ଚର୍ଚ୍ଚର ସେବାକାରୀ ସଂସ୍ଥାରେ ଯୋଗଦେଇ ଆଜୀବନ ‘ନନ’ ବା ମାତା ହୋଇ ମୁଣ୍ଡବାଳ ଚାଞ୍ଚି ପୃଥିବୀର ବିଭିନ୍ନ ଦେଶରେ ଖ୍ରୀଷ୍ଟିଆନ ସଂସ୍ଥାମାନଙ୍କରେ ଯୋଗଦେଇ ସାରା ଜୀବନ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି । ବ୍ରିଟିଶ ଅମଳରେ ଆମ ଦେଶର ହସ୍‍ପିଟାଲମାନଙ୍କରେ ସେମାନେ ନର୍ସ ବା ସେବାକାରିଣୀ କାମ କରୁଥିଲେ । ଏବେବି କନଭେଣ୍ଟ ସ୍କୁଲ୍‍ମାନଙ୍କରେ ଓ ଗିର୍ଜାର ବିଭିନ୍ନ ସେବାସଂସ୍ଥାରେ ସେମାନଙ୍କୁ ଦେଖିବାକୁ ମିଳେ ।

 

ଯୁଗଯୁଗ ଧରି ବହୁ ପରୀକ୍ଷା ପରେ ଆମ ଦେଶରେ ବିବାହ ପ୍ରଥା ଗଢ଼ି ଉଠିଛି । ପ୍ରେମଠାରୁ ଧର୍ମକୁ ବେଶୀ ପ୍ରାଧାନ୍ୟ ଦିଆଯାଇଛି । ପିତାମାତା, ଅବାଧ ମିଳାମିଶାକୁ ପ୍ରଶ୍ରୟ ଦେବା ବା କେବଳ କଟକଣା ଜାରିକରି ଚାହିଁ ବସିବା କାର୍ଯ୍ୟ ନକରି ବିବାହର ସମସ୍ତ ଦାୟିତ୍ୱ ନିଅନ୍ତି । ଅବଶ୍ୟ ଆମର ଏ ପ୍ରଥାରେବି ସମୟ ସମୟରେ ବିଭ୍ରାଟ ସୃଷ୍ଟି ହୁଏ । ସବୁ ପ୍ରଥାରେ ଭଲ ଓ ମନ୍ଦ ଦୁଇକଥାଯାକ ରହିଛି କିନ୍ତୁ କେଉଁଥିରେ ଭଲର ମାତ୍ରା କେତେ ମନ୍ଦର ମାତ୍ରା କେତେ ସେତିକି ମାତ୍ର ବିଚାର କରି କାର୍ଯ୍ୟକରିବା ବିଧେୟ ।

Image

 

ଜ୍ଞାନ ବିଜ୍ଞାନ

ରୋଗନିର୍ଣ୍ଣୟ କାର୍ଯ୍ୟାଳୟ

 

ମୋ ହସ୍‍ପିଟାଲର ୧୬ତାଲା କୋଠାର ଭୂଇଁତଳ ଘରେ, ଶବ ବ୍ୟବଚ୍ଛେଦ କରାଯାଏ-। ସେ ସ୍ଥାନଟି ସବୁବେଳେ ଶୂନଶାନ୍ । ସେଠାରେ ତତ୍ତ୍ୱାବଧାରକ ଭାବରେ ନିଗ୍ରୋ ଚପରାସିଟିଏ ଥାଏ । ସେ ଅତି ବୃଦ୍ଧ । କିଛି ମଦ ପଇଦେଇ ଖଣ୍ଡିଏ ଟୁଲ ଉପରେ ବସି ଢୁଳାଉ ଥାଏ-। କୌଣସି କାମ କରିବାକୁ ବା କିଛି ସାହାଯ୍ୟ କରିବାକୁ, ତାକୁ ଡାକିଲେ ସେ ତା’ ସ୍ଥାନରୁ ଉଠେ ନାହିଁ-। କେବଳ ତା’ର ୩୦ ବର୍ଷ ଚାକିରି ହେଲାଣି ବୋଲି ଲେଖାଥିବା ଗୋଲ ତମ୍ୱାପଟା ସନ୍ତକ ପକେଟରୁ ବାହାରି କରି ଦେଖାଇ ଦିଏ । ତା’ର ଅସ୍ପଷ୍ଟ ନିଗ୍ରୋ ଭାଷା କିଛି ବୁଝି ହୁଏନାହିଁ-। ଆମ ଡାକ୍ତରମାନଙ୍କର ସେଠାରେ ଏକୁଟିଆ ଡିଉଟି ପଡ଼େ ତେଣୁ ସବୁ କାମ ନିଜ ହାତରେ କରିବାକୁ ପଡ଼େ ।

 

ସେ ଦେଶରେ କେବଳ ନୁହେଁ ସବୁ ଦେଶରେ ଡାକ୍ତରୀ ବିଜ୍ଞାନରେ ରୋଗନିର୍ଣ୍ଣୟ ପାଇଁ ଶବ ବ୍ୟବଚ୍ଛେଦକୁ ପ୍ରଧାନ ସ୍ଥାନ ଦିଆଯାଏ । କୌଣସି ରୋଗୀ ମରିଗଲେ ସେ କେଉଁ କାରଣରୁ ମଲା ଓ ଶରୀର କେଉଁ ଅଂଶରେ କି ପରିବର୍ତ୍ତନ କରାଇଥିଲା ସେ ସବୁର ଅନୁସନ୍ଧାନ ପାଇଁ ଅଙ୍ଗପ୍ରତ୍ୟଙ୍ଗର ପ୍ରତ୍ୟେକ ଅଂଶକୁ ତନ୍ନତନ୍ନ କରି ପରୀକ୍ଷା କରାଯାଏ । ସେ ଦେଶରେ ରୋଗପାଇଁ ଲୋକମାନେ କେବଳ ଏଲୋପାଥିକ ଡାକ୍ତରମାନଙ୍କ ଉପରେ ନିର୍ଭର କରୁଥିବାରୁ ଓ ଡାକ୍ତରଖାନାମାନଙ୍କରେ ରହି ଚିକିତ୍ସା ହେଉଥିବାର ସେମାନଙ୍କର ପିଲାଦିନ ଯେ ଯେ ରୋଗ ହୋଇଥାଏ ତା’ର ତଥ୍ୟ ଡାକ୍ତର ଓ ହସ୍‍ପିଟାଲମାନଙ୍କ ପାଖରେ ଥାଏ । ଗୋଟିଏ ଡାକ୍ତରଖାନାରେ ରୋଗୀ ଭର୍ତ୍ତିହେବା ସଙ୍ଗେ ସଙ୍ଗେ ସେଠାକୁ ପୂର୍ବରୁ ସମସ୍ତ ତଥ୍ୟ ଚାଲିଆସେ । ତେଣୁ ଶେଷ ବେଳକୁ ସବୁ ତଥ୍ୟ ଏକାଠି ହୋଇ ରହିଥାଏ । କେହି ମରିଗଲେ ତା’ର ସମସ୍ତ ତଥ୍ୟର ସାରାଂଶ ରୋଗ ନିର୍ଣ୍ଣୟକାରୀ ଡାକ୍ତରଙ୍କୁ ଯୋଗାଇ ଦିଆଯାଏ । ସେମାନେ ସେସବୁ ପଢ଼ିସାରି ଶରୀର ବ୍ୟବଚ୍ଛେଦ କରନ୍ତି ତେଣୁ ଶେଷ ରିପୋର୍ଟରେ ରୋଗମାନଙ୍କର ମୂଳରୁ ଶେଷପର୍ଯ୍ୟନ୍ତ ସମସ୍ତ ତଥ୍ୟ ମିଳି ସେ ସବୁ ରୋଗ ଚିକିତ୍ସାର ସୁବିଧା ହୁଏ ।

 

କୌଣସି ଡାକ୍ତରଖାନାରେ ରୋଗୀଟିଏ ମରିଗଲେ ତା’ର ଶବ ବ୍ୟବଚ୍ଛେଦ ବ୍ୟବସ୍ଥାପାଇଁ ଶବଟି ଗୋଟିଏ ଥଣ୍ଡା କୋଠରୀରେ ରଖାଯାଇ ରୋଗ ନିର୍ଣ୍ଣୟକାରୀ ଡାକ୍ତର ବା ପାଥୋଲିଜିଷ୍ଟଙ୍କୁ ଖବର ଦିଆଯାଏ । ମୋ ଡିଉଟିର ପ୍ରଥମ ଦିନରାତି ଦୁଇଟାବେଳେ ଗୋଟିଏ ଶବ ବ୍ୟବଚ୍ଛେଦ ପାଇଁ ଖବର ପାଇ ମୁଁ ଡାକ୍ତରମାଇନା କୋଠରୀରେ ପହଞ୍ଚିଲି । ନିଜ ହାତରେ ଷ୍ଟ୍ରେଚର୍ ବା ଠେଲାଗାଡ଼ି ଠେଲି ଥଣ୍ଡା କୋଠରୀରୁ ଶବଟିକୁ କଷ୍ଟେମଷ୍ଟେ ଆଣି ଶବ ବ୍ୟବଚ୍ଛେଦ ଟେବୁଲ ଉପରେ ରଖିଲି । ସେଦିନ ନିଗ୍ରୋ ଚପରାସିଟି ମଧ୍ୟ ଡିଉଟିରେ ନଥିଲା ।

 

ପ୍ରାଥମିକ ଆନୁସଙ୍ଗିକ କାର୍ଯ୍ୟ ସବୁ କରିସାରି, ଶବଟି ଦେହରେ ଛୁରି ଦେଇଛି କି ନାହିଁ ହଠାତ୍ ଭୂଇଁତଳେ ଥିବା ସେ ଘରର କଣରୁ ଖଡ଼୍ କରି ଗୋଟାଏ ଶବ୍ଦ ହେଲା ।

 

ଶବ୍ଦ ହେବା ସଙ୍ଗେ ସଙ୍ଗେ କଳା ମୁଣ୍ଡପରି ଗୋଟିଏ ଜିନିଷ ଉପରକୁ ଉଠିବା ଆରମ୍ଭ କଲା । ତା’ ଦେହରୁ ନାଲିଆଖିପରି ଆଲୁଅ ବାହାରୁ ଥିଲା ଓ ଠିକ୍ ତା’ ତଳକୁ ଗୋଲ ନେଳି ହଳଦିଆ ଆଖିଗୁଡ଼ିଏ ଜକଜକ ହୋଇ ଜଳଜଳ ଦିଶିଲା । ମୁଣ୍ଡଟି ଟିକିଏ ବୁଲିଗଲା ସେ ବୁଲିବା ସଙ୍ଗେ ସଙ୍ଗେ ଭୂତର ସହସ୍ର ଆଖିପରି ଗୋଲ ଆଖିଗୁଡ଼ିକ ବିଜୁଳି ଝଲକ ପରି ମୋ ଆଡ଼କୁ ଚାହିଁ ବୁଲିଗଲେ । ପୁଣି କେଁ କରି ଶବ୍ଦ ହେଲା ସେ ସବୁ ତଳକୁ ଖସି ଆସିଲେ ଓ ସବୁ ଶୂନଶାନ୍ ହୋଇଗଲା ।

 

ପାଖରେ ଶବ ଆଗରେ ଭୂତ, ମୁଁ ଅଛି ପାତାଳ ପୁରୀରେ, ପାଖଆଖରେ କେହି ନାହିଁ ମୁଁ ମୁହୂର୍ତ୍ତକ ପାଇଁ ଡରିଯାଇ ଥକ୍ କରି ଠିଆ ହୋଇଗଲି । ମୁଁ ମୋର ଟେବୁଲ ଉପରେ ଝୁଲୁଥିବା ଆଲୁଅଟି ଜାଳି କାମ କରୁଥିଲି । ଆଲୁଅଟି କେବଳ ଟେବୁଲ ଉପରେ ପଡ଼ୁଥିଲା । ଘରର ଅନ୍ୟସ୍ଥାନ ସବୁ ଅନ୍ଧାର ଥିଲା । ମୁଁ ଘରର ଆଲୁଅର ସୁଇଚ ଟିପିଦେଲି ମୋର ଭୂତଟା ସଙ୍ଗେ ସଙ୍ଗେ ‘‘ଟେକନିକନ ଟିସୁପ୍ରୋସେସର’’ ମେସିନ ପାଲଟି ଗଲା । ଟେକନିକନ ଟିସୁପ୍ରୋସେସର ମେସିନଟି ଦେଖି ମୁଁ ହସି ପକାଇ ମୋ କାମରେ ଲାଗିଲି ।

 

ମୁଁ ଭାରତରୁ ଗଲାବେଳେ ଆମ ଏଠା ହସ୍‍ପିଟାଲରେ ସେପରି ମେସିନ ନଥିଲା । ପେଶୀମାନଙ୍କର ମାଇକ୍ରୋସ୍କୋପିକ ସ୍ଲାଇଡ଼ ତିଆରି କରିବାପାଇଁ, ପେଶୀମାନଙ୍କୁ ପାତଳାକରି କାଟି ଛୋଟ ଛୋଟ ଖଣ୍ଡ କରି ଚାଲୁଣି ପରି ଛିଦ୍ରଥିବା ଇଞ୍ଚେ, ଦୁଇଇଞ୍ଚ୍‍ର କରାଟ ପରି ଡିବାରେ ବନ୍ଦ କରି ଅଧଇଞ୍ଚ୍‍ର ଗୋଲ କଣାଥିବା ଗୁଡ଼ିଏ ଗିଲାସ ଭିତରେ ରଖାଯାଏ । ସେ ଗ୍ଲାସ୍‍ଗୁଡ଼ିକୁ ମେସିନର ମଝିଖମ୍ୱର ଉପରମୁଣ୍ଡରୁ ବାହାରିଥିବା ଲୁହାବାଡ଼ିମାନଙ୍କରେ ଝୁଲାଇ ଦିଆଯାଏ । ସେଇ ଛିଦ୍ର ପୂର୍ଣ୍ଣ ଗ୍ଲାସ୍‍ଗୁଡ଼ିକ ମେସିନ ଚଟାଣରେ ଥୁଆହୋଇଥିବା ନେଳି ହଳଦିଆ ରଙ୍ଗର ରାସାୟନିକ ଜଳ ପୂର୍ଣ୍ଣ ବଡ଼ବଡ଼ କାଚ ଗ୍ଲାସ୍ ଭିତରେ ବୁଡ଼ି ରହନ୍ତି । ଭିନ୍ନ ଭିନ୍ନ କାଚ ଗ୍ଲାସ୍‍ରେ ଭିନ୍ନ ପ୍ରକାରର ରାସାୟନିକ ଜଳ ରହିଥାଏ । ଏହା ଗୋଟିଏ ସ୍ୱୟଂଚାଳିତ ଯନ୍ତ୍ର ହୋଇଥିବାରୁ ସଚ୍ଛିଦ୍ର ଗ୍ଲାସ୍‍ଗୁଡ଼ିକ ଯେତିକି ସମୟ ଯେଉଁ କାଚ ଗ୍ଲାସ୍‍ର ରାସାୟନରେ ବୁଡ଼ିବା କଥା ସେତିକି ସମୟ ରହିବା ପରେ ମଝି ଖମ୍ୱଟି ଉପରକୁ ଉଠି ବୁଲିବାଦ୍ୱାରା ଅନ୍ୟ କାଚ ଗ୍ଲାସ୍‍ ଭିତରକୁ ଯାଇପାରନ୍ତି । ଏପରି ପଦ୍ଧତିରେ ପେଶୀଗୁଡ଼ିକ ପ୍ରସ୍ତୁତ କରାଯାଇ ପାରାଫିନ୍ ମହମରେ ବୁଡ଼ାଇ ବ୍ଲକ୍ ତିଆରି କରାଯାଏ ଓ ସେ ବ୍ଲକ୍‍କୁ ମାଇକ୍ରୋଟମ ନାମକ ମେସିନରୁ ଧାରୁଆ ଛୁରିରେ ଅତି ପାତଳା କରି କାଟି କାଚ ପଟା ବା ସ୍ଲାଇଡ଼ରେ ରଖାଯାଏ । ସେ ସ୍ଲାଇଡ଼କୁ ରଙ୍ଗକରାଇ ମାଇକ୍ରୋସ୍କୋପ୍‍ରେ ଦେଖିବାପାଇଁ ପ୍ରସ୍ତୁତ କରାଯାଏ ।

 

ଶରୀର ବ୍ୟବଚ୍ଛେଦ କରିବାବେଳେ ଗୋଲ ବା ଟେପ ରେକର୍ଡ଼ରେ ତଥ୍ୟର ସାରାଂଶ ସଙ୍ଗେ ସଙ୍ଗେ ଶବ ପରୀକ୍ଷାର ବିବରଣ ଡାକିବାକୁ ହୁଏ । ସାଧାରଣ ଅପରେସନ୍‍ବେଳେ ଯେପରି ପରିଷ୍କାର ପରିଚ୍ଛନ୍ନ ପିନ୍ଧାଯାଏ, ସେହିପରି ପରିଷ୍କାର ଭାବରେ ଶବ ବ୍ୟବଚ୍ଛେଦ କରାଯାଏ ।

 

ଶରୀର ବ୍ୟବଚ୍ଛେଦବେଳେ ଶବଟି ତାଜାଥିଲେ ବରାଦ ଅନୁସାରେ ସେଥିରୁ ଉପଯୋଗୀ ଅଂଶଗୁଡ଼ିକ ଅନ୍ୟ ରୋଗୀମାନଙ୍କ ବ୍ୟବହାରରେ ଲାଗିବାପାଇଁ ସଞ୍ଚୟ କେନ୍ଦ୍ରମାନଙ୍କୁ ପଠା ଯିବାପାଇଁ ଶବ ଦେହରୁ ବାହାରକରି ଯନ୍ତ୍ରରେ ରଖାଯାଏ । ଆଖିର ସ୍ୱଚ୍ଛ ପଟଳ (କର୍ଣ୍ଣିଆ) ନଳୀ ଗୋଡ଼ର ହାଡ଼, ହୃତ୍‍ପିଣ୍ଡ ନିକଟ ବୃହତ୍ ଧମନୀର ଅଂଶ ପ୍ରଭୃତି ଏ ସବୁର ଅନ୍ତର୍ଭୁକ୍ତ ।

 

ବ୍ୟବଚ୍ଛେଦ ପରେ ଶରୀର ଯନ୍ତ୍ରଗୁଡ଼ିକୁ ବାହାରକରି ପରୀକ୍ଷାପାଇଁ ରଖାଯାଇ ଶବଟିକୁ ସଜାଇବା ପାଇଁ ଏମ୍‍ବାମିଙ୍ଗ ବା ସଜେଇବା କୋଠରୀକୁ ପଠାଇ ଦିଆଯାଏ । ପ୍ରତ୍ୟେକ ହସ୍‍ପିଟାଲରେ ଜଣେ ଶିକ୍ଷାପ୍ରାପ୍ତ ‘ଏମବାମର’ ବା ଶରୀର ପୁନର୍ଗଠନ କରିବା ଲୋକ ଥାଆନ୍ତି । ସେ ଶବଟିକୁ ପରିଷ୍କାର କରି ଖାଲିସ୍ଥାନ ସବୁ ପୂରଣ କରାଇ ସୁନ୍ଦର ଭାବରେ ସିଲାଇ କରି ପ୍ଲାଷ୍ଟିକ ଫିତାସବୁ ମାରି ଓ ରଙ୍ଗ ପାଉଡ଼ର ଏସେନସ୍ ପ୍ରଭୃତି ଦେଇ ଲୁଗାପଟା ପିନ୍ଧାଇ ସଜାଇ ଦିଅନ୍ତି ।

 

ତା’ପରେ ମୃତ ବ୍ୟକ୍ତିର ଲୋକେ କବର ଦେବାବାଲାକୁ ଡକାଇ କବରରେ ରଖି ଘରକୁ ବା ଚର୍ଚ୍ଚକୁ ନେଇ କବର ଦେବାର ବ୍ୟବସ୍ଥା କରନ୍ତି ।

 

ସେଠାର ଲୋକଙ୍କର ବିଜ୍ଞାନପ୍ରତି ଅତ୍ୟନ୍ତ ଆଗ୍ରହ ଥିବାରୁ ଶବ ବ୍ୟବଚ୍ଛେଦ ପାଇଁ ସେ ଦେଶରେ ବାଧ୍ୟବାଧକତା କରିବାକୁ କୌଣସି ଆଇନ ନଥିଲେ ମଧ୍ୟ ମୃତବ୍ୟକ୍ତିର ଆତ୍ମୀୟମାନେ ନିଜ ଇଚ୍ଛା ଅନୁସାରେ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଇ ଶବ ବ୍ୟବଚ୍ଛେଦ ପରେ ସେଇଟିକୁ ନେବାକୁ ଅପେକ୍ଷାକରି ବସି ରହନ୍ତି ।

 

ହସ୍‍ପିଟାଲ ରୋଗୀ ନ ହୋଇଥିଲେ, ଶବ ବ୍ୟବଚ୍ଛେଦ କରାଇବାକୁ ହେଲେ ସେଥିପାଇଁ ହସ୍‍ପିଟାଲକୁ ମୋଟା ଫିସ୍ ଦେବାକୁ ପଡ଼େ । ଲୋକେ ସେପରି ଫିସ୍ ଦେଇ ମୃତବ୍ୟକ୍ତିର ରୋଗ ଓ ମୃତ୍ୟୁର କାରଣ ଜାଣିବାକୁ କୁଣ୍ଠା ପ୍ରକାଶ କରନ୍ତି ନାହିଁ ।

 

ମୃତ୍ୟୁର ଓ ରୋଗର କାରଣ ନିରୂପଣ କରିବାପାଇଁ ରୋଗର ଆରମ୍ଭ କାଳଠାରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଇତିହାସ ଅନ୍ୱେଷଣ କରି, ଶରୀରର ବିଭିନ୍ନ ପେଶୀ ଓ ଯନ୍ତ୍ର ଉପରେ ତା’ର ପ୍ରଭାବ ଅନୁଧ୍ୟାନ କରାଯାଏ । ସେଇ ଅନୁଧ୍ୟାନରୁ ରୋଗ ସମ୍ପର୍କରେ ଅନେକ ତଥ୍ୟ ମଧ୍ୟ ପ୍ରକାଶିତ ହୁଏ । ଉଦାହରଣସ୍ୱରୂପ, ଗୋଟିଏ ବୟସ୍କ ଲୋକ ରିଉମାଟିକ ବାତଜନିତ ହୃତ୍‍ପିଣ୍ଡ ରୋଗରେ ମରିଥିଲେ, ସେ ରୋଗୀର ସାତ ଆଠବର୍ଷବେଳେ ସାମୟିକ ଆଣ୍ଠୁଗଣ୍ଠି ବାତ ସହିତ ଜ୍ୱର ହୋଇଥିବାର ଅନୁଧ୍ୟାନରୁ ଜଣାପଡ଼େ । ତେଣୁ କେଉଁ ରୋଗ କେତେବେଳେ କେତେ ଦିନପରେ କି କି ଲକ୍ଷଣ ପ୍ରକାଶ କରେ ଜଣାଯିବାରୁ ସେଇ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିକୁ ରୋଗ ଆରମ୍ଭରୁ ଚିକିତ୍ସା କରି ଆରୋଗ୍ୟ କରାଯାଇପାରେ । ଶବ ବ୍ୟବଚ୍ଛେଦ ତଦନ୍ତ ରିପୋର୍ଟରୁ ମୃତବ୍ୟକ୍ତିର ଆତ୍ମୀୟମାନେ ରୋଗୀର ଚିକିତ୍ସା ଠିକ୍ ହୋଇଥିଲା କି ନାହିଁ ଜାଣିବା ସଙ୍ଗେ ସଙ୍ଗେ, ସେପରି ରୋଗ ଭୋଗ କରୁଥିବା ଅନ୍ୟାନ୍ୟ ଆତ୍ମୀୟଙ୍କ ଚିକିତ୍ସା ବିଷୟରେ ବେଶି ସାବଧାନ ହୋଇ ପାରନ୍ତି ।

 

ଆମେରିକାବାସୀଙ୍କର ଦେଶପ୍ରେମ ଓ ବିଜ୍ଞାନନିଶା ଯୋଗୁଁ ରୋଗ ନିରାକରଣରେ ମଧ୍ୟ ସେ ଦେଶ ବହୁତ ଆଗେଇ ପାରିଛି । ଲୋକମାନେ ନିଜ ବିପଦ ସମୟରେ ମଧ୍ୟ ସୁବିଧା ଅସୁବିଧା କଥା ଭାବି ଅନ୍ୟମାନେ ସେଇପରି ବିପଦ ବା ରୋଗର ସମ୍ମୁଖୀନ ନ ହେବାପାଇଁ ଚେଷ୍ଟା କରନ୍ତି । ନିମ୍ନଲିଖିତ ଘଟଣାଟି ଏହାର ଗୋଟିଏ ଜ୍ୱଳନ୍ତ ଦୃଷ୍ଟାନ୍ତ ।

 

ବିଜ୍ଞାନ ନିଶା

 

ଦିନେ ମୁଁ ରାତିରେ ଶୋଇଛି, ହଠାତ୍ ମୋର ଫୋନ୍ ବାଜି ଉଠିଲା । ଗୋଟିଏ ଜରୁରୀ ଘରୋଇ ଶବ ବ୍ୟବଚ୍ଛେଦ କରିବାପାଇଁ ନିର୍ଦ୍ଦେଶ ପାଇ ମୁଁ ହସ୍‍ପିଟାଲକୁ ଗଲି । ଗୋଟିଏ ଆମେରିକାନ ଦମ୍ପତି ତାଙ୍କର ବାର ଚଉଦବର୍ଷର ମୃତପୁତ୍ରକୁ ଧରି ତିନିଶହ କି ଚାରିଶହ ମାଇଲ ଦୂରର ଗୋଟିଏ ମଫସଲ ଅଞ୍ଚଳରୁ ଆସି ପୁତ୍ରର ଶବ ବ୍ୟବଚ୍ଛେଦ ପାଇଁ ଅପେକ୍ଷା କରିଥିଲେ । ସେ ସେଥିପାଇଁ ହସ୍‍ପିଟାଲ ଅଫିସ୍‍ରେ ଅର୍ଥ ଜମାକରି ରସିଦଟିଏ ହାତରେ ଧରିଥାଆନ୍ତି ।

 

ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପ୍ରଶ୍ନ କଲି, ‘‘ପୁଅ ତ ଗଲାଣି, ଆପଣ ତା’ର ଶବ ବ୍ୟବଚ୍ଛେଦ ପାଇଁ କାହିଁକି ବ୍ୟାକୁଳ ହେଉଛନ୍ତି ? ଅପରେସନ୍‍ କରି କ’ଣ ତାକୁ ଆଉ ବଞ୍ଚାଇ ହେବ ? ଆପଣଙ୍କ ପୁଅକୁ କ’ଣ କିଏ ସେ ବିଷ ଦେଇ ମାରିଛି ବୋଲି ଆପଣ ସନ୍ଦେହ କରୁଛନ୍ତି ? ତାହାହେଲେ ତ ପୋଲିସ୍‍କୁ ଜଣାଇ ଦେଇଥିଲେ ସେମାନେ ସରକାରୀ ଖର୍ଚ୍ଚରେ ଶବ ବ୍ୟବଚ୍ଛେଦ କରାଇପାରିଥାନ୍ତେ । ଆପଣ ପଇସା ଖର୍ଚ୍ଚକରି କାହିଁକି ତାହା କରାଉଛନ୍ତି ?’’

 

ମୋ ପ୍ରଶ୍ନରେ, ବାପ, ମା’ ଦୁହିଁଙ୍କ ଆଖିରୁ ଟପ୍‍ଟପ୍ ଲୁହ ଗଡ଼ିପଡ଼ିଲା । ସେମାନେ କହିଲେ, ‘‘ଆମ ପୁଅକୁ କୌଣସି ଲୋକ ବିଷ ଦେଇନାହିଁ କି ମାରି ନାହିଁ । ସେ ମଲାପରେ ତାକୁ କଟାକଟି କରାଇବାକୁ ମଧ୍ୟ ଆମକୁ ପ୍ରାଣରେ ବାଧୁଚି । ସେ ଆମର ଏକମାତ୍ର ପୁତ୍ର, ଆମେ ତାକୁ ପ୍ରାଣ ଦେଇ ଭଲ ପାଉଥିଲୁ, ସେ ହଠାତ୍ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆମକୁ ଛାଡ଼ି ଚାଲିଗଲା । ତାହା କି ପ୍ରକାର ନୂଆରୋଗ ଆମେ ଜାଣି ପାରିଲୁ ନାହିଁ କି ସେଠାର ଡାକ୍ତର ମଧ୍ୟ ଧରିପାରିଲେ ନାହିଁ ।

 

ସେପରି ରୋଗରେ ଆମ ଗ୍ରାମର ବହୁତ ପିଲାବି ପ୍ରାଣ ହରେଇଲେଣି । ଆମ ପିଲା ଆମର ଯେପରି ପ୍ରିୟ, ଅନ୍ୟ ପିଲାମାନେ ମଧ୍ୟ ସେମାନଙ୍କ ବାପ ମା’ଙ୍କର ସେତିକି ପ୍ରିୟ । ଆମ ପିଲାର ଶବ ପରୀକ୍ଷାଦ୍ୱାରା ଯଦି ସେ ରୋଗ ଧରା ପଡ଼ିଯାଏ, ତେବେ ଚିକିତ୍ସା ବା ପ୍ରତିଷେଧକ ବ୍ୟବସ୍ଥାଦ୍ୱାରା ସେଠାରେ ଥିବା ଅନ୍ୟ ପିଲାମାନେ ହୁଏତ ସେ ରୋଗର କବଳରୁ ରକ୍ଷା ପାଇଯିବେ-। ସେଥିପାଇଁ କେବଳ ବିଜ୍ଞାନକୁ ସାହାଯ୍ୟ କରିବାକୁ ଆମେ ଏ ଦାରୁଣ ପରୀକ୍ଷା କରାଉଛୁ-। ଆପଣ ଅନୁଗ୍ରହ କରି ଶୀଘ୍ର ପରୀକ୍ଷା କରି ଆମକୁ ଜଣାନ୍ତୁ ।’’

 

ଆମ ଦେଶ ଓ ସେ ଦେଶର ବୈଜ୍ଞାନିକି ଭାବଧାରା କେତେ ତଫାତ୍ ! ଆମ ଦେଶରେ ଏପରି ପରୀକ୍ଷା କରିବାକୁ ଦେବାକୁ ସମସ୍ତେ କୁଣ୍ଠିତ ହୁଅନ୍ତି । ପୋଲିସ୍ କେସ୍ ନ ହୋଇଥିଲେ ପରୀକ୍ଷାର ସୁବିଧା ମିଳେ ନାହିଁ । ହସ୍‍ପିଟାଲରେ ମରିଥିବା କେଉଁ ରୋଗୀର କେହି ନଥିଲେ, ଚବିଶିଘଣ୍ଟା ଭିତରେ କେହି ନ ନେଇଗଲେ, ଆମ ଦେଶରେ ଶବ ପରୀକ୍ଷା କରାଯାଏ । ସେତେବେଳକୁ ପେଶୀମାନ ଶଢ଼ି ଯାଇଥାଏ । ସେ ସବୁ ପରୀକ୍ଷାକରି ମୃତ୍ୟୁର ପ୍ରକୃତ କାରଣ ଓ ରୋଗ ନିର୍ଣ୍ଣୟ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ ।

 

ସେଠା ଲୋକମାନଙ୍କର ଦୈନନ୍ଦିନ ଚଳଣିଠାରୁ ମନର ଭାବ ପର୍ଯ୍ୟନ୍ତ ସବୁଥିରେ ବିଜ୍ଞାନର ଛାପ ପଡ଼ିଛି । ସେମାନେ ଡାକ୍ତରୀ ବିଜ୍ଞାନକୁ ବହୁ ଉଚ୍ଚ ଆସନ ଦିଅନ୍ତି । ଡାକ୍ତରୀ ଔଷଧ ଛଡ଼ା ଅନ୍ୟ କୌଣସି ଔଷଧ ବ୍ୟବହାର କରନ୍ତି ନାହିଁ । ଡାକ୍ତର ବିଦ୍ୟା ସମ୍ୱନ୍ଧରେ ସମସ୍ତଙ୍କର କିଛି ନା କିଛି ଜ୍ଞାନ ଅଛି । ଗୋଟିଏ ଛୋଟପିଲାକୁ ଜର ବା ସର୍ଦି ହେଲେ ତାକୁ ଡାକ୍ତରଙ୍କ ନିକଟକୁ ନେଇ ରୋଗର ସମସ୍ତ ପରୀକ୍ଷା କରିବାପାଇଁ ଅନୁରୋଧ କରନ୍ତି । ସଙ୍ଗେ ସଙ୍ଗେ ଔଷଧ ଦେଇ ରୋଗକୁ ଦବାଇ ଦେବାପାଇଁ କେହି ବ୍ୟସ୍ତ ହୁଅନ୍ତି ନାହିଁ । ରୋଗ ବିନା ଔଷଧରେ ଆପେଆପେ ଭଲ ହେଲେ ରୋଗ ନିବାରକ ଶକ୍ତି ବଢ଼ିବା କଥା ସମସ୍ତେ ଜାଣନ୍ତି । ରୋଗକୁ ଜଗିବାପାଇଁ ଡାକ୍ତର ନିକଟକୁ ନିଅନ୍ତି, ରୋଗ ଅତି ନ ବଳାଇଲେ ବା ଅଣାୟତ୍ତ ନହେଲେ କୌଣସି ଜୀବାଣୁ ଧ୍ୱଂସକାରୀ କଡ଼ା ଔଷଧ ଦିଆହେବା ପସନ୍ଦ କରନ୍ତି ନାହିଁ ।

 

ଆମ ଦେଶରେ ରୋଗ ଶୀଘ୍ର ଭଲ ହେବାପାଇଁ ବ୍ୟାକୁଳ ହୋଇ ଲୋକେ ହଠାତ୍ କଡ଼ାକଡ଼ା ଔଷଧ ବ୍ୟବହାରଦ୍ୱାରା ଓ ରୋଗ ସମ୍ପୂର୍ଣ୍ଣ ଭଲ ନ ହୋଇ ଦବିଯିବାମାତ୍ରେ ଔଷଧ ବନ୍ଦ କରିବାଦ୍ୱାରା, ରୋଗ ଜୀବାଣୁମାନେ ମାତୁଆ ହୋଇ ଯାଉଛନ୍ତି । ରୋଗ ଲେଉଟିଲେ ସେ ଔଷଧ ଆଉ କାମ କରୁନାହିଁ । ଶେଷରେ ଡାକ୍ତରୀ ଚିକିତ୍ସା ଓ ଚିକିତ୍ସକଙ୍କଠାରେ ସେମାନେ ଆସ୍ଥା ହରାଇ ବସୁଛନ୍ତି ।

 

କେବଳ ଚିକିତ୍ସା ନୁହେଁ, ଖାଦ୍ୟପେୟର ମଧ୍ୟ ବିଜ୍ଞାନର ପ୍ରଭାବ ପଡ଼ିଛି । ସେ ଦେଶର ଧନୀ ଓ ଗରିବ ସମସ୍ତେ ସୁଷମ ଖାଦ୍ୟ ଖାଆନ୍ତି । ଆମଭଳି ପାଟି ସୁଆଦପାଇଁ ଗୁଡ଼ାଏ ମିଠା ବା ଖଟା ଖାଇ ପେଟ ପୂରାନ୍ତି ନାହିଁ । ଗରିବ ଲୋକ ପ୍ରୋଟିନ୍ ବା ପୁଷ୍ଟିସାର ପାଇଁ ମାଂସ କିଣି ଖାଇ ନ ପାରିଲେ, ଶିମ୍ୱମଞ୍ଜି ସିଝାଇ ଖାଆନ୍ତି । ସମସ୍ତ ବଡ଼ବଡ଼ ଭୋଜିରେ ମଧ୍ୟ କଞ୍ଚାପତ୍ର, ଫଳ ପ୍ରଭୃତି ଭିଟାମିନ୍ ଥିବା ଖାଦ୍ୟ ବଢ଼ା ଯାଇଥାଏ । ଆମ ଦେଶ ବ୍ୟବସାୟୀଙ୍କ ପରି ସେ ଦେଶରେ ଖାଦ୍ୟକୁ କେହି ଅପମିଶ୍ରିତ କରନ୍ତି ନାହିଁ । ତେଣୁ ଖାଦ୍ୟ ଖାଇ କେହି ରୋଗ ଭୋଗ ନ କରି ସମସ୍ତେ ସୁସ୍ଥ ସବଳ ରହନ୍ତି ।

 

ସେ ଦେଶର ପାଠପଢ଼ା

 

ଆମେରିକାରେ ମାଟ୍ରିକ୍ୟୁଲେସନ ପର୍ଯ୍ୟନ୍ତ ପାଠ ପଢ଼ିବା ମାଗଣା । ସବୁ ପିଲା ଷୋହଳବର୍ଷ ପର୍ଯ୍ୟନ୍ତ ପାଠ ପଢ଼ିବାକୁ ବାଧ୍ୟ । ପାଠ ନ ପଢ଼ି ବୁଲିଲେ ସରକାରୀ ନିୟମ ଅନୁସାରେ ପିଲାଙ୍କୁ ଶାସ୍ତି ମିଳେ । ଉଚ୍ଚ ଓ ବୈଷୟିକ ଶିକ୍ଷାପାଇଁ ନିଜ ଖର୍ଚ୍ଚରୁ ପଢ଼ିବାକୁ ହୁଏ । ଡାକ୍ତରୀ, ଇଞ୍ଜିନିୟରିଙ୍ଗ ପ୍ରଭୃତି ପାଠ ପଢ଼ିବା ବହୁ ଅର୍ଥସାପେକ୍ଷ । ମାଟ୍ରିକ୍ୟୁଲେସନ ପରେ ପିଲାମାନେ ପୂରା ଚାକିରି ବା ସାମୟିକ ଚାକିରି କରି ପଇସା ଜମାକରି ସେଥିରେ ପାଠ ପଢ଼ନ୍ତି । ବାପ ମା, ଯେ ପାଠପଢ଼ା ଖର୍ଚ୍ଚ ତୁଲାନ୍ତି ନାହିଁ । ବୈଷୟିକ ପାଠସବୁ ୬ ମାସିକିଆ ବା ସେମିଷ୍ଟାର ପ୍ରଣାଳୀରେ ହୋଇଥିବାରୁ ସେମାନେ ଖଣ୍ଡଖଣ୍ଡ କରି ପଢ଼ିବାର ସୁଯୋଗ ପାଆନ୍ତି । ଗୋଟିଏ ଡିଗ୍ରୀପାଇଁ ସବୁ ଖଣ୍ଡତକ ପାସ୍ କରିବାକୁ ସେମାନେ ଏକାଧାରାରେ ପଢ଼ିବାର ଅର୍ଥ ଯୋଗାଡ଼ କରି ନ ପାରିଲେ ପାଠ୍ୟକ୍ରମର ଗୋଟିଏ ବିଷୟ ବା ଖଣ୍ଡ ସମ୍ପୂର୍ଣ୍ଣ କରି ଚାକିରିକୁ ଫେରି ଯାଆନ୍ତି । ପୁଣି ସୁବିଧା ହେଲେ ଅନ୍ୟ ଖଣ୍ଡମାନ ଆସି ପଢ଼ନ୍ତି । ବେଳେବେଳେ ଗୋଟିଏ ଡିଗ୍ରୀ ହାସଲ କରିବାକୁ ତାଙ୍କୁ ବହୁବର୍ଷ ଲାଗିଯାଏ ।

 

କୌଣସି କାୟିକ କାମକୁ କେହି ଘୃଣା କରନ୍ତି ନାହିଁ । ତେଣୁ ପିଲାମାନଙ୍କ ପାଇଁ ଚାକିରିର ଅଭାବ ନ ଥାଏ । ସ୍କୁଲ୍‍ରେ ପଢ଼ିବା ଦିନୁ ପିଲାମାନେ ଉଚ୍ଚଶିକ୍ଷା ଆଶାରେ ସାମୟିକ କାର୍ଯ୍ୟମାନ କରି ପଇସା ଜମାଇ ରଖନ୍ତି । ସେଠାର ହସ୍‍ପିଟାଲରେ ସ୍କୁଲ୍‍ ପିଲାମାନେ ଛୁଟି ଦିନ ଓ ରାତିରେ ରୋଗୀସେବା ଡିଉଟି କରି, ରୋଗୀର ମଳ, ମୂତ୍ର ପରିଷ୍କାର କରିବା ପ୍ରଭୃତି କାର୍ଯ୍ୟ ମଧ୍ୟ କରନ୍ତି । ସେଠାରେ ସ୍କୁଲ୍‍ ପାଠ୍ୟକ୍ରମ ପ୍ରାୟ ସ୍କୁଲ୍‍ ଭିତରେ ଆବଦ୍ଧ । ଘରେ ଆସି ବେଶୀ ପଢ଼ିବାକୁ ପଡ଼େନାହିଁ । ତେଣୁ ସ୍କୁଲ୍‍ ସମୟ ବାହାରେ ଅନ୍ୟ ଧନ୍ଦା ଶିଖିବା ବା ପଇସା ରୋଜଗାର କରିବାରେ ବିଶେଷ ଅସୁବିଧା ହୁଏ ନାହିଁ ।

 

ମେଡ଼ିକାଲ ସେଣ୍ଟରରେ ମୁଁ ଜଣେ ରେସିଡ଼େଣ୍ଟ ବା ଜୁନିଅର ଶିକ୍ଷକ ଭାବରେ ମୋର ଟ୍ରେନିଙ୍ଗ୍ ନିୟମ ଅନୁଯାୟୀ ମୋତେ ଡାକ୍ତରୀ ପଢ଼ୁଥିବା ପିଲାଙ୍କୁ ପଢ଼ାଇବାକୁ ପଡ଼େ । ଛାତ୍ରଗୁଡ଼ିକ ବହୁତ ବହୁତ ବୟସର । ଅଧିକାଂଶ ବିବାହିତ, ପ୍ରାୟ ସମସ୍ତେ ଅନ୍ୟ ଚାକିରି ଛାଡ଼ି ଡାକ୍ତରୀ ପଢ଼ିବାକୁ ଆସିଥାଆନ୍ତି । ନିଜ ପଇସାରେ ପାଠ ପଢ଼ୁଥିବାରୁ ଧର୍ମଘଟ ପ୍ରଭୃତି ସେଠାରେ ଏକାବେଳେକେ ଅଜଣା; ସମସ୍ତେ ଶୀଘ୍ର ପାଠ ଶେଷକରି ଯିବାକୁ ବ୍ୟଗ୍ର । ସମୟ ନଷ୍ଟକରି ଫେଲ୍ ଫାଲ୍ ହୋଇ ଦୀର୍ଘଦିନ ଘୁଷୁରିବା ସେଠାରେ ଅସମ୍ଭବ । ଦୁଇ ତିନିଥର ଲାଗଲାଗ ସାପ୍ତାହିତ ପରୀକ୍ଷାରେ ଭଲ ନ କଲେ ସେ ବିଷୟଟି ଆଉ ପଢ଼ିବାକୁ ଅନୁମତି ଦିଆଯାଏ ନାହିଁ । କୌଣସି କାରଣରୁ ପିଲାଟି ଭଲ ପଢ଼ି ନ ପାରିଲେ ବା ନମ୍ୱର ନ ରଖିଲେ ସେ ଆପେଆପେ ସେଠାରୁ ବାହାରି ଯାଇ ପୁଣି ଅର୍ଥାର୍ଜନ କରି ଅନ୍ୟ ପାଠ ପଢ଼େ ବା ଫେରିଆସି ପୁଣି ମୂଳରୁ ସେ ପାଠପଢ଼ା ଆରମ୍ଭ କରେ ।

 

ଶିକ୍ଷକ ଓ ଛାତ୍ର ସମସ୍ତେ ସାଥୀପରି ଚଳନ୍ତି ଓ ଜ୍ଞାନ ଅର୍ଜନରେ ସମାନ ଭାବରେ ବ୍ୟସ୍ତ ଥାଆନ୍ତି । ଛାତ୍ର ଶିକ୍ଷକଙ୍କ ଠାରୁ ପାଠ ଆଦାୟ କରିବାକୁ ସବୁବେଳେ ଉଦ୍‍ଗ୍ରୀବ । ଶିକ୍ଷକ ପକ୍ଷରେ ପାଠ ପଢ଼ାଇବାରେ ଫାଙ୍କିବା ମଧ୍ୟ ଅସମ୍ଭବ । ସବୁ ଶିକ୍ଷକ ନିଜ ଉଚ୍ଚଶିକ୍ଷା ଓ ଗବେଷଣାରେ ନିଜେ ଲାଗି ପଡ଼ିଥାଆନ୍ତି ।

 

ଛାତ୍ରଜୀବନ

 

ମୁଁ ଯେଉଁମାନଙ୍କୁ ପଢ଼ାଉଥିଲି ସେମାନଙ୍କ ଭିତରେ ରିବ୍‍ଟିଡ଼୍ଓ୍ୟେଲ ବୋଲି ଜଣେ ମେଧାବୀ ଛାତ୍ର ଥିଲା । ଭଲ ପଢ଼ୁଥିବା ଛାତ୍ର ସବୁବେଳେ ଶିଖିବାପାଇଁ ଶିକ୍ଷକଙ୍କ ପିଛା ଧରନ୍ତି । ସେ ମୋ ନିକଟକୁ ପାଠପଢ଼ା ପାଇଁ ବେଶୀ ଯିବାଆସିବା କରୁଥିବାରୁ ମୁଁ ତା’ ପ୍ରତି ଆକୃଷ୍ଟ ହେଲି । ତା’ର ଚାଲିଚଳନ ଲକ୍ଷ୍ୟ କଲି ଓ ତା’ର ଦୈନନ୍ଦିନ ଜୀବନ ସହିତ ପରିଚିତ ହେବାପାଇଁ ତା’ ସଙ୍ଗେ ତା’ର ଘରକୁ ଗଲି ।

 

ସେ ଗୋଟିଏ ଏକକୋଠରୀବିଶିଷ୍ଟ ଘରେ ଭଡ଼ା ଥାଏ । ସେ ଘର ସହିତ ସଂଲଗ୍ନ ବାରଣ୍ଡାଟିଏ ମାତ୍ର ଥାଏ । ଆମେ ତା’ର ଘରେ ପହଞ୍ଚିବାର କିଛି ସମୟ ପରେ ତା’ର ସ୍ତ୍ରୀ ଅଫିସ୍‍ରୁ ଫେରିବା ବାଟରେ ବେବିସିଟ୍‍ର ବା ପିଲାଜଗା ଘରୁ ତାଙ୍କ ଛୋଟପିଲାଟିକୁ ସଂଗ୍ରହ କରି ସାଙ୍ଗରେ ଧରି ଘରେ ପହଞ୍ଚିଲା ।

 

ସୁନ୍ଦରୀ ଝିଅଟିଏ, ଭାରି ପରିଶ୍ରମୀ ସେ ପିଲାଟିର ତତ୍ତ୍ୱ ନେଇସାରି ସଙ୍ଗେ ସଙ୍ଗେ ରୋଷେଇବାସ କରିବାକୁ ବାହାରି ପଡ଼ିଲା । ମୁଁ ସେମାନଙ୍କ ଅବସ୍ଥା ଦେଖି, ରିବ୍‍ଠାରୁ ତା’ର ପିତାମାତା ଓ ସେମାନଙ୍କ ଆର୍ଥିକ ଅବସ୍ଥା ଜାଣିବାକୁ ମୋର କୌତୂହଳ ବଢ଼ିଲା । ମୋର କେତେକ ପ୍ରଶ୍ନର ଉତ୍ତରରେ ସେ କହିଲା, ‘‘ତା’ର ବାପ, ମା’ ଖୁବ୍ ପଇସା ଥିଲାବାଲା ଓ ସେମାନେ ଅତି ଉଚ୍ଚ ଧରଣର ଲୋକ । ସେମାନେ ଅର୍ଥ ପ୍ରାଚୁର୍ଯ୍ୟରେ ତାକୁ ନଷ୍ଟ ହେବାକୁ ଦେଇ ନ ଥିବାରୁ ସେ ନିଜ ଗୋଡ଼ରେ ଠିଆ ହୋଇ ଉନ୍ନତି କରିବାକୁ ଚେଷ୍ଟା କରୁଛି ।

 

ରିବ୍‍କୁ ୧୨, ୧୪ ବର୍ଷବେଳେ ସେ ସ୍କୁଲ୍‍ ପାଠରେ ମନ ନ ଦେଇ, ମାଆ ବାପାଙ୍କଠାରୁ ଯଥେଷ୍ଟ ପଇସା ନେଇ ବାଜେ ଖର୍ଚ୍ଚକଲା ଓ ପକ୍ଷୀମରା ଛର୍‍ରା ବନ୍ଧୁକଟିଏ କିଣି ସ୍କୁଲ୍‍କୁ ନିୟମିତଭାବେ ନ ଯାଇ ପକ୍ଷୀ ମାରିବା ଓ ଅନ୍ୟାନ୍ୟ ଖେଳରେ ସମୟ କଟାଇବାକୁ ଲାଗିଲା ।

 

ତା’ର ବାପ ମା’ ଅନ୍ତତଃ ତାକୁ ଷୋହଳବର୍ଷ ହେବା ପର୍ଯ୍ୟନ୍ତ ତାଙ୍କ ଘରେ ରଖିବା କଥା, କିନ୍ତୁ ତା’ କାର୍ଯ୍ୟକଳାପରେ ସନ୍ତୁଷ୍ଟ ନ ହୋଇ ତା’ର ପିତା ତାକୁ ଘରୁ ବାହାର କରିଦେଲେ । ତାକୁ ଘରୁ ବାହାରି ଯିବାକୁ କହିଲାବେଳେ, ତାକୁ ଗୋଟିଏ ମାତ୍ର ଡଲାର ମୁଦ୍ରାଦେଇ ସେଇ ମାତ୍ର ତା’ର ପ୍ରାପ୍ୟ ଓ ସେ ଠିକ୍ ବାଟରେ ଯାଇ ପଢ଼ାପଢ଼ିରେ ମନ ଦେଇ ଉନ୍ନତ ଆମେରିକା ନାଗରିକ ହେବାପାଇଁ ଚେଷ୍ଟାକରୁ ନ ଥିବାରୁ ସେ ଘରେ ଘରେ ଆଉ ତା’ର ସ୍ଥାନ ନାହିଁ ବୋଲି ଜଣାଇ ଦେଇଥିଲେ ।

 

ରିବ୍ ବାଧ୍ୟ ହୋଇ ଘରୁ ଚାଲି ଆସି ଗୋଟିଏ କଫି ହୋଟେଲରେ ସାମୟିକ କାର୍ଯ୍ୟକରି ସେଇ ବାରଣ୍ଡାରେ ଶୁଆ ବସା କଲା । ତା’ର ବାପା ବୋଧହୁଏ ଗୋପନରେ ସେ ବ୍ୟବସ୍ଥା କରିଥିଲେ ଓ ତା’ ଉପରେ ଆଖି ରଖିଥିଲେ । ତାକୁ ବୁଲାବୁଲି କରିବାକୁ ସମୟ ମିଳିଲା ନାହିଁ, ସେ ମନ ଦେଇ ପାଠ ପଢ଼ିଲା ।

 

ତା’ର କଫିକପ ଉଠା, ବାସନଧୂଆ ପ୍ରଭୃତି କାମପାଇଁ ଯାହା ପଇସା ମିଳିଲା ତାକୁ ରଖି ରଖି ସେ କଲେଜରେ ପଢ଼ିଲାବେଳକୁ ରାସ୍ତାରେ ଗୋଟିଏ ଚିନାବାଦାମ ପୁଡ଼ିଆ ବାହାରୁଥିବା ମେସିନ କିଣି ବସାଇଲା । ଆମର ରେଲ୍‍ୱେ ଷ୍ଟେସନ୍‍ର ଓଜନ ମେସିନ ଉପରେ ଠିଆହୋଇ ପଇସା ଗଳାଇଦେଲେ ଯେପରି ଓଜନ ଟିକଟ ବାହାରି ଆସେ । ସେହିପରି ସେ ମେସିନରେ ମୁଦ୍ରା ଗଳାଇଲେ ଚିନାବାଦାମ ପୁଡ଼ିଆ ବାହାରି ଆସେ । କଲେଜ ପଢ଼ୁଆ ପିଲାମାନେ ବାଟରେ ଘାଟରେ ସେହିପରି ଖାଦ୍ୟପୁଡ଼ିଆ, ସିଗ୍ରେଟ, ପ୍ରଭୃତି ବାହାରୁଥିବା ମେସିନ ସବୁ ବସାଇ ଥାଆନ୍ତି । ରିବ୍ ଶନିବାର ସନ୍ଧ୍ୟାରେ ସେଥିରୁ ଜମାହୋଇଥିବା ପଇସାତକ ସଂଗ୍ରହକରି ଲାଭତକ ରଖି ପୁଣି ଚିନାବାଦାମ ପୁଡ଼ିଆ କିଣି ତା’ ଭିତରେ ରଖିଦେଇ ଆସେ । ସେ ଲାଭ ପଇସାରେ ଓ ସାମୟିକ କାମରେ ତା’ର ଖର୍ଚ୍ଚ ଚଳିଯାଏ ।

 

ଆଦର୍ଶ ସଙ୍ଗିନୀ

 

ଆଇ.ଏସ୍‍ସି.ରେ ଖୁବ୍ ଭଲ ଭାବରେ ପାସ୍ ହେବାରୁ ସେ ମେଡ଼ିକାଲକଲେଜରେ ସ୍ଥାନ ପାଇଲା । ଆଇ.ଏସ୍‍ସି. ପଢ଼ିଲାବେଳେ ସାମୟିକ କାର୍ଯ୍ୟରେ ରୋଜଗାର ପାଇଁ ସମୟ ପାଉଥିଲା କିନ୍ତୁ ମେଡ଼ିକାଲ ପାଠ ପଢ଼ିଲେ ଅନ୍ୟକାର୍ଯ୍ୟ କରିବାକୁ ସମୟ ମିଳିବ ନାହିଁ ବୋଲି ଭାବି ସେଥିରେ ଯୋଗ ଦେବ କି ନାହିଁ ସ୍ଥିର କରି ନ ପାରି ବଡ଼ ଚିନ୍ତିତ ଥିଲା ।

 

ସେତିକିବେଳେ ସେ ଝିଅଟି ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଲା । ରିବ୍ ଡାକ୍ତରୀ ପାଠ ଶେଷକରିବା ପର୍ଯ୍ୟନ୍ତ ସେ ରୋଜଗାର କରି ପାଠପଢ଼ାରେ ତାକୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଲା । ଝିଅଟିର ଏପରି ତ୍ୟାଗର ସଂକଳ୍ପ, ଚରିତ୍ରବତ୍ତା ଓ ତା’ ପ୍ରତି ପ୍ରେମ ଆକର୍ଷଣ ଦେଖି ସେ ତାକୁ ବିବାହ କରି ପକାଇଲା ।

 

ତା’ର ରୋଜଗାର ଓ ରିବ୍‍ର ଅନ୍ୟ ଆୟ ପନ୍ଥାରୁ ସେମାନେ କୌଣସିମତେ ଚଳି ଯାଉଥିଲେ । ପିଲାଟି ଜନ୍ମ ହେବାପରେ ତାଙ୍କର ଖର୍ଚ୍ଚ ବଢ଼ିବାରୁ ଝିଅଟି ଅଫିସ୍‍ରୁ‍ ଫେରିଆସି ଅଧିକା ରୋଜଗାର ପାଇଁ ସିଲେଇ ପ୍ରଭୃତି କରେ । ରିବ୍ ମଧ୍ୟ ମେଡ଼ିକାଲ କଲେଜରେ ଭେଷଜ ଗବେଷଣାଗାରର ପାଳିତ ଜନ୍ତୁ କୁକୁର, ଠେକୁଆ, ଗିନିମୂଷା ପ୍ରଭୃତିଙ୍କର ସାମୟିକ ତତ୍ତ୍ୱାବଧାରକ ହୋଇ ସେମାନଙ୍କୁ ଖାଇବାକୁ ଦେବା, ଗୁହାଳ ସଫାକରିବା ପ୍ରଭୃତି କାର୍ଯ୍ୟକରି କିଛି ରୋଜଗାର କରେ । ଏହି ସବୁ ଉପାୟରେ ଅକ୍ଳାନ୍ତ ପରିଶ୍ରମ କରି ସେମାନେ ସୁଖରେ ଚଳନ୍ତି । ଦୁହେଁ ଆଶାବାଦୀ, ଦୁହିଁଙ୍କର ହସହସ ମୁହଁ । ତାଙ୍କୁ କାହାକୁ ହାତ ପତାଇବାକୁ ପଡ଼େ ନାହିଁ । ଘରୁ ତଡ଼ିଲାଦିନୁ ପିତାମାତା ତାକୁ କୌଣସି ଆର୍ଥିକ ସାହାଯ୍ୟ କରି ନାହାନ୍ତି । ଦେଖାହେଲେ ତା’ର ଭଲ ପଢ଼ିବା କଥା ଶୁଣି ଖୁସି ହୁଅନ୍ତି ଓ ତାକୁ ଆଦର କରନ୍ତି ଓ ସେଥିପାଇଁ ସେ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରେ ।

 

ଡାକ୍ତରୀ ଶିକ୍ଷା ଓ ଚିକିତ୍ସା

 

ସେଠାର ମେଡ଼ିକାଲ କଲେଜରେ ଆମ ଦେଶ ପରି ଶିକ୍ଷକ ବହିରୁ ପୃଷ୍ଠା ପୃଷ୍ଠା ଘୋଷି ଧାରାବାହିକ ପାଠ ପଢ଼ାଇବାର ପ୍ରଥା ନାହିଁ । କେଉଁ ବହିର କେଉଁ କେଉଁ ପୃଷ୍ଠା ପଢ଼ିବ ସେତିକି ମାତ୍ର କୁହାଯାଏ । ପ୍ରତ୍ୟେକ ରୋଗ ବିଷୟରେ ନୂତନ ତଥ୍ୟ ଓ ବିଶେଷ ବିଶେଷ ଗବେଷଣାର ଦୃଷ୍ଟିକୋଣ ଛାତ୍ରମାନଙ୍କୁ ଜଣାଇ ଦିଆଯାଏ ।

 

ଗୋଟିଏ ଅନୁଷ୍ଠାନର ଜଣେ ଅଧ୍ୟାପକ ଯେଉଁ ବିଷୟରେ ଗବେଷଣା କରି ନାମ ଅର୍ଜନ କରିଛନ୍ତି ସେ ଆମେରିକାର ବିଭିନ୍ନ କଲେଜରେ ସେ ବିଷୟରେ ଛାତ୍ରମାନଙ୍କୁ ଭାଷଣ ଦିଅନ୍ତି । ଆମ କଲେଜକୁ ଅନ୍ୟ କଲେଜର ବିଶେଷଜ୍ଞ ଅଧ୍ୟାପକ ପଢ଼ାଇବାକୁ ଆସନ୍ତି ଓ ଆମ କଲେଜର ଅଧ୍ୟାପକ ଅନ୍ୟ କଲେଜରେ ଯାଇ ଭାଷଣ ଦିଅନ୍ତି । ଘୋଷା ପାଠକୁ ସେଠାରେ ଚାମଚଖିଆ ବା (ସ୍ପୁନ୍ ପିଡ଼ିଙ୍ଗ୍) କହି ପସନ୍ଦ କରନ୍ତି ନାହିଁ । ବହି ଅପେକ୍ଷା ନିଜେ ଦେଖି ଓ ହାତରେ ପରୀକ୍ଷା କରି ଶିଖିବାକୁ ବେଶୀ ପସନ୍ଦ କରନ୍ତି ।

 

ମୁଁ ପଢ଼ୁଥିବା, ଆମେରିକାର ଅନୁଷ୍ଠାନଟି ଏ ଦେଶର ଯେକୌଣସି ମେଡ଼ିକାଲ କଲେଜଠାରୁ ବଡ଼ ହେଲେ ମଧ୍ୟ ସ୍ନାତକ-ପୂର୍ବ ଡାକ୍ତରୀ ଶିକ୍ଷାପାଇଁ ଭାରତର କଲେଜମାନଙ୍କରେ ଶତାଧିକ ଛାତ୍ର ଗ୍ରହଣ କରାଗଲାବେଳେ ସେଥିରେ ମୋଟେ କୋଡ଼ିଏ ପଚିଶଟି ଛାତ୍ର ବର୍ଷକୁ ଗ୍ରହଣ କରାଯାଏ । ଘରୋଇ ଚିକିତ୍ସା କରୁଥିବା ବିଜ୍ଞ ଡାକ୍ତର ଅଧ୍ୟାପକମାନେ ବହୁ ସଂଖ୍ୟାରେ ଆସି ସେ କଲେଜରେ ଗବେଷଣା ଓ ଅଧ୍ୟାପନାର ସୁବିଧା ପାଉଥିବାରୁ ଆମ ବିଭାଗରେ ପାଠ ପଢ଼ାଇବା ପାଇଁ ସାମୟିକ ଓ ସ୍ଥାୟୀ ଶିକ୍ଷକ ମିଶି ଶତାଧିକ ଶିକ୍ଷକ କାର୍ଯ୍ୟ କରନ୍ତି । ତେଣୁ ପ୍ରତ୍ୟେକ ପିଲାର ପାଠ ପ୍ରତି ଦୃଷ୍ଟି ଦେବାକୁ ଶିକ୍ଷକଙ୍କର ଅଭାବ ରହେ ନାହିଁ ।

 

ପ୍ରତ୍ୟେକ ସହରରେ ମେଡ଼ିକାଲ କଲେଜ ବା ସରକାରୀ ହସ୍‍ପିଟାଲ ଛଡ଼ା ବହୁତଗୁଡ଼ିଏ ଘରୋଇ ଡାକ୍ତରଖାନା ରହିଛି । ସରକାରୀ ଡାକ୍ତରଖାନାରେ ଘରୋଇ ଖଟିଆର ବ୍ୟବସ୍ଥାବି ଥାଏ । ବହୁ ଘରୋଇ ଚିକିତ୍ସକଙ୍କ ଅଫିସ୍ ଗୋଟିଏ ସ୍ଥାନରେ ଗୋଟିଏ ବଡ଼ କୋଠାରେ ଥାଏ । ସେ କୋଠାକୁ ମେଡ଼ିକାଲ ଆର୍ଟ୍‍ସ୍ ବିଲିଡ଼ିଂ ବୋଲି କୁହାଯାଏ ।

 

ସେ ଦେଶରେ ରୋଗପାଇଁ ପ୍ରତ୍ୟେକ ଲୋକ ଜୀବନବୀମା କରିଥାଆନ୍ତି । ସେଥିପାଇଁ ସବୁ ମାସରେ ଅଳ୍ପକିଛି ପଇସା ଦରମାରୁ କଟିଯାଏ । ସବୁ ଲୋକଙ୍କ ପାଖରେ ଫଟୋ ସହିତ ଚିହ୍ନଟ କାର୍ଡ଼ ଖଣ୍ଡିଏ ଥାଏ । ସେଥିରେ ତାଙ୍କର ଯୋଗ୍ୟତା ଓ ମାସିକ ଆୟ ପ୍ରଭୃତି ଲେଖାଥାଏ । ଦେହ ଖରାପ ହେବା ଫୋନ୍ ପାଇବାକ୍ଷଣି ବୀମାକମ୍ପାନୀ ରୋଗୀର ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରେ । ରୋଗୀ ଯେଉଁ ଡାକ୍ତରଙ୍କଦ୍ୱାରା ଚିକିତ୍ସା ହେବାକୁ ଚାହେଁ, ସେ ଡାକ୍ତରଙ୍କୁ ତାଙ୍କ ଅଫିସ୍‍ରେ ପରାମର୍ଶ କରି ସେ ଠିକ୍ କରିବା ଡାକ୍ତରଖାନାରେ ତା’ର ଚିକିତ୍ସାର ବ୍ୟବସ୍ଥା କରାଏ ।

 

ରୋଗୀ ଯେଉଁ ଡାକ୍ତରଖାନାରେ ସ୍ଥାନ ପାଏ ତା’ର ଡାକ୍ତର ସେଇ ଡାକ୍ତରଖାନାକୁ ଯାଇ ତା’ର ସମସ୍ତ ଚିକିତ୍ସା ଓ ଅପରେସନ୍‍ ପ୍ରଭୃତି କରିବାର ସୁବିଧା ପାଆନ୍ତି । ସେ ଡାକ୍ତରଙ୍କ ନିର୍ଦ୍ଦେଶରେ ତାଙ୍କ ଅନୁପସ୍ଥିତିରେ ଓ ଜରୋର ଦରକାରବେଳେ ସ୍ନାତକୋତ୍ତର ଛାତ୍ର ବା ରେସିଡ଼େଣ୍ଟମାନେ ରୋଗୀର ସମସ୍ତ ତତ୍ତ୍ୱ ନିଅନ୍ତି ଓ ବିଶେଷ ଦରକାର ପଡ଼ିଲେ ସେ ଡାକ୍ତରଙ୍କୁ ଫୋନ୍ କରି ଡକାଇ ପଠାନ୍ତି ।

 

ଡାକ୍ତରଖାନାର ପରିଚାଳକ ରୋଗୀର ରୋଜଗାର କାର୍ଡ଼ ଦେଖି ସେହି ଅନୁସାରେ ବୀମାକମ୍ପାନୀ ମାନଙ୍କଠାରୁ ଖର୍ଚ୍ଚ ଆଦାୟ କରନ୍ତି । ପରିଚାଳକ ଡାକ୍ତରଖାନାର ପ୍ରାପ୍ୟତକ ରଖି ଡାକ୍ତରଙ୍କ ପ୍ରାପ୍ୟ ତାଙ୍କ ପାଖକୁ ପଠାଇ ଦିଅନ୍ତି । ଡାକ୍ତରଙ୍କୁ ରୋଗୀଠାରୁ ସିଧା ପଇସା ଆଦାୟ କରିବାକୁ ପଡ଼େ ନାହିଁ ।

 

ସ୍ନାତକୋତ୍ତର ଛାତ୍ରମାନଙ୍କ ଜ୍ଞାନ, ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟ ନିଷ୍ଠା ସଙ୍ଗେ ଏକାଗ୍ରତାକୁ ମଧ୍ୟ ଶିକ୍ଷକମାନେ ଖୁବ୍ ପସନ୍ଦ କରନ୍ତି । ଡାକ୍ତରଖାନାରେ ନିୟମ ଅନୁସାରେ ଦୈନିକ ଆଠଘଣ୍ଟା କାମ କରିବାକୁ ହୁଏ । ରବିବାର ବା ସପ୍ତାହ ଭିତରେ ସୁବିଧା ଅନୁସାରେ ଦିନେ ଛୁଟି ମିଳେ । ତା’ ଛଡ଼ା ମାସକେ ଆଉ ଗୋଟିଏ ଦିନ ଛୁଟି ନିଆଯାଇପାରେ ।

 

ଛୁଟି ସମୟରେ ସ୍ଥାନୀୟ ଛାତ୍ର ପ୍ରାୟ ମଉଜମଜଲିସ୍‍ରେ ମାତି ଯାଆନ୍ତି । ଯେଉଁମାନଙ୍କର ପିଲାପିଲି ଥାଏ, ସେମାନେ ଛୁଟିଗୁଡ଼ିକରେ ପିଲାପିଲିଙ୍କ ତତ୍ତ୍ୱ ନେଇ ଘରକାମରେ କଟାନ୍ତି । ମୋ ଭଳି ହଜାର ହଜାର ମାଇଲ ଦୂରରେ ଘରଦ୍ୱାର ପିଲାପିଲି ଛାଡ଼ି କେବଳ ପାଠ ପଢ଼ିବାକୁ ଯାଇଥିବା ଲୋକ ଶୀଘ୍ର ପାଠ ଶେଷ କରି ଦେଶକୁ ଫେରିଯିବା ପାଇଁ ଇଚ୍ଛା କରୁଥିବା ସ୍ୱାଭାବିକ । ଛୁଟିଦିନରେ ଅନ୍ୟ କୌଣସି କାମ ନଥିଲେ କିମ୍ୱା ଦୈନନ୍ଦିନ କାର୍ଯ୍ୟରୁ ଟିକିଏ ଫୁରୁସତ୍‍ ମିଳିଲେ ମୋତେ ଯେଉଁ ଗବେଷଣା କାର୍ଯ୍ୟ ଦିଆଯାଇଥାଏ ମୁଁ ସେଥିରେ ଲାଗିପଡ଼େ ।

 

ଜ୍ଞାନ ପ୍ରୀତି

 

ଦିନେ ରାତି ଦୁଇଟାବେଳେ ମୋର ଅଧ୍ୟାପକ ଆମ ବିଭାଗକୁ ପଶିଆସି, ମୁଁ ମୋର ଗବେଷଣା କାମରେ ନିବିଷ୍ଟ ଥିବାର ଦେଖି ଧୀରେ ଧୀରେ ମୋ ପିଠିରେ ହାତ ମାରିଲେ । ମୁଁ ଚମକି ପଡ଼ିଲି । ସେ କହିଲେ, ‘‘ଏତେ କଠିନ ପରିଶ୍ରମ କରିବା ଉଚିତ ନୁହେଁ । ରାତି ଦୁଇଟା ବାଜିଲାଣି, ଯାଅ ଶୋଇପଡ଼’’ । ମୋ ପାଟିରୁ ବାହାରି ପଡ଼ିଲା ‘‘ଏଠାରେ କ’ଣ ରାତି ଓ ଦିନର ପ୍ରଭେଦ ଅଛି ? ଏ ବିଶାଳ ମନ୍ଦିର ଭିତରେ ସୂର୍ଯ୍ୟ ପଶିବେ କିପରି ଯେ ଦିନରାତି କରିବେ ? ବିଜୁଳିବତୀର ସୁଇଚ ମାରି ଆଲୁଅ ଲିଭାଇ ଦେଲେ ରାତିହେବ, ନହେଲେ ତ ସବୁବେଳେ ଦିନ । ଯେତେବେଳେ ନିଦ ଲାଗିବ ଆଲୁଅ ଲିଭାଇ ଯାଇ ଶୋଇବି, ଏବେ ନିଦ ନ ଲାଗିବାରୁ ଆସି ମୋ କାମ କରୁଛି ।’’

 

ସେ ମନେମନେ ନିଶ୍ଚୟ ଖୁସି ହୋଇଥିବେ, କାରଣ ତାଙ୍କ ଭଳି ବୈଜ୍ଞାନିକଙ୍କ ପାଖରେ ନିଜ, ପରର ଭେଦ ନାହିଁ । ସେମାନେ ବୈଜ୍ଞାନିକ ଗବେଷଣାକୁହିଁ ପସନ୍ଦ କରନ୍ତି । ମୁଁ ଯେଉଁ କାମଟି କରୁଥିଲି ସେ କାମଟି ସେ ମୋତେ ଦେଇଥିଲେ । ସେ କାମଟି ନିରବଚ୍ଛିନ୍ନ ଭାବରେ ଲାଗିରହି କରିବା ଦରକାର ଥିଲା । ତେଣୁ ମୁଁ ସେ କାମ କରୁଛି କି ଛାଡ଼ିଦେଇ ଶୋଇ ପଡ଼ିଛି ସେ କଥା ଦେଖିବାକୁ ହୁଏତ ସେ ଆସିଥିଲେ ।

 

ଏହାପରେ ଜଣେ ହୃଦ୍‍ରୋଗ ବିଶେଷଜ୍ଞ ଗବେଷଣାରେ ସାହାଯ୍ୟ କରିବାକୁ ମୋତେ ଗୋଟିଏ ଦାୟିତ୍ୱ ଯୁକ୍ତ ପରୀକ୍ଷା କାର୍ଯ୍ୟପାଇଁ ସୁପାରିସ୍‍ କରିଥିଲେ । ମୋତେ ସେ କାମରେ ଲଗାଇବାର ପଦ୍ଧତି ମଧ୍ୟ ଅଭିନବ ଥିଲା । ଦିନେ ମୁଁ ମୋ ଟେବୁଲ ପାଖରେ ବସି କାମ କରୁଛି, ସେ ମୋ ପାଖରେ ଆସି ଠିଆହୋଇ କହିଲେ ‘‘ତୁମ ହସହସ ମୁହଁଟି ଆଜି କାହିଁକି ଶୁଖି ଯାଇଛି ? ଘରୁ କ’ଣ କିଛି ଅଭାବ କଥା ଲେଖା ଚିଠି ଆସିଛି ? ପିଲାପିଲି କ’ଣ ଆର୍ଥିକ ଅସୁବିଧାରେ ପଡ଼ିଛନ୍ତି ? ମୁଁ ଏ ସବୁର କ’ଣ ଉତ୍ତର ଦେବି ଠିକ୍ କରି ନ ପାରି ଖାଲି ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିଲି-। ସେ ପୁଣି କହିଲେ, ‘‘ବର୍ତ୍ତମାନ ଦୁଇହଜାର ଟଙ୍କା ହେଲେ ହେବ ?’’ ମୁଁ ନୀରବ ରହିଲି-

 

ଅଳ୍ପ ସମୟ ପରେ ସେହି ଅଧ୍ୟାପକ (ଡାକ୍ତର ମ୍ୟାକମାନ୍)ଙ୍କ ସେକ୍ରେଟାରୀ ହସି ହସି ମୋ ଟେବୁଲ ଉପରେ ଲଫାଫାଟିଏ ରଖି ଚାଲିଗଲେ । ସେଥିରେ ଦୁଇ ହଜାର ଟଙ୍କାର ଚେକଟିଏ ଓ ନିଯୁକ୍ତିପତ୍ରଟିଏ ଥିଲା ।

 

ଅପରେସନ୍, ରକ୍ତନାଳୀ ରୋଗ ଓ ଦୁର୍ଘଟଣାମାନଙ୍କରେ ରକ୍ତ ଦେହରେ ଚର୍ବି ବା ତୈଳଅଂଶ ବେଳେବେଳେ ପଶିଯାଇ ହୃତ୍‍ପିଣ୍ଡକୁ ରକ୍ତ ଯୋଗାଉଥିବା କରୋନାରୀ ରକ୍ତନାଳୀରେ ଅଟକି ଯାଇ ହୃତ୍‍ପିଣ୍ଡର କାର୍ଯ୍ୟ ବନ୍ଦ କରିବାଦ୍ୱାରା ଲୋକର ମୃତ୍ୟୁ ହୁଏ । ଏପରି ତୈଳବିନ୍ଦୁ କେଉଁବାଟେ ଯାଏଁ ଓ ସାଧାରଣତଃ କେଉଁଠି ଅଟିକିବାର ସମ୍ଭାବନା ଅଛି, ସେଥିପାଇଁ କୁକୁର ପ୍ରଭୃତି ଜୀବର ହୃତ୍‍ପିଣ୍ଡରେ ଓ ବିଭିନ୍ନ ନଳୀରେ ଚର୍ବିବିନ୍ଦୁ ଇନ୍‍ଜେକ୍‍ସନ ଦେଇ ହୃଦ୍‍ରୋଗ ବିଶେଷଜ୍ଞ ଜର୍ମାନ ଡାକ୍ତର ଅଧ୍ୟାପକ ‘ବିଂ’ ଗବେଷଣା କରୁଥାଆନ୍ତି ।

 

ସେଥିପାଇଁ ବିଭିନ୍ନ ପେଶୀକୁ କାଟି ବିଭିନ୍ନ ରାସାୟନିକ ଓ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରି ଚର୍ବି ବିନ୍ଦୁର ଗତିପଥ ନିରୂପଣ କରି ଜଣାଇବା ପାଇଁ ମୋତେ ସେ ନିଯୁକ୍ତିଟି ମିଳିଲା । ବୋଝ ଉପରେ ନଳିତା ବିଡ଼ା । ହସ୍‍ପିଟାଲ କାମ କରିବି, ପିଲାଙ୍କୁ ପାଠ ପଢ଼ାଇବି, ନିଜ ପାଠ ପଢ଼ିବି, ନିଜର ପାଠପାଇଁ ଦରକାର ଗବେଷଣା କରିବି, ତା’ ସାଙ୍ଗକୁ ପୁଣି ଅନ୍ୟର ଗବେଷଣାରେ ଲାଙ୍ଗୁଡ଼ ହେବି । ତଥାପି ମୁଁ ମନେମନେ ଭାବିଲି, ହେଉ ଏ ଭାଗ୍ୟ କାହାକୁ ସହଜରେ ମିଳେ ! ଅଧିକା ଅର୍ଥ ତ କିଛି ମିଳିବ ! ସମୟ ନଷ୍ଟ କରି ବୃଥାରେ ବୁଲାବୁଲି ନ କରି ଅଧିକା କାମ କିଛି କଲେ କ୍ଷତି କ’ଣ-? ମୋତେ ମିଳିବା ସେ ପଇସା ଅବଶ୍ୟ ହସ୍‍ପିଟାଲ ବା କଲେଜ ଫଣ୍ଡରୁ ଆସେ ନାହିଁ-। ଆମେରିକାର ବ୍ୟବସାୟୀମାନେ ବିଜ୍ଞାନ ଗବେଷଣା ପାଇଁ ଅର୍ଥ ଦାନ କଲେ ସେମାନଙ୍କୁ ଇନ୍‍କମ ଟିକସ ରିହାତି ମିଳେ । ବିଜ୍ଞାନ ବିଭାଗର ଅଧ୍ୟାପକମାନେ ସେମାନଙ୍କ ବିଭାଗର ସର୍ବେସର୍ବା ହୋଇଥିବାରୁ ସେମାନଙ୍କ ହାତରେ ବ୍ୟବସାୟୀମାନେ ଟଙ୍କା ଦିଅନ୍ତି । ସେମାନେ ଲୋକ ବାଛି ଗବେଷଣା କରାନ୍ତି ।

 

ଡାକ୍ତର ହ୍ରଷ୍ଟବୋଲି ଚିକାଗୋର ଜଣେ ଲେଡ଼ି ଡାକ୍ତର ମୋ ସଙ୍ଗେ ରେସିଡ଼େଣ୍ଟ ଭାବରେ କାମ କରୁଥାଆନ୍ତି । ତାଙ୍କୁ ପାଠପଢ଼ା ଏମ୍.ଏସ୍. ପାଠ୍ୟକ୍ରମରେ ସ୍ଥାନ ମିଳି ନ ଥାଏ । ରେସିଡ଼େଣ୍ଟ ଭାବରେ ଆମ ଦୁହିଁକୁ ସମାନ ଷ୍ଟାଇପେଣ୍ଡ ପଇସା ମିଳେ । ମୁଁ ସୁବିଧା ଦେଖି ମୋର ବିଭିନ୍ନ କାମସବୁ ଭିନ୍ନ ଭିନ୍ନ ସମୟରେ କରିବାକୁ ରଖିଦିଏ । ବେଳେବେଳେ ରାତିରେ କରିଥିବା ଶବ ବ୍ୟବଚ୍ଛେଦ କିମ୍ୱା କର୍କଟରୋଗ ପେଶୀ ପରୀକ୍ଷାର ସ୍ଲାଇଡ଼୍ ସବୁ ପରେ ପରୀକ୍ଷା କରିବାପାଇଁ ରଖି ମୁଁ ମୋ ପାଠ୍ୟକ୍ରମର କ୍ଲାସ୍ ସବୁରେ ଯୋଗ ଦେବାକୁ ଚାଲିଯାଏ । ହ୍ରଷ୍ଟଙ୍କର ଅନ୍ୟ କାର୍ଯ୍ୟ କିଛି ନ ଥିବାରୁ ତାଙ୍କର ସେପରି କାର୍ଯ୍ୟସବୁ ସେ ଶେଷ କରିଦେଇ ମୁଁ ମୋ କାର୍ଯ୍ୟ ସାରୁନାହିଁ ବୋଲି ମୋ ନାମରେ ଆପତ୍ତି କରନ୍ତି ।

 

ମଣିଷମାତ୍ରେ ଈର୍ଷାର ବଶବର୍ତ୍ତୀ । ତାଙ୍କର ମୋ ଉପରେ ଈର୍ଷା ଥାଏ । ମୁଁ ମୋ କାମସବୁ ପକାଇ ରଖି ସେମାନଙ୍କ କାର୍ଯ୍ୟରେ ଅସୁବିଧା ସୃଷ୍ଟି କରୁଛି ବୋଲି ସେ ଅଧ୍ୟାପକଙ୍କ ନିକଟରେ ଅଭିଯୋଗ କଲେ । ଅଧ୍ୟାପକ ମୋତେ ଡକାଇ ନେଇ ହ୍ରଷ୍ଟଙ୍କ ସାମନାରେ ମୃଦୁ ଭର୍ତ୍ସନା କଲେ । ହ୍ରଷ୍ଟ ସେଠାରୁ ଚାଲି ଯିବାପରେ ଅଧ୍ୟାପକ ହସି ହସି ମୋତେ କହିଲେ ‘‘ସେ ଝିଅଟିର ମୁଣ୍ଡ ଟିକିଏ ଅଡ଼ୁଆ, ତୁମେ ତା’ ସଙ୍ଗେ ଯୁକ୍ତିତର୍କ ନ କରି ତୁମ କାର୍ଯ୍ୟ କରିଯାଅ ।’’

 

ହୃଦୟବତ୍ତା ଓ ଛାତ୍ରବାତ୍ସଲ୍ୟ

 

ଆଉ ଗୋଟିଏ ଘଟଣା । ଅନେକ ଦିନଧରି ପିତାଙ୍କଠାରୁ ମୋର କୌଣସି ଚିଠିପତ୍ର ଆସିଲା ନାହିଁ । ଘରର ଲୋକ ମଧ୍ୟ ତାଙ୍କ ବିଷୟରେ କିଛି ଜଣାଇଲେ ନାହିଁ । କିଛିଦିନ ପରେ ପିତାଙ୍କର ଜଣେ ପୁରୁଣା ବନ୍ଧୁ, ପିତାଙ୍କର ପକ୍ଷାଘାତ ରୋଗ ହୋଇ ସେ ଦେଶୀ ଚିକିତ୍ସା ଅନୁସାରେ ଚିକିତ୍ସିତ ହେଉଥିବା କଥା ମୋତେ ତାଙ୍କ ଚିଠିରେ ଜଣାଇଲେ ।

 

ମୁଁ ଜଣେ ଡାକ୍ତର ହୋଇ ମଧ୍ୟ, ଏପରି ରୋଗରେ ସେ ଡାକ୍ତରୀ ଚିକିତ୍ସାର ସୁବିଧା ପାଇଲେ ନାହିଁ । ଏହିକଥା ମୋ ମୁଣ୍ଡରେ ପଶି ମୁଁ ଅର୍ଦ୍ଧପାଗଳ ପରି ହୋଇଗଲି । ବିଛଣାପତ୍ର ବାନ୍ଧି ଭାରତକୁ ଫେରି ଆସିବି ବୋଲି ଠିକ୍ କଲି ।

 

ଅଧ୍ୟାପକଙ୍କ ଠାରୁ ବିଦାୟ ନେବାକୁ ଯିବାରେ ସେ ସବୁ ଶୁଣି ମୋତେ ବଲବଲ କରି ଚାହିଁଲେ ଓ କିଛି ସମୟ ନୀରବ ରହିଲେ । ତା’ପରେ ସେ କହିଲେ ‘‘ମୋର ଛୋଟ କଥାଟିଏ ଶୁଣିବ ? ବିବ୍ରତ ହୋଇ ହଠାତ୍ କିଛି କରିପକାଇବା ଉଚିତ ନୁହେଁ । ପ୍ରକୃତ ଅବସ୍ଥା ଜାଣିବାପାଇଁ ତୁମେ ‘ରିପ୍ଲାଇ କ୍ୟାବଲ’ ବା ପାଲଟା ତାରଟିଏ ଘରକୁ ପଠାଅ, ଉତ୍ତର ଆସିଲେ ବାପାଙ୍କ ଅବସ୍ଥା କିପରି ଅଛି ଜାଣିଲା ପରେ ଯିବା ନ ଯିବା ସ୍ଥିର କରିବ ।

 

ମୁଁ ଘରକୁ ତାରକଲି । ତିନିଦିନ ପରେ ଉତ୍ତର ଆସିଲା, ପିତା ଭଲ ଅଛନ୍ତି ଓ ତାଙ୍କ ବିଧାନସଭା କାର୍ଯ୍ୟରେ ପୂର୍ବପରି ଯୋଗ ଦେଉଛନ୍ତି । ସେ ‘ତାର’ଟି ଦେଖି ଅଧ୍ୟାପକ ମୋତେ କହିଲେ, ‘‘ତୁମକୁ ସେତେବେଳେ ଦେଖି ମୋର ମନେହେଲା, ତୁମେ ଅତ୍ୟଧିକ ବିବ୍ରତ ହୋଇ ପାଠ ଓ ହିତାହିତ ଜ୍ଞାନସବୁ ଭୁଲିଯାଇଛ । ଜଣେ ବୈଜ୍ଞାନିକ ହିସାବରେ ତୁମେ ଜାଣ, ମସ୍ତିଷ୍କଜନିତ ପକ୍ଷାଘାତ ରୋଗ ଏକାବେଳେ ପ୍ରାଣ ଘେନି ଯାଇପାରେ କିମ୍ୱା ଘନଘନ ଆକ୍ରମଣ କରିପାରେ ଅବା ପ୍ରଥମ ଆକ୍ରମଣ ପରେ ଆଉ ୨୦, ୨୫ ବର୍ଷଧରି ସେ ରୋଗ ଦେଖା ନ ଦେଇପାରେ । ନିଜ ଲୋକ ବେମାର ପଡ଼ିଲେ ଅନେକ ସମୟରେ ନିଜେ ଯେତେ ଜାଣିଥିଲେ ମଧ୍ୟ ସେତେବେଳେ ଧୈର୍ଯ୍ୟ ହରାଇ ସେ ସବୁ ପାସୋରି ପକାଏ ।

 

ସେ ଆହୁରି କହିଲେ, ‘‘ତୁମେ ଜାଣ, ମୋତେ ଗତ ତିନିଦିନ ହେଲା ନିଦ ହୋଇ ନାହିଁ କି ଖାଇବାକୁ ଇଚ୍ଛାମଧ୍ୟ ହେଉ ନଥିଲା । ମୁଁ ଭାବିଥିଲି, ତୁମେ ଯେପରି ପଢ଼ୁଚ ଓ ପରିଶ୍ରମ କରୁଛ ଯଦି ସେହିପରି କର ଆଉ କେତେ ମାସ ଭିତରେ ତୁମେ ତୁମର କାର୍ଯ୍ୟରେ ସିଦ୍ଧି ଲାଭକରି ଡିଗ୍ରୀ ଘେନି ଘରକୁ ଫେରି ଯାଇ ପାରିବ । ବର୍ତ୍ତମାନ ହଠାତ୍ ଡିଗ୍ରୀ ଯୋଗ୍ୟତା ହାସଲ ନ କରି ଚାଲିଗଲେ ତୁମ ଅବସ୍ଥା ‘ବାରବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା’ପରି ହେବ । ତୁମର ଯେ ଆର୍ଥିକ ଅବସ୍ଥା ସେଥିରେ ତୁମେ ଆଉଥରେ ଫେରିଆସି ତୁମ କାର୍ଯ୍ୟ ପୂର୍ଣ୍ଣ କରିବାର ସମ୍ଭାବନା ନାହିଁ । ତେଣୁ ମୁଁ ବଡ଼ ଚିନ୍ତିତ ଥିଲି । ଏବେ ଖବରପାଇ ଆଶ୍ୱସ୍ତ ହେଲି ।’’

 

ଅଧ୍ୟାପକ ଡାକ୍ତର ମ୍ୟାକ୍‍ମାନସ ପୃଥିବୀରେ ଜଣେ ପ୍ରତିଷ୍ଠିତ ରୋଗନିର୍ଣ୍ଣୟ ବୈଜ୍ଞାନିକ-। ମୋର ପାଠପଢ଼ାକାର୍ଯ୍ୟ ଛଡ଼ା ତାଙ୍କ ସଙ୍ଗେ ମୋର ବା କି ଅଧିକା ସମ୍ପର୍କ । ସେ ଗୋରା-। ମୁଁ କଳା । କିନ୍ତୁ ସେ କେଡ଼େ ଉଦାର ହୃଦୟ ବ୍ୟକ୍ତି ! ତାଙ୍କ ପାଖରେ ମୋ ମୁଣ୍ଡ ନଇଁଗଲା । ମୁଁ ଆଉ ଭାବପ୍ରବଣ ନ ହୋଇ ପାଠ ଶେଷ କରିସାରି ଦେଶକୁ ଫେରିବି ବୋଲି ସ୍ଥିର କଲି ।

 

ରୋଗନିର୍ଣ୍ଣୟ ଆଲୋଚନା

 

ବର୍ମିଙ୍ଗହାମ ମେଡ଼ିକାଲ ସେଣ୍ଟର ଏବେବି ଗୋଟିଏ ପୃଥିବୀବିଖ୍ୟାତ ହୃତ୍‍ପିଣ୍ଡ ରୋଗ ଚିକିତ୍ସା ଓ କର୍କଟରୋଗ ପ୍ରଭୃତି ଚିକିତ୍ସାର ପ୍ରଧାନ କେନ୍ଦ୍ର । ପୃଥିବୀର ନାନା ଦେଶରୁ ରୋଗୀମାନେ ଯାଇ ସେଠାରେ ଚିକିତ୍ସା ହୁଅନ୍ତି । କଟକର ମଣିସାହୁ ଛକର ଶ୍ରୀ ମହେଶ୍ୱର ସାହୁ ସେଠାରେ ହୃତ୍‍ପିଣ୍ଡ ଅପରେସନ୍‍ କରାଇ ଆରୋଗ୍ୟ ଲାଭକରି ଫେରିଥିଲେ । ବିଖ୍ୟାତ ରାସାୟନିକ ବୈଜ୍ଞାନିକ ଡାକ୍ତର ‘ଇଉ’ ସେତେବେଳର ଆମେରିକାର ପ୍ରଧାନ ଚିକିତ୍ସକ ସମ୍ମାନ ପାଇଥିବା ଡାକ୍ତର ହାରିସନଙ୍କ ପରି ବହୁ ବିଖ୍ୟାତ ବୈଜ୍ଞାନିକ ଡାକ୍ତର ସେଠାରେ ଚିକିତ୍ସା ଓ ଅଧ୍ୟାପନା କରନ୍ତି-

 

ଯକ୍ଷ୍ମାରୋଗ ପରି ଲକ୍ଷଣ ପ୍ରକାଶ କରୁଥିବା ଅଚିହ୍ନା ରୋଗ ଭୋଗ କରୁଥିବା ଗୋଟିଏ ରୋଗୀ ଅଧ୍ୟାପକ ହାରିସନ୍‍ଙ୍କ ଚିକିତ୍ସାଧୀନ ଥିଲା । ଯକ୍ଷ୍ମା ରୋଗର ଲକ୍ଷଣ ପ୍ରକାଶ କଲେ ମଧ୍ୟ ଯକ୍ଷ୍ମାରୋଗର ଔଷଧ ବା ଚିକିତ୍ସା ସେ ରୋଗୀ ଉପରେ କୌଣସି ପ୍ରଭାବ ପକାଉ ନଥିଲା ।

 

ରୋଗୀଟିର କଫ, ରକ୍ତ ଫୁସ୍‍ଫୁସ୍‍ର ଅଂଶ ସବୁ ପରୀକ୍ଷା କରାଗଲା । ଯକ୍ଷ୍ମାରେ ପେଶୀମାନଙ୍କର ଯେପରି ପରିବର୍ତ୍ତନ ହୁଏ ସେପରି ହୋଇଥିଲେ ମଧ୍ୟ ଯକ୍ଷ୍ମା ଜୀବାଣୁ ମିଳୁ ନଥିଲେ-। ସେ ରୋଗୀକୁ କୌଣସି ଔଷଧ ନ ଧରି ଦିନକୁଦିନ ସେ ଖରାପ ଆଡ଼କୁ ଗତିକରି ଶେଷରେ ତା’ର ମୃତ୍ୟୁ ହେଲା ।

 

ମୃତ୍ୟୁପରେ ଶବ ବ୍ୟବଚ୍ଛେଦ ହୋଇ ତା’ର ସମସ୍ତ ଯନ୍ତ୍ର ଓ ପେଶୀ ପରୀକ୍ଷା ହେଲା । ଫୁସ୍‍ଫୁସ୍‍ର ପେଶୀକୁ ଯେତେପ୍ରକାର ଚାଲୁ ପରୀକ୍ଷାଦ୍ୱାରା ପରୀକ୍ଷା କରାଗଲା, ଯକ୍ଷ୍ମାର ଜୀବାଣୁ ଆଦୌ ମିଳିଲେ ନାହିଁ । ମୋର ଅଧ୍ୟାପକ ଜଣେ ବିଶ୍ୱବିଖ୍ୟାତ ପେଶୀରାସାୟନବିତ୍ । ସେ ଶରୀରରେ ଥିବା ବିଭିନ୍ନ ରାସାୟନିକ ଦ୍ରବ୍ୟକୁ ରଙ୍ଗ କରାଇ ନୂଆ ନୂଆ ଉପାୟରେ ରୋଗ ନିର୍ଣ୍ଣୟ କରିବାର ପ୍ରଣାଳୀ ଉଦ୍ଭାବନ କରୁଥିଲେ ।

 

ମୁଁ କୌଣସି ରୋଗଜୀବାଣୁ ନ ପାଇ ଖଣ୍ଡିଏ ଫୁସ୍‍ଫୁସ୍ ପେଶୀ ନେଇ ଖେଳିଲାପରି ମ୍ୟାକମାନସଙ୍କ ଚିନିଜାତୀୟ ଦ୍ରବ୍ୟ ନିର୍ଣ୍ଣୟ କରିବା ପ୍ରଣାଳୀରେ ରଙ୍ଗ ଦେଇ ପରୀକ୍ଷା କରୁଥିଲି । ତାହାକୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲାବେଳକୁ ଗୋଲ ଗୋଲ ହୋଇ ଗୁଡ଼ିଏ କ୍ଷୁଦ୍ର ମଞ୍ଜିପରି ବ୍ଲାଷ୍ଟୋମାଇକୋସିସ ନାମକ ଫିମ୍ପି ଦେଖାଗଲା । ସେ ଫିମ୍ପିର ଜୀବକୋଷ ଚିନିଜାତୀୟ ଦ୍ରବ୍ୟରେ ଗଢ଼ା ହୋଇଥିବାରୁ ସେ ଧରାପଡ଼ିଲା । ସେଇ ଫିମ୍ପି ଚମଡ଼ା ଉପରେ ଏକପ୍ରକାର ଯାଦୁ କରିବାର ଜଣାଥିଲା । କିନ୍ତୁ ଫୁସ୍‍ଫୁସ୍‍ରେ ବା ଶରୀର ଭିତରର ଅନ୍ୟ ଯନ୍ତ୍ରମାନଙ୍କରେ ପଶି ଯକ୍ଷ୍ମାପରି ରୋଗ କରାଇବା ଜଣା ନଥିଲା । ମୁଁ ଅଧ୍ୟାପକଙ୍କୁ ଦେଖାଇବା ପରେ ତାଙ୍କ ନିର୍ଦ୍ଦେଶରେ ସେ ସବୁର ଫଟୋ ନେଇ ସ୍ଲାଇଡ଼ କରି ପାଖରେ ରଖିଲି ।

 

ଅଚିହ୍ନାରୋଗ ଓ ଚିକିତ୍ସା ଶୁଣୁ ନ ଥିବା ସାଂଘାତିକ ରୋଗ ପ୍ରଭୃତି ରୋଗ କରୁଥିବା ରୋଗୀ ଓ ମୃତରୋଗୀମାନଙ୍କ ବିଷୟରେ ମାସକେ ୨, ୪ ଥର ସମୂହ ଆଲୋଚନା ସଭା ବସେ । ସେଥିରେ ସବୁ ବିଭାଗର ଡାକ୍ତରମାନେ ନିଜ ନିଜର ମତ ପ୍ରକାଶ କରନ୍ତି । ସେଥିରେ ବାହାରର ଡାକ୍ତର ଓ ରୋଗ ଗବେଷକମାନେ ମଧ୍ୟ ଯୋଗ ଦିଅନ୍ତି ।

 

ସେ ରୋଗୀଟି ସମ୍ୱନ୍ଧରେ ଗୋଟିଏ ଆଲୋଚନା ସଭା ବସିଲା । ସେ ଭୋଗ କରିଥିବା ରୋଗଟି ଗୋଟିଏ ନୂଆ ଧରଣର ଓ ଔଷଧ ଅମାନିଆ ଯକ୍ଷ୍ମାରୋଗ ବୋଲି ଅଧ୍ୟାପକ ହାରିସନ୍ ନାନା ଯୁକ୍ତି ବାଢ଼ି ପ୍ରମାଣ କଲେ । ଅନ୍ୟ ବହୁତ ବିଶେଷଜ୍ଞବି ସେହିପରି ମତ ଦେଇ ତାଙ୍କୁ ସମର୍ଥନ କଲେ ।

 

ଶେଷରେ ମୋତେ ରୋଗନିର୍ଣ୍ଣୟ ବିଭାଗ ପକ୍ଷରୁ ରୋଗୀ ସମ୍ୱନ୍ଧରେ ସମସ୍ତ ପରୀକ୍ଷାର ରିପୋର୍ଟ, ରୋଗର ଆକ୍ରାନ୍ତ ପେଶୀ ଓ ଅଣୁବିକ୍ଷଣୀୟ ଛବି ସବୁ ଉପସ୍ଥାପିତ କରିବାପାଇଁ ନିର୍ଦ୍ଦେଶ ହେଲା । ଅଧ୍ୟାପକ ମ୍ୟାକ୍‍ମାନସ ମୋ ପଛରେ ବସି ମୁଣ୍ଡ ହଲାଇ ମୁଡ଼ୁକି ମୁଡ଼ୁକି ହସୁଥିଲେ ।

 

ମୁଁ ପେଶୀ ପ୍ରଭୃତି ଦେଖାଇ ସାରି ଯେତେବେଳେ ‘ପ୍ରୋଜେକ୍ଟର୍’ ସାହାଯ୍ୟରେ ବ୍ଲାଷ୍ଟୋମାଇକୋସିସ ଫିମ୍ପିଦ୍ୱାରା ଆକ୍ରାନ୍ତ ଫୁସ୍‍ଫୁସ୍‍ର ଛବି ଧଳା ପରଦା ଉପରେ ଦେଖାଇ ଦେଲି ସେତେବେଳେ ସମସ୍ତେ ସ୍ତମ୍ଭିତ ହୋଇଗଲେ ।

 

ହାରିସନ୍ ତାଙ୍କ ସ୍ଥାନରୁ ଉଠିପଡ଼ି ମ୍ୟାକ୍‍ମାନସଙ୍କୁ ଚାହିଁ କହିଲେ ‘‘ହଇଓ ଏଥିରୁ ଗୋଟାଏ ସାପୁଆକେଳା ଭାରତରୁ ଆଣି ଏଠାରେ ଠିଆ କରାଇଦେଲ ? ସେ ତା’ ଥଳିରୁ ଏପରି ଗୋଟାଏ ନାଗସାପ କାଢ଼ି ଆମ ଉପରକୁ ଫୋପାଡ଼ି ଦେଲା ।’’ ଏହା କହି ସେ ମୋ ସଙ୍ଗେ ଓ ମ୍ୟାକ୍‍ମାନସଙ୍କ ସଙ୍ଗେ ହାତ ମିଳାଇଲେ । ହସ ବୃଷ୍ଟିରେ ସଭା ଭାଙ୍ଗିଲା ।

 

ମୋର ଗବେଷଣା ଶେଷ ହେବାପରେ କଲେଜର ଡିନ୍ ବା ପ୍ରିନ୍‍ସିପାଲ ଗ୍ରଫେସ୍‍ର ଭୋଲକାର ଦିନେ ଗୋଟିଏ ସାନ୍ଧ୍ୟଭୋଜିର ଆୟୋଜନ କରି ମୋତେ ଓ ମୋର ଅଧ୍ୟାପକ ମ୍ୟାକ୍‍ମାନସଙ୍କୁ ଡକାଇଲେ । ଜଣେ ବିଶିଷ୍ଟ ବୈଜ୍ଞାନିକ ଭାବରେ ସେ ମ୍ୟାକ୍‍ମାନସଙ୍କର ଜଣେ ପରମ ବନ୍ଧୁ ଓ ଗବେଷଣା ମାନଙ୍କପାଇଁ ଅକାତରରେ କଲେଜ ପାଣ୍ଠିରୁ ତାଙ୍କୁ ଦରକାର ଅନୁସାରେ ଅର୍ଥ ଯୋଗାନ୍ତି ।

 

ମୋର ଡିନ୍‍ଙ୍କ ସହିତ ପରିଚୟ ନଥିଲା ତାଙ୍କ ସଙ୍ଗେ ଦେଖା କରିବା ମଧ୍ୟ ଦରକାର ପଡ଼ୁ ନଥିଲା । ସେ ମୋ ସଙ୍ଗେ କରମର୍ଦ୍ଦନକରି ହସି ହସି କହିଲେ, ମୁଁ ତୁମକୁ ଦେଖିବାପାଇଁ ମାତ୍ର ଆଜି ଏ ଭୋଜିର ଆୟୋଜନ କରିଛି । ତୁମ ଗବେଷଣାପାଇଁ ମ୍ୟାକ୍‍ମାନସ ବହୁତ ଅର୍ଥ ଦେଇଛନ୍ତି-। ମୁଁ ତୁମ ମୁହଁ କେବେ ଦେଖି ନ ଥିବାରୁ ସେ ସବୁ ଅର୍ଥ ନେଇ ଗବେଷଣା କରୁଛନ୍ତି କି ରିଫ୍ରେଜେଟର ପ୍ରଭୃତି କିଣି ମଉଜ କରୁଛନ୍ତି ତାହା ଜାଣି ପାରୁ ନଥିଲି । ତେଣୁ ଶେଷରେ ମଧ୍ୟ ଥରେ ତୁମ ମୁହଁ ଦେଖିବାକୁ ଚାହିଁଲି ।

 

ମୁଁ ତା’ର ଉତ୍ତରରେ କହିଲି, ‘‘ମୁଁ ଜାଣି ଜାଣିକରି ଆପଣଙ୍କୁ ମୁହଁ ଦେଖାଇ ନାହିଁ, ଗବେଷଣାର ଫଳାଫଳ ମାତ୍ର ଜଣାଇଛି ।’’ ମୁଁ ଏତିକି କହିବାମାତ୍ରେ ମ୍ୟାକ୍‍ମାନସ ମୋ ଆଡ଼କୁ ଚାହିଁ ହସି ହସି କହିଲେ ‘‘ତାଙ୍କର ବୋଧେ ଗବେଷଣା ଅପେକ୍ଷା ମୁହଁ ଦେଖିବା ବେଶୀ ଦରକାର ଥିଲା । ଏଣିକି ଗବେଷଣା ନ କରାଇ ମୁଁ ପ୍ରତିଦିନ ମୁହଁ ଦେଖାଇବାକୁ ଗବେଷକମାନଙ୍କୁ ତାଙ୍କ ପାଖକୁ ପଠାଇବି ।’’ ଏ ଉତ୍ତରରେ ଡିନ୍ ମଧ୍ୟ ହସି ଉଠି ମ୍ୟାକ୍‍ମାନସଙ୍କ ସଙ୍ଗେ ପୁଣି କରମର୍ଦ୍ଦନ କଲେ ।

Image

 

Unknown

ବିଜ୍ଞାନୀ ସାଧୁ

ବିଦେଶୀ ବୈଜ୍ଞାନିକ

 

ଡାକ୍ତରୀ ବିଦ୍ୟାର ବହୁ ବଡ଼ବଡ଼ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସହିତ ପରିଚିତ ହେବା ମୋ ଭଳି ଜଣେ ସ୍ନାତକୋତ୍ତର ଛାତ୍ର ପକ୍ଷରେ ସ୍ୱାଭାବିକ; କିନ୍ତୁ ଭାଗ୍ୟବଶତଃ ମୋତେ ଅନ୍ୟ ବିଜ୍ଞାନ ବିଦ୍ୟା, କଳା ସ ଦର୍ଶନ ଶାସ୍ତ୍ରର ବିଶେଷଜ୍ଞଙ୍କ ସାନ୍ନିଧ୍ୟଲାଭ କରିବାର ସୁଯୋଗମଧ୍ୟ ମିଳିଥିଲା ।

 

ଆମେରିକା ବିଜ୍ଞାନର ସବୁଦିଗରେ ପ୍ରଭୂତ ଉନ୍ନତି କରିଛି । ପୁରୁଣା ଆମେରିକାବାସୀଙ୍କ ଛଡ଼ା ଦ୍ୱିତୀୟ ମହାସମର ସମୟରେ ହିଟ୍‍ଲରଙ୍କଦ୍ୱାରା ପ୍ରପୀଡ଼ିତ ୟୁରୋପରୁ ବିତାଡ଼ିତ ହୋଇଥିବା ବା ସ୍ୱଇଚ୍ଛାରେ ଆମେରିକାକୁ ପଳାଇ ଆସିଥିବା ବହୁ ବିଜ୍ଞ ବୈଜ୍ଞାନିକମାନଙ୍କର ସେ ଦେଶର ବୈଜ୍ଞାନିକ ଅଗ୍ରଗତିରେ ହାତ ରହିଛି ।

 

ଆଇନ୍‍ଷ୍ଟାଇନ୍‍ଙ୍କ ପରି ବହୁ ବିରାଟ ବୈଜ୍ଞାନିକ ୟୁରୋପରୁ ଚାଲିଆସି ଆମେରିକାରେ ବୈଜ୍ଞାନିକ ଗବେଷଣା ଚଳାଇଥିଲେ । ସେମାନେ ଅଧ୍ୟାପକ ଭାବରେ ତାଲିମଦେଇ ବହୁ ବଡ଼ବଡ଼ ବୈଜ୍ଞାନିକ ସୃଷ୍ଟି କରିଛନ୍ତି ।

 

ୟୁରୋପରୁ ଚାଲି ଆସିଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ଚେକୋସ୍ଳୋଭାକିଆର ଡକ୍ଟର ହୁଏରଙ୍କ ସଙ୍ଗେ ମୋର ହଠାତ୍ ପରିଚୟ ହୋଇଥିଲା । ଡକ୍ତର କାରେଲ୍‍ହୁଏର ଡି.ଏସ୍‍ସି.ଏଫ୍.ଆରଏସ୍ ଆମେରିକା ଟେନେସୀ ପ୍ରଦେଶର ଚାଟାନୁଗା ବିଶ୍ୱବିଦ୍ୟାଳର ପଦାର୍ଥ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ ବିଭାଗର ସମ୍ମାନିତ ‘ଗୁରେ’ ଅଧ୍ୟାପକ ଓ ଆମେରିକାର ବିଖ୍ୟାତ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ଜୋନ୍‍ସ ଅବଜରଭେଟୋରୀର ସମ୍ମାନିତ ଡାଇରେକ୍ଟର୍ ।

 

ପୃଥିବୀର ଶ୍ରେଷ୍ଠ ବୈଜ୍ଞାନିକ ଆଇନ୍‍ଷ୍ଟାଇନ୍‍ଙ୍କର ସେ ଜଣେ ପଟ୍ଟଶିଷ୍ୟ ଓ ଘନିଷ୍ଠ ଥିଲେ-। ଆଇନ୍‍ଷ୍ଟାଇନ୍ ୟୁରୋପରୁ ଆସିବା ପରେ ସେ ମଧ୍ୟ ଚାଲି ଆସିଥିଲେ । ଆସିବାବେଳେ ଚେକୋସ୍ଳୋଭାକିଆର ପ୍ରେଗ୍ ସହରର ଜଣେ ପ୍ରସିଦ୍ଧ ଚିତ୍ରକର ଆଙ୍କିଥିବା ଆଇନ୍‍ଷ୍ଟାଇନ୍‍ର ଦୁଇଟି ତୈଳଚିତ୍ର ସଙ୍ଗରେ ଘେନି ଆସିଥିଲେ । ସେଥିରୁ ଗୋଟିଏ ଆମେରିକାରେ ଥିବା ଆଇନ୍‍ଷ୍ଟାଇନ୍‍ଙ୍କ ଗବେଷଣାଗାର ଅଫିସ୍‍ରେ ରହିଛି ଓ ଅନ୍ୟଟି ହୁଏର ପାଖେପାଖେ ରହିଛନ୍ତି । ସେ ଅତି ବୃଦ୍ଧ ହେଲେ ମଧ୍ୟ ତାଙ୍କର ଗବେଷଣା ବନ୍ଦ ହୋଇ ନାହିଁ ଓ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନିତ ଅଧ୍ୟାପକ ପଦରେ ଅଧିତୁଢ଼ କରିଛନ୍ତି ଓ ସେ ଏପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି । ସେ ଦେଶରେ ବୈଜ୍ଞାନିକ ଓ ଅଧ୍ୟାପକମାନଙ୍କୁ ଅବସର ଗ୍ରହଣ କରିବାକୁ ବାଧ୍ୟ କରାଯାଏ ନାହିଁ । ସେ ନିଜେ ନ ପାରିଲେ ଆପେଆପେ ସେ ପଦରୁ ଓହରି ଯାଆନ୍ତି । ଏବେବି ଆମେରିକା ଓ ୟୁରୋପର ବୈଜ୍ଞାନିକ ସମ୍ମିଳନୀମାନଙ୍କରେ ସେ ଯୋଗଦେଇ ସନ୍ଦର୍ଭସବୁ ପାଠ କରୁଛନ୍ତି ଓ ତାଙ୍କର ସନ୍ଦର୍ଭସବୁ ବରାବର ଖବରକାଗଜ ଓ ପତ୍ରିକାମାନଙ୍କରେ ପ୍ରକାଶିତ ହେଉଛି । ସେ ବୈଜ୍ଞାନିକ ଗବେଷଣା ଛଡ଼ା ମାନବିକତ୍ୱ ଉପରେ ନାନା ପ୍ରବନ୍ଧ ମଧ୍ୟ ଲେଖି ଖବରକାଗଜମାନଙ୍କରେ ପ୍ରକାଶ କରୁଛନ୍ତି-

 

୧୯୪୯ ମସିହାରେ ଭାରତର ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କର ନିମନ୍ତ୍ରଣରେ ସେ ବିଶ୍ୱଶାନ୍ତି ସମ୍ମିଳନୀରେ ବକ୍ତୃତା ଦେବାପାଇଁ ଭାରତକୁ ଆସିଥିଲେ । ସେ ଫେରିଲାବେଳକୁ ତତ୍କକାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଶାନ୍ତିଦୂତ ଭାବରେ ତାଙ୍କ ହାତରେ ଖଣ୍ଡିଏ ଚିଠି ଆଇନ୍‍ଷ୍ଟାଇନ୍‍ଙ୍କ ନିକଟକୁ ପଠାଇଥିଲେ । ବିଜ୍ଞାନ ଓ ଦର୍ଶନ ସମନ୍ୱୟରେ ଏକ ଶାନ୍ତିପୂର୍ଣ୍ଣ ମାନବ ସମାଜ ଗଢ଼ିବାପାଇଁ ସେ ଆଜୀବନ ଚେଷ୍ଟା କରି ଆସିଛନ୍ତି ।

 

ସେ ଗୋଟିଏ କ୍ଷୁଦ୍ରକାୟ ମଣିଷ । ମୁଣ୍ଡଟି ପୂରା ଚନ୍ଦା, କାନଗୁଡ଼ିକ ବଡ଼ବଡ଼, ଦୀର୍ଘ କପାଳ, ନାକ ମଧ୍ୟ ଲମ୍ୱା ଓଠଗୁଡ଼ିକ ସରୁଆ, ଆଖି ଦୁଇଟି ଛୋଟ, ପୋଷାକପତ୍ର ବେଶଭୂଷା ସବୁ ସାଧାରଣ । ତାଙ୍କଠାରେ ଗର୍ବ କିମ୍ୱା ଆଡ଼ମ୍ୱରର କୌଣସି ଲକ୍ଷଣ ଦିଶେ ନାହିଁ । ସେ ଅଳ୍ପ ଅଳ୍ପ, ଧୀରେ ଧୀରେ କଥା କହନ୍ତି । ସେ ଓ ତାଙ୍କ ସ୍ତ୍ରୀ ଦୁହେଁ ବଡ଼ ସ୍ନେହୀ ମଣିଷ ।

 

ତାଙ୍କ ସଙ୍ଗେ ବଡ଼ ଆକସ୍ମିକ ଭାବରେ ମୋର ଦେଖା ହେଲା । ମୁଁ ଜଣେ ବନ୍ଧୁଙ୍କ ନିମନ୍ତ୍ରଣରେ ସନ୍ଧ୍ୟାବେଳେ ତାଙ୍କ ଘରକୁ ଯାଇଥିଲି । ସେଠାରେ ଡକ୍ଟର ହୁଏର ଉପସ୍ଥିତ ଥିଲେ । ମୁଁ ଭାରତରୁ ଆସିଛି ଜାଣି, ମୋ ସଙ୍ଗରେ କରମର୍ଦ୍ଦନ କରି ଭାରତ ବିଷୟରେ ବହୁତ କଥା ପଚାରିଲେ । ମୁଁ ତାଙ୍କୁ ଚିହ୍ନି ନଥିଲି କି ତାଙ୍କ ବିଷୟରେ କିଛି ଜାଣି ନଥିଲି ।

 

ତାଙ୍କ ସଙ୍ଗେ କଥାବାର୍ତ୍ତାରୁ ସେ ସେଠାର ପ୍ଲାନେଟାରିୟମ୍ ବା ଅବଜରଭେଟରୀର ଡାଇରେକ୍ଟର୍ ବୋଲି ଜାଣିଲି । ମାନମନ୍ଦିର ବା ପର୍ଯ୍ୟବେକ୍ଷଣଶାଳାମାନଙ୍କରେ ବିରାଟ ବିରାଟ ଦୂରବୀକ୍ଷଣ ଯନ୍ତ୍ରଦ୍ୱାରା ଗ୍ରହ, ନକ୍ଷତ୍ରମାନଙ୍କୁ ଲକ୍ଷ୍ୟ କରାଯାଏ । ସେଥିରେ ଆକାଶର ଚନ୍ଦ୍ର ଓ ତାରକାମାନେ ଖୁବ୍ ବଡ଼ ଦିଶନ୍ତି । ଏବେ ଭାରତରେ ମାନମନ୍ଦିର ଗଢ଼ା ହେଲାଣି । କଲିକତାରେ ବିରଳା ମାନମନ୍ଦିରରେ ଦୂରବୀକ୍ଷଣ ଯନ୍ତ୍ର ଖଞ୍ଜା ଯାଇଛି । ମୁଁ ଆଗରୁ ସେପରି ଯନ୍ତ୍ର ଦେଖି ନଥିଲି । ମାନମନ୍ଦିର ଦେଖିବାକୁ ଯିବାପାଇଁ ଡକ୍ଟର ହୁଏର ମୋତେ ନିମନ୍ତ୍ରଣ କରିବାରୁ ଶନିବାରଦିନ ମୁଁ ସେଠାକୁ ଯିବାର ସ୍ଥିର ହେଲା ।

 

ହୁଏରଙ୍କ ସଙ୍ଗେ ମୋ ସେ କଥୋପକଥନ ମୁଁ ପୂରା ଭୁଲି ଯାଇଥିଲି । କିନ୍ତୁ ସ୍ଥିର ହୋଇଥିବା ସମୟରେ ଶନିବାର ଦିନ ସେ ତାଙ୍କ ଗାଡ଼ିଧରି ମୋ ଦୁଆରେ ହାଜର ହେଲେ । ଆମେ ଯିବାପୂର୍ବରୁ ସେ ନମ୍ର ଭାବରେ ମୋତେ କହିଲେ ‘‘ମୁଁ ସିଧା ବିଶ୍ୱବିଦ୍ୟାଳୟରୁ ଫେରୁଛି; ତେଣୁ ଘରକୁ ଯାଇ ଧୁଆଧୋଇ ହୋଇସାରି ପ୍ଲାନେଟାରିୟମ୍‍କୁ ଯିବାପାଇଁ ଇଚ୍ଛା କରୁଛି । ଆପଣଙ୍କର ଏହାଦ୍ୱାରା ଯଦି ବିଶେଷ କିଛି ଅସୁବିଧା ହୁଏ, ତେବେ ସିଧା ମାନମନ୍ଦିରକୁ ଚାଲିଯିବା’’-। ମୋର ବା ଅସୁବିଧା କ’ଣ, ମୋର ବର୍ତ୍ତମାନର ସମୟ ପୂରା ତାଙ୍କ ହାତରେ ବୋଲି ମୁଁ କହିବାରୁ ସେ ମୋତେ ସାଙ୍ଗରେ ଘେନି ତାଙ୍କ ଘରକୁ ଗଲେ ।

 

ଘରଟି ଛୋଟ । ମାମୁ ମାଈଁ ଦୁଇପ୍ରାଣୀ । ହୁଏରଙ୍କ ବୟସ ସେତେବେଳକୁ ପଚାଶ ପାଖାପାଖି ହେଲେ ମଧ୍ୟ ପିଲାପିଲି କିଛି ନ ଥାନ୍ତି । ଘରେ ଆସବାବ ପତ୍ର ବା ସଜାସଜ୍ଜିର ସରଞ୍ଜାମ ବେଶୀ କିଛି ନାହିଁ । ଘରବାଡ଼ିପଟେ ସାତ ଆଠଫୁଟ୍ ତଳକୁ ତଳୁଆ ହୋଇ ଗୋଟିଏ ବଗିଚା । ବଗିଚା ଭିତରେ ଠାଏଠାଏ ଗୋଟାଏ ଗୋଟାଏ ମୁଣ୍ଡିଆ ପଥର ଠିଆ ହୋଇଛି । ପଥର ଚାରିପଟେ ନାନାପ୍ରକାରର ଫୁଲଗଛ ସବୁ ଲାଗିଛି । ସମୟ ମିଳିଲେ ବୁଢ଼ାବୁଢ଼ୀ ସେଇ ବଗିଚାରେ ଲାଗନ୍ତି ।

 

ବଗିଚା ମଝିରେ ଦୁଇଟି ଉଚ୍ଚ ଖମ୍ୱ ଓ ତା’ ଉପରେ ଦୁଇଟି ପାତ୍ର ଥୁଆ ହୋଇଛି । ଗୋଟିଏ ପାତ୍ରରେ ପାଣି ଓ ଅନ୍ୟଟିରେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ରଖାଯାଇଥାଏ । ନାନାପ୍ରକାର ଚଢ଼େଇ ଆସି ସେଥିରୁ ଖାଦ୍ୟ ଓ ଜଳ ଖାଇ ଚାଲି ଯାଉଥାଆନ୍ତି । ବିଶେଷତଃ ଉତ୍ତର ଅଞ୍ଚଳରେ ଶୀତଦିନେ ବରଫ ପଡ଼ୁଥିବାରୁ ପକ୍ଷୀମାନେ ସେଠାରେ ଖାଦ୍ୟ ନ ପାଇ ଏହି ଦକ୍ଷିଣ ଅଞ୍ଚଳକୁ ଚାଲି ଆସନ୍ତି । ହୁଏର ଘରକୁ ଯିବା ସଙ୍ଗେ ସଙ୍ଗେ ବଗିଚାକୁ ଯାଇ ସେ ଖମ୍ୱ ଉପରେ ଖାଦ୍ୟ ଜଳ ସବୁ ରଖି ଆସିଲେ । ତାଙ୍କ ଘରେ କିଛି ଜଳପାନ ପରେ ସନ୍ଧ୍ୟାକୁ ଆମେ ତାଙ୍କ ଗାଡ଼ିରେ ବାହାରିଲୁ । ତାଙ୍କର ସହଧର୍ମିଣୀ ଗାଡ଼ି ଚଳାଇଲେ ।

 

ମାନମନ୍ଦିର

 

ଚାଟାନୁଗାର ମାନମନ୍ଦିର ଏକ ବିରାଟ ସଂସ୍ଥା । ସେଥିରେ ଦର୍ଶକମାନେ ଆକାଶର ଗ୍ରହ ନକ୍ଷତ୍ର ସବୁ ଦେଖିବା ସଙ୍ଗେ ସଙ୍ଗେ ସେ ସବୁ ଯନ୍ତ୍ର ସାହାଯ୍ୟରେ ବହୁ ବଡ଼ ଜ୍ୟୋତିର୍ବିଦ୍ ବୈଜ୍ଞାନିକମାନେ ଗ୍ରହ ଉପଗ୍ରହମାନଙ୍କ ସମ୍ୱନ୍ଧରେ ଗବେଷଣା କରନ୍ତି । ସେସବୁ ଗବେଷଣାରେ ଅଧ୍ୟାପକ ହୁଏର ସେମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି ।

 

ସେ ଆମକୁ ବୁଲାଇ ବୁଲାଇ ସବୁ ଦେଖାଇଲେ । ଆମେ ଦୂରବୀକ୍ଷଣ ଯନ୍ତ୍ରରେ ଗ୍ରହନକ୍ଷତ୍ରଙ୍କୁ ଦେଖିବାପରେ ଘର ଛାତରେ ଆକାଶକୁ ପ୍ରତିଫଳିତ କରି ଭିନ୍ନ ଭିନ୍ନ ତାରକାମାନଙ୍କୁ ଦେଖାଇ ନଭମଣ୍ଡଳ ବିଷୟରେ ଦର୍ଶକମାନଙ୍କୁ ବୁଝାଇଲେ । ସେ ସେଠାରେ ଲୋକମାନଙ୍କ ସଙ୍ଗେ ଯେପରି ଅମାୟିକ ବ୍ୟବହାର କରୁଥାଆନ୍ତି, ସେଥିରେ ସେ ସେଠାର ସର୍ବୋଚ୍ଚକର୍ତ୍ତା ବୋଲି କେହି ଅନୁମାନ କରିପାରିବେ ନାହିଁ ।

 

ଅଳ୍ପଦିନ ପରେ ବଡ଼ଦିନ ଉତ୍ସବ ଆସିଲା । ମୁଁ ତାଙ୍କଠାରୁ ଖଣ୍ଡିଏ ଖ୍ରୀଷ୍ଟମାସ ଅଭିବାଦନ ପତ୍ର ପାଇଲି । ସେଥିରେ ସେ ନିଜ ହାତରେ ଦେବନାଗରୀ ଅକ୍ଷରରେ ‘‘ଯଦା ଯଦାହ ଧର୍ମସ୍ୟ ଗ୍ଳାନି ର୍ଭବତି ଭାରତ’’ ଶ୍ଳୋକଟି ଲେଖି ପଠାଇଥିଲେ । ସେ ଭାରତର ଧର୍ମ ଓ ସଂସ୍କୃତି ସହିତ ଏବେ ସମ୍ପୃକ୍ତ ବୋଲି ମୋର ଆଗରୁ ଧାରଣା ନଥିଲା । ତାଙ୍କର ପାଣ୍ଡିତ୍ୟ ଓ ଭାରତର ସଂସ୍କୃତି ପ୍ରତି ଆଗ୍ରହ ତାଙ୍କ ଆଡ଼କୁ ମୋତେ ଅଧିକରୁ ଅଧିକ ଟାଣିଲା । ତାଙ୍କର ଓ ତାଙ୍କ ସହଧର୍ମିଣୀଙ୍କ ମୋ ପ୍ରତି ବାତ୍ସଲ୍ୟ ସ୍ନେହ ମଧ୍ୟ ସେ ଦମ୍ପତିଙ୍କ ପ୍ରତି ମୋତେ ଆକୃଷ୍ଟ କଲା ।

 

ସରଳ ସ୍ୱଭାବ

 

ଏହି ବିରାଟ ମାନବଙ୍କ ପ୍ରକୃତି ପିଲାଠାରୁ ମଧ୍ୟ ଆହୁରି ସରଳ । ସେତେବେଳେ ମୋଭଳି ଭାରତୀୟ ଆମେରିକାର ଦକ୍ଷିଣ ଅଞ୍ଚଳରେ ଖୁବ୍ ଅଳ୍ପ ଥିଲେ । କେବେକେବେ ଭାରତୀୟ ସରକାରୀ ଦେଖଣାହାରି ଦଳ ପରିଭ୍ରମଣରେ ଆସି ସେ ଅଞ୍ଚଳ ଦେଖି ଚାଲି ଯାଉଥିଲେ । ସେପରି କୌଣସି ଦଳ ସେ ସହରକୁ ଆସୁଥିବାର ଖବରକାଗଜରେ ପ୍ରକାଶିତ ହେଲେ, ହୁଏର ସଙ୍ଗେ ସଙ୍ଗେ ମୋତେ ଫୋନ୍ କରି ଜଣାଇ ଦେଉଥିଲେ ଓ ସେମାନଙ୍କୁ ଦେଖିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ମୋତେ ମୋର ଦେଶବାସୀଙ୍କୁ ଦେଖିବାକୁ ଇଚ୍ଛା ହେଉଥିବ ବୋଲି ଭାବୁଥିଲେ । ମୋତେ ମଧ୍ୟ ଅନେକ ଦିନପରେ ଜଣେ ଭାରତୀୟ ଦେଖିଲେ ନିଜର ଭାଇବନ୍ଧୁଙ୍କୁ ଦେଖିଲା ପରି ମନେ ହେଉଥିଲା ।

 

ଥରେ ଗୋଟିଏ କୃଷିବିଜ୍ଞାନୀ ଦଳ ସେ ସହର ବାଟେ ଯିବାର ଖବର ମିଳିଲା । ଦକ୍ଷିଣ ଅଞ୍ଚଳ କୃଷିପ୍ରଧାନ ହୋଇଥିବାରୁ ସେମାନେ ସେ ଅଞ୍ଚଳ ଦେଖିବାପାଇଁ ବ୍ୟବସ୍ଥା ହୋଇଥିଲା । ଡକ୍ଟର ହୁଏର ସେ ସମ୍ୱାଦ ପଢ଼ି ତାଙ୍କ ଗାଡ଼ିରେ ମୋତେ ସଙ୍ଗରେ ନେଇ ଷ୍ଟେସନ୍‍ରେ ପହଞ୍ଚି ଅପେକ୍ଷା କଲେ ।

 

ସେମାନେ ଗାଡ଼ିରୁ ଓହ୍ଲାଇଲେ । ସେମାନଙ୍କ ନିକଟରେ ପହଞ୍ଚିବାକ୍ଷଣି ପିଲା କଣ୍ଢେଇ ଖୋଜି ଏତେତେଣେ ଚାହିଁଲା ପରି ଡାକ୍ତର ହୁଏର ସେମାନଙ୍କୁ ନିରୀକ୍ଷଣ କରି ମନେମନେ କ’ଣ ଖୋଜୁଥିଲେ । ହୁଏତ ସେମାନଙ୍କ ଭିତରେ ଆଉଜଣେ ଗାନ୍ଧୀ କି ଠାକୁର ପାଇଯିବେ ବୋଲି ଭାବୁଥିଲେ । ସେମାନଙ୍କ ଭିତରେ କାଳେ କିଏ ଭାରତୀୟ ସଂସ୍କୃତିର ଉପାସକ ଥାଇପାରନ୍ତି ବୋଲି ସେମାନଙ୍କ ସଙ୍ଗେ ଆଳାପ କରିବାକୁ ଅପେକ୍ଷା କରୁଥିଲେ । ସେମାନଙ୍କ ସଙ୍ଗେ ଚିହ୍ନାପରିଚୟ ହେବାପରେ ସେମାନେ ଆମ ସଙ୍ଗେ ବେଶୀ ଆଳାପ ନ କରି ନିକଟରେ ଥିବା କୌଣସି ହୋଟେଲକୁ ଆହାର କରିବାକୁ ଯିବାକୁ ଇଚ୍ଛା ପ୍ରକାଶ କଲେ । ଆମେ ସେମାନଙ୍କୁ ଗୋଟିଏ ଭଲ ରେଷ୍ଟୁରାଣ୍ଟ୍‍କୁ ଘେନିଗଲୁ ।

 

ସେମାନେ ସେଠାରେ ପଶିବାକ୍ଷଣି ଆମମାନଙ୍କୁ ଖାତିର ନ କରି ନିଜ ନିଜ ଭିତରେ ଥଟାତାମସାରେ ମାତିଗଲେ । ହୋଟେଲ ଝିଅମାନଙ୍କ ସମ୍ୱନ୍ଧରେ ଟୀକା ଟିପ୍ପଣୀ କଲେ ଓ ସେମାନେ ଖାଦ୍ୟପେୟ କଥା ପଚାରିବାବେଳେ ସେମାନଙ୍କୁ ହାଲୁକା ବ୍ୟବହାର କରିବା ଆରମ୍ଭ କରିଦେଲେ । ହୁଏର ସାହେବ ସେସବୁ ଘଟଣା ଲକ୍ଷ୍ୟ କରି ମୁହଁ ଶୁଖାଇ ନୀରବରେ ବସି ରହିବାର ଦେଖି, ମୁଁ ତାଙ୍କୁ ସଙ୍ଗରେ ଘେନି ବାହାରି ଆସିଲି ।

 

ସେ ଘଟଣା ପରେ ଆମ ଦେଶରୁ ଆସିଥିବା ସେ ପର୍ଯ୍ୟଟକ ଦଳଙ୍କ ବ୍ୟବହାର ଓ ଚାଲିଚଳନ ହିସାବରେ ଆମ ଦେଶର ଲୋକଙ୍କ ଉପରେ ବିଶେଷରେ ମୋ ଉପରେ ତାଙ୍କ ଧାରଣା ଖରାପ ହୋଇଯାଇଥିବା ଭାବି ମୁଁ ଟିକିଏ ଦୂରେଇ ରହିବାକୁ ଚେଷ୍ଟା କଲି, କିନ୍ତୁ ମୋ ବିଷୟରେ ତାଙ୍କର ମତ ଅପରିବର୍ତ୍ତିତ ଥିଲା ଓ ସେ ମୋତେ ତାଙ୍କର ଖେଳସଙ୍ଗୀ ପରି ସୁବିଧାବେଳେ ସବୁଆଡ଼କୁ ଟାଣିବାକୁ ଲାଗିଲେ । ଦିନେ ମୋ ନିକଟକୁ ତାଙ୍କର ବିଶ୍ୱକବିଙ୍କ ସଙ୍ଗେ ନିଆଯାଇଥିବା ଫଟୋଟିଏ ଓ ନିଜର ମନ୍ତବ୍ୟ ଲେଖି ଉପହାର ମଧ୍ୟ ପଠାଇଥିଲେ ।

 

ସେ ଛୋଟପିଲାଙ୍କ ପରି ମୋର ହାତ ଟାଣି ଟାଣି ମୋତେ ପାହାଡ଼ ଉଠିବାକୁ ବାଧ୍ୟ କରୁଥିଲେ । ପାହାଡ଼ ଚଢ଼ିଲାବେଳେ, ସେ ହିମାଳୟ ଚଢ଼ି ତିବ୍ବତ ଗଲାବେଳେ ତାଙ୍କର କି କି ଅନୁଭୂତି ହୋଇଥିଲା ସେ କଥା ବର୍ଣ୍ଣନା କରୁଥିଲେ । ପାହାଡ଼ ଉପରେ ଠାଆରୁ ଠାଆ ଠିଆ କରାଇ ଫଟୋ ଉଠାଉଥିଲେ । ତାଙ୍କ ଖିଆଲ ଅନୁସାରେ ଚର୍ଚ୍ଚ, ସଭାସମିତି ପ୍ରଭୃତିକୁ ମୋତେ ତାଙ୍କ ସଙ୍ଗେ ଯିବାକୁ ଏକପ୍ରକାର ଜବରଦସ୍ତ କରୁଥିଲେ । ମୁଁ କୌଣସି କାରଣରୁ ନାହିଁ କଲେ ସେ ଛୋଟ ସ୍କୁଲ୍‍ପିଲା ରୁଷିଲାପରି ଏଡ଼େବଡ଼ ମୁହଁ କରୁଥିଲେ ।

 

ମୁଁ ଭାରତକୁ ଫେରିଲା ପରେ ମଝିରେ ମଝିରେ ତାଙ୍କ ସଙ୍ଗେ ପତ୍ରର ଆଦାନପ୍ରଦାନ ହେଉଥିଲା । କିନ୍ତୁ ଏବେ ପ୍ରାୟ ଦଶବର୍ଷ ହେଲା ମୁଁ ସେ ସମ୍ପର୍କ ରଖିପାରି ନଥିଲି । ଆମେରିକା ଓ କାନାଡ଼ାରେ ଥିବା କେତେକ ନିଜ ଲୋକଙ୍କଦ୍ୱାରା ଖବର ନେଇ ବହୁକାଳପରେ ମୁଁ ପୁଣି ତାଙ୍କ ସଙ୍ଗେ ଯୋଗସୂତ୍ର ପ୍ରତିଷ୍ଠା କରିପାରିଲି । ତାଙ୍କ ଉତ୍ତରର ନକଲ ତଳେ ଦେଲି ।

 

୨୧୬୬ ହିଲକ୍ରେଷ୍ଟ ଆଭିନିଉ

ଚାଟାନୁଗା ଟେନେସୀ

ଫେବୃୟାରୀ ଆଠ, ୧୯୮୦

 

ଆମର ପ୍ରିୟ ବନ୍ଧୁ,

 

ତୁମ ଚିଠିଟି ପାଇ ଅତ୍ୟନ୍ତ ଆନନ୍ଦିତ ହେଲୁ ।

 

ଏ ପତ୍ର ପାଇବା ସଙ୍ଗେ ସଙ୍ଗେ ଚାଟାନୁଗାରେ ତୁମ ରହଣି ସମୟରେ ସ୍ମୃତି ଜୀବନ୍ତ ହୋଇ ଉଠିଲା । ଏହା ଭିତରେ ଏଠାରେ ଓ ପୃଥିବୀର ଚାରିଆଡ଼େ କେତେ କଥା ଘଟି ଗଲାଣି.....

 

ଆଖିଦୃଶିଆ ଭଳି ଦଳଦଳ ହୋଇ ଭାରତୀୟ ଲୋକମାନେ ବର୍ତ୍ତମାନ ଏଠାରେ ବସବାସ କଲେଣି, କିନ୍ତୁ ସେମାନଙ୍କୁ ଦେଖିବି ମୁଁ ଦେଖୁନାହିଁ । ସେମାନେ ମୋ ଦୃଷ୍ଟିରେବି ପଡ଼ୁନାହାନ୍ତି । ସେମାନେ ଭାରତୀୟ ସଂସ୍କୃତି ଓ ଗାନ୍ଧୀଙ୍କ ସମ୍ପର୍କରେ ବେଶୀ ଆଗ୍ରହୀ ଥିଲାପରି ଜଣାପଡ଼ୁ ନାହାନ୍ତି । ମୁଁ ବାପୁ (ଗାନ୍ଧୀ)ଙ୍କ ୱାର୍ଦ୍ଧା ଆଶ୍ରମରେ କିଛିଦିନ କଟାଇବାର ସୌଭାଗ୍ୟ ଲାଭ କରିଥିଲି । ବର୍ତ୍ତମାନର ଦୁନିଆରେ ସେହି ସ୍ମୃତି ସବୁ ସ୍ୱପ୍ନପରି ପ୍ରତିଭାତ ହେଉଛି ।

 

ଆମେ ସବୁ ତୁମ ସଙ୍ଗେ ଏକାଠି ଥିବା ଦିନଠାରୁ ଆଜି ଭିତରେ ବହୁତ ଘଟଣା ଘଟିଲାଣି । ମୁଁ ପୃଥିବୀର ନାନାସ୍ଥାନରେ ବହୁତ ବିଜ୍ଞାନ ସମ୍ମିଳନୀରେ ଯୋଗ ଦେଲିଣି । ବହୁ ଲେଖା ଲେଖିଲିଣି । ଏହାଭିତରେ ମୋର ଦୁଇଥର (ହାର୍ଟଆଟାକ) ହୃଦ୍‍ରୋଗ ଯନ୍ତ୍ରଣା ଭୋଗ ହୋଇ ସାରିଲାଣି ତୁମ ସଙ୍ଗେ ଆଲୋଚନା କରିବାକୁ ବହୁତ କିଛି ଜିନିଷ ଅଛି କିନ୍ତୁ ମୁଁ ତାହା ଥରକେ ସାରି ନଦେଇ ଲଗାଇ ରଖିବାକୁ ଚାହୁଁଛି ।

 

ମୁଁ ଆଇନ୍‍ଷ୍ଟାଇନ୍‍ଙ୍କ ବିଷୟ ଲେଖିଥିବା ପ୍ରବନ୍ଧ ପଛଆଡ଼େ ଏ ଚିଠିଟି ଲେଖୁଚି । ତୁମେ ଓ ତୁମର ପିଲାଙ୍କ ପ୍ରତି ଆମର ସବୁକାଳର ଶୁଭେଚ୍ଛା ଜଣାଉଛୁ ।

 

To

ସ୍ନେହ ସହିତ,

ଡାକ୍ତର ବିକ୍ରମ ଦାସ

କାରେଲ ଓ ହାରିଏତ

କଟକ

 

 

ଚିଠିଟି ପଢ଼ି ଆମ ଓଡ଼ିଆ ଦେଶପ୍ରେମୀ କବିଙ୍କ କବିତାରେ ଉତ୍କଳମାତାର କୋଟିଏ ସନ୍ତାନ ଭିତରେ ସେ ଯେପରି ଗୋଟିଏ ସୁଯୋଗ୍ୟ ସନ୍ତାନ ଦେଖି ନଥିଲେ ସେହିପରି ହୁଏର ଶହ ଶହ ପ୍ରବାସୀ ଭାରତର ଲୋକଙ୍କ ଭିତରେ ଗୋଟିଏ ହେଲେ ଭାରତୀୟ ଦେଖୁ ନ ଥିବା କଥା ମନେମନେ ଭାବିଲି ।

 

ଡାକ୍ତର ହୁଏର ଭାରତର ସଂସ୍କୃତି ଓ ସନାତନ ହିନ୍ଦୁ ଧର୍ମର ଜଣେ ଗବେଷକ । ଆମେରିକାରେ ଥିଲାବେଳେ ପୃଥିବୀରେ ଧର୍ମ ଓ ସଂସ୍କୃତି ସମ୍ୱନ୍ଧରେ ତାଙ୍କ ସଙ୍ଗେ ମୋର ଅନେକଥର ଆଲୋଚନା ହୋଇଛି ।

 

ମାନବ ଧର୍ମ

 

ମାନବକୁ ସତ୍ ପଥରେ ଧରି ରଖେ ବୋଲି ତା’ର ନାମ ଧର୍ମ । ଯୁଗଯୁଗ ଧରି ମାନବ ସମାଜର ପରିସ୍ଥିତିକୁ ଚାହିଁ ମନୁଷ୍ୟକୁ ସତ୍ ପଥରେ ଚଳାଇବାକୁ ସମାଜର ଅଧଃପତନ ସମୟରେ ଭାବୁକ ମହାମାନବମାନେ ଆବିର୍ଭୂତ ହୋଇ ଯୁଗୋପଯୋଗୀ ଧର୍ମପ୍ରଚାର ଚଳାଇ ଯାଇଛନ୍ତି ।

 

ପୃଥିବୀର ଏହିପରି ବହୁତଗୁଡ଼ିଏ ଧର୍ମର ପ୍ରଚାର ହୋଇଛି କିନ୍ତୁ ସମୟସ୍ରୋତରେ ଧର୍ମାବଲମ୍ୱୀମାନେ ତା’ର ତତ୍ତ୍ୱ ଉପଲବ୍ଧି ନ କରି ଚଳିତ ସମୟ ଅନୁସାରେ ତା’ର ନିର୍ଦ୍ଦେଶ ସବୁକୁ ଖାପ ନ ଖୁଆଇ ଅନ୍ୟ ଧର୍ମ ପ୍ରତି ଅସହିଷ୍ଣୁ ହୋଇ ଉଠିଛନ୍ତି । ଯାହା ଫଳରେ ପୃଥିବୀରେ ତଥାକଥିତ ଧର୍ମଯୁଦ୍ଧମାନ ଲାଗି ରହିଛି ।

 

ଆମେରିକାରେ ବିଷୟ ସମ୍ପଦର ପ୍ରାଚୁର୍ଯ୍ୟରେ ଲୋକମାନେ ଏପରି ବିଭୋର ହୋଇ ଉଠିଥିଲେ ଯେ ଧର୍ମଧାରଣା ସହିତ ସେମାନଙ୍କର ସମ୍ପର୍କ ବଡ଼ କ୍ଷୀଣ ଓ ଉପରଠାଉରିଆ ହୋଇ ଉଠିଥିଲା । ୟୁରୋପରୁ ବହିଷ୍କୃତ କେତେକ ଖ୍ରୀଷ୍ଟିଆନ ଧର୍ମର ନୂତନ ମତାବଲମ୍ୱୀ ‘ପିଲ୍‍ଗ୍ରିମ୍‍ସ ଫାଦର୍ସ’ ବା ଧର୍ମଯାଜକ ଯାତ୍ରୀ ବୋଇତରେ ଆସି ଆମେରିକା ଦେଶରେ ବସବାସ କରି ନୂତନ ଆମେରିକାର ମୂଳଦୁଆ ପକାଇଥିଲେ । ସେ କଥା ମନେରଖିବାକୁ ଏବେବି ସେ ଦେଶରେ ‘‘ଆମେରିକା ମାଟିକୁ ଧନ୍ୟବାଦ ଦେବା’’ ପର୍ବ ଅତି ଉତ୍ସାହ ଓ ଆଡ଼ମ୍ୱର ସହିତ ପାଳନ କରୁଥିଲେ ମଧ୍ୟ ସେମାନଙ୍କ ଧର୍ମ କଥା ପ୍ରାୟ ଭୁଲିଗଲେଣି ।

 

ଆମେରିକା ଗୋଟିଏ ଗଣତନ୍ତ୍ର ପନ୍ଥୀ ସ୍ୱାଧୀନ ଦେଶ । ଖୋଲାମନରେ ଯାହାର ଯାହା ଇଚ୍ଛା ସେ ତା’ କରେ । ଆଲୋଚନା ବା ସମାଲୋଚନାକୁ ସରକାର ଧର୍ତ୍ତବ୍ୟ ଅପରାଧ ବୋଲି ମନେ କରନ୍ତି ନାହିଁ ।

 

ଧର୍ମପ୍ରଚାର ନାମରେ ନୂଆ ନୂଆ ପାଦ୍ରୀମାନେ ରାସ୍ତା ଛକରେ ଠିଆ ହୋଇ ଧର୍ମ ଉପଦେଶ ବା ବାଇବେଲ ପାରାୟଣର ଅଭ୍ୟାସ କରି ବକ୍ତୃତା ଦେଉ ଥାଆନ୍ତି । ଲୋକମାନେବି ସେ ସବୁ ନ ଶୁଣି ଓ ସେମାନଙ୍କ କଥା ପ୍ରତି ଭ୍ରୂକ୍ଷେପ ନ କରି ଆଡ଼େଇ ହୋଇ ଚାଲି ଯାଆନ୍ତି ।

 

ସେଠାରେ ବହୁପ୍ରକାର ଖ୍ରୀଷ୍ଟିଆନ ମତର ଗିର୍ଜାସବୁ ରହିଛି । ଭିନ୍ନ ଭିନ୍ନ ଗୋଷ୍ଠୀର ଉପାସକମାନେ ନିଜ ନିଜ ମତର ଗ୍ରିର୍ଜାମାନଙ୍କରେ ଯାଇ ଉପାସନା କରନ୍ତି । ଧର୍ମଯାଜକ ବକ୍ତୃତା ଦେବା ପୂର୍ବରୁ ସେଠାରେ ଗୋଟିଏ ଥାଳି ବୁଲେ । ଉପାସନା ଆରମ୍ଭ ପୂର୍ବରୁ ଭକ୍ତମାନେ ସେଥିରେ ଗିର୍ଜାର ଉନ୍ନତିପାଇଁ ଅର୍ଥ ଦାନ କରନ୍ତି । ଆମର ଦେଉଳକୁ ଗଲେ ପଣ୍ଡାମାନଙ୍କୁ ଓ ଠାକୁରଙ୍କ ଥାଳିରେ ପଇସା ଦେବା ପରି ସେଠାରେ ମଧ୍ୟ ଏ ଗୋଟିଏ ପ୍ରଥା । ଆମ ଦେଶରେ ଅନେକେ ପଣ୍ଡାଙ୍କ ବାଧ୍ୟବାଧକତାରେ ଦିଅନ୍ତି କିନ୍ତୁ ସେଠାରେ ଅର୍ଥ ପ୍ରାଚୁର୍ଯ୍ୟ ଯୋଗୁଁ ସମସ୍ତେ ମୁକ୍ତହସ୍ତରେ ଦାନ କରନ୍ତି, କିନ୍ତୁ ଧର୍ମଯାଜକ ଭାଷଣ ଦେଲା ବେଳକୁ କେହି ସେଠାରେ ମନଦେଇ ସେ ସବୁ ଶୁଣିଲା ପରି ଲାଗେ ନାହିଁ । ସେମାନେ ଗିର୍ଜାକୁ ନାନାପ୍ରକାର ବେଶଭୂଷା ହୋଇ ଓ ସଙ୍ଗୀମାନଙ୍କୁ ଧରି ଆସିଥାଆନ୍ତି, ତେଣୁ ଅନେକ ସେ ସବୁ ବିଷୟରେ ତନ୍ମୟ ଥିବାର ବହୁ ସମୟରେ ପରିଲକ୍ଷିତ ହୁଏ ।

 

ମୁଁ ଥରେ ଡକ୍ଟର ହୁଏରଙ୍କ ସଙ୍ଗେ ଗୋଟିଏ ଗିର୍ଜାକୁ ଉପାସନା ଶୁଣିବାକୁ ଯାଇଥିଲି । ପଇସା ଥାଳି ବୁଲିଲା । ଗୀତ ବୋଲା ହେଲା । ତା’ପରେ ଧର୍ମଯାଜକ ତାଙ୍କ ବକ୍ତବ୍ୟ ଆରମ୍ଭ କରିଦେଲେ ।

 

ବାଇବେଲରୁ ଉଦ୍ଧାର କରି ସେ କହିଲେ, ଜଗତ ଅନ୍ଧକାରାବୃତ ଥିଲା, ଈଶ୍ୱର ଆବିର୍ଭୂତ ହୋଇ କହିଲେ–ଜଗତ ଆଲୋକିତ ହେଉ । ଜଗତ ସଙ୍ଗେ ସଙ୍ଗେ ଆଲୋକିତ ହୋଇଗଲା । ଏ ଭକ୍ତିର ନାନାପ୍ରକାର ଆଧ୍ୟାତ୍ମିକ ଅର୍ଥ କରାଯାଇପାରେ କିନ୍ତୁ ଧର୍ମଯାଜକ ସେ ସବୁ କିଛି ବୁଝାଇଲେ ନାହିଁ । ଶ୍ରୋତାମାନେ ଶୁଣି ନ ଶୁଣିଲା ପରି ଏ କାନରେ ପୂରାଇ ସେ କାନରେ ବାହାର କରିଦେଲେ ।

 

ମୁଁ ଡକ୍ଟର ହୁଏରଙ୍କୁ ପଚାରିଲି, ‘‘ଆପଣ ଜ୍ୟୋତିର୍ବିଦ୍ୟାର ଜଣେ ବିଶିଷ୍ଟ ଅଧ୍ୟାପକ । ଧର୍ମଯାଜକ ଯେ ଉଦାହରଣ ଦେଲେ ତା’ର ଆକ୍ଷରିକ ଅର୍ଥ କ’ଣ ଠିକ୍ ? ବିଜ୍ଞାନ କହୁଛି ଆଲୋକମୟ ଉତ୍ତପ୍ତ ବାଷ୍ପୀୟ ସୂର୍ଯ୍ୟରୁ ଖଣ୍ଡେ ଖସି ଆସି ପୃଥିବୀ ସୃଷ୍ଟି କଲା । ତେବେ ଜଗତ ମୂଳରୁ ଅନ୍ଧାର ଥିଲା କିପରି ? ଆପଣଙ୍କ ପରି ବହୁ ବଡ଼ବଡ଼ ବୈଜ୍ଞାନିକ ଏଠାରେ ତୁନି ହୋଇ ବସି ଏ ଧର୍ମ ଯାଜକଙ୍କର କଥା ଶୁଣି ଯାଉଛନ୍ତି, କେହି ଏଥିରେ ଆପତ୍ତି ନ କରିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।

 

ସେ ମୋ କଥା ଶୁଣି କହିଲେ, ‘‘କେହି ଆପତ୍ତି ନ କରିବାର ଉଦ୍ଦେଶ୍ୟ ହେଉଛି, ଏ ସଙ୍ଟ ସମୟରେ ଧର୍ମକୁ ରକ୍ଷା କରିବା । ଲୋକେ ଜଡ଼ବାଦୀ ହୋଇ ଯାଉଛନ୍ତି, ଧର୍ମକୁ ଭୁଲି ଯାଉଛନ୍ତି । ସେମାନେ ବୁଝନ୍ତୁ ନ ବୁଝନ୍ତୁ, ଯଦି ଭଗବାନ ସର୍ବକର୍ତ୍ତା ବୋଲି ଯେ କୌଣସି ଉପାୟରେ ସେଇ ସାଧାରଣ ଲୋକଙ୍କ ମୁଣ୍ଡରେ କେହି ଭର୍ତ୍ତି କରି ଦେଇ ପାରିଲା ସେ ଭବିଷ୍ୟତରେ ଧର୍ମଦ୍ରୋହୀ କମ୍ୟୁନିଜମ୍‍ବାଦରୁ ଏ ଦେଶକୁ ରକ୍ଷା କରି ପାରିବ । ଭଗବାନ ସବୁ ଗଢ଼ିଛନ୍ତି ବୋଲି ବିଚାରି ତାଙ୍କ ଉପରେ ଦୃଢ଼ବିଶ୍ୱାସ ନ ରଖିଲେ ଓ ତାଙ୍କର ପ୍ରାର୍ଥନା ନ କଲେ ଧର୍ମଭାବ ଜାଗ୍ରତ ହେବ ନାହିଁ କି ସୁଶୃଙ୍ଖଳ ସମାଜ ଗଢ଼ି ଉଠିବ ନାହିଁ । ଏହିଭଳି ନ କରି ସାଧାରଣ ଲୋକଙ୍କୁ ଯୁକ୍ତିର ମାଧ୍ୟମରେ ଧର୍ମତତ୍ତ୍ୱ ବୁଝାଇବା କଷ୍ଟ ।’’

 

ସାଧାରଣ ଲୋକ ଆଧ୍ୟାତ୍ମିକବାଦର ସୂକ୍ଷ୍ମ ତତ୍ତ୍ୱକୁ ଗ୍ରହଣ କରିବା ସମ୍ଭବ ନୁହେଁ । ସେମାନଙ୍କୁ ଧର୍ମଧାରଣା ଦେବାପାଇଁ ଧର୍ମଯାଜକଙ୍କର ଅବାନ୍ତର କଥା ଓ ଧର୍ମ ନାମରେ ନାନା ଉପଦେଶ ଓ ଉଦାହରଣର ଆବଶ୍ୟକତା ରହିଛି । ପୃଥିବୀ ଅନ୍ଧାର ଥିବା କଥା ଆକ୍ଷରିକ ଗ୍ରହଣଯୋଗ୍ୟ ନହେଲେ ମଧ୍ୟ ସାଧାରଣଙ୍କ ସଙ୍ଗେ ବସିଲାବେଳେ ଜ୍ଞାନୀମାନଙ୍କୁବି ତୁନି ହୋଇ ବସି ସେ କଥା ଶୁଣିବାକୁ ହୁଏ ଓ ଏପ୍ରକାର ଧର୍ମପ୍ରଚାରର ଅତ୍ୟାଚାରକୁ ନୀରବରେ ସହିବାକୁ ପଡ଼େ । ଏ ମଧ୍ୟ ଗୋଟିଏ ଗଣତାନ୍ତ୍ରିକ ପନ୍ଥା । ଗଣତନ୍ତ୍ର ଦେଶର ସରକାର କିଏ କେଉଁ ଧର୍ମରେ ବିଶ୍ୱାସ କରିବାରେ କୌଣସି ବାଧା ଦେଉ ନଥିଲେ ମଧ୍ୟ ସେ ସରକାର ଖ୍ରୀଷ୍ଟିଆନ ଧର୍ମକୁ ମାନନ୍ତି ଓ ପରୋକ୍ଷରେ ତା’ର ସାହାଯ୍ୟ କରନ୍ତି ।

 

ପ୍ରତ୍ୟେକ ଦେଶରେ ଧର୍ମ ମନୁଷ୍ୟର ଖାଦ୍ୟପେୟ, ଚାଲିଚଳନ ପ୍ରଭୃତି ସବୁଥିରେ ତା’ର ଛାପ ପକାଉଛି । ମନୁଷ୍ୟ ତତ୍ତ୍ୱ ନ ବୁଝିଲେ ମଧ୍ୟ ସେହି ସମ୍ପର୍କୀୟ ନିୟମଗୁଡ଼ିକୁ ମାନି ଚଳୁଛି । ସେଥିରେ କିଛି ବ୍ୟତିକ୍ରମ ହେଲେ ନାନା ବିଭ୍ରାଟ ଜାତ ହେଉଛି ।

 

ଧର୍ମ ଓ ଖାଦ୍ୟ

 

ଗୋଟିଏ କ୍ଷୁଦ୍ର ଧର୍ମସଭାରେ ମୋତେ ପ୍ରଶ୍ନ ହୋଇଥିଲା ‘‘ତୁମେ ହିନ୍ଦୁ, ତୁମର ଖାଦ୍ୟପେୟ ଅନ୍ୟ ପ୍ରକାର, ତେଣୁ ତୁମେ ୟୁରୋପ ଓ ଆମେରିକାର ଖାଦ୍ୟକୁ କିପରି ପସନ୍ଦ କରୁଛ, ତୁମ ଅନୁଭୂତିରୁ ଆମକୁ କିଛି କହ ।’’

 

ମୁଁ ଟିକିଏ ମଜା କରିବାକୁ ଉତ୍ତର ଦେଲି–‘‘ମୁଁ ଜଣେ ହିନ୍ଦୁ ବ୍ରାହ୍ମଣ । ଆମ ଦେଶରେ ଅଧିକାଂଶ ବ୍ରାହ୍ମଣ ମାଛ, ମାଂସ ଛୁଅନ୍ତି ନାହିଁ, ସେମାନେ ପୂରା ନିରାମିଷାଶୀ । ଆମ ପ୍ରଦେଶରେ ଆମେ, ବ୍ରାହ୍ମଣମାନେ ମାଛ, ଛେଳି, ମେଣ୍ଢା ଓ ଶିକାରମାଂସ ଖାଇବା ଧର୍ମସମ୍ମତ । ଏବେ ଆମେ ଅଣ୍ଡା ଓ କୁକୁଡ଼ା ମଧ୍ୟ ଖାଉଛୁ । ମୋର ବିଦେଶ ଯାତ୍ରାର ଆରମ୍ଭ ପୂର୍ବରୁ ଏହି ଖାଦ୍ୟ ବିଷୟ ଆଲୋଚନା ହୋଇଥିଲା । ମୋର ଅଭିଭାବକ ମୋତେ କହିଥିଲେ, ‘‘ଯେ ଦେଶ ଯାଇ ସେ ଫଳ ଖାଇ ।’’ ରୋମ୍‍କୁ ଗଲେ ରୋମାନ୍‍ପରି ଚଳିବାକୁ ହେବ । ତେଣୁ ସେ ଦେଶର ଖାଦ୍ୟକୁ ସେତେ ନ ବାରି ସେମାନେ ଯାହା ଯାହା ଖାଆନ୍ତି ସେଥିରୁ ତୁମ ରୁଚି ଅନୁସାରେ ଯାହା ଠିକ୍ କରିବ ତାହା ବାଛି ଖାଇବ ।’’

 

ମୁଁ ପୁଣି କହିଲି, ‘‘ମୁଁ ଇଂରେଜ କମ୍ପାନୀର ଜାହାଜରେ ଆସିଲାବେଳେ ଲୋକେ ଗୋମାଂସ, ଗୋରୁ ଲାଙ୍ଗୁଡ଼ ସୁପ୍ ଖାଉଥିବାର ଦେଖିଥିଲି, କିନ୍ତୁ ମୋ ଖାଦ୍ୟ ମିଳୁଥିବାରୁ ମୁଁ ବାଛିକରି ଖାଉଥିଲି । ମୋତେ ବିଶେଷ ଅସୁବିଧାରେ ପଡ଼ିବାକୁ ହୋଇ ନଥିଲା । ବିଲାତରେ ଘୋଡ଼ାମାଂସ ମିଳେ ବୋଲି ବିଜ୍ଞାପନ ଦେଖିଥିଲି । ଋଷିଆ ପ୍ରଭୃତି ଦେଶରେ ଘୋଡ଼ାମାଂସ ଓ ମଧ୍ୟପ୍ରାଚ୍ୟରେ ଓଟମାଂସ ଖାଆନ୍ତି ବୋଲି ଶୁଣିଚି । ମୋତେ ସେସବୁ ଖାଦ୍ୟର ସମ୍ମୁଖୀନ ହେବାକୁ ପଡ଼ିନାହିଁ । ବିଲାତ ଓ ଆମେରିକାର ଉତ୍ତର ଅଞ୍ଚଳରେ ଘୁଷୁରିମାଂସର ବ୍ୟବହାର ଅଧିକ ହୋଇଥିଲେ ମଧ୍ୟ କୁକୁଡ଼ାମାଂସ ପ୍ରଭୃତି ମିଳୁଥିବାରୁ ମୁଁ ଚଳାଇ ନେଇଥିଲି ।

 

ଏହି ଦାକ୍ଷିଣାତ୍ୟ ଅଞ୍ଚଳରେ ମୋତେ ହସ୍‍ପିଟାଲର ସର୍ବସାଧାରଣ ଖାଦ୍ୟ ଖାଇବାକୁ ପଡ଼ିଲା । ଖାଇଲାବେଳେ ଟେବୁଲ ଉପରେ ଦିଆଯାଉଥିବା ବିଭିନ୍ନ ଖାଦ୍ୟର ନାମଲେଖା କାର୍ଡ଼ ଖଣ୍ଡିଏ ରଖାଯାଇଥାଏ । ତାକୁ ପଢ଼ି ମୁଁ ଏ ଦେଶର ଖାଦ୍ୟର ନାମସବୁ ବୁଝି ପାରିଲି ନାହିଁ । ମୋ ଟେବୁଲରେ ଗୋଟିଏ ପ୍ଲେଟ୍‍ରେ ଛୋଟିଆ ଲମ୍ୱା ରୁଟିଟିଏ ଥୁଆ ହୋଇଥିଲା । ତା’ ଭିତରେ ଲାଙ୍ଗୁଡ଼ପରି ଖଣ୍ଡେ କ’ଣ ରଖାଯାଇଥିଲା । ମୁଁ ମେନୁକାର୍ଡ଼ ଆଣି ସେଥିରୁ ପଢ଼ି ବୁଝିଲି, ସେ ଖାଦ୍ୟର ନାମ ‘ହଟ୍ଡ଼ଗ୍’ ବା ‘ଗରମ କୁକୁର’ ।

 

ବର୍ମା, ଚାଇନା, କୋରିଆ ପ୍ରଭୃତି ବୌଦ୍ଧଧର୍ମାବଲମ୍ୱୀ ଦେଶରେ କୁକୁର ଖାଆନ୍ତି ବୋଲି ଶୁଣିଥିଲି କିନ୍ତୁ ତୁମ ଖ୍ରୀଷ୍ଟିଆନ ଦେଶରେ କୁକୁର ଖାଉଚ ଦେଖି ମୋ ମନ ଚିଡ଼ିଗଲା । ମୁଁ କିଛି ନଖାଇ ଗୁମ୍‍ମାରି ବସି ରହିଲି । ମୋର ଟେବୁଲରେ ଖାଉଥିବା ଆମେରିକାନ ସଙ୍ଗୀମାନେ ମୋ ମୁହଁକୁ ବଲବଲ କରି ଚାହିଁ ରହିଲେ ।

 

ଏପରି ସମୟରେ ମୋର ଭାରତୀୟ ବନ୍ଧୁ ଡାକ୍ତର ସିକଣ୍ଡ ଆସି ପହଞ୍ଚିଲେ । ତାଙ୍କୁ ଦେଖି ମୋର ଧୈର୍ଯ୍ୟର ବନ୍ଧ ଭୁଶୁଡ଼ି ପଡ଼ିଲା । ମୁଁ ତାଙ୍କୁ ଜଣାଇଲି, ଏଠାରେ ଆଉ ରହିହେବ ନାହିଁ-। ଏମାନେ ଗାଈ, ଘୋଡ଼ା, ଘୁଷୁରି ଓ କୁକୁର ପର୍ଯ୍ୟନ୍ତ ଖାଉଛନ୍ତି । ମୁଁ ଆଉ କ’ଣ ବାଛିକରି ଖାଇବି-? ମୁଁ ବର୍ତ୍ତମାନ ଦେଶକୁ ଫେରିଯିବା ଉଚିତ ।

 

ସିକଣ୍ଡ ଆଗରୁ ଏ ଦେଶକୁ ଆସିଥିଲେ । ସେ ସଙ୍ଗେ ସଙ୍ଗେ ସବୁ ବୁଝିଗଲେ । ମୋ କାନ୍ଧରେ ହାତ ପକାଇ କହିଲେ ‘ଏ ଲୋକମାନଙ୍କର କଥାସବୁ କୌତୁକିଆ । ଯାହାକୁ ଗରମ କୁକୁର କୁହାଯାଉଛି, ସେ ଗରମ ନୁହେଁ କି ତା’ ସହିତ କୁକୁରର କୌଣସି ସମ୍ପର୍କ ନାହିଁ । ତାହା ଖଣ୍ଡିଏ ପାଉଁରୁଟି ଓ ତା’ ଭିତରେ ମାଂସର କିମ୍ବା ଲମ୍ୱା ଖୋଳ ଭିତରେ ରଖାଯାଇଛି । ସେଇଦିନଠାରୁ ମୁଁ ଆଉ ‘ମେନୁକାର୍ଡ଼’ ପଢ଼େ ନାହିଁ । ମାଂସକୁ ପ୍ରୋଟିନ୍ ବିଚାରି ଖାଏ । କେବଳ ଗୋମାଂସ କି ଘୁଷୁରିମାଂସ ବୋଲି କେହି କହିଦେଲେ ମୋତେ ବାନ୍ତି ଆସେ, ମୁଁ ଖାଏନାହିଁ ।’’ ସଭାରେ ସମସ୍ତେ ମୋ କଥା ଶୁଣି ଠୋଠୋ ହସିଲେ ।

 

ଜଣେ ପୁଣି ମୋତେ ପ୍ରଶ୍ନ କରେ, ଆମେମାନେ ତ ଗୋମାଂସ ଖାଉ, ଆପଣ ସେଥିପାଇଁ ଆମକୁ ଘୃଣା କରନ୍ତି ?

 

ମୁଁ ପୁଣି ଥଟାରେ କହିଲି, ‘‘ତୁମ ଗୋରୁମାନେ ଆମ ଗୋରୁପରି ନୁହନ୍ତି । ତାଙ୍କର ଚୂଳ ନାହିଁ । ସେମାନେ ହମ୍ମାରବ ନ କରି କଁକଁ କରି ବୋବାନ୍ତି, ତେଣୁ ତାଙ୍କୁ ମୁଁ ଗୋରୁ ବୋଲି ଭାବେ ନାହିଁ । ତୁମ ଗୋରୁଗୁଡ଼ାକ ଆମ ଜଙ୍ଗଲର ସମ୍ୱର, ହରିଣପରି । ଆମେ ସମ୍ୱର, ହରିଣମାଂସ ଖାଉ ତେଣୁ ଏ ଗୋରୁ ଖାଉଥିବା ଲୋକଙ୍କୁ ଆମେ କାହିଁକି ଘୃଣା କରିବୁ ?

 

ଆମ ଗୋରୁର ଯେଉଁ ଚୂଳ ଥାଏ ସେଥିରେ ତେତିଶିକୋଟି ଦେବତା ଥାଆନ୍ତି, ତେଣୁ ଗୋଜାତି ଆମର ପୂଜ୍ୟ । ତୁମ ଗୋରୁଗୁଡ଼ାକ ଈଶ୍ୱର-ଛଡ଼ା ଜୀବ, ତାକୁ ଖାଇଲେ ଖାଅ ।’’ ଏସବୁ କଥାରେ ସେମାନେ ମୋ ମୁହଁକୁ ବଲବଲ କରି ଚାହିଁଲେ । ମୋ କଥା ହୁଏତ ବୁଝିପାରିଲେ ନାହିଁ ।

 

ତା’ପରେ ସେ ସଭାରେ ମୁଁ ବୁଝାଇକରି କହିଲି, ଦେଖନ୍ତୁ, ଗୋରୁ ଆମ ଦେଶର ଗୋଟିଏ ଅତି ଉପକାରୀ ଜୀବ । ଆମ ଦେଶ ଗୋଟିଏ କୃଷି ପ୍ରଧାନ ଓ ମନସୁନ ବର୍ଷା ଉପରେ ନିର୍ଭର କରୁଥିବା ସ୍ଥାନ । ଚାଷପାଇଁ ଗୋରୁ ହଳ କରନ୍ତି, ବର୍ଷାକାଳ ଆସିବା ପୂର୍ବରୁ ଲକ୍ଷ ଲକ୍ଷ ଗୋରୁ ଏକାବେଳକେ ଚାଷପାଇଁ ଦରକାର ହୁଅନ୍ତି । ଆମ ଦେଶରେ ତେତିଶିକୋଟି ଲୋକ ଥିଲେ ବୋଲି ସେତେବେଳେ ଧାରଣା ଥିଲା । ଆମ ଧର୍ମ ଅନୁସାରେ ମନୁଷ୍ୟହିଁ ଦେବ ଅଂଶରେ ଜନ୍ମ ବା ଦେବତା । ତେଣୁ ସେଇ ତେତିଶିକୋଟି ଦେବତାଙ୍କ ସ୍ୱାର୍ଥ ବା ଜୀବନଧାରଣ ଗୋରୁ ସହିତ ଜଡ଼ିତ-

 

ବୈଦିକ ଯୁଗରେ ଲୋକେ ଗୋରୁ ବଳି ଦେଉଥିଲେ ଓ ଗୋମାଂସ ଖାଉଥିଲେ କିନ୍ତୁ ଆର୍ଯ୍ୟମାନେ କୃଷିକର୍ମରେ ଲାଗିବାପରେ ଧର୍ମ ନାମରେ ଗୋବଧ ବନ୍ଦ କଲେ ଓ ଲୋକଙ୍କୁ ବୁଝାଇ କରି କହିଲେ ହୁଏତ ସେମାନେ ମାନନ୍ତେ ନାହିଁ; ତେଣୁ ଆମର ମହାପୁରୁଷମାନେ ତାକୁ ଧର୍ମ ଉପରେ ପକାଇ ଗୋରୁ ଚୂଳରେ ତେତିଶିକୋଟି ଦେବତା ଅଛନ୍ତି ବୋଲି କହି ଗୋବଧ ବନ୍ଦ କରି ଦେଇଥିଲେ । ତା’ ନହେଲେ ଭାରତରେ ଆଉ ଚାଷ ହୋଇ ପାରି ନଥାନ୍ତା । ଖାଦ୍ୟ ନ ପାଇ ଲୋକେ ପୋକ ମାଛିପରି ମରି ଯାଇଥାନ୍ତେ । ସତ୍ୟକହିବା, ଚୋରୀ ନ କରିବା ପ୍ରଭୃତି ପରି ଆମ ଦେଶରେ ଏ ମଧ୍ୟ ଗୋଟିଏ ବଦ୍ଧମୂଳ ଧର୍ମଧାରଣା, ଆମ ଦେଶରେ ନୂଆ ବୈଜ୍ଞାନିକ ପ୍ରଣାଳୀରେ ଯନ୍ତ୍ରସାହାଯ୍ୟରେ ଚାଷ ହେଲେ ଓ ଗୋରୁର ଆଉ ବିଶେଷ ପ୍ରୟୋଜନ ହେଲେ ଗୋରୁ ଖାଇବା ଉଚିତ କି ନୁହେଁ ବୋଲି ଆପଣ ପ୍ରଶ୍ନ କରି ପାରନ୍ତି । ଆମ ଦେଶରେ ଅନେକେ ତା’ର ଉତ୍ତର ଦିଅନ୍ତି-ମାଆ ବାପା ବୁଢ଼ାହୋଇ ପିଲାଙ୍କୁ ପୋଷି ନ ପାରିଲେ ସେମାନଙ୍କୁ କ’ଣ ହତ୍ୟା କରିବା ଉଚିତ ? ସେ ଯାହାହେଉ, କୌଣସି ଦେଶର ଧର୍ମଧାରଣା ବଦଳାଇବା ମଧ୍ୟ କଷ୍ଟ ।’’

 

ଅନ୍ୟ ଏକ ସ୍ଥାନରେ ଆମ ଦେଶର ପ୍ରତିମାପୂଜା ସମ୍ପର୍କରେ ମଧ୍ୟ ମୋତେ ଗୋଟିଏ ପ୍ରଶ୍ନ ହୋଇଥିଲା । ମୁଁ ତା’ର ଉତ୍ତରରେ କହିଥିଲି ‘‘ଈଶ୍ୱରଙ୍କ ସତ୍ତା ସାଧାରଣ ଲୋକ ସିଧାସଳଖ ଅନୁଭବ କରିବା ସମ୍ଭବ ନୁହେଁ, ତେଣୁ ସାଧାରଣଙ୍କ ହୃଦ୍‍ବୋଧ ପାଇଁ ମାଧ୍ୟମରେ ପ୍ରୟୋଜନ ହୁଏ-। ବୁଦ୍ଧ ନିଜେ ଈଶ୍ୱର ବୋଲି ଅନେକ ଦେଶରେ ପୂଜା ପାଉଛନ୍ତି । ଯିଶୁଖ୍ରୀଷ୍ଟଙ୍କୁ ଈଶ୍ୱରପୁତ୍ର ବୋଲି ପୂଜା କରାଯାଉଛି । କ୍ୟାଥ୍‍ଲିକମାନେ ନାନା ସନ୍ଥଙ୍କର ପୂଜା କରୁଛନ୍ତି । ସନାତନ ହିନ୍ଦୁଧର୍ମରେ ବହୁକାଳ ଧରି ଉପକାରୀ ସୂର୍ଯ୍ୟ, ଚନ୍ଦ୍ର, ଜଳ ପ୍ରଭୃତି ବସ୍ତୁ ‘ମାଧ୍ୟମ’ମାନେ ମଧ୍ୟ ପ୍ରତିମା ରୂପରେ ଗଢ଼ି ଉଠିଛନ୍ତି ଏବଂ ବହୁ ସାଧୁ ସନ୍ନ୍ୟାସୀ ମଧ୍ୟ ଈଶ୍ୱରଙ୍କ ସତ୍ତାଧାରୀ ବୋଲି ପୂଜା ପାଉଛନ୍ତି-। ପ୍ରତିମା ଓ ପ୍ରତିଭା ପୂଜା ପ୍ରାୟ ଏକାପରି । ଯୁଗଯୁଗ ଧରି ସମଗ୍ର ମାନବ ସମାଜରେ ଊଣାଅଧିକେ ଏପରି ପୂଜା ପ୍ରଚଳିତ ଅଛି ।’’

 

ଧର୍ମପ୍ରଚାର

 

ପୁରାତନ ଭାରତବାସୀ ଅତିଥିପ୍ରିୟ ଓ ଖୋଲାମନ ହୋଇଥିବାରୁ ବହୁଧର୍ମ ଭାତରରେ ପ୍ରଚାର ଓ ପ୍ରସାର ଲାଭ କରି ହିନ୍ଦୁଧର୍ମରେ ଲୀନ ହୋଇ ଯାଇଥିଲା । ଆମେରିକାବାସୀ ଧର୍ମାନ୍ଧ ନ ହୋଇ ଖୋଲାପ୍ରାଣରେ ବିଭିନ୍ନ ଦର୍ଶନ ଗ୍ରହଣ କରୁଥିବାରୁ ଏବେ ସେଠାରେ ବହୁ ପୁରାତନ ଧର୍ମ ଓ ମତ ପ୍ରସାରଲାଭ କଲାଣି । ବହୁତଗୁଡ଼ିଏ ହିନ୍ଦୁ ମନ୍ଦିର ମଧ୍ୟ ଗଢ଼ି ଉଠିଲେଣି ଓ ଦେବଦେବୀ ପୂଜା ପାଇଲେଣି । ସେଠାର ଲୋକ ହିନ୍ଦୁ ଉତ୍ସବରେ ମାତି ଶ୍ରୀଗୁଣ୍ଡିଚା ଯାତ୍ରାକରି ରଥ ଟାଣିଲେଣି । ସାହେବ ସାହେବାଣୀ ଲଣ୍ଡାହୋଇ ଗେରୁବସ୍ତ୍ର ପିନ୍ଧି ପଣତଧରି ହରେକୃଷ୍ଣ ହରେରାମ କହି ନାଟ କଲେଣି । ବସ୍ତୁବାଦର ଚରମ ସୀମାରେ ପହଞ୍ଚି ଏବେ ଆଧ୍ୟାତ୍ମିକବାଦ ଆଡ଼କୁ ଟାଣି ହେଲେଣି ।

 

ଧର୍ମ ଠକେଇ

 

ଆମ ଦେଶ ଦିନେ ନୈତିକତାର ଚରମ ସୀମାରେ ପହଞ୍ଚିଥିଲେ ମଧ୍ୟ ଏବେ ଦୁର୍ନୀତିର ବାତାବରଣ ଦେଶକୁ ଅସ୍ଥିର କରି ପକାଇଲାଣି । ଏବେ ଆମ ଦେଶରେ ଭେଜାଲ କାରବାର ସବୁଠାରୁ ବେଶୀ । ଆମ ଦେଶରେ ଭେଜାଲ ସାଧୁ ସନ୍ଥଙ୍କର ମଧ୍ୟ ଅଭାବ ନାହିଁ । ଆମେରିକାବାସୀଙ୍କର ହିନ୍ଦୁ ଦର୍ଶନପ୍ରତି ଆଗ୍ରହ ଦେଖି ସେମାନଙ୍କୁ ଠକିବାକୁ କେତେକ ଭଣ୍ଡ ସାଧୁବି ସେଠାରେ ପହଞ୍ଚି ଗଲେଣି ।

 

ଆମେରିକା ଚିକାଗୋ ସହରରେ ପ୍ରଥମେ ବିବେକାନନ୍ଦ ପୃଥିବୀ-ଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମକୁ ଉପସ୍ଥାପିତ କରି ପୃଥିବୀବାସୀଙ୍କୁ ଚମତ୍କୃତ କରିଥିଲେ । ତାଙ୍କ ପରେ ସେଠାକୁ ବହୁ ହିନ୍ଦୁ ସନ୍ନ୍ୟାସୀ ଯାଇ ମଠ ଓ ଦେବାଳୟ ସ୍ଥାପନ କରିଛନ୍ତି । ଅନେକ ସାଧୁ ନିଜ ପ୍ରତିଭା ବଳରେ ସେ ଲୋକଙ୍କୁ ହିନ୍ଦୁଧର୍ମ ଆଡ଼କୁ ଆକର୍ଷଣ କରନ୍ତି । ଅନ୍ୟ କେତେକ ସାଧୁବେଶୀ, ସ୍ୱାର୍ଥାନ୍ୱେଷୀ ସନ୍ନ୍ୟାସୀ ଅର୍ଥ ଆଗମପାଇଁ ନାନା ଉପାୟ ଉଦ୍ଭାବନ କରି ନିଜର ସୁଖ ସ୍ୱାଚ୍ଛନ୍ଦ୍ୟପାଇଁ ମଠ ତିଆରି କରନ୍ତି ।

 

ଗୋଟିଏ ଠାକୁର ବସାଇ ଖ୍ରୀଷ୍ଟିଆନଙ୍କପରି ପ୍ରାର୍ଥନା ସଭା କରାଇଲେ, ସେଠାକୁ ଆସିଥିବା ଲୋକମାନେ ସନ୍ନ୍ୟାସୀଙ୍କ ବକ୍ତବ୍ୟ ପୂର୍ବରୁ ବୁଲାହେଉଥିବା ଥାଳିରେ ପଇସା ପକାନ୍ତି । ସ୍ଥାନୀୟ ଲୋକଙ୍କୁ ସେପରି ଧର୍ମସଭାକୁ ଆକର୍ଷିତ କରିବାକୁ ବକ୍ତାଙ୍କ ପ୍ରଶସ୍ତିକରି ଓ ଭାରତୀୟ ଜ୍ଞାନୀ ଭକ୍ତମଣ୍ଡଳୀ ଯୋଗ ଦେଉଛନ୍ତି ଲେଖି ବିଜ୍ଞାପନମାନ ଦିଆଯାଇଥାଏ ।

 

ସେପରି ଗୋଟାଏ ଧର୍ମପ୍ରାର୍ଥନା ସଭାକୁ ସେଠାରେ ପଢ଼ୁଥିବା ଛାତ୍ରମାନଙ୍କୁ ଆଜିକାଲିର ରାଜନୀତି ସଭାକୁ ଖର୍ଚ୍ଚଦେଇ ଡାକିଲା ପରି, ଗୋଟିଏ ଭୋଜିର ଆୟୋଜନ କରାଯାଇ ଡକା ଯାଇଥାଏ । ପଲାଉ ମାଂସ ପ୍ରଭୃତିର ବ୍ୟବସ୍ଥା ଥିବାରୁ କେତେଗୁଡ଼ିଏ ଭାରତୀୟ ଛାତ୍ର ସେଥିରେ ଯୋଗଦେଇ ଥାଆନ୍ତି । ସେଦିନ ସେ ସଭାରେ ଜଣେ ଅଳ୍ପଭାଷୀ ଭାରତୀୟ ସିଦ୍ଧ ସନ୍ନ୍ୟାସୀ ସାରଗର୍ଭକ ଆଶୀର୍ବାଦ ଭାଷଣ ଦେବେ ବୋଲି ବିଜ୍ଞାପନ ଦିଆହୋଇଥାଏ ।

 

ସଭାରେ ବହୁତ ସ୍ଥାନୀୟ ଲୋକ ଯୋଗ ଦେଲେ; ଥାଳିରେବି ବହୁତ ପଇସା ପଡ଼ିଲା । ବିବେକାନନ୍ଦଙ୍କ ପରି ବେଶଭୂଷା ହୋଇ ଜଣେ ଦୀର୍ଘକାୟ ଭାରତୀୟ ସନ୍ନ୍ୟାସୀ ସଭା ମଞ୍ଚ ଉପରକୁ ଉଠିଲେ । ସମସ୍ତେ କରତାଳି ଦେବାପରେ ସନ୍ନ୍ୟାସୀ ଦୁଇଟିଯାକ ହାତ ଉପରକୁ ଟେକିଲେ । ଆଶୀର୍ବାଦ ଦେଲାଭଳି ହାତଟେକି କିଛି ସମୟ ରହିବା ପରେ ଓଁ ଓ ଓଁ ବୋଲି ତିନିଥର କହି ବସି ପଡ଼ିଲେ । ଜଣେ ଚତୁର ଭାରତୀୟ ଛାତ୍ର, ସନ୍ନ୍ୟାସୀ ଜଣେ ସଦ୍ୟ ଜାହାଜରୁ ଆସିଥିବା କୁଲିଶ୍ରେଣୀୟ ଲୋକ ବୋଲି ଜାଣିଥିଲେ ଓ ସନ୍ନ୍ୟାସୀଙ୍କ ପାଣ୍ଡିତ୍ୟ ବିଷୟରେ ଅନୁମାନ କରିଥିଲେ-। ସେ ଛାତ୍ର ଜଣକ ହିନ୍ଦୀରେ ପାଟିକରି କହିଲେ ‘‘ହେ ବାବା, ଏତିକିରେ କ’ଣ ତୁମ ପାଠ ଶେଷ ହୋଇଗଲା ? ଯଦି ଆଉ କିଛି ଜାଣ, ତେବେ କହିବା ହେଉ,’’ ସନ୍ନ୍ୟାସୀ ଏହାଶୁଣି ତମତମ ହୋଇ ଦୁଇହାତ ଟେକି ‘‘ହାଲୁକା ଖାଅ, ତାକତ ହୋଗା’’ ବୋଲି ତିନିଥର ବଡ଼ପାଟିରେ କହି ପୁଣି ବସି ପଡ଼ିଲେ । ମଠାଧୀଶ ସାଧୁ ଜଣକ କଥାଟା ଓଲଟା ଦିଗକୁ ଗତି କରୁଛି ଦେଖି ହଠାତ୍ ସନ୍ନ୍ୟାସୀଙ୍କୁ ନମସ୍କାର କରି ତାଙ୍କ ପାଦ ସ୍ପର୍ଶ କଲାପରେ ହାତଧରି ଭିତରକୁ ଘେନି ଯାଇ ଗୋଟିଏ ଘରେ ତାଙ୍କୁ ବିଶ୍ରାମ କରିବାକୁ କହି ବାହାରୁ ଚାବି ପକାଇ ଚାଲିଆସିଲେ ।

 

ସାଧୁ ନିଜେ ପାଠୁଆ ଲୋକ । ସେ ରଙ୍ଗମଞ୍ଚ ଉପରକୁ ଉଠି ହାତ ଯୋଡ଼ି ଓଁର ତାତ୍ପର୍ଯ୍ୟ ଓ ମାହାତ୍ମ୍ୟ ବିଷୟରେ ଦୁଇଘଣ୍ଟା କାଳ ଗୋଟିଏ ସାରଗର୍ଭକ ଭାଷଣ ଦେଇ ଶ୍ରୋତାମାନଙ୍କୁ ହିନ୍ଦୁ ଦର୍ଶନ ଶୁଣାଇ ବକ୍ତବ୍ୟ ଶେଷ କଲେ । ନିଜେ ସବୁବେଳେ କହିଲେ ତାଙ୍କ କଥାର ସେତେ ଗୁରୁତ୍ୱ ରହୁ ନ ଥିବାରୁ ଓ ବେଶୀ ଶ୍ରୋତା ଜୁଟୁ ନ ଥିବାରୁ ସେ ମଝିରେ ମଝିରେ ଏପରି ବ୍ୟବସ୍ଥା କରୁଥିଲେ ।

 

ସଭା ସରିବା ସଙ୍ଗେ ସଙ୍ଗେ ଲୁଚାଇକରି ସେ ସନ୍ନ୍ୟାସୀଙ୍କୁ ତାଙ୍କ ଜାହାଜକୁ ପଠାଇଦେବାର ବ୍ୟବସ୍ଥା କଲେ ଓ ସେ ସନ୍ନ୍ୟାସୀ ଆଉ ଦ୍ୱିତୀୟଥର ପାଇଁ ଦେଖା ଦେଇ ନଥିଲେ । ପରେ ଖବରକାଗଜରେ ସନ୍ନ୍ୟାସୀଙ୍କ ଏକଅକ୍ଷରୀ ବକ୍ତୃତାର ଭୂୟସୀ ପ୍ରଶଂସା ସାଧୁଙ୍କ ଟୀକା ସହିତ ପ୍ରଚାରିତ ହୋଇ ସେ ମଠର ମହତ୍ତ୍ୱ ଓ ଆର୍ଥିକ ସ୍ୱଚ୍ଛଳତା ବଢ଼ିଥିଲା ।

 

ଧର୍ମ-ଦର୍ଶନ

 

ବର୍ତ୍ତମାନର ହିନ୍ଦୁ ଦର୍ଶନର ବଢ଼ତି ପରି ଦିନେ ଭାରତୀୟ ଚା’ର ଆମେରିକାରେ ଚାହିଦା ବଢ଼ିଥିଲା । ଭାରତୀୟ ଅସାଧୁ ବେପାରୀମାନେ ବେଶୀ ଲାଭ ଆଶାରେ ଚା’ରେ ଚମଡ଼ା ଗୁଣ୍ଡ ମିଶାଇ ସେଠାକୁ ପଠାଇଥିବାରୁ ଜଣାପଡ଼ିବା ପରେ ସେ ଦେଶରେ ଭାରତୀୟ ଚା’ର କାଟତି ଶୂନ ହୋଇଗଲା । ସେହିପରି ଏ ଭେଜାଲ ସାଧୁ ସନ୍ନ୍ୟାସୀଙ୍କ ଯୋଗୁଁ ହିନ୍ଦୁ ଧର୍ମପ୍ରଚାରର ପୂର୍ଣ୍ଣଚ୍ଛେଦ ନ ପଡ଼ିଲେ ହେଲା ।

 

ମନୁଷ୍ୟର ପ୍ରକୃତି ଭିତରେ ଭଲ ଓ ଭେଲ ଏକାଧାରରେ ନିହିତ ଅଛି । ବିଜ୍ଞାନର ଅଦ୍ଭୁତ ଆବିଷ୍କାରଗୁଡ଼ିକୁ ମାନବ ସମାଜର ମଙ୍ଗଳରେ ନ ଲଗାଇ ରାଷ୍ଟ୍ରସ୍ୱାର୍ଥର ଦ୍ୱାହି ଦେଇ ଅଣୁବୋମା ତିଆରି କରି ପୃଥିବୀକୁ ଧ୍ୱଂସପଥରେ ଘେନିଯିବା ପାଇଁ ବଡ଼ବଡ଼ ରାଷ୍ଟ୍ରମାନଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ।

 

ଡକ୍ଟର ହୁଏରଙ୍କ ମତରେ ହିନ୍ଦୁ ଦର୍ଶନ ପରି ବିରାଟ ଆଧ୍ୟାତ୍ମିକବାଦ, ମାନବର ସମସ୍ତ ଅବିମୃଷ୍ୟକାରିତା ସତ୍ତ୍ୱେ ଯୁଗଯୁଗ ଧରି ଜଗତକୁ ଆଲୋକ ଦେଖାଇ ଆସିଛି । ଆଧ୍ୟାତ୍ମିକବାଦହିଁ ପୃଥିବୀକୁ ଧ୍ୱଂସମୁଖରୁ ରକ୍ଷା କରିପାରିବ ।

 

ପୃଥିବୀର ନାନାସ୍ଥାନ ଭ୍ରମଣକରି ନାନା ସମାଜ ଓ ସରକାରଙ୍କ ସାନ୍ନିଧ୍ୟ ଲାଭକରି ସେ ମାନବ ସମାଜ ଓ ମାନବ ପ୍ରକୃତିକୁ ଭଲ ଭାବରେ ଅନୁଧ୍ୟାନ କରିବାର ଅଭିଜ୍ଞତା ଅର୍ଜନ କରିଥିଲେ-। ସେ ବୈଜ୍ଞାନିକ ଓ ମାନବଧର୍ମୀ ଭାବରେ ନିଜକୁ ପୃଥିବୀର ସମସ୍ତ ମାନବ ସମାଜର ଜଣେ ସାଧାରଣ ବ୍ୟକ୍ତି ବୋଲି ମନେ କରନ୍ତି । ତାଙ୍କ ନିକଟରେ ଦେଶର ସୀମା ଓ ଧର୍ମର ଭେଦର ଅର୍ଥ କିଛି ନଥିଲା । ଉଚ୍ଚ ପର୍ବତର ଶିଖର ଦେଶରୁ ତଳକୁ ଚାହିଁଲେ ବଟବୃକ୍ଷ ଓ ଦୂର୍ବାଦଳ ଯେପରି ସମାନ ଦିଶେ, ସେପରି ମନୁଷ୍ୟ ଭିତର ବଡ଼ ସାନ ତାଙ୍କ ଭଳି ଜଣେ ବିରାଟ ଜ୍ଞାନୀ ଓ ପଣ୍ଡିତଙ୍କ ଚକ୍ଷୁରେ ସମାନ ଦିଶିବା ସ୍ୱାଭାବିକ ।

 

ଜୀବନୀ ସୂଚନା

 

ଡକ୍ଟର କ୍ୟାରେଲ ହୁଏର ୧୮ ତାରିଖ ସେପ୍‍ଟେମ୍ୱର ୧୯୦୨ ମସିହାରେ ଚେକୋସ୍ଲୋଭାକିଆ ଦେଶର ଗୋଟିଏ ଗ୍ରାମରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୩୨ ମସିହାରେ ସେ ଦେଶର ପ୍ରେଗ୍ ବିଶ୍ୱବିଦ୍ୟାଳୟରୁ ଜ୍ୟୋର୍ତିପଦାର୍ଥ ବିଜ୍ଞାନ ଏବଂ ବିଜ୍ଞାନର ଇତିହାସ ଓ ଦର୍ଶନ ଉପରେ ଗବେଷଣା କରି ବିଜ୍ଞାନର ସର୍ବଶ୍ରେଷ୍ଠ ଉପାଧି ଡି.ଏସ.ସି. ଲାଭ କରି ଫ୍ରାନସ୍, ଲଣ୍ଡନ ପ୍ରଭୃତିର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ଗବେଷକଭାବେ କାର୍ଯ୍ୟ କରିଥିଲେ ।

 

ୟୁରୋପ ଛାଡ଼ିବା ପରେ ସେ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟର ବିଶ୍ୱବିଖ୍ୟାତ ୟର୍କ ଅବଜରଭେଟୋରୀରେ ପୃଥିବୀର ସର୍ବବୃହତ୍ ଟେଲିସ୍କୋପ୍‍ଲେନ୍‍ସ ବା ଦୂରବୀକ୍ଷଣ ଯବକାଚ ସାହାଯ୍ୟରେ ଗବେଷଣା କରି ବହୁ ନୂତନ ତଥ୍ୟ ଆବିଷ୍କାର କରିଥିଲେ ।

 

ଆଧୁନିକ ଜ୍ୟୋତିର୍ବିଜ୍ଞାନ ପଢ଼ିବା ସଙ୍ଗେ ସଙ୍ଗେ ପୁରାତନ ଜ୍ୟୋତିର୍ବିଜ୍ଞାନର ଇତିହାସ ସଂଗ୍ରହପାଇଁ ସେ ଭାରତ, ଚୀନ, ତିବ୍ବତ, ରୁଷିଆର ସାଇବେରିଆ ଅଞ୍ଚଳ, ମେକ୍‍ସିକୋ ଦକ୍ଷିଣ ଆମେରିକାର ପେରୁ, ବ୍ରାଜିଲ ପ୍ରଭୃତି ସ୍ଥାନ ଭ୍ରମଣ କରି ବହୁ ତଥ୍ୟ ସଂଗ୍ରହ କରିଥିଲେ ।

 

୧୯୩୫ ମସିହା ଭାରତ ଭ୍ରମଣବେଳେ ସେ ମହାତ୍ମାଗାନ୍ଧୀଙ୍କ ୱାର୍ଦ୍ଧା ଆଶ୍ରମର ସାନ୍ଧ୍ୟପ୍ରାର୍ଥନା ସଭାରେ ବିଜ୍ଞାନ ଓ ମାନବିକତା ଉପରେ ଭାଷଣ ଦେଇଥିଲେ । ସେତେବେଳେ କବିଗୁରୁ ରବୀନ୍ଦ୍ରନାଥଙ୍କଦ୍ୱାରା ନିମନ୍ତ୍ରିତ ହୋଇ ଜ୍ୟୋତିର୍ବିଦ୍ୟାର ଦର୍ଶନ ଉପରେ ଗୁଡ଼ିଏ ଭାଷଣ ଦେଇଥିଲେ । ସେ ଭାରତରେ ବର୍ଷାଧିକ କାଳ ଅତିବାହିତ କରି ଭାରତର ଦର୍ଶନ ଓ ସଂସ୍କୃତ ବିଦ୍ୟାରେ ଅଗାଧ ପାଣ୍ଡିତ୍ୟ ଲାଭ କରିଥିଲେ ।

 

ସେତେବେଳେ ଭାରତରେ ଇଂରେଜ ରାଜତ୍ୱ ଚାଲୁଥିଲା । ଜଣେ ୟୁରୋପୀୟ ଶ୍ୱେତକାୟ ବ୍ୟକ୍ତି ଭାରତୀୟମାନଙ୍କ ସଙ୍ଗେ ଏକାଠି ରହିବା ସରକାର ପସନ୍ଦ କରି ନଥିଲେ । ସେ ଶାନ୍ତିନିକେତନରେ ଥିବାବେଳେ କଲିକତାର ଇଂରେଜ ଶାସକମାନେ ତାଙ୍କୁ ଡକାଇ, କଳା ଦେଶୀ ଲୋକମାନଙ୍କ ସଙ୍ଗେ ନ ରହି କଲିକତାର ଗୋରାମାନଙ୍କ ସଙ୍ଗେ ରହିବାକୁ ପରାମର୍ଶ ଦେବାରେ ସେ ସେଥିରେ ନାସ୍ତିବାଣୀ ଶୁଣାଇ କହିଥିଲେ, ‘‘ଗୋରା ସମାଜରେ ମୁଁ ଜୀବନବ୍ୟାପୀ ଚଳିଛି । କଳା ସମାଜର ଅନୁଭୂତି ପାଇଁ ମୁଁ ଏ ଦେଶକୁ ଆସିଛି, ତୁମ ସଙ୍ଗେ ରହିବାପାଇଁ ଭାରତ ଆସି ନାହିଁ-।’’ ଭାରତ ରହଣି ପରେ ସେ ଚାଲି ଚାଲି ହିମାଳୟ ଅତିକ୍ରମ କରି ତିବ୍ବତ ଦେଶକୁ ଯାଇଥିଲେ-

 

ବିଭିନ୍ନ ସ୍ଥାନରେ ତାଙ୍କର ନିର୍ଭୀକ ଉକ୍ତି ସବୁ ପ୍ରକାଶ ପାଇଛି । ନିର୍ଭୀକତା ଓ ସ୍ୱାଧୀନ ମତବାଦ ଯୋଗୁଁ ତାଙ୍କୁ ନିଜ ଦେଶ ଛାଡ଼ିବାକୁ ପଡ଼ିଛି । ସେ ଜର୍ମାନର ତତ୍କାଳୀନ ଡିକ୍ଟେଟର୍ ‘ହିଟ୍‍ଲର’ଙ୍କଦ୍ୱାରା ନିର୍ଯାତିତ ହୋଇଛନ୍ତି । ତାଙ୍କୁ କମ୍ୟୁନିଜମ୍‍ର ଲୌହ ପରଦାର ଉହାଡ଼ରେ ବନ୍ଦୀ ଜୀବନ ମଧ୍ୟ ଯାପନ କରିବାକୁ ପଡ଼ିଛି ।

 

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ପରେ ଭାରତ ସରକାରଙ୍କ ପୃଷ୍ଠପୋଷକତାରେ ମହାତ୍ମା ଗାନ୍ଧୀଙ୍କ ସମ୍ୱନ୍ଧରେ ପ୍ରକାଶିତ ପୁସ୍ତକର ‘‘ରେମିନିସେନ୍‍ସେସ୍ ଅଫ୍ ଗାନ୍ଧିଜୀ’’ ପ୍ରବନ୍ଧରେ ସେ ପୃଥିବୀର ବହୁ ମହାମାନବଙ୍କ ସଙ୍ଗେ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

 

ବର୍ତ୍ତମାନର ବ୍ୟବସାୟଗତ ପାଠ୍ୟକ୍ରମ ଉପରେ ମତ ଦେଇ ସେ କହିଛନ୍ତି ‘‘ବର୍ତ୍ତମାନର ବିଦ୍ୟା ମନୁଷ୍ୟକୁ ତା’ର ଜୀବନଟାକୁ କୌଣସିମତେ ବଞ୍ଚାଇ ରଖିବାକୁ ଅର୍ଜନର ପନ୍ଥା ମାତ୍ର ଶିକ୍ଷା ଦେଉଛି । କିନ୍ତୁ ଭଲଭାବରେ ବଞ୍ଚି ରହିବାକୁ ସାର୍ଥକ ଜୀବନଟିଏ ଗଢ଼ିବାପାଇଁ କିଛି ଉପାଦନ ଯୋଗାଇ ପାରୁନାହିଁ ।

 

ବିଜ୍ଞାନର ବ୍ୟବହାର ବିଷୟରେ ବିଶିଷ୍ଟ ବୈଜ୍ଞାନିକ ସି.ଇ.ଏମ୍. ଜୋଡ଼୍‍ଙ୍କର ବାଣୀକୁ ଉଦ୍ଧାର କରି ଉଦାହରଣ ଦେଇ ସେ କହନ୍ତି, ‘‘ବିଜ୍ଞାନର ଆବିଷ୍କାର ମାନବ ସଭ୍ୟତାକୁ ଆଗେଇ ନେଉଛି କିନ୍ତୁ ତା’ର ଅପବ୍ୟବହାର ମାନବ ସଭ୍ୟତାକୁ ରସାତଳକୁ ନେବାକୁ ବସିଲାଣି ।’’

 

ବୈଜ୍ଞାନିକ ଭାବରେ ଜୋଡ଼୍‍ଙ୍କ ଉକ୍ତିରେ ‘‘ତୁମେ ଆଟମ୍ ବମ୍ ଚାହିଁଲ, ବୈଜ୍ଞାନିକ ଭାବରେ ମୁଁ ତାହା ତୁମକୁ ଦେଲି; କିନ୍ତୁ ତୁମେ ନେଇ ତାକୁ କି ବ୍ୟବହାରରେ ଲଗାଇବ ମୁଁ ତା’ର କିପରି ବିରୋଧ କରି ପାରିବି ? ତୁମେ କାରିଗରକୁ କହିଲ ଦେଉଳଟିଏ ତୋଳିଦିଅ, ସେ ସୁନ୍ଦର ଦେଉଳଟିଏ ତୋଳି ଦେଲା । ତୁମେ ନେଇ ସେଥିରେ ଘୁଷୁରି ପାଳିଲେ ସେଥିରେ କାରିଗର କ’ଣ କରିପାରିବ ?’’

 

ବୈଜ୍ଞାନିକମାନେ ସାଧାରଣତଃ ଜଡ଼ବାଦୀ ଓ ଆତ୍ମଧର୍ମୀ ବୋଲି ଅନେକଙ୍କର ଧାରଣା ଥାଏ । କିନ୍ତୁ ମହର୍ଷି ହୁଏରଙ୍କର ପ୍ରତିଭା ବିଜ୍ଞାନ ଓ ଦର୍ଶନର ଏକ ସମନ୍ୱୟ । ହୁଏରଙ୍କ ମତରେ ପ୍ରକୃତ ବିଜ୍ଞାନର କାର୍ଯ୍ୟ ହେଉଛି, ତା’ର ଆଲୋକ ମାନବକୁ ଆଧ୍ୟାତ୍ମିକ ପଥରେ ଆଗେଇନେବା । ଜ୍ଞାନହିଁ ମାନବକୁ ଚିରସ୍ଥାୟୀ ଭଗବାନଙ୍କର ସତ୍ତା ଅନୁଭବ କରାଇପାରିବ ।

Image

 

ଆତିଥ୍ୟ

ବର୍ମିଂହାମ

 

ବର୍ଷକ ପରେ ଚାଟାନୁଗା ଛାଡ଼ି ଆଲବାମା ୟୁନିଭର୍‍ସିଟିର ପ୍ରସିଦ୍ଧ ବର୍ମିଂହାମ ମେଡ଼ିକାଲ ସେଣ୍ଟରରେ ପଢ଼ିବାପାଇଁ ଚାଲି ଆସିଲି । ଆଲବାମା ଟେନେସୀ ପ୍ରଦେଶର ଆହୁରି ଦକ୍ଷିଣକୁ ହୋଇଥିବାରୁ ସେଠାରେ ନିଗ୍ରୋ ଓ ଗୋରା ବିଦ୍ୱେଷ ବହୁତ ବେଶୀ । ମୁଁ କଳା ହେଲେ ମଧ୍ୟ ବିଦେଶୀ ହୋଇଥିବାରୁ ମୋର ସେଠା ଲୋକଙ୍କ ସଙ୍ଗେ ମିଳାମିଶା କରିବା ସେତେ ଅସୁବିଧା ହେଲା ନାହିଁ । ବରଂ ଦକ୍ଷିଣୀ ଆତିଥ୍ୟର ସୁବିଧା ମିଳିଲା ।

 

ବର୍ମିଂହାମ ଆମେରିକାର ଦ୍ୱିତୀୟ ଲୌହନଗରୀ । ସେଠାରେ ଗ୍ରୀକ୍ ଲୌହଦେବତା ଡନକାନଙ୍କର ଗୋଟିଏ ବିରାଟ ଲୌହମୂର୍ତ୍ତି ସହରର ଗୋଟିଏ ଉଚ୍ଚ ପର୍ବତ ବା ଟାଙ୍ଗରା ମୁଣ୍ଡିଆ ଉପରେ ସ୍ଥାପିତ ହୋଇ, ସହରର ବଡ଼ବଡ଼ ଲୁହାକାରଖାନାମାନଙ୍କ ଆଡ଼କୁ ହାତ ଦେଖାଇ ଠିଆ ହୋଇଛି । କାରଖାନାମାନଙ୍କର ଧୂମ୍ରରାଶି ସବୁବେଳେ ନଭଶ୍ଚୁମ୍ୱୀ ଅଟ୍ଟାଳିକାମାନଙ୍କୁ ଆବୃତ କରି ରଖିଥାଏ । ଧୂମ୍ରର କୃଷ୍ଣପଟଳ ଭେଦ କରି ସୂର୍ଯ୍ୟରଶ୍ମି ପ୍ରାୟ ଭୂତଳ ସ୍ପର୍ଶ କରିପାରେ ନାହିଁ ।

 

ବର୍ମିଂହାମ ନଗରୀ, ଗୋଟିଏ ପ୍ରଧାନ ଶିଳ୍ପକେନ୍ଦ୍ର ହେଲେ ମଧ୍ୟ ତା’ର ଚାରିପଟେ ବିସ୍ତୀର୍ଣ୍ଣ କୃଷିଭୂମି ରହିଥିବାରୁ ସେଠାରେ ବହୁ ବଡ଼ବଡ଼ କୃଷକ ଗହମ, ମକା, ଆଳୁ, କାର୍ପାସ ପ୍ରଭୃତି ଚାଷ କରନ୍ତି । ସେଠାରେ ଯନ୍ତ୍ର ସାହାଯ୍ୟରେ ଆଧୁନିକ ପ୍ରଣାଳୀରେ ଚାଷ ହୁଏ । ଗୋଟିଏ ଗୋଟିଏ ଛୋଟ ପରିବାର ହଜାର ହଜାର ଏକରଜମିରେ ହାତଚାଷ କରିପାରନ୍ତି । ସେମାନଙ୍କୁ ସାହାଯ୍ୟ କରିବାକୁ ନିଗ୍ରୋ ଗ୍ରାମମାନଙ୍କରୁ ବେଳେବେଳେ ଜଣେ ଦୁଇଜଣ ନିଗ୍ରୋ ଆସି ମଜୁରୀ ଲାଗନ୍ତି ।

 

ହସ୍‍ପିଟାଲର ବଡ଼ କୋଠାଟି ଗୋଟିଏ ବହୁ ମହଲାବିଶିଷ୍ଟ ପ୍ରାସାଦ । ତା’ର ଷୋହଳ ତାଲା ଉପରେ ଆମ ରେସିଡ଼େଣ୍ଟମାନଙ୍କୁ ଘର ମିଳିଥାଏ । ଅନ୍ୟ ମହଲାମାନଙ୍କରେ ରୋଗୀ ରହିବା, ଅପରେସନ୍‍ ରୁମ୍, ଲାବୋରଟେରୀ ପ୍ରଭୃତି ଥାଏ । କେତେକ ବିଭାଗ ଅନ୍ୟ କୋଠାମାନଙ୍କରେ ଥାଏ । କିନ୍ତୁ ହସ୍‍ପିଟାଲର ସବୁ କୋଠାକୁ ଭିତରେ ଭିତରେ ଓ ମାଟିତଳେ ସୁଡ଼ଙ୍ଗଦ୍ୱାରା ସଂଯୋଗ କରାଯାଇଥାଏ । ହସ୍‍ପିଟାଲଟି ଚଉଠ ଏକରରୁ ବେଶୀ ଭୂମି ମାଡ଼ି ବସିଥାଏ । କାର୍ଯ୍ୟବ୍ୟସ୍ତ ଥାଇ ଏକାଧାରରେ ମାସେ ଦୁଇମାସ ହସ୍‍ପିଟାଲ ବାହାରକୁ ନ ଗଲେ ମଧ୍ୟ ଚଳେ । ସେ ହସ୍‍ପିଟାଲ ଭିତରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମିଳିବାପାଇଁ ଦୋକାନ ସବୁ ଥାଏ ଓ ଆମର ଖାଇବା ଘର ପ୍ରଭୃତି ରହିଥାଏ ।

 

ରେସିଡ଼େନ୍‍ସି ଟ୍ରେନିଙ୍ଗ୍ ଓ ବିଶ୍ୱବିଦ୍ୟାଳୟ ଡିଗ୍ରୀ ପାଠ ଦୁଇଟିଯାକ ପାଇଁ କାମ କରୁଥିବାରୁ ମୋତେ ପ୍ରାୟ ବାହାରକୁ ଯିବାକୁ ବେଳ ହୁଏ ନାହିଁ । ଖ୍ରୀଷ୍ଟମାସ ବା ବଡ଼ଦିନ ଛୁଟି ଆସିବାରୁ ମୋର ମୋ ପୂର୍ବସ୍ଥାନ ଓ ଆମେରିକାର ଅନ୍ୟସ୍ଥାନ ସବୁ ବୁଲି ଦେଖିବାପାଇଁ ମନ ବଳିଲା ।

 

ଶୀତତାପ ଯନ୍ତ୍ରଯୁକ୍ତ ‘‘ଗ୍ରେହାଉଣ୍ଡ’’ ବସ୍‍ରେ ବସି ମୁଁ ଚାଟାନୁଗା ଅଭିମୁଖେ ଯାତ୍ରା କଲି-। ସେଥିରେ ବସିବାକୁ ବଡ଼ ଆରାମ ଲାଗେ, ଆଉଜି ବସିବାପାଇଁ ପକ୍ଷୀମାନଙ୍କ କଅଁଳ ପରଦ୍ୱାରା ତିଆରି ତକିଆ ସବୁବି ମିଳେ । ମୁଁ ମୋ ସିଟ୍‍ରେ ଆଉଜିକରି ତୁନିହୋଇ ବସି ରହିଲି ।

 

ବସ୍ ଯାତ୍ରାର ସଙ୍ଗୀ

 

ମୁଁ ଏପରି ବସି ଢୁଳଉଥିବାବେଳେ ମୋ ପାଖ ସିଟ୍‍ର ଜଣେ ଯାତ୍ରୀ ମୋ ସଙ୍ଗେ କଥାବାର୍ତ୍ତାର ଲୋଭ ସମ୍ୱରଣ କରି ନ ପାରି ଖାଲି ଏପଟ ସେପଟ ହେଲେ । ମୁଁ ତାଙ୍କ ଆଡ଼କୁ ଟିକିଏ ଚାହିଁବାରେ ସେ ହଠାତ୍ ଘୁଞ୍ଚି ଆସି ନିଜେ ଜଣେ ଇଞ୍ଜିନିୟର୍ ଓ ତାଙ୍କର ନାମ ଅମୁକ କହି ମୁଁ ତାଙ୍କ ସଙ୍ଗେ ହାତ ମିଳାଇବା ପାଇଁ ତାଙ୍କ ହାତଟି ବଢ଼ାଇ ଦେଲେ । ମୁଁ ବାଧ୍ୟ ହୋଇ ମୋ ନାମ କହି ତାଙ୍କ ସଙ୍ଗେ ହାତ ମିଳାଇଲି ।

 

ସେ ମୋ ପରିଚୟ ପାଉ ପାଉ ମୋ ସଙ୍ଗେ ଆଳାପ ଆରମ୍ଭ କରିଦେଲେ । ମୁଁ ଭାରତରୁ ଆସିଛି ଓ ଜଣେ ଭାରତୀୟ ଡାକ୍ତର ବୋଲି ତାଙ୍କୁ ପରିଚୟ ଦେଲି । ଦେଶ ବିଦେଶ ରାଜନୀତି ଓ ବିଜ୍ଞାନ ବିଷୟରେ ବହୁ ଘଣ୍ଟା ଧରି ଆଲୋଚନା ଚାଲିଲା । ତାଙ୍କ ସଙ୍ଗେ ଘନିଷ୍ଠତା ବଢ଼ିବା ପରେ ସେ ହଠାତ୍ ମୋତେ ପଚାରିଲେ ‘‘ଆପଣ ତ ଜଣେ ଭାରତୀୟ, ତେବେ ଆପଣ କେଉଁ ଗ୍ରୁପ୍ ବା ରିଜର୍ଭେସନ ସମ୍ପ୍ରଦାୟର ଲୋକ ?’’

 

ଭାରତ ବିଷୟରେ ତାଙ୍କର ଏପରି ସୀମିତ ଜ୍ଞାନର ସୂଚନାପାଇଁ ମୁଁ ହସିକରି ଉତ୍ତର ଦେଲି ‘‘ଚିଓର୍‍କି’’ । ସେ ମୋ ଉତ୍ତରରେ ସନ୍ତୁଷ୍ଟ ହୋଇ କହିଲେ ହଁ ଚିଓର୍‍କି ଗୋଟିଏ ଭଦ୍ର ଓ ମର୍ଯ୍ୟାଦାସମ୍ପନ୍ନ ଭାରତୀୟ ଦଳ । ଆମେରିକାର ପୁରାତନ ଅଧିବାସୀଙ୍କୁ ଇଣ୍ଡିଆନ ବା ଭାରତୀୟ କୁହାଯାଏ । ୟୁରୋପୀୟମାନଙ୍କ ସଙ୍ଗେ ଯୁଦ୍ଧରେ ପରାସ୍ତ ହେବାପରେ ସେମାନଙ୍କୁ ଦଳଦଳ କରି ବିଭିନ୍ନ ସ୍ଥାନରେ ଘେରାଉରେ ରଖିଲା ପରି ରଖାଯାଇଥିଲା । ଏବେବି ସେମାନେ ସେଇ ସେଇ ସ୍ଥାନମାନଙ୍କରେ ଆମେରିକାର ୟୁରୋପୀୟ ସଭ୍ୟତାରୁ ବିଚ୍ଛିନ୍ନ ହୋଇ ନିଜ ନିଜ ସମ୍ପ୍ରଦାୟକୁ ଧରି ବସବାସ କରୁଛନ୍ତି । ଚିଓର୍‍କି ଓ ଓକଲହାମା ପ୍ରଭୃତି ସ୍ଥାନରେ ଅଟକି ଥିବା ସମ୍ପ୍ରଦାୟମାନଙ୍କୁ ସେହି ସେହି ନାମରେ ପରିଚିତ କରାଯାଏ ।

 

ଏବେ ସେମାନଙ୍କ ସଂଖ୍ୟା ବହୁତ କମି ଆସିଲାଣି । ସେମାନଙ୍କ ଭିତରୁ ଅନେକେ ସେ ସ୍ଥାନ ସବୁ ଛାଡ଼ି ଆଧୁନିକ ଆମେରିକାନମାନଙ୍କ ସଙ୍ଗେ ବିବାହ ବନ୍ଧନରେ ଆବଦ୍ଧ ହୋଇ ନିଜ ନିଜର ସ୍ୱତନ୍ତ୍ରତା ହରାଇଲେଣି ।

 

ସେମାନଙ୍କୁ ଲୋହିତ ଭାରତୀୟ କୁହାଯାଉଥିଲେ ମଧ୍ୟ ଯୁକ୍ତରାଷ୍ଟ୍ରର ଦକ୍ଷିଣରେ ଓ ମେକ୍‍ସିକୋ ପ୍ରଭୃତି ଦେଶରେ ଥିବା ସେପରି ଲୋକମାନଙ୍କ ଚେହେରା ଜଳବାୟୁ ଦୃଷ୍ଟିରୁ ଆମ ସଙ୍ଗେ କେତେକାଂଶରେ ସମାନ । ସେହି କାରଣରୁ ଭାରତ ବିଷୟରେ ଧାରଣା ନଥିବା କୂପମଣ୍ଡୁକ ଆମେରିକାବାସୀଙ୍କ ପକ୍ଷରେ ମୋ ଭଳି ଜଣେ ଭାରତୀୟଙ୍କୁ ଲୋହିତ ଭାରତୀୟ ବୋଲ ଧରିନେବା କିଛି ଆଶ୍ଚର୍ଯ୍ୟଜନକ ନୁହେଁ । ମୋତେ ଏପରି କିଏ ଭାବି ପାରନ୍ତି ଭାବି ମୋର ପରିଚୟ ସ୍ପଷ୍ଟ କରିବାପାଇଁ ସମସ୍ତଙ୍କ ସାମନାରେ ମୋର ଅଧ୍ୟାପକ ମ୍ୟାକ୍‍ମାନସ ମୋତେ ହିନ୍ଦୁ ଡାକ୍ତର ବୋଲି ସମ୍ୱୋଧନ କରନ୍ତି ।

 

ବନ୍ଧୁ ନିମନ୍ତ୍ରଣ

 

ସନ୍ଧ୍ୟା ଆଠଟାରେ ମୁଁ ଚାଟାନୁଗାରେ ବସ୍‍ରୁ ଓହ୍ଲାଇବା ସଙ୍ଗେ ସଙ୍ଗେ ମୋର ଜଣେ ପୂର୍ବତନ ଚିହ୍ନାପରିଚୟ ବନ୍ଧୁ ହାମିଲଟନ୍‍ଙ୍କ ଘରକୁ ବସ୍ ଷ୍ଟେସନ୍‍ରୁ ଫୋନ୍ କଲି । ତାଙ୍କର ଆଠ, ନଅବର୍ଷର ଝିଅଟି ଘରେ ଏକୁଟିଆ ଥିଲା । ସେ କହିଲା, ‘‘ତା’ର ବାପା ମା’ ଦୁହେଁଯାକ ଫଟୋଗ୍ରାଫି କ୍ଲବ୍‍କୁ ଯାଇଛନ୍ତି । ମୁଁ ମୋର ପୂର୍ବସ୍ଥାନ ଲୁପ୍‍ଟନ୍ ହଲ୍‍ରେ ରହିବାକୁ ଯାଉଛି ଓ କାଲି ସକାଳେ ପୁଣି ଫୋନ୍ କରିବି ବୋଲି ତାକୁ କହି ଫୋନ୍ ରଖିଦେଲି ।

 

ମୋ ପୂର୍ବ ସ୍ଥାନରେ ମୁଁ ପହଞ୍ଚିବାର ଅଳ୍ପସମୟ ପରେ ହାମିଲଟନ୍ ଦମ୍ପତି ଆସି ମୋତେ ଡକାଇ ପଠାଇଲେ । ମୋ ସଙ୍ଗେ ସାକ୍ଷାତ ହେବାପରେ ମୋ ରୁମ୍‍କୁ ଯାଇ ମୋ ଜିନିଷପତ୍ର ସବୁ ଗୋଟାଗୋଟି କରିନେଇ ତାଙ୍କ ଗାଡ଼ିରେ ଥୋଇଲେ । ସେମାନେ ତାଙ୍କ ଘରକୁ ଯିବାକୁ ବାଧ୍ୟକରି ମୋତେ କହିଲେ, ‘‘ଆପଣ ବର୍ତ୍ତମାନ ଚାଟାନୁଗାର ଅତିଥି ହିସାବରେ ଆମର ଅତିଥି । ତେଣୁ ଆମ ସଙ୍ଗେ ଆମଘରେ ନ ରହି ଏଠାରେ କିପରି ରହିବେ ? ଆମର ଛୋଟଘର, ତଥାପି ଆପଣ ଆମକୁ ଅତିଥି ଚର୍ଚ୍ଚାର ସୁବିଧା ଦିଅନ୍ତୁ ।

 

ମୁଁ ତାଙ୍କ ଘରକୁ ଚାଲି ଆସିଲି । ଡ୍ରଇଂରୁମ୍, ଡାଇନିଙ୍ଗ୍‍ରୁମ୍, ରୋଷେଇସ୍ଥାନ ସବୁପାଇଁ ଗୋଟିଏ ଲମ୍ୱାଘର । ସେ ଘରଟିକୁ ଛାଡ଼ିଦେଲେ ଗୋଟିଏ ବଡ଼ ଶୟନକକ୍ଷ ଓ ତାକୁ ଲାଗି ଆମ ଆଡ଼ ଦାଣ୍ଡଘରପରି ଗୋଟିଏ ଛୋଟିଆ ଅଣଓସାରିଆ ଘର । ତାଙ୍କଘରେ ତାଙ୍କ ଝିଅ ଛଡ଼ା ହାମିଲଟନ୍‍ଙ୍କ ଶାଶୁବୁଢ଼ୀ ମଧ୍ୟ ଥାଆନ୍ତି । ସେ ଛୋଟ ଘରଟିରେ ଗୋଟିଏ ଦୋତାଲା ଖଟ ପଡ଼ିଥାଏ ସେଥିରେ ଆଈ ବୁଢ଼ୀ ନାତୁଣୀ ଶୁଅନ୍ତି ।

 

ମୁଁ ଯିବାପରେ ବଡ଼ ଶୋଇବା ଘରଟିରେ ମିସେସ୍ ହାମିଲଟନ୍, ତାଙ୍କ ଝିଅ ଓ ହାମିଲଟନ୍‍ଙ୍କ ଶାଶୁ ଏକାଠି ଶୋଇବାର ବନ୍ଦୋବସ୍ତ ହେଲା । ଛୋଟ ଘରଟିର ଦୋତାଲା ଖଟରତଳେ ମୋପାଇଁ ଓ ଉପରଟିରେ ହାମିଲଟନ୍‍ଙ୍କ ପାଇଁ ବିଛଣା କରାଗଲା । ବହୁତ ରାତ୍ରି ପର୍ଯ୍ୟନ୍ତ ଗପ୍‍ସପ୍ ପରେ ଆମେ ରାତ୍ରିଭୋଜନ ସମାପନ କରି ଶୋଇବାକୁ ଗଲୁ ।

 

ସେ ଦମ୍ପତିଙ୍କର ଏପରି ଆପଣାରପରି ବ୍ୟବହାର ମୋତେ ଆଶ୍ଚର୍ଯ୍ୟ ଲାଗିଲା । ପଶ୍ଚିମ ଦେଶମାନଙ୍କରେ ଏକାନ୍ନଭୋଜି ବା ଜଏଣ୍ଟ ଫାମିଲି ପ୍ରଥା ନାହିଁ । ଟିକିଏ ବଡ଼ ହୋଇଗଲେ ନିଜପିଲାଙ୍କୁବି ଆପଣାର ବୋଲି ମନେ କରାଯାଏ ନାହିଁ । ଝିଅ ହେଉ ବା ପୁଅ ହେଉ ଷୋହଳବର୍ଷରୁ ଅଧିକ ହୋଇଗଲେ ସେମାନେ ନିଜର ସ୍ୱତନ୍ତ୍ର ସତ୍ତା ଅନୁଭବ କରି ବାପ ମା’ଙ୍କଠାରୁ ଯାଇ ଅନ୍ୟତ୍ର ରହିବାକୁ ପସନ୍ଦ କରନ୍ତି । ଅନ୍ୟଜଣେ ଲୋକ ବନ୍ଧୁବାନ୍ଧବ ବୋଲି ଦାବିକରି ଅନ୍ୟ ଜଣଙ୍କ ଘରେ ଆସି ରହିବା ସେଠାରେ ସ୍ୱପ୍ନ । ବାହାରୁ କେହି ଚିହ୍ନାପରିଚୟ ବନ୍ଧୁବାନ୍ଧବ ବା ନିଜ ପୁଅବୋହୂ, ଝିଅଜ୍ୱାଇଁ ଆସିଲେ ସେମାନେ ହୋଟେଲରେ ରହି ନିଜ ସୁବିଧାରେ ଆସି ନିଜ ଲୋକଙ୍କୁ ଦେଖିଯାଆନ୍ତି ।

 

ବାପାଙ୍କ ଘର

 

ଏ ସମ୍ୱନ୍ଧରେ ଘଟିଥିବା ମୋ ନିଜର ଗୋଟିଏ ଅନୁଭୂତି କଥା ଲେଖୁଛି । ମୁଁ ମୁଁ ହଲାଣ୍ଡର ରଟରଡ଼ାମ୍‍ର ଗୋଟିଏ ହୋଟେଲରେ ରହୁଥିଲାବେଳେ ସେଠାରେ ଆଉ ଗୋଟିଏ ଓ ଓଲନ୍ଦାଜ ଦମ୍ପତି ତାଙ୍କ ଛୋଟପିଲା ସହିତ ମୋ ପାଖ କୋଠରୀରେ ରହୁଥିଲେ । ସେମାନେ ମୋ ସଙ୍ଗେ ରାତ୍ରିଭୋଜନ କରନ୍ତି କିନ୍ତୁ ସକାଳ ଭୋଜନ ପରେ ଦିନଯାକ କେଉଁଆଡ଼େ ଚାଲିଯାଇ ରାତିକୁ ଫେରନ୍ତି । ଦିନେ ରାତ୍ରିଭୋଜନବେଳେ ସେମାନଙ୍କ ସଙ୍ଗେ ଆଳାପରୁ ଜାଣିଲି ଯେ ସେମାନେ ସ୍ଥାନୀୟ ଲୋକ ହୋଇଥିଲେ ମଧ୍ୟ ଅନେକ ଦିନ ହେଲା ପୂର୍ବ ଭୂଖଣ୍ଡର ଇଣ୍ଡୋନେସିଆ ରାଜ୍ୟରେ ଚାକିରି କରୁଛନ୍ତି । ବହୁବର୍ଷ ପରେ ସେହି ସହରର ସ୍ଥାୟୀ ବାସିନ୍ଦା, ତାଙ୍କ ବୃଦ୍ଧ ପିତାମାତାଙ୍କୁ ଦେଖିବାକୁ ଅଳ୍ପଦିନ ହେଲା ସେଠାକୁ ଆସିଛନ୍ତି ।

 

ସେମାନେ ଦିନଯାକ ପିତାମାତାଙ୍କ ଘରକୁ ଯାଇ ସେମାନଙ୍କ ସଙ୍ଗେ ହସଖୁସିରେ ସମୟ କଟାନ୍ତି । ପିତାମାତାବି ସେମାନଙ୍କୁ ଯଥେଷ୍ଟ ସ୍ନେହ ଓ ଆଦର କରନ୍ତି । କିନ୍ତୁ ତାଙ୍କ ଘରେ ଏ ତିନିଜଣ ରହିବାର ସୁବିଧା ନ ଥିବାରୁ ଓ ସେ ଦେଶରେ ଗୁଞ୍ଜିଗାଞ୍ଜି ହୋଇ ଏକାଠି ରହିବାର ପ୍ରଥା ନ ଥିବାରୁ, ବାପା, ମା’ଙ୍କୁ ଅସୁବିଧାରେ ନ ପକାଇ ସେମାନେ ହୋଟେଲକୁ ଫେରିଆସି ରାତ୍ରିଯାପନ କରନ୍ତି । ତା’ପରେ ଛୋଟପିଲାଟି ରହିଲେ ରାତ୍ରିରେ ବୁଢ଼ା ବୁଢ଼ୀଙ୍କର ଶାନ୍ତିଭଙ୍ଗର ଆଶଙ୍କା ଥିବାରୁ ସେମାନେ ପୁଅବୋହୂ ନାତୁଣୀକୁ ସେଠାରେ ରହିବାପାଇଁ ହୁଏତ ବାଧ୍ୟ କରନ୍ତି ନାହିଁ ।

 

ଆମ ଦେଶରେ ହୁଏତ ଏହା ଗୋଟିଏ ସୃଷ୍ଟିଛଡ଼ା କଥାପରି ଲାଗିବ । ପୁଅବୋହୂ ଓ ନାତୁଣୀ ଏତେବର୍ଷ ପରେ ଦେଶକୁ ବାପ ମା’ଙ୍କ ପାଖକୁ ଫେରିଆସି ହୋଟେଲରେ ରହିବେ, ଏ କଥା ଶୁଣିଲେ ହୁଏତ ଏ ଦେଶର ବାପ ମା’ଙ୍କ ହାର୍ଟଫେଲ୍ ହୋଇଯିବ । ଛୋଟ ନାତୁଣୀକୁ ଦେଖିଲେ ବୁଢ଼ାବୁଢ଼ୀ ତାକୁ ଛାଡ଼ି ରହି ପାରିବେ ବା କିପରି ? ଅସୁବିଧା କି ଶାନ୍ତିଭଙ୍ଗ କଥା ଭାବିବା ତ ଏକାବେଳକେ ଅସମ୍ଭବ କଥା । ଘରେ ସ୍ଥାନ ନଥିଲେ ମାଆ ନାତୁଣୀ ଓ ବୋହୂ ଘରଭିତରେ ଶୋଇ ବାପ ପୁଅ ହୁଏତ ବାହାର ବାରଣ୍ଡାରେ ଆଶ୍ରୟ ନେବେ ।

 

ଏପରି ପ୍ରଥାକୁ ଯେ ସେସବୁ ଦେଶରେ ସମସ୍ତେ ଅନ୍ତର ସହିତ ଭଲ ପାଆନ୍ତି ତାହା ନୁହେଁ କିନ୍ତୁ ଦେଶର ଚଳଣି ଅନୁସାରେ ସେସବୁ ସହ୍ୟ କରିବାକୁ ବାଧ୍ୟ ହୁଅନ୍ତି । ମନୁଷ୍ୟ ମାତ୍ରକେ ଗୋଟିଏ ଭାବପ୍ରବଣ ପ୍ରାଣୀ । ପରିସ୍ଥିତି ଅନୁସାରେ ସେ ଭାବକୁ ଚାପି ରଖାଯାଇପାରେ କିନ୍ତୁ ମନରେ ସେପରି ଭାବର ଉଦ୍ରେକ ନ ହେବା ଅସ୍ୱାଭାବିକ ଘଟଣା ।

 

ବାତ୍ସଲ୍ୟ ମମତା

 

ଏହି ସମ୍ପର୍କରେ ବର୍ମିଂହାମ ସହରର ମୋର ବନ୍ଧୁ ଫ୍ରାଙ୍କ ଲେଡ଼ଫୋର୍ଡ଼ଙ୍କ କଥା ଉଲ୍ଲେଖଯୋଗ୍ୟ । ଅନେକ ଦିନପରେ ଲେଡ଼ଫୋର୍ଡ଼ଙ୍କର ପୁଅ ସୈନ୍ୟବାହିନୀରୁ ଛୁଟିନେଇ ଫେରୁଥିବାରୁ ସେ ଗୋଟିଏ ସାନ୍ଧ୍ୟଭୋଜିର ଆୟୋଜନ କରି ସେଥିରେ ମୋତେ ଯୋଗ ଦେବାପାଇଁ ନିମନ୍ତ୍ରଣ କରି ତାଙ୍କ ଘରକୁ ଘେନି ଯାଇଥିଲେ ।

 

ତାଙ୍କର ପୁଅବୋହୂଙ୍କୁ ଅପେକ୍ଷା କରି ବସି ରହିଲୁ । ଠିକ୍ ସମୟରେ ସେମାନେ ଆସି ପହଞ୍ଚିଲେ । ବାପ ମା’ଙ୍କ ସହିତ ବହୁସମୟଧରି କୋଳାକୋଳି ଚାଲିଲା । ପୁଅ ବୋହୂଙ୍କୁ ଦେଖି ଆନନ୍ଦରେ ବାପ ମା’ଙ୍କ ହାତ ଗୋଡ଼ ତଳେ ଲାଗୁ ନ ଥାଏ । ସେ ଘରେ ମିଳନର ଆନନ୍ଦ ଢେଉ ଖେଳୁଥାଏ । ସମସ୍ତେ ସମସ୍ତଙ୍କୁ ଭଦ୍ର ସମ୍ୱୋଧନ କରୁଥାଆନ୍ତି ଓ ଟେକାଟେକି କରି କହୁଥାଆନ୍ତି । ପୁଅ ବୋହୂଙ୍କୁ ଆମ ସ୍କୁଲ୍‍ ପ୍ରାଇଜ୍‍ର ସମ୍ମାନାସ୍ପଦ ଅତିଥିଙ୍କପରି ବ୍ୟବହାର ଦେଖାଉ ଥାଆନ୍ତି ।

 

ସାନ୍ଧ୍ୟଭୋଜନ ପରେ ବିଦାୟକାଳୀନ ଆଲିଙ୍ଗନ, ପ୍ରତିଆଲିଙ୍ଗନ ପରେ ପୁଅ ବୋହୂ ସେମାନେ ରହୁଥିବା ହୋଟେଲକୁ ଚାଲିଗଲେ । ସେମାନେ ଯିବା ପରେ ପରେ ମୁଁ ମୋ ବସାକୁ ଲେଉଟିବାକୁ ଉଠ୍ ଉଠ୍ ହେଲି । ବୁଢ଼ାବୁଢ଼ୀ ଦୁହେଁ ପ୍ରାୟ ମୂକ ପାଲଟି ଯାଇଥିଲେ । ମୁଁ ସେମାନଙ୍କ ମୁହଁକୁ ଲକ୍ଷ୍ୟକରି ଦେଖିଲି ଦୁହିଁଙ୍କ ଚକ୍ଷୁ ଲୋତକପୂର୍ଣ୍ଣ ହୋଇ ଛଳଛଳ ଦିଶୁଛି । ମୋ ଉପରେ ଦୃଷ୍ଟି ପଡ଼ିବାକ୍ଷଣି ବୁଢ଼ୀ ସେଠାରୁ ଉଠି ଭିତରକୁ ଚାଲିଗଲେ ।

 

ମୁଁ ନିଜ ସ୍ଥାନରୁ ଉଠି ବୃଦ୍ଧଙ୍କ ପାଖରେ ଯାଇ ବସିପଡ଼ିଲି । ସେ କାନ୍ଦ କାନ୍ଦ ହୋଇ ମୋତେ କହିଲେ ‘ତୁମେବି କ’ଣ ବର୍ତ୍ତମାନ ଫେରିଯିବ, ଏ ରାତିକ ଆମ ପାଖରେ ରହିବ ନାହିଁ ?’ ତାଙ୍କର ଗୋଟିଏ ବଡ଼ଘର, ବହୁତ କୋଠରୀ, ମୁଁ ରହିବାର କିଛି ବିଶେଷ ଅସୁବିଧା ନଥିଲା । କିନ୍ତୁ ମୋର ରହିବା କି ଦରକାର ସେ କଥା ମୁଁ କିଛି ବୁଝିପାରିଲି ନାହିଁ । ତଥାପି ତାଙ୍କ ଅନୁରୋଧ ଏଡ଼ି ନ ପାରି ହଁ କଲି ।

 

ବୁଢ଼ା ଟିକିଏ ନିଜକୁ ସମ୍ଭାଳି ନେଇ ମୋତେ କହିଲେ ‘‘ମୁଁ ତୁମ ଦେଶର କଥା ଶୁଣିଚି । ତୁମର ତୁମ ପିତାଙ୍କ ପ୍ରତି ଆକର୍ଷଣ କଥା ଜାଣିଛି । ଏ ଦେଶରେ ପରିବାରର ଚଳଣି କିନ୍ତୁ ଅନ୍ୟ ପ୍ରକାର । ପୁଅଟି ଏତେଦିନ ପରେ ଆସିଲା, ଯେ ଯୁଦ୍ଧରେ ଅଛି ତା’ପାଇଁ ଆମେ କେତେ ଚିନ୍ତିତ, ସେ କିନ୍ତୁ ଆମ ମନର ଭାବପ୍ରତି କୌଣସି ଗୁରୁତ୍ୱ ଦେଲା ନାହିଁ । ବୋହୂଟିବି ଚାକିରି କରି ଅନ୍ୟତ୍ର ରହେ । ଦୁହେଁ ଏତେ ଦିନପରେ ଆସିଲେ କିନ୍ତୁ ଆମ ସ୍ନେହ ବନ୍ଧନ ଏତେ କୋହଳ ଯେ ତାଙ୍କୁ ରାତିଟାଏ ମଧ୍ୟ ଆମ ପାଖରେ ଆମେ ରଖି ପାରିଲୁ ନାହିଁ ।’’ ଏହା କହୁ କହୁ ତାଙ୍କ ଚକ୍ଷୁରୁ ଦୁଇଟୋପା ଲୁହ ଗଡ଼ିପଡ଼ିଲା । ସେ ଦୀର୍ଘ ନିଃଶ୍ୱାସଟାଏ ଛାଡ଼ି କହିଲେ ‘‘ଏହି ଦେଶରେହିଁ ପୁଅ ବୋହୂ ବାପ ମା’ଙ୍କୁ ଛାଡ଼ି ହୋଟେଲରେ ଯାଇ ରହିବା ସମ୍ଭବ । ଏ ମଧ୍ୟ ଏ ଦେଶର ସାଧାରଣ ରୀତି । ଏଠାରେ ସ୍ନେହ ବନ୍ଧନ କାହିଁ ?

 

ଆତିଥ୍ୟର ଡୋରି

 

ଏପରି ରାଜ୍ୟରେ ମଧ୍ୟ ହାମିଲଟନ୍‍ଙ୍କ ପରି ବନ୍ଧୁଙ୍କ ଆତିଥ୍ୟ ପାଇ ତାଙ୍କ ଘରେ ମୁଁ ଚାରିଦିନ କଟାଇଲି । ସେ ତାଙ୍କର ଅନ୍ୟ ସମସ୍ତ କାର୍ଯ୍ୟ ଛାଡ଼ି ମୋ ସଙ୍ଗେ ସଙ୍ଗେ ରହିଲେ । ତାଙ୍କ ଗାଡ଼ିରେ ମୋତେ ସବୁଆଡ଼େ ବୁଲାଇଲେ । ମୋର ଯୁଆଡ଼େ ଯିବାକଥା, ଯାହାକୁ ଦେଖିବା କଥା ସେସବୁ କରିବାପାଇଁ ସେ ଯେପରି ସବୁବେଳେ ପ୍ରସ୍ତୁତ ହୋଇ ରହିଥିଲେ ।

 

ଦିନେ ସନ୍ଧ୍ୟାରେ ମୁଁ ତାଙ୍କ କଥା ଏଡ଼ି ନପାରି ଆମେ ସମସ୍ତେ ଗୋଟିଏ ‘ଡ୍ରାଏଉଇନ୍’ ସିନେମା ପଡ଼ିଆକୁ ସିନେମା ଦେଖିବାକୁ ଗଲୁ । ସେପରି ସିନେମା ଦେଖିବାପାଇଁ ଗାଡ଼ିରୁ ଓହ୍ଲାଇବା ଦରକାର ହୁଏନାହିଁ । ସିନେମା ଗେଟ୍ ପାଖରେ ଗାଡ଼ିରୁ ହାତ ବଢ଼ାଇଲେ ଟିକଟ ମିଳେ-। ଟିକଟ ମିଳିବା ସଙ୍ଗେ ସଙ୍ଗେ ଆଗରେ ଥିବା ଗେଟ୍‍ଟି ଆପେଆପେ ଖୋଲିଯାଏ । ଗୋଟିଏ ବିରାଟ ପଡ଼ିଆରେ ଧାଡ଼ିଧାଡ଼ି ହୋଇ ଲାଉଡ଼୍‍ସ୍ପିକର ଯନ୍ତ୍ରଥାଇ ଖୁଣ୍ଟ ସବୁ ପୋତା ଯାଇଥାଏ-। ଟିକଟରୁ ଖୁଣ୍ଟ ନମ୍ୱର ଦେଖି ତା’ ନିକଟରେ ଗାଡ଼ି ରଖି ଯନ୍ତ୍ରଟି ଦେହର ଶିକୁଳାକୁ ଟାଣି ସେଇଟି ଗାଡ଼ି କାଚରେ ଲଗାଇ ଦିଆଯାଏ । ଏପରି ଧାଡ଼ି ଧାଡ଼ି ହୋଇ ଶହ ଶହ ଗାଡ଼ିରେ ବସି ଲୋକେ ସିନେମା ଦେଖନ୍ତି । ସାମନାରେ ବହୁତ ଉଚ୍ଚରେ ଗୋଟିଏ ବଡ଼ ସିନେମା ପରଦାର ପଟା ଉପରେ ଛବି ସବୁ ଦିଶୁଥାଏ ।

 

ଆମେ ଗାଡ଼ି ଭିତରେ ବସି ଉତ୍ତାପ ଯନ୍ତ୍ର ଚଳାଇ ଉଷୁମରେ ବସି ସିନେମା ଦେଖିଲୁ । ମଝିରେ ମଝିରେ ଆମ ଭିତରେ ହସଖୁସି ଓ ଆଳାପ ଚାଲିଥାଏ । କେଉଁ ଗାଡ଼ି ଭିତରର ଶବ୍ଦ ଅନ୍ୟ ଗାଡ଼ିକୁ ଶୁଭୁ ନ ଥାଏ । ଛୋଟପିଲାଙ୍କ ଗଣ୍ଡଗୋଳବି ନଥାଏ । ଯେଉଁମାନେ ଛୋଟପିଲା ନେଇଥାଆନ୍ତି ସେମାନଙ୍କ ପିଲାଙ୍କୁ ସେଠାରେ ଥିବା ପିଲାଜଗା ନର୍ସମାନେ ପଡ଼ିଆର ଗୋଟିଏ ପାଖରେ ଥିବା ଖେଳଘର ବା ନର୍ସରୀକୁ ନେଇ ଖେଳାଉଥା’ନ୍ତି । ସିନେମା ପରେ ପିଲାଙ୍କୁ ଆଣି ତାଙ୍କ ବାପ ମା’ଙ୍କ ପାଖରେ ଛାଡ଼ି ଦିଅନ୍ତି ।

 

ଫେରିଲା ବେଳକୁ ଗୋଟିଏ ରେଷ୍ଟୁରାଣ୍ଟ୍ ବା ଖାଦ୍ୟ ଦୋକାନ ପାଖରେ ଗାଡ଼ି ରହିଲା । ଗାଡ଼ି ରହିଲାକ୍ଷଣି ଦୋକାନର ଝିଅଟିଏ ଗୋଟିଏ ଥାଳି ବା ଟ୍ରେ ଆଣି ଗାଡ଼ି କାଚ ପାଖରେ ଲଟକାଇ ଦେଇ ଗୋଟିଏ ମେନୁ କାର୍ଡ଼ ଦେଖାଇଲା । ଆମେ ଚିଙ୍ଗୁଡ଼ି ଓ ଆଳୁଭଜାରେ ଗାର ମାରିଲୁ । ସେ ବରାଦ ଅନୁସାରେ ଖାଦ୍ୟ ଦେଇଗଲା । ଖାଦ୍ୟର ଯେତିକି ଦାମ୍ ପ୍ରାୟ ଆଉରି ସେତିକି ତାକୁ ଟିପ ବା ବକ୍ସିସ୍ ଦେବାକୁ ପଡ଼ିଲା । ଘରୁ ଯାଇ ପୁଣି ଘରକୁ ଲେଉଟିଲା ପର୍ଯ୍ୟନ୍ତ କୌଣସିଠାରେ ଗାଡ଼ିରୁ ଓହ୍ଲାଇବା ଦରକାର ହେଲାନାହିଁ ।

 

ଚାଟାନୁଗାରେ ହାମିଲଟନ୍ ଦମ୍ପତିଙ୍କୁ କୃତଜ୍ଞତା ଜଣାଇ ଓ ଧନ୍ୟବାଦ ଦେଇ ମୁଁ ଚିକାଗୋ ଅଭିମୁଖେ ଯାତ୍ରା କଲି । ଚିକାଗୋରେ ହୋଟେଲରେ ରହିବା ବହୁତ ଅର୍ଥସାପେକ୍ଷ ଛାତ୍ର ଓ ଯୁବକମାନଙ୍କ ପାଇଁ ଅଳ୍ପ ପଇସାରେ ରହିବାକୁ ଓ୍ୟାଇ.ଏମ୍.ସି.ଏ. ବା ଖ୍ରୀଷ୍ଟିଆନ ଯୁବଗୋଷ୍ଠୀର ପକ୍ଷରୁ ଶସ୍ତାରେ ରହିବାପାଇଁ ଏକ ବଡ଼ କୋଠା ଥାଏ । ମୁଁ ସେଠାରେ ରହି ସହର ବୁଲି ଦେଖିଲି ।

 

ଚିକାଗୋର ରାସ୍ତା ଉପରେ ଥିବା ବଡ଼ବଡ଼ ଖୁଣ୍ଟ ଉପରେ ରେଲଗାଡ଼ି ଚାଲିଛି । ସହରର ତଳେ ଭୂଗର୍ଭରେ ମଧ୍ୟ ଟିଉବ୍ ଟ୍ରେନ୍‍ ସବୁ ଚାଲିଛି । ସେଠା ମ୍ୟୁଜିୟମ୍ ଏକ ଏକ ବିରାଟ ଅନୁଷ୍ଠାନ । ସେଥିରେ ନାନା ଆକାରର ହୀରା ମଧ୍ୟ ରହିଛି । ତା’ ନିକଟରେ ଦ୍ରୁତଗାମୀ ଗାଡ଼ିମାନଙ୍କ ପାଇଁ ଗୋଟିଏ ବଡ଼ ରାସ୍ତା ଅଛି । ତାକୁ ଚିକାଗୋ ଡ୍ରାଇଭ୍ କହନ୍ତି । ସେ ରାସ୍ତାରେ ଏପଟୁ ସେପଟକୁ ଚାଲିକରି ଯିବା ଅସମ୍ଭବ । ତେଣୁ ଠାଏଠାଏ ରାସ୍ତାରୁ ଏପଟୁ ସେପଟକୁ ଯିବାକୁ ରାସ୍ତା ଉପରେ ଉଚ୍ଚା ବ୍ରିଜ୍ ଦେଇ ଯିବାକୁ ହୁଏ । ବ୍ରିଜ୍ ଉପରୁ ଚାହିଁଲେ ଦ୍ରୁତଗତି ଯୋଗୁଁ ଗାଡ଼ିର ରଙ୍ଗ ବା ଗାଡ଼ିର ଭିତରେ ମଣିଷ ଜାଣି ହୁଏ ନାହିଁ । ସେ ରାସ୍ତାରେ ମିନିଟରେ ଶହ ଶହ ଗାଡ଼ି ଚାଲି ଯାଉଥାଏ । ସେ ଦେଶରେ ସମସ୍ତଙ୍କର ଗାଡ଼ି ଅଛି ଓ ଗାଡ଼ିର ପେଟ୍ରୋଲ୍ ସବୁ ଦେଶ ଅପେକ୍ଷା ଶସ୍ତା । ଗାଡ଼ି ସବୁ ଏତେ ଦ୍ରୁତଗତିରେ ଚାଲେ ଯେ ଯେଉଁଠି ଗାଡ଼ିର ଗତି କମ୍ କରିବାର କଥା ସେଠି ତୁମ ଗାଡ଼ିର ଗତିକୁ ଷାଠିଏ ମାଇଲକୁ କମାଅ ବୋଲି ଲେଖାଥାଏ । ଆମ ଦେଶ ରାସ୍ତାମାନଙ୍କରେ ଚେଷ୍ଟା କଲେବି ଗାଡ଼ିର ଗତି ଷାଠିଏ ମାଇଲକୁ ଦ୍ରୁତ କରି ହେବନାହିଁ ।

 

ଗୌରାଙ୍ଗ ଖେଚେଡ଼ି

 

ଚିକାଗୋରୁ ଯାଇ ପିଓରିଆ ସହରରେ ମୋର କଲେଜ ସହପାଠୀ ଘନଶ୍ୟାମ ତ୍ରିପାଠୀଙ୍କର ଅତିଥି ହେଲି । ଆଜି ଗୌରାଙ୍ଗ ଖେଚିଡ଼ି ଖାଇବା ବୋଲି ସେ ରାନ୍ଧିବାକୁ ବାହାରି ପଡ଼ିଲେ । ଆମ ମେଡ଼ିକାଲ ହଷ୍ଟେଲ୍‍ର ଗୌରାଙ୍ଗ ନାମକ ପୂଜାରୀର ଖେଚେଡ଼ି ବିଖ୍ୟାତ ଥିଲା । ସେ ତାକୁ ଭୁଲି ପାରି ନଥିଲେ । ସେ ହଳଦୀ ଓ ମସଲାସବୁ ୱାସିଙ୍ଗ୍‍ଟନ୍‍ରେ ଥିବା ଭାରତ ଏମ୍ୱାସିରୁ ଆଣି ରଖିଥିଲେ । ଏକ ମିନିଟ୍ ଚାଉଳ ମଧ୍ୟ ତାଙ୍କ ପାଖରେ ଥିଲା । ସେ ଚାଉଳକୁ ଏକ ମିନିଟ୍ ଗରମ ପାଣିରେ ପକାଇ ଦେଲେ ତାହା ଭାତ ହୋଇଯାଏ । ଅଳ୍ପ ସମୟ ଭିତରେ ଆମର ଖେଚେଡ଼ି ପ୍ରସ୍ତୁତ ହୋଇଗଲା ଓ ଅତି ସୁଆଦ ଲାଗିଲା ।

 

ଆମେ ସେଠାର ହସ୍‍ପିଟାଲ ଓ ଅନ୍ୟ ଦର୍ଶନୀୟ ସ୍ଥାନ ବୁଲି ସାରିଲାପରେ ରାଓ ବୋଲି ଜଣେ ଦକ୍ଷିଣ ଭାରତୀୟ ଡାକ୍ତରଙ୍କ ସଙ୍ଗେ ଦେଖାହେଲା । ସେ ଘନଶ୍ୟାମ ତ୍ରିପାଠୀଙ୍କୁ ତ୍ରପ୍ତି ବୋଲି ଡାକନ୍ତି । ସେ ମୋତେ କହିଲେ, ‘‘ସବୁତ ଦେଖିଲ, ତ୍ରିପ୍ତିତ ତୁମକୁ ‘ବାରଲେସ୍’ ଦେଖାଇ ନଥିବେ, ସେ ବାରଲେସ୍‍ର ନାମ ପଡ଼ିଲେ ଚିଡ଼ନ୍ତି । ଏପର୍ଯ୍ୟନ୍ତ ସେଠାକୁ ଯାଇ ନାହାନ୍ତି । ତୁମେ କହିଲେ ସେ ରାଜି ହୋଇ ପାରନ୍ତି । ଆମେରିକାରେ ଭଲମନ୍ଦ ସବୁ ଦେଖିବା ଉଚିତ ।

 

ସନ୍ଧ୍ୟାରେ ଆମେ ବହୁ କଷ୍ଟରେ ତ୍ରିପ୍ତିଙ୍କୁ ଧରି ବାରଲେସ୍ ଦେଖିବାକୁ ଗଲୁ । ତାହା ଗୋଟିଏ ନାଟ୍ୟଶାଳା । ସେଠାକୁ ଗଲେ ପଇସା ପଡ଼େ ନାହିଁ । ଅନ୍ଧାରରେ ଚଉକି ଉପରେ ବସି ଆଗରେ ହେଉଥିବା ଝିଅଙ୍କ ନାଚ ଦେଖିବାକୁ ହୁଏ । ଝିଅ ନାଚିଲାବେଳେ ଦୁଇ ଚାରିଜଣ ତାକୁ ଘେରି ବାଦ୍ୟ ବଜାଉ ଥାଆନ୍ତି ।

 

ସେଠାରେ ପାନୀୟ ଓ ଚଟକର ଦାମ୍ ବହୁତ ବେଶୀ, ସେଇଥିରୁ ନାଚବାଲା ପଇସା ରୋଜଗାର କରନ୍ତି । ଆମେ ବହୁତ ଦାମ୍ ଦେଇ କୋକକୋଲାଟିଏ ଲେଖାଏଁ ଧରି ବସିଲୁ । ଆମ ଚାରିପଟେ ଯୋଡ଼ି ଯୋଡ଼ି ହୋଇ ବୟସ୍କ ପୁରୁଷ ସ୍ତ୍ରୀମାନେ ବସି ସୁରାପାନ କରୁଥାନ୍ତି । ଝିଅଟି ନାଚୁ ନାଚୁ ଲଙ୍ଗଳା ହୋଇଗଲା ତ୍ରିପ୍ତିଙ୍କ ପରି ଚରିତ୍ରବାନ୍ ଲୋକ ଆଉ ଧୈର୍ଯ୍ୟ ନ ଧରି ପାରି ଓଡ଼ିଆରେ ବକ୍ତୃତା ଦେବା ଆରମ୍ଭ କରିଦେଲେ । ସେ କହିଲେ, ‘‘ଏହି ବିଳାସବ୍ୟସନ ଯୋଗୁଁ ମୋଗଲ ସାମ୍ରାଜ୍ୟର ଅଧଃପତନ ହୋଇଥିଲା । ଏଥିପାଇଁ ଏ ଆମେରିକାବାସୀଙ୍କର ପତନ ହେବା ଅବଶ୍ୟମ୍ଭାବୀ ।’’ ଏହା କହି ସେ ରାଗରେ ଉଠି ପଡ଼ିବାରୁ ଆମେ ତାଙ୍କ ସଙ୍ଗେ ଉଠି ସେଠାରୁ ଚାଲି ଆସିଲୁ ।

 

ଗ୍ରାମ୍ୟ ଆତିଥ୍ୟ

 

ଯୁକ୍ତରାଷ୍ଟ୍ରର ଉତ୍ତରାଞ୍ଚଳ ପରିଭ୍ରମଣ କରି ଫେରିଲା ପରେ ଆମ ହସ୍‍ପିଟାଲରେ ‘କ୍ଳେଟେନ୍’ ଗ୍ରାମର କାଉଣ୍ଟିଜଜ୍ (ନାୟବ ସରପଞ୍ଚ) ଉଇଲିୟମ୍‍ସଙ୍କ ସଙ୍ଗେ ମୋର ପରିଚୟ ହେଲା । ତାଙ୍କ ସ୍ତ୍ରୀଙ୍କର ଛାତିର ଟିଉମରଟିଏ ଅପରେସନ୍‍ ହୋଇଥିଲା । ତାହା କ୍ୟାନ୍‍ସର କି ନୁହେଁ ମୁଁ ପରୀକ୍ଷା କରୁଥିଲି । ସେ ସମ୍ପର୍କରେ ରୋଗିଣୀକୁ ଦେଖିବାକୁ ମୋତେ ଦୁଇ ଚାରିଥର ତାଙ୍କର ହସ୍‍ପିଟାଲ କୋଠରୀ ବା କ୍ୟାବିନ୍‍କୁ ଯିବାକୁ ପଡ଼ିଥିଲା । ରୋଗ ଆଲୋଚନା ସଙ୍ଗେ ସଙ୍ଗେ ସେ ଦମ୍ପତିଙ୍କ ସଙ୍ଗେ ମୋର ସଦ୍‍ଭାବ ବଢ଼ି ଅନ୍ୟାନ୍ୟ ବିଷୟରେ ମଧ୍ୟ ଆଳାପ ଆଲୋଚନା ହୋଇଥିଲା । ‘ଧନ୍ୟବାଦ ଅର୍ପଣ’ ବା ଥାଙ୍କ ଗିଭିଂ ଛୁଟିରେ ତାଙ୍କ ଗ୍ରାମକୁ ଯାଇ ତାଙ୍କ ପର୍ବରେ ଯୋଗ ଦେବାପାଇଁ ସେ ମୋତେ ଅନୁରୋଧ କରିଥିଲେ ।

 

ଯୁକ୍ତରାଷ୍ଟ୍ର ଆମେରିକାରେ ‘‘ଧନ୍ୟବାଦ ଅର୍ପଣ’ ଗୋଟିଏ ବିଶିଷ୍ଟ ବାର୍ଷିକ ପର୍ବ ଭାବରେ ପାଳନ କରାଯାଏ । ସେଥିପାଇଁ ସରକାରୀ ବେସରକାରୀ ସବୁ ଅନୁଷ୍ଠାନ ଚାରିଦିନ ବନ୍ଦ ରହେ ।

 

ଆମେରିକାର ପ୍ରଥମ ୟୁରୋପୀୟ ବାସିନ୍ଦା ‘ପିଲ୍‍ଗ୍ରୀମସ୍ ଫାଦରସ୍’ ଆମେରିକା ଆସି ବର୍ଷେକାଳ ଜଙ୍ଗଲୀ ଫଳମୂଳ, ଓ ବନ୍ୟ ପଶୁ ପକ୍ଷୀ ଆହାର କରି ଜୀବନ କଟାଇଥିଲେ । ସେଇ ସମୟରେ ସେମାନେ ଚାଷବାସ କରି ବର୍ଷକପରେ ଫସଲ କଟା ହେବାପରେ ଗୋଟିଏ ବଡ଼ ଭୋଜି କରି ଭଗବାନଙ୍କୁ ଓ ଆମେରିକା ଦେଶକୁ ଧନ୍ୟବାଦ ଜଣାଇଥିଲେ । ସେଇ ଉପଲକ୍ଷେ ଆମେରିକାର ବିରାଟ ବଣ୍ୟକୁକୁଡ଼ା ଟର୍କି ପକ୍ଷୀକୁ କାଟି ଭୋଜିରେ ଲାଗଇଥିଲେ । ସେହିଦିନଠାରୁ ପ୍ରତିବର୍ଷ ସେଇ ସମୟରେ ଦେଶସାରା ସେ ଉତ୍ସବ ଆଡ଼ମ୍ୱର ସହିତ ପାଳିତ ହୋଇ ଟର୍କି ଚଢ଼େଇ ଖାଇ ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଏ ।

 

ଟର୍କି ପକ୍ଷୀ ବର୍ତ୍ତମାନ ଏକ ଗୃହପାଳିତ ପକ୍ଷୀରେ ପରିଣତ ହୋଇ ଚାଷ କରାଯାଉଛି । ଶୁଣାଯାଏ, ସେ ପର୍ବପାଇଁ ବର୍ଷ ଆରମ୍ଭରୁ ଆମେରିକାର ସଭାପତିଙ୍କ ପାଇଁ ୩୬୫ଟି ଟର୍କି ପକ୍ଷୀ ପାଳନ କରାଯାଏ । ପ୍ରତିଦିନ ସେଥିରୁ ଗୋଟିଏ କାଟି ଅନ୍ୟ ଟର୍କିମାନଙ୍କୁ ଖାଇବାକୁ ଦିଆଯାଏ । ପ୍ରତିଦିନ ଗୋଟିଏ ଗୋଟିଏ ସରି ସରି ଶେଷକୁ ଯେଉଁ ପକ୍ଷୀଟି ରହେ ସେଇଟି ପ୍ରେସିଡ଼େଣ୍ଟ୍‍ଙ୍କ ଧନ୍ୟବାଦ ପର୍ବଦିନ ଭୋଜିରେ ଲାଗେ । ଉତ୍ସବ ଦିନ ପୂର୍ବରୁ ସେ ଜୀବିତ ଟର୍କିଟିକୁ ଟେଲିଭିଜନରେ ଦେଶବାସୀଙ୍କୁ ଦେଖାଯାଏ । ଭୋଜି ଦିନ ସେଇଟି ସିଝା ହୋଇ ପ୍ରେସିଡ଼େଣ୍ଟ୍‍ଙ୍କ ଭୋଜି ଟେବୁଲ ଉପରେ ଥୁଆ ହୋଇଥିବାରୁ ଦୃଶ୍ୟ ମଧ୍ୟ ଟେଲିଭିଜନରେ ଦେଶବାସୀ ଦେଖନ୍ତି ।

 

‘ଧନ୍ୟବାଦ ପର୍ବ’ ଆସିଲା । ଉଇଲିୟମଙ୍କ ନିର୍ଦ୍ଦେଶରେ ବର୍ମିଂହାମରେ କାମ କରୁଥିବା ଜଣେ ଭଦ୍ରମହିଳା ମିସେସ୍ ଓନିକ୍‍ସ ପ୍ରାୟ ୩୫୦ ମାଇଲ ଦୂର ତାଙ୍କ ଗ୍ରାମକୁ ମୋତେ ସଙ୍ଗରେ ଘେନିଗଲେ । ମୋତେ ଉଇଲିୟମ ଆଗ୍ରହରେ ପାଛୋଟି ନେଲେ । ମୁଁ ତାଙ୍କର ଆତିଥ୍ୟ ଗ୍ରହଣ କଲି ।

 

କ୍ଲେଟନ ଆଲବାମା ପ୍ରଦେଶର ଗୋଟିଏ ମଫସଲି ସହର ବା ଗ୍ରାମ । ବୁଦିବୁଦିକିଆ ଘର । ସବୁଆଡ଼େ ସୁନ୍ଦର ସୁନ୍ଦର ପରିଷ୍କାର ରାସ୍ତା । ଚାରିଆଡ଼େ ବିଜୁଳିବତୀ ଓ ପାଣିକଳ । ଛୋଟିଆ ବଜାରଟିଏ ଓ କେତୋଟି ଅଫିସ୍ ଘର ।

 

ରାଜନୀତି ଛଡ଼ା ଉଇଲିୟମଙ୍କର ପ୍ରଧାନ ବ୍ୟବସାୟ ଚାଷ । ସେ ଜଣେ ବଡ଼ ଚାଷୀ । ଚାଷ ଅମଳ ହେବା ସଙ୍ଗେ ସଙ୍ଗେ ଫସଲ ସବୁ ବିକ୍ରି ହୋଇ ବା ଶୀତତାପ ଘରେ ସାଇତା ହୋଇ ରହିବାକୁ ଚାଲି ଯାଉଥିବାରୁ ତାଙ୍କ ଘରେ ଆମ ଆଡ଼ ଚାଷୀର କୋଠି ବା ଓଳିଆ ପ୍ରଭୃତି ନାହିଁ । ତାଙ୍କର ଗୋଟିଏ ବଡ଼ଘର । ଘରଟି ସବୁବେଳେ ପରିଷ୍କାର ପରିଚ୍ଛନ୍ନ । ମୋତେ ରହିବାପାଇଁ ତାଙ୍କ ଘରେ ଗୋଟିଏ ଛୋଟ କୋଠରୀ ମିଳିଲା । ତାଙ୍କର ଛୋଟ ବଡ଼ ହୋଇ ଚାରିଟି ପିଲା । ସମସ୍ତଙ୍କର ରହିବାପାଇଁ ଓ ପଢ଼ିବାପାଇଁ ଅଲଗାଅଲଗା କୋଠରୀର ବ୍ୟବସ୍ଥା ଥିଲା ।

 

ମଧ୍ୟାହ୍ନ ଭୋଜନ ପରେ ସେ ମୋତେ ତାଙ୍କ ଗ୍ରାମ ଓ ଅଫିସ୍ ସବୁ ବୁଲାଇ ଦେଖାଇଲେ-। ସେଠାରେ ପ୍ରତିଷ୍ଠିତ ଭଦ୍ରଲୋକମାନଙ୍କ ସହିତ ପରିଚୟ କରାଇଦେଲେ । ସେ ଓକିଲାତି ପାସ୍ କରିଥିଲେ । ସେ ସେଠାରେ ଜଣେ ନିର୍ବାଚିତ ଜଜ୍ । ସେଠାରେ ନିର୍ବାଚନରେ ନିର୍ବାଚିତ ଆସନକୁ ଚାହିଁ ଯୋଗ୍ୟତା ଦରକାର ହୁଏ । ଶିକ୍ଷା ଯୋଗ୍ୟତା ନଥିଲେ କୌଣସି ପଦପାଇଁ କେହି ନିର୍ବାଚିତ ହୋଇପାରନ୍ତି ନାହିଁ । ଆମ ଦେଶ ପରି ଅଗା, ବଗା, ଖଗା କେବଳ ପ୍ରଚାର ମାଧ୍ୟମରେ ଭୋଟ ପାଇ ଦେଶ ଓ ଜାତିର ଭାଗ୍ୟବିଧାତା ଆସନରେ ବସି ପାରନ୍ତି ନାହିଁ ।

 

ଶିକାର ଯାତ୍ରା

 

ଉତ୍ସବ ପାଳନପାଇଁ ସକାଳୁ ଉଠି ପ୍ରାତଃଭୋଜନ ସାରି ଶିକାର କରି ଯିବାକୁ ଆଗରୁ ବ୍ୟବସ୍ଥା ହୋଇଥିଲା । ତିନି ଚାରୋଟି ଘୋଡ଼ା, ଖଣ୍ଡେ ଦୁଇଖଣ୍ଡ ଜିପ୍ ଗାଡ଼ି, ଚାରି ଛଅଟା ଶିକାରୀ କୁକୁର ଓ ତିନି ଚାରିଜଣ ବନ୍ଧୁକଧାରୀ ବାଣୁଆ ଘେନି ଆମେ ଶିକାର ଉଦ୍ଦେଶ୍ୟରେ ବାହାରିଲୁ । ସେ ସ୍ଥାନଟି ଗୋଟିଏ ସମତଳ ଭୂମି । ଆଖପାଖରେ ପାହାଡ଼ ପର୍ବତ ବଣ ଜଙ୍ଗଲ କିଛି ନାହିଁ । ବାଟରେ ଖାଲି ପଡ଼ିଆ, ଠାଏଠାଏ ମୁଣ୍ଡେ ଉଚ୍ଚର ଘାସ । କାଁଭାଁ ଗୋଟେ ଗୋଟେ ବଡ଼ ଗଛ ଥୁଣ୍ଟାପରି ଠିଆ ହୋଇଛି । ଆମେରିକାର ଚାରିଆଡ଼େ ରାସ୍ତାଘାଟ ଓ ବିଜୁଳି ଆଲୁଅ । ଦେଶର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ବଡ଼ବଡ଼ ମାଲବାହୀ ବସ୍, ଟ୍ରକ୍ ଓ ମୋଟରଗାଡ଼ି ପଁପାଁ କରି ଧାଇଁ ଚାଲିଛନ୍ତି । ସମସ୍ତଙ୍କ ହାତରେ ବନ୍ଧୁକ । ଜଙ୍ଗଲୀ ଜୀବଜନ୍ତୁ ଆଉ କେଉଁଠୁଁ ଆସିବେ ?

 

ସୁରକ୍ଷିତ ଜଙ୍ଗଲ ବୋଲି ଯାହାକୁ କୁହାଯାଏ ତାହା ବଡ଼ ସହରର ପାର୍କ୍‍ ସଙ୍ଗେ ସମାନ-। ସେ ସ୍ଥାନମାନଙ୍କରେ ବଣଭୋଜି କରିବାପାଇଁ ଘର ସବୁ ରହିଛି । ଖାଦ୍ୟ ଓ ପାନୀୟପାଇଁ ବ୍ୟବସ୍ଥା ଅଛି । ଆମ ରେଳ ଷ୍ଟେସନ୍‍ ଓଜନ ଖମ୍ୱ ପରି ନାନା ଖାଦ୍ୟ ଓ ପାନୀୟ ଖମ୍ୱ ସବୁ ରଖାଯାଇଛି । ସ୍ଥାନେ ସ୍ଥାନେ ବଡ଼ବଡ଼ କୁଣ୍ଡରେ ପାଣି ଓ ଖାଦ୍ୟ ରଖାଯାଇଥାଏ । କେତେଟା ବଣୁଆ ଭାଲୁ ମଣିଷ ସଙ୍ଗେ ରଜଘଷ ହୋଇ ହୋଇ କାହାକୁ ନ ଡରି ସେ କୁଣ୍ଡମାନଙ୍କରେ ଥିବା ଖାଦ୍ୟ ସବୁ ଖାଇ କରି ବୁଲୁ ଥାଆନ୍ତି । ବାଘ, ହରିଣ ପ୍ରଭୃତି ବନ୍ୟଜନ୍ତୁ ସେ ଦେଶରେ ସ୍ୱପ୍ନ-। ଗୋଟିଏ ହେଲେ ମାଙ୍କଡ଼ ନାହାନ୍ତି । ଏସିଆ, ଆଫ୍ରିକା ପ୍ରଭୃତି ସ୍ଥାନରୁ ମାଙ୍କଡ଼ ନେଇ ସହରର କେତେକ ପାର୍କ୍‍ରେ ପିଲାଏ ଦେଖିବାପାଇଁ ରଖାଯାଇଛି ।

 

ଏ ସ୍ଥାନରେ କି ଶିକାର ମିଳିବ, ଏକଥା ମୁଁ ଭାବୁ ଭାବୁ ଗୋଟିଏ ବୁଦିବୁଦିକିଆ ଜଙ୍ଗଲ ଓ ଘାସ ପଡ଼ିଆ ପାଖରେ ଆମ ଦଳ ଅଟକିଲେ । ବାଣୁଆମାନେ ବନ୍ଧୁକଧରି ଛପି ଛପି ଗୋଡ଼ ଟିପି ଟିପି ଆଗେଇଲେ । କିଛି ସମୟ ପରେ ଢୋଢା ଆବାଜରେ ଆମ କାନଅତଡ଼ା ପଡ଼ିଗଲା । ଆମ ପାଖକୁ କୁକୁରମାନେ ଦଉଡ଼ିଯାଇ ଘାସ ଭିତରେ ପଶିଲେ । ତା’ପରେ ଶୁଙ୍ଘି ଶୁଙ୍ଘି ଯାଇ ଗୋଟିଏ ଗୋଟିଏ ସ୍ଥାନରେ ଠିଆହୋଇ ଭୋ ଭୋ ଶବ୍ଦ କଲେ । ଏପରି କୁକୁରମାନଙ୍କ ସାହାଯ୍ୟରେ ଶିକାରସବୁ ସଂଗ୍ରହ କରି ବାଣୁଆମାନେ ଆମ ଜିପ୍ ନିକଟକୁ ଫେରି ଆସିଲେ ।

 

ଏପରି ଦୁଇ ଚାରିଟା ସ୍ଥାନରେ ଶିକାର ହେଲା । ସେଠାରେ ଶିକାର ସରିଲା ବେଳକୁ ମୁଁ ଗଣିକରି ଦେଖିଲି, ସତରଟି ପାର୍ଟିଚ ବା କ୍ୱେଲ ଚଢ଼େଇ ଓ ଗୋଟିଏ ସାନ ଠେକୁଆ ଶିକାର ହୋଇଛନ୍ତି । ସେ ଚଢ଼େଇଗୁଡ଼ିକ ଆମ ଘରଚଟିଆଠାରୁ ସାମାନ୍ୟ ବଡ଼ । ଠେକୁଆଟିର ଲାଞ୍ଜ ଶେଷରେ ରୁମଗୁଡ଼ିକ ତୁଳା ମେଞ୍ଚାପରି ହୋଇଥିବାରୁ ତାକୁ କଟନଟେଲ୍ ବା ତୁଳାଲାଙ୍ଗୁଡ଼ିଆ ଠେକୁଆ ବୋଲି କହନ୍ତି । ତାକୁ ଖାଇଲେ ଟଲୁରିମିଆ ନାମକ ରୋଗ ହୁଏ ବୋଲି ଧାରଣା ଥିବାରୁ ତାକୁ ଘରକୁ ନ ଆଣି ବାଟରେ ଫିଙ୍ଗି ଦିଆଗଲା । ଆମେ ଚଢ଼େଇତକ ଧରି ଘରକୁ ଫେରିବା ବାଟରେ ମୋର ସଙ୍ଗୀମାନେ ଭଲ ଶିକାର ହେଲା ବୋଲି ଆନନ୍ଦରେ କୁହାକୁହି ହେଲେ । ବାଟରୁ କେତେକ ଶିକାରୀ ଘୋଡ଼ାରେ ଚଢ଼ି ଦୂରରେ ଥିବା ଗୋଟିଏ ନଈକୂଳକୁ ଶିକାରପାଇଁ ଚାଲିଗଲେ । ପରେ ସେମାନେ ଉତ୍ତରରୁ ଉଡ଼ି ଆସିଥିବା ଗୋଟିଏ ପାତିହଂସ ଶିକାର କରି, ସେଇଟିକୁ ସଙ୍ଗରେ ଧରି ଲେଉଟି ଆସିଲେ ।

 

ପରିବାର-ଭୋଜି

 

ପରଦିନ ଉଇଲିୟମଙ୍କ ଘରେ ଗୋଟିଏ ବଡ଼ ଭୋଜିର ଆୟୋଜନ ହେଲା । ଗୋଟିଏ ଟର୍କି ଚଢ଼େଇ ସିଝାହୋଇ ଟେବୁଲ ମଝିରେ ଥୁଆ ହେଲା । ତା’ ଚାରିପଟେ ଆମ ଶିକାର ଚଢ଼େଇ ସବୁ ସିଝା ହୋଇ ଖଞ୍ଜା ହେଲେ । ତାଙ୍କ ଚାରିପଟେ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ଓ ଫଳ ସବୁ ସଜାଇ କରି ରଖାହେଲା ।

 

ନିମନ୍ତ୍ରିତ ବ୍ୟକ୍ତିମାନେ ଟେବୁଲଠାରୁ ଟିକିଏ ଦୂରରେ ପଡ଼ିଥିବା ଚଉକିଗୁଡ଼ିକରେ ବସିଲେ । ସେମାନଙ୍କ ଭିତରୁ ଅଧିକାଂଶଙ୍କୁ ତାଙ୍କର ନିଜ ଘରଲୋକ ବୋଲି ମୋତେ ଉଇଲିୟମସ୍ ଚିହ୍ନାଇ ଦେଲେ । ମିସେସ୍ ଉଇଲିୟମ୍‍ଙ୍କ ମା’, ବାପ, ଭଉଣୀ, ଭିଣୋଇ ଓ ସେମାନଙ୍କ ପିଲାମାନେ ସେଠାରେ ଥିଲେ । କିନ୍ତୁ ଘରଲୋକଙ୍କ ଭିତରେ ଉଇଲିୟମ୍‍ଙ୍କ ବାପା, ମା’, ଭାଇ, ଭଉଣୀ ପ୍ରଭୃତି କେହି ନଥିଲେ । ତାଙ୍କ ସମାଜରେ ପୁଅ ସଙ୍ଗେ ବାପ ମା’ଙ୍କ ସମ୍ପର୍କ ନ ଥାଏ । ଝିଅ ସଙ୍ଗେ କିଛି ସମ୍ପର୍କ ଥାଏ । ବୁଢ଼ୀ ଏକୁଟିଆ ହୋଇଗଲେ ଝିଅ ଘରେ ଯାଇ ରହେ କିନ୍ତୁ ପୁଅବୋହୂଙ୍କ ପାଖକୁ ଯାଏଁ ନାହିଁ ।

 

ଆମେ ସମସ୍ତେ ଚଉକିରୁ ଉଠି ଗୋଟିଏ ଗୋଟିଏ ପ୍ଲେଟ୍, ଛୁରି, ଚାମଚ ଓ କଣ୍ଟା ଚାମଚ ଧରି ଟେବୁଲ ପାଖରେ ଯାଇ ଠିଆ ହେଲୁ । ମିସେସ୍ ଉଇଲିୟମ୍ ପିଆନୋରେ ‘ଧନ୍ୟବାଦ ଅର୍ପଣ’ ଗୀତଟି ଗାଇଲେ । ଈଶ୍ୱରଙ୍କୁ ଖାଦ୍ୟ ସମର୍ପି ଧନ୍ୟବାଦ ପ୍ରାର୍ଥନା ହେଲା ।

 

ପ୍ରାର୍ଥନା ସରିବା ପରେ ସମସ୍ତେ ଟର୍କିମାଂସ ଓ ଅନ୍ୟାନ୍ୟ ଖାଦ୍ୟ ପ୍ଲେଟ୍‍ରେ ଆଣି ଖାଇବା ଆରମ୍ଭ କଲେ । ମୁଁ ମୋ ଛୁରିରେ ଟର୍କିମାଂସ ଖଣ୍ଡେ କାଟିଆଣି ପାଟିରେ ଦେଲି । ସେ ମାଂସ ନଡ଼ିଆକତା ପରି ଟାଣ ଓ ସମ୍ପୂର୍ଣ୍ଣ ସ୍ୱାଦୁଗନ୍ଧରହିତ । ମୁଁ ତାକୁ ଛାଡ଼ି କୁକୁଡ଼ା ଭଜା, କେକ୍ ପ୍ରଭୃତି ଆଣି ଆହାର କଲି । ଦକ୍ଷିଣ ରାଜ୍ୟ ଦକ୍ଷିଣୀ କୁକୁଡ଼ା ଭଜାପାଇଁ ବିଖ୍ୟାତ । ବଡ଼ବଡ଼ କୁକୁଡ଼ା ମାଂସକୁ ଖଣ୍ଡଖଣ୍ଡ କରି ସିଝାଇ ବେସନରେ ଭଜାଯାଏ । ସେ ଭଜା ବଡ଼ ଭଲଲାଗେ । ଉଇଲିୟମସ୍ ଓ ତାଙ୍କ ବନ୍ଧୁବାନ୍ଧବମାନେ ମୋତେ ଆଦରରେ ଖୁଆଉ ଥାଆନ୍ତି ଓ ମୋ ଚାରିପଟରେ ବେଢ଼ି ତତ୍ତ୍ୱ ନେଉଥାନ୍ତି । ମୋଟଉପରେ ମୁଁ ଦକ୍ଷିଣୀ ଆତିଥ୍ୟରେ ବୁଡ଼ି ରହିଲି ।

 

ଚାହୁଁଚାହୁଁ ଛୁଟି ସରିଗଲା । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଇ ମିସେସ୍ ଓନିକ୍‍ସଙ୍କ ସଙ୍ଗେ ମୋର କାର୍ଯ୍ୟସ୍ଥଳୀକୁ ଫେରିଲି ।

Image

 

Unknown

ଭେଦାଭେଦ

ଚେହେରାର ଦୁର୍ଯୋଗ

 

ପୃଥିବୀରେ ଜ୍ଞାନବିଜ୍ଞାନ ଉନ୍ନତିପାଇଁ ଜାତିସଂଘ ଓ ବିଭିନ୍ନ ସରକାରୀଙ୍କ ସହଯୋଗରେ ଗୋଟିଏ ଦେଶର ବୈଜ୍ଞାନିକ ଅନ୍ୟ ଦେଶକୁ ଯାଇ ବକ୍ତୃତା ଦେବା ଓ ସେ ଦେଶର ବିଭିନ୍ନ ସଂସ୍ଥା ବୁଲି ଜ୍ଞାନ ଆଦାନପ୍ରଦାନ କରିବାର ବ୍ୟବସ୍ଥା କରାହୋଇଛି । ପୃଥିବୀ ସ୍ୱାସ୍ଥ୍ୟସଂସ୍ଥା, ଆମେରିକା ଓ ଇଂଲଣ୍ଡ ସରକାରଙ୍କର ବୃତ୍ତି ପାଇ ଆମ ଦେଶର ବହୁ ବୈଜ୍ଞାନିକ, ଆମେରିକା ଓ ବିଲାତ ପ୍ରଭୃତି ସାମୟିକ ଭ୍ରମଣରେ ଯାଆନ୍ତି ।

 

ଚାଟାନୁଗା ସହରର ହୋଟେଲ ପ୍ୟାଟନଠାରେ ଚେଙ୍ଗଲଭ ରାଏ ପିଲାଇ ନାମକ ଜଣେ କେରଳି ପାଦ୍ରୀଙ୍କ ଅଭ୍ୟର୍ଥନା ଉଦ୍ଦେଶ୍ୟରେ ଗୋଟିଏ ମଧ୍ୟାହ୍ନ ଭୋଜନର ଆୟୋଜନ ହୋଇଥିଲା ।

 

ସେ ଭୋଜିରେ ନିମନ୍ତ୍ରିତ ଭଦ୍ରବ୍ୟକ୍ତି ଭାବରେ ଯୋଗ ଦେବାପାଇଁ ମୁଁ ହୋଟେଲ ନିକଟରେ ପହଞ୍ଚିଲା ବେଳକୁ ଜଣେ କୃଷ୍ଣକାୟ ଭଦ୍ରଲୋକ ମୋ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଥିବାର ଦେଖିଲି । ମୁଁ ଠିଆ ହୋଇଯାଇ ସେ ଭଦ୍ରଲୋକଙ୍କୁ ଲକ୍ଷ୍ୟ କଲି । ତାଙ୍କର ବର୍ଣ୍ଣ ଶ୍ୟାମଳ, ଉଚ୍ଚତା ମଧ୍ୟମ ଧରଣର, ମୁଣ୍ଡଟି ଚନ୍ଦା, ଓଠ ଦୁଇଟି ମୋଟା, ନାକଟି ଓସାରିଆ ଓ ଥୋଡ଼ିଟି ଟିକିଏ ଚେପ୍‍ଟା ହୋଇ ଭିତରକୁ ପଶିଛି ।

 

ନିଗ୍ରୋମାନଙ୍କର ରଙ୍ଗ କଳା ବା ମିଶାମିଶିରେ ଟିକିଏ ସଫା, ମୁଣ୍ଡର ବାଳ ମେଣ୍ଢାବାଳ ପରି କୁଞ୍ଚକୁଞ୍ଚିଆ, ଓଠ ମୋଟା, ନାକ ଓସାରିଆ ଓ ଥୋଡ଼ିଟି ଚେପ୍‍ଟା । ତେଣୁ ସେ ଭଦ୍ରଲୋକଙ୍କୁ ନିଗ୍ରୋ ବୋଲି ଭୁଲ୍ କରିବା ଆମେରିକାବାସୀଙ୍କ ପକ୍ଷେ ଅସମ୍ଭବ ନୁହେଁ । ମୁଣ୍ଡରେ ଆମ ପରି ସିଧା ବାଳ ଥିଲେ ହୁଏତ ସନ୍ଦେହ ହୁଅନ୍ତା, କିନ୍ତୁ ଦୁର୍ଯୋଗକୁ ତାଙ୍କ ମୁଣ୍ଡରେ ଗୋଟିଏ ହେଲେ ବାଳ ନଥିଲା । ମୁଁ କିନ୍ତୁ ତାଙ୍କୁ ଦେଖୁଦେଖୁ ଆମ ଦେଶର ଜଣେ ମାନ୍ଦ୍ରାଜୀ ଭଦ୍ରଲୋକ ବୋଲି ଚିହ୍ନିନେଲି-

 

ଭଦ୍ରଲୋକଙ୍କର ନାମ ଡାକ୍ତର ରାଘବନ ସେ ସେତେବେଳେ ଭାରତ ସରକାରଙ୍କ ମେଲେରିଆ ବିଭାଗର ଡେପୁଟି ଡିରେକ୍ଟର୍ ଥିଲେ । ମେଲେରିଆ ବିଷୟରେ ବକ୍ତୃତା ଦେବାପାଇଁ ପୃଥିବୀ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମନୋନୀତ ହୋଇ ସେଇ ସଂଗଠନର ଖର୍ଚ୍ଚରେ ଆମେରିକା ଗସ୍ତ କରୁଥିଲେ ।

 

ମୁଁ ତାଙ୍କୁ ସାଦର ସମ୍ଭାଷଣ ଜଣାଇ ନମସ୍କାର କଲି । ମୋର ଘର କେଉଁଠି ବୋଲି ସେ ପଚାରିବାରେ, ମୁଁ ଭାରତର ଓଡ଼ିଆ ପ୍ରଦେଶ ବୋଲି କହିଲି । ସଙ୍ଗେ ସଙ୍ଗେ କଟକ କି ନୁହେଁ ବୋଲି ସେ ଉତ୍କଣ୍ଠା ସହିତ ପ୍ରଶ୍ନ କରିବାରେ ମୁଁ ହଁ ଭରିଲି ।

 

ମୋ ପାଟିରୁ କଥା ନ ସରୁଣୁ ସେ ତରବରରେ କହିଲେ, ତୁମେ ଡାକ୍ତର ଏସ୍. ପଟ୍ଟନାୟକଙ୍କୁ ଚିହ୍ନିଚ ? ସେ ଆମର କଟକ ମେଲେରିଆ ଅଫିସ୍‍ରେ କାମ କରନ୍ତି, ମୁଁ ତାଙ୍କ ବଡ଼ ହାକିମ ।’’ ଏକଥା ଶୁଣି ମୋତେ ହସ ଲାଗିଲା । ମୁଁ କହିଲି, ‘‘ସେ ମୋର ସହପାଠୀ ଥିଲେ, ତାହାହେଲେ ଆପଣବି ମୋର ବଡ଼ ହାକିମ । କହନ୍ତୁ, ଆପଣଙ୍କର କ’ଣ ଦରକାର, ମୁଁ ଆପଣଙ୍କ ପାଇଁ କ’ଣ କରି ପାରିବି । ହାକିମ ହିସାବରେ ଆପଣଙ୍କ ଆଦେଶ ମୋର ଶିରୋଧାର୍ଯ୍ୟ । କିନ୍ତୁ ଏ ଦେଶରେ ତ ମେଲେରିଆ ରୋଗର ନାମ ଗନ୍ଧ ନାହିଁ । ଏଠି ଆପଣଙ୍କ ମେଲେରିଆ ବକ୍ତୃତା କିଏ ଶୁଣିବ ? ଏଥିପାଇଁ ଜାତିସଂଘ ପଇସା ଖର୍ଚ୍ଚ କରି ଆପଣଙ୍କୁ ଏ ଦେଶକୁ ଆଣିଛି ବା କାହିଁକି ?

 

ସେ କାନ୍ଦ କାନ୍ଦ ହୋଇ କହିଲେ, ‘‘ମୁଁ ବଡ଼ ଦୁର୍ଯୋଗରେ ପଡ଼ିଛି । ମୁଁ ଯୁକ୍ତରାଷ୍ଟ୍ରର ଦକ୍ଷିର ଅଞ୍ଚଳରେ ପହଞ୍ଚିବାଠାରୁ ଗତ ଦୁଇଦିନ ହେଲା କିଛି ଖାଇବାକୁ ପାଇ ନାହିଁ । ଗୋରାମାନଙ୍କ ହୋଟେଲକୁ ଗଲେ ସେମାନେ ମୋତେ ନିଗ୍ରୋ ବୋଲି ଖାଇବାକୁ ନ ଦେଇ ବାହାର କରି ଦେଉଛନ୍ତି । ନିଗ୍ରୋ ହୋଟେଲରେ ପଶିଲେ ସେ ମୋ ପରିଚୟ ପତ୍ର ଦେଖି ମୁଁ (ବିଦେଶୀ ନାଗରିକ), ସେଠାର ନିଗ୍ରୋ ନୁହେଁ ବୋଲି କହି ହୋଟେଲ ଭିତରେ ପୂରାଉ ନାହାନ୍ତି ।

 

ତାଙ୍କର ଏ ବିକଳ ଅବସ୍ଥା ଦେଖି ମୋର ଦୟା ହେଲା । ଦକ୍ଷିଣୀ ଆତିଥ୍ୟର ଭେଦାଭେଦ ମୋ ଆଖିରେ ନାଚିଲା । ମୁଁ ତାଙ୍କୁ ମୋ ସଙ୍ଗେ ପ୍ୟାଟନ ହୋଟେଲକୁ ଡାକି ନେଇ ମୋ ଦେଶବାସୀ ବୋଲି ପରିଚୟ କରାଇ ଦେଲି । ସେଠାର ପ୍ରଧାନ ଅତିଥି ପିଲାଇ ରାଘବନଙ୍କଠାରୁ ବେଶୀ କଳା ହୋଇ ଥିବାରୁ, ରାଘବନଙ୍କର ଆମ ସାଥିରେ ସେଠାର ଗୋରାମାନଙ୍କ ସଙ୍ଗେ ଭୋଜିରେ ଯୋଗ ଦେବାରେ ବିଶେଷ ଅସୁବିଧା ରହିଲା ନାହିଁ । ପିଲାଇ ଓ ରାଘବନ ଦୁହେଁ ତାମିଲ ଭାଷା ଜାଣିଥିବାରୁ ସେ ଦୁହିଁଙ୍କ ଭିତରେ ସେ ଭାଷାରେ କଥୋପକଥନବି ଆରମ୍ଭ ହୋଇଗଲା ।

 

ଏହା ପୂର୍ବରୁ ସେଠାର କେଓ୍ୟାନି କ୍ଲବ୍‍ର ଆନୁକୂଲ୍ୟରେ ‘‘ଆନ୍ତର୍ଜାତିକ ଭ୍ରାତୃ ଦିବସ’’ ପାଳନ ଉପଲକ୍ଷରେ ଗୋଟିଏ ହୋଟେଲରେ ଭୋଜିର ଆୟୋଜନ ହୋଇଥିଲା । ସେଥିରେ ଆମ ଭଳି ସମସ୍ତ ବିଦେଶୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । କ୍ଲବ୍‍ର କର୍ମକର୍ତ୍ତା ଓ ଆମ ଭିତରୁ ଅନେକ ସବୁ ଦେଶର ଲୋକେ କିପରି ଭାଇ ଭାଇ ପରି ନିଜକୁ ମନେକରିବା ଉଚିତ ସେ ବିଷୟରେ ସାରଗର୍ଭକ ଭାଷଣ ସବୁ ଦେଇଥିଲୁ । ସେଠାକୁ କିନ୍ତୁ କୌଣସି ନିଗ୍ରୋ ଭଦ୍ରବ୍ୟକ୍ତି ସଭ୍ୟ ଭାବରେ ନିମନ୍ତ୍ରଣ ପାଇ ନଥିଲେ । ନିଗ୍ରୋମାନେ ପୂଜାରୀ ଓ ବୟ ହିସାବରେ ଆମକୁ ଖାଦ୍ୟ ଓ ପାନୀୟ ସବୁ ଯୋଗାଇ ଆମଠାରୁ ଦୂରରେ ଠିଆ ହୋଇ ରହୁଥିଲେ ।

 

ଏହି ସମ୍ପର୍କରେ ପରେ ଉତ୍ତର ଅଞ୍ଚଳର କାଗଜମାନଙ୍କରେ ପ୍ରତିବାଦ ପ୍ରକାଶ ପାଇଥିଲା-। ସେଥିରେ ଯୁକ୍ତରାଷ୍ଟ୍ରର ଦକ୍ଷିଣୀ ଲୋକଙ୍କ ଅଦ୍ଭୁତ ଭ୍ରାତୃ ଦିବସ ପାଳନ ଶିରୋନାମାରେ ଲେଖାଥିଲା-ବିଦେଶୀ ଭାରତର ତ୍ରିପଣ୍ଡ କଳା ‘ପିଲାଇ’ ଦକ୍ଷିଣ ଯୁକ୍ତରାଷ୍ଟ୍ରରେ ଭାଇ, କିନ୍ତୁ ସେଠାର ଦେଶୀ ଶ୍ୱେତକାୟ ନିଗ୍ରୋ କେବଳ ପୂଜାରୀ ଓ ଚାକର । ଏ ପ୍ରହସନ ଆଉ କେତେ କାଳ ଚାଲିବ-?’’

 

ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଯୁକ୍ତରାଷ୍ଟ୍ର ଆମେରିକାରେ କଳା ଗୋରା ଭେଦଭାବ ସମ୍ପୂର୍ଣ୍ଣ ବିପରୀତ । ଉତ୍ତରାଞ୍ଚଳରେ ନିଗ୍ରୋ ଓ ଗୋରାମାନେ ମିଶିକରି ଚଳନ୍ତି । ସେମାନଙ୍କ ଭିତରେ ବିବାହ ସମ୍ପର୍କ ହେବାର ମଧ୍ୟ ବାଧା ନାହିଁ ।

 

ଏହି ଭେଦାଭେଦ ପାଇଁ ଉତ୍ତର ଓ ଦକ୍ଷିଣାଞ୍ଚଳ ଭିତରେ ଏକ ବଡ଼ ଗୃହଯୁଦ୍ଧ ହୋଇ ଦକ୍ଷିଣାଞ୍ଚଳ ହାରି ଯାଇଥିଲା । ଯୁଦ୍ଧପରେ କ୍ରୀତଦାସ ପ୍ରଥା ଉଠିଥିଲା ନିଗ୍ରୋମାନଙ୍କୁ ବହୁପ୍ରକାର ସୁବିଧା ମିଳିଥିଲା, କିନ୍ତୁ ଗୋରାମାନଙ୍କ ସଙ୍ଗେ ସମାନ ଭାବରେ ମିଶିବାର ସୁଯୋଗ ମିଳି ନଥିଲା ।

 

ଏହି ଯୁଦ୍ଧ ଯୋଗୁଁ ଏବେବି ଦକ୍ଷିଣାଞ୍ଚଳର ଲୋକମାନେ ଉତ୍ତରାଞ୍ଚଳର ଲୋକଙ୍କୁ ୟାଙ୍କି ବୋଲି କହି ଘୃଣା କରନ୍ତି । ଏପରିକି ଦକ୍ଷିଣ ରାଜ୍ୟରେ କୌଣସି ଚାକିରିପାଇଁ ଜଣେ ଉତ୍ତରାଞ୍ଚଳର ଲୋକ ଓ ଜଣେ ବିଦେଶୀ ଲୋକ ପ୍ରାର୍ଥୀ ହେଲେ, ସେ ଚାକିରିଟି ବିଦେଶୀ ଲୋକଙ୍କୁ ମିଳିବାର ବେଶୀ ସମ୍ଭାବନା ଥାଏ ।

 

ଦକ୍ଷିଣ ଅଞ୍ଚଳର ଲୋକେ ଚାଷବାସ ପାଇଁ ଆଫ୍ରିକାର ନିଗ୍ରୋମାନଙ୍କୁ କ୍ରୀତଦାସରୂପେ କିଣି ସେ ଅଞ୍ଚଳକୁ ଅଣାଇଥିଲେ ଓ ସେମାନଙ୍କୁ ଅଲଗା କରି ରଖିଥିଲେ । ମୋର ଜଣେ ଗୋରା ବନ୍ଧୁଙ୍କର ଗୋଟିଏ ଫଳ ବଗିଚା ଥାଏ । ବଗିଚା ଭିତରେ ସେ ଘୁଷୁରି ଫାର୍ମଟିଏ ମଧ୍ୟ କରିଥାଆନ୍ତି-। ସେଠାରେ ଘୁଷୁରି ଓ ବଗିଚାର ରକ୍ଷଣାବେକ୍ଷଣ ପାଇଁ ଜନ୍ ନାମକ ଜଣେ ନିଗ୍ରୋ ନିଯୁକ୍ତ ହୋଇଥାଆନ୍ତି । ଭଦ୍ରଲୋକ ସକାଳୁ ନିଗ୍ରୋସାହି ନିକଟକୁ ଯାଇ ଆମେ ସକାଳୁ କାମକୁ ଆସିବାକୁ ବାଉରି ସାହିରେ ରାମ ଭୋଇ ମୂଲିଆକୁ ହେ ରାମା ବୋଲି ଡାକ ଛାଡ଼ିଲାପରି, ସେ ହେ ଜଅନ୍ ବୋଲି ରଡ଼ି ଛାଡ଼ନ୍ତି । ଜନ୍ ମଧ୍ୟ ଏ-ଏ-ଗୋଇଂ-ଙ୍ଗ-ଙ୍ଗ ବା ଯାଉଛି ବୋଲି ବଡ଼ପାଟିରେ ଉତ୍ତର ଦିଅନ୍ତି । ଜନ୍ ଆସିଲେ ସେ ତାଙ୍କୁ ଧରି ବଗିଚାକୁ ଯାଆନ୍ତି ।

 

ଆମ ହସ୍‍ପିଟାଲ ନିକଟରେ ଗୋଟିଏ ନିଗ୍ରୋ ବସ୍ତି ଥାଏ । ସେମାନଙ୍କ ଅବସ୍ଥା ସ୍ୱଚ୍ଛଳ ଥିଲେ ମଧ୍ୟ ତାଙ୍କ ରାସ୍ତାଘାଟ ସେତେ ପରିଷ୍କାର ନଥାଏ । ତାଙ୍କ ଘର ଟେଲିଭିଜନ ଉପରେ ଖଣ୍ଡିଆ ଅଇଁଠା ପିଙ୍କା ପଡ଼ିଥିବାର ମଧ୍ୟ ଦେଖାଯାଏ । ଘରେ ପାଉଁଶଦାନି ଥିଲେ ମଧ୍ୟ ସେମାନେ ଏଠିସେଠି ଥୁଥୁ କରି ଛେପ ଓ ପିଙ୍କା ପାଉଁଶ ପକାଉ ଥାଆନ୍ତି ।

 

ସେମାନଙ୍କର ପାଠଶାଠ ଅପେକ୍ଷା ଖେଳ କସରତ ଓ ସଙ୍ଗୀତ ପ୍ରତି ବେଶୀ ଆକର୍ଷଣ ଥିବାର ଦେଖାଯାଏ । ସେମାନେ ଖୁବ୍ ଦୀର୍ଘକାୟ ଓ ବଳିଷ୍ଠ ହୋଇଥିବାରୁ ଖେଳ କସରତରେ ଦେଶ ବିଦେଶରେ ବହୁତ ନାମ ଅର୍ଜନ କରିଛନ୍ତି ।

 

ସାଧାରଣ ନିଗ୍ରୋମାନଙ୍କ କଥା ପ୍ରାୟ ବୁଝିହୁଏ ନାହିଁ । ସେମାନେ ଇଂରେଜଭାଷାକୁ ବଡ଼ ବିକୃତ କରି କହନ୍ତି । ସେ ଗୋଟିଏ ବାକ୍ୟରେ ଦୁଇ ତିନୋଟି କ୍ରିୟା ପ୍ରୟୋଗକରି କଥାକୁ ଲମ୍ୱାଇକରି କହନ୍ତି ।

 

ସେମାନେ କାୟିକ ପରିଶ୍ରମରେ ଧୁରନ୍ଧର ଥିବାରୁ ଚାଷ କାମ, ରନ୍ଧାବଢ଼ା ଓ ଅନ୍ୟାନ୍ୟ ଶାରୀରିକ ପରିଶ୍ରମଯୁକ୍ତ କାର୍ଯ୍ୟରେ ବେଶୀ ସଂଖ୍ୟାରେ କାର୍ଯ୍ୟ କରନ୍ତି । ସେମାନଙ୍କ ପାଇଁ ସେ ଦେଶର ଆଇନ ସବୁ କୋହଳ ହେବାରୁ ସେମାନେ ଶିକ୍ଷାର ସୁବିଧା ପାଇ ସେମାନଙ୍କ ଭିତରୁ ବହୁବିଧ ଉଚ୍ଚଶିକ୍ଷିତ ବ୍ୟକ୍ତି ବାହାରିଲେଣି ।

 

ଦକ୍ଷିଣାଞ୍ଚଳରେ ସେମାନଙ୍କୁ ଯେପରି ବ୍ୟବହାର କରାଯାଉଥିଲା ସେଥିରେ ତାଙ୍କ ଭିତରେ ଗ୍ଳାନି ରହିଯିବା ସ୍ୱାଭାବିକ । ତାଙ୍କପାଇଁ ସବୁ ଅଲଗା । ସାଧାରଣ ସ୍ଥାନରେ ଦୁଇଟି ପିଇବା ପାଣିକଳ ଥିଲେ ଗୋଟିଏ ତାଙ୍କପାଇଁ ଓ ଅନ୍ୟଟି ଗୋରାମାନଙ୍କ ପାଇଁ । ନିଜପାଇଁ ନିର୍ଦ୍ଦିଷ୍ଟଥିବା ପାଣିକଳ ଛଡ଼ା ଅନ୍ୟ କଳକୁ କେହି ପାଣି ପିଇ ପାରନ୍ତି ନାହିଁ । ବସ୍‍ରେ, ଟ୍ରେନ୍‍ରେ ନିଗ୍ରୋମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରଖାଯାଇଥାଏ । ସେମାନେ ଗୋରାଙ୍କପାଇଁ ଥିବା ସ୍ଥାନରେ ବସି ପାରନ୍ତି ନାହିଁ । ଗୋରାମାନେ ସେମାନଙ୍କ ନିର୍ଦ୍ଦିଷ୍ଟ ସ୍ଥାନରେ ଖୁନ୍ଦାଖୁନ୍ଦି ହୋଇ ଯାଉଥିଲାବେଳେ କଳାଙ୍କ ନିର୍ଦ୍ଦିଷ୍ଟ ସ୍ଥାନ ଖାଲି ପଡ଼ିଥିଲେ ମଧ୍ୟ ସେଥିରେ ଯାଇ ବସନ୍ତି ନାହିଁ ।

 

ନିଗ୍ରୋ ବା କଳା ଲୋକଙ୍କର ବଜାର, ସିନେମା, ହସ୍‍ପିଟାଲ ୱାର୍ଡ଼ ବା ଖଞ୍ଜା, ଓ ଏପରିକି ଧର୍ମାନୁଷ୍ଠାନ ଗିର୍ଜା ମଧ୍ୟ ସ୍ୱତନ୍ତ୍ର । ସେମାନଙ୍କ ସଙ୍ଗେ ଦୁଃଖସୁଖବି କଥାବାର୍ତ୍ତା ହେବାକୁ ଗୋରାମାନେ ପସନ୍ଦ କରନ୍ତି ନାହିଁ ।

 

ଦିନେ ହସ୍‍ପିଟାଲ ବାରଣ୍ଡାରେ ମୁଁ ଜଣେ ନିଗ୍ରୋ କର୍ମଚାରୀଙ୍କୁ ଡାକି ତାଙ୍କ ଖବର ବୁଝିବାକୁ ଚାହିଁଲି । ମୁଁ ପଚାରିବାରେ ସେ ଚାରିଆଡ଼କୁ ଚାହିଁ ଥଙ୍ଗଥଙ୍ଗ ହେଲେ । ଏପରି ସମୟରେ ଆମ ପରୀକ୍ଷାଗାରର ଜଣେ ଶ୍ୱେତକାୟ ରମଣୀ ମୋର ସାର୍ଟ୍ ଭିଡ଼ି ମୋତେ ଭିତରକୁ ଘେନିଗଲେ-। ସେ ମୋ କୋଠରୀ ଭିତରକୁ ମୋତେ ନେଇଯାଇ କହିଲେ, ‘‘ଆପଣ କ’ଣ କରିବାକୁ ଯାଉଥିଲେ-? ଏଠାରେ ସର୍ବସାଧାରଣ ସ୍ଥାନରେ କେହି ନିଗ୍ରୋମାନଙ୍କ ସଙ୍ଗେ ଆଳାପ କରନ୍ତି ନାହିଁ । ଆପଣ ଜଣେ ବିଦେଶୀ ହୋଇଥିବାରୁ ଏଠାର ଗୋରାମାନେ ଆପଣଙ୍କୁ ସେମାନଙ୍କ ସଙ୍ଗେ ମିଶାନ୍ତି-। ଆପଣ ଯଦି ନିଗ୍ରୋମାନଙ୍କ ସଙ୍ଗେ ଅବାଧ ମିଳାମିଶା କରିବେ, ତେବେ ସେମାନେ ଆପଣଙ୍କ କାର୍ଯ୍ୟକୁ ବରଦାସ୍ତ କରିବେ ନାହିଁ, ଅଯଥାରେ ଆପଣଙ୍କ ଉପରେ ବିପଦ ପଡ଼ିବ । ଆପଣଙ୍କୁ ନାନାପ୍ରକାରେ ହଇରାଣ କରିବେ । ଏଠାରେ ଗୋରାମାନେ ବନ୍ଧୁପ୍ରିୟ ଓ ଥଣ୍ଡା ମେଜାଜ୍‍ର ଲୋକ କିନ୍ତୁ ନିଗ୍ରୋପ୍ରୀତି ଦେଖିଲେ ତାଙ୍କ ମୁଣ୍ଡ ଗରମ ହୋଇଯିବ ।

 

ସେମାନଙ୍କ ମୁଣ୍ଡ ଏଥିରେ ହଠାତ୍ କାହିଁକି ଖରାପ ହୋଇଯିବ ମୁଁ ତା’ର ସନ୍ଧାନ ପାଇଲି ଗୋଟିଏ ଛୋଟ ସଭାର ଆଲୋଚନାରୁ ।

 

ସେ ସଭାରେ ମୋତେ ଆମ ଦେଶର ହରିଜନ ସମସ୍ୟା ବିଷୟରେ ପ୍ରଶ୍ନ ହେଲା । ଏପରି ପ୍ରଶ୍ନ ମୋତେ ପଚାରିବାର ଆବଶ୍ୟକତା କ’ଣ ଓ ଏ ବିଷୟ ମୋତେ କାହିଁକି ପଚାରୁଛନ୍ତି ବୋଲି ମୁଁ କହିବାରେ, କର୍ମକର୍ତ୍ତାମାନଙ୍କ ଭିତରୁ ଜଣେ ଉଠି କହିଲେ, ‘‘ଆମ ଏଠାର ନିଗ୍ରୋ ସମସ୍ୟାପରି ଆପଣଙ୍କ ଦେଶରେ ସେ ଗୋଟିଏ ସମାନ୍ତରାଳ ସମସ୍ୟା । ଆପଣ ଆମର ଏ ସମସ୍ୟାକୁ ଅନ୍ୟଦେଶ ଲୋକଙ୍କଠାରୁ ବେଶୀ ବୁଝି ପାରୁଥିବେ । ତେଣୁ ସେ ବିଷୟରେ ଆପଣଙ୍କଠାରୁ ବିଶଦ ବିବରଣୀ ଶୁଣିବାକୁ ଆମର ଆଗ୍ରହ ହେଉଛି ।

 

ସେ ଆଉରି କହିଲେ ନିଗ୍ରୋମାନଙ୍କର ସଂଖ୍ୟା ଦକ୍ଷିଣାଞ୍ଚଳରେ ବେଶୀ । ଏହା କୃଷି ଅଞ୍ଚଳ ହୋଇଥିବାରୁ ଏଠାକୁ ଅଧିକ ସଂଖ୍ୟାରେ ସେମାନେ ଅଣା ହୋଇଥିଲେ । ଆମେ ସେମାନଙ୍କୁ ମୁକ୍ତ ଦେଲୁ ସେମାନେ ସେମାନଙ୍କ ଭିତରେ ମିଳିମିଶି ସୁଖରେ ରହନ୍ତୁ ସେଥିରେ ଆମର ଆପତ୍ତି ନାହିଁ, କିନ୍ତୁ ଆମମାନଙ୍କୁ ବାଧ୍ୟବାଧକତାରେ ସେମାନଙ୍କୁ ଆମ ସମାଜରେ ପୂରାଇ ନେବାରେ ଆମପ୍ରତି ଅତ୍ୟନ୍ତ ବିପଦ ରହିଛି ।

 

ଆପଣମାନେ ହରିଜନଙ୍କ ସଙ୍ଗେ ଚଳିଲେଣି କିନ୍ତୁ ସେମାନଙ୍କ ସଙ୍ଗେ ବିବାହ ସମ୍ପର୍କ ସ୍ଥାପନ କରି ପାରିଲେଣି କି ? ଏଠାରେ ନିଗ୍ରୋମାନେ ଆମ ସମାଜରେ ପୂରା ମିଶିଗଲେ, ସେମାନେ ଆମ ପିଲାଙ୍କ ସଙ୍ଗେ ବିବାହ ବନ୍ଧନରେ ଆବଦ୍ଧ ହୋଇଯିବେ । ବୈଜ୍ଞାନିକ ଭାବରେ ଆପଣ ଜାଣନ୍ତି, ନିଗ୍ରୋ ଓ ଗୋରାଙ୍କ ମିଶ୍ରଣରେ ଯେ ସନ୍ତାନ ହୁଏ ତାହା ଦେହରେ ନିଗ୍ରୋ ଲକ୍ଷଣ ବେଶୀ ରହେ । ନିଗ୍ରୋ ଲକ୍ଷଣଗୁଡ଼ିକ ଗୋରା ଲକ୍ଷଣ ଠାରୁ ଅଧିକ ପ୍ରଭାବଶାଳୀ ହୋଇଥିବାରୁ ସେପରି ସନ୍ତାନର ଚମଡ଼ାର ରଙ୍ଗ ଟିକିଏ ସଫା ହୋଇପାରେ । କିନ୍ତୁ ନିଗ୍ରୋପ୍ରାଧାନ୍ୟ ଲକ୍ଷଣସବୁ, ଯଥା; ମୁଣ୍ଡର କୁଞ୍ଚକୁଞ୍ଚିଆ କେଶ ମୁଖମଣ୍ଡଳର ଗଠନ ପ୍ରଭୃତି ଫୁଟି ଦିଶେ । ସେପରି ମିଶ୍ରିତଲୋକ ଆପଣ ଉତ୍ତରାଞ୍ଚଳରେ ଦେଖିଥିବେ । ଏଠାରେ ଏତେ ସଂଖ୍ୟାରେ ନିଗ୍ରୋ ଅଛନ୍ତି ଯେ ସେମାନଙ୍କ ସଙ୍ଗେ ବିବାହ ବନ୍ଧନ ପ୍ରତିଷ୍ଠିତ ହେଲେ ଅଳ୍ପଦିନ ଭିତରେ ଗୋରାଙ୍କ ବଂଶ ସମ୍ପୂର୍ଣ୍ଣ ଲୋପ ହୋଇଯିବ ।

 

ଚମଡ଼ା ପ୍ରୀତି

 

ନିଗ୍ରୋମାନଙ୍କର ବଂଶଧରଙ୍କ ଚମଡ଼ାର ରଙ୍ଗ ସଫା କରାଇବା ପାଇଁ ଗୋରାମାନଙ୍କ ସଙ୍ଗେ ଲୁଚିକରି ମିଶି ସନ୍ତାନ ଲାଭ କରିବାର ଆଗ୍ରହ ନିଗ୍ରୋମାନଙ୍କର ଅଧିକ । ସେଥିପାଇଁ ଗର୍ବ କରିବା କଥା ଗୋଟିଏ ଘଟଣାରୁ ମୁଁ ଜାଣିଥିଲି ।

 

ଦିନେ ମୋ ବିଭାଗରେ ମୋର କାର୍ଯ୍ୟ ସରିବା ପରେ ମେଡ଼ିସିନ ବା ଭେଷଜ ବିଭାଗର ରେସିଡ଼େଣ୍ଟ ଟର୍କିଦେଶବାସୀ ମୋର ପରମବନ୍ଧୁ ଡାକ୍ତର ନେଜଡ଼େଟ୍ ପାଖରେ ପହଞ୍ଚିଲି । ସେ ବହିଃଚିକିତ୍ସା ବିଭାଗରେ କାର୍ଯ୍ୟବ୍ୟସ୍ତ ଥିଲେ । ମୁଁ ଗୋଟିଏ ଚଉକି ଟାଣିନେଇ ତାଙ୍କ ନିକଟରେ ବସିପଡ଼ିଲି ।

 

ଜଣେ ନିଗ୍ରୋ ଯୁବତୀ ତାଙ୍କର ଈଷତ୍ ସଫା ରଙ୍ଗର ଶିଶୁଟିର ଚିକିତ୍ସାପାଇଁ ଓରହନ୍‍ଙ୍କ ସାମନାରେ ଠିଆ ହୋଇ ଚିକିତ୍ସା ପତ୍ର ମାଗୁଥିଲେ । ଓରହନ୍ ସେ ପତ୍ରରେ ଶିଶୁର ବିବରଣୀ ଲିପିବଦ୍ଧ କରିବାପାଇଁ ନାଁ ଗାଁ ପଚାରି ସାରି ଯେତେବେଳେ ବାପର ନାମ ପଚାରିଲେ, ସେତେବେଳେ ଯୁବତୀଟି ସେ ପିଲାର ମାଆର ନାମ ଫ୍ରିଡ଼ା ବୋଲି ଲେଖିବାକୁ କହିଲେ । ସେ ‘ବାପ’ର ନାମ ନ ପାଇବାରୁ ଲାଗଲାଗ ଆଉ ଦୁଇ ଚାରିଥର ‘ବାପ’ର ନାମ କ’ଣ କହନ୍ତୁ ବୋଲି ଯୁବତୀଙ୍କୁ ଅନୁରୋଧ କଲେ । ମହିଳା ଜଣଙ୍କ ମା’ର ନାମ ଫ୍ରିଡ଼ା ବୋଲି ସେଇ ଏକା ଉତ୍ତର ଦେଇ ଦେଇ ଶେଷରେ ରାଗି ଅଗ୍ନିଶର୍ମା ହୋଇଗଲେ ।

 

ଶେଷରେ ଯୁବତୀଟି କହିଲେ, ‘‘ହେ ଡାକ୍ତର, ତୁମେ କେଉଁ ଅସଭ୍ୟ ଜଙ୍ଗଲ ଦେଶରୁ ଏଠାକୁ ଆସିଛ । ତୁମର ମାନମର୍ଯ୍ୟାଦା ଜ୍ଞାନ ନାହିଁ ? ତୁମେ ଏତେଥର ପରେ ବୁଝିପାରୁ ନାହଁ ଯେ ଏ ପିଲାଟି ଗୋଟିଏ ସମ୍ମାନିତ ଗର୍ବିତା ଅବିବାହିତା ମାତାର ସନ୍ତାନ ?’’ ସେ ଉତ୍ତରରେ ଓରହନ୍ ଓ ମୁଁ ଏକାବେଳକେ ଚୁପ୍ ହୋଇଗଲୁ ।

 

ସେ ଦେଶରେ ଅବିବାହିତ ମାଆମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରସୂତି ଡାକ୍ତରଖାନା ସବୁ ରହିଛି ବୋଲି ଶୁଣିଥିଲି । କିନ୍ତୁ ଏପରି ଗର୍ବିତା ମାଆ ଦେଖି ନଥିଲି । ସେ ଲୁଚିକରି କୌଣସି ଶ୍ୱେତକାୟ ବ୍ୟକ୍ତି ସଙ୍ଗେ ମିଶି ଏ ସନ୍ତାନଟି ଲାଭ କରିଛି । ସେ ଦେଶରେ ବିଶେଷତଃ ନିଗ୍ରୋମାନଙ୍କ ପାଇଁ ବିବାହ ଆଇନ ମଧ୍ୟ ବଡ଼ କୋହଳ । ବିବାହ ନ ହୋଇ ସ୍ତ୍ରୀ ପୁରୁଷ କେତେଦିନ ଏକାଠି ରହିଗଲେ ତାଙ୍କୁ ସ୍ୱାମୀ ସ୍ତ୍ରୀ ବୋଲି ଧରି ନିଆଯାଏ ଓ ଆଇନଗତ ସମସ୍ତ ସୁବିଧା ମିଳେ । ତେଣୁ ନିଗ୍ରୋମାନଙ୍କ ଭିତରେ ବିବାହ ଉତ୍ସବକୁ ବେଶୀ ଗୁରୁତ୍ୱ ଦିଆଯାଏ ନାହିଁ ।

 

ପ୍ରକୃତି (ନେଚର) ଓ ସମାଜର ପ୍ରଚଳିତ ନୀତି ବିରୁଦ୍ଧରେ ଯୁଗଯୁଗ ଧରି ମନୁଷ୍ୟ ପ୍ରତିବାଦ କରି ଆସିଛି । ଯେ ଯେଉଁ ପରିସ୍ଥିତିରେ ଥାଏ ସେ ସେଥିରେ ସନ୍ତୁଷ୍ଟ ହୋଇପାରେ ନାହିଁ-। କଳାଚମଡ଼ାବାଲା ଗୋରା ଚମଡ଼ାକୁ ବେଶୀ ପସନ୍ଦ କରେ । ଆମେରିକା ଓ ୟୁରୋପର ଗୌରାଙ୍ଗ ରମଣୀମାନେ ତାଙ୍କ ଚମଡ଼ାର ରଙ୍ଗ ଗାଢ଼ ବା ଧୂସର କରିବାକୁ ଖରାପିଠିଆ ହୋଇ ସମୁଦ୍ରକୂଳେ ବାଲି ଉପରେ ଗଡ଼ନ୍ତି । ସମୟ ସମୟରେ ପ୍ରଖର ସୂର୍ଯ୍ୟତାପ ଯୋଗୁଁ କଅଁଳ ଚମଡ଼ାରେ ଫୋଟକା ହୋଇଯାଏ । ସେମାନେ ଶେଷରେ ଦେହର ଫୋଟକା ଭଲ କରିବାକୁ ଡାକ୍ତର ପରାମର୍ଶ କରିବାକୁ ବାଧ୍ୟ ହୁଅନ୍ତି ।

 

କଳାଚମଡ଼ାବାଲା ନିଜର ଚମଡ଼ାକୁ ଗୋରା କରିବାପାଇଁ ଇଚ୍ଛା କରେ । ଆମ ଗ୍ରାମର ରାମା ବୋଲି ଗୋଟିଏ ବାଉରି ପିଲା ପୋଖରୀ ହୁଡ଼ା ଉପରେ ଗାଈ ଜଗୁଥିଲା । ତା’ର ରଙ୍ଗ କଳା-। ସେ ସବୁଦିନ ପୋଖରୀ ତୁଠକୁ ଚାହେଁ । ଉଚ୍ଚଜାତିର ବାବୁମାନେ ସେଠାରେ ସାବୁନ ଲଗାଇ ଗାଧୋଇ ସାରି ଘରକୁ ଫେରନ୍ତି । ସେମାନଙ୍କ ରଙ୍ଗ ରାମାର ରଙ୍ଗ ଠାରୁ ବହୁତ ସଫା । ରାମାର ଧାରଣା ହେଲା, ବାବୁମାନେ ସାବୁନ ଲଗାଇ ଗାଧୋଇବାଦ୍ୱାରା ଗୋରା ଫିଟି ଯାଉଛନ୍ତି ।

 

ଦିନେ ସେ ଗାଧୁଆତୁଠରେ ଜଣେ ଭଦ୍ରଲୋକ ସାବୁନ ଦେଇ ଲୁଗା କାଚିସାରି ତାଙ୍କ ଲୁଗାଟି ତୁଠ ନିକଟରେ ଥିବା ମଣ୍ଡପରେ ଶୁଖାଇବାକୁ ଚାଲିଗଲେ । ରାମା ଦେଖିଲା, ସେ ତୁଠ ପଥର ଉପରେ ଟିକିଏ ସାବୁନ ପଡ଼ିଛି । ସେ ସଙ୍ଗେ ସଙ୍ଗେ ଦଉଡ଼ି ଆସି ସେ ସାବୁନ ଟିକକ ଧରି ନିଜ ଦେହର ଚାରିଆଡ଼େ ଘଷିବାକୁ ଲାଗିଲା । ଭଦ୍ରଲୋକ ଫେରିଆସି ରାମାକୁ ଚାହିଁବାରେ ସେ ବିକଳରେ କହି ପକାଇଲା, ‘‘ସାଆନ୍ତେ, ଟିକିଏ ଗୋରା ହୋଇଯିବି ପରା ।’’

 

ଏ ଗୋରା କଳା ଭେଦଭାବ ଆମେରିକା ପରି ଏକ ସଭ୍ୟ ଓ ଉନ୍ନତ ଦେଶରେ ମଧ୍ୟ ଏକ ବିରାଟ ସମସ୍ୟା । ଏଥିପାଇଁ କେତେ ରକ୍ତନଦୀ ବୋହି ଯାଇଛି । ଲିନ୍‍କନ୍ ଓ କେନେଡ଼ିଙ୍କ ପରି କେଡ଼େ କେଡ଼େ ଉଚ୍ଚମନା ବଡ଼ବଡ଼ ନେତା ଏ ସମସ୍ୟା ସମାଧାନ କରିବାକୁ ଯାଇ ପ୍ରାଣ ଦେଇଛନ୍ତି ।

 

ଗୋରାମାନଙ୍କ ବାରଣ ସତ୍ତ୍ୱେ ଓ ସେ ବିରାଟ ଅଡ଼ୁଆ ସମସ୍ୟାକୁ ଆଖି ଆଗରେ ରଖି ମଧ୍ୟ ମୁଁ ନିଗ୍ରୋମାନଙ୍କ ସାମାଜିକ ଜୀବନ ଓ ହାବଭାବ ଜାଣିବାର ପ୍ରଲୋଭନରେ ସେମାନଙ୍କ ସଙ୍ଗେ ମିଶିବାକୁ ଏଡ଼ି ପାରୁ ନଥିଲି । ମୁଁ ଲୁଚିକରି ସେମାନଙ୍କ ସଙ୍ଗେ କଥାହୁଏ । ରାତିରେ ସେମାନଙ୍କ ଚର୍ଚ୍ଚକୁ ଯାଏଁ ଓ ସେମାନଙ୍କ ନେତାମାନଙ୍କର ବକ୍ତୃତା ଶୁଣେ । ମୁଁ ଜଣେ ନୀରବ ଅସହାୟ ଦର୍ଶକ ହେଲେ ମଧ୍ୟ ଗୋଟିଏ ପ୍ରପୀଡ଼ିତ ଦୁର୍ବଳ ଜାତିର ଆର୍ତ୍ତନାଦ ମୋ କାନରେ ବାଜେ-

 

ଗାନ୍ଧୀ ହିନ୍ଦୁ ଓ ମୁସଲମାନଙ୍କୁ ମିଳାଇ ପାରିଲେ ନାହିଁ । ହରିଜନଙ୍କୁ ଉପରକୁ ଟେକି ପାରିଲେ ନାହିଁ, ପଟ୍ଟଶିଷ୍ୟମାନଙ୍କର ସ୍ୱାର୍ଥାନ୍ୱେଷୀ ଚିନ୍ତାଧାରାକୁ ବଦଳାଇ ପାରିଲେ ନାହିଁ । ଶେଷରେ ଆତତାୟୀର ଗୁଳିରେ ପ୍ରାଣଦେଇ ସହିଦ ହେଲେ । ସର୍ବଜନପ୍ରିୟ ଗାନ୍ଧୀପନ୍ଥୀ ନେତା ମାର୍ଟିନ ଲୁଥର କିଙ୍ଗ୍ ନିଗ୍ରୋଙ୍କୁ ଉପରକୁ ଉଠାଇ ପାରିଲେ ନାହିଁ, ଗୋରା ଭାଇଙ୍କ ମନ ବଦଳାଇ ପାରିଲେ ନାହିଁ, ଶେଷରେ ପ୍ରାଣବଳି ଦେଲେ ।

 

ଭାରତରେ ଏବେ ହରିଜନ ଆଦିବାସୀ ଉନ୍ନୟନରେ କୋଟି କୋଟି ଯାଉଛି । ସେମାନଙ୍କ ପାଇଁ ପାଠରେ, ଚାକିରିରେ ନିର୍ବାଚନରେ ସବୁଥିରେ ସ୍ୱତନ୍ତ୍ର ସ୍ଥାନ ରହିଛି । ଭାରତ ସ୍ୱାଧୀନ ହେବା ୩୫ ବର୍ଷ ଆସି ହେଲାଣି, ଆଖିଦୃଶିଆ ହେଲାଭଳି ସେମାନେ କେତେ ଉପରକୁ ଉଠିଛନ୍ତି ! ସରକାରୀ ସାହାଯ୍ୟରେ ତାଙ୍କ ଭିତରୁ ପ୍ରକୃତରେ କେତେଜଣ ଉପକୃତ ହେଉଛନ୍ତି ? ଯେଉଁମାନେ ବା ଉପକୃତ ହେଉଛନ୍ତି, ସେମାନେ ସେ କଥା ଉପଲବ୍ଧି କରି ନିଜର ଲୋକ କଥା କେତେ ଚିନ୍ତା କରୁଛନ୍ତି ?

 

ଗୋଟିଏ ଡାକ୍ତରଖାନାରେ ବି.ଏ. ପାସ୍ କିରାଣିଟିଏ ୪୦୦, ୫୦୦ଟଙ୍କା ମାସକୁ ପାଇ ପାଞ୍ଚପ୍ରାଣୀ କୁଟୁମ୍ୱ ପୋଷୁଛି, ପିଲାମାନଙ୍କୁ ସ୍କୁଲ୍‍ କଲେଜରେ ପଇସା ଦେଇ ପାଠ ପଢ଼ାଉଛି । ସେଇଠି ଗୋଟିଏ ମେହେନ୍ତର ପରିବାରର ପାଞ୍ଚୋଟିଯାକ ଲୋକ ୨୦୦, ୩୦୦ କରି ଘରକୁ ହଜାରେ ପନ୍ଦରଶହ ଟଙ୍କା ଆଣୁଛନ୍ତି । କିନ୍ତୁ ସେମାନେ ସୁଖସ୍ୱାଚ୍ଛନ୍ଦରେ ଚଳି ପାରୁ ନାହାନ୍ତି । ସେ ପରିବାରରେ କୌଣସି ଶୃଙ୍ଖଳା ଗଢ଼ି ଉଠୁନାହିଁ । ମଦ, ମାଂସ, ସିନେମା କରି ପ୍ରଥମ ବା ଦ୍ୱିତୀୟ ସପ୍ତାହର ଶେଷ ପୂର୍ବରୁ ସମସ୍ତ ଟଙ୍କା ସରିଯାଇ ସେମାନେ ପୁଣି ଧାର ଉଧାରପାଇଁ ହାତ ପତାଉଛନ୍ତି ।

 

ମହାତ୍ମା ଗାନ୍ଧୀଙ୍କର ଜାତିପାଇଁ ଅମୃତ ନିର୍ଦ୍ଦେଶ ଶୃଙ୍ଖଳା ଓ ନିଶା ନିବାରଣ ପ୍ରଭୃତି ଉଚ୍ଚଜାତି ନୀଚଜାତି କାହାର ମନକୁ ଛୁଉଁ ନାହିଁ । ପରସ୍ପର ଭିତରେ ଅସନ୍ତୋଷ, ଈର୍ଷା ଓ ଘୃଣାଭାବହିଁ ବଢ଼ି ଚାଲିଛି । ଉଚ୍ଚଜାତିର ପିଲାମାନେ ଚାକିରି ବାକିରିରେ ସୁବିଧା ନ ପାଇ, ସରକାର ସେମାନଙ୍କୁ ତଳକୁ ଦାବି ଦେଉଛନ୍ତି ଧାରଣା କରି ସେମାନେ ସମାଜ ଓ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କଲେଣି ।

 

ହରିଜନ ମହିଳା ଉପରେ ଉଚ୍ଚଜାତିର ଅତ୍ୟାଚାର ବୋଲି ମଝିରେ ମଝିରେ ଖବରକାଗଜରେ ବାହାରୁଛି । ହରିଜନ ଜାତିର ଆଇ.ଏ.ଏସ୍., ଆଇ.ପି.ଏସ୍ ଶ୍ରେଣୀର ଲୋକେବି ଉଚ୍ଛୃଙ୍ଖଳ ହୋଇ ଉଚ୍ଚଜାତିର ନାରୀକୁ ଧର୍ଷଣ କରି ଆଇନ ଅନୁସାରେ ଦଣ୍ଡ ପାଉଛନ୍ତି ।

 

ସେହିପରି ଆମେରିକାରେ ନିଗ୍ରୋମାନଙ୍କୁ ମଧ୍ୟ ଉପରକୁ ଉଠାଇବାର ସରକାରୀ ଉଦ୍ୟମ ଅବ୍ୟାହତ ରହିଛି । ନୂଆ ନୂଆ ଆଇନକାନୁନ ଗଢ଼ା ହେଉଛି । ଏବେ ଦକ୍ଷିଣାଞ୍ଚଳରେ ମଧ୍ୟ ଦୋକାନ ବଜାର, ସିନେମା, ହସ୍‍ପିଟାଲ, ସ୍କୁଲ୍‍, କଲେଜ ପ୍ରଭୃତିରେ ଅଲଗାଅଲଗା ବ୍ୟବସ୍ଥା ଉଠିଯାଇ ସମସ୍ତଙ୍କ ପାଇଁ ଏକ ହୋଇ ଯାଇଛି । କିନ୍ତୁ ଅନ୍ତରର ଭେଦଭାବ କମିନାହିଁ, ବରଂ ଭୟ ଓ ଈର୍ଷା କଳା ଗୋରାଙ୍କ ଭିତରେ ବୃଦ୍ଧି ପାଇବାରେ ଲାଗିଛି । ମଝିରେ ମଝିରେ ଗଣ୍ଡଗୋଳ ଘଟୁଛି-

 

ଉତ୍ତର ଦକ୍ଷିଣ ଭିତରେ ନିଗ୍ରୋ ସ୍ୱାଧୀନତା ଘେନି ଯେଉଁ ଯୁଦ୍ଧ ହୋଇଥିଲା ତା’ର ସ୍ମାରକୀସବୁ ଠାଏଠାଏ ରହି ଭେଦଭାବକୁ ଜାଗ୍ରତ କରି ରଖିଛି । ଗୃହଯୁଦ୍ଧର ସହିଦମାନଙ୍କର କବର, ସ୍ମୃତିଫଳକ ଓ ସ୍ମୃତିସ୍ତମ୍ଭ ସବୁ ଏବେବି ଉତ୍ତର ଦକ୍ଷିଣ ଅଞ୍ଚଳରେ ରହି ସେମାନଙ୍କ କଥା ଲୋକଙ୍କୁ ମନେପକାଇ ଦେଉଛନ୍ତି ।

 

ଲୋହିତ ଭାରତୀୟ ଭେଦ

 

କଲମ୍ୱସ ଆମେରିକା ଆବିଷ୍କାର କରିବା ପୂର୍ବରୁ ସେଠାର ଆଦିବାସୀମାନେ ଦଳଦଳ ହୋଇ ସେମାନଙ୍କ ସର୍ଦାରଙ୍କ ଅଧୀନରେ ରହୁଥିଲେ । ବିଭିନ୍ନ ଦଳ ବରାବର ଯୁଦ୍ଧ ଲାଗୁଥିଲା ଭିତରେ ୟୁରୋପୀୟମାନେ ଆମେରିକାରେ ବସତି ସ୍ଥାପନ କରିବାକୁ ଆସିଲା ବେଳକୁ ସେମାନଙ୍କ ଭିତରେ ଏକତା ଥିଲେ ହୁଏତ ଅବସ୍ଥା ଆଜି ଅନ୍ୟ ପ୍ରକାର ହୋଇଥାଆନ୍ତା । ସେମାନେ ଏକାଠି ହୋଇ ନ ପାରିବାରୁ ୟୁରୋପୀୟମାନେ ଆଧୁନିକ ଅସ୍ତ୍ର ସାହାଯ୍ୟରେ ସେମାନଙ୍କ ଛୁରି, ଖଣ୍ଡା, ଧନୁଶର ପ୍ରଭୃତିକୁ ପରାସ୍ତ କରି ସେ ଦେଶକୁ ପୂରା ଅଧିକାର କରିଯିବା ସୁବିଧା ହୋଇଥିଲା ।

 

ନିଗ୍ରୋମାନେ ପରେ କ୍ରୀତଦାସ ଭାବରେ କିଣାହୋଇ ଆଫ୍ରିକା ଜଙ୍ଗଲରୁ ଆସିଥିଲେ । କିନ୍ତୁ ଆମେରିକାର ଆଦିବାସୀମାନଙ୍କ କଥା ସମ୍ପୂର୍ଣ୍ଣ ସ୍ୱତନ୍ତ୍ର । ସେମାନଙ୍କର ସଂସ୍କୃତି ଓ ଐତିହ୍ୟ ଥିଲା । ସେମାନେ ଯୁଦ୍ଧ କରି ବହୁ ସଂଖ୍ୟାରେ ପ୍ରାଣବଳି ଦେଇଥିଲେ ।

 

ସେମାନେ ଦେବଦେବୀ ପୂଜା କରୁଥିଲେ, ଯୁଦ୍ଧବିଦ୍ୟା, ଚିକିତ୍ସାବିଦ୍ୟା ପ୍ରଭୃତିରେ ନିପୁଣ ଥିଲେ । ସେମାନଙ୍କୁ ଯୁଦ୍ଧରେ ହରାଇ ୟୁରୋପୀୟମାନେ ସମତଳ ଓ ଚାଷ ବା ଚାରଣଭୂମିରୁ ବହିଷ୍କୃତ କରିଥିଲେ । ସେମାନେ ପାହାଡ଼ମାନଙ୍କରେ ଲୁଚି ରହି ବେଳେବେଳେ ଇଉରୋପୀୟାନମାନଙ୍କୁ ଆକ୍ରମଣ କରୁଥିଲେ । ପରେ ସେମାନଙ୍କ ସଙ୍ଗେ ସନ୍ଧି ସ୍ଥାପିତ ହେବାପରେ ସେସବୁ ସ୍ଥାନକୁ ତାଙ୍କପାଇଁ ସଂରକ୍ଷିତ କରାଗଲା । ତେଣୁ ଲୋହିତ ଭାରତୀୟ ରହୁଥିବା ସ୍ଥାନକୁ ସଂରକ୍ଷିତ ସ୍ଥାନ ବା ରିଜରଭେସନ ବୋଲି କୁହାଯାଏ ।

 

ଆମେରିକାନ୍ ଗୋରାମାନେ ନିଗ୍ରୋମାନଙ୍କ ସଙ୍ଗେ ପୂରା ନ ମିଶି ତାଙ୍କ ସଙ୍ଗେ ଅଲଗା ରହିବାକୁ ଇଚ୍ଛା କରୁଥିବା କଥା ଆଗରୁ କୁହାଯାଇଛି । କିନ୍ତୁ ଆଦିବାସୀ ବା ଲୋହିତ ଭାରତୀୟଙ୍କ ସଙ୍ଗେ ସେମାନେ ପୂରା ମିଶିଯିବାକୁ ଚାହାନ୍ତି । ସେମାନଙ୍କ ସଙ୍ଗେ ବିବାହ ସମ୍ପର୍କ କରିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ ।

 

ଲୋହିତ ଭାରତୀୟମାନେ ସେହି ବିଦେଶୀମାନଙ୍କଠାରୁ ପରାସ୍ତ ହୋଇ ସେମାନଙ୍କ ରାଜ୍ୟ ହରାଇଛନ୍ତି ବୋଲି ଏବେବି ସେମାନଙ୍କ ମନ ଗ୍ଳାନିପୂର୍ଣ୍ଣ ହୋଇ ରହିଛି । ସେମାନେ ନିଜର ସଂସ୍କୃତିକୁ ୟୁରୋପୀୟାନ ସଂସ୍କୃତିଠାରୁ ଉଚ୍ଚ ବୋଲି ମନେ କରନ୍ତି ଓ ସେମାନଙ୍କ ସଙ୍ଗେ ମିଶି ନିଜର ଅସ୍ତିତ୍ୱ ହରାଇବାକୁ ଚାହାନ୍ତି ନାହିଁ । ତେଣୁ ତାଙ୍କ ଭିତରେ ଥିବା ଭେଦଭାବ ନିଗ୍ରୋ ଭେଦଭାବଠାରୁ ପୂରା ଓଲଟା ।

 

ସେମାନେ ସବୁବେଳେ ନୂଆ ଆମେରିକାବାସୀଙ୍କଠାରୁ ଦୂରରେ ରହିବାକୁ ଚାହାନ୍ତି । ଗୋରା ସରକାରଙ୍କ ସାହାଯ୍ୟ ଓ ସହାନୁଭୂତିକୁ ଉପେକ୍ଷା କରନ୍ତି । ଅତି ଗରିବ ଭାବରେ ଚଳିଲେ ମଧ୍ୟ ଗୋଟିଏ ଗାଁରେ ଦଳଦଳ ହୋଇକରି ଗୋରାମାନଙ୍କ ବସତିଠାରୁ ଦୂରେଇ ରହନ୍ତି ।

 

ସେମାନେ ପୁରାତନ ସଭ୍ୟତାକୁ ଜାବୋଡ଼ି ଧରି ରଖିବାକୁ ଚାହୁଁଥିବାରୁ ନୂତନ ବିଜ୍ଞାନ ସଭ୍ୟତାକୁ ଆଦର କରି ପାରନ୍ତି ନାହିଁ । ସେମାନେ ଏବେ ଆଧୁନିକ ବେଶଭୂଷା ପିନ୍ଧିଲେ ମଧ୍ୟ ତାଙ୍କର ପୁରୁଣା ବେଶଭୂଷାକୁ ପୂରା ଛାଡ଼ି ପାରି ନାହାନ୍ତି । ସେମାନେ ସେମାନଙ୍କର ପୁରୁଣା ପର୍ବପର୍ବାଣୀ ଓ ପୁରୁଣା ଚଳଣିକୁ ବେଶୀ ପସନ୍ଦ କରନ୍ତି ।

 

ସେମାନେ ନୂଆ ଆମେରିକାନ୍‍ମାନଙ୍କ ସ୍କୁଲ୍‍ କଲେଜରେ ନୂଆ ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଏଲୋପାଥିକ ଔଷଧ ବ୍ୟବହାର କରିବା ଓ ନୂଆ ପ୍ରଣାଳୀରେ ଚିକିତ୍ସିକ ହେବାକୁ କୁଣ୍ଠାବୋଧ କରନ୍ତି । ସେମାନେ ତାଙ୍କ ପୁରୁଣା ପଦ୍ଧତିରେ ଚାଷବାସ, କୁକୁଡ଼ା, ଟର୍କି, ଘୁଷୁରି ପ୍ରଭୃତି ପାଳନକରି ଜୀବିକା ନିର୍ବାହ କରନ୍ତି ।

 

ଏ ସବୁ କାରଣରୁ ସଂକ୍ରାମକ ରୋଗ ବ୍ୟାପୀ ଏକାବେଳକେ ବହୁତ ଲୋକ ମରି ତାଙ୍କର ଗାଁ ଗଣ୍ଡା ପଦା ହୋଇଯାଏ । ଚିକିତ୍ସାପାଇଁ ସେମାନେ ଏବେବି ଝଡ଼ାଝଡ଼ି ଫୁଙ୍କାଫୁଙ୍କି ପଦ୍ଧତି ଅନୁସରଣ କରନ୍ତି । ଠୁଣୁକା ଠୁଣୁକି ଔଷଧ ବ୍ୟବହାର କରନ୍ତି ।

 

ସେମାନେ ଗୋରାମାନଙ୍କ ସଙ୍ଗେ ପୂରା ମିଳେଇ ଯିବାକୁ ଚାହୁଁ ନଥିଲେ ମଧ୍ୟ ସେମାନେ ସମସ୍ତଙ୍କ ପ୍ରତି ଭଦ୍ର ବ୍ୟବହାର କରନ୍ତି । ମେଳାମଉଛବମାନଙ୍କରେ ଓ ଆମୋଦ ପ୍ରମୋଦ ସ୍ଥାନରେ ସେମାନେ ନାନା ପକ୍ଷୀର ପରରେ ତିଆରି ରଙ୍ଗୀନ ମୁକୁଟ ଓ ଧନୁଶର ପ୍ରଭୃତି ଧରି ଦର୍ଶକ ଓ ଛୋଟପିଲାମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତି । ସେମାନଙ୍କ ଭିତରୁ ଅନେକେ ଏବେ ସେଇ ପୋଷାକ ପିନ୍ଧାକୁ ରୋଜଗାର ପନ୍ଥାରୂପେ ଗ୍ରହଣ କରିଛନ୍ତି ।

 

ପରିସ୍ଥିତିର ତାଡ଼ନାରେ ଓ ସମୟର ଗତିରେ ସେମାନେ ନୂଆ ଆମେରିକାନମାନଙ୍କ ଚାଲିଚଳନ ସଂସ୍କୃତି, କଳା ଓ ବିଜ୍ଞାନକୁ ନିଜର କରିବାକୁ ବାଧ୍ୟ ହେଲେଣି । ଆଉ କେତେବର୍ଷପରେ ସେମାନଙ୍କ ସଙ୍ଗେ ପୂରା ମିଶିଯାଇ ହୁଏତ ଲୋହିତ ଭାରତୀୟମାନେ ପୂରା ସତ୍ତା ହରାଇ ବସିବେ-

 

ପୃଥିବୀର ସବୁ ଦେଶରେ ନାନାପ୍ରକାରେ ଓ ନାନା ସ୍ତରରେ ମଣିଷ ମଣିଷ ଭିତରେ ଭେଦଭାବ ରହିଛି । କେଉଁଠି ପ୍ରଚ୍ଛନ୍ନ ଭାବରେ ଥିଲେ ଓ କେଉଁଠି ଖୋଲାରେ ଦାଣ୍ଡ ଘାଟରେ ଗଡ଼ଗଡ଼ାଉଛି । ମାନବ ସମାଜ ସମତା, ସ୍ୱାଧୀନତା ଓ ଶାନ୍ତିପାଇଁ ଆଦିମକାଳରୁ ଇଚ୍ଛା ପ୍ରକାଶ ଓ ଉଦ୍ୟମ କରି ଆସୁଥିଲେ ମଧ୍ୟ ଏବଂ ସେମାନଙ୍କ ଭିତରେ ଥିବା ମହାପୁରୁଷମାନେ ସେ ପଥ ପ୍ରଦର୍ଶନ କରାଉଥିଲେ ସୁଦ୍ଧା, ମନୁଷ୍ୟ ପ୍ରକୃତି ପୂରା ବଦଳି ଭେଦାଭେଦ ଭାବର ସମ୍ପୂର୍ଣ୍ଣ ଅବସାନ ହେବା ପ୍ରାୟ ଅସମ୍ଭବ ।

Image

 

ନୂତନତାର ପଦଧ୍ୱନି

ନୂଆରେ ମୋହ

 

ଆମେରିକାରେ ନୂତନର ଆଦର ସବୁଠାରୁ ବେଶୀ । ଆମେରିକା ଗୋଟିଏ ନୂଆ ଦେଶ-। ସେଠାରେ ପୁରୁଣାକୁ ପଛରେ ପକାଇ ନୂଆଆଡ଼କୁ ହାତ ବଢ଼ାଇ ଆଗକୁ ଦଉଡ଼ିବା ସମସ୍ତଙ୍କର ଅଭ୍ୟାସ ।

 

ଘଣ୍ଟା, ରେଡ଼ିଓ, କଲମ ସବୁ ପୁରୁଣା ହୋଇଗଲେ ତାକୁ ମରାମତି କରି ପୁଣି ବ୍ୟବହାର କରିବାକୁ କେହି ମନ ନ ବଳାଇ ସେଗୁଡ଼ିକ ଫିଙ୍ଗିଦେଇ ତା’ ସ୍ଥାନରେ ନୂଆଟିଏ କିଣି ବ୍ୟବହାର କରନ୍ତି । ସେ ଦେଶରେ ପୁରୁଣା ଜିନିଷର ମରାମତି ମଧ୍ୟ ଅତ୍ୟନ୍ତ ବ୍ୟୟସାପେକ୍ଷ ।

 

ଡିସେମ୍ୱର ମାସ ହୋଇଗଲେ ଗାଡ଼ିର ମଡ଼େଲ୍ ପୁରୁଣା ହୋଇ ତା’ର ଦାମ୍ କମିଯାଏ । ସମସ୍ତେ ନିଜ ଗାଡ଼ି ବଦଳାଇ ନୂଆ ମଡ଼େଲ୍‍ର ଗାଡ଼ି କିଣିବାକୁ ଇଚ୍ଛା କରନ୍ତି । ଆମ ଦେଶରେ ପ୍ରତ୍ୟେକ ଲୋକର ଖଣ୍ଡିଏ ସାଇକଲ୍ ନ ଥିବ, କିନ୍ତୁ ସେଠାରେ କି ଗରିବ, କି ବଡ଼ଲୋକ ସମସ୍ତଙ୍କର ଖଣ୍ଡିଏ ଖଣ୍ଡିଏ ମଟରଗାଡ଼ି ଥାଏ । ସେଠାରେ ବଡ଼ଲୋକ ଓ ଗରିବ ଲୋକର ତଫାତ୍ ଗାଡ଼ି ଚଳାରେ ବୋଲି କୁହାଯାଏ । ଗରିବ ଲୋକ ନିଜେ ନିଜ ଗାଡ଼ିଟି ଚଳାଏ । ବଡ଼ଲୋକର ଗାଡ଼ି ଚଳାଇବା ପାଇଁ ସେ ଗୋଟିଏ ‘ସୋଫର’ ବା ଡ୍ରାଇଭର ରଖେ । ପ୍ରତ୍ୟେକ ଘରେ ଯେତେଜଣ କାମ କରୁଥିବା ଲୋକ ଥାଆନ୍ତି ସେ ସମସ୍ତଙ୍କର ପ୍ରାୟ ଗୋଟିଏ ଗାଡ଼ି ଥାଏ । ସେ ଦେଶରେ ରିକ୍ସା, ସାଇକଲ୍ ନାହିଁ, ତେଣୁ ଗାଡ଼ିଟିଏ ନଥିଲେ ଚଳିବା କଷ୍ଟକର ହୋଇପଡ଼େ ।

 

ଲୋକମାନେ ନୂଆ ନୂଆ ସ୍ଥାନ ଦେଖିବାପାଇଁ ନିଜ ଦରମାରୁ କଟାଇ ଛୁଟି-ବୀମା ବା ‘ଭାକେସନ୍-ଇନସୁରାନ୍‍ସ’ ପାଇଁ ଟଙ୍କା ଜମା କରୁଥାଆନ୍ତି । ଛୁଟି ସମୟରେ ସେ ଟଙ୍କା ନେଇ ବିଭିନ୍ନ ସ୍ଥାନ ଓ ଦେଶଭ୍ରମଣ କରି ମଉଜମଜଲିସ୍ କରନ୍ତି ।

 

କେବଳ ଟଙ୍କାପଇସା କାହିଁକି, ଅନ୍ୟ ଜିନିଷ ମଧ୍ୟ ଜମାଇ ରଖିବା ବା ସାଇତି ରଖିବା ଅଭ୍ୟାସ ସେମାନଙ୍କର ନାହିଁ । ତେଣୁ ସେମାନଙ୍କ ଘରଦ୍ୱାର ସବୁବେଳେ ଅତି ପରିଷ୍କାର ଥାଏ । ଆମ କଥା କିନ୍ତୁ ଠିକ୍ ବିପରୀତ । କାଳେ ଭବିଷ୍ୟତରେ ଦରକାର ହେବ ବୋଲି ଆମେ ପୁରୁଣା ଲୁହା କଣ୍ଟାଟିଏ ହେଲେବି ସାଇତି ରଖିବାକୁ ଭଲ ପାଉ ।

 

ଗୋଟିଏ ଭାରତୀୟ ଛାତ୍ର ଆମେରିକାରେ ପଇସାଦିଆ ଅତିଥି ଭାବରେ ସେ ଦେଶର ଜଣେ ବୃଦ୍ଧା ମହିଳାଙ୍କ ଘରେ ରହୁଥିଲେ । ସେ ଦିଲ୍ଲୀରୁ ସେଠାକୁ ଯାଇଥିଲେ । ଦିଲ୍ଲୀରେ ପୁରୁଣା କାଗଜର କାଟତି ବହୁତ ବେଶୀ । ସକାଳକୁ କାଗଜବାଲା ପୁରୁଣା କାଗଜ ଅଛି କି ବୋଲି ପଚାରି ପଚାରି ପୁରୁଣା ଖବରକାଗଜ ପ୍ରଭୃତି ପଇସା ଦେଇ କିଣି ନେଇଯାଏ । ଏପରିକି ଦିଲ୍ଲୀର ଲୋକସଭା ଓ ରାଜ୍ୟସଭାର କେହି କେହି ସଦସ୍ୟ ସେ ସଭାପାଇଁ ଛପା ହେଉଥିବା କାଗଜଗୁଡ଼ିକ ସନ୍ଧ୍ୟାକୁ ତାଙ୍କ ଘରକୁ ଆସିଲେ ସେଗୁଡ଼ିକ ନ ପଢ଼ିଲେ ମଧ୍ୟ ସାଇତି ରଖି ସକାଳେ କାଗଜବାଲାକୁ ଦେଇ ସେଥିରେ ଦୈନିକ ଗୁରୁରାଣ ମେଣ୍ଟାଇ ନିଅନ୍ତି ।

 

ଆମେରିକାର ଖବରକାଗଜଗୁଡ଼ିକ ବହୁପୃଷ୍ଠାବିଶିଷ୍ଟ, ତେଣୁ ଭାରତୀୟ ଅତିଥି ଲୋଭ ସମ୍ଭାଳି ନ ପାରି ବେଶୀ ପଇସାରେ ବିକ୍ରି କରିବା ଆଶାରେ ତାଙ୍କ କୋଠରୀରେ, କାଗଜଗୁଡ଼ିକ ଜମାଇ ରଖିଲେ । ଦିନେ ଘର ମାଲିକାଣୀ ସେଗୁଡ଼ିକୁ ଦେଖାଇ ଭଦ୍ରଲୋକଙ୍କୁ କହିଲେ–ଏଗୁଡ଼ାକ ଜମାଇ ରଖି କାହିଁକି ଘର ମଇଳା କରୁଛ ? ଏଗୁଡ଼ାକ ଜମା ହୋଇଥିବାରୁ ମୁଁ ଏ ଘର ଭଲଭାବରେ ସଫା କରି ପାରୁ ନାହିଁ ।

 

ଭଦ୍ରଲୋକ ଉତ୍ତର ଦେଲେ–ଏପର୍ଯ୍ୟନ୍ତ କାଗଜ ନବାବାଲା କେହି ଆସି ନାହାନ୍ତି, ଆସିଲେ ମୁଁ ବିକି ଦେବି । ବୁଢ଼ୀ ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ଆପଣ ବିକିବେ ? ଏ ପୁରୁଣା କାଗଜ କିଏ କାହିଁକି କିଣିବ ? ଆପଣଙ୍କୁ ଏ ଧାରଣା କିଏ ଦେଲା ? ଆପଣ ବର୍ତ୍ତମାନ କରିବେ କ’ଣ ? ପ୍ରତିଦିନର କାଗଜ ପ୍ରତିଦିନ ବାହାରେ ଥୁଆ ହୋଇଥିବା ମଇଳାପାଇଁ ନିର୍ଦ୍ଦିଷ୍ଟ ଢାବଲରେ ପକାଇ ଦେବା କଥା । ସେଥିରେ ଦିନକୁ ଜଣେ ଗୋଟାଏ ଦୁଇଟାରୁ ବେଶୀ ପକାଇବା ନିୟମ ନୁହେଁ, କାରଣ ସାହିର ସମସ୍ତେ ସେଥିରେ କାଗଜ ପ୍ରଭୃତି ପକାନ୍ତି । ବେଶୀ ପକାଇଲେ ଢାବଲଟି ପୂର୍ଣ୍ଣହୋଇ ରାସ୍ତାରେ ପଡ଼ିବ ଏବଂ ଅନ୍ୟମାନଙ୍କର ଅସୁବିଧା ହେବ । ପୋଲିସ୍‍ ଓ କର୍ପୋରେସନ କର୍ତ୍ତୃପକ୍ଷ ହଇରାଣ କରିବେ ।’’ ଭଦ୍ରଲୋକ ଏକଥା ଶୁଣି ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ ଓ ବୁଢ଼ୀର ପରାମର୍ଶ ଅନୁସାରେ କର୍ପୋରେସନକୁ ଫୋନ୍ କରି ଟ୍ରକ୍‍ଭଡ଼ା ଓ ସେ ଲୋକଙ୍କ ପ୍ରାପ୍ୟ ଦେଇ ଘରୁ କାଗଜ ସଫା କରାଇଲେ ।

 

ସେ ଦେଶରେ ନିଜର ଯୋଗ୍ୟତା ଓ ଅନୁଭୂତି ଲେଖାଥିବା କାର୍ଡ଼ ଖଣ୍ଡିଏ ଲେଖାଏଁ ସମସ୍ତଙ୍କ ପାଖରେ ଥାଏ । ଗୋଟିଏ ସ୍ଥାନରୁ ଚାକିରି ଛାଡ଼ି ଅନ୍ୟସ୍ଥାନରେ ଯାଇ ଦେଖାଇଲେ ସେଇ ଅନୁସାରେ ଚାକିରି ମିଳେ । ଚାକିରି ନଥିଲେ ସରକାରଙ୍କ ଠାରୁ ମୋଟା ପେନ୍‍ସନ୍ ବା ଭତ୍ତା ମଧ୍ୟ ମିଳେ । ଲୋକେ ସାଧାରଣତଃ ୨, ୩ ବର୍ଷ ବା ପାଞ୍ଚବର୍ଷ ପାଇଁ ଠିକା ଚାକିରି କରନ୍ତି । ସେ କାମ ସରିଲେ ନିଜର ଅନୁଭୂତି ବଢ଼ିଥିବାରୁ ଅନ୍ୟଠାରେ ବେଶୀ ଦରମାରେ ଚାକିରି ମିଳେ ।

 

ଜଣେ ଲୋକ ଘରଟିଏ ଭଡ଼ାନେବାକୁ ଇଚ୍ଛା କଲେ ସେ ଘରେ ଡ୍ରଇଂରୁମ୍, ବେଡ଼୍‍ରୁମ୍ ଓ ରୋଷେଇ ପ୍ରଭୃତିର ସମସ୍ତ ସରଞ୍ଜାମ ଥାଇ ଘରଭଡ଼ା ମିଳେ । ଘରଭଡ଼ା ନେଇ ରହିବା ଅପେକ୍ଷା ଘର କିଣିବା ମଧ୍ୟ ଆହୁରି ସୁବିଧାଜନକ ହୁଏ । ଘରଟିଏ କିଣିଲେ ଆଗତୁରା କିଛି ପଇସା ଜମା କରିଦେଲେ ଘରଭଡ଼ା ଯେତିକି ପଡ଼ନ୍ତା, ମାସକୁ ମାସ ସେତିକି ଦେଇଦେଲେ ଘରଟି କିଛିଦିନ ପରେ ନିଜର ହୋଇଯାଏ । ତେଣୁ ଯିଏ ଯେଉଁଠାରେ ଚାକିରି ପାଏ ସେ ସେଠାରେ ଘର ଖଣ୍ଡିଏ କିଣି ପକାଏ । ସେଠାରୁ ଚାକିରି ଛାଡ଼ି ଅନ୍ୟତ୍ର ଗଲେ ସେ ଘରଟି ବିକିଦେଇ ଅନ୍ୟତ୍ର ନୂଆ ଘରଟିଏ କିଣି ପକାଏ । ଘର କିଣାବିକାପାଇଁ ସଂସ୍ଥା ସବୁ ଥିବାରୁ ସୁବିଧାରେ ସେ ସବୁ କାର୍ଯ୍ୟ କରିହୁଏ । ଏହିସବୁ କାରଣରୁ ସେଠାର ଜଣେ ବନ୍ଧୁଙ୍କ ସଙ୍ଗେ ବରାବର ଚିଠିପତ୍ରରେ ସମ୍ପର୍କ ନ ରଖିଲେ ସେମାନଙ୍କ ଠିକଣା ହରାଇ ସେମାନଙ୍କଠାରୁ ସବୁଦିନ ପାଇଁ ବିଚ୍ଛିନ୍ନ ହୋଇଯିବା ସ୍ୱାଭାବିକ-। ମୁଁ ଭାରତ ଫେରିବା ପରେ ନିୟମିତ ଚିଠିପତ୍ର ଦେବାରେ ହେଳା କରିଥିବାରୁ ଏବେ ବହୁ ଅନ୍ତରଙ୍ଗ ବନ୍ଧୁଙ୍କୁ ହରାଇ ବସିଛି । ଏପରିକି ଚାଟାନୁଗାର ହାମିଲଟନ୍ ଦମ୍ପତି ଯେ ଆତିଥ୍ୟରେ ମୋତେ ଅଭିଭୂତ କରିଥିଲେ । ମୁଁ ବହୁ ଚେଷ୍ଟା କରି ତାଙ୍କର କୌଣସି ଖବର ପାଉନାହିଁ-। ତାଙ୍କଠାକୁ ପଠାଇଥିବା ସବୁ ଚିଠି ଫେରି ଆସିଛି ।

 

ଏସବୁରୁ ସେ ଦେଶ ଲୋକଙ୍କର ନୂଆ ଗାଡ଼ି, ନୂଆ ଚାକିରି, ନୂଆ ଘର ଓ ନୂଆ ଚାଲିଚଳନ ପ୍ରଭୃତିର କିପରି ଆଦର ତାହା ଜଣାପଡ଼େ । ସେ ଦେଶର ଫେସନ ଓ ପୋଷାକ ରୁଚି ଘନଘନ ବଦଳୁଥିବାରୁ ବଜାରରେ ସବୁବେଳେ ଚଳନ୍ତି ନୂଆ ପୋଷାକ ସବୁ ମିଳେ । ପୁରୁଣା ପୋଷାକ ସବୁ କାଉଁରୀସ୍ପର୍ଶପରି ବଜାରରୁ କୁଆଡ଼େ ଉଭାଇ ଯାଏଁ । ନିଜ ବରାଦରେ ସିଲାଇ କରି ପୋଷାକ ତିଆରି କରାଇବା ଅତ୍ୟନ୍ତ ବ୍ୟୟସାପେକ୍ଷ ହୋଇଥିବାରୁ ସାଧାରଣ ଲୋକେ ଆଗରୁ ତିଆରି ହୋଇଥିବା ମେସିନ ସିଲାଇ ପୋଷାକ ସବୁ ନିଜର ଦେହକୁ କଣ୍ଟି କିଣି ନିଅନ୍ତି । ବଜାରରେ କେତେଗୁଡ଼ିଏ ଜଣା ମାପର ନୂତନ ଫେସନ ଅନୁସାରେ ତିଆରି ପୋଷାକ ମିଳେ । ଉଦାହରଣସ୍ୱରୂପ, ଏବର୍ଷ ଚଉଡ଼ା ଟାଇ ଓ ମୁନିଆ କଲରର ସାର୍ଟ୍ ଓ ଡବଲ ବ୍ରେଷ୍ଟ କୋଟ୍‍ର ଚଳଣି ଚାଲୁଥିଲେ ସେଇଗୁଡ଼ିକ କେବଳ ମିଳିବ । ଆରବର୍ଷକୁ ସରୁଆ ଟାଇ ବା ଅନ୍ୟପ୍ରକାର ସାର୍ଟ୍ ଓ କୋଟ୍‍ର ଚାଲୁ ହେଲେ ପୂର୍ବବର୍ଷର ପୋଷାକ ବଜାରରେ ଆଉ କେଉଁଠାରେ ମିଳିବ ନାହିଁ ।

 

ସମସ୍ତେ ନିଜର ଘରଟିକୁ ମଧ୍ୟ ପ୍ରତିଦିନ ଫୁଲ ପତ୍ର ଥୋଇ ନୂଆକରି ସଜାନ୍ତି । ଅଫିସ୍‍ମାନଙ୍କର ସାଜସଜ୍ଜାବି ବଦଳେ । ନୂଆ ମେସିନ ସବୁ ଉଦ୍ଭାବନ ହେବା ସଙ୍ଗେ ସଙ୍ଗେ ପୁରୁଣା ମେସିନ ସ୍ଥାନରେ ନୂଆ ମେସିନ ଅଣାଯାଏ । ଡାକ୍ତରଖାନା ପରୀକ୍ଷାଗାରମାନଙ୍କରେ ଅଳ୍ପଦିନ ତଳେ ଯେଉଁ ଯନ୍ତ୍ର ସାହାଯ୍ୟରେ ଓ ଯେଉଁ ପଦ୍ଧତିରେ ପରୀକ୍ଷା ହେଉଥିଲା ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ବଦଳି ଗଲାଣି ଓ ନୂଆ ନୂଆ ଉଦ୍ଭାବନ ସଙ୍ଗେ ପୁଣି ବଦଳିଯିବ ।

 

ନୂଆ ତାଲିମ

 

ଆମ ଦେଶରେ ବହୁକାଳ ହେଲା ଗତାନୁଗତିକ ବିଦ୍ୟାଶିକ୍ଷାର ପଦ୍ଧତି ଚାଲୁରହିଛି । ତାକୁ ବଦଳାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ବିଶେଷ ବଦଳି ପାରୁନାହିଁ । ସେ ଦେଶରେ ପ୍ରତ୍ୟେକ ବିଷୟରେ ପାଠକୁ ଏତେ ବିଭାଗରେ ବଣ୍ଟା ଯାଇଛି ଓ ଏପରି କର୍ମୋପଯୋଗୀ ଓ ଧନ୍ଦାମୂଳକ କରାଯାଇଛି ଯେ ପ୍ରତ୍ୟେକ ବ୍ୟକ୍ତି ନିଜର ଶାରୀରିକ ଶକ୍ତି ଓ ମାନସିକ ଅବସ୍ଥାକୁ ଚାହିଁ କିଛି ନା କିଛି ଅର୍ଥକାରୀ ବିଦ୍ୟା ହାସଲ କରିପାରୁଛି ।

 

ପ୍ରତ୍ୟେକ କାର୍ଯ୍ୟପାଇଁ ତାଲିମର ବ୍ୟବସ୍ଥା ରହିଛି । ଏପରିକି ବାଳକଟା, ରୋଷେଇ ଓ ସିଲାଇ ପ୍ରଭୃତିପାଇଁ ମଧ୍ୟ ପାଠ୍ୟ କାର୍ଯ୍ୟକ୍ରମ ରହିଛି । ଯେ କୌଣସି ବିଦ୍ୟାର ତାଲିମ ଓ ସର୍ବୋଚ୍ଚ ଉପାଧି ଲାଭ କରିଥିବା ଲୋକ ଅନ୍ୟ ବିଦ୍ୟାରେ ସେହିପରି ଉପାଧି ଲାଭ କରିଥିବା ଲୋକ ସଙ୍ଗେ ସମାନ ବିବେଚିତ ହୁଅନ୍ତି । ଡାକ୍ତରୀ ବିଭାଗରେ କାମ କରୁଥିବା କିରାଣିର ତାଲିମ, ଇଞ୍ଜିନିଅରିଙ୍ଗ ବିଭାଗର କିରାଣିର ତାଲିମଠାରୁ ପୃଥକ୍ କିନ୍ତୁ ସେମାନେ ସମାନ ରୋଜଗାର କରନ୍ତି । ଆମ ଦେଶପରି ସରକାରୀ ଚାକିରି ଉପରେ ବେଶି ଲୋକ ନିର୍ଭର କରନ୍ତି ନାହିଁ କି ଗୋଟିଏ ପଦରେ ଜୀବନଯାକ ପଡ଼ିରହି ପେନ୍‍ସନ୍ ନିଅନ୍ତି ନାହିଁ ।

 

ଆମ ପର୍ବପର୍ବାଣୀ ଓ ଜନ୍ମଦିନ ପାଳନଠାରୁ ସେ ଦେଶର ଉତ୍ସବ ପାଳନ ସମ୍ପୂର୍ଣ୍ଣ ପୃଥକ୍-। ଆମ ଦେଶରେ ଏବର ପ୍ରଚଳିତ ଶିଶୁଦିବସ, ଗୁରୁଦିବସ ପରି ତାଙ୍କର ପିତାଦିବସ ମାତା ଦିବସ ପ୍ରଭୃତି ରହିଛି । ସେଦିନମାନଙ୍କରେ ପିଲାମାନଙ୍କୁ ହୁଏତ ବାପ ମା’ଙ୍କ କଥା ମନେପକାଇ ଦିଆଯାଏ । ସେମାନେ ପିଲାଦିନୁ ଘର ଛାଡ଼ି ପିତାମାତାଙ୍କ ସଙ୍ଗେ ସମସ୍ତ ବନ୍ଧନ ଛିନ୍ନକରି ବାହାରେ ରହୁଥାଆନ୍ତି, ତେଣୁ ବାପା ମା’ଙ୍କ ପ୍ରକୃତ ଜନ୍ମଦିନ ମନେରଖିବା ତାଙ୍କ ପକ୍ଷରେ ଅସମ୍ଭବ-। ପିତା ବା ମାତୃଦିବସ ଦିନ ସେମାନେ ବାପା ମା’ଙ୍କ ପାଖକୁ ଗୋଟିଏ ଜନ୍ମଦିନ ଉପହାର ପଠାଇ ଦିଅନ୍ତି ।

 

ସେ ଦେଶରେ ପ୍ରତିଦିନ ନୂଆ ନୂଆ ଉଦ୍ଭାବନ ଚାଲିଛି । ପତ୍ରପତ୍ରିକା, ରେଡ଼ିଓ ଓ ଟେଲିଭିଜନ ସାହାଯ୍ୟରେ ନୂଆ ଜ୍ଞାନର ମଧ୍ୟ ପ୍ରସାର ହେଉଛି । କହିବାକୁ ଗଲେ, ସେ ଦେଶର ଜ୍ଞାନ ସବୁ ଗଗନ ପବନରେ ଏପରି ଭାବରେ ଉଡ଼ୁଛନ୍ତି ଯେ ସେଠାରେ ଗୋଟିଏ ଗଧ ମଧ୍ୟ କିଛି ଚେଷ୍ଟା ନ କରି ତା’ ଦେହରେ କେବଳ ସେ ହାଉଆ ବାଜି ବାଜି ସେ ଗୋଟିଏ ବଡ଼ ପଣ୍ଡିତ ହୋଇଯିବ ।

 

ପିଲାମାନେ ପାରିବାରିକ ଜଞ୍ଜାଳରୁ ମୁକ୍ତ ହୋଇ, ନିଜ ଗୋଡ଼ରେ ଠିଆ ହୋଇ ମଣିଷ ହେବାପାଇଁ ଚେଷ୍ଟା କରୁଥିବାରୁ ସେମାନେ ଅତି ସ୍ୱାଧୀନ ଭାବାପନ୍ନ । ଜ୍ଞାନ ଚିନ୍ତା କଳ୍ପନା ଓ ଦୁଃସାହସିକ କାର୍ଯ୍ୟମାନଙ୍କରେ ହାତ ଦେବାରେ ସେମାନେ ଆମ ଦେଶ ଛାତ୍ରମାନଙ୍କ ଠାରୁ ବହୁତ ଉପରେ ।

 

ଆମ ଦେଶରେ ପିଲାଟି ପାଠ ଶେଷ କରି କୌଣସି କାର୍ଯ୍ୟରେ ଯୋଗଦେଇ ଉପାର୍ଜନକ୍ଷମ ହେଲେ ଆତ୍ମନିର୍ଭରଶୀଳ ହୁଏ; କିନ୍ତୁ ଆମେରିକାର ଛାତ୍ର ପିଲାଦିନୁ ନିଜକୁ ନିଜ ଉପରେ ନିର୍ଭରଶୀଳ କରି ଗଢ଼ୁଥିବାରୁ ମୂଳରୁ ଆପଣାକୁ ଜଣେ ଦାୟିତ୍ୱବାନ ନାଗରିକ ବୋଲି ମନେ କରିପାରେ । ତେଣୁ ସେ ଦେଶରେ ଛାତ୍ର ବିଶୃଙ୍ଖଳା ବିଶେଷ ଭାବରେ ପରିଲକ୍ଷିତ ହୁଏ ନାହିଁ-

 

କୌଣସି ସାହସିକ ପଦକ୍ଷେପ ନେବାପାଇଁ ବା କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ହାତ ଦେବାପାଇଁ ସେ ଦେଶରେ ପିଲାଙ୍କୁ ବାପ ମା’ଙ୍କର ଅନୁମତି ନେବାକୁ ପଡ଼େନାହିଁ କି ବାପ, ମା’ ସେ ବିଷୟରେ ବ୍ୟସ୍ତ ହେବା ତ ଦୂରର କଥା, ଅନେକ ସମୟରେ ସେ ସମ୍ୱନ୍ଧରେ କିଛି ଜାଣିବି ପାରନ୍ତି ନାହିଁ । ସେଠାରେ ପିଲା ସ୍ୱଇଚ୍ଛାରେ ସୈନ୍ୟବାହିନୀରେ ଯୋଗ ଦେଇପାରେ, ବିଦେଶ ଭ୍ରମଣରେ ଯାଇପାରେ, ବିପଦପୂର୍ଣ୍ଣ କ୍ରୀଡ଼ାରେ ଯୋଗ ଦେଇପାରେ, ଏପରିକି ସମୁଦ୍ର ପହଁରାଠାରୁ, ମହାକାଶଚାରୀ ପର୍ଯ୍ୟନ୍ତ ହୋଇପାରେ । ନିଜର ଇଚ୍ଛାହେଲେ କାହାର ଅନୁମତି ନେବା କି କାହାକୁ ପରାମର୍ଶ କରିବାବି ଦରକାର ହୁଏ ନାହିଁ । ବିବାହ ଓ ଛାଡ଼ପତ୍ର ତା’ର ହାତ କଥା ହୋଇଥିବାରୁ ସେ ସବୁରେ ଆହୁରି ସୁବିଧା ହୁଏ ।

 

ହୁଗୁଳା ବନ୍ଧନ

 

ସ୍ତ୍ରୀ ଓ ପୁରୁଷ ଜୀବିକା ଉପାର୍ଜନରେ ସ୍ୱାଧୀନ ଥିବାରୁ ସେମାନଙ୍କର ଆର୍ଥିକ ବନ୍ଧନ ନଥାଏ । ତେଣୁ ସ୍ତ୍ରୀ ପୁରୁଷକୁ ବା ପୁରୁଷ ସ୍ତ୍ରୀକୁ ଏସବୁରେ ମଧ୍ୟ ମତପାଇଁ ଅପେକ୍ଷା କରେ ନାହିଁ । ଆମ ଦେଶରେ ଗାର୍ହସ୍ଥ୍ୟ ଧର୍ମକୁ ଯେତେ ଟାଣ କରି ଧରାଯାଏ ସେଠାରେ ତାକୁ ସେତେ ଗୁରୁତ୍ୱ ଦିଆଯାଏ ନାହିଁ । ଅନେକ ସ୍ଥଳରେ ବିବାହିତ ଦମ୍ପତି ଛାତ୍ରାବାସର ଏକ କୋଠରୀରେ ରହୁଥିବା ସଙ୍ଗୀ ପରି ଜଣେ ଅନ୍ୟଜଣଙ୍କୁ ବ୍ୟବହାର ଦେଖାନ୍ତି । ସେ ଦେଶର ଯନ୍ତ୍ର ଚାଳିତ ପରି ବିଭାଘର ଓ ଛାଡ଼ପତ୍ର ଚାଲେ । ଚାରୋଟି ବିବାହରୁ ପ୍ରାୟ ତିନୋଟି ବିବାହ ଛାଡ଼ପତ୍ରରେ ପରିଣତ ହୁଏ, ତେଣୁ ପିଲାମାନେ ବାପ, ମାଆଙ୍କର ସାମୂହିକ ସ୍ନେହ, ସହାନୁଭୂତି, ପରାମର୍ଶ ବା ସୁପରିଚାଳନା ଲାଭକରିବା ବିଶେଷ ସମ୍ଭବପର ନୁହେଁ ।

 

ଆମ ଦେଶର ପାପପୁଣ୍ୟର ଧାରଣା, ସେ ଦେଶର ଧାରଣାଠାରୁ ସମ୍ପୂର୍ଣ୍ଣ ପୃଥକ୍ । ଆମର ମଣିଷ ମାରିବା, ଗାଈ ମାରିବା, ଡକାୟତି କରିବା, ଛୁଟୁକିରିଆ ଚୋରୀ କରିବା, ଠକିବା, ମିଛ କହିବା ଠାରୁ ପିମ୍ପୁଡ଼ି ମାରିବା ପର୍ଯ୍ୟନ୍ତ ସମସ୍ତ ‘ପାପ’ର ଅନ୍ତର୍ଭୁକ୍ତ । ପୂର୍ବଜନ୍ମରେ ଗୋଟିଏ ଜନ୍ଦା ପିମ୍ପୁଡ଼ିର ଆଖି ଫୁଟାଇ ଦେବା ପାପ କରିଥିବାରୁ ଆର ଜନ୍ମରେ ଜଣେ ଋଷି ଜନ୍ମାନ୍ଧ ହୋଇ ଜନ୍ମ ହୋଇଥିଲେ ବୋଲି ଆମ ପୁରାଣରେ ଦୃଷ୍ଟାନ୍ତ ରହିଛି ।

 

ପଦପଦକେ ଆମକୁ ପାପ ଗୋଡ଼ାଉଥିବାର ଧାରଣା ପିଲାଦିନୁ ଜନ୍ମିଥିବାରୁ ଆମେ ସବୁ ଅବସ୍ଥାରେ ନିଜକୁ ଠିକ୍ ବାଟରେ ଚଳାଇବା ସମ୍ଭବପର ହୁଏ ନାହିଁ । ପରସ୍ତ୍ରୀ ମୁହଁକୁ ଚାହିଁବା ଓ ପରସ୍ତ୍ରୀ ହରଣ କରିବା ଆମପାଇଁ ସମାନ ଧରଣର ଦୋଷ । ଆମ ଦେଶରେ ଜଣେ ଲୋକ ଯେତେ ଗୁଣୀ ହେଲେ ମଧ୍ୟ ତା’ର ଟିକିଏ ଚରିତ୍ରଦୋଷ ଥିବାର ପ୍ରଚାର ହେଲେ ତା’ର ସର୍ବନାଶ ହୁଏ । ଆମର କଥାରେ ଅଛି ‘‘ଥିଲେ ଥାଉ ପରା ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର’’ । ସେ ଦେଶରେ କିନ୍ତୁ ଏପରି ବ୍ୟକ୍ତିଗତ କାର୍ଯ୍ୟକୁ ଏତେ ଟାଣ କରି ଧରା ନ ଯାଇ ସେ ଲୋକର କି କି ଗୁଣ ଅଛି ଓ ଦେଶ ବା ଜାତିପାଇଁ ତା’ର କି ଅବଦାନ ରହିଛି, ତାହା ଗ୍ରହଣ କରାଯାଏ ।

 

ଚରିତ୍ରସଂହାର

 

ସେ ଦେଶର ଗୋଟିଏ ନିର୍ବାଚନ ମୁଁ ଲକ୍ଷ୍ୟ କରିବାର ସୁବିଧା ପାଇଥିଲି । ଲାଗଲାଗ ଦୁଇଥରରୁ ବେଶୀ ନିର୍ବାଚନରେ ଲଢ଼ି ଉଚ୍ଚପଦରେ ରହିବାକୁ କାହାକୁ ସୁବିଧା ଦିଆଯାଏ ନାହିଁ । ତାଙ୍କର ଦରକାର ନୂଆ ଲୋକ । ତେଣୁ ପ୍ରତ୍ୟେକ ନିର୍ବାଚନ ପରେ ନୂଆ ନୂଆ କର୍ମକର୍ତ୍ତା ଶାସନର ଭାର ନେବାର ଦେଖାଯାଏ । ଅବଶ୍ୟ ପୂର୍ବରୁ ଉଚ୍ଚପଦରେ ଥିଲେ ମଧ୍ୟ ମଝିରେ କିଛିକାଳ ନିର୍ବାଚନରୁ ଓହରି ଗଲେ ପୁଣି ନିର୍ବାଚନ ଲଢ଼ିବାକୁ ସୁବିଧା ଦିଆଯିବାର ଆଇନ ଅଛି ।

 

ଆଲବାମା ପ୍ରଦେଶରେ ଜେମସ୍ ବୋଲି ଜଣେ ବ୍ୟକ୍ତି ପୂର୍ବରୁ ପ୍ରଧାନ ଶାସନକର୍ତ୍ତା ବା ଗଭର୍ଣ୍ଣର ନିର୍ବାଚିତ ହୋଇ କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ । ସେ ଦେଶରେ ଗଭର୍ଣ୍ଣର ବା ଲାଟ ଆମ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ସମାନ । ପ୍ରଦେଶର ସମସ୍ତ ଭୋଟରଙ୍କ ଠାରୁ ଭୋଟ ପାଇ ଲାଟ ନିର୍ବାଚିତ ହୁଅନ୍ତି । ସେ କେତେକାଳ ପ୍ରାର୍ଥୀ ନ ହେବାପରେ ସେଥର ପୁଣି ନିର୍ବାଚନ ଲଢ଼ୁଥିଲେ ।

 

ସେଠାରେ ଭୋଟ ପ୍ରଚାର ସାଧାରଣତଃ ଟେଲିଭିଜନ ମାଧ୍ୟମରେ ହୁଏ । ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ନିଜ ସମ୍ୱନ୍ଧରେ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ବିଷୟରେ ଟେଲିଭିଜନରେ କହି ଭୋଟ ପ୍ରାର୍ଥନା କରନ୍ତି । ଜଣେ ନିର୍ବାଚନ ପ୍ରାର୍ଥୀ ‘ପୂର୍ବତନ ଗଭର୍ଣ୍ଣର ଜେମସ୍‍ଙ୍କର ଜଣେ ପ୍ରତିଦ୍ୱନ୍ଦ୍ୱି, ଜେମସ୍‍ଜିମ୍‍ଙ୍କ ଚରିତ୍ର ସମ୍ୱନ୍ଧରେ ସମାଲୋଚନା କରି ସେ କ୍ଷମତା ବଳରେ ଅପର୍ଯ୍ୟାପ୍ତ ସମ୍ପତ୍ତିର ଅଧିକାରୀ ହୋଇଥିବା ପ୍ରମାଣ ସବୁ ଦର୍ଶାଇ ଟେଲିଭିନରେ ବକ୍ତୃତା ଦେଲେ ଓ ବ୍ୟାଙ୍କ୍‍ମାନଙ୍କରେ ସେ ପ୍ରଚୁର ଅର୍ଥ ରଖିଥିବାର ହିସାବ ଦାଖଲ କଲେ ।

 

ଜିମ୍ ଟେଲିଭିଜନରେ ତା’ର ଉତ୍ତର ଦେବାକୁ ଯାଇ ସେ ଦୋଷାରୋପ ଆଗ ମାନିନେଲେ । ସେ କହିଲେ, ମୋର ଆର୍ଥିକ ଉନ୍ନତି ସହିତ ମୋ ଶାସନର କି ସମ୍ପର୍କ ? ମୁଁ ସେତେବେଳେ ଲାଟ ନିର୍ବାଚନ ଲଢ଼ିବା ପୂର୍ବରୁ ସ୍କୁଲ୍‍, କଲେଜ, ରାସ୍ତା ଓ ପ୍ରଦେଶର ଅନ୍ୟାନ୍ୟ ଆର୍ଥିକ ଉନ୍ନତି ବିଷୟରେ ପ୍ରତିଶ୍ରୁତି ଦେଇଥିଲି । ମୁଁ ସେସବୁ କରିଛି କି ନାହିଁ ତାହା ପ୍ରଦେଶବାସୀ ବିଚାର କରନ୍ତୁ । ମୁଁ ସରକାରୀ ପାଣ୍ଠି ତୋଷରପାତ କରିଥିଲେ କି ସରକାରୀ କଳକୁ ନିଜ କାର୍ଯ୍ୟରେ ଲଗାଇଥିଲେ ମୋତେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଦିଅନ୍ତୁ ଓ ନିର୍ବାଚିତ ନ କରନ୍ତୁ । ମୁଁ ଯେତେବେଳେ ସମସ୍ତ ପ୍ରତିଶ୍ରୁତି ପାଳନ କରିଛି ଓ ସାଧୁଭାବରେ ଶାସନ ଚଳାଇ ଦେଶକୁ ସମୃଦ୍ଧ କରିଛି, ସେତେବେଳେ ମୋ ବ୍ୟକ୍ତିଗତ ଆର୍ଥିକ ଉନ୍ନତି ଓ ଅନ୍ୟ ବିଷୟ ସବୁ ଆଣି ଭୋଟଦାତାଙ୍କ ଆଗରେ ଥୋଇବା କେବଳ ଈର୍ଷାପରାୟଣ ବ୍ୟକ୍ତିଙ୍କ ଅଭିସନ୍ଧିମୂଳକ କାର୍ଯ୍ୟ ଛଡ଼ା ଆଉ କ’ଣ ହୋଇପାରେ ।

 

ମୋର ପ୍ରତିଦ୍ୱନ୍ଦ୍ୱୀ ହିସାବ ଦେଖାଇଛନ୍ତି, ଲାଟ ହେବା ପୂର୍ବରୁ ମୋର ଯେତେ ବ୍ୟକ୍ତିଗତ ଧନ ଥିଲା ତାହା ବହୁଗୁଣିତ ହୋଇଛି । ଏ ସମ୍ୱନ୍ଧରେ ମୁଁ କହି ରଖେ ମନୁଷ୍ୟର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ତା’ର ବୁଦ୍ଧି ଓ ଉପାର୍ଜନ କ୍ଷମତା ଓ ଚାହିଦା ମଧ୍ୟ ବଢ଼େ । ବୁଦ୍ଧି ଓ ପରିଶ୍ରମଦ୍ୱାରା ସେ ତା’ର ଚାହିଦା ପୂରଣ କରେ । ମୋର ବୟସ ବଢ଼ିଛି, ପିଲାପିଲି ବଢ଼ିଛନ୍ତି, ସଂସାରର ଭାର ବଢ଼ିଛି, ଖର୍ଚ୍ଚ ବଢ଼ିଛି । ତେଣୁ ମୁଁ ମୋର ବୁଦ୍ଧି ଓ ପ୍ରତିପତ୍ତି ବଳରେ ସେ ଚାହିଦା ମେଣ୍ଟାଇବା ପାଇଁ ମୋର ଉପାର୍ଜନ ବଢ଼ାଇଛି । ମୁଁ କିପରି କେଉଁ ବାଟରେ କେତେ ଉପାର୍ଜନ କଲି, ମୋତେ କିଏ କାହିଁକି ଆସି କେତେ ଅର୍ଥ ଉପାର୍ଜନ ପନ୍ଥା ଦେଖାଇଲା-ସେଥିରେ ମୋର ପ୍ରତିଦ୍ୱନ୍ଦ୍ୱୀଙ୍କର ବୃଥାରେ କାହିଁକି ମୁଣ୍ଡ ବଥାଉଛି, ଆପଣମାନେ ସେ କଥାର ବିଚାର କରନ୍ତୁ । ଲାଟ ପଦର ଶାସନ ଦାୟିତ୍ୱ ସେ ଭଲ ଭାବରେ ତୁଲାଇ ପାରିବ କି ମୋର ପୂର୍ବ ଅନୁଭୂତିରୁ ମୁଁ ତାହା ଭଲ ଭାବରେ ତୁଲାଇ ପାରିବି ତାହା ବିଚାରକୁ ନେଇ ଆପଣମାନେ ଆପଣମାନଙ୍କର ଭୋଟ ଦାୟିତ୍ୱ ସମ୍ପନ୍ନ କରନ୍ତୁ । ଏହାପରେ ନିର୍ବାଚନରେ ବହୁ ଅଧିକ ଭୋଟ ପାଇ ଜିନ୍ ପୁଣି ନିର୍ବାଚିତ ହୋଇଥିଲେ ।

 

କର୍ତ୍ତବ୍ୟ ଜ୍ଞାନ

 

ସେ ଦେଶରେ କର୍ତ୍ତବ୍ୟକୁ ସମସ୍ତେ ବଡ଼କରି ଧରନ୍ତି । ଭଲଭାବରେ ନିଜର ଉଚ୍ଚ ପଦବୀରେ ରହି ଯେ ନିଜର କର୍ତ୍ତବ୍ୟ ସାଧୁ ଭାବରେ ସମାପନ କରେ, ତାକୁ ସମାଜରେ ଉଚ୍ଚସ୍ଥାନ ଦିଅନ୍ତି । ସାଧାରଣ ଲୋକେ ମଧ୍ୟ ନିଜ ନିଜ କର୍ତ୍ତବ୍ୟରେ ହେଳା କରନ୍ତି ନାହିଁ । କାର୍ଯ୍ୟ ସମୟରେ ମନପ୍ରାଣ ଦେଇ କାମ କରନ୍ତି । ଏପରିକି ଅନ୍ୟ ସମୟରେ ଯେଉଁ ପୁଅଝିଅମାନେ ଥଟା ଟାପରା ହୁଅନ୍ତି ଓ ନିଜ ନିଜ ଭିତରେ ଗେଲେଇ ହୁଅନ୍ତି । ସେମାନେ ଏକାଠି କାମ କରୁଥିଲାବେଳେ ଗମ୍ଭୀର ଓ ଭଦ୍ର ଭାବରେ ନିଜ ନିଜର କାମ କରିଯାଆନ୍ତି ଓ ନିଜର ପଦବୀ ଅନୁସାରେ ସମ୍ମାନସୂଚକ ବ୍ୟବହାର କରନ୍ତି ।

 

ମୋର ଅଧ୍ୟାପକଙ୍କ ଅଫିସ୍‍ରେ ଦୁଇଟି ଝିଅ କିରାଣି ଥାଆନ୍ତି । ସେଥିରୁ ଗୋଟିଏ ମୋଟୀ ଓ ଅନ୍ୟଟି ପାତଳୀ ଦୁହିଁଙ୍କ ନାମ ଜିନ୍ । ଦୁହିଁଙ୍କ ବିବାହ ବୟସ ପ୍ରାୟ ଗଡ଼ି ଯାଇଥାଏ । କଫି ବିଶ୍ରାମବେଳେ ଆମ ବିଭାଗର ସମସ୍ତେ ଏକାଠି ବସି କଫି ଖାଆନ୍ତି, ଖୁସି ଗପକରନ୍ତି । ଆମେମାନେ ନାନାପ୍ରକାର ଥଟା ପରିହାସ କରି କଥାବାର୍ତ୍ତା ହେଉ । ମୁଁ ଗୋଟିକୁ ଦୁର୍ବଳ ଜିନ୍ ଓ ଅନ୍ୟଟିକୁ ସବଳ ଜିନ୍ ବୋଲି ଥଟା କରେ । ସେତେବେଳେ ସେ ଦୁଇଟିଯାକ ଝିଅ ମୋତେ ମୋର ନାମ ଧରି ଆପଣାର ଭଳି ସମ୍ୱୋଧନ କରନ୍ତି । ମୋତେ ଥଟା କରି କହନ୍ତି, ତୁମ ଦେଶରେ ଲୋକସଂଖ୍ୟା ସବୁ ଦେଶଠାରୁ ବେଶୀ । ତୁମ ଦେଶରେ ବହୁତ ଅବିବାହିତ ଯୁବକ ଅଛନ୍ତି ବୋଲି ଆମେ ଶୁଣିଛୁ । ତୁମେ ତୁମ ଦେଶକୁ ଫେରିଯିବା ପରେ ଆମପାଇଁ ଗୋଟିଏ ଗୋଟିଏ ବର ଠିକ୍‍ କରି ଆମକୁ ଲେଖିଲେ ଆମେ ଯାଇ ସେଠାରେ ବିବାହ କରିବୁ । ତାହାହେଲେ ତୁମେ ଆମକୁ ଆଉ ଅତି ଦୁର୍ବଳ ବା ଅତି ସବଳ ହୋଇଥିବାରୁ ବିବାହ କରି ପାରୁନାହୁଁ ବୋଲି ଥଟାକରି ପାରିବ ନାହିଁ । ଏହା କହି ସେମାନେ ଠୋଠୋ ହୋଇ ହସନ୍ତି ।

 

ଛୁଟି ସମୟରେ ଏପରି ମଜାଳିଆ କଥାବାର୍ତ୍ତା ହୁଏ, କିନ୍ତୁ କାମ ଉପରକୁ ଆସିଲାକ୍ଷଣି ସେମାନେ ଜଣେ ଉପସ୍ଥିତ କର୍ମଚାରୀକୁ ଯେପରି ସମ୍ମାନ ଦେଖାଇ ସମ୍ୱୋଧନ ଓ କଥାବାର୍ତ୍ତା କରିବା କଥା, ଠିକ୍ ସେହିପରି ସମ୍ୱୋଧନ କରି କଥାବାର୍ତ୍ତା କରନ୍ତି ଓ ମୁଁ ବରାଦ କରିଥିବା କାର୍ଯ୍ୟସବୁ ଠିକ୍ ସମୟରେ ସାବଧାନତା ସହିତ ଗମ୍ଭୀର ଭାବରେ ସମାପନ କରନ୍ତି ।

 

ନିର୍ଭର ଭବିଷ୍ୟତ

 

ବାର ଦେଶରୁ ତେର ପ୍ରକାର ଲୋକ ମିଶି ନୂତନ ଆମେରିକାର ସଭ୍ୟତା ସୃଷ୍ଟି ହୋଇଛି । ନାନା ସଭ୍ୟତା ଓ ଭାବର ଆହରଣ ଓ ଏକତ୍ରୀକରଣରେ ସେ ଦେଶର ଏହି ନୂତନ ସମାଜ ପୁଷ୍ଟ ହୋଇଛି । ନୂତନତ୍ୱର ପୂଜାରୀ ହେବାପାଇଁ ସଞ୍ଜମ, କର୍ତ୍ତବ୍ୟବୋଧ ଓ ଅର୍ଥ ପ୍ରାଚୁର୍ଯ୍ୟର ପ୍ରୟୋଜନୀୟତା ସେମାନେ ଉପଲବ୍ଧି କରି ଏକ ସୁସ୍ଥ ସମାଜ ଗଢ଼ିଛନ୍ତି ।

 

ଆମେରିକାବାସୀଙ୍କର ସ୍ୱାଧୀନ ଓ ଭୋଗମୟ ଜୀବନଧାରଣର ପ୍ରଧାନ ସୂତ୍ର ହେଉଛି ଦେଶର ସମସ୍ତ ପ୍ରାକୃତିକ ସମ୍ପଦର ସଦୁପଯୋଗଦ୍ୱାରା ଅର୍ଥପ୍ରାଚୁର୍ଯ୍ୟ ଓ ନିର୍ଭରଶୀଳ ଭବିଷ୍ୟତ ପାଇଁ ଦୃଢ଼ ଗଣତାନ୍ତ୍ରିକ ପରମ୍ପରାରେ ସରକାର ଗଠନ ।

 

ସେ ଦେଶରେ ଅର୍ଥ ଉପାର୍ଜନର ପନ୍ଥା ଓ ଖର୍ଚ୍ଚର ପନ୍ଥା ଉନ୍ମୁକ୍ତ । କାଲିପାଇଁ ଭାବିବାର ପ୍ରୟୋଜନ ନାହିଁ । ପୁଅଝିଅଙ୍କ ପାଠପଢ଼ା, ବାହାଘର, ବାପ ମା’ଙ୍କ ଶୁଦ୍ଧଘର କି ଭବିଷ୍ୟତ ରୋଗବୈରାଗ ପାଇଁ ଅର୍ଥ ଚିନ୍ତା ସେ ଦେଶରେ ନାହିଁ । ସେମାନଙ୍କୁ କାହା ଉପାର୍ଜନ ଉପରେ ନିର୍ଭର କରିବାକୁ ପଡ଼େ ନାହିଁ କି ସେମାନଙ୍କ ଉପରେ କେହି ନିର୍ଭରଶୀଳ ନୁହନ୍ତି । ଆମ ଦେଶରେ ଆର୍ଥିକ ସ୍ଥିରତା ନ ଥିବା ଯୋଗୁଁ ହାତରୁ ପୂରା ଟଙ୍କାଟା ଛାଡ଼ି ଦେବା ପରେ, ହଠାତ୍ ବିପଦ ପଡ଼ିଲେ ଆଉ କୌଣସି ପ୍ରକାରରେ ସେ ବିପଦରୁ ଉଦ୍ଧାର ପାଇବାପାଇଁ ଅର୍ଥ ସଂଗ୍ରହର ଉପାୟ ନ ଥାଏ । ତେଣୁ ସମସ୍ତେ ଭବିଷ୍ୟତ ପାଇଁ ଟଙ୍କାଟା ଜମାଇ ରଖିବାକୁ ଚାହାନ୍ତି । ତାହା ଫଳରେ ଟଙ୍କାଟା ଠାଆ ଠାଆ ହୋଇ ଜମା ହୋଇ ଯାଉଥିବାରୁ କଳାଧନରେ ପରିଣତ ହୋଇ ଖୋଲା ବଜାରରେ ବୁଲି ପାରେ ନାହିଁ । ତେଣୁ ଦେଶରେ ଆର୍ଥିକ ଅନଟନ ଦେଖାଯାଏ । ଆମ ଦେଶରେ ଲୋକଙ୍କ ପାଖରେ ଯେତେ ସୁନା ଅଳଙ୍କାର ଅଚଳ ଅବସ୍ଥାରେ ରହିଛି ସେ ଦେଶରେ ତା’ ନାହିଁ । ସେଠାରେ ଅର୍ଥକୁ ଜମାଇ ରଖିବାପାଇଁ କେହି ଅଳଙ୍କାର ତିଆରିକରି ପିନ୍ଧନ୍ତି ନାହିଁ । କେବଳ ସଜେଇ ହେବାପାଇଁ ଯେତିକି ଦରକାର ସେତିକି ଶସ୍ତା ଅଳଙ୍କାର ପିନ୍ଧନ୍ତି ।

 

ମୋଟଉପରେ ସେଠାର ସାଧାରଣ ଲୋକେ ଆମ ଦେଶପରି ଟଙ୍କା ସୁନାକୁ ଅଚଳ କରି ଭବିଷ୍ୟତପାଇଁ ଜମାଇ ରଖନ୍ତି ନାହିଁ । ସେ ଦେଶରେ ଅର୍ଥର ସ୍ରୋତ ଗଡ଼ି ଚାଲିଛି । ଲୋକେ ସେ ସ୍ରୋତର ଜଳକୁ ନିଜର ହାତର ଉପର ଦେଇ ଗଡ଼ାଇ ଦେଉଛନ୍ତି । ଭବିଷ୍ୟତର ଭାର ସମାଜ ଓ ସରକାରଙ୍କ ଉପରେ ନ୍ୟସ୍ତ ରହିଛି । ଉପାସ ରହିବାକୁ ପଡ଼େନାହିଁ, ଅର୍ଥପାଇଁ ସାମାଜିକ ବନ୍ଧନ ଦାଉରେ ହଇରାଣ ହେବାକୁ ପଡ଼େନାହିଁ । ଭବିଷ୍ୟତ ରୋଜଗାର ବନ୍ଦ ହୋଇଗଲେ ପିଲାଏ ମୂର୍ଖ ହେବେ ନାହିଁ କି ଦାନାକନା ନ ପାଇ ଗଡ଼ି ମରିବେ ନାହିଁ ।

 

ହିପ୍‍ପ ଆଦର୍ଶ

 

ଆମ ଦେଶରେ ପିଲାଏ ପାଠପଢ଼ି ଚାକିରି କିମ୍ୱା ଅନ୍ୟ ଧନ୍ଦା ନ ପାଇ ନିରାଶ ହୋଇ ଉଚ୍ଛୃଙ୍ଖଳା ସୃଷ୍ଟି କରୁଛନ୍ତି । ସେ ଦେଶରେ ଅର୍ଥ ପ୍ରାଚୁର୍ଯ୍ୟ, କାମ ଧନ୍ଦାରବି ଅଭାବ ନାହିଁ; କିନ୍ତୁ ଯୁବକର ମନ ଗତାନୁଗତିକ ପନ୍ଥାରେ ସନ୍ତୁଷ୍ଟ ହୋଇ ରହେନାହିଁ । ସମାଜର ସ୍ଥିତ ଅବସ୍ଥାରେ ଯୁବ ମନ ଅସନ୍ତୁଷ୍ଟ ହୋଇଉଠେ । ତେଣୁ ସେଠାର ଯୁବସମାଜ ନିର୍ଭରଶୀଳ ସାମାଜିକ ପରିସ୍ଥିତିରେ ସନ୍ତୁଷ୍ଟ ନ ହୋଇ ନୂତନତାର ସ୍ୱପ୍ନରେ ବିଭୋର ହୋଇ ପଡ଼ୁଛନ୍ତି ।

 

ସେଠାର ଯୁବକ ଯୁବତୀମାନେ ଏବେ ହିପ୍‍ପିଭଳି ଏକ ଲଗାମଛଡ଼ା ନୂତନ ଆଦର୍ଶରେ ମାତି ଉଠୁଛନ୍ତି । କାମ ଧନ୍ଦା ନ କରି ଯା ଇଚ୍ଛା ତା’ ପିନ୍ଧିବା, ଯେକୌଣସି ଖାଦ୍ୟ ଖାଇବା ଓ ଯେଉଁଠି ସେଇଠି ବୁଲିବା ତାଙ୍କର ଧର୍ମ ହୋଇଛି ।

 

କାମ ନଥିଲେ ସେ ଦେଶରେ ବେକାରି ଭତ୍ତା ମିଳେ । ସେ ଭତ୍ତାରେ ଗୋଟିଏ ଧନ୍ଦା ପାଇବା ପର୍ଯ୍ୟନ୍ତ ଦେଶରେ କଷ୍ଟେମଷ୍ଟେ ଚଳିହେବ, କିନ୍ତୁ ଗରିବ ଓ ବିକାଶମୁଖୀ ଦେଶମାନଙ୍କରେ ସେ ଭତ୍ତା ସେ ଦେଶମାନଙ୍କର ବଡ଼ ଚାକିରିଆଙ୍କ ଦରମାଠାରୁ ବେଶୀ । ସେତକ ଭତ୍ତା ଧରି ବିଦେଶରେ ଯେଉଁଠି ସେ ଅର୍ଥରେ ଖୁସିରେ ଚଳି ହେବ । ସେମାନେ ସେଇପରି ଦେଶମାନଙ୍କୁ ଚାଲିଯାଇ ବେପରୁଆ ଭାବରେ ବୁଲୁଛନ୍ତି । ସେଥିରେ ବୁଲିବା ଖର୍ଚ୍ଚ ଓ ଖାଇବା ଖର୍ଚ୍ଚ ସବୁ ଚଳିଯାଉଛି ।

 

ଜୀବନପ୍ରତି ଖାତିର ନାହିଁ । ଗୋଡ଼ରେ ଜୋତା ନାହିଁ, ଜାମାରେ ଓ ବେଶଭୂଷାରେ ଠିକ୍ ନାହିଁ । ଏପରି ବହୁ ମାର୍କିନ ଯୁବକ ଯୁବତୀ ଭାରତ ଭଳି ଦେଶମାନଙ୍କର ଦାଣ୍ଡରେ ଘାଟରେ ବୁଲୁଥିବାର ଦେଖାଯାଉଛି ।

 

ମୁଁ ଆମେରିକାରେ ଥିଲାବେଳେ ଭାରତରୁ ମୋର ଦଶମାସର ଶିଶୁଟିର ଫଟୋଟିଏ ମୋ ନିକଟକୁ ପଠାଯାଇଥିଲା । ସେ ଫଟୋଟିରେ ପିଲାଟିର ଗୋଡ଼ରେ ଜୋତା ନଥିଲା । ସେଇଟି ଦେଖୁଦେଖୁ ଆମେରିକାର ଗୋଟିଏ ଦମ୍ପତି ସେ ଦୃଶ୍ୟ ସହ୍ୟ କରି ନ ପାରି ମୁହଁ ବୁଲାଇ ଦେଇଥିଲେ । ତାଙ୍କର ସେ ଢଙ୍ଗ ମୁଁ ବୁଝି ନ ପାରି ପଚାରିବାରୁ ସେ ବହୁ କଷ୍ଟରେ ମୋତେ କହିଲେ ‘‘ଆପଣଙ୍କ ଦେଶରେ କ’ଣ ଜୋତା ମିଳେ ନାହିଁ, ଏପରି ଲଙ୍ଗଳା ଗୋଡ଼ରେ ଏ ଅସଭ୍ୟ ଫଟୋ କିପରି ନିଆଯାଇଛି ?’’ ଆମେରିକାପରି ସଭ୍ୟ ଦେଶରେ ସେତେବେଳେ ତାହା ସମ୍ଭବ ନଥିଲା ।

 

ଏବେ ଥରେ ଗଞ୍ଜାମର ଗୋପାଳପୁର ସମୁଦ୍ରକୂଳରେ ଜଣେ ଆମେରିକାନ୍ ମୁହଁ ମାଡ଼ି ସମୁଦ୍ର ବାଲିରେ ଶୋଇଥିଲେ । ତାଙ୍କ ଗୋଡ଼ରେ ଜୋତା ନଥିଲା । ହିପ୍‍ପିମାନେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ ସମସ୍ତେ ଏକପ୍ରକାର ଜାମାପିନ୍ଧନ୍ତି ଓ ମୁଣ୍ଡବାଳ କାଟନ୍ତି । ତେଣୁ ଆମେ ତାଙ୍କ ପୋଷାକପତ୍ରରୁ ସେ ପୁଅ କି ଝିଅ ଠିକ୍ କରି ପାରିଲୁ ନାହିଁ । ଆମର କୌତୂହଳ ବଢ଼ିଲା । ଆମ ଭିତରୁ ଜଣେ କହିଲେ ତା’ ଉପରକୁ ଟେକାଟିଏ ପକାଇବା, ତାହାହେଲେ ସେ ଉଠିବ, ଆମେ ତା’ର ସମାନାପଟ ଦେଖି ପୁଅ, କି ଝିଅ ତାହା ଜାଣି ପାରିବା । ଝିଅ ହୋଇଥିଲେ ଏଠାରେ ଏପରି ଏକା ନ ଶୋଇବାକୁ ସତର୍କ କରାଇଦେବା ।

 

ଆମେ ଟେକାଟିଏ ତା’ ପିଠିକୁ ଛାଡ଼ିଲୁ, କିନ୍ତୁ ଯେ ଲୋକ ଏପରି ଭାବରେ ସମୁଦ୍ରକୂଳରେ ଶୋଇଛି ସେ ବା ଟେକାଟାକୁ ଖାତିର କରି କାହିଁକି ଉଠିବ ? ତା’ପରେ ସେ ନିଶ୍ଚୟ ଶସ୍ତା ଚିଲମ ଟାଣି ନିଶାର ଜୋରରେ ବାଲିକୁ ଶେଯ ଓ ସମୁଦ୍ର କୂଳକୁ ବିଳାସପୂର୍ଣ୍ଣ ହୋଟେଲ ମନେକରି ଗଡ଼ୁଥିବ । ତା’ର ମନ କେଉଁ ରାଜ୍ୟରେ ଯାଇ ବୁଲୁଥିବ । ଟେକାଟା ତାକୁ ଫୁଲପରି ଲାଗିଥିବ । ସେ ହଲଚଲ ନ ହୋଇ ସେହିପରି ଶୋଇ ରହିଲା ।

 

ସେ ପୁଅ କି ଝିଅ ଜାଣି ନ ପାରିଲେ ମଧ୍ୟ ତା’ର ଶରୀର ନିଃଶ୍ୱାସ ପ୍ରଶ୍ୱାସରେ ଉପର ତଳକୁ ହେଉଥିବାରୁ ସେ ମୁର୍ଦ୍ଦାର ନୁହେଁ ଜିଅନ୍ତା ମଣିଷଟାଏ ବୋଲି ସ୍ଥିରକରି ନିର୍ଭୟରେ ସେଠାରୁ ଚାଲିଗଲୁ । ମୁଁ ମନେମନେ ଭାବିଲି, ପୁରୁଣା ଦୁନିଆ ବଦଳିଯାଇ କିପରି ନୂଆ ହେଉଛି । ସେ ପୁରୁଣାକାଳିଆ ରକ୍ଷଣଶୀଳ ଆମେରିକାନ ଦମ୍ପତି ଏଭଳି ନିଜର ହିପ୍‍ପି ପିଲାଙ୍କୁ ଦେଖି ତାଙ୍କ ମନରେ ବର୍ତ୍ତମାନ କି ଭାବ ଜାଗ୍ରତ ହେଉଥିବ !

 

ମେସିନ୍ ସଭ୍ୟତା

 

ମୁଁ ଦେଶକୁ ଫେରିବା ପୂର୍ବରୁ ମୋର ବହୁତ ବନ୍ଧୁ ବହୁସ୍ଥାନରେ ମୋର ବିଦାୟ ଭୋଜିର ଆୟୋଜନ କରିଥିଲେ । ଆସିବାର ସପ୍ତାହକ ପୂର୍ବରୁ କେତେ ବନ୍ଧୁ ଗୋଟିଏ ବଣଭୋଜିର ଆୟୋଜନ କରିଥିଲେ ।

 

ଆମେ ବଣଭୋଜି ପାଇଁ ଯାତ୍ରା କଲାବେଳେ ଜଣେ ବନ୍ଧୁ ବାଟରେ ତାଙ୍କ ଘରଠାରେ ତାଙ୍କର ପୋଷା କୁକୁରଟିକୁ ତା’ର ଦୈନିକ ଖାଦ୍ୟ ଦେଇଯିବା ପାଇଁ ଅଳ୍ପ ସମୟ ଅଟକିବାକୁ ଅନୁରୋଧ କଲେ । କୁକୁରଟି ପାଇଁ ମାଂସ ଚାଉଳ ପ୍ରଭୃତି ସଂଗ୍ରହ କରି ସିଝାଇ ଦେବାକୁ ବହୁତ ଡେରି ହେବ ବୋଲି ମୁଁ ଭାବିଲି । କିନ୍ତୁ ସେ ଘରେ ପହଞ୍ଚିବା ସଙ୍ଗେ ସଙ୍ଗେ ଗୋଟିଏ ଡବା ଖୋଲି ସେଥିରୁ କୁକୁର ଖାଦ୍ୟ ବାହାର କରି ତା’ ଆଗରେ ଥୋଇଦେଇ ଆମ ସଙ୍ଗେ ବାହାରି ପଡ଼ିଲେ । ସେ ଦେଶରେ ହାତ ନ ଲାଗି ଯନ୍ତ୍ର ସାହାଯ୍ୟରେ ଦୁଧ ଦୁହାଁହୁଏ, ଡବାରେ ପଶେ, ସେହିପରି ମଣିଷ କୁକୁର ସମସ୍ତଙ୍କ ପାଇଁ ଖାଦ୍ୟସବୁ ଟିଣ ଡବାରେ ବନ୍ଦ ହୋଇଥାଏ । ଆମ ଭୋଜିପାଇଁ ମଧ୍ୟ ଆମ ସଙ୍ଗେ ବଜାରରୁ କିଣା ମୁଦା ଖାଦ୍ୟ ଡବା ସବୁ ନିଆଯାଇଥିଲା ।

 

ଆମେରିକାର ଖାଦ୍ୟ, ଆଚାର ବ୍ୟବହାର ସବୁ ଯେପରି ଯନ୍ତ୍ରଚାଳିତ । ଖାଦ୍ୟସବୁ ପରିଷ୍କାର, ସୁସ୍ୱାଦୁ, ପୁଷ୍ଟିକର ଓ ସମଗୁଣବିଶିଷ୍ଟ ଏବଂ ସମସ୍ତଙ୍କ ବ୍ୟବହାର ଭଦ୍ର ଓ ସ୍ନେହଶୀଳ ।

 

ଏ ସବୁ ସତ୍ତ୍ୱେ ମନୁଷ୍ୟ ପୂରା ଯାନ୍ତ୍ରିକ ଜୀବ ପାଲଟି ନାହିଁ, ମନୁଷ୍ୟତା ଲୋପ ହୋଇନାହିଁ । ବୁଭୁକ୍ଷୁ ମାନବ ଅନ୍ତରରେ ଯେପରି ଅବିନାଶୀ ଆତ୍ମା ରହିଛି, ଠିକ୍ ସେହିପରି ବିଳାସୀ ତୃପ୍ତ ମାନବ ଭିତରେ ମଧ୍ୟ ଆତ୍ମା ସଜାଗ ଅଛି । ସେମାନଙ୍କ ଭଦ୍ର ବ୍ୟବହାରକୁ ଅନେକ ନୀରସ ଓ ଉପର ଦେଖାଣିଆ ବୋଲି ମନେ କରନ୍ତି କିନ୍ତୁ ତା’ ଭିତରେବି ମାନବିକତା ଓ ଦୃଢ଼ତା ନିହିତ ଅଛି ।

 

ଆମ ବିଭାଗର ଜଣେ ବୃଦ୍ଧା ମହିଳା ଶିକ୍ଷୟିତ୍ରୀଙ୍କୁ ଚାରିଟାବେଳେ ଅନ୍ୟଠାରେ କାମ କରୁଥିବା ତାଙ୍କ ସ୍ୱାମୀ ସଙ୍ଗରେ ଘେନି ଯିବାପାଇଁ ପ୍ରସ୍ତୁତ ରହିବାକୁ ସବୁଦିନ ଫୋନ୍ କରନ୍ତି । ସେ କଥା ଜଣାଇ ସାରି ଫୋନ୍ ରଖିଲା ବେଳକୁ ବୃଦ୍ଧା ମହିଳା ତାଙ୍କ ସ୍ୱାମୀଙ୍କୁ ଲକ୍ଷେ ଧନ୍ୟବାଦ ଗ୍ରହଣକର ବୋଲି କହନ୍ତି ।

 

କାମରୁ ଫେରି ଘରେ ସ୍ୱାମୀ ଓ ସ୍ତ୍ରୀଙ୍କ ଭେଟ ହେବାପରେ ସ୍ୱାମୀ ସାମାନ୍ୟ ପଦାର୍ଥଟିଏ ହେଲେ ମଧ୍ୟ ଗୋଟିଏ କିଛି ସ୍ତ୍ରୀଙ୍କୁ ଭେଟି ଦିଅନ୍ତି । ସ୍ତ୍ରୀ ଉପହାଟିକୁ ନେଇ ସ୍ୱର୍ଗ ପାଇଲା ପରି ଅଭିନୟ କରି ‘ହେ ମୋର ପ୍ରିୟ ମଧୁ’ ତୁମେ ମୋତେ କେତେ ଭଲ ନ ପାଅ, ଏତେ ଭଲ ପାଉ ନଥିଲେ ମୋର ପସନ୍ଦ ହେଲାପରି ଏପରି ସୁନ୍ଦର ଜିନିଷଟିଏ ମୋପାଇଁ ବାଛିକରି ଆଣି ପାରି ନଥାନ୍ତ । ଏହା କହି ସ୍ୱାମୀଙ୍କ ମୁଖରେ ପ୍ରେମ ଚୁମ୍ୱନଟିଏ ଆଙ୍କି ଦିଅନ୍ତି ।

 

ଏ ସବୁ ଦେଖି ଦେଖି ମୋର ଦେହସୁହା ହୋଇ ଯାଇଥିଲା, ଏଗୁଡ଼ାକ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସ୍ୱାଭାବିକ ବନ୍ଧନ ବୋଲି ମୋର କିପରି ଧାରଣା ହୋଇ ଯାଇଥିଲା । ସ୍ୱାମୀ ଯାହା ଦେବ ସ୍ତ୍ରୀ ତାକୁ ଆଦରରେ ଗ୍ରହଣ କରିବା ଉଚିତ ବୋଲି ମୁଁ ମନେ କରୁଥିଲି ।

 

ମୁଁ ଦେଶକୁ ଫେରିବାର ଅଳ୍ପଦିନ ପରେ ଖୋର୍ଦ୍ଧାର ହାତତିଆରି ହଳଦିଆ ଶସ୍ତା ଲୁଗା ଖଣ୍ଡିଏ କିଣି ଗୃହିଣୀଙ୍କୁ ଉପହାର ଦେଲି । ଆମେରିକାରେ ତ ହାତ ଲାଗିଲେ ପଇସା, ତେଣୁ ମେସିନ ଲୁଗା ଅପେକ୍ଷା ହାତବୁଣା ଲୁଗାର ଆଦର ବେଶୀ । ମୁଁ ଭାବିଥିଲି ସେ ଚକଚକ ହାତବୁଣା କୃତ୍ରିମ ସିଲ୍କ ଲୁଗା ଖଣ୍ଡିକ ସେ ବହୁତ ପସନ୍ଦ କରିବେ ଓ ମୋତେ ସେଥିପାଇଁ ଅଶେଷ ଧନ୍ୟବାଦ ଦେବେ କିନ୍ତୁ ଏ ଦେଶରେ ତ ସେପରି ଚାଲିଚଳନ ପଶିନାହିଁ । ଏଠି ସବୁ ସିଧାସଳଖ ଠୋଠା କଥାବାର୍ତ୍ତା ।

 

ଗୃହିଣୀ ସେ ଖଣ୍ଡକ ଦେଖିଲାକ୍ଷଣି ନାସିକା କୁଞ୍ଚନ କରି ‘‘ତୁମକୁ ଆଉ କିଛି ମିଳିଲା ନାହିଁ, ଏ କନିଆବାସ କାଠ ଖଦି ମୋପାଇଁ ଆଣିଚ ?’’ ଏହାକହି ଲୁଗା ଖଣ୍ଡକ ଆଡ଼େଇ କରି ରଖି ଦେଇ ଚାଲିଗଲେ । ତାଙ୍କଠାରୁ ଭଲ କଥାବି ପଦେ ନଶୁଣି ମୋ ମନରେ ବଡ଼ ଆଘାତ ଲାଗିଲା । ମୁଁ ସେ ଲୁଗା ଖଣ୍ଡକ ପାଖ ଦରଜି ଦୋକାନକୁ ନେଇ ତାକୁ ଦୁଇଖଣ୍ଡ କରି ମୋପାଇଁ ଦୁଇଟା ଲୁଙ୍ଗି ତିଆରି କରାଇ ନିଜେ ପିନ୍ଧିଲି ।

 

ଆମେରିକାବାସୀଙ୍କର ଏପରି ଉପରିଆ କଥାବାର୍ତ୍ତା ଓ ଯାନ୍ତ୍ରିକ ବ୍ୟବହାର ଯେ ଏକବାରକେ ନାପସନ୍ଦ କରିବାର ଅଛି ତା’ ନୁହେଁ, ତା’ ଭିତରେ ଯେ ସଂଯମ ନିହିତ ଅଛି ତାହା ଆନ୍ତରିକତାରୁ ମଧ୍ୟ ଅଧିକ ।

 

ଦିନେ ମୋ ହସ୍‍ପିଟାଲ ସାମନାରେ ଗୋଟିଏ ଜରୁରୀ ବିଷୟ ଜାଣିବାପାଇଁ ମୁଁ ଏପଟ ସେପଟ ହେଉଥିଲି । ଆମ ଡିପାଟ୍‍ମେଣ୍ଟର ଜଣେ କର୍ମଚାରୀ ହସ୍‍ପିଟାଲ ଭିତରୁ ବାହାରକୁ ଆସୁଥିଲେ । ସେ ମୋତେ ଦେଖିବାକ୍ଷଣି ମୋ ପାଖକୁ ଆସି ନମ୍ର ଭାବରେ ପଚାରିଲେ ‘‘ଆପଣ ଏଠି ଏପରି କାହିଁକି ବୁଲୁଛନ୍ତି, ଆପଣ ? କୌଣସି ଅସୁବିଧାରେ ପଡ଼ିଛନ୍ତି କି ? ମୁଁ ଆପଣଙ୍କୁ କିଛି ସାହାଯ୍ୟ କରିପାରେ କି ?’’ ମୁଁ ତାକୁ ମୋ କଥା କହିବାରୁ ସେ ଶାନ୍ତ ଭାବରେ ସେଠାରୁ ଯାଇ ଗୋଟିଏ ଅଫିସ୍ କୋଠରୀ ଭିତରେ ପଶି ସମସ୍ତ କଥା ବୁଝି ମୋର ଯାହା ଦରକାର ଥିଲା ତାହା ଜଣାଇ ଧୀର ଭାବରେ ବାହାରକୁ ଚାଲିଗଲେ ।

 

ମୁଁ ମୋ ଭାବନାରେ ବ୍ୟସ୍ତ ଥାଇ ସେ କାର୍ଯ୍ୟ ସମୟରେ ହଠାତ୍ ତାଙ୍କ କାମ ଛାଡ଼ି ଆମ ବିଭାଗରୁ କାହିଁକି କୁଆଡ଼େ ଚାଲି ଯାଉଛନ୍ତି ବୋଲି ତାଙ୍କୁ ପଚାରିବାକୁ ସମୟ ପାଇ ନଥିଲି । ପରେ ଆମ କାର୍ଯ୍ୟାଳୟରେ ପଚାରିବାରେ ଜାଣିଲି, ସେ ଭଦ୍ରଲୋକ ତାଙ୍କର ଏକମାତ୍ର ଶିଶୁପୁତ୍ରର ଆକସ୍ମିତ ମୃତ୍ୟୁ ଖବର ଶୁଣି ଛୁଟି ନେଇ ଘରକୁ ଯାଉଥିଲେ ।

 

ଆମ ଦେଶର ଲୋକ ହୋଇଥିଲେ କାନ୍ଦି ବୋବାଇ ନିଜ ଦୁଃଖ ଗାଇ ଗାଇ ସେ ଅନ୍ୟମାନଙ୍କୁ ବ୍ୟତିବ୍ୟସ୍ତ କରି ପକାଇ ଥାଆନ୍ତା । କିନ୍ତୁ ସେ ଦେଶର ଲୋକ ହୋଇଥିବାରୁ କାହାଠାରୁ ଶସ୍ତା ସହାନୁଭୂତିପୂର୍ଣ୍ଣ ସାନ୍ତ୍ୱନା ବାଣୀପାଇଁ ଅପେକ୍ଷା ନ କରି ନିଜର ଦୁଃଖକୁ ଚାପି ରଖି ମୋର ଅସୁବିଧା ମୋଚନରେ ଲାଗି ପଡ଼ିଲା । ସେଠାରେ ଯେଉଁ ଦେଖାଣିଆ ଭଦ୍ରତା ପ୍ରତି ମୋର ଆଗରୁ ତାତ୍ସଲ୍ୟ ଭାବ ଥିଲା, ତାହା ମୁହୂର୍ତ୍ତକରେ ମିଳାଇଗଲା ଓ ସେ ଲୋକର ସହନଶୀଳତା ଓ ଭଦ୍ରତାପାଇଁ ତା’ ଉଦ୍ଦେଶ୍ୟରେ ମୋ ମସ୍ତକ ଆପେଆପେ ଅବନତ ହୋଇଗଲା ।

 

ସରକାରୀ କଳ

 

ସେଠାରେ ସାଧାରଣ ଲୋକଙ୍କ ବ୍ୟବହାରଠାରୁ ସରକାରୀ ଲୋକଙ୍କ ବ୍ୟବହାର ମଧ୍ୟ କିଛି ଅଲଗା ନୁହେଁ । ସରକାରୀ ଲୋକଙ୍କ ବ୍ୟବହାରରେ ମଧ୍ୟ ଆନ୍ତରିକତା ଓ ହୃଦୟବତ୍ତା ଅନୁଭବ କରିହୁଏ । ଆମେରିକା ସରକାର ବିଦେଶୀମାନଙ୍କୁ ସେ ଦେଶର ଅତିଥି ବୋଲି ମନେ କରନ୍ତି ।

 

ସେ ଦେଶରେ ଫଳ ଉତ୍ପାଦନ ସମୟରେ ସକାଳକୁ ମୁଁ ଦୁଆର ଖୋଲିଲା ବେଳକୁ ‘ଆମେରିକା ସରକାରଙ୍କଠାରୁ ଉପହାର’ ବୋଲି କାଗଜ ମରାହୋଇ ଫଳ ଝୁଡ଼ିଟିଏ ମୋ ଦୁଆର ଆଗରେ ଥୁଆ ହୋଇଥାଏ । ସେଥିରେ ଅଙ୍ଗୁର, ପିଅରସ, ନାସପାତି ପ୍ରଭୃତି ଅତି ସୁସ୍ୱାଦୁ ଫଳ ଭର୍ତ୍ତି ହୋଇଥାଏ । ଫଳ ଦାମ ବଜାରରେ କିଛି ଜମି ନଥାଏ । ତେଣୁ ସେ ଝୁଡ଼ି ଦେଖିବାକ୍ଷଣି ମୋର ଆମେରିକାନ୍ ସହପାଠୀମାନେ ଫଳ ଖାଇବାପାଇଁ ମୋ ଚାରିପଟେ ଘେରି ଯାଆନ୍ତି ।

 

ସେ ଦେଶରେ ବଜାରର ଦର ଠିକ୍ ରଖିବାପାଇଁ ସରକାର ଚାଷୀଠାରୁ ଫଳ, ଶସ୍ୟ ଓ ଦୁଗ୍ଧଜାତ ପଦାର୍ଥ ପ୍ରଭୃତି କିଣିନେଇ ଦର ଠିକ୍ କରି ଯେତିକି ବଜାରକୁ ଛାଡ଼ିବା କଥା ସେତିକି ଛାଡ଼ି ଉଦ୍‍ବୃତ୍ତ ଖାଦ୍ୟ ସବୁ ହସ୍‍ପିଟାଲ ପ୍ରଭୃତି ଅନୁଷ୍ଠାନକୁ ଓ ବିଦେଶୀ ଅତିଥିମାନଙ୍କୁ ବାଣ୍ଟି ଦିଅନ୍ତି । ବିଦେଶର ସାଧାରଣ ଦାତବ୍ୟ ଅନୁଷ୍ଠାନମାନଙ୍କୁବି ଉପହାର ପଠାନ୍ତି । ବିଦେଶରେ ବିକ୍ରି କରିବା ବା ସେପରି ଉପହାର ପଠାଇବା ବ୍ୟୟସାପେକ୍ଷ ହେଲେ ଉଦ୍‍ବୃତ୍ତ ଗହମ, ଦୁଧ, ଗୁଡ଼ ଓ ଫଳ ପ୍ରଭୃତି ପାଣି ଜାହାଜରେ ନେଇ ସମୁଦ୍ର ଭିତରେ ଢାଳି ଦେଇ ଆସନ୍ତି ।

 

ଖାଦ୍ୟ ପଦାର୍ଥ ଓ ଅନ୍ୟ ଆବଶ୍ୟକୀୟ ସାମଗ୍ରୀମାନଙ୍କର ଦର ସେ ବିରାଟ ଦେଶର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ସବୁ ବଜାରରେ ସମାନ ଥାଏ । ଉତ୍ତରଖଣ୍ଡର ଅଙ୍ଗୁର ଫଳ ଓ ଦକ୍ଷିଣାଞ୍ଚଳର ନଡ଼ିଆ, କପା ପ୍ରଭୃତିର ଦର ଉତ୍ତର ଓ ଦକ୍ଷିଣର ସବୁ ସ୍ଥାନରେ ସମାନ ଥାଏ । ଶୀତତାପ ଯନ୍ତ୍ରଖଚିତ ବିରାଟ ବିରାଟ ଯାନବାହାନର ସରବରାହ ଯୋଗୁଁ କୌଣସି ପଦାର୍ଥ ନଷ୍ଟ ନ ହୋଇ ସତେଜ ଭାବରେ ସବୁଠାରେ ମିଳିବା ସମ୍ଭବ ହୁଏ ।

 

ସରକାରୀ ଲୋକେ ଲାଞ୍ଚଖୋର ନୁହନ୍ତି । ଦେଶୀ ଓ ବିଦେଶୀକୁ ସମାନ ବ୍ୟବହାର କରନ୍ତି । ସେମାନେ କର୍ତ୍ତବ୍ୟନିଷ୍ଠ ଓ ସହାନୁଭୂତିଶୀଳ ହୋଇଥିବାରୁ କାହାର କାମ ଅଯଥାରେ ପକାଇ ରଖି ଲୋକଙ୍କୁ ହଇରାଣ କରନ୍ତି ନାହିଁ କି କାହାକୁ ଭୟଭୀତ କରାନ୍ତି ନାହିଁ ।

 

ଆମ ଦେଶରେ ଯେପରି ଗୋଟିଏ ସହରରେ ପଶିବାମାତ୍ରେ ସରକାରୀ ଅଫିସ୍, ପୋଲିସ୍‍ ଫାଣ୍ଡି, କୋଟ୍‍ କଚେରୀ ପ୍ରଭୃତିର କୋଠାଘର ସବୁ ପ୍ରଥମେ ଆଖିରେ ପଡ଼େ ସେଠାରେ ସେପରି ନାହିଁ । କେଉଁଠି ସେ ଘର ସବୁ ରହିଛି ଜାଣିବା କଷ୍ଟ ।

 

ଆମେରିକା ଦେଶବାସୀ ପ୍ରତ୍ୟକ୍ଷ ଶାସନ ଅପେକ୍ଷା ପରୋକ୍ଷ ଶାସନକୁ ପସନ୍ଦ କରନ୍ତି-। ‘ଲିଷ୍ଟ ରୁଲ୍ ଇଜ୍ ବେଷ୍ଟ ରୁଲ’ ସରକାରୀ ଶାସନ ଯେତେ କମ୍ ଆଖିଦୃଶିଆ ହେବ, ଶାସନ କଳ ସେତିକି ଭଲ ଚାଲିବ ବୋଲି ସେ ଲୋକଙ୍କର ଦୃଢ଼ମୂଳ ଧାରଣା ରହିଛି, ତେଣୁ ସରକାରୀ କାର୍ଯ୍ୟ ତୁନ୍‍ତାନ୍ ବିନା ଆଡ଼ମ୍ୱରରେ ସାଧାରଣ ସ୍ଥାନରେ ଚାଲେ । ସହରରେ ବୁଲିଲେ ଗୋଟିଏ ହେଲେ ପୁଲିସ ଆଖିରେ ପଡ଼ନ୍ତି ନାହିଁ । ରାସ୍ତା ଛକରେ ଯାତ୍ରୀ ନିୟନ୍ତ୍ରଣ ପାଇଁ ସ୍ୱୟଂଚାଳିତ ଆଲୋକର ନିର୍ଦ୍ଦେଶ ବତି ସବୁ ଖଞ୍ଜା ହୋଇଥାଏ । ପୋଲିସ୍‍ ସବୁ ସେମାନଙ୍କ ଗାଡ଼ିରେ ରେଡ଼ିଓ ଟ୍ରାନ୍‍ସ୍‍ମିଟର ପ୍ରଭୃତି ଧରି ସାଧାରଣ ଲୋକଙ୍କ ପରି ବୁଲୁଥାଆନ୍ତି । କୌଣସିଠାରେ ଦୁର୍ଘଟନା ଘଟିଲେ ବା ଦରକାର ପଡ଼ିଲେ ସଙ୍ଗେ ସଙ୍ଗେ ଖବର ପାଇ ସେ ସ୍ଥାନରେ ମୁହୂର୍ତ୍ତକରେ ପହଞ୍ଚି ଯାଆନ୍ତି-। ସେ ଦେଶରେ କେହି କାହାରି ଉପରେ ହାକିମି ଦେଖାନ୍ତି ନାହିଁ । ମନ୍ତ୍ରୀ ଓ ଗଭର୍ଣ୍ଣରମାନେ ସାଧାରଣ ମଣିଷପରି ବିନା ଆଡ଼ମ୍ୱରରେ ରାସ୍ତାରେ ଘାଟରେ ବୁଲନ୍ତି ଓ ସଭାସମିତିକୁ ଯାଆନ୍ତି-। ଅବଶ୍ୟ ସେମାନଙ୍କୁ ଜଗିବାକୁ ପ୍ରଚ୍ଛନ୍ନରେ ଗୁପ୍ତ ପୁଲିସମାନେ ଥାଆନ୍ତି । କିନ୍ତୁ ଖୋଲାଖୋଲି ପୁଲିସ ସାଲୁଟ୍, ଫୁଲମାଳ, ଲୋକ ଗହଳି ଓ ପ୍ରୋସେସନ୍, ଅଭିନନ୍ଦନ ତୋରଣ ପ୍ରଭୃତି ନ ଥାଏ । ହାକିମ ବା ଅଫିସରମାନେ ସେ ଦେଶର ସାଧାରଣ ସେବକ ଭଳି ଆଚରଣ ଦେଖାନ୍ତି ।

 

ଇନ୍‍କମ୍ ଟିକସକୁ ସାଧାରଣତଃ ସବୁ ଦେଶର ଲୋକେ ଭୟ କରନ୍ତି । ଆୟ କରି ଖର୍ଚ୍ଚ କରି ସାରିବା ପରେ ହଠାତ୍ ଅଧିକା ଆୟକର ଦେବାକୁ ପଡ଼ିଲେ ସମସ୍ତଙ୍କର ହୃତ୍‍କମ୍ପ ହୁଏ । ଆମେରିକାରେ ଅଧିକ ଆୟ ଦୃଷ୍ଟିରୁ ପ୍ରାୟ ସମସ୍ତେ ଆୟକର ଦିଅନ୍ତି । ଆମ ପରି ପାଠପଢ଼ା ଭତ୍ତା ପାଉଥିବା ଛାତ୍ରଙ୍କୁ ମଧ୍ୟ ତାଙ୍କ ଭତ୍ତା ଉପରେ ଆୟ ଟିକସ ଦେବାକୁ ପଡ଼େ । ସେ ଦେଶରେ ଠକାଠକି ବା ମୂଲାମୂଲି ବା ଲାଞ୍ଚ ପ୍ରୟୋଗର ଆବହାୱା ନାହିଁ । ଲୋକମାନେ ନିଜେ ନିଜେ ନିୟମ ଅନୁସାରେ ହିସାବ କରି ନିଜର ଟିକସ ଫର୍ମ୍ ଓ କର ଦାଖଲ କରିଦିଅନ୍ତି ।

 

ଜଣେ ନିଜର ପରିବାର ସହିତ ଆମେରିକାରେ ରହୁ ନଥିଲେ ନିୟମ ଅନୁସାରେ ପରିବାର ପାଇଁ କର ଛାଡ଼ କରାଯାଏ ନାହିଁ । ମୁଁ ଏକୁଟିଆ ଆମେରିକା ଯାଇଥିବାରୁ ପରିବାର ଛାଡ଼ପାଇଁ କିଛି ଅର୍ଥ ନ କାଟି ବା ଦାବି ନ କରି ବର୍ଷକୁ ବର୍ଷ ନିଜେ ହିସାବ କରି ମୋର ଟିକସ ଦେଇ ଦେଉଥିଲି ।

 

ଦେଶକୁ ଫେରିବା ପୂର୍ବରୁ ଆୟକର ବାକି ନାହିଁ ବୋଲି ଖଣ୍ଡିଏ ପ୍ରମାଣପତ୍ର ଆୟକର ଅଫିସ୍‍ରୁ ନ ଆଣିଲେ ସେ ଦେଶ ଛାଡ଼ିବାକୁ ଅନୁମତି ମିଳେ ନାହିଁ । ମୁଁ ଦେଶକୁ ଫେରିବା ପୂର୍ରବୁ ଆୟକର ଅଫିସ୍ ଖୋଜି ଖୋଜି ସେଠାରେ ପହଞ୍ଚିଲି ।

 

‘‘ହସହସ ମୁହଁ ବା ସ୍ମିତ ହାସ ଛଡ଼ା ଆଉ ସବୁ ଉପରେ ଟିକସ ପଡ଼େ । ଆପଣ ଅନୁଗ୍ରହ କରି ହସ ମୁହଁରେ ଏ ଅଫିସ୍ ଭିତରେ ପ୍ରବେଶ କରନ୍ତୁ’’ ବୋଲି ସେ ଅଫିସ୍ ସାମନାରେ ଲେଖାଥିବାର ମୋର ଦୃଷ୍ଟିଗୋଚର ହେଲା । ନେଲା ବେଳକୁ ମୁହଁରେ ହସ ଫୁଟେ କିନ୍ତୁ ଦେଲାବେଳକୁ ସମସ୍ତଙ୍କ ମୁହଁ ଆପେଆପେ ଫିକା ପଡ଼ିଯାଏ । ବିଶେଷତଃ ଆୟକର ଅଫିସ୍ ଭଳି ସ୍ଥାନକୁ ପ୍ରବେଶ କଳାବେଳକୁ କଂସେଇଘରେ ପଶିବାପରି ଲାଗେ ଓ ମୁହଁଟା ମନକୁ ମନ ଗୋଦର ଗୋଡ଼ ପରି ଭାରି ହୋଇଯାଏ । ମୁଁ ବହୁ କଷ୍ଟରେ ନିଜକୁ ସଂଯତ କରି ସେ ଅଫିସ୍‍ରେ ପଶିଲି ।

 

ମୋ ଟିକସ ସହିତ ସମ୍ପୃକ୍ତ ହାକିମଙ୍କ କୋଠରୀରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ସେ ମୋତେ ଅଭିବାଦନ ଜଣାଇ ଗୋଟିଏ ଚଉକି ଆଡ଼କୁ ହାତଠାରି ବସିବାକୁ କହିଲେ । ସେ ତାଙ୍କ ଅଫିସ୍‍ରୁ ମୋ କାଗଜପତ୍ରତକ ମଗାଇ ସେ ସବୁ ପଢ଼ିସାରି କ’ଣ ସବୁ ଲେଖିଲେ । ତା’ପରେ ମୋ ଆଡ଼କୁ ମୁଣ୍ଡ ଟେକି ମୋତେ ଚାହିଁ ଅଳ୍ପ ହସିକରି କହିଲେ ‘‘ଆପଣ ଗମ୍ଭୀର ହୋଇ ଯାଉଛନ୍ତି କାହିଁକି, ଟିକିଏ ହସୁନାହାନ୍ତି !’’ ମୁଁ କହିଲି, ‘‘କରଦାତା କ’ଣ ଆୟକର ଅଫିସ୍‍ରେ ଚେଷ୍ଟା କଲେବି ହସିପାରିବ ? କିଏ ହସିଲା ନ ହସିଲା ସେଥିପାଇଁ ଆପଣ ଓ ଆପଣଙ୍କ ଅଫିସ୍ ଏତେ ବ୍ୟସ୍ତ କାହିଁକି ?’’

 

ସେ ଥଟାକଲା ଭଳି ଉତ୍ତର ଦେଲେ, ‘‘ଏଠି ଦେବା ଓ ନେବା ଦୁଇଟି କଥା ଅଛି । ଦେଲେ ସିନା ହସନ୍ତି ନାହିଁ, ନେଲେ ତ ହସନ୍ତି । ଆପଣ ନେବେ, ତେଣୁ ଏଥର ହସନ୍ତୁ ।’’

 

ସେ ମୋତେ କହିଲେ, ‘‘ପରିବାର ସହିତ ଏ ଦେଶରେ ବାସ କରୁ ନଥିଲେ ଏ ଦେଶର ପରିବାର ପାଇଁ କର ଛାଡ଼ ମିଳେ ନାହିଁ । କିନ୍ତୁ ଆପଣଙ୍କ ପରି ପାଠ ପଢ଼ିବାକୁ ଆସିଥିବା ଏ ଦେଶର ଅତିଥି, ତାଙ୍କ ସ୍ତ୍ରୀଙ୍କୁ ପୃଥିବୀର ଯେଉଁ କଣରେ ଛାଡ଼ି ଆସିଥିଲେବି ତାଙ୍କର ଭରଣପୋଷଣ ଦାୟିତ୍ୱ ଆପଣଙ୍କ ଉପରେ ରହୁଥିବାରୁ ତାଙ୍କପାଇଁ ଆୟକର ଟିକସ ଛାଡ଼ ମିଳେ । ଆପଣ ସେଥିପାଇଁ ଦାବି ନ କରି ଅଧିକା କର ଦେଇଥିବାରୁ ସେ ସବୁ ଆପଣଙ୍କୁ ଫେରାଇ ଦେବାପାଇଁ ଜମା ହୋଇ ରହିଛି । ସେତକ ଆପଣ ଫେରିପାଇବେ ।’’

 

ମୁଁ କହିଲି, ‘‘ମୁଁ ତ ଶୀଘ୍ର ଦେଶକୁ ଫେରିଯିବାକୁ ଟିକସ ବାକି ନ ଥିବା ପ୍ରମାଣପତ୍ର ନେବାପାଇଁ ଆସିଛି । ଅଳ୍ପଦିନ ଭିତରେ ଏ ଦେଶ ଛାଡ଼ି ଚାଲିଯିବି । ଆପଣଙ୍କ ଅଫିସ୍‍କୁ ତ ସରକାରୀ ପ୍ରଣାଳୀରେ ସେ ଅର୍ଥ ଫେରାଇବାକୁ ନିଶ୍ଚୟ କିଛିଦିନ ସମୟ ଲାଗିବ । ମୋତେ ଆଉ ସମୟ କେଉଁଠୁଁ ମିଳିବ ଯେ ମୁଁ ପୁଣି ଆସି ସେ ବଳକା ଟଙ୍କା ଫେରାଇ ନେଇ ପାରିବି ?’’

 

ସେ କହିଲେ, ‘‘ଆପଣ ଏ ଦେଶରେ ଥିବା ନ ଥିବାରେ କିଛି ଯା-ଆସ ନାହିଁ । ଆପଣ ଆପଣଙ୍କ ଦେଶରେ ଯେଉଁ ବ୍ୟାଙ୍କ୍‍ରେ ଟଙ୍କା କାରବାର କରନ୍ତି ତା’ର ଠିକଣାଟା ଦେଇ ଯାଆନ୍ତୁ । ଆପଣ ଯାଇ ଆପଣଙ୍କ ଦେଶରେ ପହଁଚିବା ପୂର୍ବରୁ ଏ ଟଙ୍କାଟା ସେଠାରେ ଆପଣଙ୍କ ନାମରେ ଆପଣଙ୍କ ଖାତାରେ ଜମାହୋଇ ଯାଇଥିବ ।’’ ମୁଁ ତାଙ୍କ କଥା ଶୁଣି ମନେମନେ ଭାବିଲି, ସରକାରଙ୍କ ହାତକୁ ଟଙ୍କା ଗଲେ ସେ କ’ଣ ଆଉ ସହଜରେ ଫେରିପାରେ ! ଏ ଭଦ୍ରଲୋକ କେବଳ ମୋତେ ଖୁସିକରି ଛାଡ଼ିବାକୁ ଏପରି କହୁଛନ୍ତି । ଯାହାହେଉ ମୋର ପ୍ରମାଣପତ୍ରଟି ଧରି ତାଙ୍କୁ ଧନ୍ୟବାଦ ଦେଇ ମୁଁ ସେଠାରୁ ବିଦାୟ ନେଲି । ମୁଁ ବାଟଯାକ ବିଚାରିଲି, ଆମ ଦେଶରେ ସରକାରୀ ତହବିଲରୁ ଟଙ୍କା ପୁଣି ଫେରିପାଇବା କେଡ଼େ କଷ୍ଟ । ସେଥିପାଇଁ କେତେଥର ଦଉଡ଼ି କେତେ ଖର୍ଚ୍ଚାନ୍ତ ହେବାକୁ ପଡ଼େ । ଶେଷ ପର୍ଯ୍ୟନ୍ତ କେତେ କାହାକୁ ଅଣ୍ଟାଗୁଞ୍ଜା ଦେବାକୁ ପଡ଼େ । ସରକାର ଘରୁ ଟଙ୍କା ଫେରିପାଇବା ଉଷୁନା ଧାନ ଗଜା ହେବା ସଙ୍ଗେ ସମାନ । କିନ୍ତୁ ଆଶ୍ଚର୍ଯ୍ୟର କଥା, ମୁଁ କଟକ ଫେରିଆସି ଦେଖିଲି ସେ ଟଙ୍କା ଅକ୍ଷତ ଭାବରେ ଆସି ମୋ ବ୍ୟାଙ୍କ୍‍ରେ ମୁଁ ଫେରିବା ଆଗରୁ ପହଁଚି କିଛି ସୁଧ ମଧ୍ୟ ଲାଭ କରିଛି । ଏ କଥା ମଧ୍ୟ ମତେ ନୂଆପରି ଲାଗିଲା ।

Image

 

ଫେରନ୍ତା ବାଟ (ଆଦିପର୍ବ)

ମନର ଢେଉ

 

ଅନେକ ଦିନ ବିଦେଶରେ ରହଣି ଭିତରେ ମଝିରେ ମଝିରେ ଘର ଓ ଆତ୍ମୀୟସ୍ୱଜନ ମନେ ପଡ଼ିବା ସ୍ୱାଭାବିକ । ଏକୁଟିଆ ଥିଲାବେଳେ ବେଳେବେଳେ ମନର ଭାବ ଆପେଆପେ କବିତାରେ ରୂପ ନିଏ । ଦିନେ ଟେନେସୀ ନଦୀରେ ସନ୍ଧ୍ୟାବେଳେ ନୌକାବିହାର କଲାବେଳେ ମହାକବି କାଳିଦାସଙ୍କ ମେଘଦୂତର ଯକ୍ଷ ସଙ୍ଗେ ଆଧୁନିକ ପ୍ରବାସୀ ଛାତ୍ରକୁ ତୁଳନା କରି କାଳିଦାସଙ୍କୁ ସମ୍ୱୋଧନ କରି ଏ କବିତାଟି ଆତ୍ମପ୍ରକାଶ କରିଥିଲା ।

 

ହେ କବି କାଳିଦାସ !

ପାରିବ କି ବୁଝି, ଦୂର ପ୍ରାନ୍ତେ

ସଭ୍ୟତାର ଏ କୁବେରପୁରେ

କିସଭାବେ ଯୁବ ହୃଦ-

ଛାଡ଼ି ତା’ ମାନସୀ ଅସହାୟା ଦୂରେ !

ହେ କବି ଅମର !

ଶ୍ୟାପେ ଯକ୍ଷ ଭୋଗୁଥିଲେ ବନ୍ଧନର ଦାଉ

ନଥିଲା ତ ପେଟଚିନ୍ତା

ଫେରି ପ୍ରିୟା ପାଶେ, ଭାବିବାକୁ ଆଉ

ଜ୍ଞାନ ଅଭିଳାଷ,

ଉନ୍ନତ ଜୀବନ ଆଶା ନଥିଲା ତ ଘାରି

ଏବେ, ବହୁ ତପ କରି

ନବ-ଯକ୍ଷ ବନ୍ଦୀତ୍ୱକୁ ନିଜେ ନିଏ ବରି

ହେ ଅମର କବେ !

ମରଦେହେ ଥରେ ଆସି ଦେଖି ଯାଅ ଏବେ

ଏ ତରୁଣପାଇଁ, ସେ ସ୍ୱର୍ଗ ପ୍ରେମପିପାସା ପ୍ରହେଳିକା ଭବେ ।

 

ଏପରି ଭାବନା ସବୁ ମନରେ ଉଦ୍ରେକ ହୋଇ ଶୀଘ୍ର ଦେଶକୁ ଫେରିଯିବାକୁ ପ୍ରବଳ ଇଚ୍ଛା ହୁଏ । ସମୟ ଗଡ଼ି ଚାଲିଲା । ସତକୁସତ ଯେତେବେଳେ ସେ ବିଦ୍ୟାପୁରୀକୁ ବିଦାୟ ଦେଇ ଘରକୁ ଲେଉଟିବାର ସମୟ ଆସିଲା ସେତେବେଳେ ମନଟା କିମିତି କିମିତି ଲାଗିଲା ।

 

ବିଦାୟବେଳେ ମୋ ଅଧ୍ୟାପକ କହିଲେ, ‘‘ତୁମେ ଯେଉଁ ଗବେଷଣାରେ ହାତ ଦେଇଛ ତାହା କେବଳ ଡିଗ୍ରୀଟିଏ ପାଇଗଲେ ସରିଯିବାର ନୁହେଁ, ଜୀବନଯାକ ଲାଗି ଗବେଷଣା କରୁଥିଲେ ମଧ୍ୟ ସେ ସରିବ ନାହିଁ; ନୂତନ ନୂତନ ତଥ୍ୟ ବାହାରୁଥିବ । ମାନବ ଜାତିର ମଙ୍ଗଳପାଇଁ ତୁମକୁ ସେ ଗବେଷଣା ଲଗାଇ ରଖିବାକୁ ହେବ ।’’

 

ମୁଁ ଭାବିଲି ଦେଶକୁ ଫେରି ମୋର ଯେ ପରିସ୍ଥିତି, ସେଥିରେ ମୁଁ ଆଉ କି ଗବେଷଣା କରିବି ! ଅନ୍ନଚିନ୍ତା ଚମତ୍କାରୀ ହୋଇ ଦେଖାଦେବ । ସୁବିଧାରେ ଚାକିରିଟିଏ ବା ଅନ୍ୟ କର୍ମପନ୍ଥା ମିଳିବା ମଧ୍ୟ ଅସମ୍ଭବ ହୋଇ ଉଠିପାରେ । ଆଧୁନିକ ଗବେଷଣାଗାରର ସୁବିଧା କେଉଁଠୁଁ ମିଳିବ-?

 

ଶେଷରେ ବର୍ଷ ବର୍ଷର ସମସ୍ତ ସ୍ମୃତିକୁ ପଛରେ ପକାଇ ଛଳଛଳ ଆଖିରେ ସହକର୍ମୀ ଓ ବନ୍ଧୁମାନଙ୍କଠାରୁ ବିଦାୟ ନେଇ ମୁଁ ବର୍ମିଂହାମ ଛାଡ଼ି ଅନିର୍ଦ୍ଦିଷ୍ଟ ଭବିଷ୍ୟତ ଉଦ୍ଦେଶ୍ୟରେ ବାହାରିଲି । ମୋତେ ଷ୍ଟେସନ୍‍ରେ ଛାଡ଼ିବାପାଇଁ ମୋର ଓଡ଼ିଆ ବନ୍ଧୁ ଉଦୟ ଆସିଥିଲେ । ତାଙ୍କୁ କୌଣସି ଡିଗ୍ରୀ ମିଳି ନ ଥାଏ, ପାଠପଢ଼ା ସରି ନ ଥାଏ । ସେ ମୋତେ କହିଲେ, ତୁମ ପାଠପଢ଼ା ସରିଲା, ବର୍ତ୍ତମାନ ଏଠାରେ ତୁମକୁ ବହୁତ ଟଙ୍କାର ଚାକିରି ମିଳନ୍ତା । ତୁମେ କିଛିଦିନ ରହି ଟଙ୍କା ରୋଜଗାର କରି କିଛି ଟଙ୍କା ସାଙ୍ଗରେ ଧରି ଗଲେ ଭଲ ହୁଅନ୍ତା । ମୋରବି ପାଠ ସରିଯାଇ ଥାଆନ୍ତା, ବର୍ଷେ ଦୁଇବର୍ଷ ପରେ ଦୁହେଁ ଏକା ସଙ୍ଗେ ଦେଶକୁ ଫେରିପାରନ୍ତେ । ମୋରବି ବୋଉ ମନେ ପଡ଼ୁଛି । ତୁମେ ଚାଲିଗଲେ ମୋତେ ବଡ଼ ଏକୁଟିଆ ଲାଗିବ । ଏହା କହୁକହୁ ତାଙ୍କ ଆଖିରୁ ଦୁଇଟୋପା ଲୁହ ଗଡ଼ି ପଡ଼ିଲା । କିନ୍ତୁ ତାଙ୍କ ଅନୁରୋଧ ରକ୍ଷା କରିବାକୁ ଆଉ ବେଳ ନଥିଲା ।

 

ସେତେବେଳକୁ ଗାଡ଼ିଆସି ପ୍ଲାଟ୍‍ଫର୍ମ୍‍ରେ ଲାଗି ଯାଇଥିଲା । ମୁଁ ନୀରବରେ ଯାଇ ଗାଡ଼ିରେ ବସିଲି ଓ ହାତ ହଲାଇ ଦୁଃଖରେ ତାଙ୍କୁ ବିଦାୟ ଦେଲି । ମୁଁ ଦେଶକୁ ଲେଉଟିବା ପରେ ଶୁଣିଲି ତାଙ୍କ ‘ମା’ ଚାଲିଗଲେ । ସେଥିରେ ଯେପରି ତାଙ୍କର ଦେଶ ସହିତ ସମ୍ୱନ୍ଧ କଟିଗଲା । ସେ ପାସ୍‍ କରିବାପରେ ସେ ଦେଶରେ ଚାକିରି କଲେ, ଆଉ ଦେଶକୁ ଫେରିଲେ ନାହିଁ । ଏବେ ସେ ସେଇ ଦେଶର ଜଣେ ବାସିନ୍ଦା । ମୁଁ ତାଙ୍କ କଥାରେ ରହିଯାଇଥିଲେ ପିତାଙ୍କର କାଳ ହୋଇଯିବା ଶୁଣିଥିଲେ, ହୁଏତ ଆଉ ଏ ଦେଶକୁ ନ ଫେରି ସେଠାରେ ବାସିନ୍ଦା ହୋଇ ରହି ଯାଇଥାଆନ୍ତି ।

 

ମୁଁ ଚାଟାନୁଗାରେ କିଛି ସମୟ ରହିବା ପରେ ସେଠାର ବନ୍ଧୁମାନଙ୍କଠାରୁ ବିଦାୟ ନେଇ, ଫିଲାଡ଼େଲଫିଆ, ୱାସିଙ୍ଗ୍‍ଟନ ପ୍ରଭୃତି ସହର ବୁଲି ବୁଲି ଶେଷରେ ନିଉୟର୍କ ମହାନଗରୀରେ ପହଞ୍ଚିଲି ।

 

ନିଉୟର୍କର ୧୦୫ ମହଲା ବିଶିଷ୍ଟ ପୃଥିବୀର ବୃହତ୍ତମ ଅଟ୍ଟାଳିକା ଏମ୍ପାଏରଷ୍ଟେଟ ବିଲ୍ଡ଼ିଂ ଉପରେ ଠିଆହୋଇ ସେ ମହାନଗରୀର ଚତୁର୍ଦ୍ଦିଗରେ ଆଖି ବୁଲାଇ ବିଜ୍ଞାନ ହାତରେ ଗଢ଼ା ଆଧୁନିକତାର ଦୃଶ୍ୟ ଦେଖୁଦେଖୁ ମନରେ କେତେ ପ୍ରକାର ଭାବ ଜାତ ହେଲା ।

 

ସହରର ନଭଶ୍ଚୁମ୍ୱୀ ଅଟ୍ଟାଳିକା ସମୂହ ଓ ନିମ୍ନ ରାସ୍ତାରେ ପିମ୍ପୁଡ଼ି ପରି ଅବିରତ ଦଉଡ଼ୁଥିବା ମୋଟର ଗାଡ଼ି ଓ ଯାନବାହନ ସବୁର ଦୃଶ୍ୟ ଦେଖି ପିଲାଦିନ ପୁରୀ ସମୁଦ୍ର କୂଳର ବାଲିଖେଳର ଘର ଓ କ୍ଷୁଦ୍ର କଙ୍କଡ଼ାମାନଙ୍କର ଦଉଡ଼ିବା ଦୃଶ୍ୟ ମନେ ପଡ଼ିଗଲା । ମୁଁ ଭାବିଲି, ଏ ସମସ୍ତ କୋଠାବାଡ଼ି ଓ ଏହା ଭିତରର ବିଜ୍ଞାନଗଢ଼ା ସଭ୍ୟତା ପ୍ରକୃତିର ସାମନାରେ କି ନଗଣ୍ୟ ! ଥରେ ଝଡ଼ତୋଫାନ ବା ଭୂମିକମ୍ପ ହେଲେ ବା ପୃଥିବୀର ପୃଷ୍ଠ ପରିବର୍ତ୍ତନ ହେଲେ ସେ ସବୁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ହୁଏତ ମୁହୂର୍ତ୍ତକରେ ଅତଳ ସାଗର ଗର୍ଭରେ ଲୀନ ହୋଇଯିବ । ସେପରି ନ ହୋଇ ଗୋଟିଏ ଉଦ୍‍ଯାନ ବୋମାରେ ମନୁଷ୍ୟର ଧ୍ୱଂସକାରୀ ପ୍ରକୃତିର କ୍ରୀଡ଼ାନକ ହୋଇ ଶେଷରେ ପିଲାଟିର ଗୋଇଠାରେ ବାଲିଘର ଭାଙ୍ଗି ଗଲାପରି ସବୁ ଧୂଳିସାତ୍ ହୋଇ ମନୁଷ୍ୟର ବୈଜ୍ଞାନିକ ଗର୍ବଦମ୍ଭ ସବୁ ମିଳେଇ ଯିବ ।

 

ଏପରି ଭାବୁ ଭାବୁ ପିଲାଦିନର ଗୋଟିଏ କଥା ମନେ ପଡ଼ି ମୋତେ ହସ ମାଡ଼ିଲା । ମୁଁ ଭାବିଲି, ସୌନ୍ଦର୍ଯ୍ୟ ଦେଖୁଦେଖୁ ମୁଁ କୁଆଡ଼ୁ କ’ଣ ଭାବି ଯାଉଛି ! ବିରାଟ ଅଟ୍ଟାଳିକା ସବୁକୁ ବାଲିଘର ସଙ୍ଗେ ମନେମନେ ତୁଳନା କରୁଛି !

 

ସେ ଘଟଣାଟି ହେଲା ହିମାଳୟ ପର୍ବତର କଟିଦେଶରେ ଥିବା ସିମଳା ମହାନଗରୀରେ ଜଣେ ମହାନ୍ ଓଡ଼ିଆ ପଣ୍ଡିତ ସେ ରହୁଥିବା ଘରର ବାରଣ୍ଡାରେ ଠିଆ ହୋଇ ତାଙ୍କର କବିସୁଲଭ ଗୁଣରେ ତନ୍ମୟ ହୋଇ ହିମାଳୟର ପ୍ରାକୃତିକ ଦୃଶ୍ୟ ଦେଖୁଥିଲେ । ସେଠାରେ ମେଘଗୁଡ଼ିକ ଅଳ୍ପ ଉଚ୍ଚରେ ଭାସୁଥାଏ ଓ ବେଳେବେଳେ ଘର ଭିତରକୁ ଭାସିଆସେ । ପଶମ ବା ଗରମ ଜିନିଷରେ ଲାଗିଲେ ତା’ର ଜଳକଣାଗୁଡ଼ିକ ଘନୀଭୂତ ହୋଇ ସୂକ୍ଷ୍ମ ଜଳବିନ୍ଦୁରେ ପରିଣତ ହୁଏ ।

 

ପଣ୍ଡିତଜୀଙ୍କର ଦୀର୍ଘ ଶ୍ମଶ୍ରୁ ଓ ଘୋଡ଼ାଇ ହୋଇଥିବା କମଳର ରୁମରେ ଜଳକଣାଗୁଡ଼ିକ ଜକଜକ ହୋଇ ମୁକ୍ତାବିନ୍ଦୁ ପରି ଝଲସୁ ଥାଏ । ସେତିକିବେଳେ ତାଙ୍କ ସହଧର୍ମିଣୀ ଘରଭିତରୁ ଆସି ତାଙ୍କୁ କହିଲେ, ‘‘ଏଡ଼ିକି ଥଣ୍ଡାରେ ବାହାରେ ଠିଆ ହୋଇ କ’ଣ କରୁଛ, ଦେହ ମୁଣ୍ଡଯାକ ଟୋପା ଟୋପା ପାଣି ଲାଗିଲାଣି, ସର୍ଦି ଧରିବ, ଭିତରକୁ ଆସ ।

 

ସେ ସବୁ ଶୁଣି, ନ ଶୁଣିଲା ପରି ହୋଇ ପଣ୍ଡିତଜୀ କହିଲେ ‘‘ଦେଖୁଛ, ଏ ହିମାଳୟ ଶୁଭ୍ର ତୁଷାରରେ ଆଚ୍ଛାଦିତ ହୋଇ କିପରି ଅତୁଳନୀୟ କମନୀୟ କାନ୍ତି ଧରିଛି ! ପ୍ରକୃତି ରାଣୀର ଏପରି ଧବଳ ଶାନ୍ତ ପରିବେଶ କେବେ ଦେଖିଛ ?’’

 

ତା’ର ଉତ୍ତରରେ କବିପତ୍ନୀ କହିଲେ, ‘‘ହଉ ହଉ, ସେ କବିପଣିଆଗୁଡ଼ାକ ରଖ । କ’ଣ ଗୋଟେ ଅଧିକା ଦିଶୁଚି ? ଆପ ବାଡ଼ିଆଡ଼େ ବର୍ଷାଦିନେ ଛତୁ ଫୁଟିଲା ହୁଙ୍କା ପରି ତ ଦିଶୁଚି । କିଏ କାହିଁକି ଏ ଦୃଶ୍ୟ ଦେଖି ନ ଥିବ ? ଆସ ଆସ, ଥଣ୍ଡା ଧରିବ ଭିତରକୁ ଆସ ।’’ ସେ କଥା ଶୁଣି ‘‘ଅରସିକେସୁ ରସସ୍ୟ ନିବେଦନଂ ମାଲିହ ମାଲିହ ମାଲିହ’’ ବୋଲି କହି ହସି ହସି ତାଙ୍କ ପଛେ ପଛେ ଘର ଭିତରକୁ ପ୍ରବେଶ କରିଥିଲେ ।

 

ବନ୍ଧୁ ମିଳନ

 

ନିଉୟର୍କରେ କେତେଗୁଡ଼ିଏ ପୂର୍ବତନ ବନ୍ଧୁଙ୍କ ସଙ୍ଗେ ଦେଖାହେଲା । ଚାଟାନୁଗା ହସ୍‍ପିଟାଲରେ ମୋ ସଙ୍ଗେ କାମ କରୁଥିବା ଜେରାଲ୍‍ଡ଼ ଫାଇନ ନାମକ ଜଣେ ଇହୁଦୀ ଡାକ୍ତର ଗୋଟିଏ ଖ୍ରୀଷ୍ଟିଆନ ରମଣୀର ପାଣିଗ୍ରହଣ କରିଥିବାରୁ ତାଙ୍କ ଲୋକଙ୍କଦ୍ୱାରା ଏକଘରକିଆ ଓ ଅପମାନିତ ହୋଇ ସେ ଅଞ୍ଚଳ ଛାଡ଼ି ତାଙ୍କ ସ୍ତ୍ରୀଙ୍କ ସଙ୍ଗେ ଆସି ନିଉୟର୍କରେ ଚାକିରି କରୁଥିଲେ । ମୁଁ ସେଠାକୁ ଆସିଥିବା ଖବର ପାଇ ସେ ତାଙ୍କ ସହଧର୍ମିଣୀଙ୍କ ସହିତ ଆସି ମୋ ସଙ୍ଗେ ଦେଖା କଲେ ।

 

ଲୁପ୍‍ଟନ ହଷ୍ଟେଲ୍‍ର ମୋର ପୂର୍ବ ବନ୍ଧୁ ଡାକ୍ତର ଗ୍ରୀନ୍ ବିବାହର ଅଳ୍ପଦିନ ପରେ ତାଙ୍କର ପରମା ସୁନ୍ଦରୀ ସ୍ତ୍ରୀଙ୍କୁ ଘେନି ନିୟୁୟର୍କ ଆସିଥିଲେ । ଦୁର୍ଭାଗ୍ୟବଶତଃ ତାଙ୍କ ସ୍ତ୍ରୀଙ୍କ ଗୋଡ଼ରେ ସାର୍କୋମା ନାମକ କର୍କଟରୋଗ ଦେଖାଦେବାରୁ ବିଶେଷଜ୍ଞଙ୍କ ପରାମର୍ଶରେ ସେ ଗୋଡ଼ଟି କାଟି ଦିଆଯାଇଥିଲା । ମୁଁ ସେମାନଙ୍କୁ ଦେଖାକରି ମୋର ସମବେଦନା ଜଣାଇଲି । ହାସ୍ୟରସିକ ଗ୍ରୀନ୍‍ଙ୍କର ଆଉ ସେ ହସଖୁସି ଭାବ ନାହିଁ ଓ ଏହି ଦୈବୀ ଆଘାତରେ ସେ ଏକବାରକେ ଦବି ଯାଇ ଗମ୍ଭୀର ପାଲଟି ଯାଇଛନ୍ତି ।

 

ମୋର ଅନ୍ୟ ଓଡ଼ିଆ ବନ୍ଧୁ ଗାନ୍ଧୀ (ଡାକ୍ତର ଆଦିତ୍ୟ ନାରାୟଣ ବର୍ମା) ତାଙ୍କର ଆମେରିକାନ୍ ସ୍ତ୍ରୀ ଓ ଶାଶୁଙ୍କ ସହିତ ମୋତେ ଦେଖିବାକୁ ଆସୁ ଆସୁ ଗାଡ଼ି ଖରାପ ହେବାରୁ ବାଟରେ ଅଟକି ଯାଇ ଫୋନ୍ କଲେ । ମୁଁ ତାଙ୍କ ନିକଟକୁ ଗଲି । ସେ ତାଙ୍କ ସ୍ତ୍ରୀ ଓ ଶାଶୁଙ୍କୁ ମୋ ସଙ୍ଗେ ଭେଟ କରାଇସାରି ସେମାନଙ୍କୁ ଟ୍ରେନ୍‍ରେ ଚଢ଼ାଇ ବିଦାୟ ଦେଲେ । ଆମେ ଦୁଇବନ୍ଧୁ ବହୁରାତ୍ରି ପର୍ଯ୍ୟନ୍ତ ବଜାର ବୁଲି ବୁଲି ମଧୁର ଆଳାପରେ ସମୟ କଟାଇ ପରସ୍ପରଠାରୁ ବିଦାୟ ନେଲୁ । ସେ ରୋମରେ ରୋମାନ ହୋଇ ଚଳିବାପାଇଁ ମୋତେ ମୁଁ ଆମେରିକା ଆସିଲାବେଳେ ଯେଉଁ ସୂଚନା ଦେଇଥିଲେ ସେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରି, ଆମେରିକା ଝିଅ ବାହାହୋଇ ନିଜର ନାମକୁ ବଦଳାଇ ଏ ଆଡ଼ିସନ ବର୍ମନ କରି ନିଜକୁ ସେ ଦେଶର ପରିସ୍ଥିତି ସଙ୍ଗେ ପୂରା ମିଳାଇ ଦେଇଥିବାରୁ ଆଭାସ ପାଇଲି ।

 

ପାରମ୍ପରିକ ସାଧୁତା

 

ପରଦିନ ସକାଳେ ଜଳଯାତ୍ରା ପାଇଁ ନିୟୁୟର୍କ ବନ୍ଦରକୁ ଆସି ମୋ ଯାତ୍ରାପାଇଁ ଆଗରୁ ବନ୍ଦୋବସ୍ତ ହୋଇଥିବା ‘ସେଭେନସିଜ୍’ ନାମକ ଜାହାଜ ନିକଟରେ ପହଞ୍ଚିଲି । ସେ ଗୋଟିଏ ‘ଟୁରିଷ୍ଟ’ ବା ୟୁରୋପ ଭ୍ରମଣପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ଜାହାଜ । ସେଥିରେ ବାରଶହରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଗ୍ରୀଷ୍ମ ଅବକାଶଟି ୟୁରୋପ ଭ୍ରମଣରେ କଟାଇବାପାଇଁ ସେଥିରେ ଇଂଲଣ୍ଡ ଯାତ୍ରା କରୁଥାଆନ୍ତି । ସେମାନଙ୍କର ପିତା, ମାତା, ବନ୍ଧୁବାନ୍ଧବ ପ୍ରଭୃତି ବହୁ ଲୋକ ବନ୍ଦରର ପ୍ଲାଟ୍‍ଫର୍ମ୍ ପର୍ଯ୍ୟନ୍ତ ସେମାନଙ୍କୁ ପାଛୋଟିବାକୁ ଆସିଥିଲେ । କେତେ କୋଳାକୋଳି ରଙ୍ଗନେଳି କାଗଜ ଓ ଫୁଲତୋଡ଼ା ଫିଙ୍ଗାଫିଙ୍ଗି ଚାଲିଲା ।

 

ମୁଁ ମୋର ନଅଟିଯାକ ବାକ୍‍ସ ଓ ପେଟି ଆଗରୁ ବର୍ମିଂହାମର ଗୋଟିଏ ମାଲ ସରବରାହ କମ୍ପାନୀ ହାତରେ ଜାହାଜରେ ପଠାଇବା ପାଇଁ ଦେଇଥିଲି । ସେ ସବୁ ଦେଲାବେଳେ ବାକ୍‍ସ ସବୁ ଖୋଲି ଜିନିଷପତ୍ର ସବୁ କଷ୍ଟମ୍‍ଦ୍ୱାରା ତଦାରଖ କରାଇବା ପାଇଁ ସେ ଚାବିତକ ଚାହିଁବାରୁ ସେ ସବୁ ଚାବି ମଧ୍ୟ କମ୍ପାନୀ କର୍ମଚାରୀଙ୍କୁ ଦେଇଥିଲି । ମୋର ଆମେରିକା ରହଣି କାଳରେ ସଂଗ୍ରହ କରିଥିବା ସମସ୍ତ ବ୍ୟବହାର୍ଯ୍ୟଜିନିଷ, ବହିପତ୍ର ଓ ଦେଶକୁ ନେଉଥିବା ଉପହାର ସାମଗ୍ରୀ ପ୍ରଭୃତି ସେଥିରେ ଥିଲା । ମୁଁ ବନ୍ଦରରେ ସେ ସବୁ ଜିନିଷର ସନ୍ଧାନ ନେଲି କିନ୍ତୁ କେଉଁଠି ପାଇଲି ନାହିଁ । ସେ କମ୍ପାନୀର ଲୋକଙ୍କୁ ମଧ୍ୟ ଦେଖିଲି ନାହିଁ । ମୋର ଛାତି ଧୁଡ଼୍‍ଧୁଡ଼୍ ହେଲା ।

 

ଜାହାଜକୁ ଯାଇ ଯାତ୍ରୀମାନଙ୍କ ସାଇତା ମାଲର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମୋ ଜିନିଷପତ୍ର ବିଷୟ ପଚାରିଲି । ସେ କହିଲେ, କମ୍ପାନୀ ହାତରେ ପଠାଇଥିଲେ ସେ ସବୁ ଆଣି କମ୍ପାନୀ ନିଶ୍ଚୟ ଜାହାଜରେ ଦେଇଥିବେ ଓ ସେ ସବୁ ଭଣ୍ଡାରଘରକୁ ଚାଲିଯିବଣି । ବର୍ତ୍ତମାନ ଭଣ୍ଡାର ଘର ଆଉ ଖୋଲିବ ନାହିଁ । ଜାହାଜ ଚାଲିବା ପରେ ଭଣ୍ଡାର ଘର ଖୋଲିବ ଓ ତୁମେ ତୁମର ଜିନିଷପତ୍ର ଦେଖି ପାରିବ ।’’ ମୁଁ ସେସବୁ ସଙ୍ଗେ ସଙ୍ଗେ ଦେଖିବାକୁ କହିବାରୁ ‘‘ତୁମେ କାହିଁକି ଦେଖିବାକୁ ଚାହୁଁଚ’’ ବୋଲି ସେ ପ୍ରଶ୍ନ କଲେ । ମୁଁ କହିଲି, ‘‘ସେ ସବୁ ଆସିଛି କି ନାହିଁ, ତା’ପରେ ସେଥିରୁ କାଳେ କ’ଣ ହଜି ଯାଇଥିବ, ମୁଁ ଟିକିଏ ଦେଖିନେଲେ ମୋର ସନ୍ଦେହ ତୁଟି ଯାଆନ୍ତା ।’’ ସେ ଆଶ୍ଚର୍ଯ୍ୟ ହୋଇ କହିଲେ ‘ହଜି ଯାଇଥିବ ! ଏ କଥା କ’ଣ ସମ୍ଭବ ! କାହାର ତ କେବେ ଏପରି ହଜି ନାହିଁ, ଯଦି ହଜିଯିବ ତେବେ ସେମାନେ ତୁମକୁ ଦେବେ ଆଉ ତୁମର ହଜିବା କଥାବି ତୁମ ନାଁ ସହିତ ସ୍ୱର୍ଣ୍ଣ ଅକ୍ଷରରେ ଲେଖାହୋଇ ରହିବ ।’’ ଏହା କହି ସେ ମୋ ପିଠିରେ ହାତ ମାରି ଠୋଠୋ କରି ହସି ଉଠିଲେ ।

 

ମୁଁ ଭାବିଲି, ସେ ବାକ୍‍ସ ସବୁରେ ମୋର ଯଥାସର୍ବସ୍ୱ ରହିଛି, ତା’ର ଚାବିଟିଏବି ମୋ ପାଖରେ ନାହିଁ । ତଥାପି ସବୁ ଶୁଣି ଏ ଲୋକଟା ମୋତେ ଥଟାକରି ହସୁଚି ? ମୁଁ ବାଧ୍ୟ ହୋଇ ତୁନି ରହିଲି । ସାତଦିନ ଜାହାଜ ଚାଲିଲାପରେ ଭଣ୍ଡାର ଘର ଖୋଲାହେଲା । ମୁଁ ଦେଖିଲା ବେଳକୁ ଗୋଟିଏ ସ୍ଥାନରେ ମୋ ଜିନିଷଗୁଡ଼ିକ ସଜାହୋଇ ରଖାଯାଇଛି, ତାଲାଗୁଡ଼ିକ ପାଖରେ ଚାବିଗୁଡ଼ିକ ଝୁଲୁଚି । ଗୋଟିଏ ହେଲେ ଜିନିଷ ହଜିନାହିଁ କି ଏପଟ ସେପଟ ହୋଇନାହିଁ । ମୁଁ ମନେମନେ ସେ ଦେଶକୁ ଧନ୍ୟବାଦ ଦେଲି ।

 

ଆମେରିକାରେ ବଡ଼ବଡ଼ ଚୋରି ଡକାୟତି କଥା ଖବରକାଗଜରେ ବାହାରେ । ବ୍ୟାଙ୍କ୍ ଡକାୟତି, ବଡ଼ବଡ଼ ମଟର ଗାଡ଼ି ଚୋରି କଥା ଶୁଣା ଅଛି । କିନ୍ତୁ ଛୋଟ ଛୋଟ ଚୋରି ପ୍ରାୟ ଅଜଣା । ମୁଁ ହସ୍‍ପିଟାଲର ବିଶ୍ରାମଗାର ଟେବୁଲ ଉପରେ ପାଞ୍ଚ ଡଲାର ନୋଟ୍ ରଖି ଦିନ ଦିନ ଧରି ଅପେକ୍ଷା କରିଛି, ସେ ନୋଟ୍ କେହି ଛୁଇଁ ନାହାନ୍ତି । ସେ ସେହିପରି ସେଠାରେ ଥୁଆ ହୋଇ ରହିଥାଏ । ଧୋବାପାଇଁ, ଦୋକାନୀପାଇଁ ଆମେ ବାହାରେ ଟଙ୍କା ରଖି ଯାଉ । ସେମାନଙ୍କ ଛଡ଼ା ଆଉ ତାକୁ କେହି ଗ୍ରହଣ କରନ୍ତି ନାହିଁ । ଧୋବା ମଧ୍ୟ ଆମର ଲୁଗା ସଫା କରିସାରି କୋଠରୀ ଦୁଆରେ ରଖି ଦେଇଯାଏ ଓ ଆମେ ରଖିଥିବା ମଇଳା ଲୁଗା ନେଇଯାଏ । ଆମେ ଧୋବାକୁ କେବେ ନ ଦେଖିଲେ ମଧ୍ୟ ଲୁଗାପଟାରେ କୌଣସି ଗୋଳମାଳ ହୁଏ ନାହିଁ ।

 

ଛାତ୍ର ସମାବେଶ

 

ଜାହାଜ ଭିତରେ ଶହ ଶହ ସ୍କୁଲ୍‍ କଲେଜ, ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଏଣେତେଣେ ବୁଲୁଥାଆନ୍ତି । ଜଣଙ୍କୁ ଦେଖି ଆଜି ଚିହ୍ନାପରିଚୟ ହେଲେ ଆଉ ଦୁଇ ଚାରିଦିନ ପର୍ଯ୍ୟନ୍ତ ତା’ର ଦେଖା ମିଳିବା କଷ୍ଟ ।

 

ନାନାପ୍ରକାର ଆଲୋଚନା, ସଭା ସମିତି ଓ କ୍ଲାସ୍ ସବୁ ଚାଲିଥାଏ । ପିଲାମାନେ ୟୁରୋପର ବିଭିନ୍ନ ଦେଶରେ ଗୃହସ୍ଥମାନଙ୍କ ଘରେ ଅତିଥି ହୋଇ ରହି ସେ ସବୁ ଦେଶର ଆଚାର ବ୍ୟବହାର ଶିକ୍ଷା କରିବାପାଇଁ ଏପରି ଯାତ୍ରାର ଆୟୋଜନ ହୋଇଥାଏ ।

 

‘ଛାତ୍ର ଯାତ୍ରୀ ସଂଘ’ ବା ‘ଷ୍ଟୁଡ଼େଣ୍ଟ ଟ୍ରାଭଲ’ ତରଫରୁ ନାନା ଭାଷା ଓ ସଭ୍ୟତା ସଂସ୍କୃତି ବିଷୟରେ ଆଲୋଚନା ସଭା ସବୁ ଚାଲିଥାଏ । କେତେକ ବକ୍ତା ନିର୍ଦ୍ଦିଷ୍ଟ ସମୟରେ ମାଇକ୍ରୋଫୋନରେ ବିଭିନ୍ନ ବିଷୟରେ ସାରଗର୍ଭକ ଭାଷଣମାନ ଦେଉଥାଆନ୍ତି । କଳା, ସଙ୍ଗୀତ, ଧର୍ମ, ବିଜ୍ଞାନଠାରୁ ଆରମ୍ଭ କରି ପୃଥିବୀ ପଞ୍ଚାୟତ ପରି ରାଜନୈତିକ ବିଷୟବସ୍ତୁମାନଙ୍କ ଉପରେ ଆଲୋଚନା ହୁଏ । ପିଲାମାନେ ଦଳବାନ୍ଧି ନିଜ ଇଚ୍ଛା ଓ ଆଗ୍ରହ ଅନୁସାରେ ସେ ସବୁ ଶୁଣନ୍ତି ଓ ଆଲୋଚନାରେ ଭାଗ ନିଅନ୍ତି । ମେଡ଼ିକାଲ, ଇଞ୍ଜିନିୟରିଙ୍ଗ ଆଷ୍ଟ୍ରୋନମି, ଅର୍ଥଶାସ୍ତ୍ର, ଦର୍ଶନ ରାଜନୀତି ପ୍ରଭୃତି ସମସ୍ତ ଛାତ୍ରଙ୍କପାଇଁ ଶିକ୍ଷାର ବ୍ୟବସ୍ଥା ହୋଇଥାଏ । ଆମୋଦ ପ୍ରମୋଦପାଇଁ ପ୍ରତିଦିନ ନାଚ ଖେଳ ଓ ଶିକ୍ଷଣୀୟ ସିନେମା ଥିଏଟର ପ୍ରଭୃତିର ଆୟୋଜନ ମଧ୍ୟ ହୋଇଥାଏ । ଜାହାଜଟି ଗୋଟିଏ ଚଳନ୍ତି ବିଶ୍ୱବିଦ୍ୟାଳୟ ପରିବେଶ ସୃଷ୍ଟି କରୁଥାଏ ।

 

ପିଲାମାନେ ଦୂର ଦୂର ସ୍କୁଲ୍‍ କଲେଜ ଓ ଅଲଗାଅଲଗା ସହରମାନଙ୍କରୁ ଆସିଥିବାରୁ ସେମାନଙ୍କ ଭିତରେ ଚିହ୍ନାପରିଚୟ ନଥିଲା, କିନ୍ତୁ ଅଳ୍ପ କେତେଦିନ ଭିତରେ ପୁଅ ଝିଅମାନେ ଯୋଡ଼ି ବାନ୍ଧି ଗଲେ । ବରକନ୍ୟା ଖୋଜାପାଇଁ ମଧ୍ୟ ସେମାନଙ୍କୁ ସୁଯୋଗ ମିଳିଲା । ଛାତ୍ରବାହୀ ଜାହାଜ ହୋଇଥିବାରୁ ସେଥିରେ କଡ଼ା ମଦ ମିଳୁ ନଥିଲା । ତଥାପି ହାଲୁକା ମଦ ଓ ବିଅର୍‍ ପାନ କରି ବହୁତ କୋମଳମତି ବାଳକ ବାଳିକା ମାତାଲ ହୋଇ ଗଡ଼ିବାର ମଧ୍ୟ ଦେଖାଗଲା ।

 

ଜାହାଜରେ ଭିନ୍ନ ଭିନ୍ନ ସମୟରେ ନାନା ଦେଶର ଖାଦ୍ୟ ଖାଇବାକୁ ଦିଆଯାଏ । ବିଭିନ୍ନ ଦେଶର ସଭ୍ୟତା, ସଂସ୍କୃତି ଓ ଭାବର ଆଦାନପ୍ରଦାନ ପାଇଁ, ଇଟାଲୀର ସଙ୍ଗୀତ, ଇଂଲଣ୍ଡର ନାଚ, ଚୀନର ଖାନା, ଫ୍ରାନ୍‍ସର ସାଜସଜ୍ଜା ପ୍ରଭୃତିର ବ୍ୟବସ୍ଥା ହୋଇଥାଏ ।

 

ସେ ଜାହାଜରେ ମୁଁ ଓ କଲିକତାର ଶ୍ୟାମାପଦ ସେନ ଦୁଇଜଣ ଭାରତୀୟ ଯାତ୍ରୀ ଥାଉ-। ସେନ୍ ଜଣେ ଉଦ୍ଭିଦ ତତ୍ତ୍ୱବିତ୍ ବୈଜ୍ଞାନିକ । ସେ ଭାତରରେ ବିଶେଷରେ ବଙ୍ଗଳାର ସାହିତ୍ୟ ସଂସ୍କୃତି ବିଷୟରେ ବୁଝାଉ ଥାଆନ୍ତି ।

 

ଦିନେ ସେ କେତେକ ପିଲାଙ୍କୁ ବଙ୍ଗଳାର ବଡ଼ତି ଦେଖାଇ ରବୀନ୍ଦ୍ରନାଥ ଠାକୁରଙ୍କ ବିଷୟରେ କହୁଥିଲେ । ମୁଁ ସେଠାରେ ପହଞ୍ଚି ଯିବାରୁ ପିଲାମାନେ ମୋତେ ବେଢ଼ିଯାଇ କହିଲେ ‘‘ମିଷ୍ଟର୍‍ ସେନ୍ କହୁଛନ୍ତି ରବୀନ୍ଦ୍ରନାଥ ଠାକୁର ସେନ୍‍ଙ୍କ ଭାଷାରେ ବହି ଲେଖି ନୋବେଲ ପୁରସ୍କାର ପାଇଛନ୍ତି, ଆପଣଙ୍କ ଭାଷାରେ ଏପରି କେହି କ’ଣ କରିଛନ୍ତି କହନ୍ତୁ ।’’ ମୁଁ ସେ କଥା ଶୁଣି ସେନ୍‍ଙ୍କୁ ଟିକିଏ ଆଡ଼େଇ କରି ଚାହିଁଲି ।

 

ମୁଁ ପିଲାମାନଙ୍କୁ କହିଲି ‘‘ଠାକୁର ଭାଷାପାଇଁ ବା ବଙ୍ଗଳା ଭାଷାରେ ବହି ଲେଖି ପୁରସ୍କୃତ ହୋଇ ନାହାନ୍ତି । ସେ ଜଣେ ଭାରତୀୟ । ଭାରତର ସଂସ୍କୃତି ଓ ଦର୍ଶନ ବଡ଼ ମହନୀୟ । ସେ ଭାରତୀୟ ଦର୍ଶନକୁ ଜଗତ ଆଗରେ ଗୀତାଞ୍ଜଳି ପୁସ୍ତକ ମାଧ୍ୟମରେ ଉପସ୍ଥାପିତ କରି ନୋବେଲ ପ୍ରାଇଜ୍ ପାଇଛନ୍ତି । ସେ ଦର୍ଶନକୁ ଯେ କୌଣସି ଭାରତୀୟ ଭାଷାରେ ବ୍ୟକ୍ତ କରାଯାଇପାରେ । ଭାରତର ସମସ୍ତ ଭାଷା ସେ ଦର୍ଶନ ଓ ସଂସ୍କୃତିରେ ସମୃଦ୍ଧ । ତେଣୁ ରବୀନ୍ଦ୍ରଙ୍କୁ ଜଣେ ବଙ୍ଗାଳି ବୋଲି ନ ବିଚାରି ଆମେ ତାଙ୍କୁ ଜଣେ ମହାଭାରତୀୟ ବା କବିଗୁରୁ ବୋଲି ସମ୍ମାନ କରୁ ।

 

ସେନ୍ ଯାହା କହୁଛନ୍ତି ସେ କଥା ତୁମେମାନେ ବୁଝି ପାରୁ ନାହଁ । ମହାତ୍ମାଗାନ୍ଧୀ ଗୁଜୁରାଟର ନୁହନ୍ତି, ନେହେରୁ ଉତ୍ତର ପ୍ରଦେଶର ନୁହନ୍ତି, ଯିଶୁଖ୍ରୀଷ୍ଟ ଇଜରାଏଲର ନୁହନ୍ତି ବା ଲିଙ୍କନ୍ ଭରମଣ୍ଟର ନୁହନ୍ତି । ମହାପୁରୁଷମାନେ ଯିଏ ଯେଉଁଠାରେ ଜନ୍ମ ହୋଇଥାଆନ୍ତି ସେ ହୁଏତ ସେଇ ସ୍ଥାନର ଭାଷା ବ୍ୟବହାର କରନ୍ତି, କିନ୍ତୁ ସେ ଯେଉଁ ବାଣୀ ପ୍ରଚାର କରନ୍ତି ତାହା ସୀମିତ ନୁହେଁ । ରବିଠାକୁର ସମସ୍ତ ଭାରତର ଆଦି ଦର୍ଶନକୁ ଆଧାର କରି ବହୁତ ବହି ଲେଖିଛନ୍ତି ।’’

 

ମୋ ବକ୍ତବ୍ୟ ପରେ ବିଚରା ବଙ୍ଗାଳି ସେନ୍ ସେଇଦିନଠାରୁ ବେଶୀ ଭାରତୀୟ ହେବାକୁ ଚେଷ୍ଟା କଲେ । ମୁଁ ମଧ୍ୟ ଗୋପନରେ ସେନ୍‍ଙ୍କୁ ମଧୁର ଶୋଧନଟିଏ ଦେଇ ପ୍ରାଦେଶିକ ସଂକୀର୍ଣ୍ଣତା ଛାଡ଼ି ପତନୋନ୍ମୁଖ ବିରାଟ ଏତିହ୍ୟର ଅଧିକାରୀ ବଙ୍ଗାଳି ଜାତିକୁ ରକ୍ଷା କରିବାକୁ କହିଲି ।

 

ଆମେରିକାନ୍‍ମାନେ ଗୋଟିଏ ଭାଷାରେ କଥାବାର୍ତ୍ତା ହୁଅନ୍ତି । ଆମର ଭାଷା ଅଲଗା ଓ ଆମେ ଦୁହେଁ ଅଧିକାଂଶ ସମୟରେ ଇଂରେଜୀ ଭାଷାରେ କଥାବାର୍ତ୍ତା ହେଉଥିବାର ଦେଖି ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି । ମୋତେ ପୁଣି ତାଙ୍କୁ ଭାଷାତତ୍ତ୍ୱ ବା ଇଣ୍ଡୋ-ୟୁରୋପିଆନ ଭାଷା ବିଷୟରେ ବୁଝାଇବାକୁ ପଡ଼େ । ଭାଷା କିପରି କାଳକ୍ରମେ ସ୍ଥାନ ଅନୁସାରେ ଅଲଗା ହୁଏ ସେ ବିଷୟରେ କହିବାକୁ ଯାଇ ବିଲାତର କଥିତ ଇଂରେଜ ଭାଷା, ଆମେରିକାର ଉତ୍ତରାଞ୍ଚଳର ଇଂରେଜୀ ଓ ଦକ୍ଷିର ଅଞ୍ଚଳର କଥିତ ଇଂରେଜୀ ଭାଷାର ତାରତମ୍ୟରୁ ଦୃଷ୍ଟାନ୍ତ ଦର୍ଶାଇ, ଭାରତ ଗୋଟିଏ ପ୍ରାଚୀନ ଦେଶ ହୋଇଥିବାରୁ ସଂସ୍କୃତ ମୂଳ ଭାଷା ହେଲେ ମଧ୍ୟ ଅଧିକାଂଶ ଭାଷା କିପରି ପୃଥକ୍ ରୂପ ନେଇଛନ୍ତି ସେ ସମ୍ୱନ୍ଧରେ ବୁଝାଇବାକୁ ପଡ଼ିଥିଲା ।

 

ରାଜନୀତିର ଖେଦ

 

ଆମ ଜାହାଜରେ ଯାତ୍ରା କରୁଥିବା ମୁସଲମାନ ଦମ୍ପତି ଆମମାନଙ୍କ ସଙ୍ଗରେ ମିଳାମିଶା ନ କରି ଅଲଗା ରହିବାକୁ ଚେଷ୍ଟା କରୁଥିଲେ । ରାଜନୀତି ଭାରତକୁ ୩ ଖଣ୍ଡ କରିଛି । ଦିନେ ଯେ ଅନ୍ତରଙ୍ଗ ଭାଇଭାଇ ପରି ଚଳୁଥିଲେ ଆଜି ତାଙ୍କ ଭିତରେ ପରଦା ପଡ଼ିଛି । ପାକିସ୍ଥାନର ଲୋକ ନୂଆ ଭାରତର ଭାଇକୁ ଶତ୍ରୁ ବୋଲି ବିଚାରୁଛି ।

 

ମୁଁ ସେମାନଙ୍କ ସଙ୍ଗେ ଆଳାପ କରିବାକୁ ଚେଷ୍ଟା କରି ଜାଣିଲି, ଭଦ୍ରଲୋକ ଜଣେ ଇଞ୍ଜିନିୟର୍ ଓ ତାଙ୍କ ସ୍ତ୍ରୀ ଜଣେ ଡାକ୍ତର । ତାଙ୍କ ଭିତରେ ରାଜନୈତିକ ଘୃଣା, ଧର୍ମାନ୍ଧତା ଓ ହାମ୍‍ବଡ଼ା ଭାବ ପୂରିରହିଛି । ଦିନେ କେତେକ ଆମେରିକାନ ଯୁବକ ସେହି ଦମ୍ପତିଙ୍କ ହାବଭାବ ଲକ୍ଷ୍ୟକରି ସେମାନଙ୍କର ସଂକୀର୍ଣ୍ଣ ମନୋଭାବ ବିଷୟରେ ଆମକୁ ଆସି ପଚାରିଲେ, ମୁସଲମାନ ଧର୍ମାବଲମ୍ୱୀମାନେ କ’ଣ ସମସ୍ତେ ଏହିପରି ? ମୋର ବନ୍ଧୁ ଟର୍କିର ନେଜଡ଼େଟ୍ ଓରହନଙ୍କ କଥା ମୋର ମନେ ପଡ଼ିଲା । ମୁଁ ସୋମନଙ୍କୁ କହିଲି, ମନୁଷ୍ୟ ଯେଉଁ ଜାତି ବା ଧର୍ମାବଲମ୍ୱୀ ହେଉ ପଛକେ ସବୁ ଜାତି ଓ ଧର୍ମରେ ସବୁ ପ୍ରକାର ଲୋକ ଅଛନ୍ତି ।

 

ପରେ ମୁଁ ଇଜିପ୍‍ଟର କାଏରୋ ସହରଠାରେ ଜେଣ ମୁସଲମାନ ଅଫିସରଙ୍କ ସଙ୍ଗେ ଆଳାପ କରିଥିଲି । ସେତେବେଳେ ଇଜିପ୍‍ଟ ରାଷ୍ଟ୍ରପତି ନାସେରଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀ ନେହେରୁଙ୍କ ସଙ୍ଗେ ଅତ୍ୟନ୍ତ ବନ୍ଧୁତା ଥିଲା । ପାକିସ୍ଥାନରେ ସେତେବେଳେ ମହମ୍ମଦ ଅଲ୍ଲି ପ୍ରଧାନମନ୍ତ୍ରୀ ଥିଲେ । ଇଜିପ୍‍ଟର ଅଫିସର କଥା ପ୍ରସଙ୍ଗରେ ମୋତେ କହିଥିଲେ, ‘‘ପାକିସ୍ଥାନ ‘ନୋ ଗୁଡ଼୍’, ମହମ୍ମଦ ଅଲ୍ଲି ‘ନୋ ଗୁଡ଼୍’, । ଭାରତ ଆମର ବନ୍ଧୁ, ନେହେରୁ ଜଣେ ଗୁଡ଼୍ ହିନ୍ଦୁ ମୁସଲମାନ ।

 

ରାଜନୀତିରେ ସବୁ ସମ୍ଭବ । ଏବେ ମଧ୍ୟପ୍ରାଚ୍ୟରେ ସେଇ ସୁମଲମାନ ଦେଶମାନଙ୍କ ଭିତରେ ନାନା ବିବାଦ ଓ ଯୁଦ୍ଧ ଚାଲିଛି । ମୁଁ ଗଲାବେଳେ ଆମେରିକାରେ ସମସ୍ତେ ଭାରତକୁ ନିଜର ବନ୍ଧୁ ବୋଲି ଭାବୁଥିଲେ । ଗାନ୍ଧୀଙ୍କ ଦେଶ ବୋଲି ଭାରତକୁ ସମ୍ମାନ ଦେଉଥିଲେ । କିନ୍ତୁ ଜାତିସଂଘରେ ଭାରତର ମେନନ୍ ଚୀନା କମ୍ୟୁନିଷ୍ଟଙ୍କୁ ସମର୍ଥନ କରି ଆମେରିକାକୁ ରୁକ୍ଷ ଭାଷାରେ ଗାଳି ଦେଲାପରେ ଭାରତ ଆମେରିକାର ଶତ୍ରୁ ଭାବରେ ବିବେଚିତ ହେଲା । ମୁଁ ଫେରିଲା ବେଳକୁ ୱାସିଙ୍ଗ୍‍ଟନ୍ ସହରରେ ଜଣେ ମୋତେ ‘ଆପଣ ପାକିସ୍ଥାନବାସୀ କି ନୁହନ୍ତି’ ବୋଲି ପଚାରିଲେ । ମୁଁ ଭାରତୀୟ ବୋଲି କହିବାରୁ ସେ ମୁହଁ ମୋଡ଼ିଦେଇ ଚାଲି ଯାଇଥିଲେ । ଯେଉଁ ଚୀନ୍ ଦେଶକୁ ସମର୍ଥନ କରିବାରୁ ଭାରତ ଶତ୍ରୁ ହୋଇଥିଲା, ରାଜନୀତି ଚକ୍ରରେ ଏବେ ସେଇ ଚୀନ୍ ଦେଶ ଆମେରିକାର ବନ୍ଧୁ ହେଲାଣି । ପାକିସ୍ଥାନର ଚୀନ୍ ଓ ଆମେରିକା ନୁହେଁ ଏବେ ପରମ ବନ୍ଧୁ ।

 

ଘୋଡ଼ାଡ଼ିମ୍ୱ ଧର୍ମ

 

ଆମ ଜାହାଜରେ ବିଭିନ୍ନ ଗିର୍ଜାର ଅଲଗାଅଲଗା ଉପାସନା ବକ୍ତୃତା ଚାଲିଥାଏ । ପିଲାମାନେ ଭିନ୍ନ ଭିନ୍ନ ଗିର୍ଜା ଗୋଷ୍ଠୀକୁ ଗୋଟିଏ ଗୋଟିଏ ଅଲଗା ଧର୍ମ ବୋଲି ଭାବନ୍ତି । ଅନ୍ୟ ଧର୍ମ ସମ୍ୱନ୍ଧରେ ଅନେକଙ୍କର ବିଶେଷକିଛି ଧାରଣା ନ ଥାଏ । କେତେଜଣ ପିଲା ଆସି ମୋତେ ପଚାରିଲେ, ‘‘ଆପଣ କାହିଁକି କୌଣସି ଧର୍ମ ଉପାସନାରେ ଯୋଗ ଦେଉ ନାହାନ୍ତି ?’’ ମୁଁ କହିଲି, ‘‘ମୋର ଧର୍ମଦର୍ଶନ ତୁମର ଏସବୁ ଧର୍ମଠାରୁ ସ୍ୱତନ୍ତ୍ର ।’’

 

ପିଲାମାନଙ୍କୁ ହିନ୍ଦୁ ଧର୍ମ ବିଷୟରେ ବୁଝାଇଲି କିନ୍ତୁ ସେମାନେ କିଛି ବୁଝିଲେ ନାହିଁ । ସେମାନେ କହିଲେ, ‘‘ହିନ୍ଦୁ ତ ଇଣ୍ଡିଆ ସେ ଦେଶରେ ତ ବହୁତ ଧର୍ମ ଅଛି ବୋଲି ଆପଣ କହୁଥିଲେ । ଆପଣଙ୍କର ନିଜର ଧର୍ମ କ’ଣ କହନ୍ତୁ । ଆପଣଙ୍କ ଧର୍ମର ଧର୍ମପ୍ରଚାରକ କିଏ ?’’

 

ମୁଁ ଥଟାରେ କହିଲି, ‘‘ମୋ ଧର୍ମ ‘ଘୋଡ଼ାଡ଼ିମ୍ୱ ଧର୍ମ’ ଓ ମୁଁ ତା’ର ପ୍ରଚାରକ ବା ପ୍ରଫେଟ୍-।’’ ସରଳମତି ବାଳକମାନେ ସେଥିରେ ବିଶ୍ୱାସକରି ପୁଣି ମୋତେ ପଚାରିଲେ ‘‘ଆପଣ ଧର୍ମବାର୍ତ୍ତା କେଉଁଠୁଁ ଓ କିପରି ପାଇଲେ ?’’ ମୁଁ ବଡ଼ ଅଡ଼ୁଆରେ ପଡ଼ିଲି, ସେମାନଙ୍କୁ କୌଣସିମତେ ତୁନି କରିବାକୁ କହିଲି ଦିନେ ରାତିରେ ମୁଁ ଶୋଇଥିବାବେଳେ ଈଶ୍ୱର ଆବିର୍ଭାବ ହୋଇ ମୋତେ କହିଲେ, ‘‘ଏ ଧର୍ମଗୁଡ଼ିକ ପୁରୁଣାକାଳିଆ ହୋଇଗଲାଣି । ସବୁ ଧର୍ମାବଲମ୍ୱୀମାନେ କଳିକଜିଆରେ ମାତି ନିଜ ଧର୍ମ ବଡ଼ ବୋଲି କହି ମୋତେ ପୂରା ଭୁଲିଗଲେଣି । ମୁଁ ନିରାକାର, ଘୋଡ଼ାଡ଼ିମ୍ୱ ମଧ୍ୟ ନିରାକାର, ତୁମେ ମୋର ନୂଆ ନାମ ‘ଘୋଡ଼ାଡ଼ିମ୍ୱ’ ବୋଲି ଧରି ଲୋକଙ୍କୁ କର୍ତ୍ତବ୍ୟଜ୍ଞାନ ବୁଝାଇ ଏ ନୂତନ ଧର୍ମପ୍ରଚାର କର । ତୁମ ପ୍ରଚାରର ପ୍ରଣାଳୀ ନୂତନ ଧରଣର ହେବା ଉଚିତ । ତୁମକୁ କେହି ନ ପଚାରିଲେ ତୁମେ ଏ ଧର୍ମ ବିଷୟରେ ଉପଦେଶ ଦେବନାହିଁ ।’’ ମୋ ଧର୍ମ ବିଷୟରେ ମୋତେ କେହି ପଚାରି ନ ଥିବାରୁ ମୁଁ କିଛି କହୁନାହିଁ ।

 

ମୁଁ ସିନା ଥଟାରେ ଏକଥା କହିଦେଲି, କିନ୍ତୁ ପିଲାମାନେ ସେ କଥା ସେମାନଙ୍କ ଭିତରେ ପ୍ରଚାର କରିଦେଲେ । ମୋର ନୂଆ ଧର୍ମ ବିଷୟରେ କିଛି ଉପଦେଶ ଦେଇ ମାଇକ୍ରୋଫୋନରେ କହିବାକୁ ବହୁତଗୁଡ଼ିଏ ପିଲା ଏକାଠି ଆସି ମୋତେ ବାଧ୍ୟକଲେ ଓ ଜିଦ୍ ଧରିଲେ । ଏପରିକି ସେ ବିଷୟରେ ସେମାନଙ୍କ ଶିକ୍ଷକଙ୍କୁ କହି ମୁଁ ଭାଷଣ ଦେବାପାଇଁ ସମୟ ଧାର୍ଯ୍ୟ କରିଦେଲେ । ମୁଁ କଥାଟା ଆଡ଼େଇବାକୁ ଯାଇ ଶେଷରେ ମହାବିପଦର ସମ୍ମୁଖୀନ ହେଲି ।

 

ଠିକ୍ ସମୟରେ ଏକେଶ୍ୱରବାଦ ଓ କର୍ତ୍ତବ୍ୟଜ୍ଞାନ ବିଷୟରେ କହିବାକୁ ମୁଁ ମାଇକ୍ରୋଫୋନ ନିକଟରେ ଯାଇ ଠିଆହେଲି । ମୁଁ କହିଲି ‘‘କର୍ତ୍ତବ୍ୟବୋଧହିଁ ପ୍ରକୃତରେ ଈଶ୍ୱର ଇଚ୍ଛିତ ଧର୍ମ । କୌଣସି ପ୍ରତିଦାନର ଆଶା ନ ରଖି ନିଜର କର୍ତ୍ତବ୍ୟ କରିଗଲେ ଈଶ୍ୱରଙ୍କର ଇଚ୍ଛା ପୂର୍ଣ୍ଣ ହୁଏ । ଉଦାହରଣସ୍ୱରୂପ–

 

ଜଣେ ଶ୍ରମିକ ତା’ର ଦୈନିକ ମୂଲଲାଗି ଦୈନିକ ପ୍ରାପ୍ୟରୁ ଖାଦ୍ୟଦ୍ରବ୍ୟ କିଣି ଘରକୁ ଆସେ । ତା’ର ଭୋକିଲା ଛୋଟପିଲାମାନେ ତା’ପାଇଁ କିଛି ନ ରଖି ସେ ସବୁତକ ଖାଇଦେଲେ ମଧ୍ୟ ସେ ମନରେ ପରମ ତୃପ୍ତି ଅନୁଭବ କରେ । ସେ ପିଲାଙ୍କଠାରୁ କିଛି ପ୍ରତିଦାନ ଆଶା କରେ ନାହିଁ । କିନ୍ତୁ ସେ ତା’ର କର୍ତ୍ତବ୍ୟ ସମ୍ପାଦନା କଲା ବୋଲି ଈଶ୍ୱରଙ୍କୁ ଜଣାଏ ।

 

ଜଣକର ଏପରି ନିଜ ପରିବାରପ୍ରତି ଯେପରି କର୍ତ୍ତବ୍ୟ ରହିଛି, ପଡ଼ୋଶୀ ପ୍ରତି, ଗ୍ରାମବାସୀଙ୍କପ୍ରତି, ସମାଜପ୍ରତି, ଦେଶପ୍ରତି ଓ ସମସ୍ତ ମାନବ ଜାତିପ୍ରତି ଓ ସାରା ଜଗତପ୍ରତି ମଧ୍ୟ ତା’ର କର୍ତ୍ତବ୍ୟ ରହିଛି । ଯେ ସମସ୍ତ ବିଶ୍ୱକୁ ନିଜର ପରିବାର ପରି ମନେକରି ପ୍ରତିଦାନର ଆଶା ନ ରଖି ନିଃସ୍ୱାର୍ଥପର ଭାବରେ ନିଜ କର୍ତ୍ତବ୍ୟ କରିଯାଏ ସେ ପ୍ରକୃତ ଧର୍ମପ୍ରାଣ ବ୍ୟକ୍ତି ଓ ତାକୁ ଈଶ୍ୱର ନିଜର ଉପଯୁକ୍ତ ସନ୍ତାନ ବୋଲି ସ୍ନେହ କରନ୍ତି । ସେ ନିଜେ ସିଧାସଳଖ ଈଶ୍ୱରଙ୍କ ସତ୍ତା ଅନୁଭବ କରିପାରେ ।

 

ମୋର ଏହିପରି ବକ୍ତୃତା ଶୁଣିବାପରେ ଜଣେ ଦୁଇଜଣ ବୃଦ୍ଧ ଦାର୍ଶନିକଙ୍କୁ ଧରି ପିଲାମାନେ ଆସି ମୋ ପାଖରେ ପହଞ୍ଚି ନୂଆ ଧର୍ମରେ ଦୀକ୍ଷିତ ହେବାକୁ ଜିଦ୍ ଧରିଲେ । ଗୋଟିଏ ବଡ଼ ଖାତା ଆସିଲା । ସେଥିରେ ଧର୍ମାବଲମ୍ୱୀ ଭାବରେ ଦାର୍ଶନିକ ଦୁଇଜଣ ପ୍ରଥମେ ଦସ୍ତଖତ କଲେ ଓ ପରେ ଅନ୍ୟମାନେ ଦସ୍ତଖତ କରିବା ଆରମ୍ଭ କରିଦେଲେ । ଆମର ଯାତ୍ରା ସମୟ ସରିଆସିଲା । ଖାତା ପୂର୍ଣ୍ଣ ହୋଇଗଲା । ପରେ ମଝିରେ ମଝିରେ ଏଚ୍.ଇ. ଧର୍ମପ୍ରଚାରକ ବା ‘‘ହିଜ୍ ହୋଲିନେସ୍ ଦି ପ୍ରଫେଟ୍ ଅଫ୍ ହର୍ସଏଗ୍ ରିଲିଜନ୍’’ ବୋଲି ମୋର କୌଣସି କୌଣସି ଧର୍ମାବଲମ୍ୱୀଙ୍କଠାରୁ ମୋତେ ଚିଠି ମିଳୁଥିଲା । ସେସବୁ ମନେପଡ଼ିଲେ ଆମେରିକାର ଲୋକେ ଧର୍ମ ବିଷୟରେ କେଡ଼େ ସରଳବିଶ୍ୱାସୀ ଏକଥା ଭାବି ମନରେ ବିସ୍ମୟ ଆସେ ।

 

ବିଲାତ ଚିତ୍ର

 

ଆମ ଯାତ୍ରାର ସମୟ ସରିଆସିଲା । ଆମେ ସାଉଥ ହାମ୍ପଟନ୍ ବନ୍ଦରରେ ଓହ୍ଲାଇ ପଡ଼ିଲୁ । ବନ୍ଦରରେ ଓହ୍ଲାଇ ପଡ଼ିବା ସଙ୍ଗେ ସଙ୍ଗେ ପ୍ରାୟ ସମସ୍ତଙ୍କର ସାଙ୍ଗସୁଖ ବନ୍ଧୁବାନ୍ଧବ ବା ଅନୁଷ୍ଠାନମାନଙ୍କର ଲୋକେ ଆସି ରୁମାଲ ହଲାଇ କୋଳାକୋଳି କରି ପାଛୋଟି ନେଲେ । ଏସବୁ ଦେଖି ମୋ ମନଟା ଟିକିଏ କିପରି ହୋଇଗଲା । ଏତେବର୍ଷ ପରେବି ବାଟରେ ନିଜ ଲୋକଙ୍କୁ ଦେଖିବାକୁ ନ ପାଇଲେ ମନଟା କିପରି ଖରାପ ହୋଇଯାଏ ତାହା ଭାଷାରେ ପ୍ରକାଶ କରିହେବ ନାହିଁ ।

 

ଯାହାହେଉ, ବନ୍ଦରରେ ମୋପାଇଁ ଯେ କେହି ଅପେକ୍ଷା କରୁ ନଥିଲେ ତା’ ନୁହେଁ, ମୋର ଆର ଜାହାଜ କମ୍ପାନୀର ଜଣେ ଟୋପିଦିଆ ଏଜେଣ୍ଟ ଆସି ମୋତେ ଅଭିବାଦନ ଜଣାଇ ତୁନିକରି ତାଙ୍କର ବିରାଟ ହିସାବ ବିଲ୍‍ଟି ମୋ ହାତକୁ ବଢ଼ାଇଦେଲେ । ବିଲାତରୁ ବମ୍ୱେ ହଲାଣ୍ଡବାଟେ ବୁଲିକରି ଯିବାକୁ ପଡ଼ିବ ଓ ଗୋଟିଏ ମାଲବାହୀ ଜାହାଜରେ ଗଲେ ମଧ୍ୟ ଏତେଗୁଡ଼ିଏ ଟଙ୍କା ଲାଗିବ ବୋଲି ମୁଁ ଭାବି ନଥିଲି ଓ ସେଥିପାଇଁ ପ୍ରସ୍ତୁତ ନଥିଲି । ତେଣୁ ମୋ ମନଟା ଟିକିଏ ଖଟା ହୋଇଗଲା । ସେତେବେଳେ ମୋର ଢଗଟିଏ ମନେ ପଡ଼ିଲା ‘‘କାହା କପାଳେ କ୍ଷୀରୀ କ୍ଷୀରିସା, କାହା କପାଳେ ଲଡ଼ୁ, କାହା କପାଳେ ଖାରିଆ ଖଡ଼ା ଚୋବାଇ ଚୋବାଇ ମରୁ ।’’

 

ସାଉଥ ହାମ୍ପଟନ୍ ବନ୍ଦରରୁ ଟ୍ରେନ୍‍ରେ ଚଢ଼ି ୱାଟର୍‍ଲୁ ଷ୍ଟେସନ୍‍ ପର୍ଯ୍ୟନ୍ତ ଆସିଲୁ । ଆମେରିକାର ପିଲାମାନେ ଟ୍ରେନ୍ ଝରକାବାଟେ, ଇଂଲାଣ୍ଡର ଛୋଟିଆ ଫୋର୍ଡ଼, ଅଷ୍ଟିନ୍ ଗାଡ଼ି, ପୁରୁଣା ଦଦରା ରାସ୍ତା, ରାସ୍ତାଚଲା ଲୋକ ଓ ଖବରକାଗଜ ପଛରେ ଲଦି ଯାଉଥିବା ସାଇକଲ୍ ଚଢ଼ାଳି ବୁଢ଼ା ପ୍ରଭୃତି ଦେଖି ଆଖି ଠରାଠରି ହୋଇ ହସିବାକୁ ଲାଗିଲେ । କେତେ ପିଲା ମଧ୍ୟ ଆଶ୍ଚର୍ଯ୍ୟ ହେଲାପରି ଭାବ ପ୍ରକାଶ କଲେ ।

 

ଆମେରିକାର ପିଲାମାନେ ଖେଳପାଇଁ ପାର୍କ୍‍ରେ ସାଇକଲ୍ ଚଢ଼ନ୍ତି, ବୁଢ଼ାଟାଏ କାଗଜ ପୁଳାଏ ଲଦି ରାସ୍ତାରେ ସାଇକଲ୍ ଚଲାଇବା ସେମାନେ କେବେ ଦେଖି ନଥିଲେ । ଆମେରିକାର ରାସ୍ତାଗୁଡ଼ିକ ସୁନ୍ଦର ଓ ସମତଳ । ସେଥିରେ ସବୁବେଳେ ଦ୍ରୁତଗତିରେ ବଡ଼ବଡ଼ ମଟର କାର୍ ସବୁ ଛୁଟୁଥାଏ । ସେଠାରେ ରାସ୍ତା ଉପରେ ଲୋକେ ହସଖୁସିରେ ହଲି ହଲି ବେପରୁଆ ଭାବରେ ଚାଲି ଚାଲି ଯିବା ଅସମ୍ଭବ । ଲୋକେ ଫୁଟ୍‍ପାଥ୍‍ରେ ଚାଲନ୍ତି । କେବଳ ଛକମାନଙ୍କରେ ଆଲୁଅ ନିର୍ଦ୍ଦେଶରେ ଗାଡ଼ି ବନ୍ଦ ହେଲେ ଲୋକେ ଏପଟୁ ସେପଟକୁ ଯାଆନ୍ତି । ଅଧିକାଂଶ ସ୍ଥାନରେ ରାସ୍ତା ଉପର ବ୍ରିଜ୍‍ଦେଇ ଯିବାଆସିବା କରନ୍ତି । ତେଣୁ ସେସବୁ ଦୃଶ୍ୟ ସେମାନଙ୍କୁ ନୂଆ ଲାଗିବା ଅସ୍ୱାଭାବିକ ନୁହେଁ ।

 

ଲଣ୍ଡନ ସହରରେ ପହଞ୍ଚି କେତେକ ଓଡ଼ିଆ ବନ୍ଧୁଙ୍କୁ ସାକ୍ଷାତ କଲି । ମୋଠାରୁ ଖବର ପାଇ ମୋ ହୋଟେଲକୁ ଆସି ମୋର ପରମବନ୍ଧୁ ଡାକ୍ତର ଲକ୍ଷ୍ମୀନାରାୟଣ ମହାପାତ୍ର ମୋତେ ତାଙ୍କ ବସା, ଇଣ୍ଡିଆ ହଷ୍ଟେଲ୍‍କୁ ଡାକିନେଲେ । ସେ ତାଙ୍କ ସଙ୍ଗରେ ଭାରତରୁ ଗୁଡ଼ିଏ ସେଲୁଲଏଡ଼୍ ଜିଭଛେଲା ଆଣିଥିଲେ । ସେଥିରୁ ମୋତେ ଗୋଟିଏ ଦେଲେ । ମୁଁ ଜିଭଚିରାଟି ନେଇ ଅନେକ ସମୟଧରି ଜିଭ ଚିରିଲି । ଆମେରିକାରେ ଜିଭଚିରା ପାଇ ନଥିଲି, ବାଘନଳରେ ଜିଭଚିରା ତିଆରି କରି ଅଭାବ ମେଣ୍ଟାଉ ଥିଲି । ବହୁଦିନ ପରେ ଜିଭଚିରାରେ ଜିଭ ସଫାକରି ତୃପ୍ତି ଅନୁଭବ କଲି । ଚାହାପାନ ପରେ ବନ୍ଧୁଙ୍କ ସଙ୍ଗେ ଲଣ୍ଡନ ବିଶ୍ୱବିଦ୍ୟାଳୟ, ପାର୍ଲିଆମେଣ୍ଟ୍ ରାଜଭବନ ସବୁ ବୁଲି ବୁଲି ସମୟ କଟାଇଲି ।

 

ଆମେରିକା ଘରମାନଙ୍କ ପରି ବିଲାତ ଘରଗୁଡ଼ିକର ବାହାର ରଙ୍ଗ ଦିଆହୋଇ ଚକଚକ ଦିଶେ ନାହିଁ । ବିଲାତ ଲୋକେ ପୁରାତନ ପନ୍ଥୀ । ସେମାନେ ଘରର ବାହାରଟିକୁ ରଙ୍ଗ ନ ଦେଇ ବହୁ ପୁରାତନ ପରି ଦେଖାଇବାକୁ ଭଲ ପାଆନ୍ତି । ଲୋକଙ୍କ ମୁହଁରେ ତ ହସ ନାହିଁ । ଘରଗୁଡ଼ିକର ମଧ୍ୟ ଶ୍ରୀ ନାହିଁ । ଚାରିଆଡ଼କୁ ଚାହିଁଲେ ଘରଗୁଡ଼ାକ ଡେଙ୍ଗା ଡେଙ୍ଗା ରକ୍ତହୀନ ମଣିଷପରି ଠିଆ ହୋଇଥାଆନ୍ତି । ଆମେରିକା ସହରମାନଙ୍କର ପରିବେଶରେ ସେଠାରେ କୋଠାଟିଏ ଦେଖିଲେ, ଗୋଟିଏ ସମୃଦ୍ଧଶାଳୀ ଉନ୍ମତ୍ତ ଯୁବକ ଓ ଉନ୍ନତ ପ୍ରାଣରେ ଆଗପଛ ନ ଦେଖି ଭୁଲ୍ ଠିକ୍ ନ ମାନି ଆଗକୁ ମାଡ଼ି ଚାଲିଲା ପରି ଲାଗେ । ଦ୍ୱିତୀୟ ମହାସମର ପରେ ପ୍ରାୟ ସମସ୍ତ ଅଧିକୃତ ରାଜ୍ୟ ହରାଇ ଲଣ୍ଡନ ସହର, ଗତକଥା ସବୁ ଭାବି ଭାବି ବିନିଦ୍ର ରଜନୀ ଯାପନ କରୁଥିବା ଗୋଟିଏ ସ୍ଥବିର ପରି ବୋଧହୁଏ ।

 

ମୁଁ ରହୁଥିବା ଆଟ୍‍ଲାଣ୍ଟିକ୍ ହୋଟେଲର ଖାଇବା ଟେବୁଲ ନିକଟରେ ବ୍ରିଟିଶ ଅଧିକୃତ ଆଫ୍ରିକାରେ କାର୍ଯ୍ୟକରି ଅବସର ନେଇଥିବା ଜଣେ ବୃଦ୍ଧ ଇଂରେଜ କମିଶନରଙ୍କ ସଙ୍ଗେ ପରିଚୟ ହେଲା । ମୁଁ ଆଗରୁ ଶୁଣିଥିଲି, ଆମ ଦେଶର ଇଂରେଜୀ ଗଭର୍ଣ୍ଣରମାନେ ଯେ ଭାରତରେ ନାନା ଭୋଗ ଭାଗ୍ୟରେ ଥାଆନ୍ତି ସେମାନେ ଅବସର ନେବାପରେ ବିଲାତ ଫେରି ଗୋରୁ ଚରାନ୍ତି । ତାଙ୍କର ହାସ ଭାବ ଦେଖି ଓ ନୈରାଶ୍ୟପୂର୍ଣ୍ଣ କଥାଶୁଣି ମୋର ସେଇ ଧାରଣା ଦୃଢ଼ ହେଲା ।

 

କିଛି ସମୟ ଆଳାପ ପରେ ରାଜନୀତି କଥା ପଡ଼ୁପଡ଼ୁ ସେ କହିଲେ ‘‘ଆମେରିକାର ସାଧାରଣ ଲୋକେ ଭଲ । କିନ୍ତୁ ସେ ନୂଆ ଦେଶରେ ପୋଖତ ରାଜନୈତିକ କେହି ନାହାନ୍ତି । ଶାସକମାନେ ଅନଭିଜ୍ଞ ଥିବାରୁ ସେପରି ଅର୍ଥପ୍ରାଚୁର୍ଯ୍ୟ ଦେଶକୁ ମଧ୍ୟ ଠିକ୍ ବାଟରେ ଚଳାଇ ପାରୁନାହାନ୍ତି । ଲୋକଙ୍କର ପିଲାଳିଆ ମନୋବୃତ୍ତି ରହିଯାଉଛି ।’’

 

ରସଗୋଲାଖିଆ

 

ସେଇ ହୋଟେଲରେ ମିସ୍ ଜି.ଆର.ବାନାର୍ଜି ନାମକ ଜଣେ ବଙ୍ଗାଳୀ ପ୍ରୌଢ଼ା ମହିଳାଙ୍କ ସଙ୍ଗେ ଦେଖାହେଲା । ସେ ସମାଜ ବିଜ୍ଞାନ କେନ୍ଦ୍ରସବୁ ଦେଖିବାପାଇଁ ଭାରତ ସରକାରଙ୍କଦ୍ୱାରା ମନୋନୀତ ହୋଇ ବିଲାତ ଆସିଥିଲେ । ସେ ଏଥିପାଇଁ ପୂର୍ବରୁ ଆମେରିକାର ଚିକାଗୋ ସହରକୁ ମଧ୍ୟ ଯାଇଥିଲେ । ମୋତେ ଦେଖିବା ମାତ୍ରକେ ପୁଅପରି ଆଦର କରି ବଙ୍ଗଳାରେ କଥାବାର୍ତ୍ତା ଆରମ୍ଭ କରିଦେଲେ । ମୋ ବିଷୟରେ ଜାଣିବାପରେ ସେ ମୋତେ କହିଲେ ‘‘ଖୋକା, ତୁମେ ତ ବହୁତ ଦିନ ଆମେରିକାରେ ରହି ଯାଇଥିଲ, ରସଗୋଲା ତ ଖାଇବାକୁ ପାଇ ନ ଥିବ, ତମର ରସଗୋଲା ଖାଇବାକୁ ନିଶ୍ଚୟ ମନ ହେଉଥିବ । ଏଠାରେ ଗୋଟିଏ ସ୍ଥାନରେ ରସଗୋଲା ମିଳିବାର ସନ୍ଧାନ ମୁଁ ପାଇଛି । ମୋ ସଙ୍ଗେ ଆସ ରସଗୋଲା ଖାଇବ ।’’

 

ମୁଁ ମନେ ଭାବିଲି, ‘‘ମୁଁ ଆମେରିକା ଗଲାବେଳକୁ ଚିଙ୍ଗୁଡ଼ିଖିଆ ବଙ୍ଗାଳୀ ପାଲରେ ପଡ଼ିଥିଲି ଓ ଫେରିଲା ବେଳକୁ ଏ ରସଗୋଲାଖିଆ ବଙ୍ଗାଳୁଣୀ ହାତରେ ପଡ଼ିଲି । ଧନ୍ୟ ମୋ ଭାଗ୍ୟ ! ମୁଁ ଏପରି ଭାବୁ ଭାବୁ ସେ ଜବରଦସ୍ତି ମୋ ହାତ ଭିଡ଼ିଭିଡ଼ି ଆଗେ ଆଗେ ଚାଲିଲେ । ଝିପିଝିପି ବର୍ଷା ଭିତରେ ରାସ୍ତାପରେ ରାସ୍ତା ଡେଇଁ ଆମେ ବହୁଦୂର ଚାଲିଚାଲି ଗଲୁ ।

 

ଶେଷରେ ଗୋଟିଏ ବଙ୍ଗାଳୀ ଜଳଖିଆ ଦୋକାନ ସାମନାରେ ପହଞ୍ଚିଲୁ । ଦୋକାନୀ ଜଣେ ବଙ୍ଗାଳୀ ଭଦ୍ରଲୋକ । ପାଠ ପଢ଼ିବାକୁ ବିଲାତ ଆସି ପାଠଶାଠ ନ ହେବାରୁ ଗୋଟିଏ ଇଂରେଜ ମହିଳାଙ୍କ ପାଣିଗ୍ରହଣ କରି ସେଠାରେ ଜଳଖିଆ ଦୋକାନଟିଏ ଖୋଲି ବସିଛନ୍ତି । ସେ ନିଜ ହାତରେ ପୁରି, ସିଙ୍ଗଡ଼ା, ରସଗୋଲା ପ୍ରଭୃତି ତିଆରି କରି ବିକ୍ରୟ କରନ୍ତି । ସେଠାରେ ସେ ସବୁର ମୂଲ୍ୟ ଆମ ଦେଶଠାରୁ ବହୁତ ବେଶୀ ହୋଇଥିଲେ ମଧ୍ୟ ଆମ ପେଟେ ଲେଖାଏଁ ସିଙ୍ଗଡ଼ା ରସଗୋଲା ଖାଇ ସେଠାରୁ ଫେରିଲୁ ।

 

ହଲାଣ୍ଡ ଯାତ୍ରା

 

ଲଣ୍ଡନର ଲିଭରପୁଲ ଷ୍ଟେସନ୍‍ରୁ ବାହାରି ହ୍ୟାରୋ ବନ୍ଦରଠାରେ ହଲାଣ୍ଡର ରଟରଡ଼୍ୟାମ୍ ଉଦ୍ଦେଶ୍ୟରେ ଗୋଟିଏ ଛୋଟ ଜାହାଜରେ ଯାତ୍ରା କଲି । ହୁକ୍ ଅଫ୍ ହଲାଣ୍ଡ ବନ୍ଦରରେ ଓହ୍ଲାଇ ସେଠାରୁ ଟ୍ରେନ୍‍ ଯୋଗେ ରଟରଡ଼୍ୟାମ୍‍ରେ ପହଞ୍ଚିଲି ।

 

ସେଠାରେ ସେ ଦେଶର ଭାଷାର ପ୍ରଚଳନ ବେଶୀ । ଇଂରେଜୀ ଭାଷାର ବ୍ୟବହାର କମ୍ । ଦେଶଟି ଦ୍ୱିତୀୟ ମହାସମରବେଳେ ବୋମା ପଡ଼ି ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଥିଲା । ଏବେ ପୁଣି ନୂଆ ହୋଇ ଗଢ଼ି ଉଠିଛି । ଦେଶଟା ସାଇକଲ୍‍ମୟ । ସ୍ତ୍ରୀ, ପୁରୁଷ ଓ ପିଲା ସମସ୍ତେ ସାଇକଲ୍ ବ୍ୟବହାର କରନ୍ତି । ସମଗ୍ର ହଲାଣ୍ଡ ଦେଶଟି ସମୁଦ୍ରଠାରୁ ନୀଚ ।

 

ହଲାଣ୍ଡ ରାଜଧାନୀ ଆମଷ୍ଟାରଡ଼ାମ୍ ସହରରେ ସେ ଦେଶର ଅନ୍ୟ ସହରପରି ସାଧାରଣ ରାସ୍ତାମାନଙ୍କଠାରୁ କେନାଲର ସଂଖ୍ୟା ଅଧିକ । ରାସ୍ତା ଅସୁବିଧା ଯୋଗୁଁ ଦ୍ରୁତଗାମୀ ଗାଡ଼ି ମଟରର ପ୍ରସାର ନାହିଁ । ତେଣୁ ଲୋକେ ସାଇକଲ୍ ବ୍ୟବହାର କରନ୍ତି । ସେ ସହର ଭିତରେ ସାତଶହ ପଚାଶ କେନାଲ ରହିଛି । କେନାଲଗୁଡ଼ିକ ପରିଷ୍କାର ଓ କେନାଲର ଦୁଇ କଡ଼ରେ ସୁନ୍ଦର ସୁନ୍ଦର ଫୁଲଗଛମାନ ରୋପଣ କରାଯାଇଛି । କେନାଲରେ ଯନ୍ତ୍ରଚାଳିତ ନୌକା ସାହାଯ୍ୟରେ ଲୋକମାନେ ଯାତାୟାତ କରନ୍ତି ।

 

ସହରର ଘରଗୁଡ଼ିକ ଡେଙ୍ଗା ଡେଙ୍ଗା । ସ୍ଥାନ ଅଭାବରୁ ଯେ କୌଣସି ଘରେ ଏକ ତାଲାରୁ ଅନ୍ୟ ତାଲାକୁ ଯିବାକୁ ହେଲେ ଅଣଓସାରିଆ କାଠ ସିଡ଼ିରେ ଯିବାକୁ ହୁଏ । ଅଧିକାଂଶ ଘର କାଠ ଓ କାଗଜରେ ତିଆରି । ଜିନିଷପତ୍ର ସବୁ ଘରର ଉପର ତାଲାକୁ ନେବାକୁ ସବୁ ଘରର ଉପର ତାଲାର ସାମନାରେ ଲୁହା ପୁଲି ସବୁ ଲାଗି ସେଥିରୁ ଶିକୁଳିମାନ ତଳକୁ ଓହଳି ଥାଏ । ସେଇ ଶିକୁଳିରେ ବାନ୍ଧି ଉପରୁ ଟାଣିକରି ଜିନିଷ ସବୁ ଉପରକୁ ନିଆଯାଏ ।

 

ଦୁଇ ଚାରିଦିନ ବୁଲି ବୁଲି ମୁଁ ହଲାଣ୍ଡ ଦେଶର ଡେଲ୍‍ପ, ଲେଡ଼ନ୍ ହେଗ୍ ଆମଷ୍ଟର ଡାମ୍ ପ୍ରଭୃତି ଅନ୍ୟାନ୍ୟ ପ୍ରଧାନ ପ୍ରଧାନ ସହରର ଦେଖିଲି ।

 

ହେଗ ସହରରେ ପୃଥିବୀ ବିଖ୍ୟାତ ‘ଶାନ୍ତି ଭବନ’ ରହିଛି । ଆମଷ୍ଟର ଡାମ୍ ସହରରେ ଟୁରିଷ୍ଟ ନୌକାରେ ଚଢ଼ି ସହରର ପ୍ରଧାନ ପ୍ରଧାନ ସ୍ଥାନ ଭ୍ରମଣ କଲି । ନୌକାର ଉପରଟି କାଚରେ ଯୋଡ଼ା ଯାଇଥାଏ । ସେଥିରେ ଜଣେ ଗାଇଡ଼ ବା ଦେଖାଇବାବାଲା ଡାକବାଜି ଯନ୍ତ୍ର ସାହାଯ୍ୟରେ, ଇଂରେଜୀ, ଫ୍ରେଞ୍ଚ, ଜର୍ମାନ ଭାଷାରେ ତର୍ଜମା କରି ସବୁ ଦର୍ଶନୀୟ ବସ୍ତୁ ଦେଖାଉ ଥାଆନ୍ତି । ସେ ସହରର ପୁରାତନ ଭାଗରେ ଅଣଓସାରିଆ କେନାଲଗୁଡ଼ିକର ଦୁଇପଟେ ଆଗକାଳର ପୁରୁଣା ଘରମାନଙ୍କର ପଥର କାନ୍ଥ ସବୁ ଠିଆ ହୋଇଛି । ଠାଏଠାଏ କାନ୍ଥର ନଳାମାନଙ୍କରୁ ପାଣି ସବୁ କେନାଲରେ ପଡ଼ୁଛି ।

 

ନୂଆ କେନାଲଗୁଡ଼ିକ ବଡ଼ ଚଉଡ଼ା । ତା’ର ଉପରେ ସୁନ୍ଦର ସୁନ୍ଦର ମଜଭୁତ ଖୀଲାଣ ସବୁ ଦୁଇପଟର ସୁନ୍ଦର ରାସ୍ତାକୁ ସଂଯୋଗ କରୁଛି ।

 

ସହରର ଗୋଟିଏ ପଟେ ପନ୍ଦର ଶହ ଶତାବ୍ଦୀର ଉଚ୍ଚ ଇଷ୍ଟ ଇଣ୍ଡିଆ କମ୍ପାନୀର ପୁରୁଣା ପଥରକୋଠାସବୁ ଏବେବି ଠିଆ ହୋଇ ରହିଛି । ସେ କାଳର କୋଟିପତି ବଣିକମାନଙ୍କର ବିରାଟ ପ୍ରାସାଦ ସବୁ ଏବେ ସରକାରୀ ଭବନରେ ପରିଣତ ହୋଇଛି ।

 

କେନାଲରୁ ବନ୍ଦରର ସମୁଦ୍ର ଭିତରକୁ ପଶିବା ପରେ ବିରାଟ, ବିରାଟ ଯାତ୍ରୀବାହୀ ଓ ମାଲବାହୀ ଜାହାଜ ସବୁ ଦେଖିବାକୁ ମିଳିଲା । ଜାହାଜ କାରଖାନାମାନଙ୍କରେ ଭାସମାନ ବନ୍ଦର ଉପରେ କେତେକ ଜାହାଜ ମରାମତି ହେଉଥିଲା । ଲୁହାର ତିଆରି ଏହି ଫମ୍ପା ବନ୍ଧଗୁଡ଼ିକୁ ପାଣି ପୂରାଇ ବୁଡ଼ାଇ ଦିଆଯାଏ ଓ ଜାହାଜ ତା’ ଉପରକୁ ଅଣାହେବା ପରେ ସେଥିରୁ ଜଳ ନିଷ୍କାସନ କରାଇ ତଳୁ ଉଠାଇଲେ ଜାହାଜଟି ପୂରା ଉପରକୁ ଉଠିଯାଏ ଏବଂ ମରାମତ କରିବାର ସୁବିଧା ହୁଏ ।

 

ଆମଷ୍ଟରଡ଼ାମ୍ ସହରରୁ ମୁଁ ରହୁଥିବା ରଟର ଡାମ୍ ସହରର ହୋଟେଲକୁ ଫେରିଲାବେଳେ ବିଭିନ୍ନ ବ୍ୟବସାୟ କେନ୍ଦ୍ର ବୁଲୁ ବୁଲୁ ଫୁଲ ବିକ୍ରି ହେଉଥିବା ବଡ଼ବଡ଼ ବଜାର ସବୁ ଦେଖିଲି । ସବୁ ଦେଶର ଜାହାଜମାନେ ସେ ବଜାରରୁ ଫୁଲ କିଣି ନିଅନ୍ତି । ଫୁଲ ଏ ଦେଶର ଗୋଟିଏ ବାଣିଜ୍ୟ ଦ୍ରବ୍ୟ । ଫୁଲ ଓ ଦୁଗ୍ଧଜାତ ପଦାର୍ଥପାଇଁ ମଧ୍ୟ ଏ ଦେଶ ବିଖ୍ୟାତ । ଟ୍ରେନ୍‍ରେ ଆସିଲାବେଳେ ସୁନ୍ଦର ସୁନ୍ଦର ଶସ୍ୟ ଓ ପୁଷ୍ପ କ୍ଷେତ୍ର ଓ (ଉଇଣ୍ଡ ମିଲ) ପବନ କଳ ଓ ଦଳଦଳ ହୋଇ ବୁଲୁଥିବା ଗାଈଗୋରୁ ଓ ମେଣ୍ଢାପଲ ସବୁ ପଡ଼ିଆରେ ଚରୁଥିବାର ଆଖିରେ ପଡ଼ିଲା । ଗୋଟିଏ ସ୍ଥାନରେ ବିଲର ହିଡ଼ ଉପରେ ଜଣେ ଲୋକ ଗାଈଟିଏ ଦୋହୁଁ ଥିଲା । ଆମ ଦେଶରେ ଏପରି ଦୃଶ୍ୟ ଦେଖାଯାଏ । କିନ୍ତୁ ଆମେରିକାରେ ଏପରି ଗାଈଗୋରୁ ବାହାରେ ବୁଲୁଥିବାର ଦେଖାଯାଆନ୍ତି ନାହିଁ । ସେଠାରେ ସ୍ୱତନ୍ତ୍ର ସ୍ଥାନରେ ଗାଈଗୋରୁଙ୍କୁ ଆବଦ୍ଧ କରି ରଖାଯାଏ ।

 

ଶସ୍ୟକ୍ଷେତ୍ରମାନ ଆମ ଦେଶ ବିଲମାନଙ୍କ ପରି ଅଣଓସାରିଆ ଛୋଟ ଛୋଟ ବନ୍ଧୁପୂର୍ଣ୍ଣ ନୁହେଁ । ଉନ୍ନତ ଆଧୁନିକ ଧରଣର ଚାଷ ଏଠାରେ ହୁଏ । ଆମେରିକା ପରି ଅବଶ୍ୟ ବଡ଼ବଡ଼ ଟ୍ରାକ୍‍ଟର ଓ ଯନ୍ତ୍ର ସାହାଯ୍ୟରେ ନହୋଇ, ଶସ୍ୟ କ୍ଷେତ୍ରରେ ଲୁହାଲଙ୍ଗଳ ଲଗାଇ ଘୋଡ଼ାଦ୍ୱାରା ଜମି ହଳ କରାଯାଏ । କୋବି, ମଟର ଆଳୁର ସବୁଜ କ୍ଷେତ୍ରକୁ ଲାଗି କିଆରି କିଆରି ସୁନ୍ଦର ପୁଷ୍ପକ୍ଷେତ୍ରମାନ ଦର୍ଶକ ମନରେ ଅପାର ଆନନ୍ଦ ସୃଷ୍ଟି କରେ ।

 

ସେଠାରେ ଲୋକମାନେ ମିତବ୍ୟୟୀ ଓ ପରିଶ୍ରମୀ । ପୂର୍ବ ଭୂଖଣ୍ଡର ଇଣ୍ଡୋନେସିଆ ପ୍ରଭୃତି ସାମ୍ରାଜ୍ୟ ହରାଇବାପରେ ସେମାନେ ବିଲାତବାସୀଙ୍କ ପରି ଗରିବ ହୋଇଯାଇଥାଆନ୍ତି । ଦିନେ ବାଣିଜ୍ୟ କରିବାକୁ ଯାଇ ଏମାନେ ପୂର୍ବଦେଶମାନଙ୍କରେ ବିରାଟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ବିଲାତର ଇଷ୍ଟ ଇଣ୍ଡିଆ କମ୍ପାନୀ ସଙ୍ଗେ ତାଳ ନ ଦେଇ ପାରି ଭାରତରେ ଆଉ ବାଣିଜ୍ୟ ନକରି ଦକ୍ଷିଣ-ଦ୍ୱୀପପୁଞ୍ଜ ଆଡ଼କୁ ଘୁଞ୍ଚି ଯାଇଥିଲେ । ଦ୍ୱିତୀୟ ମହାସମର ପରେ ସେ ଦେଶମାନଙ୍କରେ ସ୍ୱାଧୀନ ଚେତନା ଆସିବାରୁ ସେ ସମସ୍ତ ରାଜ୍ୟ ହରାଇଲେ । ସେଠି ଇଂଲଣ୍ଡ ପରି ରାଜତନ୍ତ୍ର ମଧ୍ୟ ଏବେବି ରହିଛି ଓ ନାଆଁକୁ ମାତ୍ର ଶାସନ କ୍ଷମତା ଧରି ରାଣୀଟିଏ ବସିଛନ୍ତି ।

 

ମୁଁ ସାତଦିନ ହଲାଣ୍ଡ ଦେଶରେ କଟାଇ ପାଖଆଖ ଦେଶ ସବୁ ଦେଖିସାରିବାପରେ ରଟର ଡାମ୍ ବନ୍ଦର ଠାରେ ବମ୍ୱେ ଅଭିମୁଖରେ ଯାତ୍ରା କରିବାପାଇଁ ନରଉଏରୁ ଆସୁଥିବା ଟ୍ରିଟନ ନାମକ ମାଲବାହୀ ଓ ଯାତ୍ରୀବାହୀ ମିଶା ଜାହାଜଟି ଧରିଲି । ସେ ଏକ ବିରାଟ ମାଲବାହୀ ଜାହାଜ ହୋଇଥିଲେ ମଧ୍ୟ ପନ୍ଦରଟି ମାତ୍ର ଯାତ୍ରୀଙ୍କପାଇଁ ସେଥିରେ ସ୍ଥାନର ବନ୍ଦୋବସ୍ତ ଥିଲା । ସେଥିରେ ଯାତ୍ରୀବାହୀ ଜାହାଜମାନଙ୍କ ପରି ସ୍ୱତନ୍ତ୍ର ଡାକ୍ତର ନଥିବାରୁ ମୁଁ ଅବୈତନିକ ଡାକ୍ତରର ସମ୍ମାନ ପାଇ ସେ ଜାହାଜର କ୍ୟାପଟେନ ବା ଚାଳକଙ୍କ ବନ୍ଧୁ ହୋଇଗଲି । ବିଭିନ୍ନ ବନ୍ଦରରେ ମାଲପାଇଁ ଆସୁଥିବା ବଡ଼ବଡ଼ ବ୍ୟବସାୟୀଙ୍କ ସଙ୍ଗେ ମୁଁ ଜାହାଜର ଡାକ୍ତର ବୋଲି କ୍ୟାପ୍‍ଟେନ୍ ମୋତେ ପରିଚିତ କରାଇ ଦେବାରୁ ସେମାନେ ତାଙ୍କ ଗାଡ଼ିରେ ନେଇ ମୋତେ ସମ୍ୱର୍ଦ୍ଧନା କରି ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖାଇ ଜାହାଜ ସେ ବନ୍ଦରରୁ ଛାଡ଼ିବା ପୂର୍ବରୁ ମୋତେ ଆଣି ଜାହାଜରେ ପହଞ୍ଚାଇ ଦେଉଥିଲେ । ଜାହାଜର କର୍ମକର୍ତ୍ତାମାନଙ୍କ ପାଇଁ ଆସୁଥିବା ଫଳମୂଳ ଓ ଅନ୍ୟାନ୍ୟ ଖାଦ୍ୟର ଭେଟିରେ ମୁଁ ମଧ୍ୟ ଭାଗୀଦାର ହେଲି । ସହଯାତ୍ରୀ ଓ କର୍ମକର୍ତ୍ତାଙ୍କ ସଙ୍ଗେ ହସଖୁସିରେ ସମୟ କଟିଲା । ୟୁରୋପ ମହାଦେଶର କୂଳେ କୂଳେ ବନ୍ଦରମାନଙ୍କରେ ରହି ରହି ଜାହାଜ ଚାଲିଲା ।

Image

 

ଫେରନ୍ତା ବାଟ (ଶେଷପର୍ବ)

ପ୍ରାଣଭୟ

 

ବନ୍ଦର ଛାଡ଼ିଲାକ୍ଷଣି ଘରକୁ ଶୀଘ୍ର ଫେରିବାକୁ ମନ ଛଟପଟ ହୁଏ । ଦିନ ଦିନ ଧରି ପାଣି ଭିତର ଦେଇ ଜାହାଜ ଚାଲିଥାଏ । ପାଣି ଦେଖି ଦେଖି ଇଂରେଜ କବିଙ୍କ ଗୀତ ମନରେ ପଡ଼େ । ପାଣି ପାଣି, ଚାରିଆଡ଼େ ଖାଲି ପାଣି, କିନ୍ତୁ ତୃଷା ନିବାରଣ ପାଇଁ ଟୋପାଏ ନାହିଁ । ସମୁଦ୍ର ପାଣି ଭିତରେ ଠାଏଠାଏ ବିଭିନ୍ନ ଜଳଜନ୍ତୁ ବା ଷ୍ଟାର୍‍ଫିସ୍ ମାତ୍ର ଦେଖାଯାଆନ୍ତି ।

 

ପାଣିର ଭୟଙ୍କରତା ମଧ୍ୟ କିଛି କମ୍ ନୁହେଁ । ଝଡ଼ତୋଫାନ ଆସିଲେ ଜାହାଜ ଟଳମଳ ହୁଏ, ଜାହାଜ ଉପରକୁ ପାଣି ମାଡ଼ି ଆସେ । କେତେବେଳେ ଜାହାଜ ବୁଡ଼ିଯିବ କି ଭାଙ୍ଗିଯିବ, ଭାବି ଭୟରେ ଛାତି ଥରି ଉଠେ ।

 

ଜୁଲାଇ ମାସ ୧୦ ତାରିଖରେ ଆମ ଜାହାଜ ଯେତେବେଳେ ତଳ Bay of Biscay ବିଷ୍କୋ ଉପସାଗରରେ ପହଞ୍ଚିଲା, ସେତେବେଳେ ଆମେ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଥିଲୁ । ସେଠି ପ୍ରାୟ ସବୁବେଳେ ଝଡ଼ ହୁଏ । ଆମ ଜାହାଜ ଟଳମଳ ହେଲା । ବର୍ଷା ଓ ଝଡ଼ଯୋଗୁଁ ଆମେ ଆଉ ଡେକ୍ ଉପରକୁ ସମୁଦ୍ରର ରୁଦ୍ର ସୌନ୍ଦର୍ଯ୍ୟ ଦେଖିବାକୁ ନ ଆସିପାରି ଯେଝା କ୍ୟାବିନ୍ ରୁମ୍ ଖଟିଆରେ ତିନିଦିନ ପଡ଼ି ରହିଲୁ । ଷ୍ଟୁଆର୍ଡ଼ (କ୍ୟାବିନ୍ ବୟ) ଆସି କିଛି ଜଳଖିଆ ଓ ଫଳ ଦେଇଯାଏ, ଶୋଇ ଶୋଇ ସେତକ ଖାଉ । ଝାଡ଼ା ପରିସ୍ରା କରିବାପାଇଁ ବହୁ କଷ୍ଟରେ ଉଠି ସେଇ ରୁମ୍ ଭିତରେ ଥିବା ବାଥ୍‍ରୁମ୍‍ରେ ଦୁଇ କାର୍ଯ୍ୟ ଶେଷ କରୁ ।

 

ଦିନେ ରାତିରେ ହଠାତ୍ ବିପଦ ଘଣ୍ଟି ବାଜି ଉଠିଲା । ଆମେ ସମସ୍ତେ କଷ୍ଟେମଷ୍ଟେ ଉଠି ‘‘ଲାଇଫ୍ ଜାକେଟ୍’’ (ପାଣିରେ ପଡ଼ିଲେ ଭାସିବାପାଇଁ ଯେଉଁ ରବର ବ୍ୟାଗ୍, ଛାତି ଓ ପିଠିରେ ବାନ୍ଧିବାକୁ ଦିଆଯାଏ) ପିନ୍ଧି ପକାଇ ଅନ୍ଧାରରେ ଦରାଣ୍ଡି ଦରାଣ୍ଡି ପାଣିକୁ ଡେଇଁବାକୁ ପ୍ରସ୍ତୁତ ହୋଇ ଡେକ୍ ଉପରକୁ ଆସିଲୁ । କୁହୁଡ଼ିରେ କିଛି ଦିଶୁ ନଥିଲା । ଜାହାଜର ରାଡ଼ାର କାମ କରୁ ନଥାଏ । ରାଡ଼ାର ଯନ୍ତ୍ରଟି ଅନ୍ଧାରରେ ମଧ୍ୟ ଦୂରରୁ ଆସୁଥିବା ଜାହାଜ ବା ସମୁଦ୍ର ଭିତରେ ଥିବା ଉଚ୍ଚନୀଚ ସ୍ଥାନର ସଙ୍କେତ ଦିଏ । ରାଡ଼ାର କାମ ନ କରିବାରୁ ଜାହାଜର କ୍ୟାପ୍‍ଟେନ୍ ଜାହାଜର ହୁଇସିଲ୍‍ ଦେଇ ଅନ୍ୟ ଜାହାଜ ସବୁକୁ ସତର୍କ କରି କରି ଚାଲିଥିଲେ । ସେଇ ହୁଇସିଲ୍‍ କୁହୁଡ଼ି ଓ ଖରାପ ପାଗଯୋଗୁଁ ବୋଧହୁଏ ଦୂରକୁ ଶୁଭୁ ନଥିଲା । ହଠାତ୍ ରାତି ୯ଟାବେଳେ ଜାହାଜଟି ଖୁବ୍ ଏକ ବଡ଼ ଶବ୍ଦ କରି ଗୋଟିଏ ଅର୍ଦ୍ଧ ବୃତ୍ତାକାର ପରିଧିରେ ବୁଲିଯିବାକୁ ଲାଗିଲା ଓ ସାଇରନର ବିପଦ ସଙ୍କେତ ବାଜି ଉଠିଲା ।

 

ଆମେ ଉପରକୁ ଯାଇ କିଛି ଦୂରରେ ଆଉ ଗୋଟିଏ ଜାହାଜର ଆଲୁଅ ଦେଖିଲୁ । ଆର ଜାହାଜଟି ମଧ୍ୟ ବିପରୀତ ଦିଗରେ ସେହିପରି ଅର୍ଦ୍ଧ ବୃତ୍ତାକାରରେ ବୁଲି ଯାଇଛି । ସମୁଦ୍ର ଭିତରେ ସାମନାସାମନି ଦୁଇଟି ବିରାଟ କେନାଲ ପରି ପାଣିର ଖାଲି ସୃଷ୍ଟି ହୋଇଛି । ଗୋଟିଏ ମୁଣ୍ଡରେ ଆମ ଜାହାଜ ଓ ଅନ୍ୟ ମୁଣ୍ଡରେ ଅନ୍ୟ ଜାହାଜ । ତା’ ନ ହୋଇଥିଲେ, ଦୁଇଟିଯାକ ଜାହାଜ ମୁହାଁମୁହିଁ ହୋଇ ବାଡ଼େଇ ହୋଇ ଯାଇଥାଆନ୍ତେ । ଆମେ ସମସ୍ତେ ସଲିଳ ସମାଧି ଲଭି ଥାଆନ୍ତୁ । ସମୁଦ୍ରର ବଡ଼ବଡ଼ ଜୀବମାନଙ୍କର ପେଟରେ ପଡ଼ି ସେମାନଙ୍କର ଆହାର ହୋଇଥାଆନ୍ତୁ-

 

ଲିସ୍‍ବନ

 

ସକାଳୁ ପାଗ ଭଲ ହୋଇଗଲା । ଆମେ ପର୍ତ୍ତୁଗାଲର ଲିସ୍‍ବନ୍‍ରେ ପହଞ୍ଚିଲୁ । ପର୍ତ୍ତୁଗାଲର ଲିସ୍‍ବନ୍ ସହର ବୁଲି ଗୋଟିଏ ପୁରୁଣା ଚର୍ଚ୍ଚ ଭିତରେ ଭାରତକୁ ଜଳପଥ ଆବିଷ୍କାର କରିଥିବା ଭାସ୍କୋଡ଼ାଗାମାଙ୍କର କବରଟି ଦେଖିଲୁ । ପର୍ତ୍ତୁଗାଲର ସ୍ୱାଧୀନତା ସ୍ମୃତିସ୍ତମ୍ଭ ୧୬୦୦ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗାଲ, ସ୍ପେନରୁ ଅଲଗା ହୋଇ ସ୍ୱାଧୀନ ହୋଇଥିବାର ସନ୍ତକଟି ଦେଖିଲୁ । ସହରଟି ବିଭିନ୍ନ ଛୋଟ ବଡ଼ ପାହାଡ଼ ଉପରେ ବୁଦିବୁଦିକିଆ ଘରମାନଙ୍କରେ ତିଆରି । ସେଠାର ଟ୍ରପିକାଲ ବଗିଚାଟି କାଚ ବାଡ଼ ଭିତରେ ନାନା ଟ୍ରପିକାଲ ଗଛଲତାରେ ପରିପୂର୍ଣ୍ଣ ଓ ତା’ର ଦୃଶ୍ୟ ଅତି ମନୋରମ ।

 

ସହରଟି ପରିଷ୍କାର ଓ ସାଜସଜ୍ଜା ଅତି ସୁନ୍ଦର । ପୁରାତନ ରାଜଭବନ ଓ ଦୁର୍ଗ ପାଚେରୀ ଘେରା ବହୁ କୋଠରୀ ପରିପୂର୍ଣ୍ଣ । ବହୁତାଲା ବିଶିଷ୍ଟ ଭଙ୍ଗା କୋଠାଘର, ସେଠାରେ ରାଜତନ୍ତ୍ରର ଶେଷ ରାଜାଙ୍କୁ ହତ୍ୟା କରି ଗଣତନ୍ତ୍ର ପ୍ରତିଷ୍ଠା କରାଯାଇଥିଲା ।

 

ପର୍ତ୍ତୁଗାଲ କ୍ଷୁଦ୍ର ରାଜ୍ୟ ହେଲେ ମଧ୍ୟ ତା’ ଅଧୀନରେ ବହୁତ ଦୂର ଦୂରାନ୍ତ କଲୋନି ରାଜ୍ୟ ଥିଲା । ସୁଦୂର ବ୍ରାଜିଲ ପ୍ରଭୃତି ସ୍ୱାଧୀନ ହେବାପରେ ତା’ର ଅଧିକାଂଶ କଲୋନି ଯାଇଛି, ତଥାପି ପର୍ତ୍ତୁଗାଲରେ କଲୋନିଆଲ ସ୍ମୃତିସ୍ତମ୍ଭ, କଲୋନିଆଲ ବାରାକ ବା ସୈନ୍ୟ ଛାଉଣୀର ଘର, କଲୋନିଆଲ ଜେଲ ପ୍ରଭୃତି ରହିଛି ସେ ସବୁ ବୁଲି ବୁଲି ଦେଖିଲୁ ।

 

ଶେଷରେ ଷଣ୍ଢ ଲଢ଼େଇ ପ୍ରାଙ୍ଗଣରେ ପହଞ୍ଚିଲୁ । ଏହା ଗୋଟିଏ ବଡ଼ ଗୋଲାକାର ଷ୍ଟାଡ଼ିୟମ୍ ପରି । ଦୋତାଲା ଉଚ୍ଚରେ ଦର୍ଶକ ଗ୍ୟାଲେରୀ, ରାଜା ଓ ବଡ଼ବଡ଼ ଲୋକମାନେ ବସିବାପାଇଁ ସ୍ୱତନ୍ତ୍ର ସ୍ଥାନ । ତଳ ତାଲାର ଗୋଟିକ ଫାଟକ ବାଟେ ଷଣ୍ଢଟିକୁ ଛାଡ଼ି ଦିଆଯାଏ । ଅନ୍ୟ ଫାଟକ ବାଟେ ଘୋଡ଼ାରେ ବସି ଧନୁଶର ବା ଛୁରି ଧରି ଖେଳାଳିଟି ଆସେ । ପ୍ରାଙ୍ଗଣଟି ବଡ଼ ପ୍ରଶସ୍ତ, ଚାରିପଟ ପାଚେରୀ ପଥର ଘେରା ।

 

ଖେଳାଳି ଷଣ୍ଢକୁ ରଗାଇ ଦିଏ । ଷଣ୍ଢ ଖେଳାଳିକୁ ଗୋଡ଼ାଏ ଓ ଖେଳାଳି ଶର ଛୁରି ଫିଙ୍ଗି ଫିଙ୍ଗି ଷଣ୍ଢଟିକୁ ରକ୍ତାକ୍ତ କରି ଶେଷରେ ମାରିଦିଏ କିମ୍ୱା ଅସାବଧାନ ହେଲେ ଘୋଡ଼ାରୁ ଖସି ପଡ଼ି କ୍ଷତବିକ୍ଷତ ହୁଏ ବା ଷଣ୍ଢଦ୍ୱାରା ନିହତ ହୁଏ । ଏ ନୃଶଂସ କାଣ୍ଡର ଖେଳପାଇଁ ସ୍ପେନ, ପର୍ତ୍ତୁଗାଲ ଓ ମେକ୍‍ସିକୋ ପ୍ରଭୃତି ରାଜ୍ୟ ବିଖ୍ୟାତ । ଏବେ ଏସବୁ ଦେଶରେ ଷଣ୍ଢକୁ ମାରିବା ବା ଖଣ୍ଡିଆ କରିବା ନିଷେଧ କରାଗଲାଣି ।

 

ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଭ୍ୟତାର କେତେ ତଫାତ୍ ! ଆମ ଦେଶର ‘ଜୀବେ ଦୟା’ ଧର୍ମର ଚରମପନ୍ଥୀ ଜୈନମାନେ କୀଟପତଙ୍ଗକୁ ମୃତ୍ୟୁମୁଖରୁ ରକ୍ଷା କରିବାକୁ ନାକ କାନରେ କନା ବାନ୍ଧି ଯିବାଆସିବା କରନ୍ତି । ପାଶ୍ଚାତ୍ୟ ଦେଶରେ ହାଣକାଟର ନୃଶଂସ ଆବହାୱା ଭିତରେ ବଢ଼ି ଷଣ୍ଢ ଲଢ଼େଇ ପରି ନୃଶଂସ ଖେଳ ଖେଳନ୍ତି । ଏହି ନୃଶଂସତା ଫଳରେ ସେମାନେ ଦିନେ ପୃଥିବୀବ୍ୟାପୀ ତାଙ୍କର କ୍ଷମତା ବିସ୍ତାର କରି ପ୍ରାଚ୍ୟ ଓ ଅନ୍ୟାନ୍ୟ ଦେଶର ନିରୀହ ଲୋକଙ୍କୁ ପଦାନତ କରି ରଖିପାରିଥିଲେ ।

 

ପୁଣ୍ୟତୀର୍ଥ ମାର୍ସେଲିସ

 

୧୧ ତାରିଖ ସନ୍ଧ୍ୟାରେ ଜାହାଜ ଛାଡ଼ିଲା । ୩ ଦିନ ସମୁଦ୍ର ଭିତରେ ବିତାଇ ୧୪ ତାରିଖ ସକାଳେ ଫ୍ରାନ୍‍ସର ମାର୍ସଲିସ ବନ୍ଦର ଦିଗରେ ଜାହାଜ ଚାଲିଲା । ଜାହାଜ ରେଡ଼ିଓରୁ ଶୁଣିଲୁ ମାର୍ସେଲିସ ବନ୍ଦର ଆସୁଛି । ମାର୍ସେଲିସର ସ୍ମୃତି ଆମ ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ପବିତ୍ର ସ୍ତମ୍ଭ । ଭାରତୀୟ ଜାତୀୟବାଦୀଙ୍କ ପକ୍ଷରେ ତାହା ଏକ ତୀର୍ଥସ୍ଥାନ ।

 

ଜାଲିଆନବାଗ ହତ୍ୟାକାଣ୍ଡର ଅଭିଯୁକ୍ତ ଇଂରେଜଙ୍କ ହତ୍ୟାରେ ସମ୍ପୃକ୍ତ ଥାଇ ଇଂଲଣ୍ଡରେ ଆଇନ ଅଧ୍ୟନୟ କରୁଥିବା ମହାବିପ୍ଳବୀ, ବୀର-ସଭରକର ନିଜ ନିର୍ଭୀକ ମତ ପ୍ରକାଶରେ ଇଂରେଜମାନଙ୍କ ବନ୍ଧୁକ ମୁନରେ ବନ୍ଦୀ ହୋଇ ଇଂଲଣ୍ଡରୁ ଗୋଟିଏ ଜାହାଜରେ ତାଙ୍କର ଭୀଷଣ, ରାଜଦ୍ରୋହର ବିଚାରପାଇଁ ଭାରତ ଅଣା ହେଉଥିଲେ ।

 

ଏହି ମାର୍ସେଲିସ ମନ୍ଦରର ୫ ମାଇଲ ଦୂରରେ ଇଂରେଜ ରକ୍ଷୀମାନଙ୍କ ଆଖିରେ ଧୂଳି ପକାଇ ବାଥ୍‍ରୁମ୍‍ରେ ଗାଧୋଇବା ଅବସ୍ଥାରେ ଜାହାଜର ପୋର୍ଟ ହୋଲ ବା କାଚଦିଆ କଣାବାଟେ କାଚ ଭାଙ୍ଗି ସମୁଦ୍ର ଭିତରକୁ ଡେଇଁ ପଡ଼ିଥିଲେ । ସେ ଗାଧୋଇବା ଘରେ ଗୋଟିଏ ଦର୍ପଣ ଥାଏ । ସେ ଦର୍ପଣରୁ କବାଟର କଣାବାଟେ ରକ୍ଷୀମାନେ ତାଙ୍କ ଗତିବିଧି ଦେଖୁଥାଆନ୍ତି । ସେଦିନ ସେ ତାଙ୍କ କୋଟ୍‍ଟି ଦର୍ପଣ ଉପରେ ରଖି ଦେଇଥିବାରୁ ସେମାନେ କିଛି ଦେଖି ପାରିଲେ ନାହିଁ ।

 

ସମୁଦ୍ରରେ ସେ ପଡ଼ିବାର ଶବ୍ଦ ଶୁଣି ରକ୍ଷୀମାନେ ପାଣିରେ ଆଲୁଅ ପକାଇ ତାଙ୍କୁ ପହଁରୁଥିବାର ଦେଖି ଡଙ୍ଗାରେ ଚଢ଼ି, ବନ୍ଧୁକ ଧରି ଗୋଡ଼ାଇଲେ । ସେ ପହଁରିବା ଅବସ୍ଥାରେ ଇଂରେଜମାନେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଛାଡ଼ିଲାବେଳକୁ ସେ ବୁଡ଼ା ମାରି ଆଗକୁ ପହଁରି ଯାଉଥାଆନ୍ତି । ସେ ସମସ୍ତ ଗୁଳି ସତ୍ତ୍ୱେ ୫ ମାଇଲ ବା ସାଢ଼େ ସାତ କିଲୋମିଟର ଯାଏଁ ସମୁଦ୍ରରେ ପହଁରି ପହଁରି ମାର୍ସେଲିସକୂଳରେ ଲାଗି ଫ୍ରାନ୍‍ସର ଜଗୁଆଳି ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଓ ଇଂରେଜମାନେ ତାଙ୍କୁ ନେଇ ପାରିବେ ନାହିଁ ବୋଲି ଆଇନ ଅନୁସାରେ ଦାବି କଲେ ।

 

ପରେ ପୃଥିବୀ ଅଦାଲତର ବିଚାର ଅନୁସାରେ ଇଂରେଜମାନେ ତାଙ୍କୁ ବନ୍ଦୀ ଅବସ୍ଥାରେ ଆଣି ଆଣ୍ଡାମାନ ବା କଳାପାଣିରେ ତାଙ୍କୁ ଯାବତ୍ ଜୀବନ କାରାଦଣ୍ଡ ଦେଇ ରଖିଥିଲେ । ଆଣ୍ଡାମାନର ସେହି କରାଗାର ଗୃହ ଏବେ ଭାରତ ବିପ୍ଳବର ଏକ ତୀର୍ଥସ୍ଥାନ ହୋଇଛି ।

 

ମାର୍ସେଲିସ ଗୋଟିଏ ବିରାଟ ବନ୍ଦର । ବନ୍ଦରର ଦୁଇ ତିନି ମାଇଲ ଦୂରରେ ସହରଟି ଅବସ୍ଥିତ । ଫ୍ରାନ୍‍ସ ବିଳାସବ୍ୟସନର ଚରମ ସୀମାରେ ପହଞ୍ଚିଛି । ଚାରିଆଡ଼େ ମଦ ଦୋକାନ । ଲୋକମାନଙ୍କର ବେପରୁଆ ଭାବ । ନେପୋଲିୟନଙ୍କର ସେ ବିରାଟ ଶକ୍ତିସମ୍ପନ୍ନ ବୀର-ପ୍ରସୂ ବସୁନ୍ଧରା ଆମୋଦ ଭବନରେ ପରିଣତ ହୋଇଛି । ଜୁଲାଇ ୧୪ ତାରିଖରେ ଫ୍ରାନ୍‍ସର ସ୍ୱାଧୀନତା ଦିବସ । ସହରଟି ଖୁବ୍ ବେଶୀ ସଜ୍ଜା ହେଲାପରି ଜଣା ପଡ଼ୁ ନ ଥାଏ । ତଥାପି ପାର୍କ୍‍ମାନଙ୍କରେ ପିଲାମାନଙ୍କର ବେଶ୍ ଭିଡ଼ ଜମିଥାଏ । ବେଲୁନ ଓ ଛୋଟ କାଗଜ ଟୋପି ବିକ୍ରି ଚାଲିଥାଏ । ରାତିରେ ନାନାପ୍ରକାର ବାଣ ଫୁଟା ଯାଉଥାଏ ଓ ମାତାଲଙ୍କ ସଂଖ୍ୟା ଟିକିଏ ବେଶୀ ବଢ଼ିଲାପରି ଜଣା ଯାଉଥାଏ ।

 

ରୋମାନ ସଭ୍ୟତା

 

ପନ୍ଦର ତାରିଖ ଜୁଲାଇ ସକାଳେ ଇଟାଲୀର ବିଖ୍ୟାତ ବନ୍ଦର ‘ଜେନୋଆ’ରେ ଆସି ପହଞ୍ଚିଲୁ । ଏ ଦେଶର ରୋମାନ ସଭ୍ୟତା ଦିନେ ପୃଥିବୀରେ ପ୍ରତିଷ୍ଠିତ ଓ ବିଶିଷ୍ଟ ସ୍ଥାନ ଅଧିକାର କରିଥିଲା । ଦୁର୍ଦ୍ଧର୍ଷ ଜୁଲିଅର ସିଜର ବିରାଟ ରୋମାନ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।

 

ଗ୍ରୀସ୍ ରୋମ ସାମ୍ରାଜ୍ୟର ଅଗ୍ରଦୂତ ଆଲେକଜାଣ୍ଡର ବା ସିକନ୍ଦର ଦିନେ ଭାରତ ପର୍ଯ୍ୟନ୍ତ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଥିଲେ । ଏଠାରେ ବହୁ ଦାର୍ଶନିକ, କବି, ଚିତ୍ରକର ଓ ଶିଳ୍ପୀ ଜନ୍ମଗ୍ରହଣ କରିଥିଲେ । ଜୁଲିଅର ସିଜର ଭଳି ବିଖ୍ୟାତ ଯୋଦ୍ଧା ମଧ୍ୟ ଜନ୍ମଗ୍ରହଣ କରିଥିଲେ । ମହାବିପ୍ଳବୀ ଗାରିବାଲ୍ଡ଼ି ଏହି ଦେଶର ବିଗତ ଶତାବ୍ଦୀର ମହାମନୀଷୀ ।

 

ଏହି ବନ୍ଦର ନିକଟରେ ଆମେରିକା ଆବିଷ୍କାରକ କଲମ୍ୱସ ମଧ୍ୟ ଜନ୍ମଗ୍ରହର କରିଥିଲେ । ଏହି ଭୂମିର ମୁସୋଲିନୀ ଏକଛତ୍ର ଶାସକ ଭାବରେ ହିଟଲରଙ୍କ ସଙ୍ଗେ ବନ୍ଧୁତା କରି ପୃଥିବୀକୁ ଦ୍ୱିତୀୟ ମହାସମରରେ ଥରହର କରିଥିଲେ ।

 

ଦ୍ୱିତୀୟ ମହାସମରରେ ମୁସୋଲିନୀ ଓ ହିଟଲରଙ୍କ ପତନ ପରେ ଏ ରାଜ୍ୟ ବଡ଼ ଦରିଦ୍ର ଅବସ୍ଥାରେ ପହଞ୍ଚିଛି । ଦରିଦ୍ର ଭିକାରିଙ୍କ ସଂଖ୍ୟା ବଢ଼ିଛି । ଚୋର, ଡକାୟତଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । କମ୍ୟୁନିଜମ୍ ପ୍ରସାର ଲାଭ କରୁଛି । ରାଜନୈତିକ ମତବାଦର ସ୍ଥିରତା ନାହିଁ ।

 

ଅପ୍ରତ୍ୟାଶିତ ଅଭିବାଦନ

 

ମୁଁ ଜାହାଜରୁ ଓହ୍ଲାଇ ଆସିବା ସଙ୍ଗେ ସଙ୍ଗେ ଜଣେ ୨୮ କିମ୍ୱା ୩୦ ବର୍ଷର ଯୁବକ ଭଦ୍ରଲୋକ ମୋ ଆଡ଼କୁ ଆସିବାର ଦେଖାଗଲା । ପୂର୍ବପରିଚିତ ଭଳି ସେ ମୋତେ ଇଂରାଜୀ ଭାଷାରେ ଜେନୋଆକୁ ସ୍ୱାଗତ କରୁଛି ବୋଲି, ଅଭିବାଦନ ଜଣାଇଲେ । ଲୋକଟିର ପାତଳା ଓ ଡେଙ୍ଗା ନାକଟି ଖଣ୍ଡାଧାର ପରି, ବର୍ଣ୍ଣ ଗୌର, କିନ୍ତୁ ଚିଲା ଚିଲା ତମ୍ୱାଳିଆ ଆଖି ଦୁଇଟି ସଙ୍ଗେ ତା’ ଓଠରେ ଚିପା ଚିପା ହସ ବେଶ୍ ମାନୁଥିଲା ।

 

ଜେନୋଆରେ କେଉଁ କେଉଁ ଦର୍ଶନୀୟ ସ୍ଥାନ ଦେଖିବାର ଅଛି ସେ ମୋତେ ଜଣାଇଲେ-। ସେ ଜାହାଜରେ କାମ କରନ୍ତି ଓ ଆଜି ତାଙ୍କର ଛୁଟି ଥିବାରୁ ମୋ ସଙ୍ଗେ ଯାଇ ସବୁ ବୁଲାଇ ଦେଖାଇ ଦେବେ ବୋଲି କହିଲେ ।

 

ଏପରି କହିସାରି ହଠାତ୍ ଗୋଟିଏ ୨୦ ଡଲାରର ଆମେରିକାନ ନୋଟ୍ ମୋତେ ଭଙ୍ଗାଇ ଦେବାକୁ କହିଲେ । ମୋର ତାଙ୍କ ପ୍ରତି କିପରି ଏକ ସନ୍ଦେହ ଜାତ ହେଲା । ମୋ ପାଖରେ ଡଲାର ମଧ୍ୟ ନଥିଲା । ମୁଁ ଟ୍ରାଭଲର ଚେକ୍ ରଖିଥିଲି, ତେଣୁ ମୁଁ ଭଙ୍ଗାଇ ପାରିବି ନାହିଁ ବୋଲି କହିଲି । ସେ ମୋ ପାଖରୁ ଚାଲିଯାଇ ଅନ୍ୟ ଜଣେ ଦୁଇଜଣଙ୍କ ପାଖରେ ଡଲାର ଭଙ୍ଗାଇବାକୁ ଚେଷ୍ଟା କଲେ ।

 

ମୁଁ ଗୋଟିଏ ଅଚିହ୍ନା ଲୋକଠାରୁ ତ୍ରାହି ପାଇଲି ଭାବି ଜାହାଜରେ ସଂଗ୍ରହ କରିଥିବା ଠିକଣା ଓ ବସ୍ ନମ୍ୱର ଅନୁସାରେ ବସ୍ ଧରିବାକୁ ଆଗେଇଲି । ଅଳ୍ପ ବାଟ ଯିବାପରେ ଦେଖିଲି, ସେ ପୁଣି ମୋ ପିଛା ଧରିଛନ୍ତି । ମୁଁ ତାଙ୍କୁ ଯେତେ ଦୂରଛଡ଼ା କରିବାକୁ ଚେଷ୍ଟା କଲି, ସେ ସେତିକି ମୋ ଆଡ଼କୁ ଆଗେଇ ଆସିଲେ ।

 

ମୋ ଛାତି ଧୁଡ଼ୁଧୁଡ଼ୁ ହେଉଥାଏ । ମୁଁ ପୁଣି ଭାବିଲି ମଣିଷହିଁ ମଣିଷ । ରାକ୍ଷସ ଓ ଦେବତା ସବୁ ମଣିଷ ଭିତରେ ଅଛନ୍ତି । ସମୟ, କାଳ ଓ ପରିସ୍ଥିତିର ଚାପରେ ସେଇ ମଣିଷ ରାକ୍ଷସ ବା ଦେବତାରେ ପରିଣତ ହୁଏ ।

 

ମୋର ତ ସ୍ଥାନ ସବୁ ବୁଲି ଦେଖିବାର କଥା । ମୋତେ ଏ ରାଜ୍ୟରେ ଏପରି ସୁନ୍ଦର ଇଂରେଜୀରେ କହୁଥିବା ଲୋକ ଆଉ କେଉଁଠୁଁ ଗାଇଡ଼୍‍ଭାବେ ମିଳିବ ? ଫ୍ରାନ୍‍ସ ରାଜ୍ୟରେ ଫ୍ରେଞ୍ଚ ଭାଷା ଜାରି ନ ଥିବାରୁ ମୋର ବଡ଼ ଅସୁବିଧା ହୋଇଥିଲା । ଯଦି ବା ଇଏ ଚୋର ହୋଇଥାଏ ମୋର ତ ସବୁ ଜିନିଷପତ୍ର ଜାହାଜରେ, ମୋ ପାଖରେ ବା କ’ଣ ଅଛି ଯେ ସେ ମୋତେ ଠକିବ ? ତା’ପାଇଁ କିଛି ଖର୍ଚ୍ଚ କରି ସ୍ଥାନଟା ଭଲ କରି ଦେଖି ପାରିଲେ କ୍ଷତି କ’ଣ ? ମୁଁ ଏହିପରି ବିଚାରି ସେ ଭଦ୍ରଲୋକଙ୍କୁ ସାଙ୍ଗ କରି ସହର ବୁଲିବାକୁ ମନରେ ସାହସ ବାନ୍ଧିଲି ।

 

ଜେନୋଆ ବୁଲା

 

ସେ ମୋ ପାଖକୁ ଆସିବାରୁ ମୁଁ ତାଙ୍କ ନାମ ଅନୁସାରେ ମିଷ୍ଟର୍‍ ଜିଓଭିନୋ ଆସନ୍ତୁ କହି ଖୁବ୍ ବନ୍ଧୁଭାବ ଦେଖାଇଲି ଓ ପାଖରେ ଥିବା ଗୋଟିଏ ଦୋକାନକୁ ଯାଇ ଦୁହେଁ ଚା’ ପାନ କଲୁ ।

 

ମୁଁ ମୋ ପାଖରେ ଥିବା ଚାବି ଓ ଆଉ କେତେକ ଜିନିଷ ଜାହାଜରେ ଥୋଇ ଦେଇ ଆସିବା ଉଚିତ ମନେକରି ‘‘ଆପଣ ଏଠାରେ ଅପେକ୍ଷା କରନ୍ତୁ ମୁଁ ବୁଲିଯିବା ପାଇଁ ଓ ସମୁଦ୍ରରେ ଗାଧୋଇବା ପାଇଁ ସୁଇମିଙ୍ଗ୍ ସୁଟ୍, ବ୍ୟାଗ୍ ପ୍ରଭୃତି ଜାହାଜରୁ ଘେନି ଆସେ’’ ବୋଲି କହିଲି ।

 

ମୁଁ ଜାହାଜକୁ ଯିବା ଶୁଣି ସେ କହିଲେ, ମୋପାଇଁବି ତଉଲିଆ ଆଉ ସାବୁନ ଦରକାର । ସେ ସବୁ ତ ଜାହାଜରେ ମାଗଣା ମିଳେ, ଆପଣ ତ ସେ ସବୁ ସାଙ୍ଗରେ ଆଣି ପାରିବେ ନାହିଁ । ଜାହାଜ ଜିନିଷ ବାହାରକୁ ନେବା ମନା, ଜାହାଜବାଲା ତଦାରଖ କରି ଛାଡ଼ିବେ, ତେଣୁ ଆପଣ ଆପଣଙ୍କ କ୍ୟାବିନ୍ ଝରକା ବାଟେ ୨, ୪ଟା ଜାହାଜ ତଉଲିଆ ଓ ସାବୁନ ଗୁଡ଼ାଇ କରି ତଳକୁ ଫିଙ୍ଗି ଦିଅନ୍ତୁ ମୁଁ ଜାହାଜ ବାହାରୁ ତାହା ଧରିନେବି ।

 

ମୁଁ ତା’ କଥାରେ ଜାହାଜରୁ ସାବୁନ ତଉଲିଆ ଚୋରୀ କରିବି ଏ କଥା ଶୁଣି ମନେମନେ ହସିଲି । ଜାହାଜକୁ ଗଲି ଓ ମୋ ଜିନିଷପତ୍ର, ଜରୁରୀ କାଗଜପତ୍ର ଥୋଇ, ଅଳ୍ପ କିଛି ଟଙ୍କା ଧରି ଫେରି ଆସି ତାଙ୍କୁ କହିଲି କ୍ୟାବିନ୍‍ରୁ ସବୁ ତଉଲିଆ ସାବୁନ ଷ୍ଟୁଆର୍ଡ଼ ଘେନି ଯାଇଛି । ମୁଁ ଫେରିଲେ ସେ ସବୁ ସଂଗ୍ରହ କରି ତାଙ୍କ ପାଖକୁ ଫୋଫାଡ଼ିବାର ବ୍ୟବସ୍ଥା କରିବି ।

 

ତା’ପରେ ଆମେ ଦୁହେଁ ବସ୍‍ରେ ଯାତ୍ରା କଲୁ । କଲମ୍ୱସଙ୍କର କବର ଦର୍ଶନ କରିବାପରେ ସମୁଦ୍ରକୂଳରେ ଗୋଟିଏ ରମଣୀୟ ଗାଧୁଆ ତୋଠରେ ପହଞ୍ଚିଲୁ । ସେଠି ବହୁତ ରଙ୍ଗୀନ ଛତା ଟଣା ହୋଇଥାଏ । ଲୋକମାନେ ସମୁଦ୍ରରେ ସନ୍ତରଣ କରି ସେଠାରେ ଆସି ବିଶ୍ରାମ ନେଉଥାଆନ୍ତି ।

 

ଲୁଗାପଟା ବଦଳାଇବା ପାଇଁ ସେଠାରେ ଧାଡ଼ି ଧାଡ଼ି ଛୋଟ ଘରସବୁ ଅଛି । ଅଳ୍ପ ପଇସା ଦେଲେ ସେ ଘରର ଚାବି ମିଳେ । ମୁଁ ସେଥିରୁ ଗୋଟିଏ ଘରଭଡ଼ା ନେଲି, ଆମେ ଦୁହେଁ ସେ ଘରେ ଲୁଗାପଟା ରଖିଲୁ । ସେ ମୋ ତଉଲିଆଟି ପିନ୍ଧିଲେ ଓ ମୁଁ ମୋର ପହଁରା ପୋଷାକଟି ପିନ୍ଧି ସେ ଘର ଚାବି ଦେଲି ଓ ସତର୍କତାର ସହିତ ମୋ ପୋଷାକ ପକେଟରେ ଚାବିଟି ଲୁଚାଇ ରଖିଲି । ମୁଁ ତାଙ୍କ ସହିତ ଯେତେ ବନ୍ଧୁତା କଲେ ମଧ୍ୟ ତଉଲିଆ ସାବୁନ ଫୋଫାଡ଼ିବା କଥା କହିବା ପରଠାରୁ ମୋର ତାଙ୍କପ୍ରତି ସନ୍ଦେହ ବଢ଼ିଥାଏ । ସେ ଯେ ବୁଭୁକ୍ଷିତ, ସେ ବିଷୟରେ ମୋର ସନ୍ଦେହ ନଥାଏ, ତେଣୁ ଶାସ୍ତ୍ର ଅନୁସାରେ ‘ବୁଭୁକ୍ଷିତ କିଂ ନ କରୋତି ପାପ’ କଥାଟି ମୋର ମନ ମଧ୍ୟରେ ଜାଗ୍ରତ ହୋଇଥାଏ ।

 

ପହଁରା ଏବଂ ସ୍ନାନ ସାରି ଲୁଗାପଟା ପିନ୍ଧି ଆମେ ପାଖ ହୋଟେଲରେ ଇଟାଲୀୟ ଖାନା ଖାଇଲୁ । ଗହମ ତିଆରି ଷ୍ପାଗେଟି, ତା’ ଉପରେ ଲହୁଣୀ ଓ ଛେନା ଗୁଣ୍ଡ ଛିଞ୍ଚା ହୋଇଛି । କ’ଣ ପିଇବେ ବୋଲି ହୋଟେଲ ବୟ ପଚାରିଲା । ମୁଁ ଲେମୋନେଡ଼୍ ବୋଲି କହିଲି । କିନ୍ତୁ ସେ ମଦ ଗ୍ଲାସେ ଆଣି ଥୋଇଲା । ମୁଁ ତା’ର ଗନ୍ଧ ବାରି ବନ୍ଧୁଙ୍କର ଆଡ଼କୁ ଚାହିଁବାରୁ ସେ ‘‘ଲାଇଟ୍‍ୟେଲ୍‍’’ ବା ହାଲୁକା ମଦ ବୋଲି କହିଲେ । ମୋ ଲେମୋନେଡ଼୍‍କୁ ହୋଟେଲ ବୟ ବୁଝି ନ ପାରି ୟେଲ୍ ଆଣି ଦେଲା । ସେଠାରେ ପ୍ରାୟ ସମସ୍ତେ ଖାଦ୍ୟ ସଙ୍ଗେ ମଦ ପିଅନ୍ତି । ମୁଁ ବନ୍ଧୁଙ୍କୁ ୟେଲ୍ ଗ୍ଲାସ୍‍ଟି ବଢ଼ାଇଦେଇ ନିଶ୍ଚିନ୍ତ ହେଲି ।

 

ଖାଇ ସାରିବା ପରେ ଦୁହେଁ କିଛିବାଟ ବସ୍‍ରେ ଓ ତା’ପରେ ଚାଲି ଚାଲି ବୁଲିବାକୁ ଲାଗିଲୁ । ବସ୍ ଟିକଟ ପ୍ରଭୃତିପାଇଁ ମୁଁ ତାଙ୍କୁ ଆଗରୁ ୨ଟି ଡଲାର ଧରାଇ ଦେଇଥାଏ । ତେଣୁ ଯେଉଁଠି ଟିକଟ କରିବା କଥା ସେ କରନ୍ତି ।

 

ଜେନୋଆ ଗୋଟିଏ ଅତି ପୁରୁଣା ସହର । ସେ ସହରରେ ବହୁତ ପୁରୁଣା ଗଳିକନ୍ଦି ରାସ୍ତାମାନଙ୍କରେ ଆମ ଦେଶ ପରି ଦରିଦ୍ର ଲୋକ ଓ ଭିକାରିସବୁ ବୁଲୁଥିବାର ଦେଖା ଯାଆନ୍ତି । ଆମେ ବାଟ ଚାଲିଲାବେଳେ ମୋର ବନ୍ଧୁ ବହୁକଥା ଅନର୍ଗଳ ଗପି ଚାଲି ଥାଆନ୍ତି । ଆମ ଦେଶ ଅଧାପାଠୁଆ ରାଜନୈତିକଙ୍କ ପରି ସେ ବହୁତ ରାଜନୀତି ଗପିଲେ । ଇଂରେଜ, ଆମେରିକାନ୍ ଓ ରୁଷିଆନ୍ ସମସ୍ତଙ୍କର ଗୁଡ଼ାଏ ଶ୍ରାଦ୍ଧ କଲେ । ବାଟରେ ପଡ଼ିଥିବା ଗୋଟିଏ ଛୋଟା ଭିକାରିକୁ ଦେଖି କହିଲେ ‘‘୧୯୪୯ ବର୍ଷଟି ମୁଁ ରୁଷିଆରେ କଟାଇଛି । ସେଠି ମଧ୍ୟ ଏହିପରି ଲୋକ ଅଛନ୍ତି ଓ ସେମାନଙ୍କ ପାଇଁ ସରକାରଙ୍କର କିଛି ବ୍ୟବସ୍ଥା ନାହିଁ । ବାଟରେ ଘାଟରେ ସେଠି ମଧ୍ୟ ବହୁତ ଭିକାରି ଦେଖାଯାଆନ୍ତି । ସେଠି ମଧ୍ୟ ଗରିବ ଧନୀର ତଫାତ୍ ଅଛି । ପାର୍ଟି କର୍ମକର୍ତ୍ତାମାନେ ସାଧାରଣ ଲୋକଙ୍କଠାରୁ ଧନୀ । ପୃଥିବୀରେ ଏପର୍ଯ୍ୟନ୍ତ କୌଣସିଠାରେ ଗରିବ ଭାଇଙ୍କର ସ୍ଥାନ ନାହିଁ । ଆପଣ ଭାରତପରି ଗରିବ ଦେଶର ଲୋକ, ଇଟାଲୀ ମଧ୍ୟ ଗରିବ କିନ୍ତୁ ସାଂସ୍କୃତିକ ଓ ସଭ୍ୟତା ଭିତ୍ତିରେ ଆମ ଦୁଇଦେଶ ଅତି ପୁରାତନ ଭାଇ ।

 

ଇଟାଲୀ ଭାଇ

 

ଏପରି ଗପି ଗପି ଗୋଟିଏ ମନୋହାରୀ ଦୋକାନ ଆଗରେ ଆମେ ଠିଆହେଲୁ । ସେଠାରେ ଇଟାଲୀ ତିଆରି କ୍ଷୁଦ୍ର ଶିଳ୍ପଜାତ ଜିନିଷ ମିଳେ । ଇଟାଲୀରୁ ସ୍ମାରକସ୍ୱରୂପ ଯଦି କିଛି ଜିନିଷ ନେବାକୁ ଚାହାନ୍ତି ତେବେ ଏଠାରୁ କିଣନ୍ତୁ ବୋଲି ସେ କହିଲେ । ଆମେ ଦୋକାନରେ ପଶିଲୁ । ଦୋକାନୀ ଭାବରେ ସୋ କେଶ ଆରପଟେ ୧୨, ୧୪ ବର୍ଷର ଝିଅଟିଏ ଠିଆ ହୋଇଥାଏ । ଭିତରୁ ବୋଧହୁଏ ତା’ ମା’ର ଗରଗର ପାଟି ଶୁଭୁଥାଏ । ପିଲାଟିବି ସୁଁ ସୁଁ ହୋଇ କାନ୍ଦିଲାପରି ରୁମାଲରେ ମୁହଁ ପୋଛି ନିଜକୁ ସମ୍ଭାଳିନେଇ ଆପଣଙ୍କର କ’ଣ ଦରକାର ବୋଲି ପଚାରିଲା । ମୁଁ ଡଲାର ଦେଢ଼ଡ଼ଲାରର ହାତତିଆରି କଣ୍ଢେଇ ଓ ଅଳଙ୍କାର ବାଛିଲି ।

 

ଏହି ସମୟରେ ମୋର ବନ୍ଧୁ ଛେପ ପକାଇବା ବାହାନରେ ମୋତେ ଦୋକାନ ବାହାରକୁ ଡାକିନେଇ ମୋ ହାତରେ ତାଙ୍କ ୨୦ ଡଲାର ନୋଟ୍‍ଟି ଗୁଞ୍ଜିଦେଇ କହିଲେ ‘‘ଆପଣ ବିଦେଶୀ ଲୋକ, ସେ ଆପଣଙ୍କଠାରୁ ଡଲାର ନୋଟ୍ ଗ୍ରହଣ କରିବ । ମୁଁ ଦେଶୀ ଭାଇ, ମୋତେ ଭଙ୍ଗାଇ ଦେବନାହିଁ, ଆପଣ ଏଇଟି ତାକୁ ଦିଅନ୍ତୁ ।’’

 

ଆମେ ଦୋକାନକୁ ଲେଉଟି ମୁଁ ବାଛିଥିବା ଜିନିଷଗୁଡ଼ିକ ଧରିଲି ଓ ତା’ର ମୂଲ୍ୟ ବାବଦକୁ ୨୦ ଡଲାର ନୋଟ୍‍ଟି ଝିଅଟି ହାତକୁ ବଢ଼ାଇ ଦେଲି । ସେ ନୋଟ୍‍ଟିକୁ ଦେଖିଲା ଓ ମୋ ସଙ୍ଗେ ଥିବା ଭଦ୍ରଲୋକଙ୍କୁ ‘‘ଭାଇ ଠିକ୍ ଅଛି କି ନାହିଁ ଦେଖ ବୋଲି କହି ନୋଟ୍‍ଟି ବଢ଼ାଇ ଦେଲା । ମୋ ବନ୍ଧୁ ସେଇଟିକି ନୂଆ ଦେଖିଲାପରି ଏପଟ ସେପଟ ଦେଖି ‘‘ଠିକ୍ ଅଛି’’ ବୋଲି କହି ମୁଣ୍ଡ ଟୁଙ୍ଗାରି ନୋଟ୍‍ଟି ସେ ଝିଅଟିର ହାତକୁ ବଢ଼ାଇ ଦେଲା । ଝିଅଟି ତା’ର ପଇସାତକ ରଖି ବାକି ଟଙ୍କାତକ ମୋ ହାତକୁ ବଢ଼ାଇ ଦେଲା । ଆମେ ଦୁହେଁ ଦୋକାନ ବାହାରକୁ ଆସିଲୁ ।

 

ଦୋକାନ ବାହାରେ ପହଞ୍ଚିଲାକ୍ଷଣି ମୋର ବନ୍ଧୁ ଝାମ୍ପିଲାପରି ମୋ ହାତରୁ ପଇସାତକ ଝାମ୍ପିନେଇ ପାଖ ଗଳିଦେଇ ଦଉଡ଼ି ପଳାଇବାକୁ ଲାଗିଲେ । ମୁଁ ମୁହୂର୍ତ୍ତକେ ସବୁ ବୁଝିଗଲି । ମୁଁ ବସ୍ ଭଡ଼ାପାଇଁ ଦେଇଥିବା ପଇସା ଓ ଏ ପଇସା ମିଶି ତାଙ୍କର ୨୦ ଡଲାର ହୋଇ ତାଙ୍କ କାର୍ଯ୍ୟ ସିଦ୍ଧି ହୋଇଗଲା । ସେ ଆଉ ମୋ ସଙ୍ଗେ ରହନ୍ତେ କାହିଁକି ? ମୋତେ ବାଟଘାଟ କିଛି ଜଣାନାହିଁ । ମୁଁ ଜାହାଜକୁ ଫେରିବି କିପରି ? ବସ୍‍ଷ୍ଟାଣ୍ଡ କେଉଁଠି, ମୁଁ ପୁଣି ଇଟାଲୀ ଭାଷା ଜାଣେ ନାହିଁ, ବାଟ ପଚାରିବି ବା କିପରି ? ତା’ପରେ ଆଉ କେଉଁ ଭୀଷଣ ଲୋକ ହାବୁଡ଼େ ବା ନ ପଡ଼ିବି ବା କାହିଁକି-?

 

ବାଧ୍ୟ ଆତ୍ମୀୟତା

 

ଅଜଣା ପୋଖରୀଠାରୁ ଜଣା ପୋଖରୀ ଭଲ ଭାବି ମୁଁ ମୋର ବନ୍ଧୁଙ୍କୁ ଗୋଡ଼ାଇ ତାଙ୍କ ପାଖେ ପହଞ୍ଚି କହିଲି ‘‘ବନ୍ଧୁ ଏପରି ସମସ୍ତଙ୍କର ହୁଏ, ଆପଣଙ୍କୁ ବୋଧହୁଏ କିଏ ଏ ଜାଲ୍‍ନୋଟଟି ଠକି ଦେଇଥିଲା । ଆପଣ ନିଶ୍ଚୟ ଅଭାବରେ ଅଛନ୍ତି । ଏଥିପାଇଁ ବ୍ୟସ୍ତ କାହିଁକି, ଚାଲନ୍ତୁ ସାଙ୍ଗ ହୋଇ ଯିବା । ବାଟରେ କେଉଁଠି ଜଳଖିଆ ମିଳିବ ଖାଇବା ବୁଲି ବୁଲି ଭୋକ କଲାଣି ।’’

ହିଂସ୍ରଜନ୍ତୁକୁବି ଆଉଁଷି ଆଉଁଷି କରି ମଣିଷ ନିଜର କରିପାରେ । ମୋର ସାନ୍ତ୍ୱନା ଓ କଅଁଳ କଥାରେ ଇଟାଲୀୟ ଭାଇ ପୁଣି ତଉଲିଆ ସାବୁନ ବା ଅନ୍ୟ ଲାଭ ଆଶାରେ ମୋର ବନ୍ଧୁ ହୋଇଗଲେ ।

ସେ ମୋର ଆତ୍ମୀୟତାରେ ଖୁସି ହୋଇ ତାଙ୍କର ଜୀବନ ବୃତ୍ତାନ୍ତ ଆରମ୍ଭ କଲେ । ତାଙ୍କର ବର୍ତ୍ତମାନ ଚାକିରି ନାହିଁ । ସେ ଜଣେ ବେକାର ଯୁବକ । ଜେନୋଆ ଠାରୁ ୭୦୦ ମାଇଲ ଦୂରରେ ତାଙ୍କ ଘର । ତାଙ୍କର ୬ ବର୍ଷର ପୁଅ ଓ ଗୃହିଣୀ ଘରେ ଥାଆନ୍ତି । ଜମିବାଡ଼ି କିଛି ନାହିଁ । ସେ ଜଣେ ଦେଶପ୍ରେମୀ । ସେ ଆଗେ କମ୍ୟୁନିଷ୍ଟ ପାର୍ଟିରେ ଥିଲେ । କିନ୍ତୁ ସେଥିରେ ଭବିଷ୍ୟତ ନ ଦେଖି, ବିଭିନ୍ନ ଜାହାଜ କମ୍ପାନୀରେ କାମ କଲେ । ବହୁ ଦେଶ ବୁଲିଲେ, କିନ୍ତୁ କିଛି ଲାଭ ହେଲା ନାହିଁ । ପିଲାଏ ଚଳିବାପାଇଁ କୌଣସି ନିର୍ଦ୍ଦିଷ୍ଟ ପନ୍ଥା ଏପର୍ଯ୍ୟନ୍ତ ସେ ଯୋଗାଡ଼ କରି ପାରିନାହାନ୍ତି ।

ସେ ଗପୁ ଥାଆନ୍ତି, ନୀରବରେ ଶୁଣୁଥାଏ । ଶେଷରେ ଆମେ ଆସି ଜାହାଜ ନିକଟରେ ପହଞ୍ଚିଲୁ । ମୁଁ ଜାହାଜରୁ ତଉଲିଆ, ସାବୁନ ପ୍ରଭୃତି ତାଙ୍କ ନିକଟକୁ ଫୋପାଡ଼ିବା ପାଇଁ କହି ସେ ଜାହାଜ ନିକଟରେ ଅପେକ୍ଷା କରି ଠିଆ ହୋଇ ରହିଲେ ।

 

‘‘କଲିଜାଲୋଭୀ କୁମ୍ଭୀରଠାରୁ ରକ୍ଷା ପାଇ ମାଙ୍କଡ଼ ଗଛ ଉପରକୁ ଡେଇଁ କୋରଡ଼ରେ ପାଶିବା ପରି’’ ମୁଁ ଜାହାଜ ଭିତରକୁ ପଶି ଯାଇ ଦୀର୍ଘ ନିଃଶ୍ୱାସଟାଏ ମାରିଲି ।

 

ଭାରତୀୟ ଭାଇଙ୍କଠାରୁ ତଉଲିଆ ପାଇବା ଆଶାରେ ସେ ଯେପରି ଅପେକ୍ଷା କରି ରହିଥିବେ, ଦୋକାନରେ ବାଳିକାଟି ତା’ର ମା’ଠାରୁ ମାଡ଼ ଗାଳି ଖାଇ ସେଇ ଇଟାଲୀୟ ଭାଇଙ୍କପାଇଁ ଅପେକ୍ଷା କରି ରହିଥିବ । ସେ ହୁଏତ ଭାବୁଥିବ, ତା’ର ଇଟାଲୀ ଭାଇଟି ମୋତେ ଚିହ୍ନେ ଓ ତା’ ସାହାଯ୍ୟରେ ମୋ ଠାରୁ ସେ ଜାଲ୍‍ନୋଟଟି ବଦଳାଇ ନେଇ ପାରିବ ।

 

ସେ ଝିଅଟିର ଦୁର୍ଦ୍ଦଶା କଥା ଭାବି ମୋ ଆଖି ଛଳଛଳ ହୋଇଗଲା । କେତେ ଘଣ୍ଟା ପରେ ଜଳକୁ ଦି’ଭାଗ କରି ପୁଣି ଆମ ଜାହାଜ ତା’ର ଗନ୍ତବ୍ୟ ପଥରେ ଆଗେଇ ଚାଲିଲା ।

 

ଆମେରିକା ୟୁରୋପକୁ ପଛରେ ପକାଇ ଏସିଆ ମହାଦେଶରେ ଭାରତ ଆଡ଼କୁ ଜାହାଜଟି ମୁହାଁଇଲା । ସେପଟର ଦୁନିଆକୁ ଛାଡ଼ି ମୁଁ ଏପଟ ଦୁନିଆରେ ପହଞ୍ଚିଲି ।

Image